Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ନୂଆ ବର୍ଷରେ ନିଆରା କଳାକୃତି: ସର୍ବଧର୍ମ ସମନ୍ୱୟର ବାର୍ତ୍ତାଦେଲେ ଶିଳ୍ପୀ ସତ୍ୟ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ସବୁବେଳେ କିଛି ନୂଆ କରି ଦେଖାଇବାର ଆଶା ହିଁ ମଣିଷକୁ ସଫଳତାର ଶୀର୍ଷରେ ପହଞ୍ଚାଇଥାଏ। ସେ ସବୁବେଳେ କୁହନ୍ତି ଯେ ଉତ୍ତମ ଚିନ୍ତାଧାରା ଓ କଠିନ ପରିଶ୍ରମ ହିଁ ସଫଳତାର ଚାବିକାଠି। ପୂର୍ବରୁ ସେ ଅନେକ ହାତତିଆରି କଳାକୃତି କରି ଦେଶ ବିଦେଶରେ ସୁନାମ ଅର୍ଜନ କରିଥିବାବେଳେ ଏବେ ନିଜ କଳାକୃତି ମାଧ୍ୟମରେ କରୋନା ସଚେତନତାର ବାର୍ତ୍ତାଦେଇ ପୁଣି ଆସିଛନ୍ତି ଚର୍ଚ୍ଚାକୁ।

ଏବେ ଆମେ କହୁଛୁ ବ୍ରହ୍ମପୁରରୁ ବାଲୁକା ଶିଳ୍ପୀ ସତ୍ୟ ମହାରଣାଙ୍କ କଥା। ଯିଏକି ଦରକାରୀ ହେଉ କିମ୍ବା ଅଦରକାରୀ ସମସ୍ତ ଛୋଟଛୋଟ ସାମଗ୍ରୀରେ ତିଆରି କରିଥାନ୍ତି ବିଭିନ୍ନ କଳାକୃତି। ବର୍ତ୍ତମାନ ସେ କାଠରେ ବିରଳ ନାଗାର୍ଜୁନ ବେଶ ପ୍ରସ୍ତୁତ କରି କରୋନା ଦାଉରୁ ରକ୍ଷା ପାଇବା ପାଇଁ ସମସ୍ତେ ଏକାଠି ହୋଇ ଲଢ଼ିବାକୁ ସଚେତନତାର ବାର୍ତ୍ତା ପ୍ରଦାନ କରିଛନ୍ତି। ଏପାଖେ କାଳିଆ, ସେ ପାଖେ ବଳିଆ ଆଉ ମଝିରେ ଅଛନ୍ତି ଭଉଣୀ ସୁଭଦ୍ରା। ଗୋଟିଏ କାଠରେ ତିନିଠାକୁରଙ୍କୁ ବସାଇ ନାଗାର୍ଜୁନ ବେଶ ପ୍ରସ୍ତୁତ କରିଛନ୍ତି ସତ୍ୟ।

ଚଳିତବର୍ଷ କରୋନା କଟକଣା ଯୋଗୁଁ ଶ୍ରୀଜୀଉଙ୍କ ନାଗାର୍ଜୁନ ବେଶ ଦେଖିବାକୁ ଭକ୍ତମାନେ ବଂଚିତ ହୋଇଥିବାବେଳେ ତାକୁ ଦୃଷ୍ଟିରେ ରଖି ଏହି ହାତତିଆରି କଳାକୃତି ନିର୍ମାଣ କରିଛନ୍ତି ବାଲୁକା ଶିଳ୍ପୀ ସତ୍ୟ ମହାରଣା। ଏହି ନାଗାର୍ଜୁନ ବେଶର ଉଚ୍ଚତା ମାତ୍ର ୪ ଇଞ୍ଚ ରହିଛି। ସେହିପରି ଅନେକ ଦିନ ପରେ ମନ୍ଦିର ଖୋଲିଥିବାବେଳେ କାଠରେ ୩.୫୦ ଇଞ୍ଚର ମନ୍ଦିର କଳାକୃତି ନିର୍ମାଣ ସହ ନିକଟରେ ଏକ ଘର ପ୍ରସ୍ତୁତ କରିଛନ୍ତି। ଉକ୍ତ ଘରର ଉଚ୍ଚତା ୩ ଇଞ୍ଚ ରହିଛି ଏବଂ ଏହାର ଚାରିପାଖରେ ବିିଭିନ୍ନ ଜାତିଧର୍ମର ଲଗୋ ପ୍ରସ୍ତୁତ କରି ସର୍ବଧର୍ମ ସମନ୍ୱୟର ବାର୍ତ୍ତା ଦେଇଛନ୍ତି।

