Categories
ଆଜିର ଖବର ରାଜ୍ୟ ଖବର

ସୁଦର୍ଶନ ସାହୁଙ୍କୁ ଓଡିଶା ଶିଳ୍ପୀ ମହାସଂଘ ପକ୍ଷରୁ ସଂବର୍ଦ୍ଧନା

ଭୁବନେଶ୍ବର: ନିକଟରେ ଭାରତ ସରକାରଙ୍କ ଦ୍ୱାରା ପଦ୍ମବିଭୂଷଣ ସମ୍ମାନ ପାଇଁ ମନୋନୀତ ଓଡିଶାର ସୁନାମଧନ୍ୟ ସ୍ଥପତି ସୁଦର୍ଶନ ସାହୁଙ୍କୁ ଓଡିଶା ଶିଳ୍ପୀ ମହାସଂଘ ପକ୍ଷରୁ ସଂବର୍ଦ୍ଧିତ କରାଯାଇଛି। ଓଡିଶା ଶିଳ୍ପୀ ମହାସଂଘର ସଭାପତି ଉଦୟ ମହାନ୍ତି ଓ ଭାରତ ସରକାରଙ୍କ ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆ ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇ ସୁଦର୍ଶନ ସାହୁଙ୍କୁ ଫୁଲଗଛ ଓ ଉତରିୟ ଦେଇ ସମ୍ମାନିତ କରିଥିଲେ।

ପରେ ସୁଦର୍ଶନ ସାହୁଙ୍କ ଧର୍ମପତ୍ନୀ ଅର୍ଣ୍ଣପୂର୍ଣ୍ଣା ସାହୁଙ୍କୁ ସଂଘ ପକ୍ଷରୁ ସମ୍ମାନିତ କରାଯାଇଥିଲା। ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଶତାଧିକ ଶିଳ୍ପୀ ଓ ବୁଣାକାର ମଧ୍ୟ ଶ୍ରୀଯୁକ୍ତ ସାହୁଙ୍କୁ ନିଜ ହାତ ତିଆରି ହସ୍ତକଳା, ଉତରିୟ ଓ ଫୁଲଗଛ ପ୍ରଦାନ କରି ସମ୍ମାନିତ କରିଛନ୍ତି। ଏହି ଅବସରରେ ଜୟଦେବ ବିହାର ସ୍ଥିତ ସୁଦର୍ଶନ ଆର୍ଟ ଓ କ୍ରାଫ୍ଟ ପରିସରରେ ଏକ ସଂବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା।

ଉକ୍ତ ସଭାରେ ଅଧ୍ୟକ୍ଷତା କରି ଶିଳ୍ପୀ ମହାସଂଘର ସଭାପତି ଉଦୟ ମହାନ୍ତି ନିଜ ବକ୍ତବ୍ୟରେ ସୁଦର୍ଶନ ସାହୁଙ୍କ ସୁକ୍ଷ୍ମ କଳାକାରିଗରୀର ଉଚ୍ଚ ପ୍ରଶଂସା କରିଛନ୍ତି। ତତ ସହିତ ଓଡିଶା ଶିଳ୍ପୀ ମହାସଘର ମୁଖ୍ୟ ଉପଦେଷ୍ଟା ପଦ୍ମଶ୍ରୀ ସୁଦର୍ଶନ ସାହୁଙ୍କୁ ପଦ୍ମ ବିଭୂଷଣ ସମ୍ମାନ ପାଇଁ ମନୋନୟନ କରାଯାଇଥିବାରୁ ଭାରତ ସରକାରଙ୍କୁ ଶ୍ରୀ ମହାନ୍ତି ଧନ୍ୟବାଦ ଜଣାଇଛନ୍ତି।

