Categories
ଆଜିର ଖବର ରାଜ୍ୟ ଖବର

ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସଚେତନତା କାର୍ଯ୍ୟକ୍ରମ ସହ ପଥପ୍ରାନ୍ତ ନାଟକ ପ୍ରଦର୍ଶିତ

ରଣପୁର: ନୟାଗଡ ଜିଲ୍ଲା ରଣପୁର ବ୍ଲକରେ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ତରଫରୁ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମ ଦୁଇ ଦିନ ଧରି ଚାଲିଥିଲା। ପ୍ରଥମ ଦିବସରେ ବିଭିନ୍ନ ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ଓ ପ୍ରଧାନ ଶିକ୍ଷକମାନଙ୍କୁ ନେଇ ଏକ ତାଲିମ କାର୍ଯ୍ୟକ୍ରମ ମାଧ୍ୟମରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନର ଆବଶ୍ୟକତା ଓ ଗୁରୁତ୍ୱ ସମ୍ବନ୍ଧରେ ବୁଝା ଯାଇଥିଲା ଯାଇଥିଲା। ଏହା ସହିତ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ଏହି ପାଠ୍ୟକ୍ରମ ସମ୍ବନ୍ଧରେ ଅଧିକ ସଚେତନ କରିବା ପାଇଁ ଏକ ସେମିନାର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

ଏଥିରେ ମାନସ କୁମାର ପଟ୍ଟନାୟକ, ଅକ୍ଷୟ କୁମାର ସାହୁ, ସୁଶୀଲ କୁମାର ରଣା, ନୃସିଂହ ଚରଣ ଚୌଧୁରୀ ଓ ତପସ୍ୱିନୀ ଷଡ଼ଙ୍ଗୀ ଭାଗ ନେଇ ନିଜର ମତାମତ ଉପସ୍ଥାପନା କରିଥିଲେ। ଏହି ସେମିନାର କାର୍ଯ୍ୟକ୍ରମକୁ ବ୍ଲକ ଶିକ୍ଷା ଅଧିକାରିଣୀ ବନଲତା ବେହେରା, ଅବସର ପ୍ରାପ୍ତ ଶିକ୍ଷକ ପ୍ରଫୁଲ ଭଟ୍ଟ, ରାଜସୁନାଖଳା ଶିକ୍ଷକ ତାଲିମ କେନ୍ଦ୍ରର ପ୍ରଶିକ୍ଷକ ବିଜୟ କୁମାର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ମୂଲ୍ୟାୟନ କରିଥିଲେ।

ସେହିପରି ଦ୍ଵିତୀୟ ଦିବସର କାର୍ଯ୍ୟକ୍ରମ ମଝିଆଖଣ୍ଡ ଗ୍ରାମ ପଂଚାୟତର ରଘୁନାଥ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଏକ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସଚେତନତା ରଥ ମଝିଆଖଣ୍ଡ ଗ୍ରାମ ସହ ବ୍ଲକର ବିଭିନ୍ନ ଗ୍ରାମରେ ବୁଲିଥିଲା। ଏହା ସହ ପିଲାମାନେ ହାତରେ ଶିକ୍ଷା ସଚେତନତା ସମ୍ବନ୍ଧୀୟ ବିଭିନ୍ନ କାର୍ଡ, ବ୍ୟାନର ଧରି ସ୍ଲୋଗାନ ଦେଇ ଗାଁ ଗାଁ ବୁଲି ଲୋକମାନଙ୍କୁ ସଚେତନ କରିଥିଲେ। ଏହା ସହ ଘୋଡା ନାଚ ନାମକ ଏକ ପଥ ପ୍ରାନ୍ତ ନୃତ୍ୟ ମାଧ୍ୟମରେ ସ୍ଥାନୀୟ ଲୋକମାନଙ୍କୁ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନର ଆବଶ୍ୟକତା ଓ ଗୁରୁତ୍ୱ ସମ୍ବନ୍ଧରେ ସଚେତନ କରାଯାଇଥିଲା। ଏହି ନୃତ୍ୟକୁ ମହାତପଲ୍ଲା ମଧ୍ୟ ଇଁରାଜୀ ବିଦ୍ୟାଳୟର ଶିକ୍ଷକ ସଞ୍ଜୟ କୁମାର ଦାସ ଓ ଭାସ୍କର ପ୍ରଧାନ ଆୟୋଜନ କରିଥିଲେ।

ଏହା ପରେ ରଘୁନାଥ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା କୁନି କୁନି ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଏହି ଶିକ୍ଷା ସମ୍ବନ୍ଧୀୟ ବିଭିନ୍ନ ସଚେତନତା ମୂଳକ ନୃତ୍ୟ, ନାଟକ ଓ ଅଭିନୟ ପରିବେଷଣ କରାଯାଇଥିଲା। କୃତି ଛାତ୍ରଛାତ୍ରୀମାନଙ୍କୁ ସାର୍ଟିଫିକେଟ ଓ କପ୍ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ବସନ୍ତ କୁମାର ରାଉତ, ରସାନନ୍ଦ ପ୍ରଧାନ, ଶାନ୍ତିଲତା ଦେଇ, ରଘୁନାଥ ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବସନ୍ତ କୁମାର ସାହୁ, ଜିଲ୍ଲା ପ୍ରାଥମିକ ଶିକ୍ଷକ ସଙ୍ଘ ସଭାପତି ଜ୍ୟୋତି ରଞ୍ଜନ ଦାଶ, ବ୍ଲକ ପ୍ରାଥମିକ ଶିକ୍ଷକ ସଙ୍ଘ ସଭାପତି ପ୍ରଫୁଲ ବିଶ୍ୱାଳ, ମଧ୍ୟ ଇଁରାଜୀ ବିଦ୍ୟାଳୟ ସଭାପତି ଅଶୋକ କୁମାର ଦାଶ, ସାଧନ କେନ୍ଦ୍ର କର୍ମୀ ଶକ୍ତି ପ୍ରସାଦ ଆଚାର୍ଯ୍ୟ, ଜ୍ୟୋତି ରଞ୍ଜନ କର, ଦୀନବନ୍ଧୁ ଜେନା, ପବିତ୍ର ମୋହନ ସାମନ୍ତରାୟ, ସୋନୁ ପ୍ରଧାନ, ରସାନନ୍ଦ ବେହୁରା, ରାମଚନ୍ଦ୍ର ବେହେରା, ସୁଶୀଲ କୁମାର ରଣା, କୈଳାଶ ମାଝୀ, ରାଜ କିଶୋର ଦାଶ, ସୁବାଷ ଚନ୍ଦ୍ର ବେହେରା, ମାନସ କୁମାର ପଟ୍ଟନାୟକ, ପ୍ରଭାତ ପଣ୍ଡା, ରବିନ୍ଦ୍ର ବେହେରା, ଯୁଧିଷ୍ଠିର ପ୍ରଧାନ, ଅଶୋକ ସାମନ୍ତରାୟ, କୁଳମଣି ପ୍ରଧାନ, ପଦ୍ମ ଚରଣ ସେଠିଙ୍କ ସହ ସମସ୍ତ ସାଧନ କେନ୍ଦ୍ର କର୍ମୀ ଓ ଗ୍ରାମବାସୀମାନେ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥ ଦ୍ୱାରା ବିଭିନ୍ନ ବିଦ୍ୟାଳୟର ୬୦ ଜଣ ଛାତ୍ରଛାତ୍ରୀ ପୁରସ୍କୃତ

ଭୁବନେଶ୍ଵର: ଆଜି ପୂର୍ବ ତଟ ରେଳପଥର ମୁଖ୍ୟାଳୟ ଭୁବନେଶ୍ୱର ଠାରେ ଏକ ପୁରସ୍କାର ବିତରଣ ସମାରୋହରେ ଭୁବନେଶ୍ୱର ଏବଂ କଟକର ବିଭିନ୍ନ ବିଦ୍ୟାଳୟର ଛାତ୍ରମାନଙ୍କୁ ସମ୍ମାନିତ କରାଯାଇଛି। ସତର୍କତା ସଚେତନତା ସପ୍ତାହ-୨୦୨୨ ପାଳନ ପାଇଁ ଅନ୍-ଦି-ସ୍ପଟ୍ ପ୍ରବନ୍ଧ, ବିତର୍କ ଏବଂ ଚିତ୍ରାଙ୍କନ ପ୍ରତିଯୋଗିତାରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଏହି ଛାତ୍ରଛାତ୍ରୀ ମାନଙ୍କୁ ପ୍ରମାଣପତ୍ର ଏବଂ ପୁରସ୍କାର ପ୍ରଦାନ କରାଯାଇଛି।

