Categories
ଆଜିର ଖବର ରାଜ୍ୟ ଖବର

ଭୋଟ ଗ୍ରହଣ ଦିନ ବନ୍ଦ ରହିବ ମଦ ଦୋକାନ: ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ଅବକାରୀ କମିଶନର

ଭୁବନେଶ୍ବର: ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନ ଲାଗି ଅବକାରୀ କମିଶନର ନୂଆ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଭୋଟ ଗ୍ରହଣ ଦିନ ମଦ ବିକ୍ରି ଉପରେ ରୋକ ଲଗାଯାଇଛି। ଫେବୃୟାରୀ ୧୬, ୧୮, ୨୦, ୨୨ ଓ ୨୪ ତାରିଖରେ ଭୋଟିଂ ଦିନ ମଦ ବିକ୍ରି ହୋଇପାରିବ ନାହିଁ। ଏହା ସହ ଭୋଟ ଗଣତି ଦିନ ମଧ୍ୟ ସମ୍ପୃକ୍ତ ଅଞ୍ଚଳରେ ମଦ ବିକ୍ରି ହୋଇପାରିବ ନାହିଁ। ଫେବୃୟାରୀ ୨୬ ଓ ୨୮ ତାରିଖ ଦିନ ମଧ୍ୟ ମଦ ବିକ୍ରି ଉପରେ ରୋକ ଲଗାଯାଇଛି। ଏହି ସମୟରେ କୌଣସି ମଦ ଦୋକାନ, ହୋଟେଲ, ରେଷ୍ଟୁରାଣ୍ଟ କିମ୍ବା କୌଣସି ସ୍ଥାନରେ ମଦ ବିକ୍ରି ହୋଇପାରିବ ନାହିଁ। ଉଭୟ ଭୋଟିଂ ଓ ଗଣତି ଦିନକୁ ଡ୍ରାଏ ଡେ’ ଘୋଷଣା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଏନେଇ ସବୁ ଜିଲ୍ଲାପାଳଙ୍କୁ ଅବକାରୀ କମିଶନର ଆଶିଷ ସିଂ ନିର୍ଦ୍ଦେଶ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ପଂଚାୟତ ନିର୍ବାଚନରେ ଆଦିବାସୀ ସଂରକ୍ଷଣରେ ସରକାର ଚଞ୍ଚକତା କରିଛନ୍ତି,କଂଗ୍ରେସର ଅଭିଯୋଗ

ଭୁବନେଶ୍ୱର: ରାଜ୍ୟ ସରକାର ଆଗାମୀ ପଂଚାୟତ ନିର୍ବାଚନରେ ଆଦିବାସୀ ମାନଙ୍କ ପାଇଁ ସଂରକ୍ଷଣରେ ଚଂଚକତା କରିଛନ୍ତି। ଏପରିକି ସମ୍ବିଧାନ ଏବଂ ଆଇନ୍‌କୁ ମଧ୍ୟ ଅଣଦେଖା କରିଛନ୍ତି ବୋଲି କଂଗ୍ରେସ ଅଭିଯୋଗ ଆଣିଛି । ରାଜ୍ୟରେ ଆଦିବାସୀମାନଙ୍କ ସଂଖ୍ୟା ମୋଟ ଜନସଂଖ୍ୟାର ୨୨.୫ ଶତାଂଶ ଥିବା ବେଳେ ସେମାନଙ୍କୁ ୨୩ ଟି ଜିଲ୍ଳା ଓ ୧୯୫ଟି ବ୍ଲକରେ ସରପଂଚ ଏବଂ ସମିତି ଅଧ୍ୟକ୍ଷ ପଦରେ ସଂରକ୍ଷଣ ନଦେବା ସରକାରଙ୍କର ଆଦିବାସୀମାନଙ୍କ ପ୍ରତି ବୈମାତୃକ ମନୋଭାବର ପରିଚାୟକ ବୋଲି କଂଗ୍ରେସ କହିଛି।