ଏହି ଅବସରରେ ଶିଳ୍ପୀ ମହାସଂଘର ସଂପାଦକ ପ୍ରିୟରଂଜନ କର ନିଜ ବକ୍ତବ୍ୟରେ ରାଜ୍ୟ ଶିଳ୍ପୀ ଓ ବୁଣାକାରଙ୍କ ସମାଜିକ ସୁରକ୍ଷା ପାଇଁ ସୁଦର୍ଶନ ସାହୁଙ୍କ ଦୀର୍ଘଦିନର ପ୍ରଚେଷ୍ଟା ସଂପର୍କରେ ଆଲୋକପାତ କରିଥିଲେ। ଯେଉଁ ପୁରସ୍କାର ତାଲିକାରେ ଜାପାନର ପ୍ରଧାନମନ୍ତ୍ରୀ ସିଂଜୋ ଆବେଙ୍କ ନାମ ରହିଛି, ସେହିଥିରେ ରାଜ୍ୟର ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ସୁଦର୍ଶନ ସହୁଙ୍କ ନାମ ରହିବା ଆମ ଶିଳ୍ପୀ ଓ ବୁଣାକାର ଜାତି ପାଇଁ ଏକ ଗର୍ବଗୈାରବର ବିଷୟ ବୋଲି ଶ୍ରୀ କର କହିଛନ୍ତି।

ସୂଚନା ଥାଉକି, ୧୯୮୮ ମସିହାରେ ପଦ୍ମଶ୍ରୀ ସମ୍ମାନ, ୨୦୧୧ ମସିହାରେ ଉତ୍କଳ ୟୁନିଭରସିଟି ଅଫ କଲଚର ଦ୍ୱାରା ଡକ୍ଟରେଟ ଉପାଧୀ, ୨୦୧୨ ମସିହା ପାଇଁ ଧର୍ମପଦ ପୁରସ୍କାର ସହ ୨୦୧୮ ମସିହା ମାର୍ଚ୍ଚ ୨୨ ତାରିଖରେ ସୁଦର୍ଶନ ସାହୁ ରାଜ୍ୟ ହସ୍ତତନ୍ତ ଓ ହସ୍ତଶିଳ୍ପ ବିକାଶ ଓ ଉନ୍ନୟନ ପରିଷଦର ଅଧ୍ୟକ୍ଷ ଭାବେ ମନୋନୀତ ହୋଇଥିଲେ। ଏହି ଅବସରରେ ଓଡିଶା ଶିଳ୍ପୀ ମହାସଂଘର ମୁରବି ଭାବେ ସୁଦର୍ଶନ ସାହୁଙ୍କୁ ପଦ୍ମ ବିଭୂଷଣ ସମ୍ମାନ ପାଇଁ ମନୋନୟନ ଓଡିଶାର ହସ୍ତକଳାକୁ ବିଶ୍ୱ ଦରବାରରେ ପରିଚିତ କରାଇବାସହ ଆମ ଓଡିଆଙ୍କୁ ଗର୍ବିତ କରିଛି ବୋଲି ନିଜ ବକ୍ତବ୍ୟରେ ଜାତିୟ ପୁରସ୍କାର ପ୍ରାପ୍ତ ତାଳପତ୍ର ଖୋଦେଇ ଶିଳ୍ପୀ ଶରତ ପ୍ରଧାନ କହିଥିଲେ।

ଏମାନଙ୍କ ବ୍ୟତୀତ ଯତୀନ ସାହୁ, ଅଶୋକ ସାହୁ, ବିକାଶ ଆୟୁକ୍ତ ହସ୍ତଶିଳ୍ପଙ୍କ ସହ ନିର୍ଦ୍ଦେଶିକା କୁମାରୀ ଶୈଳଜା ପ୍ରମୁଖ ନିଜ ବକ୍ତବ୍ୟରେ ସୁଦର୍ଶନ ସାହୁଙ୍କ ଉଚ୍ଚ ପ୍ରଶଂସା କରିଥିଲେ। ଏହି ଶୁଭେଚ୍ଛା ଓ ସଂବର୍ଦ୍ଧନା କାର୍ଯ୍ୟକ୍ରମକୁ ମହାସଂଘର କୋଷାଧ୍ୟକ୍ଷ ଅଶୋକ ଗୁଇଁ, ସଂଗଠନ ସଂପାଦିକା ସରୋଜିନୀ ଦାସଙ୍କ ସହ ସନ୍ତୋଷ ଓଝା, ସନ୍ତୋଷ ସାଥୁଆ, ପ୍ରତାପ ସିଂହ, ଜମ୍ବେଶ୍ୱର ବେହେରା,ଡଲି ଦାସ,ବାସନ୍ତି ନାୟକ, ଲକ୍ଷ୍ମୀଧର ଚାନ୍ଦ, ବିପିନ ସାହୁ, ଡଲି ଦାସ, ସୈାଦାମିନୀ ସ୍ୱାଇଁ, ଗୋବିନ୍ଦ ସାମଲ ଓ ଜୟନ୍ତି ନାୟକ ପ୍ରମୁଖ ପରିଚାଳନା କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର

ଚଳିତ ବର୍ଷ 7 ପଦ୍ମବିଭୂଷଣ,10 ପଦ୍ମଭୂଷଣ ଏବଂ 102 ପଦ୍ମଶ୍ରୀ ଘୋଷଣା, ଜାଣନ୍ତୁ କେଉଁମାନେ ଅଛନ୍ତି

ନୂଆଦିଲ୍ଲୀ, ଗଣତନ୍ତ୍ର ଦିବସ ପୂର୍ବରୁ ଗୃହ ବିଭାଗ ତରଫରୁ ପଦ୍ମଶ୍ରୀ ପୁରସ୍କାର ଘୋଷଣା ହୋଇଛି। ଏଥିରେ 7 ଜଣଙ୍କୁ ପଦ୍ମବିଭୂଷଣ, 10 ଜଣଙ୍କୁ ପଦ୍ମଭୂଷଣ ଏବଂ 120 ଜଣଙ୍କୁ ପଦ୍ମଶ୍ରୀ ଭାବେ ମନୋନିତ କରାଯାଇଛି। ଭାରତର ସର୍ବଶ୍ରେଷ୍ଠ ପୁରସ୍କାର ହେଉଛି ଏହି ପଦ୍ମ ପୁରସ୍କାର। ଏହା ତିନୋଟି ପର୍ଯ୍ୟାୟରେ ଭାଗ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ହେଉଛି ପଦ୍ମବିଭୂଷଣ, ଦ୍ବିତୀୟରେ ପଦ୍ମଭୂଷଣ ଏବଂ ତୃତୀୟରେ ପଦ୍ମଶ୍ରୀ ପୁରସ୍କାର।

ଚଳିତ ବର୍ଷ ଯେଉଁ ସାତ ଜଣଙ୍କୁ ପଦ୍ମବିଭୂଷଣ ଭାବେ ମନୋନିତ କରାଯାଇଛି ସେମାନଙ୍କ ମଧ୍ୟରେ ଅଛନ୍ତି ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିହାଞ୍ଜୋ ଆବେ। ଏଥସହିତ ମରଣୋତ୍ତର ଭାବେ ପ୍ରଖ୍ୟାତ କଣ୍ଠଶିଳ୍ପୀ ଏସ ପି ବାଲଶୁଭ୍ରମନମ୍ ଅଛନ୍ତି। ସେହିପରି ଓଡିଶାର ପ୍ରଖ୍ୟାତ ସ୍ଥପତି ସୁଦର୍ଶନ ସାହୁ ମଧ୍ୟ ଅଛନ୍ତି।

ସେହିପରି ପଦ୍ମଭୂଷଣ ସମ୍ମାନ ପାଇଁ ଲୋକସଭାର ପୂର୍ବତନ ବାଚସ୍ପତି ସୁମିତ୍ରା ମହାଜନଙ୍କ ନାମ ମଧ୍ୟ ରହିଛି। ଜନସେବା ପାଇଁ ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗେଇଙ୍କ ନାମ ମଧ୍ୟ ରହିଛି। ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମବିଳାସ ପାଶ୍ବାନଙ୍କୁ ନାମ ମଧ୍ୟ ମରୋଣତ୍ତର ଭାବେ ପଦ୍ମଭୂଷଣ ସମ୍ମାନ ପାଇଁ ମନୋନିତ କରାଯାଇଛି।

ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ କେଶୁଭାଇ ପଟେଲଙ୍କୁ ମଧ୍ୟ ମରୋଣତ୍ତର ପଦ୍ମଭୂଷଣ ସମ୍ମାନରି ସମ୍ମାନିତ ହେବେ। କ୍ରୀଡା କ୍ଷେତ୍ରରେ ସୁଧା ହରିନାରାୟଣ ସିଂ , କେ ୱାଇ ଭେଙ୍କେଟେଶ ଏବଂ ବିରେନ୍ଦ୍ର ସିଂଙ୍କୁ ମନୋନିତ କରାଯାଇଛି।

