Categories
ଆଜିର ଖବର ରାଜ୍ୟ ଖବର

ନୂଆ ରେଳ ଲାଇନ ପାଇଁ ଡିପିଆର ପ୍ରସ୍ତୁତିକୁ ଅନୁମୋଦନ: ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ରେଳ ଗମନାଗମନକୁ ଅଧିକ ସୁଦୃଢ କରିବା ପାଇଁ ଝାରସୁଗୁଡ଼ାରୁ ବାରକୋଟ୍ ପର୍ଯ୍ୟନ୍ତ ନୂଆ ରେଳ ଲାଇନ ତିଆରି କରିବା ପାଇଁ ଆନୁଷଙ୍ଗିକ ପଦକ୍ଷେପ ନେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ୧୬୦ କିମି ବିଶିଷ୍ଟ ବାରକୋଟ ଏବଂ ଝାରସୁଗୁଡା ରେଳ ଲାଇନ ପାଇଁ ଡିପିଆର ପ୍ରସ୍ତୁତ କରିବାକୁ ଫାଇନାଲ ଲୋକେସନ୍ ସର୍ଭେ(ଏଫଏଲଏସ) କରିବା ପାଇଁ ରେଳ ମନ୍ତ୍ରଣାଳୟ ମଞ୍ଜୁର କରିଛି। ନୂଆ ରେଳ ଲାଇନ ଶିଳ୍ପ ସମୃଦ୍ଧ ଅଞ୍ଚଳ ଝାରସୁଗୁଡା ଠାରୁ ଦେବଗଡ଼ ଜିଲ୍ଲାର ବାରକୋଟ୍ ସହ ସଂଯୋଗ କରିବ। ଏହି ପଦକ୍ଷେପ ଦ୍ୱାରା ଦେବଗଡ଼ ଜିଲ୍ଲା ପ୍ରଥମ ଥର ପାଇଁ ରେଳ ଲାଇନ ସହ ସଂଯୋଗ କରିବାକୁ ଯାଉଛି, ଯାହା ଖୁସିର ବିଷୟ।

ପ୍ରଧାନମନ୍ତ୍ରୀଙ୍କ ‘ପୂର୍ବୋଦୟ’ କଳ୍ପନାରେ ମୋଦି ସରକାର ଓଡ଼ିଶାକୁ ସବୁ କ୍ଷେତ୍ରରେ ପ୍ରାଥମିକତା ଦେଇ ଆସୁଛନ୍ତି। ଏହି ରେଳ ଲାଇନ କାର୍ଯ୍ୟକ୍ଷମ ହେଲେ ଝାରସୁଗୁଡା ଏବଂ ଦେବଗଡ଼ ଜିଲ୍ଲାରେ ବିକାଶର ନୂଆ ଧାରା ସୃଷ୍ଟି ହେବ। ଏହି ଅଞ୍ଚଳ ରେଳ ଭିତ୍ତିଭୂମି ସହ ସଠିକ୍ ଭାବରେ ଯୋଡ଼ିହେଲେ ଚାଷୀ ଭାଇମାନେ ଉପକୃତ ହେବା ସହ ଆର୍ଥିକ ଅଭିବୃଦ୍ଧି ଘଟିବ। ଦେବଗଡ ଜିଲ୍ଲାରେ ପର୍ଯ୍ୟଟନର ବିକାଶକୁ ମଧ୍ୟ ଗତି ମିଳିବ। ବିଶେଷ ଭାବରେ ଦେବଗଡବାସୀଙ୍କ ଦୀର୍ଘ ଦିନର ଅପେକ୍ଷାକୁ ପୂରଣ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଶ୍ରୀ ପ୍ରଧାନ ପୁନର୍ବାର କୃତଜ୍ଞତା ଜଣାଇଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଗତ ଜୁଲାଇ ୧୦ ତାରିଖରେ ଦେବଗଡ ଜିଲ୍ଲାର ନାଗରିକ କମିଟିର ଅନୁରୋଧ କ୍ରମେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଏ ସମ୍ପର୍କରେ ପତ୍ର ଲେଖିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା: ନୂଆ ରେଳ ଲାଇନ ସର୍ଭେକୁ ନେଇ ଜନ ଅସନ୍ତୋଷ, ଆନ୍ଦୋଳନର ମିଳୁଛି ଆଭାସ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକାରେ ନୂଆ ରେଳ ଲାଇନ ସର୍ଭେକୁ ନେଇ ଜନ ଅସନ୍ତୋଷ ଦେଖିବାକୁ ମିଳିଛି। ଆଜି ବଡ଼କୁଳ ଠାରେ ଥିବା ଶ୍ରୀ ଶ୍ରୀ ରାମେଶ୍ୱର ମନ୍ଦିରରେ ଜିଲ୍ଲା ପରିଷଦ ପ୍ରତିନିଧି ବୁଟା ସୁନ୍ଦରାୟଙ୍କ ଆବାହକତ୍ଵରେ ପ୍ରାୟ ୪ଟି ପଂଚାୟତର ସରପଞ୍ଚଙ୍କ ସମେତ ବହୁ ଲୋକ ଏକାଠି ହୋଇଥିଲେ।