ଆଦିବାସୀମାନଙ୍କୁ ସଂରକ୍ଷଣ ଦେବା କ୍ଷେତ୍ରରେ ଯେଉଁ ତାଲିକା ବିଭିନ୍ନ ଜିଲ୍ଲାମାନଙ୍କରେ ପ୍ରକାଶ ପାଇଛି ସେଥିରେ ଅସଂଗତି ରହିଛି ଏବଂ ଅନେକ ପଂଚାୟତ ଓ ବ୍ଲକ ଆଦିବାସୀ ଜନସଂଖ୍ୟା ବହୁଳ ଥିବା ବେଳେ ସେମାନଙ୍କୁ ସଂରକ୍ଷଣର ସୁଯୋଗ ଦିଆଯାଇ ନାହିଁ । ଏହାକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଆଦିବାସୀ ମାନଙ୍କର ମେଳି ଓ ଆନ୍ଦୋଳନ ଦେଖାଦେଇଛି ।

କଂଗ୍ରେସ ସେମାନଙ୍କର ଆନ୍ଦୋଳନକୁ ସମର୍ଥନ କରିବା ସହିତ ରାଜ୍ୟ ସରକାର ତୁରନ୍ତ ଆଦିବାସୀ ମାନଙ୍କର ସଂରକ୍ଷଣ କ୍ଷେତ୍ରରେ ସଂଶୋଧିତ ତାଲିକା ପ୍ରକାଶ କରି ନିର୍ବାଚନକୁ ଯାଆନ୍ତୁ ବୋଲି କଂଗ୍ରେସ ଦାବି କରିଛି । ତାହା ନହେଲେ ଆଦିବାସୀ ମାନେ ସେମାନଙ୍କର ସାମ୍ବିଧାନିକ ଓ ଆଇନଗତ ଅଧିକାର ପାଇଁ ରାଜରାସ୍ତାକୁ ଓହ୍ଲାଇବ ବୋଲି ଆଜିର ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ ଓ ପିସିସି ଆଦିବାସୀ ସେଲର ଅଧ୍ୟକ୍ଷ ଭୁଜବଳ ମାଝୀ ଚେତାବନୀ ଦେଇଛନ୍ତି ।

Categories
ବିଶେଷ ଖବର

କଳାହାଣ୍ଡି ରାଜନୀତିରେ ଛକାପଞ୍ଝା: ବିଜେଡିର କଳେବର ବୃଦ୍ଧି, ବିଜେପି ସ୍ଥାଣୁ, ସ୍ଥିତି ଖୋଜୁଛି କଂଗ୍ରେସ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ଦିନକୁ ଦିନ ରାଜନୀତି ବେଶ ସରଗରମ ହେବାରେ ଲାଗିଛି। ଯଦିଓ ସରକାରୀ ସ୍ତରରେ ପଂଚାୟତ ନିର୍ବାଚନ ସଂପର୍କୀୟ ବିଧିବଦ୍ଧ ନୋଟିଫିକେସନ ହୋଇନାହିଁ, ତଥାପି ସମଗ୍ର ଜିଲ୍ଲାରେ ତିନି ପ୍ରମୂଖ ରାଜନୈତିକ ଦଳ ଗୁଡିକ କ୍ରମଶଃ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଜନସାଧାରଣଙ୍କ ନିକଟତର ହେବାକୁ ଲାଗିପଡିଛନ୍ତି। ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନକୁ ଆଗାମୀ ସାଧାରଣ ନିର୍ବାଚନର ସେମିଫାଇନାଲ ବୋଲି ବିବେଚନା କରାଯାଉଥିବା ବେଳେ ଗତ ୨୦୧୭ ପଂଚାୟତ ନିର୍ବାଚନରେ ବିଜେଡି ମାତ୍ର ଗୋଟିଏ ଜିଲ୍ଲାପରିଷଦ ଆସନ ହାସଲ କରିବାରେ ସକ୍ଷମ ହୋଇପାରିଥିଲା। ସେଭଳି ପରିସ୍ଥିତି ଯେପରି ଆଗାମୀ ପଂଚାୟତ ନିର୍ବାଚନରେ ଦଳକୁ ଭୋଗିବାକୁ ନପଡେ ସେଥିପାଇଁ ବିଜେଡି ପକ୍ଷରୁ କଡା ପଦକ୍ଷେପ ଗ୍ରହଣ କରାଯାଉଥିବା ଦେଖାଯାଉଛି।

