Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ପବିତ୍ର ରଥଯାତ୍ରା ଅବସରରେ ସଂଗୀତଭିତ୍ତିକ କାର୍ଯ୍ୟକ୍ରମ ‘ଗୁହାରି’ ଉଦଘାଟିତ

ଭୁବନେଶ୍ୱର: ପବିତ୍ର ରଥଯାତ୍ରା ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର ଦ୍ୱାରା ଆୟୋଜିତ ଏକ ନିଆରା ଭକ୍ତି ଭାବାପନ୍ନ ସଂଗୀତ ଭିତ୍ତିକ କାର୍ଯ୍ୟକ୍ରମ ‘ଗୁହାରି’ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଉଦ୍‌ଘାଟିତ ହୋଇଯାଇଛି। ଗତକାଲି ଠାରୁ ଆରମ୍ଭ ହୋଇଥିବା ଏହି ତିନିଦିନିଆ କାର୍ଯ୍ୟକ୍ରମ ଆସନ୍ତାକାଲି ଉଦ୍‌ଯାପିତ ହେବ।

ଏହି କାର୍ଯ୍ୟକ୍ରମକୁ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଉଦଘାଟନ କରିଥିଲେ। ଏହି ଅବସରରେ ପଦ୍ମଶ୍ରୀ ଶ୍ୟମାମଣି ଦେବୀ, ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ, ଅତିରିକ୍ତ ଶାସନ ସଚିବ ମଧୁସୂଦନ ଦାଶ, କେଳୁଚରଣ ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ ନିର୍ବାହୀ ଅଧିକାରୀ ସୁବୋଧ ଚନ୍ଦ୍ର ଆଚାର୍ଯ୍ୟ, ଓଡ଼ିଶା ସଂଗୀତ ନାଟକ ଏକାଡେମୀର ସଚିବ ପ୍ରବୋଧ କୁମାର ରଥଙ୍କ ସମେତ ବିଭାଗର ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ପ୍ରଶାସନିକ ଅଧିକାରୀ ଅନୁଜା ତାରିଣୀ ମିଶ୍ର ପରିଚାଳନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା ଟାପୁରେ ନୌବିହାରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପାରମ୍ପରିକ ଘୋଷ ଯାତ୍ରା

ସୀତାରାମ ଅଗ୍ରୱାଲ
ବାଲୁଗାଁ: ପବିତ୍ର ରଥଯାତ୍ରା ଅବସରରେ ଲୀଳାକ୍ଷେତ୍ର କାଙ୍କଣ ଶିଖରୀରେ ଚିଲିକା ଟାପୁରେ ନୌବିହାରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପାରମ୍ପରିକ ଘୋଷ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପୂର୍ବାନୁମାନ ଅନୁସାରେ ୧୭୩୧ ମସିହାରେ ଜବନମାନଙ୍କ ଆକ୍ରମଣରୁ ରକ୍ଷା ପାଇବା ପାଇଁ କଙ୍କଣ ଶିଖରୀରେ ୪ ମାସ ୧୬ ଦିନ ମହାପ୍ରଭୁ ଶ୍ରୀ ଜଗନ୍ନାଥ ବାସ କରିଥିଲେ। ୨୦୧୪ ମସିହାରେ ଶ୍ରୀକ୍ଷେତ୍ର ପୁରୀରୁ ନନ୍ଦିଘୋଷ ରଥର ଚକ ଆଣି ଏଠାରେ ସ୍ଥାପନ କରିବା ପରଠୁ ଅର୍ଥାତ ନଅ ବର୍ଷ ଧରି ଚିଲିକାର ନୀଳ ଜଳରାଶିରେ ରଥ ଯାତ୍ରା ପାଳନ କରାଯାଉଛି।

ଶ୍ରୀକ୍ଷେତ୍ର ଜଗନ୍ନାଥଙ୍କ ବିଧି ବିଧାନ ପରମ୍ପରା ଅନୁଯାୟୀ ଏଠାରେ ନୀତି କାନ୍ତି ସମ୍ପନ୍ନ ହେବା ପରେ, ତିନି ଠାକୁର ମନ୍ଦିରରୁ ବାହାରି ପହଣ୍ଡି ହେଇ କାଠ ଡଙ୍ଗାରେ ନିର୍ମିତ ରଥରେ ହୋମ ଯଜ୍ଞ ପରେ ରଥାରୂଢ ହୋଇ ଚିଲିକା ମଝିରେ ଥିବା କଙ୍କଣ ଶିଖରୀ ଟାପୁ ଚାରିପଟେ ଭ୍ରମଣ କରି ଭୋଗ ମଣ୍ଡପରେ ବିରାଜ କରିଥିଲେ। ଜଗନ୍ନାଥଙ୍କ ଭକ୍ତ ତଥା ଆଦ୍ୟ ସେବକ କୁମାଣ୍ଡଳପାଟଣାର ହାଡିବନ୍ଧୁ ପଟ୍ଟନାୟକ ଛେରା ପହଁରା କରିଥିଲେ। ସ୍ଥାନୀୟ ନଈରୀ ଓ ଆଖପାଖ ଅଞ୍ଚଳର ଭକ୍ତମାନଙ୍କ ସହଯୋଗରେ ଏହି ଅନନ୍ୟ ରଥ ଯାତ୍ରା ସମ୍ପନ୍ନ ହୋଇଥିବା ବେଳେ ଘଣ୍ଟ କାହାଳି, ହୁଳହୁଳିରେ ଫାଟି ପୁରା ଟାପୁ ଫାଟି ପଡୁଥିବା ବେଳେ ହଜାର ହଜାର ଭକ୍ତଙ୍କ ଗହଣରେ ଆଧ୍ୟାତ୍ମିକ ପରିବେଶରେ ପ୍ରଭୁଙ୍କ ଚିଲିକା ମଧ୍ୟରେ ପରିକ୍ରମା କରୁଥିଲେ।

ଭକ୍ତଙ୍କ ସମାଗମକୁ ଲକ୍ଷ୍ୟ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।ମାତ୍ର ଅହେତୁକ ଭକ୍ତଙ୍କ ସମାଗମରେ ଡଙ୍ଗାର ଆବଶ୍ୟକ ମୁତାବକ ନଥିବାରୁ ବହୁ ଭକ୍ତ ନିରାଶରେ ଫେରୁଥିବା ଦେଖିବାକୁ ମିଳିଥିଲା।