Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ବିଜେପି ଗଡରେ ବିଜେଡି ସେନାପତି, କେବଳ ସମ୍ବଲପୁର ନୁହେଁ, ପୁରା ପଶ୍ଚିମ ଓଡିଶାର ମଙ୍ଗ ଧରିଲେ ପ୍ରଣବ

ଭୁବନେଶ୍ବର: ପଶ୍ଚିମ ଓଡିଶା ନିର୍ବାଚନୀ ଯୁଦ୍ଧ କ୍ଷେତ୍ରରେ ବିଜୁ ଜନତା ଦଳ ଏଥର ନିଜର ସେନାପତିଙ୍କୁ ଅବତୀର୍ଣ୍ଣ କରିଛି। ସେଠାରେ ସେ କେବଳ ଗଡ ବିଜୟ କରିବେ ନାହିଁ, ନିଜେ ବିଜୟୀ ହେବା ସହିତ ବିଜେପି ଗଡକୁ ଧୂଳିସାତ କରିବାକୁ ବ୍ୟୁହ ରଚନା କରିବେ।

ବିଜେଡିର ଏହି ସେନାପତି ହେଲେ ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ଗୋଟିଏ ରାଜନୈତିକ ପରିବାରରୁ ଆସିଥିବା ବିଜେଡିର ଏହି ଚାଣକ୍ୟ ଯାଜପୁର ଆସନରୁ ବିଧାୟକଭାବେ ନିର୍ବାଚିତ ହେବା ସହିତ ରାଜ୍ୟ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଥିଲେ। ବର୍ତ୍ତମାନର ଦଳର ରଣନୀତି ନିର୍ଦ୍ଧାରଣ ଓ ପରିଚାଳନାଭାର ତାଙ୍କ କାନ୍ଧରେ।

ତେବେ ଉପକୂଳ ଓଡିଶାର ଏହି ନେତାଙ୍କୁ ଚଳିତ ନିର୍ବାଚନରେ ବିଜେଡି ପଶ୍ଚିମ ଓଡିଶାର ଗଡ ସମ୍ଭାଳିବାକୁ ପଠାଇଛି । ସେ ଏଥର ସମ୍ବଲପୁର ଲୋକସଭା ପାଇଁ ଦଳୀୟ ପ୍ରାର୍ଥୀ ହୋଇଛନ୍ତି। ତାଙ୍କର ସିଧାସଳଖ ଲଢେଇ ହେବ ବିଜେପିର ଜାତୀୟ ଚେହେରା ତଥା କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କ ସହିତ ।

ଛାତ୍ର ରାଜନୀତିରୁ କ୍ୟାରିଅର ଆରମ୍ଭ କରିଥିବା ଧର୍ମେନ୍ଦ୍ର ଏବେ ଜାତୀୟ ସ୍ତରରେ ଆଗଧାଡିର ରାଜନେତା। ତାଙ୍କୁ ଟକ୍କର ଦେବେ ରାଜ୍ୟରେ ୨୫ବର୍ଷ ଧରି କ୍ଷମତାରେ ଥିବା ବିଜେଡିର ସାଂଗଠନିକ ସମ୍ପାଦକ। ତେଣୁ ସମ୍ବଲପୁରର ରୋଚକ ଲଢେଇକୁ ସମସ୍ତେ ଚାହିଁ ବସିଛନ୍ତି।

ପ୍ରଣବ ପଶ୍ଚିମ ଓଡିଶା ଯିବା ପଛରେ ରହିଛି ତାଙ୍କର ଓ ଦଳର ସୁଚିନ୍ତିତ ରଣନୀତି। କାରଣ ୨୦୧୯ ନିର୍ବାଚନରେ ପଶ୍ଚିମଓଡିଶାର ୫ଟି ଲୋକସଭା ଆସନ ଯଥା ସମ୍ବଲପୁର, ବରଗଡ, ସୁନ୍ଦରଗଡ, ବଲାଙ୍ଗିର ଓ କଳାହାଣ୍ଡିକୁ ବିଜେପି ହାତେଇ ନେଇଥିଲା। କେବଳ ବରଗଡକୁ ବାଦ୍‍ଦେଲେ ଅନ୍ୟ ୪ଟି ଲୋକସଭା ନିର୍ବାଚନମଣ୍ଡଳୀ ଅର୍ନ୍ତଗତ କେତେକ ବିଧାନସଭା କ୍ଷେତ୍ରରେ ବିଜେପିର ବିଧାୟକ ଜିଣିଥିଲେ।

ଏହି ୫ଟି ଆସନକୁ ବାଦ୍‍ ଦେଲେ ମୟୁରଭଞ୍ଜ, ବାଲେଶ୍ୱର ଓ ଭୁବନେଶ୍ୱର ଆସନ ମଧ୍ୟ ବିଜେପି ଦଖଲ କରିଥିଲା । ତେବେ ବିଜେଡିର ସଫଳ ଗୋଟିଚାଳନା ଯୋଗଁ ବିଜେପି ଉପକୂଳରେ ପଶ୍ଚିମଓଡିଶା ଭଳି ଫଳାଫଳ କରିପାରିନଥିଲା।

ଖୋଦ ସାଂଗଠନିକ ସମ୍ପାଦକ ଏଥର ସମ୍ବଲପୁରରେ ଲଢିବା ଫଳରେ ସେ ଗୋଟିଏ ତୀରରେ ଏକାଧିକ ଶିକାର କରିବେ ବୋଲି ଆଶା କରାଯାଉଛି। ପ୍ରଥମତଃ ବିଜେଡି ଶିବିର ଅଧିକ ଚଳଚଞ୍ଚଳ ହୋଇ ଲଢିବ। ଦ୍ୱିତୀୟରେ ନିର୍ବାଚନୀ ରଣନୀତିରେ ଓସ୍ତାଦ କୁହାଯାଉଥିବା ଧର୍ମେନ୍ଦ୍ରଙ୍କୁ ସମ୍ବଲପୁରରେ ପ୍ରଣବ ରୋକି ପାରିବେ।

କାରଣ ଧର୍ମେନ୍ଦ୍ର ସମ୍ବଲପୁରରେ ପ୍ରାର୍ଥୀ ହେବା ପରେ ବିଜେପି ପଶ୍ଚିମ ଓଡିଶାର ଅନ୍ୟ ଲୋକସଭା ଓ ଏହା ଅର୍ନ୍ତଗତ ବିଧାନସଭା କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଛି । ଏଥି ସହିତ ଧର୍ମେନ୍ଦ୍ର ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରଚାର କରିବେ। କିନ୍ତୁ ବିଜେଡିର ସେନାପତି ମଇଦାନକୁ ଓହ୍ଲାଇବା ପରେ ଚିତ୍ର ଧିରେ ଧିରେ ବଦଳିବାରେ ଲାଗିଛି ।

ସମ୍ବଲପୁର ଜିଲ୍ଲା ଦାୟିତ୍ୱରେ ଦୀର୍ଘଦିନ ଧରି ପ୍ରଣବ ରହିଥିବାବେଳେ ଜିଲ୍ଲାରେ ଅନେକ ଉନ୍ନୟନ ଓ ରୂପାନ୍ତରଣ କାର୍ଯ୍ୟ ହାତକୁ ନେଇ ପ୍ରତ୍ୟେକ୍ଷ ଭାବେ ଜିଲ୍ଲା ରାଜନୀତି ସହିତ ଜଡିତ ହୋଇଛନ୍ତି। ଫଳରେ ବିଜେଡିର ଏହି ସେନାପତି ଏବେ ସମ୍ବଲପୁରରେ ରହି ସମଗ୍ର ପଶ୍ଚିମଓଡିଶାକୁ ପ୍ରଭାବିତ କରିବେ। ଉପକୂଳ ଓଡିଶାରେ ବିଜେଡିର ପ୍ରଭାବ ଭଲ ରହିଥିବା ଏବଂ ପ୍ରଣବଙ୍କର ଜନସମ୍ପର୍କ ଭଲ ଥିବାରୁ ଉପକୂଳରେ ଅଳ୍ପ ସମୟ ଦେଇ ପୂର୍ବଭଳି ଦଳକୁ ସଫଳ କରାଇ ପାରିବେ ବୋଲି ବିଜେଡି ଆଶା ରଖିଛି।

ତେବେ ପଶ୍ଚିମଓଡିଶାରେ ଲୋକସଭା ମଇଦାନକୁ ବିଜେପି ତାହାର ଜଣେ କେନ୍ଦ୍ରମନ୍ତ୍ରୀ, ଜଣେ ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ସମେତ ଦୁଇ ଜଣ ରାଣୀ ଓ ପୂର୍ବତନ ବିଧାୟକଙ୍କୁ ମଇଦାନକୁ ଓହ୍ଲାଇ ଥିବାରୁ ବିଜେଡିର ସେନାପତି ସେମାନଙ୍କୁ ମାତ୍‍ ଦେବାପାଇଁ କେଉଁ ରଣନୀତି ଆପଣେଇବେ ତାହା ଉପରେ ଏବେ ସମସ୍ତଙ୍କ ନଜର।

ଉଲ୍ଲେଖନୀୟ ଯେ ସୁନ୍ଦରଗଡ ଲୋକସଭା ଆସନରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ପ୍ରାର୍ଥୀ ହୋଇଥିବାବେଳେ ବଲାଙ୍ଗିରରେ ରାଣୀ ସଙ୍ଗୀତା କୁମାରରୀ ସିଂହଦେଓ ଓ କଳାହାଣ୍ଡିରେ ରାଣୀ ମାଳବିକା କେଶରୀ ଦେଓ ଏବଂ ବରଗଡରେ ପୂର୍ବତନ ବିଧାୟିକ ପ୍ରଦୀପ ପୁରୋହିତଙ୍କୁ ବିଜେପି ପ୍ରାର୍ଥୀ କରିଛି। ଏମାନଙ୍କୁ ବିଜେଡିର ଏହି ସେନାପତି ପରାସ୍ତ କରିବା ସହିତ କିଭଳି ବିଜେଡିର ବିଜୟବାନା ଉଡାଉଛନ୍ତି ତାହା ଉପରେ ଏବେ ସମଗ୍ର ରାଜ୍ୟବାସୀଙ୍କ ନଜର।

Categories
ଆଜିର ଖବର ରାଜ୍ୟ ଖବର

ଆଜି ସମ୍ବଲପୁରରେ ଓଡ଼ିଶାର ପ୍ରଥମ ସ୍କିଲ୍ ଇଣ୍ଡିଆ ସେଣ୍ଟରର ଲୋକାର୍ପଣ କରିବେ କେନ୍ଦ୍ରମନ୍ତ୍ରୀ  

ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସମ୍ବଲପୁରରେ ଓଡ଼ିଶାର ପ୍ରଥମ ସ୍କିଲ୍ ଇଣ୍ଡିଆ ସେଣ୍ଟରର ଲୋକାର୍ପଣ କରିବେ। ଏହାସହ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ସନ୍ଥକବି ଭୀମ ଭୋଇ ଓ  ସ୍ୱଭାବ କବି ଗଙ୍ଗାଧର ମେହେର ଏବଂ ପଶ୍ଚିମ ଓଡ଼ିଶାର ସାଂସ୍କୃତିକ ଐତିହ୍ୟ ଉପରେ ୬ ଗୋଟି ଡାକ ଟିକେଟର ଉନ୍ମୋଚନ ସହ ୪୨ଟି ଡାକଘର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି।