ଅନ୍ୟ ପକ୍ଷରେ ନିକଟ ଅତୀତରେ ବହୁଚର୍ଚ୍ଚିତ ମହାଲିଙ୍ଗ ଘଟଣା ହେଉ କିମ୍ବା ପାରମ୍ପରିକ ଅଭାବୀ ଧାନ ବିକ୍ରୀ ହେଉ କିମ୍ବା ବିଭିନ୍ନ ଯୋଜନାରେ ଦୁର୍ନୀତି ହେଉ ସେସବୁକୁ ମାତ ଦେବା ଲାଗି ଶାସକ ବିଜେଡି ପକ୍ଷରୁ ଯୋରସୋର ଉଦ୍ୟମ ଜାରି ରହିଥିବା ଦେଖା ଯାଉଛି। ମୂଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବିଜେଡି ସଂଗଠନ ସଂପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଓ ସ୍ୱାସ୍ଥ୍ର୍ୟ ମନ୍ତ୍ରୀ ନବ ଦାଶଙ୍କ ବାରମ୍ବାର କଳାହାଣ୍ଡି ଗସ୍ତକରି କର୍ମୀମାନଙ୍କୁ ଉତ୍ସାହିତ କରିବା ଦେଖାଯାଉଛି।

ବିଜେଡି ଜିଲ୍ଲା ସଭାପତି ପୁଷ୍ପେନ୍ଦୁ ସିଂଦେଓଙ୍କ ଓ କାର୍ଯ୍ୟକାରୀ ସଭାପତି ଗୃହରାଷ୍ଟ୍ର ମନ୍ତ୍ରୀ ତଥା ଜୁନାଗଡ ବିଧାୟକ ଦିବ୍ୟ ଶଙ୍କର ମିଶ୍ର ତଥା ସମସ୍ତ ବିଧାୟକ ଏବଂ ଦଳୀୟ କାର୍ଯ୍ୟକର୍ତ୍ତା ଏବଂ ବିଭିନ୍ନ ଛାମୁଆ ସଂଗଠନର କାର୍ଯ୍ୟକର୍ତ୍ତାମାନେ ସମସ୍ତ ଗ୍ରାମପଂଚାୟତ ସ୍ତରରେ ଦଳୀୟ ସଂଗଠନକୁ ମଜବୁତ କରିବା ସହିତ ଲୋକ ମାନଙ୍କ ନିକଟତର ହେବା ସହିତ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମର ସଫଳ ରୂପାୟନ ସଂପର୍କରେ ଲୋକଙ୍କୁ ଅବଗତ କରାଉଥିବା ଦେଖାଯାଉଛି। ସେହିପରି ସରକାରୀ ସ୍ତରରେ ବିଭିନ୍ନ ଯୋଜନା ମାଧ୍ୟମରେ ଲୋକଙ୍କୁ ବିଭିନ୍ନ ପ୍ରୋତ୍ସାହନ ଯୋଗାଇ ଦିଆଯାଇ ସେସବୁ ବିଜେଡି ସରକାର ହିଁ ଦେଉଥିବା ପ୍ରଚାର ହେଉଥିବା ଜଣାପଡିଛି।

ସେହିପରି ବିରୋଧି ବିଜେପି ଦଳର ଛାମୁଆ ନେତା ଓ କର୍ମୀ ଏବଂ କଂଗ୍ରେସ ଦଳର ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ, ଗୋବର୍ଦ୍ଧନ ଦାଶ ଏବଂ ପ୍ରାର୍ôଥ ଚିତରଂଜନ ମଣ୍ଡଳ ସମେତ ବିଭିନ୍ନ ଅଂଚଳରୁ ଅନେକ କର୍ମୀଙ୍କୁ ବିଜେଡିରେ ସାମିଲ କରାଯାଇଛି। ଏପରିକି ମୂଖ୍ୟ ପ୍ରତିଦ୍ୱନ୍ଦୀ ଭାବେ ବିବେଚନା କରାଯାଉଥିବା ବିଜେପି ତଥା କଂଗ୍ରେସର ବହୁ ନେତାଙ୍କୁ ଆଗାମୀ ଦିନରେ ବିଜେଡିରେ ସାମିଲ କରାଯିବାର ଯୋଜନା କରାଯାଉଥିବା ମଧ୍ୟ ଚର୍ଚ୍ଚା ହେଉଛି। ହେଲେ ବିଗତ ଦିନରେ କଂଗ୍ରେସ ଦଳର ସ୍ଥିତି ବିଜେଡି ପକ୍ଷରେ ହୋଇପାରେ ବୋଲି ରାଜନୈତିକ ବିଶେଷଜ୍ଞ ମାନେ ଆଶଙ୍କା ପ୍ରକାଶ କରିଛନ୍ତି।

ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ସଫଳ ରୂପାୟନକୁ ଲୋକଲୋଚନ ସାମନାରେ ପ୍ରତିପାଦନ କରିବାରେ ଜିଲ୍ଲା ବିଜେପି ବିଫଳ ହୋଇଥିବା ଦେଖାଯାଉଛି। ଏପରିକି ପୁରୁଖା କର୍ମୀ ମାନଙ୍କୁ ଉଚିତ ମାନ୍ୟତା ଦିଆଯାଉନଥିବା ଏବଂ ସଂଗଠନ ପ୍ରତି ଗୁରୁତ୍ୱ ଦେଉନଥିବା ଅଭିଯୋଗ କରି ଅନେକ ବିଜେପି ନେତା ଓ କର୍ମୀ ଦଳ ଛାଡିଥିବା ବେଳେ ଆଉ କେତେକ ଦଳ ଛାଡିବାକୁ ଗୋଡଟେକି ବସିଥିବା ଜଣାପଡିଛି। ଏ

ପରିକି ବହୁ ବିଜେପି ପ୍ରେମୀଙ୍କୁ ଦଳୀୟ କାର୍ଯ୍ୟକ୍ରମରେ ସାମିଲ କରାଯାଉନଥିବା କିମ୍ବା ବହୁ ପୁରୁଖା ନେତା ଓ ବୁଦ୍ଧିଜୀବିଙ୍କୁ ଅଣଦେଖା କରାଯାଉଥିବା ହେତୁ ଅନେକେ ଚୁପ ରହୁଥିବା ଦେଖାଯାଉଛି। ଜିଲ୍ଲାର ଏକମାତ୍ର ନିର୍ବାଚିତ ପ୍ରତିନିଧି ଭାବେ କଳାହାଣ୍ଡି ଏମପି ବସନ୍ତ କୁମାର ପଣ୍ଡା କେବଳ ନୂଆପଡା ନିର୍ବାଚନ ମଣ୍ଡଳୀ ପ୍ରତି ଅଧିକ ଫୋକସ କରୁଥିବା କର୍ମୀ ମହଲରେ ଅଲୋଚନା ହେଉଛି। ସତେ ଯେପରି ନିଜର ରାଜନୈତିକ ସ୍ଥିତି ବଜାୟ ରଖିିବାକୁ ହିଁ ବିଗତ ପଂଚାୟତ ନିର୍ବାଚନ ସମୟରୁ କଳାହାଣ୍ଡି ଲୋକସଭା ଆସନ ଉପରେ ନଜର ରଖି ରାଜ୍ୟ ସଭାପତି ଭଳି କ୍ଷମତା ପ୍ରୟୋଗ କରି ଲୋକସଭା ଟିକଟ ହାତେଇଥିବା ଏବଂ କେବଳ ନିଜ ନିର୍ବାଚନ ପ୍ରତି ହିଁ ଧ୍ୟାନ ଦେଇ କୌଣସି ବିଧାୟକଙ୍କ ଜିତାଇ ପାରିନଥିବା ଦୁର୍ବଳ ନେତୃତ୍ୱ ର ସୂଚନା ମିଳୁଥିବା କର୍ମୀ ମହଲରେ ଆଲୋଚନା ହେଉଛି।

ଏହାଛଡା କର୍ମୀ କିମ୍ବା ବିଜେପି ଶୁଭେଚ୍ଛୁ ମାନଙ୍କୁ ସାଂସଦ ଶ୍ରୀ ପଣ୍ଡା ଖୋଲାଖୋଲି ଭାବେ ଗାଳିଗୁଲଜ କରୁଥିବା କୁହାଯାଉଛି। ଅନେକ ପୁରୁଖା ଓ ଉତ୍ସର୍ଗୀକୃତ ନେତାଙ୍କୁ ଅବହେଳା କରି ନିଜ ମନପସନ୍ଦର ଦେବେନ୍ଦ୍ର ମହାନ୍ତିଙ୍କୁ ଜିଲ୍ଲା ସଭାପତି ଚୟନ କରାଇବା, କେବଳ ନିଜ ସଂପର୍କୀୟ ମାନଙ୍କୁ ହିଁ ଗୁରୁତ୍ୱ ଦେଇ କର୍ମୀ ମାନଙ୍କୁ ତଥା ସଂଗଠନକୁ ଅବହେଳା କରିବା, କେବଳ ନୂଆପଡା ବିଧାନସଭା କ୍ଷେତ୍ରରେ ନିଜକୁ ସୀମିତ ରଖିବା, ନୂଆପଡାରେ ନିଜ ପାରମ୍ପରିକ ପ୍ରତିଦ୍ୱନ୍ଦୀ ବିଜେଡି ବିଧାୟକଙ୍କୁ ଟକ୍କର ଦେଇ ନିଜ ଉତ୍ତରାଧିକାରୀଙ୍କ ପାଇଁ ରାସ୍ତା ସଫା କରିବା ଯୋଜନା କରିବା ଭଳି ସାଂସଦଙ୍କ ବିରୁଦ୍ଧରେ ଅନେକ ଅଭିଯୋଗ ହେଉଛି। ଏହାସହ ସାଂସଦଙ୍କ ବିଜେଡି ପ୍ରିତି ବୋଲି ମଧ୍ୟ କେହି କେହି କୁହାକୁହି ହେଉଥିବା ଶୁଣାଯାଉଛି।

