ପଂଚାୟତ ନିର୍ବାଚନରେ ଆଦିବାସୀ ସଂରକ୍ଷଣରେ ସରକାର ଚଞ୍ଚକତା କରିଛନ୍ତି,କଂଗ୍ରେସର ଅଭିଯୋଗ

Published: Jan 11, 2022, 2:40 am IST

ଭୁବନେଶ୍ୱର: ରାଜ୍ୟ ସରକାର ଆଗାମୀ ପଂଚାୟତ ନିର୍ବାଚନରେ ଆଦିବାସୀ ମାନଙ୍କ ପାଇଁ ସଂରକ୍ଷଣରେ ଚଂଚକତା କରିଛନ୍ତି। ଏପରିକି ସମ୍ବିଧାନ ଏବଂ ଆଇନ୍‌କୁ ମଧ୍ୟ ଅଣଦେଖା କରିଛନ୍ତି ବୋଲି କଂଗ୍ରେସ ଅଭିଯୋଗ ଆଣିଛି । ରାଜ୍ୟରେ ଆଦିବାସୀମାନଙ୍କ ସଂଖ୍ୟା ମୋଟ ଜନସଂଖ୍ୟାର ୨୨.୫ ଶତାଂଶ ଥିବା ବେଳେ ସେମାନଙ୍କୁ ୨୩ ଟି ଜିଲ୍ଳା ଓ ୧୯୫ଟି ବ୍ଲକରେ ସରପଂଚ ଏବଂ ସମିତି ଅଧ୍ୟକ୍ଷ ପଦରେ ସଂରକ୍ଷଣ ନଦେବା ସରକାରଙ୍କର ଆଦିବାସୀମାନଙ୍କ ପ୍ରତି ବୈମାତୃକ ମନୋଭାବର ପରିଚାୟକ ବୋଲି କଂଗ୍ରେସ କହିଛି।

ଆଦିବାସୀମାନଙ୍କୁ ସଂରକ୍ଷଣ ଦେବା କ୍ଷେତ୍ରରେ ଯେଉଁ ତାଲିକା ବିଭିନ୍ନ ଜିଲ୍ଲାମାନଙ୍କରେ ପ୍ରକାଶ ପାଇଛି ସେଥିରେ ଅସଂଗତି ରହିଛି ଏବଂ ଅନେକ ପଂଚାୟତ ଓ ବ୍ଲକ ଆଦିବାସୀ ଜନସଂଖ୍ୟା ବହୁଳ ଥିବା ବେଳେ ସେମାନଙ୍କୁ ସଂରକ୍ଷଣର ସୁଯୋଗ ଦିଆଯାଇ ନାହିଁ । ଏହାକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଆଦିବାସୀ ମାନଙ୍କର ମେଳି ଓ ଆନ୍ଦୋଳନ ଦେଖାଦେଇଛି ।

କଂଗ୍ରେସ ସେମାନଙ୍କର ଆନ୍ଦୋଳନକୁ ସମର୍ଥନ କରିବା ସହିତ ରାଜ୍ୟ ସରକାର ତୁରନ୍ତ ଆଦିବାସୀ ମାନଙ୍କର ସଂରକ୍ଷଣ କ୍ଷେତ୍ରରେ ସଂଶୋଧିତ ତାଲିକା ପ୍ରକାଶ କରି ନିର୍ବାଚନକୁ ଯାଆନ୍ତୁ ବୋଲି କଂଗ୍ରେସ ଦାବି କରିଛି । ତାହା ନହେଲେ ଆଦିବାସୀ ମାନେ ସେମାନଙ୍କର ସାମ୍ବିଧାନିକ ଓ ଆଇନଗତ ଅଧିକାର ପାଇଁ ରାଜରାସ୍ତାକୁ ଓହ୍ଲାଇବ ବୋଲି ଆଜିର ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ ଓ ପିସିସି ଆଦିବାସୀ ସେଲର ଅଧ୍ୟକ୍ଷ ଭୁଜବଳ ମାଝୀ ଚେତାବନୀ ଦେଇଛନ୍ତି ।

Related posts