ଶ୍ରୀ ପ୍ରଧାନ ମଙ୍ଗଳବାର ଦିନ ପ୍ରଥମେ ସମ୍ବଲପୁର ରେଳ ଷ୍ଟେସନରେ ସମ୍ବଲପୁର – ଦର୍ଶନ ନଗର – ସମ୍ବଲପୁର ଆସ୍ଥା ସ୍ୱତନ୍ତ୍ର ଟ୍ରେନର ଶୁଭାରମ୍ଭ କରିବେ। ସମ୍ବଲପୁର ଭେଦିକ ଆନ୍ତର୍ଜାତିକ ସ୍କୁଲରେ ରୋବୋଟିକ୍ ସେଣ୍ଟରର ଲୋକାର୍ପଣ କରିବେ। ପରେ ମାଝିପାଲି ଠାରେ ଓଡ଼ିଶାର ପ୍ରଥମ ସ୍କିଲ୍ ଇଣ୍ଡିଆ ସେଣ୍ଟରର ଉଦଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ଏହାପରେ ସମ୍ବଲପୁର ପିଏମ ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟରୁ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କରକମଳରେ ଉଦଘାଟିତ ଓ ଶିଳାନ୍ୟାସ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଡିହେବେ। ଏହି ଦିନ ପ୍ରଧାନମନ୍ତ୍ରୀ ସମ୍ବଲପୁର ପିଏମ ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟରେ ବହୁମୁଖୀ ସଭାଗୃହର ଶିଳାନ୍ୟାସ, ଫୁଟବଲ ଫର୍ ସ୍କୁଲ୍(ଏଫ୪ଏସ) କାର୍ଯ୍ୟକ୍ରମର ଶୁଭାରମ୍ଭ ବ୍ୟତିତ ଦେଶବ୍ୟାପୀ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରଣାଳୟର ବିଭିନ୍ନ ଲୋକାଭିମୁଖୀ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରିବେ।

ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ଶ୍ରୀ ପ୍ରଧାନ ଭାରତ ସରକାରଙ୍କ ଡାକ ବିଭାଗ ପକ୍ଷରୁ ସନ୍ଥକବି ଭୀମ ଭୋଇ ଓ  ସ୍ୱଭାବ କବି ଗଙ୍ଗାଧର ମେହେର ଏବଂ ପଶ୍ଚିମ ଓଡ଼ିଶାର ସାଂସ୍କୃତିକ ଐତିହ୍ୟ ଉପରେ ୬ ଗୋଟି ଡାକ ଟିକେଟ ଓ ଡାକ ଘର ଉନ୍ମୋଚନ କରିବେ। ପଶ୍ଚିମ ଓଡ଼ିଶାର ସାଂସ୍କୃତିକ ଐତିହ୍ୟ ତଥା ଧନୁଯାତ୍ରା, ନୂଆଖାଇ ପର୍ବ, ସମ୍ବଲପୁରୀ ବନ୍ଧ, ଶୀତଳ ଷଷ୍ଠୀ ଯାତ୍ରା ଓ ସମ୍ବଲପୁରୀ ନୃତ୍ୟ ଉପରେ ଡାକ ଟିକେଟ୍ ଉନ୍ମୋଚିତ ହେବ। ଏହାସହ ସମ୍ବଲପୁର, ବରଗଡ଼, ଦେବଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାର ୪୨ଟି ଡାକଘରର ଉଦଘାଟନ କରିବେ।

ଏହା ପରେ କେନ୍ଦ୍ରମନ୍ତ୍ରୀ ସମ୍ବଲପୁରରେ ପିଏମ ସ୍ୱନିଧି ଯୋଜନା ସମ୍ପର୍କୀତ ରାଷ୍ଟ୍ରୀୟ ଉଦ୍ୟମିତା ବିକାଶ ପରିଯୋଜନାର ଶୁଭାରମ୍ଭ କରିବେ। ଏହି ଗସ୍ତକାଳରେ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ନିକଟରେ ଲୋକାର୍ପିତ ହୋଇଥିବା ଝାରସୁଗୁଡ଼ାର ନବନିର୍ମିତ ମୁଖ୍ୟ ଡାକଘର ଐତିହ୍ୟ ଭବନ ପରିଦର୍ଶନ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି।

Categories
ଆଜିର ଖବର ରାଜ୍ୟ ଖବର

କେନ୍ଦ୍ରମନ୍ତ୍ରୀଙ୍କ ସହ ଆଇସିଏଚଆର, ଓଡ଼ିଶାର ଇତିହାସ ଗବେଷକ ଓ ନ୍ୟାସନାଲ ବୁକ୍ ଟ୍ରଷ୍ଟ ମଧ୍ୟରେ ବୈଠକ

ଭୁବନେଶ୍ଵର: ଦେଶକୁ ସ୍ୱତନ୍ତ୍ରତା ଦେବାରେ ଶହୀଦ ବୀର ଛବିଳ ସାଏଙ୍କ ସମେତ ପଶ୍ଚିମ ଓଡ଼ିଶାର ବୀର ସଂଗ୍ରାମୀ ମାନଙ୍କର ଭୂମିକା ଏବଂ ସେମାନଙ୍କ ବଳିଷ୍ଠ ଯୋଗଦାନ ଉପରେ ଗବେଷଣା କରିବା ପାଇଁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ ଠାରେ ଭାରତୀୟ ଇତିହାସ ଗବେଷଣା ପରିଷଦ (ଆଇସିଏଚଆର), ଓଡ଼ିଶାର ଇତିହାସ ଗବେଷକଗଣ ଏବଂ ନ୍ୟାସନାଲ ବୁକ ଟ୍ରଷ୍ଟ ସହ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଛନ୍ତି।

ଏହି ବୈଠକରେ ଓଡ଼ିଶାର ବିଶିଷ୍ଟ ଇତିହାସ ଗବେଷକ ହରିହର ପଣ୍ଡା, ଦୀପକ ପଣ୍ଡା, ଚଣ୍ଡୀ ପ୍ରସାଦ ନନ୍ଦ, ବିଭୂଦତ୍ତ ମିଶ୍ରଙ୍କ ସମେତ ଆଇସିଏଚଆର ଓ ନ୍ୟାସନାଲ ବୁକ ଟ୍ରଷ୍ଟର ଅଧିକାରୀମାନେ ଉପସ୍ଥିତ ଥିଲେ।

ଏହି ଆଲୋଚନା କାଳରେ ପଶ୍ଚିମ ଓଡ଼ିଶାର ସଂଗ୍ରାମୀ ମାନଙ୍କ ଅବଦାନକୁ ଗବେଷଣା କରିବା ସହ ପୁର୍ଣ୍ଣାଙ୍ଗ ପୁସ୍ତକର ରୂପ ଦେବା ଉପରେ ଚର୍ଚ୍ଚା ଆଲୋଚନା କରାଯାଇଥିଲା। ୧୮୫୭ ମସିହା ଡିସେମ୍ବର ୩୦ରେ ସମ୍ବଲପୁରର କୁଦୋପାଲି ଘାଟିରେ ବ୍ରିଟିଶଙ୍କ ଗୁଳିରେ ଶହୀଦ ହୋଇଥିବା ତୁଙ୍ଗବୀର ଛବିଳ ସାଏ ଏବଂ ତାଙ୍କର ୫୭ ଜଣ ସଂଗ୍ରାମୀମାନଙ୍କ ବଳିଦାନ ଉପରେ ଗବେଷଣା ତଥା ଅଧ୍ୟୟନ କରିବା ସହ ଔପଚାରିକ ଭାବେ ଏହାକୁ ଏକ ପୂର୍ଣ୍ଣାଙ୍ଗ ପୁସ୍ତକ ପ୍ରକାଶନ କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ସେହିପରି କୁଦୋପାଲି ବ୍ୟତୀତ ଏହି ମହାନ ସଂଗ୍ରାମରେ ରକ୍ତରଞ୍ଜିତ ହୋଇଥିବା ଅନ୍ୟାନ୍ୟ ସ୍ଥାନ ଯଥା ରଇଣ୍ଡା, କୁଲୁଣ୍ଡା, ଗଡପାଟି, ଝରଘାଟି, ସିଂଘୋଡା, ଚିତାଖାଇ ଆଦିକୁ ମଧ୍ୟ ଏହି ଗବେଷଣାରେ ସାମିଲ୍ କରି ଏହି ସ୍ଥାନ ଗୁଡିକର ନେତୃତ୍ୱ ନେଇଥିବା ସଂଗ୍ରାମୀଙ୍କ ଅବଦାନ ଉପରେ ତଥ୍ୟ ଯୋଗାଡ କରିବା ପାଇଁ ଶ୍ରୀ ପ୍ରଧାନ କହିଥିଲେ।

ଓଡ଼ିଶାର ସ୍ୱତନ୍ତ୍ରତା ସଂଗ୍ରାମର ଅନେକ ଅକୁହା କଥା ଓ ଗାଥା ଅଛି। ଇତିହାସ ପୃଷ୍ଠାରେ ଅନାଲୋଚିତ ଅଜଣା ନାୟକ ମାନଙ୍କୁ ଖୋଜି ସେମାନଙ୍କୁ ରାଷ୍ଟ୍ରୀୟ ସ୍ତରରେ ପରିଚିତ କରାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ କରିଛନ୍ତି। ଅନାଲୋଚିତ ସଂଗ୍ରାମୀଙ୍କ ବୀରଗାଥାକୁ ଲୋକଲୋଚନକୁ ଆଣିବା ଜାତୀୟ ଶିକ୍ଷା ନୀତିର ଉଦ୍ଦେଶ୍ୟ ରହିଛି। ଏହି କ୍ରମରେ ଶ୍ରୀ ପ୍ରଧାନ ବୈଠକ ପରେ ପଶ୍ଚିମ ଓଡ଼ିଶାରେ ସ୍ୱାଧୀନତା ସଂଗ୍ରାମ ଏବଂ ଏହି ସଂଗ୍ରାମରେ ବୀର ଛବିଳ ସାଏ ଏବଂ ଶହୀଦ ହୋଇଥିବା ତାଙ୍କର ଅନ୍ୟ ୫୭ ଜଣ ସ୍ୱାଧୀନତା ସଂଗ୍ରାମୀଙ୍କ ଭୂମିକା ଉପରେ ଅଧ୍ୟୟନ କରିବା ପାଇଁ ଏକ ‘ଗବେଷଣା ପ୍ରକଳ୍ପ’(Research Project) ଆରମ୍ଭ କରିବା ପାଇଁ ଆଇସିଏଚଆରର ଚେୟାରମ୍ୟାନ ପ୍ରଫେସର ରଘୁବେନ୍ଦ୍ର ତନଓ୍ୱାରଙ୍କୁ ପତ୍ର ଲେଖି ଜଣାଇଛନ୍ତି।

ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ପଶ୍ଚିମ ଓଡ଼ିଶାର ସାଂସ୍କୃତିକ କେନ୍ଦ୍ର ସମ୍ବଲପୁରରେ ବ୍ରିଟିଶ ଶାସନ ବିରୋଧୀ ଲଢେଇର ସମୃଦ୍ଧ ଇତିହାସ ରହିଛି । ଏହି ଅଞ୍ଚଳର ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ ଓ ତାଙ୍କ ସହଯୋଗୀମାନଙ୍କ ଠାରୁ ଆରମ୍ଭ କରି ଅନେକ ସଂଗ୍ରାମୀ ୧୮୫୭ ବିଦ୍ରୋହରେ ବୀରତ୍ୱର ସହ ଲଢ଼ିବା ସହ  ଜାତୀୟ ଆନ୍ଦୋଳନରେ ଭାଗ ନେଇ ଦେଶକୁ ସ୍ୱାଧୀନତା ଦେବା ପାଇଁ ବଳିଦାନ ଦେଇଥିଲେ ।

ସମ୍ବଲପୁର ଅଞ୍ଚଳରେ ସୁରେନ୍ଦ୍ର ସାଏଙ୍କ ୧୮୨୭ରୁ ୧୮୪୦ ଏବଂ ୧୮୫୭ରୁ ୧୮୬୨ ପର୍ଯ୍ୟନ୍ତ ବ୍ରିଟିଶ ସାମ୍ରାଜ୍ୟବାଦ ବିରୋଧରେ ଓଡ଼ିଶାର ପ୍ରତିରୋଧ ଆନ୍ଦୋଳନ ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଥିଲା । ଯେତେବେଳେ ୧୮୪୯ ମସିହାରେ ସମ୍ବଲପୁରକୁ ଇଂରେଜମାନେ “ଡକ୍ଟ୍ରିନ ଅଫ୍ ଲାପସ୍” ଅଧୀନରେ ଅକ୍ତିଆର କରିଥିଲେ ସେତେବେଳେ ବୀର ସୁରେନ୍ଦ୍ର ସାଏ ବ୍ରିଟିଶ ସରକାରଙ୍କ ବିରୋଧରେ ବିଦ୍ରୋହ ଆରମ୍ଭ କରିଥିଲେ । ୧୮୫୭ ମସିହାରେ ସମ୍ବଲପୁରର ବିଦ୍ରୋହ ମୁଖ୍ୟତଃ ଏକ ଜନଜାତି ବିଦ୍ରୋହ ଥିଲା ଯେଉଁଥିରେ ଘେଁସ, କୋଲାବିରା, , ପାହାଡ଼ଶ୍ରୀଗିଡ଼ା, ମଚିଦା, କୁଡ଼ାବଗା, ଲାଇଡା, ଲୋଇସିଂହା, ଲଖନପୁର, ଭେଡେନ, ପାଟକୁଲୁଣ୍ଡା ଆଦି ଜମିଦାର ଏବଂ ତାଙ୍କ ପରିବାର ସୁରେନ୍ଦ୍ର ସାଏଙ୍କ ଉଦ୍ଦେଶ୍ୟରେ କାର୍ଯ୍ୟ କରୁଥିଲେ । ଏହି ସମର୍ଥକମାନେ ୧୮୫୭ରୁ ୧୮୬୨ ପର୍ଯ୍ୟନ୍ତ ଗରିଲା ଯୁଦ୍ଧ ମାଧ୍ୟମରେ ଇଂରେଜମାନଙ୍କ ସହ ଲଢ଼େଇ କରିଥିଲେ । ସେମାନେ ଏହି ଅଞ୍ଚଳର ଜନଜାତି ଓ ଜମିଦାରମାନଙ୍କୁ ଏକାଠି କରିଥିଲେ ଏବଂ ଗରିଲା ଯୁଦ୍ଧ କୌଶଳ ବ୍ୟବହାର କରି ବ୍ରିଟିଶ ସେନା ବିରୋଧରେ ଲଢ଼େଇ କରିଥିଲେ ।

ଏହି ବିଦ୍ରୋହ ସମୟରେ ସମ୍ବଲପୁର ଠାରୁ ମାତ୍ର ୪ ମାଇଲ ଦୂର କୁଦୋପାଲି ଘାଟିରେ ବୀର ଛବିଳ ସାଏ ଓ ଅନ୍ୟ ୫୩ ଜଣ ସ୍ୱାଧୀନତା ସଂଗ୍ରାମୀଙ୍କୁ ହତ୍ୟା କରାଯାଇଥିଲା ଓ ପରବର୍ତ୍ତୀ ପର୍ଯ୍ୟାୟରେ ୪ ଜଣ ସଂଗ୍ରାମୀଙ୍କୁ ଫାଶୀଦଣ୍ଡାଦେଶ ଦିଆଯାଇଥିଲା ।  ଇଂରେଜମାନେ ୧୮୫୭ ମସିହା ଡିସେମ୍ବର ୩୦ ତାରିଖରେ କୁଦୋପାଲି ଘାଟି ଉପରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ବୀର ଛବିଳ ସାଏ, ଶ୍ରୀକୃଷ୍ଣ ବେହେରା, ବାମଣ୍ଡା ରାଜ୍ୟ କୁସାଲର କନ୍ଧ ଜମିଦାର, କୋଳବିରାର କରୁଣାକର ନାୟକଙ୍କ ପୁତ୍ର କୃଷ୍ଣଚନ୍ଦ୍ର ନାଏକ ଶହୀଦ ହୋଇଥିଲେ । ଏହାସହ  ଏହି ଆକ୍ରମଣରେ ପ୍ରାଣ ହରାଇଥିବା ଅନ୍ୟମାନଙ୍କ ମଧ୍ୟରେ ଥିଲେ ୫ ଜଣ ଯୋଦ୍ଧା ବଳଭଦ୍ର ଦାସ, ପାତ୍ରପାଲିର ଗଉନ୍ତିଆ, କୁଦୋପାଲିର ବାଲକି ଗଣ୍ଡ, ବାଲମୁକୁନ୍ଦ କନ୍ଧ, ଚୁନ୍ଦି କୁଦ, ହାଡୁ ଗଣ୍ଡ ଏବଂ ବୁଦ୍ଧୁ ଗଣ୍ଡ ଏବଂ ଅନେକ ସଂଗ୍ରାମୀଗଣ ।

ତିନି ଦଶନ୍ଧିରୁ ଅଧିକ ସମୟ ଧରି ଚାଲିଥିବା ଏହି ବିଦ୍ରୋହରେ ଅନେକ ବୀର ସଂଗ୍ରାମୀମାନେ ବ୍ରିଟିଶମାନଙ୍କ ନିଷ୍ଠୁର ଓ ବର୍ବରତା ଶକ୍ତି ବିରୋଧରେ ଲଢେଇ କରି ଦେଶ ପାଇଁ ବଳିଦାନ ଦେଇଥିଲେ । ତେବେ ଏହି ବୀର ସଂଗ୍ରାମୀଙ୍କ ବୀରଗାଥାର କାହାଣୀକୁ ଆବଶ୍ୟକ ତଥ୍ୟ ଓ ଦସ୍ତାବିଜ ନଥିବାରୁ ଅନେକ ସଂଗ୍ରାମୀ ଇତିହାସ ପୃଷ୍ଠାରେ ଅଜଣା ଏବ ଅନାଲୋଚିତ । ତେଣୁ ପଶ୍ଚିମ ଓଡ଼ିଶାର ଇତିହାସ ପୃଷ୍ଠାରେ ଅନାଲୋଚିତ ବୀରମାନଙ୍କ ଇତିହାସ ଓ ସେମାନଙ୍କ ଭୂମିକା ଏବଂ ଜାତୀୟ ଆନ୍ଦୋଳନ ଉପରେ ସେମାନଙ୍କ ଉପରେ ପଡିଥିବା ପ୍ରଭାବ ଉପରେ ଅନୁସନ୍ଧାନ କରିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ।

ଉଲ୍ଲେଖନୀୟ ଯେ, ଗତ ଡିସେମ୍ବର ୩୦ ତାରିଖରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୁଦୋପାଲି ଠାରେ ‘ବୀର ଛବିଳ ସାଏ ସ୍ମୃତି କମିଟି’ ପକ୍ଷରୁ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇ ଆଇସିଏଚଆର୍ ମାଧ୍ୟମରେ କୁଦୋପାଲିର ଇତିହାସ ଉପରେ ଗବେଷଣା କରିବା ପାଇଁ ମତ ରଖିଥିଲେ  ।

Categories
ଆଜିର ଖବର ଜାତୀୟ ଖବର

୬୭୦୦ କୋଟି ଟଙ୍କାର ୨ଟି ପ୍ରସ୍ତାବିତ ରେଳ ପ୍ରକଳ୍ପରୁ ଓଡିଶାରେ ଗୋଟିଏ

ଦିଲ୍ଲୀ: ପ୍ରଧାନମନ୍ତ୍ରୀ ଗତିଶକ୍ତି ଅଧୀନରେ ୫୬ତମ ନେଟୱାର୍କ ପ୍ଲାନିଂ ଗ୍ରୁପ୍ (ନେଟୱର୍କ ଯୋଜନା ଗୋଷ୍ଠୀ) ବୈଠକରେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ (ଏମ୍ଓଆର୍ଟିଏଚ୍) ର ୪ଟି ପ୍ରକଳ୍ପ ଏବଂ ରେଳ ମନ୍ତ୍ରଣାଳୟର ୨ଟି ପ୍ରକଳ୍ପ ସମେତ ୬ଟି ପ୍ରକଳ୍ପ ପ୍ରସ୍ତାବର ଆକଳନ କରାଯାଇଥିଲା, ଯାହାର ସମୁଦାୟ ବ୍ୟୟ ଅଟକଳ ପ୍ରାୟ ୫୨,୦୦୦ କୋଟି ଟଙ୍କା ରହିଛି। ଲଜିଷ୍ଟିକ୍ସ, ଶିଳ୍ପ ସମ୍ବର୍ଦ୍ଧନ ଓ ଆନ୍ତରିଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ (ଡିପିଆଇଆଇଟି)ର ସ୍ୱତନ୍ତ୍ର ସଚିବ ଶ୍ରୀମତୀ ସୁମିତା ଦାୱରାଙ୍କ ଅଧ୍ୟକ୍ଷତାରେ ଗତକାଲି ନୂଆଦିଲ୍ଲୀର ଯଶୋଭୂମି କନଭେନ୍ସନ୍ ସେଣ୍ଟରରେ ୫୬ତମ ଏନ୍ପିଜି ବୈଠକ ଅନୁଷ୍ଠିତ ହୋଇଥିଲା। ପିଏମ୍ ଗତିଶକ୍ତି ଆଭିମୁଖ୍ୟ ଆରମ୍ଭ ହେବା ପର ଠାରୁ ଏନ୍ପିଜି ଦ୍ୱାରା ଆକଳନ କରାଯାଇଥିବା ମୋଟ ପ୍ରକଳ୍ପ ପ୍ୟୟ ପ୍ରାୟ ୧୧.୫୩ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇବା ସହିତ ପ୍ରକଳ୍ପ ସଂଖ୍ୟା ୧୧୨ ହୋଇ ଯାଇଛି । ଏମଓଆରଟିଏଚ୍ ପ୍ରାୟ ୪୫୦୦୦ କୋଟି ଟଙ୍କାର ୪ଟି ସଡ଼କ ପ୍ରକଳ୍ପ ଏନପିଜି ନିକଟରେ ଉପସ୍ଥାପିତ କରିଥିଲା ଏବଂ ଏଥିରେ ଗତିଶକ୍ତି ନିୟମାବଳୀର ଅନୁପାଳନ ପ୍ରଦର୍ଶନ କରିଥିଲା।