ବିରୋଧିଦଳ ନେତା ସଦର ବିଧାୟକ ପ୍ରଦୀପ ନାଏକଙ୍କ ସ୍ୱାସ୍ଥ୍ୟଗତ କାରଣରୁ ଦଳୀୟ ନେତୃତ୍ୱ ନେବାରେ ଅକ୍ଷମ ହୋଇପଡିଥିବା ହେତୁ ଏବଂ ସାଂସଦଙ୍କ ଦୁର୍ବଳ ନେତୃତ୍ୱ ଯୋଗୁଁ ବିଜେପି ଜିଲ୍ଲାରେ କ୍ରମଶଃ ଦୁର୍ବଳ ହେବାକୁ ଲାଗିଥିବା ରାଜନୈତିକ ବିଶେଷଜ୍ଞ ମାନଙ୍କ ମହଲରେ ଆଲୋଚନା ହେଉଛି। ଆଗାମୀ ଦିନରେ ନିଜ ସ୍ଥିତି ପାଇଁ ବିଜେଡି ମୁହାଁ ହୋଇପାରନ୍ତି ବୋଲି ନିକଟତମ ମହଲରେ ଆଲୋଚନା ହେଉଛି।

ସେହିପରି ଜିଲ୍ଲାରେ ଏକପ୍ରକାର ସୁପ୍ତ ଥିବା କଂଗ୍ରେସ ଦଳ ମହାଲିଙ୍ଗ ଇସ୍ୟୁ ପରେ ହଠାତ ଚେଇଁ ଉଠିଥିବା ଭଳି ଦେଖାଯାଉଛି। କେବଳ ନାମକୁ ମାତ୍ର କିଛି କାର୍ଯ୍ୟକର୍ତ୍ତାରେ ସୀମିତ ଥିବା କଂଗ୍ରେସ ଦଳ ଅନେକ ପୁରୁଖା ନେତା ତଥା ପୂର୍ବତନ ବିଧାୟକ ମାନେ ଦଳ ଛାଡିଥିଲେ ହେଁ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ଜିଲ୍ଲାରେ ପୂର୍ବ ସ୍ଥିତି ଫେରାଇ ଆଣିବାକୁ ଉଦ୍ୟମ ଜାରି ରଖିଛି।

ଦୀର୍ଘ ଦିନ ହେବ ଜିଲ୍ଲା କଂଗ୍ରେସରେ ଆଉ ପୁରୁଖା ନେତା ଦେଖାଯାଉନଥିବା ବେଳେ ଅନେକେ ଦଳ ଛାଡିଥିବା ବେଳେ ଯେଉଁମାନେ ଅଛନ୍ତି ପ୍ରାୟତଃ ଆଉ ମୂଖ୍ୟ ସ୍ରୋତରେ ନଥିବା ଭଲି ଜଣାପଡୁଛି। ଭକ୍ତ ଦାସ ଯୋଗ ଦେବାପରେ କଂଗ୍ରେସ ଦଳ ଏକପ୍ରକାର ଭକ୍ତଦାସଙ୍କ ନେତୃତ୍ୱ ଅଧିନକୁ ଆସିଯାଇଥିବା ବେଳେ ବର୍ତମାନ ଜିଲ୍ଲାରେ ସ୍ଥିତି ଯୋଗାଡ କରିବାରେ ଲାଗିପଡିଥିବା ରାଜନୈତିକ ବିଶେଷଜ୍ଞ ମାନଙ୍କ ମହଲରେ ମତ ପ୍ରକାଶ ପାଇବାରେ ଲାଗିଛି।

