Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନକଲି ଡାକ୍ତରଙ୍କ ଖୋଲୁଛି ଗୁମର: ୧୪ ନୁହେଁ ୧୭ ମହିଳାଙ୍କୁ କରିଥିଲେ ବିବାହ, ବଢିପାରେ ପତ୍ନୀଙ୍କ ସଂଖ୍ୟା

ଭୁବନେଶ୍ଵର: ଧୀରେ ଧୀରେ ନକଲି ଡାକ୍ତରଙ୍କ ଗୁମର ଖୋଲିବାରେ ଲାଗିଛି। ନକଲି ଡାକ୍ତର ରମେଶ ସ୍ଵାଇଁଙ୍କ କଳା କାରନାମା ଏବେ ବାହାରକୁ ଆସୁଛି। ୧୪ ଜଣ ମହିଳାଙ୍କୁ ପ୍ରଲୋଭନ ଦେଖାଇ ବିବାହ କରିଥିବାର ଅଭିଯୋଗ ପରେ ଏବେ ଆଉ ୩ ଜଣ ମହିଳାଙ୍କୁ ମଧ୍ୟ ବିବାହ କରିଥିବା ଜଣାପଡିଛି। ଆଜି ଛତିଶଗଡ, ଆସାମ ଏବଂ ଓଡିଶାର ୩ ଜଣ ପତ୍ନୀଙ୍କର ସନ୍ଧାନ ମିଳିଛି।

ଗୌହାଟିର ଜଣେ ମହିଳା ଡାକ୍ତରଙ୍କୁ ସେ ବିବାହ କରିଥିବା ବେଳେ ଛତିଶଗଡର ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ ଏବଂ ଓଡିଶାର ଜଣେ ଉଚ୍ଚ ଶିକ୍ଷିତା ମହିଳାଙ୍କୁ ବିବାହ କରିଥିବା ଅଭିଯୋଗ ହୋଇଛି।  ଏହି ୩ ଜଣଙ୍କୁ ମିଶାଇ ମୋଟ ୧୭ ମହିଳାଙ୍କୁ ନକଲି ଡାକ୍ତର ବିବାହ କରିଥିବା ଅଭିଯୋଗ ହୋଇଛି। ପତ୍ନୀଙ୍କ ସଂଖ୍ୟା ଆହୁରି ବଢିବ ବୋଲି ଅନୁମାନ କରାଯାଉଛି। ଏନେଇ ଆହୁରି ଖୋଳତାଡ କରୁଛି ପୋଲିସ। ଅଧିକ ତଦନ୍ତ ପାଇଁ ଏକ ସ୍ଵତନ୍ତ୍ର ଟିମ ଗଠନ କରାଯାଇଛି। ଏହି ସ୍ଵତନ୍ତ୍ର ଟିମରେ ମହିଳା ଥାନା ଆଇଆଇସି ଏବଂ ଦୁଇଜଣ ସବ ଇନ୍ସପେକ୍ଟରଙ୍କୁ ନେଇ ଟିମ ଗଠନ ହୋଇଛି।

ତେବେ ନକଲି ଡାକ୍ତରଙ୍କୁ ରିମାଣ୍ଡରେ ଆଣିବ ଏହି ସ୍ଵତନ୍ତ୍ର ଟିମ ଏବଂ ତାହାଠାରୁ ଅଧିକ ତଥ୍ୟ ସଂଗ୍ରହ କରିବ। କେବଳ ସ୍ତ୍ରୀଙ୍କୁ ନୁହେଁ ଚାକିରି ନାମରେ ଅନେକ ଲୋକଙ୍କୁ ରମେଶ ମହାନ୍ତି ଠକିଥିବା ସୂଚନା ରହିଛି। ଏମବିବିଏସ ଆଡମିଶନ ନାଁରେ ଜଣଙ୍କ ଠାରୁ ୧୮ ଲକ୍ଷ ଟଙ୍କା ଠକିଥିବା ଜଣାପଡିଛି। ଏନେଇ ଭୁବନେଶ୍ଵର ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି।