Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ ରେଳ ଷ୍ଟେସନରେ ପରାମର୍ଶଦାତା କମିଟି ବୈଠକ, ଯାତ୍ରୀ ସମସ୍ୟା ଉପରେ ଗୁରୁତ୍ଵ

ବାଲୁଗାଁ: ବାଲୁଗାଁ ରେଳ ଷ୍ଟେସନର ପ୍ରଥମ ଷ୍ଟେସନ ପରାମର୍ଶଦାତା କମିଟି ବୈଠକ ଆଜି ରେଳ ଷ୍ଟେସନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଷ୍ଟେସନ ମାଷ୍ଟର ଶଙ୍କର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ରେଳ ବିଭାଗ ପକ୍ଷରୁ ଆରପିଏଫ ଆଇଆଇସି ଜିତେନ୍ଦ୍ର ମୌର୍ଯ୍ୟ, ମୁଖ୍ୟ ସ୍ୱାସ୍ଥ୍ୟ ନିରୀକ୍ଷକ ଅନ୍ତେସ ମିନା, ମୁଖ୍ୟ ବାଣିଜ୍ୟ ନିରୀକ୍ଷକ ବ୍ରହ୍ମପୁର ସର୍କଲ ମୋହନ ଚନ୍ଦ୍ର ବେହେରା, ବରିଷ୍ଠ ଅନୁଭାଗ ଯନ୍ତ୍ରୀ ରବୀନ୍ଦ୍ରନାଥ ମହାପାତ୍ର, କନିଷ୍ଠ ବିଦ୍ୟୁତ ଯନ୍ତ୍ରୀ ଗଗନ ଚରଣ ସ୍ୱାଇଁ, ଦୂରସଂଚାର କର୍ମଚାରୀ ଚନ୍ଦ୍ର ଶେଖର ପାତ୍ର, ମୁଖ୍ୟ ଟିକେଟ ନିରୀକ୍ଷକ ରାଜେଶ କୁମାର, ମୁଖ୍ୟ ବାଣିଜ୍ୟ ସୁପରଭାଇଜର ରମେଶ ଚନ୍ଦ୍ର ବେହେରା, ମୁଖ୍ୟ ସୁପରଭାଇଜର ଏବଂ ଷ୍ଟେସନ ପରାମର୍ଶଦାତା କମିଟି ସଭ୍ୟ ଯଥା ପ୍ରଫୁଲ୍ଲ କୁମାର ମାନସିଂହ,ସୀତାରାମ ଅଗ୍ରୱାଲ, ଡ଼ା ଯୋଗେନ୍ଦ୍ରନାଥ ସେନାପତି,ମୁରଲୀଧର ସାମନ୍ତସିଂହାର ଏବଂ ରବୀନ୍ଦ୍ର ପ୍ରଧାନ ଆଦି ଯୋଗଦେଇଥିଲେ।

