Categories
ଆଜିର ଖବର ଖେଳ ଜାତୀୟ ଖବର

କୁଲଦୀପଙ୍କ ହ୍ୟାଟ୍ରିକ୍ ପରେ ପୃଥ୍ବୀ ଶ’ଙ୍କ ଚୌକା ଓ ଛକା ବର୍ଷା, ସାମସନଙ୍କ ନେତୃତ୍ଵରେ ସିରିଜ୍ ଜିତିଲା ଭାରତ

ନୂଆଦିଲ୍ଲୀ: ଚେନ୍ନାଇର ଏମ ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳାଯାଇଥିବା ଦ୍ୱିତୀୟ ଅଣଆନୁଷ୍ଠାନିକ ଦିନିକିଆରେ ନ୍ୟୁଜିଲ୍ୟାଣ୍ଡ-ଏକୁ ଭାରତ-ଏ ପରାସ୍ତ କରିଛି। ଏହା ସହ ଭାରତ-ଏ ୩ ଟି ଦିନିକିଆ ସିରିଜରେ ୨-୦ ରେ ଅଗ୍ରଣୀ ହାସଲ କରିଛି। ସଞ୍ଜୁ ସାମସନଙ୍କ ନେତୃତ୍ୱରେ ଇଣ୍ଡିଆ ଏ ପ୍ରଥମ ଦିନିକିଆରେ ୭ ୱିକେଟ୍ ରେ ଜିତିଥିଲା। ତୃତୀୟ ମ୍ୟାଚ୍ ସେପ୍ଟେମ୍ବର ୨୭ ତାରିଖରେ ଚେନ୍ନାଇରେ ମଧ୍ୟ ଖେଳାଯିବ।

ଭାରତ-ଏ ବିଜୟରେ ଦୁଇ ଖେଳାଳି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଯେଉଁଠାରେ କୁଲଦୀପ ଯାଦବ ବଲରେ ପ୍ରାଧାନ୍ୟ ବିସ୍ତାର କରିଥିଲେ, ପୃଥ୍ବୀ ଶ’ ବ୍ୟାଟ୍ ରେ କମାଲ କରିଥିଲେ। କୁଲଦୀପ ହ୍ୟାଟ୍ରିକ୍ ସହ ମ୍ୟାଚ୍‌ରେ ୪ ୱିକେଟ୍ ନେଇଥିଲେ। ଏଥିସହିତ ଶ’ ଇଣ୍ଡିଆ-ଏ ଇନିଂସ ଆରମ୍ଭ କରି ମାତ୍ର ୨୬ ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୧୧ ଟି ଚୌକା ଓ ୩ ତି ଛକା ସହାୟତାରେ ୪୮ ବଲରେ ୭୭ ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ। ଚଳିତ ବର୍ଷ ଅଣ୍ଡର-୧୯ ବିଶ୍ୱକପ ଜିତିଥିବା ଭାରତୀୟ ଦଳର ସଦସ୍ୟ ଥିବା ରାଜା ବାୱା ଏହି ମ୍ୟାଚରେ ଡେବ୍ୟୁ କରିଥିଲେ।

ନ୍ୟୁଜିଲ୍ୟାଣ୍ଡ-ଏ ଟସ୍ ଜିତି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଚାଡ ବୋଜ ଏବଂ ରଚିନ୍ ରବିନ୍ଦ୍ର ନ୍ୟୁଜିଲ୍ୟାଣ୍ଡ ଏ ପାଇଁ ପାଳି ଆରମ୍ଭ କରିଥିଲେ। କିନ୍ତୁ, ୩୨ ରନ୍ ସ୍କୋରରେ ଚାଡକୁ ଉମ୍ରାନ ମଲିକ ଆଉଟ କରିଥିଲେ। ଏହା ପରେ ଡେନ୍ କ୍ଲିଭର ମଧ୍ୟ ଶୀଘ୍ର ପ୍ୟାଭିଲିୟନ ଫେରିଥିଲେ। କିନ୍ତୁ, ରବିନ୍ଦ୍ର ଗୋଟିଏ ମୁଣ୍ଡରେ ଜମି ରହିଥିଲେ ଏବଂ ସେ ତାଙ୍କର ଅର୍ଦ୍ଧ ଶତକ ପୂରଣ କରିଥିଲେ। ତେବେ ୬୧ ରନର ବ୍ୟକ୍ତିଗତ ସ୍କୋରରେ ଋଷି ଧାୱନ ତାଙ୍କୁ ଆଉଟ କରିଥିଲେ।