ଏହି ବୈଠକରେ , ପ୍ରାୟ ୬୭୦୦ କୋଟି ଟଙ୍କାର ମୋଟ ପ୍ରକଳ୍ପ ବ୍ୟୟରେ ଦୁଇଟି ରେଳ ପ୍ରକଳ୍ପ ପ୍ରସ୍ତାବକୁ ଆକଳନ କରା ଯାଇଥିଲା । ଏହା ମଧ୍ୟରୁ ଗୋଟିଏ ପ୍ରସ୍ତାବିତ ଗ୍ରୀନଫିଲ୍ଡ ରେଳଲାଇନ ପ୍ରକଳ୍ପ ଓଡ଼ିଶାରେ ଅବସ୍ଥିତ ଏବଂ ଏହା ଗଞ୍ଜାମ, ନୟାଗଡ଼, କନ୍ଧମାଳ, ବୌଦ୍ଧ, ସମ୍ବଲପୁର ଓ ଅନଗୁଳ ଜିଲ୍ଲା ଦେଇ ଯିବ । ଏହା ପଶ୍ଚିମ ଓଡ଼ିଶାର ଶିଳ୍ପ ଓ ଖଣିଜ କ୍ଲଷ୍ଟରକୁ ପୂର୍ବତଟ ବନ୍ଦର ସହ ସଂଯୋଗ କରିବ । ଏହା ବ୍ୟତୀତ ପୂର୍ବ ଛତିଶଗଡ଼ ଶିଳ୍ପ କ୍ଲଷ୍ଟର ଗୁଡ଼ିକର ପୂର୍ବତଟ ବନ୍ଦର ସହିତ ସଂଯୋଗ ଦୂରତା କମ୍ ହେବ । ଏହି ରେଳଲାଇନ କନ୍ଧମାଳ ଓ ବୌଦ୍ଧ ଜିଲ୍ଲାର ଆଦିବାସୀ ଅଂଚଳରେ ସାମଗ୍ରିକ ସାମାଜିକ ଓ ଅର୍ଥନୈତିକ ବିକାଶ ଆଣିବ ଏବଂ ପ୍ରସ୍ତାବିତ ଲାଇନରେ ନୂତନ ଶିଳ୍ପ କରିଡର ପାଇଁ ସୁଯୋଗ ଉନ୍ମୁକ୍ତ କରିବ ବୋଲି ଆଶା କରାଯାଉଛି ।

ଅନ୍ୟ ଏକ ପ୍ରସ୍ତାବିତ ରେଳ ପ୍ରକଳ୍ପ କେରଳ ରାଜ୍ୟରେ ଅବସ୍ଥିତ ଏବଂ ଏଥିରେ ରେଳ ଲାଇନର ଦୋହରୀକରଣ ଅନ୍ତର୍ଭୁକ୍ତ । ପ୍ରସ୍ତାବିତ ଭିତ୍ତିଭୂମି ବୃଦ୍ଧି ଦକ୍ଷିଣ ରେଳପଥର ଏକ ଅତ୍ୟଧିକ ଚାପଗ୍ରସ୍ତ କରିଡରରେ ରେଳ ଚଳାଚଳର ଗୁଣବତ୍ତାରେ ଉନ୍ନତି ଆଣିବ । ଏହା ବ୍ୟତୀତ ଏହା ଦ୍ୱାରା ଉଭୟ ମାଲବାହୀ ଓ ଯାତ୍ରୀବାହୀ ଟ୍ରେନର ଯାତ୍ରା ସମୟ ହ୍ରାସ ପାଇବ ।

ପ୍ରଥମ ପ୍ରସ୍ତାବିତ ସଡକ ପ୍ରକଳ୍ପ ହେଉଛି ଗୁଜରାଟ ଏବଂ ମହାରାଷ୍ଟ୍ର ରାଜ୍ୟରେ ଅବସ୍ଥିତ ଏକ ଗ୍ରୀନଫିଲ୍ଡ ମାର୍ଗ, ଯାହା କେବଳ ନବସାରୀ, ନାସିକ, ଅହମ୍ମଦନଗର ଜିଲ୍ଲାର ଶିଳ୍ପାଞ୍ଚଳ ନୁହେଁ ବରଂ ଏହି ଅଞ୍ଚଳର କୃଷି କ୍ଷେତ୍ରକୁ ମଧ୍ୟ ଉପକୃତ କରିବ । ଏହା ବ୍ୟତୀତ ଏହି ପ୍ରକଳ୍ପ ନବସାରୀ, ବଲସାଦ ଏବଂ ନାସିକ ଭଳି ଆଦିବାସୀ ଜିଲ୍ଲା ଗୁଡ଼ିକର ସାମଗ୍ରିକ ସାମାଜିକ – ଅର୍ଥନୈତିକ ବିକାଶରେ ସହଜ ଏବଂ ସୁବିଧାଜନକ ଯୋଗାଯୋଗ ପ୍ରଦାନ କରିବ ବୋଲି ଆଶା କରାଯାଉଛି । ଏହା ଦ୍ୱାରା ଏହି ଅଞ୍ଚଳର ପର୍ଯ୍ୟଟନ କ୍ଷେତ୍ର ମଧ୍ୟ ଉପକୃତ ହେବ ଏବଂ ଉସମାନବାଦ ଭଳି ଆକାଂକ୍ଷୀ ଜିଲ୍ଲା ଗୁଡ଼ିକୁ ମଧ୍ୟ ସଂଯୋଗ କରିବ ।

ଦ୍ୱିତୀୟ ଗ୍ରୀନଫିଲ୍ଡ ରାସ୍ତା ପ୍ରକଳ୍ପ ମଧ୍ୟ ଗୁଜରାଟ ରାଜ୍ୟରେ ଅବସ୍ଥିତ, ଯାହା ବନସକଣ୍ଠା, ପାଟନ, ମହେସାନା, ଗାନ୍ଧୀନଗର ଏବଂ ଅହମ୍ମଦାବାଦ ଜିଲ୍ଲା ଦେଇ ଯିବ । ଏହା ଅମୃତସର – ଜାମନଗର ଅର୍ଥନୈତିକ କରିଡରକୁ ଅହମ୍ମଦାବାଦ ଏବଂ ଭଦୋଦରା ସହିତ ସଂଯୋଗ କରିବ ଏବଂ ପରିବହନର ଅନ୍ୟାନ୍ୟ ମାଧ୍ୟମ ସହିତ ସମନ୍ୱିତ ହେବ, ଯାହା ଫଳରେ ଏହି ଅଞ୍ଚଳରେ ବହୁମୁଖୀ ପ୍ରୋତ୍ସାହନ ଏବଂ ଉପଯୋଗ କ୍ଷେତ୍ରରେ ଏହା ଯୋଗଦାନ କରିବ ।

ପ୍ରସ୍ତାବିତ ତୃତୀୟ ସଡ଼କ ପ୍ରକଳ୍ପ ବିହାର ରାଜ୍ୟରେ ଅବସ୍ଥିତ ଏବଂ ଏଥିରେ ଭାରତମାଳା ପରିଯୋଜନା ଅଧୀନରେ ପାଟନା – ଆରା – ସାସାରାମ କରିଡରର ୪ ଲେନ୍ ରାସ୍ତା ନିର୍ମାଣ ଅନ୍ତର୍ଭୁକ୍ତ । ଆଦିବାସୀ ଅଂଚଳ ସମେତ ବାମପନ୍ଥୀ ଉଗ୍ରବାଦ (ଏଲଡବ୍ଲୁଇ) ପ୍ରଭାବିତ ଜିଲ୍ଲା ମାନଙ୍କରେ ଏହି ପ୍ରକଳ୍ପ ସାମାଜିକ – ଅର୍ଥନୈତିକ ବିକାଶ ଆଣିବ ବୋଲି ଆଶା କରାଯାଉଛି । ଏହି ପ୍ରକଳ୍ପ ପୂର୍ବରୁ ରହିଥିବା ମାର୍ଗ ଏବଂ ଯାତ୍ରା ସମୟକୁ ହ୍ରାସ କରି ଲଜିଷ୍ଟିକ୍ ଦକ୍ଷତାରେ ଉନ୍ନତି ଆଣିବା କ୍ଷେତ୍ରରେ ସହାୟକ ହେବ ଏବଂ ଉତ୍ତର ପ୍ରଦେଶରୁ ପୂର୍ବାଂଚଳ ଏକ୍ସପ୍ରେସୱେ ଦେଇ ଏବଂ ଝାଡ଼ଖଣ୍ଡ ଏବଂ ପାଟନା ଅଭିମୁଖେ ଯାଉଥିବା ଟ୍ରାଫିକ୍ ପାଇଁ ନିରବଚ୍ଛିନ୍ନ ଯୋଗାଯୋଗ ପ୍ରଦାନ କରିବ । ଏହା ଏହି ଅଞ୍ଚଳର ଜଳପଥକୁ ମଧ୍ୟ ସମନ୍ୱିତ କରିବ ।

ଏହି ବୈଠକରେ ଆଲୋଚନା ହୋଇଥିବା ଚତୁର୍ଥ ସଡ଼କ ପ୍ରକଳ୍ପ ଉତ୍ତରପ୍ରଦେଶରେ ଅବସ୍ଥିତ ଏବଂ ଏହା ମଧ୍ୟପ୍ରଦେଶ, ରାଜସ୍ଥାନ, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡ ମଧ୍ୟରେ ଆନ୍ତଃରାଜ୍ୟ ଯୋଗାଯୋଗ କ୍ଷେତ୍ରରେ ଉନ୍ନତି ଆଣିବା ଉଦ୍ଦେଶ୍ୟରେ କରାଯାଉଛି ।

ଏହି ବୈଠକରେ ଏନପିଜି ସ୍ୱୀକାର କରିଛି ଯେ ଏହି ପ୍ରକଳ୍ପ ଗୁଡିକ ଶିଳ୍ପ ବିକାଶର ଦ୍ୱାର ଉନ୍ମୁକ୍ତ କରି ଅନେକ ଆକାଂକ୍ଷୀ ଜିଲ୍ଲା ଏବଂ ଆଦିବାସୀ ଜିଲ୍ଲାକୁ ଉପକୃତ କରିବ ।

ଏହି ବୈଠକରେ ସଦସ୍ୟ ବିଭାଗ ଓ ମନ୍ତ୍ରଣାଳୟ, ଯଥା : ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ, ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ, ରେଳ ମନ୍ତ୍ରଣାଳୟ, ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟ, ଶକ୍ତି ମନ୍ତ୍ରଣାଳୟ, ନୂତନ ଏବଂ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ, ଦୂରସଂଚାର ବିଭାଗ ଏବଂ ନୀତି ଆୟୋଗର ବରିଷ୍ଠ ଅଧିକାରୀମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

ବୈଠକରେ ପ୍ରକଳ୍ପ ଯୋଜନା ନିୟୋଜନରେ ପିଏମ୍ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ୍ (ଏନ୍ଏମ୍ପି) ପୋର୍ଟାଲ୍ ବ୍ୟବହାର କରିବାର ଉପକାରିତା ଉପରେ ଆଲୋକପାତ କରାଯାଇଥିଲା ଏବଂ ଅଭିଜ୍ଞତା ଏହା ଦର୍ଶାଉଛି ଯେ ଏନ୍ଏମପି ପୋର୍ଟାଲ୍ କିପରି ଖର୍ଚ୍ଚରେ ପ୍ରଭାବଶାଳୀ ହୋଇପାରିଛି ଏବଂ ପ୍ରକଳ୍ପ ଯୋଜନାରେ ସମୟ ସଞ୍ଚୟ କରୁଛି ସେ ସମ୍ପର୍କରେ ଆଲୋଚନା ହୋଇଥିଲା ।