ସତର୍କତା ସଚେତନତା ସପ୍ତାହ-୨୦୨୨ କୁ ସ୍ମରଣୀୟ କରିବା ପାଇଁ ପୂର୍ବ ତଟ ରେଳପଥ ଏହି ପ୍ରତିଯୋଗିତା ଆୟୋଜନ କରି ସାଧାରଣ ଜନତା, ବିଶେଷକରି ରେଳ କର୍ମଚାରୀ ଏବଂ ରେଳ ବ୍ୟବହାରକାରୀଙ୍କୁ ସଚେତନ କରାଇବା ଏବଂ ସ୍ୱଚ୍ଛତା ଆଣିବା ପାଇଁ ପ୍ରୟାସ କରିଛି ଯାହାକି ଏକ ନିରପେକ୍ଷ ଏବଂ ପ୍ରଭାବଶାଳୀ ଢଙ୍ଗରେ ସେବା କାର୍ଯ୍ୟରେ ସହାୟକ ହେବ।

ସତର୍କତା ସଚେତନତା ସପ୍ତାହ-୨୦୨୨ ଅବସରରେ ପୂର୍ବତଟ ରେଳପଥ ଚିଫ ମେକାନିକାଲ୍ ଇଞ୍ଜିନିୟର ତଥା କାର୍ଯ୍ୟକାରୀ ଅତିରିକ୍ତ ମହାପ୍ରବନ୍ଧକ ଆର ରାଜା ଗୋପାଳ ଏହି ଅବସରରେ ଯୋଗଦାନ କରି ପ୍ରତିଯୋଗିତାରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରିଥିଲେ। ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ସହିତ ରେଳ କର୍ମଚାରୀଙ୍କ ପିଲାମାନଙ୍କୁ ମୋଟ ୬୦ ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।

ସତର୍କତା ସଚେତନତା ସପ୍ତାହ-୨୦୨୨ କୁ ସ୍ମରଣୀୟ କରିବା ପାଇଁ ରେଳ କର୍ମଚାରୀମାନେ ଦୁର୍ନୀତି ଏବଂ ଦୈନନ୍ଦିନ ଜୀବନରେ ଏହାର ପ୍ରଭାବ ସମ୍ବନ୍ଧରେ ଏକ ପଥପ୍ରାନ୍ତ ନାଟକ ପରିବେଷଣ କରିଥିଲେ।