ଓଡିଶାରୁ ସୁଦର୍ଶନ ସାହୁଙ୍କ ପଦ୍ମବିଭୂଷଣ ସହିତ ଆଉ ପାଞ୍ଚଜଣ ପଦ୍ମଶ୍ରୀ ପାଇଁ ମଧ୍ୟ ମନୋନିତ ହୋଇଛନ୍ତି। ସେମାନେ ହେଲେ ସାହିତ୍ୟ ଓ ଶିକ୍ଷା ପାଇଁ ରଜତ କୁମାର କର ଏବଂ ନନ୍ଦ ପୃଷ୍ଟିଙ୍କୁ ପଦ୍ମଶ୍ରୀ ମିଳିବ। ସେହିପରି ସମାଜସେବା ପାଇଁ ଶାନ୍ତି ଦେବୀ, କଳା ପାଇଁ ପୂର୍ଣ୍ଣମାସୀ ଜାନିଙ୍କୁ ପଦ୍ମଶ୍ରୀ ମିଳିବ। ଔଷଧ ପାଇଁ ଡଃ. କୃଷ୍ଣ ମୋହନ ପାଠୀଙ୍କୁ ମଧ୍ୟ ପଦ୍ମଶ୍ରୀ ପୁରଷ୍କାର ପାଇଁ ଘୋଷଣା କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ପଦ୍ମବିଭୂଷଣ ଫେରାଇଲେ ପ୍ରକାଶ ସିଂ ବାଦଲ

ନୂଆଦିଲ୍ଲୀ: ଚାଷୀ ଆନ୍ଦୋଳନକୁ ନେଇ ଅକାଳି ଦଳର ନେତା ପ୍ରକାଶ ସିଂହ କଡାପଦକ୍ଷେପ ଗ୍ରହଣ କରିଛନ୍ତି ।ବରିଷ୍ଠ ଅକାଳୀ ନେତା ପ୍ରକାଶ ସିଂ ବାଦଲ ପଦ୍ମ ବିଭୁଷଣ ଫେରାଇ ଦେଇଥିବା ଜଣାଯାଇଛି । ଚାଷୀଙ୍କୁ ପ୍ରତାରଣା ଅଭିଯୋଗ କରି ପ୍ରକାଶ ସିଂ ବାଦଲ ପଦ୍ମ ବିଭୁଷଣ ଫେରାଇ ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ପ୍ରତାରଣା ପ୍ରତିବାଦରେ ସେ ପୁରସ୍କାର ଫେରାଇ ଦେଇଥିବା ଜଣାଯାଇଛି । ପଞ୍ଜାବର 4ଥର ମୁଖ୍ୟମନ୍ତ୍ରୀଭାବେ କାମ କରିଥିବା ପ୍ରକାଶ ସିଂ ବାଦଲ ଙ୍କ ଏଭଳି କାର୍ଯ୍ୟକୁ ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ।ପୂର୍ବରୁ   କୃଷି ଆଇନ୍‌କୁ ନେଇ ଏନ୍‌ଡିଏରୁ ଅଲଗା ହୋଇଛି ଅକାଳି ଦଳ ।

ପ୍ରକାଶ ଯେ, କୃଷି ଆଇନ ବିରୋଧୀ ଆନ୍ଦୋଳନ ତେଜିବାରେ ଲାଗିଛି। ଗୁରୁବାର 8ମ ଦିନ ପାଇଁ ଚାଷୀମାନେ ଦେଶର ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଚଳାଇଛନ୍ତି। ସରକାର ଏବଂ ଚାଷୀ ପ୍ରତିନିଧିମାନଙ୍କ ମଧ୍ୟରେ ଗତ ଥର ହୋଇଥିବା ଆଲୋଚନା ବିଫଳ ହେବା ପରେ ଗୁରୁବାର ପୁଣି ଥରେ ବୈଠକ ଆରମ୍ଭ ହୋଇଛି। ଆଲୋଚନାରେ ଭାଗନେବାକୁ 38ରୁ ଅଧିକ କୃଷକ ସଂଗଠନର ପ୍ରତିନିଧି ଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ପହଞ୍ଚିଛନ୍ତି। ତେବେ ସରକାର ଏନେଇ କ’ଣ ନିଷ୍ପତ୍ତି ନେଉଛନ୍ତି ତାହା ଉପରେ ସମସ୍ତଙ୍କର ନଜର ରହିଛି ।