ଉକ୍ତ ବୈଠକରେ ବାଲୁଗାଁ ରେଳ ଷ୍ଟେସନର ଉନ୍ନତି ଏବଂ ପାସେଞ୍ଜର ମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ବିଷୟରେ ରେଳ ବିଭାଗ ଅଧିକାରୀମାନଙ୍କୁ ଷ୍ଟେସନ ପରାମର୍ଶଦାତା କମିଟିର ସଦସ୍ୟମାନେ ଅବଗତ କରାଇଥିଲେ ଏବଂ ସେଗୁଡିକର ଯଥାଶୀଘ୍ର ସମାଧାନ ପାଇଁ ଅନୁରୋଧ କରିଥିଲେ। ଖୋର୍ଦ୍ଧା ରୋଡ ରେଳ ଡିଭିଜନ ଅଧୀନରେ ଆସୁଥିବା ବାଲୁଗାଁ ଏକ ଗୁରୁତ୍ୱପୂର୍ଣ ରେଳ ଷ୍ଟେସନ ହୋଇଥିବା ବେଳେ ଏଠାରେ ପାସେଞ୍ଜର ଙ୍କ ପାଇଁ ବିଭିନ୍ନ ସୁବିଧା ଯଥା ସବୁ ପ୍ଲାଟଫର୍ମ ରେ କୋଚ ଇଣ୍ଡିକେଟର ବୋର୍ଡ଼ ସ୍ଥାପନ, ସବୁ ପ୍ଲାଟଫର୍ମକୁ ପୂର୍ଣ୍ଣ ସେଡ଼ କରିବା, ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗମାନଙ୍କ ସୁବିଧା ନିମନ୍ତେ ଏକ୍ସପ୍ରେସ ଟ୍ରେନ ଗୁଡିକ ୨ ନମ୍ବର ପ୍ଲାଟଫର୍ମ ବଦଳରେ ୧ ନମ୍ବର ପ୍ଲାଟଫର୍ମ ରେ ରହିବା, ଷ୍ଟେସନ ପରିସରରେ ସିସିଟିଭି ଲଗାଇବା, ଫୁଡ ପ୍ଲାଜା ଖୋଲିବା, ସାପ୍ତାହିକ ସ୍ୱାସ୍ଥ୍ୟ ପରୀକ୍ଷାଗାରକୁ ନିୟମିତ କରିବା, ଜିଆରପି ବିଟ ହାଉସକୁ ଫାଣ୍ଡିରେ ପରିଣତ କରିବା, ଆଉ ଏକ ପାଦ ଚଲା ବ୍ରିଜ ନିର୍ମାଣ, ପ୍ଲାଟଫର୍ମରେ ଲିଫ୍ଟ ସ୍ଥାପନ, ପାର୍ସଲ ବୁକିଙ୍ଗ ବ୍ୟବସ୍ଥା, ଗରିବ ରଥ ସମେତ ଏକାଧିକ ଦ୍ରୁତଗାମୀ ଟ୍ରେନ ରହଣି ଏବଂ ଟିକେଟ ନିରୀକ୍ଷକ ମାନେ ଯାତ୍ରୀଙ୍କୁ ଉଚିତ ବ୍ୟବହାର ଦେଖାଇବା ଆଦି ବିଷୟରେ କାର୍ଯ୍ୟ ଆରମ୍ଭ କରିବା ପାଇଁ କମିଟି ସଦସ୍ୟ ମାନେ ରେଳ ବିଭାଗ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ତେବେ ଉକ୍ତ ସମସ୍ୟା ମଧ୍ୟରୁ କିଛି ସମସ୍ୟା ଆସନ୍ତା ୩ ମାସ ମଧ୍ୟରେ ପୂରଣ ହେବ ଏବଂ ଅନ୍ୟ କିଛି ସୁବିଧା ପ୍ରଦାନ ଦିଗରେ ପୁର୍ବରୁ କାର୍ଯ୍ୟ ଜାରି ରହିଥିବା ଅଧିକାରୀ ମାନେ କହିଥିଲେ l ସେହିପରି ଭାବେ ଅନ୍ୟ ଗୁରୁତ୍ୱପୂର୍ଣ ବିଷୟ ଗୁଡିକୁ ତୁରନ୍ତ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଦିଆଯିବ ବୋଲି କମିଟି ଅଧ୍ୟକ୍ଷ ତଥା ଷ୍ଟେସନ ମାଷ୍ଟର ଶ୍ରୀ ନାୟକ କହିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ

ଜଗତସିଂହପୁର ଜିଲ୍ଲାସ୍ତରୀୟ ପରାମର୍ଶଦାତା କମିଟି ବୈଠକ, ୫ଟି ଅଲଟ୍ରାସାଉଣ୍ଡ କ୍ଲିନିକ୍ ର ନବୀକରଣ ପାଇଁ ଦିଆଗଲା ଅନୁମତି