ଡିଜିଟାଲ ସର୍ଭେ ମାଧ୍ୟମରେ ଯୋଜନା କରିବା ଭିତ୍ତିଭୂମି ଯୋଜନା ପ୍ରକ୍ରିୟାରେ ବୈପ୍ଳବିକ ପରିବର୍ତ୍ତନ ଆଣିଛି ଯାହା ଫଳରେ ଡିପିଆର୍ ପ୍ରସ୍ତୁତି ପାଇଁ ଲାଗୁଥିବା ସମୟ ହ୍ରାସ ପାଉଛି, ଜଙ୍ଗଲ / ଅର୍ଥନୈତିକ କ୍ଷେତ୍ର / ପ୍ରତ୍ନତାତ୍ତ୍ୱିକ ସ୍ଥାନ / ସାମାଜିକ ନୋଡ୍ ଇତ୍ୟାଦି ସହିତ ଯୋଜନାବଦ୍ଧ ପ୍ରକଳ୍ପର ସଂଯୋଗ ଗୁଡ଼ିକର ସହଜ ଦୃଶ୍ୟମାନ ହେଉଛି । ଏହା ପ୍ରକଳ୍ପ କ୍ଷେତ୍ରର ପ୍ରମୁଖ ସାମାଜିକ ତଥା ଅର୍ଥନୈତିକ କ୍ଷେତ୍ରକୁ ମାର୍ଗ ଏବଂ ସଂରେଖିତ ଅନୁକୂଳନ ଏବଂ ପ୍ରଭାବଶାଳୀ ଅନ୍ତିମ / ପ୍ରଥମ ମାଇଲ୍ ସଂଯୋଗ ଯୋଜନାରେ ମଧ୍ୟ ସାହାଯ୍ୟ କରେ ବୋଲି ଏଥିରେ ଉଲ୍ଲେଖ କରାଯାଇଛି ।

ଏହା ବ୍ୟତୀତ, ଏହି ପ୍ରକଳ୍ପ ଗୁଡିକ ପରିବହନର ଅନ୍ୟ ମାଧ୍ୟମ ସହିତ ଭଲ ଭାବରେ ସମନ୍ୱିତ ଏବଂ ତେଣୁ ଏହା ବହୁମୁଖୀତାକୁ ପ୍ରୋତ୍ସାହିତ କରିବ ।

ଏହି ଅଞ୍ଚଳର ସାମଗ୍ରିକ ସାମାଜିକ – ଅର୍ଥନୈତିକ ଉନ୍ନତିକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଗତିଶକ୍ତି ଦୃଷ୍ଟିକୋଣରୁ ପ୍ରକଳ୍ପ ଗୁଡିକର ମୂଲ୍ୟାଙ୍କନ ସମୟରେ ପ୍ରକଳ୍ପ ଯୋଜନାରେ କ୍ଷେତ୍ର ବିକାଶ ଆଭିମୁଖ୍ୟ ଏନପିଜିର କେନ୍ଦ୍ରବିନ୍ଦୁ ଥିଲା ।

ବିଭିନ୍ନ ପରିବହନ ପଦ୍ଧତିର ନିରବଚ୍ଛିନ୍ନ ସମନ୍ୱୟ ଏବଂ ବହୁମୁଖୀ ସଂଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରଧାନମନ୍ତ୍ରୀ ଗତିଶକ୍ତି ନିର୍ଦ୍ଦେଶାବଳୀକୁ ଗ୍ରହଣ କରିବାର ଗୁରୁତ୍ୱ ଉଭୟ ଅର୍ଥନୈତିକ ଏବଂ ସାମାଜିକ ବିକାଶ ପାଇଁ ଲାଭଦାୟକ ବୋଲି ବିଚାର କରାଯାଉଥିବା ସମସ୍ତ ପ୍ରକଳ୍ପରେ ଦେଖିବାକୁ ମିଳିଥିଲା ।

Categories
ଆଜିର ଖବର ରାଜ୍ୟ ଖବର

ପ୍ରତିଶୃତି ପୂରଣ କଲେ ରେଳ ମନ୍ତ୍ରୀ: ପଶ୍ଚିମ ଏବଂ ଦକ୍ଷିଣ ଓଡିଶାରେ ରେଳ ଗମନାଗମନ ସଂଯୋଗ ବୃଦ୍ଧି

ଭୁବନେଶ୍ଵର: ପ୍ରତିଶ୍ରୁତି ପାଳନ କରିବାର ରେକର୍ଡ ଜାରି କରି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓଡିଶାର ପଶ୍ଚିମ ଏବଂ ଦକ୍ଷିଣ ଅଞ୍ଚଳ ଜିଲ୍ଲା ମାନଙ୍କରେ ରେଳ ସେବା ବୃଦ୍ଧି ପାଇଁ ତାଙ୍କର ପ୍ରତିବଦ୍ଧତାକୁ ପୁଣି ଥରେ ପ୍ରମାଣ କରିଛନ୍ତି। ବଲାଙ୍ଗୀର, ବରଗଡ, କଳାହାଣ୍ଡି, ରାୟଗଡା ଏବଂ ଅନ୍ୟାନ୍ୟ ଅଞ୍ଚଳର ଲୋକଙ୍କ ଦୀର୍ଘ ଦିନର ଚାହିଦା ପୂରଣ ହୋଇଛି।

ଦକ୍ଷିଣ ଏବଂ ପଶ୍ଚିମ ଓଡିଶା ଲୋକଙ୍କୁ ବନାରସ ସହିତ ସଂଯୋଗ କରିବା ଏହି ପ୍ରୟାସର ଉଦ୍ଦେଶ୍ୟ। ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ବିକାଶ ହେଉଛି ଦକ୍ଷିଣ ଓଡ଼ିଶାର ଲୋକମାନଙ୍କ ପାଇଁ ବନାରସକୁ ଟ୍ରେନ୍ ସେବା ଯୋଗାଇବା। ଏହି ସଂଯୋଗର ଚାହିଦା ଅଶ୍ୱିନୀ ବୈଷ୍ଣବଙ୍କ ଜନ-ଆଶୀର୍ବାଦ ଯତ୍ରା ସମେତ ଏହି ଅଞ୍ଚଳ ଗସ୍ତ ସମୟରେ ସ୍ୱର ଉତ୍ତୋଳନ କରାଯାଇଥିଲା ଏବଂ ସେ ସେମାନଙ୍କର ଆବଶ୍ୟକତା ପୂରଣ ହେବ ବୋଲି ଲୋକଙ୍କୁ ଆଶ୍ୱାସନା ଦେଇଥିଲେ। କାଶୀ କୁ ରେଳ ସଂଯୋଗର ମହତ୍ବକୁ ଅବହେଳା କରାଯାଇପାରିବ ନାହିଁ, କାରଣ ଏହା ଏହି ଅଞ୍ଚଳର ଅଧିବାସୀମାନଙ୍କୁ ଆହ୍ଲାବାଦ ଏବଂ ବାରାଣାସୀରେ ରୀତିନୀତି କରିବା ଭଳି ଗୁରୁତ୍ୱପୂର୍ଣ୍ଣ ଯାତ୍ରା କରିବାକୁ ସହାୟତା ହେବ।

ସମ୍ବଲପୁର ଠାରୁ ବିଶାଖାପାଟନମ୍ ପର୍ଯ୍ୟନ୍ତ ରେଳ ଲିଙ୍କ ଓଡ଼ିଶାର ଦକ୍ଷିଣ ଓ ପଶ୍ଚିମାଞ୍ଚଳ ଲୋକଙ୍କ ଜୀବନରେଖା ଭଳି କାର୍ଯ୍ୟ କରିବ। ଏହା ସହିତ ଦକ୍ଷିଣ ଓଡିଶାର ଲୋକମାନଙ୍କର ଏକାଧିକ କାର୍ଯ୍ୟ ଉଦ୍ଦେଶ୍ୟରେ ସେବା କରିବ। ସର୍ବପ୍ରଥମେ, ଏହା ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଏବଂ ଶିକ୍ଷା ସେବାରେ ସହଜ ପାଇଁ ଚାହିଦା ପୂରଣ କରିବ କାରଣ ଏହି ଅଞ୍ଚଳର ଅନେକ ବାସିନ୍ଦା ସ୍ୱାସ୍ଥ୍ୟ ଓଃ ଶିକ୍ଷା ପାଇଁ ବିଶାଖାପାଟନମ୍ ଯାତ୍ରା କରନ୍ତି। ଏହି ପଦକ୍ଷେପ ନୂତନ ବ୍ୟବସାୟ ଏବଂ ବାଣିଜ୍ୟ ସହଭାଗୀତା ପ୍ରତିପାଦନ ପାଇଁ ମଧ୍ୟ ପ୍ରତିଶୃତି ପୂରଣ କରିବ, ଯାହାଦ୍ୱାରା ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହେବ।

ରେଳ ସଂଯୋଗୀକରଣରେ ବିପ୍ଳବ ଆଣି ସମ୍ବଲପୁର ଏବଂ ବିଶାଖାପାଟନମ୍ ମଧ୍ୟରେ ଟ୍ରେନ୍ ସେବା ସମ୍ପ୍ରସାରଣ ରେଳ ସଂଯୋଗରେ ଏକ ଗୁରୁତ୍ୱପୂର୍ଣ୍ଣ ଯୋଗାଯୋଗ କୁ ପ୍ରତିପାଦିତ କରିବ। ଏହା ଦୁଇଟି ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳକୁ ସଂଯୋଗ କରି ଅନେକ ସୁଯୋଗର ଦ୍ୱାର ଖୋଲିବାର ସହାୟତା କରିବ।

୧୮୩୧୨/୧୧ ବାରାଣାସୀ-ସମ୍ବଲପୁର-ବାରାଣାସୀ ଦ୍ୱି-ସାପ୍ତାହିକ ଏକ୍ସପ୍ରେସର ସମ୍ପ୍ରସାରଣକୁ ରେଳମନ୍ତ୍ରଣାଳୟ ପକ୍ଷରୁ ଅନୁମୋଦନ କରାଯାଇଛି। ଏହି ସମ୍ପ୍ରସାରଣ ଓଡ଼ିଶାର ଦକ୍ଷିଣ ଏବଂ ପଶ୍ଚିମାଞ୍ଚଳ ଜିଲ୍ଲା ବିଶେଷ ଭାବରେ କେବିକେ ଅଞ୍ଚଳ ପାଇଁ ମଧ୍ୟ ଉପକୃତ ହେବା ସହିତ ଉତ୍ତର ଆନ୍ଧ୍ର ଅଞ୍ଚଳ ମଧ୍ୟ ଏହି ପଦକ୍ଷେପ ଦ୍ୱାରା ସଂଯୋଗୀକରଣ କରାଯାଇ ମଧ୍ୟବର୍ତ୍ତୀ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ସହିତ ସଂଯୋଗ ଉପରେ ଏକ ପ୍ରଭାବ ପକାଇପାରିବ ଯାହାକି କାଶୀ, ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟ ଜଙ୍କସନ, ହଟିଆ, ରାଞ୍ଚି, ରାଉରକେଲା, ଝାରସୁଗୁଡା, ଏବଂ ସମ୍ବଲପୁର ଜିଲ୍ଲା ମାନଙ୍କରେ ରେଳ ସଂଯୋଗ ସୃଷ୍ଟି କରି ପଶ୍ଚିମାଞ୍ଚଳ ଜିଲ୍ଲା ମାନଙ୍କର ଅର୍ଥନୈତିକ କାର୍ଯ୍ୟକଳାପ ଏବଂ ଗମନାଗମନ ସଂଯୋଗରେ ବୃଦ୍ଧି ପାଇବାକୁ ପ୍ରୟାସ କରାଯାଇ ଅଛି।