ଇତିମଧ୍ୟରେ ସମଗ୍ର ଜିଲ୍ଲାରେ କଂଗ୍ରେସ ପକ୍ଷରୁ ସଭାସମିତି ଆୟୋଜନ କରି କର୍ମୀ ମାନଙ୍କୁ ଉତ୍ସାହିତ କରାଯାଉଥିବା ବେଳେ କେନ୍ଦ୍ରୀୟ ଚର୍ଚ୍ଚିତ ଚେହେରା ମାନଙ୍କୁ ଅଣାଯାଇ ଲୋକମାନସରେ ପୁନଃ ଆସ୍ଥାନ ଜମାଇବା ଲାଗି ଉଦ୍ୟମ କରୁଥିବା ଦେଖାଯାଉଛି।

Categories
ଆଜିର ଖବର ଆଞ୍ଚଳିକ ବିଶେଷ ଖବର ରାଜ୍ୟ ଖବର

ପାଖେଇ ଆସିଲା ପଂଚାୟତ ନିର୍ବାଚନ, ସବୁ ଦଳ ଫୋକସରେ ଚିତ୍ରକୋଣ୍ଡା

ମାଲକାନଗିରି: ପଂଚାୟତ ନିର୍ବାଚନ ପାଖେଇ ଆସିଲାଣି। ବିଭିନ୍ନ ରାଜନୈତିକ ଦଳଗୁଡିକ ଏବେ ଗଡ ସଜାଡିବା ଆରମ୍ଭ କଲେଣି। କିନ୍ତୁ ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ବ୍ଲକରେ୨ ୦୧ ୭ ମସିହା ରେ ପଂଚାୟତ ନିର୍ବାଚନ ହୋଇପାରିଲା ନାହିଁ। ମାଓବାଦୀଙ୍କ ଆଗରେ ସରକାର ଏକ ପ୍ରକାର ହାର ମାନିଲା କହିଲେ ଅତ୍ୟୁକ୍ତି ହେବ ନାହିଁ। ମାଓବାଦୀ ଚିତ୍ରକୋଣ୍ଡା ବ୍ଲକର ୧୮ଟି ପଂଚାୟତରେ ନିର୍ବାଚନ କରାଇଦେବେ ନାହିଁ ବୋଲି ଧମକ ଦେବା ପରେ ଲୋକେ ଏବଂ ପ୍ରଶାସନ ଏଠାରେ ନିର୍ବାଚନ କରିବା ପାଇଁ ସାହସ ଜୁଟାଇ ପାରିଲା ନାହିଁ। ଭୋଟ ଦେଲେ ଲୋକଙ୍କ ଅଙ୍ଗୁଳି କଟାଯିବ ବୋଲି ମାଓବାଦୀ ଧମକ ଦେବା ପରେ ଲୋକେ ନିଜ ଘରୁ ପଦାକୁ ବାହାରିଲେ ନାହିଁ।

ସେହିପରି ଜିଲ୍ଲା ପ୍ରଶାସନ ତରଫରୁ ଯଦି କେହି ଚିତ୍ରକୋଣ୍ଡା ବ୍ଲକରେ ନିର୍ବାଚନ ସଂପର୍କିତ କିଛି ବା କାର୍ଯ୍ୟ କରନ୍ତି ତେବେ ମୃତ୍ୟୁ ଦଣ୍ଡ ମିଳିବ ବୋଲି ଚେତାବନୀ ଦେବା ପରେ ସରକାରୀ ବାବୁମାନେ ଜୀବନ ବିକଳରେ ଦାୟିତ୍ୱରୁ ନିବୃତ ରହିଲେ। ନିଜ ନିଜର ଜରୁରୀ କାମ ଦର୍ଶାଇ ନିର୍ବାଚନରୁ ଓହରି ଗଲେ। ନିର୍ବାଚନ ସରି ଚାରି ବର୍ଷ ପୁରିଲାଣି, କିନ୍ତୁ ସରକାର ଚିତ୍ରକୋଣ୍ଡାରେ ପଂଚାୟତ ନିର୍ବାଚନ କରାଇପାରିଲେ ନାହିଁ। ୨୦୧୧ ଜନଗଣନା ଅନୁଯାୟୀ ଚିତ୍ରକୋଣ୍ଡା ବ୍ଲକରେ ମୋଟ ଜନସଂଖ୍ୟା ହେଉଛି ୩୩,୫୭୯। କିନ୍ତୁ ଏବେ ଏହା ବୃଦ୍ଧି ପାଇ ୫୦ ହଜାର ଡେଇଁବଣି ବୋଲି କୁହାଯାଇଛି। ଏଠାରେ ୪୨ ପ୍ରତିଶତ ଲୋକେ ସାକ୍ଷର ଅଟନ୍ତି। ସେହିପରି ଅଶୀ ପ୍ରତିଶତ ଲୋକେ ଅନୁସୂଚିତ ଜାତି ଓ ଜନଜାତିର ଅଟନ୍ତି।