ଯେତେବେଳେ ରାଚିନ୍ ଆଉଟ୍ ହୋଇଥିଲେ, ନ୍ୟୁଜିଲ୍ୟାଣ୍ଡ-ଏ ୩ ୱିକେଟ୍ ହରାଇ ୧୦୬ ରନ୍ କରିଥିଲା। ଏହା ପରେ ଜୋ କାର୍ଟର ୮୦ ବଲରେ ୭୨ ରନର ଇନିଂସ ଖେଳିଥିଲେ। ସେ ମଧ୍ୟମ ଏବଂ ନିମ୍ନ କ୍ରମରେ କୌଣସି ବ୍ୟାଟ୍ସମ୍ୟାନଙ୍କ ଠାରୁ ସମର୍ଥନ ପାଇନଥିଲେ। ଚାଇନାମ୍ୟାନ ସ୍ପିନର କୁଲଦୀପ ଯାଦବ ହ୍ୟାଟ୍ରିକ୍ ନେଇ ନ୍ୟୁଜିଲ୍ୟାଣ୍ଡ ଏ ବ୍ୟାଟିଂକ୍ରମକୁ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଥିଲେ।

ଅନ୍ତିମ ତିନିଟି ବଲରେ ଲୋଗାନ୍ ୱାନ୍ ବିକ, ଜୋ ୱାକର ଅରେର ଏବଂ ଜ୍ୟାକବ ଡଫିଙ୍କୁ ଆଉଟ କରି କୁଲଦୀପ ନ୍ୟୁଜିଲ୍ୟାଣ୍ଡ ଏ ଇନିଂସର ୪୭ ତମ ଓଭରରେ ନିଜର ହ୍ୟାଟ୍ରିକ୍ ପୂରଣ କରିଥିଲେ। ନ୍ୟୁଜିଲ୍ୟାଣ୍ଡ-ଏ ଦଳ ସମ୍ପୂର୍ଣ୍ଣ ୫୦ ଓଭର ଖେଳି ପାରି ନଥିଲା ଏବଂ ୪୭ ଓଭରରେ ୨୧୯ ରନ୍ କରି ସମସ୍ତ ୱିକେଟ ହରାଇଥିଲା। ୧୦ ଓଭରରେ ୫୧ ରନ୍ ଦେଇ କୁଲଦୀପ ଯାଦବ ୪ ୱିକେଟ୍ ନେଇଥିଲେ। ତାଙ୍କ ବ୍ୟତୀତ ଋଷି ଧାୱନ ମଧ୍ୟ ୨ ଟି ୱିକେଟ୍ ନେଇଥିଲେ।

Categories
ଆଜିର ଖବର ଖେଳ ଜାତୀୟ ଖବର

ସଞ୍ଜୁ ସାମସନଙ୍କୁ ମିଳିଲା ଅଧିନାୟକତ୍ଵ: ନ୍ୟୁଜିଲ୍ୟାଣ୍ଡ-ଏ ବିରୋଧରେ ଖେଳିବ ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ନ୍ୟୁଜିଲ୍ୟାଣ୍ଡ-ଏ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଇଣ୍ଡିଆ-ଏ ଦଳ ଘୋଷଣା କରାଯାଇଛି। ଅଲ୍ ଇଣ୍ଡିଆ ସିନିୟର ଚୟନ କମିଟି ଏଥିପାଇଁ ୧୬ ଜଣିଆ ଦଳ ଚୟନ କରିଛି। ଦଳର ନେତୃତ୍ଵ ସଞ୍ଜୁ ସାମସନଙ୍କୁ ହସ୍ତାନ୍ତର କରାଯାଇଛି। ଏହି ଦଳରେ ଆଇପିଏଲ-୨୦୨୨ ତାରକା ଖେଳାଳି ଉମ୍ରାନ ମଲିକ ଏବଂ ତିଲକ ବର୍ମାଙ୍କୁ ମଧ୍ୟ ସ୍ଥାନ ଦିଆଯାଇଛି। ଅଣ୍ଡର -୧୯ ବିଶ୍ୱକପ ତାରକା ରାଜ ଅଙ୍ଗଦ ବାୱା ମଧ୍ୟ ଦଳରେ ସ୍ଥାନ ପାଇବାରେ ସଫଳ ହୋଇଛନ୍ତି।