ଏହି ସଂପୂର୍ଣ୍ଣ କଳାକୃତି ସମାଜକୁ ଏହି ଦିଗ୍‌ଦର୍ଶନ ଦେଉଛି ଯେ ବର୍ତ୍ତମାନ ମଧ୍ୟ କରୋନାର ପ୍ରକୋପ କମିନଥିବାରୁ କୋଭିଡ଼୍ ଗାଇଡ଼୍‌ଲାଇନ୍ ମାନି ସାମାଜିକ ଦୂରତା ରକ୍ଷା କରିବା ସହ ବାହାରକୁ ଯିବା ସମୟରେ ମାସ୍କ ବ୍ୟବହାର କରିବା ଓ ଆବଶ୍ୟକ ନଥିବା ବେଳେ ଘରୁ ନ ବାହାରିବା। ଏହି କଳାକୃତିକୁ ନିର୍ମାଣ କରିବା ପାଇଁ ପାଖାପାଖି ଗୋଟିଏ ଦିନ ସମୟ ଲାଗିଥିବା କହିଛନ୍ତି ବାଲୁକା ଶିଳ୍ପୀ ସତ୍ୟ। ଏହା ପୂର୍ବରୁ ବୋଟମ୍‌ରେ ଗଂଜାମ ଜିଲ୍ଲା ସୋରଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ କନ୍ଧୁଣୀଙ୍କ ୧୮ ଇଞ୍ଚର ଫଟୋଚିତ୍ରକୁ ନିର୍ମାଣ କରିଥିଲେ ସତ୍ୟ। ଯାହା ଏସିଆ ବୁକ୍ ଅଫ୍ ରେକର୍ଡ଼ ଓ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ଼ରେ ସ୍ଥାନ ପାଇଥିଲା।

ଏଥିସହ ପଥର, କାଠ, ଚକ୍‌, ପେନସିଲ୍‌ରେ ବିଶ୍ୱର ସବୁଠାରୁ ଛଟୋ ଦୁର୍ଗାମୂର୍ତ୍ତି ଏବଂ ରଥଯାତ୍ରା ସମୟରେ ବିଶ୍ୱର ସବୁଠାରୁ ଛୋଟ ରଥ ନିର୍ମାଣ କରି ସେ ଅନେକ ରେକର୍ଡ଼ର ଅଧିକାରୀ ହୋଇଛନ୍ତି। ୱାରଲ୍ଡ ରେକର୍ଡ଼ ସେକ୍ଟର, ଏସିଆ ବୁକ୍ ଅଫ୍ ରେକର୍ଡ଼, ୟୁନିଭରସିଆଲ୍ ରେକର୍ଡ଼, କାଲାମ ବୁକ୍ ଅଫ୍ ରେକର୍ଡ଼, ୱାରଲ୍ଡ ରେକର୍ଡ଼ ଇଣ୍ଡିଆ, ଏକ୍ସକ୍ଲୁଜିଭ୍ ୱାରଲ୍ଡ ରେକର୍ଡ଼ ଭଳି ୨୫ରୁ ଉର୍ଦ୍ଧ୍ୱ ଜାତୀୟ ଓ ଆନ୍ତର୍ଜାତୀୟ ରେକର୍ଡ଼ ନିଜ ହାତତିଆରି କଳାକୃତି ମାଧ୍ୟମରେ ସେ ହାସଲ କରିପାରିଛନ୍ତି।

ଗଂଜାମ ଜିଲ୍ଲା ସୋରଡ଼ା ଗ୍ରାମରୁ ବ୍ରହ୍ମପୁର ସହରକୁ ଆସି ୨୦୧୦ ମସିହାରୁ ବାଲୁକାକଳା ଜରିଆରେ ସଫଳତା ପାଇ ଆସୁଥିବା ସତ୍ୟ ଏବେ ନିଜ ହାତତିଆରି ବିଭିନ୍ନ ପ୍ରକାର କଳାକୃତି ପାଇଁ ବେଶ୍ ଚର୍ଚ୍ଚାରେ। ଆଗକୁ ମଧ୍ୟ ନିଜ କଳା ମାଧ୍ୟମରେ କିଛି ନୂଆଁ କରିବାର ଆଶା ରଖିଥିବା ବାଲୁକାଶିଳ୍ପୀ ସତ୍ୟ ମହାରଣା କହିଛନ୍ତି।