ପଂଚାୟତ ନିର୍ବାଚନ ବିଗୁଲ ବାଜିବା ପୂର୍ବରୁ ବିଭିନ୍ନ ରାଜନୈତିକ ଦଳଗୁଡିକ ବୁଥସ୍ତରରୁ ନିଜର କର୍ମୀଙ୍କୁ ସଜବାଜ କଲେଣି। ଜିଲ୍ଲାରେ ଗତ ନିର୍ବାଚନରେ ବିଜେଡି ଧରାଶାୟୀ ହୋଇଥିଲା। ବିଜେପି ୧୦ଟି ଜିଲ୍ଲା ପରିଷଦ ଆସନ ଅକ୍ତିଆର କରି ଶାସନ ଚଳାଇଛି। କଂଗ୍ରେସର ଅବସ୍ଥା ମଧ୍ୟ ବିଜେଡି ଭଳି ହୋଇଯାଇଥିଲ। ତେବେ ଆଗାମୀ ପଂଚାୟତ ନିର୍ବାଚନରେ କିନ୍ତୁ ତିନି ପ୍ରମୁଖ ଦଳ ବିଭିନ୍ନ ରଣନୀତି ନେଇ ମଇଦାନକୁ ଓହ୍ଲାଉଥିବା ଜଣାପଡିଛି।

ନବୀନ ସରକାରଙ୍କ ସମସ୍ତ ବିକାଶ ମୂଳକ କାର୍ଯ୍ୟକୁ ନେଇ ଲୋକଙ୍କ ପାଖରେ ପହଂଚିବ ବୋଲି ଜଣାପଡିଛି। ସେହିପରି ବିଜେପି କେନ୍ଦ୍ର ସରକାରଙ୍କର ଉନ୍ନତିମୂଳକ ଯୋଜନା ନେଇ ଲୋକଙ୍କ ପାଖେ ପହଂଚିବ। ତେବେ କଂଗ୍ରେସ କିନ୍ତୁ ଏହି ଦୁଇ ଦଳର ଦୁର୍ନୀତିର ମୁଖା ଖୋଲିବା ସହ କଂଗ୍ରେସ ହିଁ ବିକାଶ ପଥର ଏକ ମାତ୍ର ରାଜନୈତିକ ଦଳ କହି ଲୋକଙ୍କ ପାଖରେ ପହଂଚିବ ବୋଲି ଜଣାପଡିଛି।

ତେବେ ଲୋକେ କାହାକୁ ନିଜର କରିବେ ତାହା ସମୟ କହିବ। ଚିତ୍ରକୋଣ୍ଡା ବ୍ଲକରେ ମୁରବୀ ବିହିନ ଶାସନ ଚାଲିଛି। ଝବଜ୍ଞଭବୟ ଲୋକେ ନିଜର ଲୋକ ପ୍ରତିନିଧି ବାଛିନପାରି ନିଜର କୌଣସି ସମସ୍ୟା ସରକାରଙ୍କ ନିକଟରେ ଉପସ୍ଥାପନା କରି ପାରୁନାହାଁନ୍ତି । ଯାହାଫଳରେ ଭଗବାନଙ୍କ ଭରସାରେ ପଡି ରହିଛନ୍ତି। ସରକାରୀ ବାବୁମାନଙ୍କ ମନମୁତାବକ କାର୍ଯ୍ୟରେ ଲୋକେ ଅତିଷ୍ଠ ହୋଇ ସାରିଲେଣି। ଚିତ୍ରକୋଣ୍ଡା ବ୍ଲକ ଦୁର୍ନୀତିର ଗନ୍ତାଘର ପାଲଟି ଗଲାଣି। ଯାହାକୁ ନେଇ କଂଗ୍ରେସ ହୋହାଲ୍ଲା କରୁଛି।