ରମେଶ ମହାନ୍ତି

ଜଗତସିଂହପୁର: ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜଗତସିଂହପୁର ଜିଲ୍ଲା ପିସି.ପି.ଏନ୍. ଡି.ଟି ପରାମର୍ଶଦାତା କମିଟିର ଏକ ବୈଠକ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାରେ ଥିବା ଅଲଟ୍ରାସାଉଣ୍ଡ ସେଣ୍ଟର ଗୁଡିକର ସମୀକ୍ଷା କରାଯାଇଥିଲା। ୫ ଗୋଟି ଅଲଟ୍ରାସାଉଣ୍ଡ କ୍ଲିନିକ୍ ର ନବୀକରଣ କରାଯିବା ପାଇଁ ଅନୁମତି ଦିଆଯାଇଥିଲା। ସରକାରଙ୍କ ତରଫରୁ ବାଲିକୁଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଲଟ୍ରାସାଉଣ୍ଡ କ୍ଲିନିକ୍ କରାଯିବା ବିଷୟରେ ଆଲୋଚନା କରାଯାଇଥିଲା।

କମିଟିର ଅଧ୍ୟକ୍ଷ ତଥା ଜିଲ୍ଲାପାଳ ଅଲଟ୍ରାସାଉଣ୍ଡ କ୍ଲିନିକ୍ ର ଇନିସ୍ପେକ୍ସନ୍ ରିପୋର୍ଟକୁ ସମୀକ୍ଷା କରିଥିଲେ ଏବଂ ଏହାକୁ କଡାକଡି ଭାବରେ ତନଖି ପାଇଁ ନିର୍ଦ୍ଦେଶ ଦେଇଥିଲେ। କନ୍ୟା ଭୃଣହତ୍ୟା ଏକ ଗୁରୁତର ବିଷୟ ହୋଇଥିବାରୁ ଏବଂ ଅଲଟ୍ରାସାଉଣ୍ଡ ସେଣ୍ଟର ଗୁଡିକର ଏଥିରେ ବିଶେଷ ଭୂମିକା ରହୁଥିବାରୁ ଏହି ସେଣ୍ଟର ଗୁଡିକର ଠିକ୍ ଭାବରେ ଅନୁଧ୍ୟାନ ଏବଂ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଉକ୍ତ ସଭାରେ ସି.ଡି.ଏମ୍.ଓ ଡଃ ବିଜୟା ପଣ୍ଡା ,ଏ.ଡି.ପି.ଏଚ୍.ଓ (ପରିବାର କଲ୍ୟାଣ)ଡଃ ପ୍ରମୋଦ କୁମାର ବାରିକ ,ଡି.ପି.ଏମ୍ ଚକ୍ରଧର ଜେନା, ସ୍ତ୍ରୀ ଓ ପ୍ରସୂତି ବିଭାଗର ବରିଷ୍ଠ ବିଶେଷଜ୍ଞ ଡାକ୍ତର ରୁକ୍ମିଣୀ ଦେବୀ, ସରକାରୀ ଓକିଲ ସଲିଲ କୁମାର ଘୋଷ, ସମାଜସେବୀକା ଜ୍ୟୋତିର୍ମୟୀ ମହାନ୍ତି ଏବଂ ସ୍ୱେଚ୍ଛାସେବୀ ଅନୁଷ୍ଠାନ “ଆଶ୍ରା”ର ପ୍ରତିନିଧି ଉପସ୍ଥିତ ଥିଲେ।

ଉକ୍ତ ବୈଠକରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନି ରଞ୍ଜନ ପଟ୍ଟନାୟକ ଏବଂ ବରିଷ୍ଠ ସହାୟକ ବିନୋଦ କୁମାର ରଥ ଉପସ୍ଥିତ ଥିଲେ। ଶେଷରେ ଜିଲ୍ଲା ପିସି.ପି.ଏନ୍.ଡି.ଟି ର ଆସିଷ୍ଟାଣ୍ଟ ମ୍ୟାନେଜର ସ୍ବସ୍ତି ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।