ଖବରରୁ ଜଣାଯାଇଛି ବାଲୁଗାଁ ନିକଟ ଦେଇ ଦକ୍ଷିଣ ପୂର୍ବ ରେଳପଥ ଯାଇଥିବା ବେଳେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି କ୍ରମେ କେବଳ ମାଲବାହୀ ଟ୍ରେନ ଗମନା ଗମନ ପାଇଁ କଲିକତା ଠାରୁ ବିଜୟୱାଡା ପର୍ଯ୍ୟନ୍ତ ନୂଆକରି ଏକ ଟ୍ରେନ ଲାଇନ ନିର୍ମାଣ ପାଇଁ ଯୋଜନା ହୋଇଛି। ଯାହା ଫଳରେ ବିଭିନ୍ନ ସର୍ବେକ୍ଷଣ ସଂସ୍ଥା ଦ୍ୱାରା ସରକାର ସର୍ଭେ କରୁଥିବାର ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି। କିନ୍ତୁ ସର୍ବେକ୍ଷଣ କେତେଦୂର ଅଗ୍ରଗତି ହୋଇଛି, କେଉଁ କେଉଁ ରାଜସ୍ୱ ମୌଜ଼ାର ଲୋକ କ୍ଷତିଗ୍ରସ୍ତ ହେଉଛନ୍ତି, କେଉଁ କେଉଁ ଗ୍ରାମ ତାହାର ସତ୍ତା ହରାଇବାକୁ ଯାଉଛି, ଏ ସମ୍ପର୍କରେ କାହା ପାଖରେ ସଠିକ ତଥ୍ୟ ନଥିବା ଜଣାଯାଇଛି।

ଅନୁସନ୍ଧାନରୁ ଏହାର ସତ୍ୟତା ଥିବା ଜଣାଯାଇଛି ଯେ, ୧୦/୦୮/୨୦୨୨ ତାରିଖରେ ପତ୍ର ସଂଖ୍ୟା ୧୨୪୭୨ ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଫିସ ତରଫରୁ ବେଗୁନିଆ, ଟାଙ୍ଗି, ଚିଲିକା ଓ ବାଣପୁର ତହସିଲଦାର/ବିଡ଼ିଓ ଙ୍କୁ ଜମି ଅଧିଗ୍ରହଣ ଅଧିକାରୀ ଚିଠି ପ୍ରେରଣ କରିଛନ୍ତି। ଯାହାଫଳରେ ଚିଲିକାର ବଡ଼କୁଳ, ଅଠର ବାଟିଆ, ନିମିକ୍ଷେତା ଏବଂ ନନ୍ଦପୁର ଗ୍ରାମପଂଚାୟତ ଗୁଡିକ ଏହି ରେଳ ପ୍ରକଳ୍ପ ଦ୍ୱାରା କ୍ଷତିଗ୍ରସ୍ତ ହେବାର ସମ୍ଭାବନା ଅଛି।

ଏହି ପରିପ୍ରେକ୍ଷୀରେ ସମବେତ ପଂଚାୟତବାସୀ ଏକ କମିଟି ଗଠନ କରିଛନ୍ତି। କମିଟି ଜିଲ୍ଲାପାଳ ଏବଂ ରେଳ ବିଭାଗର ଉଚ୍ଚ ପଦସ୍ଥ କର୍ମଚାରୀମାନଙ୍କ ସାଥିରେ ଆଲୋଚନା କରି କେଉଁ କେଉଁ ମୌଜାର ଜମି ଓ ଗ୍ରାମ କ୍ଷତିଗ୍ରସ୍ତ ହେଉଛି ଏବଂ ଏହାର କଣ ସତ୍ୟତା ଅଛି ତାହାକୁ ଲୋକମାନଙ୍କୁ ଅବଗତ କରିବେ। କମିଟି ଅବଗତ କଲାପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ବୈଠକ କରାଯାଇ ନିର୍ଦ୍ଧାରଣ କରାଯିବ ବୋଲି ସଭାରେ ସହମତି ପ୍ରକାଶ ପାଇଛି।

ଉକ୍ତ ଘଟଣାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ଲାଗିରହିଥିବା ବେଳେ ନିଜର ଜମି ଚାଲିଯିବା ଓ ଭିଟାମାଟି ଚାଲିଯିବା ଭୟରେ ଉପରୋକ୍ତ ପଂଚାୟତବାସୀ ଭୀତତ୍ରସ୍ତ ଅବସ୍ଥାରେ ଅଛନ୍ତି। ଏହାକୁ ନେଇ ଏକ ଜୋରଦାର ଆନ୍ଦୋଳନର ଆଭାସ ମିଳୁଛି। ତେଣୁ ପ୍ରଶାସନ ଏହାକୁ ଗୁରୁତର ସହ ନେଇ ଲୋକମାନଙ୍କ ସାଥିରେ ଆଲୋଚନା କରିବାକୁ ସାଧାରଣରେ ଦୃଢ଼ ଦାବି ହେଉଛି।