Categories
ବିଶେଷ ଖବର

ମହାମାରୀର ବର୍ଷ ୨୦୨୦ର କୋହ! କିଛି ସ୍ମୃତି ଓ କିଛି ଅନୁଭୂତି

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବିଦାୟ ନେଇଛି କୋଡ଼ିଏ କୋଡ଼ିଏ। ବୋଧହୁଏ ଏଇପରି ଦାରୁଣ ଦୁଃସମୟ ଏପରି ବିଗତ ଶହେବର୍ଷ ଭିତରେ କେହିକେବେ ଅଂଗେ ନିଭାଇ ନଥିବ। ୨୦୨୦ ନୂଆ ବର୍ଷର ଉତ୍ସାହ ସହ ସ୍ୱାଗତ କରିଥିବା ଗଂଜାମ ଜିଲ୍ଲାବାସୀ ତଥା ଦକ୍ଷିଣ ଓଡ଼ିଶାର ଜନସାଧାରଣଙ୍କ ପାଇଁ ଦୁଇମାସ ପରେ ସବୁକିଛି ନୀରବ ରହିଯାଇଥିଲା। କରୋନା ମହାମାରୀର ଅବଧି ପ୍ରାୟ ୧୦ ମାସ ହେଲା ଲାଗିରହିବା ହେତୁ ଅଦ୍ୟାବଧି ସଂକଟ ଟଳିନଥିବା ଅନୁଭବ କରି ପୁରୁଣା ବର୍ଷକୁ ବିଦାୟ ଏବଂ ନୂଆ ବର୍ଷକୁ ସ୍ୱାଗତ କରିବା ଉତ୍ସାହ ଉଦ୍ଦୀପନା ସବୁ କିଛି ମଉଳି ଯାଇଛି।

ଇଂରାଜୀ ନବବର୍ଷର ସ୍ୱାଗତ ପାଇଁ କେବଳ ସାମାଜିକ ଗଣମାଧ୍ୟମ ଏକମାତ୍ର ବିକଳ୍ପ। ତରୁଣ ତରୁଣୀରୁ ଦେଇ ବୟସ୍କଙ୍କ ପାଇଁ ଏକମାତ୍ର ସାମାଜିକ ଗଣମାଧ୍ୟମରେ ବାର୍ତ୍ତା ଦେବା ନେବା ପର୍ବକୁ ନେଇ ଆସିଛି ୨୦୨୧। କୋଡ଼ିଏ କୋଡ଼ିଏର ଚିତ୍ର ଥିଲା ବଡ଼ ଦାରୁଣ। ଅର୍ଥନୈତିକ ସ୍ଥିତିକୁ ବଜ୍ର ଆଘାତ ଦେବା ସହ ରାଜନୈତିକ ପରିସର ମଧ୍ୟ ଏକପ୍ରକାର ହଟଚମଟ।

ପ୍ରଶାସନିକ ବ୍ୟବସ୍ଥାରୁ ନେଇ ଘଟଣା ଦୁର୍ଘଟଣା, ସାହିତ୍ୟରୁ ନେଇ ସଂସ୍କୃତି ପରମ୍ପରାରୁ ନେଇ ଲୋକ ଉତ୍ସବ ପର୍ଯ୍ୟନ୍ତ ସବୁ ବ୍ୟବସ୍ଥା ଅନୁଶୀଳନ କରିଲା ବେଳେ ଅନୁଭବ ହୁଏ ୨୦୨୦ର ତିକ୍ତ ଅନୁଭୂତି। ଏକେ ଆରକେ ବଳି ଦୁଃଖର ଭଣ୍ଡାର ନେଇ ଆସିଥିବା ପୃଥିବୀକୁ ଏଇ ୨୦୨୦।