କିଛି ଦିନ ତଳେ ଚିତ୍ରକୋଣ୍ଡା ବିଡିଓ ଏବଂ ଜଣେ କନିଷ୍ଠ ଯନ୍ତ୍ରୀ ନିଳମ୍ବିତ ଏହାର ଜ୍ୱଳନ୍ତ ଉଦାହରଣ। ଚିତ୍ରକୋଣ୍ଡାର ସ୍ୱାଭିମାନ ଅଂଚଳରେ ରହିଥିବା ୯ଟି ପଂଚାୟତକୁ ମାଓବାଦୀ ସଂପୂର୍ଣ୍ଣ ନିଜ ଅକ୍ତିଆରରେ ରଖିଛନ୍ତି। ଏବେ ଧିରେ ଧିରେ ସୁରକ୍ଷା କର୍ମୀ ଭିତରେ ପଶି ଅର୍ଦ୍ଧଧିକ ଅଂଚଳ ନିଜର ଅକ୍ତିଆରକୁ ଆଣିଥିବା ବେଳେ ଲୋକେ ରାତିରେ ଶାନ୍ତିରେ ଶୋଇ ପାରୁଛନ୍ତି। ସ୍ୱାଭିମାନଅଂଚଳ ରେ ଲୋକେ ଭୟ ଓ ଆତଙ୍କରେ ଜୀବନ କାଟୁଥିଲେ। ସୁରକ୍ଷା କର୍ମୀଙ୍କ ସାହସରେ ଲୋକେ ନିଜେ ଧନୁତୀର ଧରିଲେଣି।

ତେବେ ହୁଏତ ଆସନ୍ତା ପଂଚାୟତ ନିର୍ବାଚନ ଏଠାରେ ଶାନ୍ତିଶୃଙ୍ଖଳାର ସହ ହୋଇପାରେ ବୋଲି ଆଶା କରାଯାଏ। ଲୋକ ପ୍ରତିନିଧି ନଥିବାରୁ ଲୋକେ ବାରମ୍ବାର ମାଲକାନଗିରି ଆସି ଜିଲ୍ଲପାଳଙ୍କୁ ଗୁହାରି କରି କରି ଥକିଲେଣି। ସରକାର କିନ୍ତୁ ପଂଚାୟତ ନିର୍ବାଚନ ପୂର୍ବରୁ ଏଠାରେ ବିକାଶର ପାହାଡ ଛିଡା କରି ଦେଇଛନ୍ତି। କୋଟି କୋଟି ଟଙ୍କା ଦେବା ସହ ପାନୀୟ ଜଳ, ରାସ୍ତା, ସ୍ୱାସ୍ଥ୍ୟ, ଶିକ୍ଷା ଭଳି ମୌଳିକ ସୁବିଧା ପହଂଚାଇବା ପାଇଁ ଜୋରସୋରରେ ଉଦ୍ୟମ ଜାରି ରଖିଛନ୍ତି।

ସବୁ ରାଜନୈତିକ ଦଳ ଚିତ୍ରକୋଣ୍ଡାକୁ ଫୋକସ କରୁଥିବା ଦେଖିବାକୁ ମିଳିଛି। ଗୁରୁପ୍ରିୟା ସେତୁ ନିର୍ମାଣ ହେବା ପରେ ସ୍ୱାଭିମାନ ଅଂଚଳର ଲୋକେ ପିଚୁ ରାସ୍ତାରେ ଚାଲିପାରୁଛନ୍ତି। ଏହି ଅଂଚଳକୁ ଡିଜିଟାଲ ମୁହାଁ କରାଯାଇଛି। ସ୍ୱାଭିମାନ ଅଂଚଳର ୬ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କୁ ମୋବାଇଲ ପ୍ରଦାନ ସହ ନେଟୱର୍କ ସେବା ଯୋଗାଇ ଦିଆଯାଇଛି।

ତେବେ ଆଗାମୀ ପଂଚାୟତ ନିର୍ବାଚନକୁ ସରକାର କରାଇବାରେ ସଫଳ ହେଉଛନ୍ତି କି ନାହିଁ ଦେଖିବାକୁ ବାକି ରହିଲା।