ଆଇପିଏଲ ଏବଂ ରଣଜୀ ଟ୍ରଫିରେ ଏକ ଶକ୍ତିଶାଳୀ ଖେଳ ପ୍ରଦର୍ଶନ କରିଥିବା ଶାହବାଜ ଅହମ୍ମଦଙ୍କୁ ମଧ୍ୟ ନ୍ୟୁଜିଲ୍ୟାଣ୍ଡ-ଏ ବିପକ୍ଷ ଦିନିକିଆ ସିରିଜରେ ଦେଖିବାକୁ ମିଳିବ। ଟିମ୍ ଇଣ୍ଡିଆରେ ଖେଳିବାର ଭଲ ଅଭିଜ୍ଞତା ଥିବା ଶାର୍ଦ୍ଦୁଲ ଠାକୁର, ନବଦୀପ ସାଇନି, ରୁତୁରାଜ ଗାଇକ୍ଵାଡ ଏବଂ ପୃଥ୍ବୀ ଶ’ ଭଳି ଖେଳାଳିଙ୍କୁ ମଧ୍ୟ ଭାରତ-ଏରେ ସ୍ଥାନ ଦିଆଯାଇଛି। ସୂଚନା ଅନୁଯାୟୀ, ଚେନ୍ନାଇର ଏମ ଚିଦାମ୍ବରମ୍ ଷ୍ଟାଡିୟମରେ ଭାରତ-ଏ ଏବଂ ନ୍ୟୁଜିଲ୍ୟାଣ୍ଡ ଏ ମଧ୍ୟରେ ଥିବା ତିନୋଟି ମ୍ୟାଚ୍ ଖେଳାଯିବ। ପ୍ରଥମ ମ୍ୟାଚ୍ ସେପ୍ଟେମ୍ବର ୨୨ ତାରିଖ, ଦ୍ୱିତୀୟ ମ୍ୟାଚ୍ ସେପ୍ଟେମ୍ବର ୨୫ ତାରିଖ ଏବଂ ତୃତୀୟ ଦିନିକିଆ ସେପ୍ଟେମ୍ବର ୨୭ ତାରିଖରେ ଖେଳାଯିବ।

ଇଣ୍ଡିଆ-ଏ ସ୍କ୍ବାଡ: ପୃଥ୍ବୀ ଶ, ଅଭିମନ୍ୟୁ ଈଶ୍ବରନ, ରୁତୁରାଜ ଗାଇକ୍ଵାଡ, ରାହୁଲ ତ୍ରିପାଠୀ, ରଜତ ପାଟିଦାର, ସଞ୍ଜୁ ସାମସନ (ଅଧିନାୟକ), କେ.ଏସ୍ ଭରତ (ଡବ୍ଲୁ), କୁଲଦୀପ ଯାଦବ, ଶାହବାଜ ଅହମ୍ମଦ, ରାହୁଲ ଚହର, ତିଲକ ବର୍ମା, କୁଲଦୀପ ସେନ, ଶାର୍ଦ୍ଦୁଲ ଠାକୁର, ଉମ୍ରାନ ମଲିକ, ନବଦୀପ ସାଇନି, ରାଜ ଅଙ୍ଗଜ ବାୱା।

ଉଲ୍ଲେଖଯୋଗ୍ୟ, ଆସନ୍ତା ମାସରୁ ଅଷ୍ଟ୍ରେଲିଆରେ ଆରମ୍ଭ ହେବାକୁ ଥିବା ଟି-୨୦ ବିଶ୍ୱକପ ପାଇଁ ସଞ୍ଜୁ ସାମସନ ଭାରତୀୟ ଦଳରେ ସ୍ଥାନ ପାଇପାରିନଥିଲେ। ତାଙ୍କ ସ୍ଥାନରେ ଋଷଭ ପନ୍ତ ପ୍ରବେଶ କରିଥିଲେ। ଗତ କିଛି ଦିନ ହେବ ଇଣ୍ଡିଆ ମ୍ୟାନେଜମେଣ୍ଟକୁ ଏଥିପାଇଁ କ୍ରମାଗତ ଭାବରେ ଟାର୍ଗେଟ କରାଯାଉଥିଲା। ସୋସିଆଲ ମିଡିଆରେ ପ୍ରଶଂସକମାନେ ସଞ୍ଜୁ ସାମସନଙ୍କୁ ଦଳରୁ ଦୂରେଇ ରଖିଥିବାରୁ ଅସନ୍ତୋଷ ବ୍ୟକ୍ତ କରିଥିଲେ। ବର୍ତ୍ତମାନ ସଞ୍ଜୁ ସାମସନଙ୍କୁ ଭାରତ-ଏର ଅଧିନାୟକ କରିବା ପରେ ଏହି ଅସନ୍ତୋଷ ବହୁ ପରିମାଣରେ ଦୂର ହୋଇପାରେ।