ଗଂଜାମ ଜିଲ୍ଲାରେ ମହାମାରୀ କରୋନାର ରୂପ ମେ ମାସରେ କ୍ରମଶଃ ବୃଦ୍ଧି ପାଇଁ ଜୁନ୍ ଜୁଲାଇ ବେଳକୁ ଅଧିକ ସାଂଘାତିକ ରୂପ ନେବା ବେଳକୁ ଗଂଜାମ ଜିଲ୍ଲାର ସ୍ଥିତି ଥିଲା ଅତି ସଂଗୀନ। ହଜାର ହଜାର ସଂଖ୍ୟାର ବାହାର ସୁରାଟରୁ ପ୍ରବାସୀ ଓଡ଼ିଆଙ୍କ ଘରବାହୁଡ଼ା ପରେ ସ୍ଥିତି ଅଧିକରୁ ଅଧିକ ଜଟିଳ ହେଲା। ସମାଜ ଆଗରେ ପ୍ରତ୍ୟେକ ସମୟରେ ଏକ ଚିନ୍ତିତ ଭାବରେ ପ୍ରଶାସନ ବିପର୍ତ୍ତିକୁ ଟାଳିବା ପାଇଁ ଯଥାସାଧ୍ୟ ଉଦ୍ୟମ ଥିଲା ପ୍ରଶଂସନୀୟ। ଜିଲ୍ଲାରେ ଏଗାରରୁ ଅଧିକ ଆଇଏଏସ୍ ଅଫିସରଙ୍କ ସକ୍ରିୟ ଭୂମିକା ସହ ପୋଲିସ୍‌, ଅଙ୍ଗନୱାଡ଼ି, ଆଶାକର୍ମୀ, ଏଲୋପାଥିକ ଡ଼ାକ୍ତର, ଆୟୁଷ ଡ଼ାକ୍ତରଙ୍କ ନିଷ୍ଠାପର କର୍ତ୍ତବ୍ୟରୁ ଆଜି କରୋନା ରୂପ ତଳମୁହାଁ ହୋଇ ବର୍ଷର ଶେଷ ଭାଗକୁ ଜିଲ୍ଲାବାସୀ ଆଶ୍ୱସ୍ତି ଅନୁଭବ କରୁଛନ୍ତି।

ରାଜନୀତିର ସ୍ଥିତି ଥିଲା ରୋଚକ। ବିଜୁ ଜନତା ଦଳର ମଂଗୁଆଳ ସାଜି ଆସୁଥିବା ଏକ ଅଂଚଳର ପ୍ରଭାବଶାଳୀ ନେତା ମଧ୍ୟରୁ ଅଲେଖ ଚୌଧୁରୀଙ୍କ ଆକସ୍ମିତ ଦୁଃଖଦ ବିୟୋଗ ଥିଲା ବଡ଼ ଯନ୍ତ୍ରଣାଦାୟକ। ଡ. ପ୍ରଦୀପ ପାଣିଗ୍ରାହୀ ଗୋପାଳପୁର ବିଧାୟକଙ୍କ ରାଜନୀତିର ପରିସରକୁ କଳୁଷିତ କରିଦେଲେ ପିତା ପୁତ୍ର ପାଠକଙ୍କ ପାଠ ଆଜି ସବୁଠାରୁ ଅଧିକ ରହସ୍ୟମୟ ଓ ରୁଚିକର। ଡ. ପ୍ରଦୀପ ପାଣିଗ୍ରାହୀ ବିଜୁ ଜନତା ଦଳର ତୁଙ୍ଗ ନେତା ଲୋକ ପ୍ରତିନିଧି ଭାବରେ ସମାଜରେ ସେ କିପରି ଗୋଟିଏ ମହାକାଳ ଫଳ ଏହା ପ୍ରମାଣିତ କରିଦେଲା ୨୦୨୦ର ଚର୍ଚ୍ଚିତ ଚେହେରା। ତାଙ୍କ ପାଇଁ ଦଳର ସଂକଟ ମଧ୍ୟ ବଢ଼ିବା ସହ ଅନେକ ବିରୋଧ କଟାକ୍ଷର ସମ୍ମୁଖୀନ ହେଲା ଶାସକ ଦଳ। ଏହାଛଡ଼ା କରୋନା ମହାମାରୀର ଚିତ୍ରଠାରୁ ଭୟଙ୍କର ଥିଲା ରାଜନେତାଙ୍କ ଚରିତ୍ର। ଏଇମାନେ ଲୋକପ୍ରତିନିଧି ହୋଇ ଲୋକଙ୍କ ପାଖକୁ ନଯାଇ ପ୍ରଶାସନିକ ମୁଣ୍ଡରେ ସବୁ ଢ଼ାଳି ଦେଇଥିଲେ। ଏହା ମଧ୍ୟ ସତ ଯେ ପ୍ରଶାସନିକ କଳର ଉପସ୍ଥିତ ବୁଦ୍ଧିରୁ କରୋନା ମୁକାବିଲା ଥିଲା ସହଜ।

ସାହିତ୍ୟରେ ଗଂଜାମ ମାଟିର କୃତି ଅର୍ଜନ କରିଥିଲେ ତିନି ସାହିତ୍ୟିକ ଡ. ଶରତ ଜେନା, ଡ. ପ୍ରସନ୍ନ ସ୍ୱାଇଁ ଏବଂ ଡ. ସିଦ୍ଧାର୍ଥ ପାଢ଼ୀ। ଓଡ଼ିଶା ସାହିତ୍ୟ ଏକାଡ଼େମୀର ଯୋଗଦାନ ଥିଲା ସୁଖଦକର କିନ୍ତୁ ମହାନ୍ ଗାଳ୍ପିକ ପ୍ରାବନ୍ଧିକ ପ୍ରଫେସର ହରିହର ଦାସ, ଡ. ଚନ୍ଦ୍ରମଣି ସ୍ୱାଇଁ, ଅଭିରାମ ପଣ୍ଡା ଶିଶୁ ସାହିତ୍ୟିକଙ୍କୁ ହରାଇ ଥିଲେ ସାହିତ୍ୟ ଅନୁରାଗୀ। ଭାଷା, ସଂସ୍କୃତି ଓ କଳାର ପୂଜାର କ୍ଷେତ୍ର ଗଂଜାମ ଏକ ପ୍ରକାର ସ୍ଥାଣୁ ଏବଂ ସିନେମା ହଲ୍ ଗୁଡ଼ିକର ସ୍ଥିତି ବେଳକୁ ବେଳ ସଂଗୀନ ଥିଲା। ଶ୍ରମିକ, ଶ୍ରମଜୀବୀଙ୍କ ଦୈନ୍ୟ ସ୍ଥିତି ଏକ ପ୍ରକାର ଗମ୍ଭୀର ଥିବାବେଳେ ବ୍ରହ୍ମପୁର ବାଣିଜ୍ୟ କ୍ଷେତ୍ର ହରାଇଥିଲା କୋଟି କୋଟି ଟଙ୍କାର ବ୍ୟାପାର।

ଶହେବର୍ଷ ଭିତରେ ଶିକ୍ଷାନୁଷ୍ଠାନ ଗୁଡ଼ିକ ବନ୍ଦ ହେବା ଫଳରେ ଛାତ୍ରଛାତ୍ରୀଙ୍କ ପାଇଁ ସବୁଠାରୁ ବଡ଼ଦୁଃଖ ଦୁର୍ଦ୍ଦିନର ସମୟ ଥିଲା କରୋନା। ପର୍ବପର୍ବାଣି ମୁଖରିତ ଗଂଜାମ ଜିଲ୍ଲାରେ ପ୍ରଥମଥର ପାଇଁ ବିଷୁବ ଉତ୍ସବ, ଦଣ୍ଡନାଟ ବନ୍ଦ ହେବା ସହିତ ଗାଁ ଗାଁରେ ନବରାତ୍ର ପୂଜାର ଆନନ୍ଦ ଛଡ଼ାଇ ନେଇଥିଲା କରୋନା। ଦୁର୍ଗାପୂଜା, ଗଣେଶ ପୂଜା ଏବଂ ସାବିତ୍ରୀ, ରଜ ଉତ୍ସବର ସୁଖ ଛଡ଼ାଇ ନେଇଥିଲା ମହାମାରୀର ସମୟ। ଏମିତିରେ କରୋନାକୁ ବିଦାୟ ଦେବା ପାଇଁ ଅନେକ ସଂଘର୍ଷ ଏବେବି ଲାଗିଥିବାବେଳେ ଆଜି ବି କରୋନାର ଭୟ ଭିତରେ ନୂଆବର୍ଷ ୨୦୨୧ ସ୍ୱାଗତ କରିବା ଆନନ୍ଦ ଛଡ଼ାଇ ନେଇଛି ମହାମାରୀ।

ମହାମାରୀର ବର୍ଷ ୨୦୨୦ ବିଦାୟ ଯିବା ପୂର୍ବରୁ ଅନେକ ଶୁଭେଚ୍ଛା ଜଣାଇ ଲେଖି କେବଳ ଈଶ୍ୱରଙ୍କୁ ପ୍ରାର୍ଥନା କରିଛନ୍ତି ବ୍ୟାଧିଭୟ ମୁକ୍ତ ବିଶ୍ୱ। ଆଗାମୀ ବର୍ଷକୁ ନୂଆ ଅନୁଭୂତି ସାଥୀରେ ନେଇ ଆସୁ ଏବଂ ବିଷାଦମୟ ବିଶ୍ୱ ମହଁରେ ହସ ଫଟିଉଠୁ।