ଏହି ଅବସରରେ ରେଳପଥର କାର୍ଯ୍ୟକାରୀ ଅତିରିକ୍ତ ମହାପ୍ରବନ୍ଧକଙ୍କ ଦ୍ୱାରା ଭିଜିଲାନ୍ସ ବୁଲେଟିନ୍ ମଧ୍ୟ ପ୍ରକାଶ କରାଯାଇଅଛି। ପୁରସ୍କାର ବିତରଣ ସମାରୋହରେ ପୂର୍ବତଟ ରେଳପଥର ସମସ୍ତ ପ୍ରମୁଖ ବିଭାଗୀୟ ଅଧିକାରୀ, ବରିଷ୍ଠ ଅଧିକାରୀ, ରେଳ କର୍ମଚାରୀ, ସ୍କୁଲ ଛାତ୍ର ଛାତ୍ରୀ ଏବଂ ସେମାନଙ୍କ ପିତାମାତା ଓ ଶିକ୍ଷକମାନେ ଯୋଗ ଦେଇଥିଲେ। ପୂର୍ବ ତଟ ରେଳପଥର ମୁଖ୍ୟ ସତର୍କତା ଅଧିକାରୀ ତଥା ବରିଷ୍ଠ ଉପ ମହାପ୍ରବନ୍ଧକ ସଞ୍ଜୟ କୁମାର ମହାପାତ୍ର ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ମୋ କଲେଜ ଅଭିଯାନ: ବାଣପୁରରେ ଛାତ୍ରୀମାନଙ୍କ ଦ୍ଵାରା ସାଇକେଲ ରାଲି ଓ ପଥପ୍ରାନ୍ତ ନାଟକ ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜାଦି କି ଅମୃତ ମହୋତ୍ସବ ଅବସରରେ ଆଜି ପୂର୍ବାହ୍ନରେ ମୋ କଲେଜ ଅଭିଯାନ ଅନ୍ତର୍ଗତ ଖୋର୍ଦ୍ଧା ଜିଲ୍ଲା ବାଣପୁର ଗୋଦାବରୀଶ ମହାବିଦ୍ୟାଳୟର ଏନଏସଏସ, ଏନସିସି,  ରୋଭର୍ସ ଏବଂ ରେଞ୍ଜରର୍ସ ଓ ରେଡକ୍ରସ ୟୁନିଟର ଛାତ୍ରଛାତ୍ରୀଙ୍କ ଦ୍ୱାରା ଏକ ସାଇକେଲ ରାଲି ଏବଂ ପଥପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଯାଇଛି। ସାଇକେଲ ରାଲିଟି ମହାବିଦ୍ୟାଳୟ ସମ୍ମୁଖରୁ ବାହାରି ମା’ ଭଗବତୀ ମନ୍ଦିର ଦେଇ ସହର ଅତିକ୍ରମ କରି ପଲଟନ ପଡିଆଠାରେ ସମାପ୍ତ ହୋଇଥିଲା।

ସେହିପରି ଭାବେ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ଅଧ୍ୟାପକ ପାର୍ଥସାରଥୀ ସାମନ୍ତରାୟ ଙ୍କ ରଚନା ନିର୍ଦେଶନାରେ ‘ ମୁଁ ପାଇକ କହୁଛି’ ଶୀର୍ଷକରେ ପଥପ୍ରାନ୍ତ ନାଟକ ପ୍ରଦର୍ଶନ କରାଯାଇଥିଲା। ଉକ୍ତ ନାଟକରେ ଛାତ୍ରୀମାନେ ଭାଗ ନେଇଥିବା ବେଳେ ଖୁବ ଚିତ୍ତାକର୍ଶକ ଢଙ୍ଗରେ ଏହାକୁ ପରିବେଷଣ କରିଥିଲେ। ୧୮୧୭ ମସିହା ବାଣପୁର ପାଇକ ବିଦ୍ରୋହ ଉପରେ ନିର୍ମିତ ହୋଇଥିବା ଉକ୍ତ ନାଟକକୁ ଛାତ୍ରୀମାନେ ଅତି ନିଖୁଣ ଭାବେ ପ୍ରଦର୍ଶିତ କରିଥିଲେ।

ସ୍ୱାଧୀନତା ସଂଗ୍ରାମରେ ବାଣପୁରର ବିଶିଷ୍ଟ ଅବଦାନ ଥିବା ଉକ୍ତ ନାଟକରେ ଦର୍ଶାଯାଇଥିଲା।  ଉକ୍ତ ପଥପ୍ରାନ୍ତ ନାଟକଟି ଗୋଦାବରୀଶ ମହାବିଦ୍ୟାଳୟ କ୍ୟାମ୍ପସ, କୁମାରାଙ୍ଗ ଛକ, ମା’ ଭଗବତୀ ମନ୍ଦିର ସମ୍ମୁଖ, ବାଣପୁର ଥାନା ଏବଂ ପଲଟନ ପଡିଆରେ ଅନୁଷ୍ଠିତ ହୋଇଥିଲା।  ଉକ୍ତ କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟ ର ଅଧ୍ୟକ୍ଷଙ୍କ ସମେତ ସମସ୍ତ କର୍ମଚାରୀମାନେ ପରିଚାଳନା କରିଥିଲେ।