ଶେଷରେ, ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶା ଜିଲ୍ଲା ଗୁଡିକର ଦୀର୍ଘ ଦିନର ଅଭିଯୋଗର ସମାଧାନ ପାଇଁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ନିରନ୍ତର ପ୍ରତିବଦ୍ଧତା ଫଳପ୍ରଦ ହୋଇଛି। ଉନ୍ନତ ରେଳ ସଂଯୋଗ କେବଳ ଏହି ଅଞ୍ଚଳର ବାସିନ୍ଦାଙ୍କ ପାଇଁ ନୁହେଁ ବରଂ ଏହା ସ୍ପର୍ଶ କରୁଥିବା ଅଞ୍ଚଳର ଅର୍ଥନନୈତିକ ସମୃଦ୍ଧି ପାଇଁ ଏକ ଉଜ୍ଜ୍ୱଳ ଭବିଷ୍ୟତର ପ୍ରତିଶୃତି ପୂରଣ କରିବ।  ପ୍ରଗତିର ଚକଗୁଡିକ ପ୍ରକୃତରେ ଘୁରୁଛି, ଏକ ନୂତନ ସୁଯୋଗ ଏବଂ ବିକାଶର ଯୁଗକୁ ଆଗେଇ ନେଇଛି।

Categories
ଆଜିର ଖବର ରାଜ୍ୟ ଖବର

୨୧ରେ ଅନୁଷ୍ଠିତ ବାଚସ୍ପତି ନିର୍ବାଚନରେ ଯୋଗଦେଇ ପାରିବେ ନାହିଁ କଂଗ୍ରେସ ବିଧାୟକ

ଭୁବନେଶ୍ୱର: ଆସନ୍ତା ତା. ୨୧.୦୯.୨୦୨୩ ରିଖ ଦିନ ଓଡ଼ିଶାର ବାଚସ୍ପତି ପଦ ନିମନ୍ତେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏଥିନିମନ୍ତେ ୧୮ ତାରିଖରେ ପ୍ରାର୍ଥୀପତ୍ର ଦାଖଲର ଦିନ ଧାର୍ଯ୍ୟ ହୋଇଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦ ତାରିଖ ଦିନ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଳନ ହେବାକୁ ଯାଉଅଛି ଏବଂ ୨୧ ତାରିଖ ଦିନ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସାଧାରଣତଃ ଏହି ଗଣପର୍ବରେ ପଶ୍ଚିମ ଓଡ଼ିଶାର ଅଧିବାସୀ ସମସ୍ତ କାର୍ଯ୍ୟକୁ ପଛରେ ପକାଇ ସପରିବାର ନବାନ୍ନ ଭକ୍ଷଣ କରିଥାନ୍ତି।

ଏହି ଉତ୍ସବ ବିଶେଷକରି ପଶ୍ଚିମ ଓଡ଼ିଶାବାସୀଙ୍କ ପାଇଁ ଆବେଗପୂର୍ଣ୍ଣ ହୋଇଥିବାରୁ ଏଥିନିମନ୍ତେ ସାଧାରଣତଃ ସରକାର ୨ଦିନ ସରକାରୀ ଛୁଟି ଘୋଷଣା କରିଥାନ୍ତି, ମାତ୍ର ଚଳିତବର୍ଷ ସରକାର ଗୋଟିଏ ଦିନ ଛୁଟି ଘୋଷଣା କରିଛନ୍ତି। ସୁତରାଂ ଏହି ଗଣପର୍ବ ପାଇଁ କଂଗ୍ରେସ ବିଧାୟକଗଣ ନିଜ ଅଂଚଳରେ ଉପସ୍ଥିତ ରହୁଥିବାରୁ ଆଗାମୀ ବାଚସ୍ପତି ନିର୍ବାଚନରେ ଅଂଶଗ୍ରହଣ କରିପାରିବେ ନାହିଁ।

Categories
ବିଶେଷ ଖବର

ବିଜେପିର ଫୋକସରେ ପଶ୍ଚିମ ଓଡ଼ିଶା: କଳାହାଣ୍ଡିରେ ଜନ ସାଧାରଣଙ୍କୁ ଉଦବୋଧନ ଦେଲେ ରାଷ୍ଟ୍ରୀୟ ସଭାପତି

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ଭାରତୀୟ ଜନତା ପାର୍ଟିର ପଶ୍ଚିମ ଓଡ଼ିଶା ଉପରେ ଫୋକସ କରିଥିବା ବେଳେ ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡା ୨୩ ତାରିଖ ଦିନ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ପହଞ୍ଚିବା ପରେ ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ଵରୀଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିବା ପରେ ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମରେ ଉପସ୍ଥିତ ଜନ ସାଧାରଣଙ୍କୁ ଉଦବୋଧନ ଦେଇଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନଅ ବର୍ଷ ର ଶାସନ କାଳ ରେ ଜନ ହିତକର କାର୍ଯ୍ୟକ୍ରମ ପ୍ରଚଲନ କରିଥିବା ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ। ଓଡ଼ିଶାରେ ଅସାମ୍ବିଧାନିକ ସ୍ଥିତିରେ ବିଧାୟକ ଓ ମନ୍ତ୍ରୀ ମାନଙ୍କ ବଦଳରେ ସରକାରୀ ବାବୁ ରାଜ୍ୟ ଶାସନ କରୁଥିବା ନେଇ କ୍ଷୋଭ ପ୍ରକାଶ କରିଥିଲେ। ଆମର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶ ବିଦେଶରେ ଆଦୃତ ହେଉଥିବା ବେଳେ ସେ ଆଜି ସାରା ବିଶ୍ବର ନେତା ହୋଇ ଯାଇଥିବା ପ୍ରକାଶ କରିଥିଲେ।

ଜିଲ୍ଲା ସଭାପତି ଦେବେନ୍ଦ୍ର ମହାନ୍ତିଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ସାଧାରଣ ସଭାରେ ରାଜ୍ୟ ବିଜେପି ସଭାପତି ମନ ମୋହନ ସାମଲ ସମସ୍ତଙ୍କୁ ସ୍ବାଗତ ଜଣାଇବା ସହ କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ଆସିଲେ ଆଗାମୀ ଦିନରେ ବିକାଶର ଧାରା ଦ୍ବିଗୁଣିତ ହୋଇ ପାରିବ ବୋଲି ପ୍ରକାଶ କରିଥିଲେ। କେନ୍ଦ୍ର ସରକାର ଓଡ଼ିଶାକୁ ବିଭିନ୍ନ ଯୋଜନାରେ ପର୍ଯ୍ୟାପ୍ତ ପାଣ୍ଠି ଯୋଗାଇ ଦେଉଥିବା ବେଳେ ସେସବୁର ସୁବିନିଯୋଗ ଠିକ ଭାବରେ ହୋଇ ପାରୁ ନ ଥିବା ବିଷୟ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ବକ୍ତବ୍ୟ ରେ ପ୍ରକାଶ କରିଥିଲେ।

କେନ୍ଦ୍ର ମନ୍ତ୍ରୀ ବିଶେଶ୍ବର ଟୁଡୁ ଓ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଏବଂ ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂହଦେଓ ମଧ୍ୟ କେନ୍ଦ୍ର ସରକାରଙ୍କ ନଅ ବର୍ଷର ଉନ୍ନତି ମୂଳକ ଯୋଜନା ସମ୍ପର୍କରେ ଉପସ୍ଥାପନା କରିଥିଲେ। ସେହିପରି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ସାଂସଦ ଜୁଏଲ ଓରାମ କଳାହାଣ୍ଡି ଜିଲ୍ଲାରେ ପୂର୍ବତନ ବିଧାୟକ ତଥା ପୂର୍ବତନ ସାଂସଦ ସ୍ବର୍ଗତ ବିକ୍ରମ କେଶରୀ ଦେଓ ଙ୍କ ସହ ବିତାଇଥିବା ସମୟ ସବୁକୁ ଉଜ୍ଜୀବିତ କରି ସେସମୟରେ ରାଜନୈତିକ ଜୀବନ ଅୟମାରମ୍ଭ କରିଥିଲେ ବୋଲି ପ୍ରକାଶ କରିଥିଲେ। ଦୀର୍ଘ ଦିନର ଅସୁସ୍ଥତାରୁ ଫେରିଥିବା ଭବାନୀପାଟଣା ବିଧାୟକ ପ୍ରଦୀପ୍ତ ନାଏକ ଧନ୍ୟବାଦ ଦେଇଥିଲେ।

ସମଗ୍ର କଳାହାଣ୍ଡି ଜିଲ୍ଲାର ଚାଳିଶ ଗୋଟି ମଣ୍ଡଳ ସମେତ ପଡୋଶୀ ନୂଆପଡ଼ା ଜିଲ୍ଲାର କାର୍ଯ୍ୟକର୍ତ୍ତାଙ୍କ ସମେତ ହଜାର ହଜାର ଜଣାସାଧାରଣ ଉପସ୍ଥିତ ଥିଲେ। ରାଜ୍ୟ ସଭାପତି କଳାହାଣ୍ଡି ସାଂସଦଙ୍କୁ ଲୋକପ୍ରିୟ ବୋଲି ସମ୍ବୋଧନ କରିବାରୁ କେବଳ ନିର୍ଦ୍ଧିଷ୍ଟ କିଛି ବ୍ୟକ୍ତି ବିଶେଷଙ୍କୁ ହାତ କରି ଏକ ଛତ୍ରବାଦ କାରବାର କରୁଥିବା ବଦରାଗି ସାଂସଦ ଜିଲ୍ଲାର ୪୦ ଗୋଟି ମଣ୍ଡଳ ସଭାପତିଙ୍କୁ ଚିହ୍ନି ନ ଥିବା ଏବଂ କର୍ମୀ ମାନଙ୍କ ସହ କେବେ ସ୍ଥାନୀୟ ଅଞ୍ଚଳର ସମସ୍ୟା ସମ୍ପର୍କରେ ଆଲୋଚନା କରିନ ଥିବା ଉପସ୍ଥିତ ବୁଦ୍ଧିଜୀବି ମାନେ ଆଲୋଚନା କରୁଥିବା ଶୁଣ ଯାଉଥିଲା। ଏପରିକି ଜିଲ୍ଲା ସଭାପତିଙ୍କୁ କୋଣ ଠେସା କରୁଥିବା ଦେଖା ଯାଉଥିଲା।

ସାଂସଦ ନିଜେ ସମସ୍ତ ବିଷୟ ବୁଝୁଥିବା ବେଳେ ମଞ୍ଚ ପରିଚାଳନା ଓ ସ୍ବାଗତ ସମ୍ବର୍ଦ୍ଧନାରେ ଓଲଟପାଲଟ ହୋଇଥିବା, ଗଣମାଧ୍ୟମ ଓ ଗଣ୍ୟମାନ୍ୟ ବ୍ୟକ୍ତି ଏପରିକି ପଦ୍ମ ପୁରଷ୍କାର ପ୍ରାପ୍ତ ବ୍ୟକ୍ତି ମାନଙ୍କ ପାଇଁ ଆସନ ବ୍ୟବସ୍ଥା ଠିକ ଭାବେ କରାଯାଇ ନ ଥିବା ବେଳେ ଲୋକଙ୍କୁ ଚିହ୍ନି ଥାନ୍ତୁ କି ନାହିଁ, ଯେ କୌଣସି ଉପାୟରେ ହେଉ ପଛକେ ରାଷ୍ଟ୍ରୀୟ ସଭାପତିଙ୍କ ଶୁଭ ଦୃଷ୍ଟି ପଡିବାକୁ ହି ଚେଷ୍ଟା କରୁଥିବା ଦେଖାଯାଇଥିଲା। ଶହୀଦ ରେନଦ୍ୟ ମାଝୀଙ୍କ ନାମ ନେବାକୁ ମଧ୍ୟ ଭୁଲି ଯାଇଥିବା ଆଲୋଚନା ହେଉଥିଲା। ମାନ୍ୟବରଙ୍କ କାରବାରରେ ବିଗତ ଦିନରେ କଳାହାଣ୍ଡିରେ ପଦ୍ମ ନଡା ନଷ୍ଟ ହେବାକୁ ବସିଥିବା ବେଳେ ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡା ଙ୍କ ଗସ୍ତ କେତେ ଦୂର ସଫଳ ହୋଇ ପାରିବ ତାହା ଆଗାମୀ ସମୟ କହିବ ବୋଲି ଲୋକେ କୁହ କୁହି ହେଉଥିବା ଶୁଣିବାକୁ ମିଳୁଥିଲା।

ଅନ୍ୟପକ୍ଷରେ ଭବାନୀପାଟଣା ବିଧାୟକ ପ୍ରଦୀପ୍ତ ନାଏକଙ୍କ ବାହୁଡାରେ ଆଶାୟୀ ମନେ ଅସନ୍ତୁଷ୍ଟ ଥିବାର ସ୍ପଷ୍ଟ ବାରି ହେଉଥିଲା। ଅପରାହ୍ଣରେ ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡା ଟାଉନ ହଲ ଠାରେ କର୍ମୀ ମାନଙ୍କୁ ଉତ୍ସାହିତ କରିବା ପରେ ନୂଆଦିଲ୍ଲୀ ଅଭିମୁଖେ ଫେରି ଯାଇଥିବା ଜଣାପଡିଛି।

Categories
ବିଶେଷ ଖବର

ଅଗ୍ରିଆ ସମାଜ ପାଇଁ ଅଧ ଏକର ଜମି ଓ ତିନି କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଅଗ୍ରିଆ ସମାଜ ପଶ୍ଚିମ ଓଡିଶାର ଏକ ପ୍ରମୁଖ ଗୋଷ୍ଠୀ। କୃଷି ଉପରେ ନିର୍ଭର କରୁଥିବା ଏହି ସମାଜର ଲୋକମାନେ ମୁଖ୍ୟତଃ ବରଗଡ, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ, କଳାହାଣ୍ଡି, ବଲାଙ୍ଗୀର ଓ ଦେବଗଡ ଆଦି ଜିଲ୍ଲାମାନଙ୍କରେ ବସବାସ କରିଥାନ୍ତି।

ସେମାନେ ନିକଟରେ ସେମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଭେଟି ଥିଲେ। ବିଭିନ୍ନ କାର୍ଯ୍ୟକ୍ରମରେ ସେମାନେ ଭୁବନେଶ୍ୱର ଆସୁଥିବା ସମୟରେ ରହିବାରେ ଅସୁବିଧା ହେଉଥିବାରୁ ଭୁବନେଶ୍ୱର ନିକଟରେ ଏକ ଜାଗା ଦେବା ପାଇଁ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ।

ସେମାନଙ୍କ ଅନୁରୋଧ ତଥା ଅଗ୍ରିଆ ସମାଜର ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ନିକଟରେ ଅଗରିଆ ସମାଜ ପାଇଁ ଅଧ ଏକର ଜମି ଯୋଗାଇବା ଦିଆଯିବ ବୋଲି ଘୋଷଣା କରିଛନ୍ତି. ଏଥିପାଇଁ ଜମି ଚିହ୍ନଟ ଦିଗରେ ପଦକ୍ଷେପ ନେବା ପାଇଁ ମୁଖ୍ଯଶାସନ ସଚିବ ଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଏଥିସହିତ ଅଗ୍ରିଆ ସମାଜ ଭବନ ନିର୍ମାଣ ପାଇଁ ତିନି କୋଟି ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ସ୍ଵତନ୍ତ୍ର ସହାୟତା ପାଣ୍ଠି ରୁ ଯୋଗାଇ ଦିଆଯିବ ବୋଲି ଘୋଷଣା କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ପଶ୍ଚିମ ଓଡ଼ିଶାର ୭ଟି ଜିଲ୍ଲାର ରୋଗୀଙ୍କ ପାଇଁ ମାଗଣାରେ ଅତ୍ୟାଧୁନିକ ରୋବୋଟିକ୍ସ ଫିଜିଓଥେରାପି ସେବା

ସୁନ୍ଦରଗଡ଼: “ସେଦିନ ମୋର ରାତି ୧୦ଟାରେ ଡ୍ୟୁଟିକୁ ଯିବାର ଥିଲା। କିନ୍ତୁ ସନ୍ଧ୍ୟାରେ ଘରେ ମୁଁ ହଠାତ୍ ଅଚେତ ହୋଇ ତଳେ ପଡ଼ିଗଲି। ପରିବାର ଲୋକ ମତେ ରାଜଗାଙ୍ଗପୁର ଡାକ୍ତରଖାନାକୁ ନେଇଗଲେ। ସେଠାରୁ ପୁଣି ବୁର୍ଲା ବଡ଼ ଡାକ୍ତରଖାନା। କିଛି ଦିନ ପରେ ଚେତା ଆସିବାରୁ ଜାଣିଲି ଯେ, ମୁଁ ପକ୍ଷାଘାତର ଶିକାର ହୋଇଛି”, ୨୦୦୬ର ସେହି ଦାରୁଣ ସମୟକୁ ମନେପକାଇ କୁହନ୍ତି ସୁନ୍ଦରଗଡ଼ ସହର ନିକଟରେ ଥିବା କେନ୍ଦୁପଡ଼ାର ୬୬ ବର୍ଷୀୟ ଉଦିତ ଚନ୍ଦ୍ର ନାଏକ। ହେଲେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ରରେ ନିୟମିତ ଫିଜିଓଥେରାପି କରିବା ପରେ ଏବେ ତାଙ୍କ ଜୀବନ ବେଶ୍ ସ୍ୱାଭାବିକ ହୋଇପାରିଛି।

ଓଡ଼ିଶା ପୋଲିସରେ ହାବିଲଦାର ଭାବେ କାମ କରି ଅବସର ନେଇଛନ୍ତି ଉଦିତ ଚନ୍ଦ୍ର। ୨୦୦୬ ମସିହା ଜୁନ୍ ୨୦ ତାରିଖ ସନ୍ଧ୍ୟାରେ ତାଙ୍କର ବ୍ରେନଷ୍ଟ୍ରୋକ୍ ହୋଇଥିଲା। ଏ ସମ୍ପର୍କରେ ସେ କହନ୍ତି ଯେ, “ମୋର ବାମ ହାତ ଓ ଗୋଡ଼ ଅଚଳ ହୋଇପଡ଼ିଥିଲା। ମୁଁ ଉଠି ଚଲାବୁଲା କରିବାକୁ ପ୍ରାୟ ବର୍ଷେ ସମୟ ଲାଗିଗଲା। ଏହି ଘଟଣାର ଅନେକ ବର୍ଷ ପର୍ଯ୍ୟନ୍ତ ମୁଁ ଠିକଣା ଭାବେ ଚଳପ୍ରଚଳ କରିପାରୁ ନଥିଲି। ମୋ ଜୀବନ ପୂର୍ବ ପରି ହୋଇପାରିବ ବୋଲି ମୋର ଆଶା ନଥିଲା। କିନ୍ତୁ ସୁନ୍ଦରଗଡ଼ର ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ରରେ ନିୟମିତ ରୋବୋଟିକ୍ସ ଫିଜିଓଥେରାପି କରିବା ଫଳରେ ମୋ ‘ ଅବସ୍ଥାରେ ବହୁତ ଉନ୍ନତି ଆସିଲା।”

ଦୀର୍ଘ ୧୫ ବର୍ଷର କଷ୍ଟ ପରେ ଏବେ ଉଦିତ ଚନ୍ଦ୍ରଙ୍କ ଜୀବନକୁ ବଦଳାଇ ଦେଇଛି ସୁନ୍ଦରଗଡ଼ର ଏହି ଅତ୍ୟାଧୁନିକ ଚିକିତ୍ସା ସେବା। ଏହି ପୁନର୍ବାସ କେନ୍ଦ୍ରରେ ସମସ୍ତଙ୍କ ପାଇଁ ମାଗଣାରେ ରୋବୋଟିକ୍ସ ଫିଜିଓଥେରାପି ସେବା ଯୋଗାଇ ଦିଆଯାଉଛି। ଏଥିପାଇଁ ସେ ରାଜ୍ୟ ସରକାର ଓ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଦେଇଛନ୍ତି।

“ସେ ଯେତେବେଳେ ଚିକିତ୍ସା ପାଇଁ ଆସି ପହଞ୍ଚିଲେ ଆମେ ପରୀକ୍ଷା କରି ଜାଣିଲୁ ଯେ ତାଙ୍କର ବାମ ପଟ ହାତ ଓ ଗୋଡ଼ର ସ୍ନାୟୁ ଏବଂ ମାଂସପେଶୀ ଦୁର୍ବଳ ହୋଇ ଯାଇଥିଲା। ତେଣୁ ତାଙ୍କର ଗୋଡ଼ ପାଇଁ ରୋବୋଟିକ୍ସ ଫିଜିଓଥେରାପି ଆରମ୍ଭ କରାଗଲା। ତା\’ସହିତ ହାତ ପାଇଁ ସ୍ୱତନ୍ତ୍ର ଫିଜିଓଥେରାପି କରାଗଲା। କିଛିଦିନ ମଧ୍ୟରେ ତାଙ୍କର ହାତ ଓ ଗୋଡ଼ରେ ବେଶ୍ ଉନ୍ନତି ଆସିଲା। ଏବେ ସେ ତାଙ୍କର ଦୈନନ୍ଦିନ କାର୍ଯ୍ୟ କରିପାରୁଛନ୍ତି”, ଉଦିତ ଚନ୍ଦ୍ରଙ୍କ ଚିକିତ୍ସା ସମ୍ପର୍କରେ ସୂଚନା ଦେଇ କହନ୍ତି ସୁନ୍ଦରଗଡ଼ ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ରର ଫିଜିଓଥେରାପିଷ୍ଟ ଡାକ୍ତର ପ୍ରୀତମ କୁମାର ବିସି।

କେବଳ ଉଦିତ ଚନ୍ଦ୍ର ନୁହନ୍ତି, ତାଙ୍କ ପରି ଏମିତି ଅନେକ ବ୍ୟକ୍ତି ସୁନ୍ଦରଗଡ଼ର ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର ବା ଏଆରସିରୁ ରୋବୋଟିକ୍ସ ଫିଜିଓଥେରାପି ଚିକିତ୍ସା ପାଇ ସ୍ୱାଭାବିକ ଜୀବନକୁ ଫେରି ପାରୁଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମ୍‌ଏଫ୍‌) ଆର୍ଥିକ ସହାୟତାରେ ତଥା ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଏହି କେନ୍ଦ୍ର ଖୋଲାଯାଇଛି।

ଏହି କେନ୍ଦ୍ରରେ ବ୍ରେନ ଷ୍ଟ୍ରୋକ୍‌, ମେରୁଦଣ୍ଡ ଆଘାତ, ସେରିବ୍ରାଲ୍ ପାଲସି ଓ ଦୁର୍ଘଟଣା ପରବର୍ତ୍ତୀ ଶାରୀରିକ ସମସ୍ୟା ଭୋଗୁଥିବା ସମସ୍ତ ବ୍ୟକ୍ତିଙ୍କୁ ମାଗଣାରେ ଅତ୍ୟାଧୁନିକ ରୋବୋଟିକ୍ସ ଫିଜିଓଥେରାପି ସେବା ଯୋଗାଇ ଦିଆଯାଉଛି। ସେହିପରି ବାର୍ଷିକ ୨ ଲକ୍ଷ ୪୦ ହଜାରରୁ କମ ଉପାର୍ଜନକାରୀ, ବିପିଏଲ କାର୍ଡଧାରୀ, ରାସନ କାର୍ଡଧାରୀ ଏବଂ ଭିନ୍ନକ୍ଷମ ଭତ୍ତା ପାଉଥିବା ହିତାଧିକାରୀମାନଙ୍କୁ ଏଠାରେ କୃତ୍ରିମ ଅଙ୍ଗ ରୋପଣ ସେବା ମାଗଣାରେ ଦିଆଯାଉଛି।

୨୦୨୦ ଜୁନ୍ ମାସରୁ ଆରମ୍ଭ ହୋଇଥିବା ଏହି ଅତ୍ୟାଧୁନିକ କେନ୍ଦ୍ରରେ ସୁନ୍ଦରଗଡ଼ ସମେତ ୭ଟି ଜିଲ୍ଲାର ହିତାଧିକାରୀଙ୍କୁ ସେବା ଯୋଗାଇ ଦିଆଯାଉଛି। ଅନ୍ୟ ଜିଲ୍ଲାଗୁଡ଼ିକ ହେଲା ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗିର, ଦେବଗଡ଼, ବରଗଡ଼ ଏବଂ କଳାହାଣ୍ଡି। ସୁନ୍ଦରଗଡ଼ ତଥା ଅନ୍ୟ ଜିଲ୍ଲାର ଭିନ୍ନକ୍ଷମ ଭାଇ ଭଉଣୀମାନେ କିଭଳି ଏହି ସେବା ପାଇ ପାରିବେ ସେଥିପାଇଁ ସଚେତନତା ସୃଷ୍ଟି କରାଯାଉଛି।

ସଂପୃକ୍ତ ଜିଲ୍ଲାଗୁଡ଼ିକରେ ଗାଁ ଗହଳିରେ ଥିବା ଭିନ୍ନକ୍ଷମ ହିତାଧିକାରୀମାନଙ୍କୁ ଚିହ୍ନଟ କରି ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଓ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ଜରିଆରେ ସୁନ୍ଦରଗଡ଼ସ୍ଥିତ ଏହି କେନ୍ଦ୍ରକୁ ପଠାଇ ମାଗଣାରେ ସେବା ଯୋଗାଇ ଦେବା ଲାଗି ରାଜ୍ୟ ସରକାର ବ୍ୟବସ୍ଥା କରିଛନ୍ତି।

ସୁନ୍ଦରଗଡ଼ସ୍ଥିତ ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର ମାଧ୍ୟମରେ ୨୦୨୧ ଅକ୍ଟୋବର ମାସ ସୁଦ୍ଧା ୨୫୮ ଜଣଙ୍କୁ କୃତ୍ରିମ ଅଙ୍ଗ ସେବା ମିଳିପାରିଛି। ସେହିପରି ୧୮୮ ଜଣଙ୍କୁ ମୋଟ ୨,୮୪୨ ଥର ରୋବୋଟିକ୍ସ ଫିଜିଓଥେରାପି ସେବା ଦିଆଯାଇଛି। ଏହି ସେବା ଫଳରେ ଭିନ୍ନକ୍ଷମମାନଙ୍କୁ ପୁଣିଥରେ ଶାରୀରିକ ଓ ମାନସିକ ଭାବେ ସକ୍ଷମ କରାଇ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ଯୋଡି଼ବା ସମ୍ଭବପର ହୋଇପାରୁଛି। ଅନେକ ବ୍ୟକ୍ତି ପୁଣିଥରେ ସ୍ୱାଭାବିକ ଜୀବନ ସହିତ ନିଜର ଜୀବିକା କରି ଆର୍ଥିକ ଭାବେ ସଶକ୍ତ ହୋଇପାରୁଛନ୍ତି।

Categories
ଧର୍ମ ବିଶେଷ ଖବର ରାଜ୍ୟ ଖବର

ନୂଆଖାଇ, ଏଭଳି ଏକ ପର୍ବ ଯେଉଁଠି ଯୋଡି ହୋଇ ରହିଛି କୃଷି, ଧର୍ମ ସହିତ ସାମାଜିକ ବନ୍ଧନ

ଭୁବନେଶ୍ବର: ଓଡିଶାର ଏକ ଗଣ ପର୍ବ ହେଉଛି ନୂଆଁଖାଇ, ଯାହା ପଶ୍ଚିମ ଓଡିଶାରେ ବିଶେଷ ଭାବେ ପାଳିତ ହେଉଛି। ଏହି ପର୍ବଟି ଧାନ ଅମଳର ଖୁସିରେ ଚାଷୀମାନେ ପାଳନ କରିଥାନ୍ତି। ବର୍ଷା ଶେଷ ହେବାପରେ ଶରତ ଋତୁ ଧରା ପୃଷ୍ଠରେ ଅବତରଣ କରେ । ଏହି ସମୟରେ ଚାଷୀ ଜମିରେ ବେଉଷଣ କାର୍ଯ୍ୟ ଆରମ୍ଭ କରିଥାଏ। ପରେ ସହଳ ଅମଳକ୍ଷମ ଧାନ ଗର୍ଭଧାରଣ କରି କେଣ୍ଡା ପକେଇବାର କାର୍ଯ୍ୟ କରିଥାଏ ।

ଚାଷୀ ପ୍ରଥମକରି ଅମଳକ୍ଷମ ଧାନକୁ ଇଷ୍ଟଦେବୀଙ୍କଠାରେ ସମର୍ପଣ କରିବା ହିଁ ନବାନ୍ନ ଭକ୍ଷଣ କୁହାଯାଏ । ଏହାକୁ ପଶ୍ଚିମ ଓଡ଼ିଶାର ଆଞ୍ଚଳିକ ଭାଷାରେ ନୂଆଁଖାଇ କୁହାଯାଏ । ନୂଆଖାଇ ପାଳନ ନିମନ୍ତେ ଆଗରୁ “ଲଗନ” ବା ‘ତିଥି’ ନିର୍ଣ୍ଣୟ କରି ପୂଜା ଆଦି ସହ ଆରିସା ପିଠା ଭୋଗ କରାଯାଇଥାଏ ।

ଆଗକାଳରେ ରାଜାମାନେ ନିଜ ରାଜ୍ୟର ଇଷ୍ଟଦେବୀଙ୍କ ନାମ ଅନୁସାରେ ନୂଆଖାଇବାର ଲଗ୍ନ ଧାର୍ଯ୍ୟ କରି ଭିନ୍ନ ଭିନ୍ନ ଦିନ ନୂଆ ଖାଉଥିଲେ । ରାଜାରାଜୁଡ଼ା ଶାସନ ପରେ ମଧ୍ୟ ରାଜାଙ୍କ ଇଷ୍ଟଦେବୀଙ୍କ ନାମ ଅନୁସାରେ ପଣ୍ଡିତମାନେ ନବାନ୍ନ ଭକ୍ଷଣ ତିଥି ବାହାର କରୁଥିଲେ, ତେଣୁ ନୂଆଖାଇ ପର୍ବ ପ୍ରତ୍ୟେକ ବର୍ଷ ଗୋଟିଏ ନିର୍ଦ୍ଦିଷ୍ଟ ତିଥିରେ ପାଳିତ ନ ହୋଇ ଭାଦ୍ରବ ଶୁକ୍ଳପକ୍ଷର ଯେ କୌଣସି ଏକ ତିଥିରେ ପାଳିତ ହେଉଥିଲା

ତେବେ ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ସାରା ଓଡ଼ିଶାରେ ଗୋଟିଏ ଦିନରେ ନୂଆଖାଇ ପର୍ବ ପାଳନ ଏବଂ ସାରା ଓଡ଼ିଶା ସରକାରୀ ଛୁଟି କରିବା ପାଇଁ ଘୋଷଣା କରିଥିଲେ। ଏହି ପଦକ୍ଷେପକୁ ପଶ୍ଚିମ ଓଡ଼ିଶାର ସବୁମହଲରେ ଚିନ୍ତା କରାଯାଇ ସର୍ବସମ୍ମତ କ୍ରମେ ଗଣେଷ ପୂଜାର ପରଦିନ ଅର୍ଥାତ ପଞ୍ଚମୀ ଦିନଟି ସ୍ଥିର କରାଗଲା । ସେହି ବର୍ଷଠାରୁ ପ୍ରତ୍ୟେକ ବର୍ଷ ପଶ୍ଚିମାଞ୍ଚଳରେ ଗୋଟିଏ ଦିନରେ ନୂଆଖାଇ ପର୍ବ ତିଥି ଅନୁସାରେ ପାଳିତ ହୋଇ ଆସୁଛି ।

ଏହି ପର୍ବର କୃଷି ଏବଂ ଧାର୍ମିକ ଚେତନା ସହିତ ସମାଜିକ ଏକତା ମଧ୍ୟ ସୃଷ୍ଟି କରିଥାଏ। ଗ୍ରାମ ବା ସହରର ପଡ଼ା ଅଞ୍ଚଳରେ ନୂଆଖାଇ ଦିନ ନବାନ୍ନ ଦେଇ ପୂଜା ବିଧି ସମାପ୍ତ ହେବା ପରେ ପରିବାରର ମୁଖ୍ୟଙ୍କ ହାତରୁ ସମସ୍ତେ ନବାନ୍ନ ଭୋଗ ଗ୍ରହଣ କରନ୍ତି । ତାହା ଖାଇ ସାରି ପରିବାରର ସମସ୍ତ ବ୍ୟକ୍ତି ନିଜର ବୟସ୍କ ମାନଙ୍କୁ ଭୂମିଷ୍ଠ ପ୍ରଣାମ ସହ ଆଶୀର୍ବାଦ ଗ୍ରହଣ କରନ୍ତି । ପରେ ପିଠା ପଣା ସହ ନବାନ୍ନ ଭୋଜି ଖାଇ ସାରି ଗ୍ରାମ ବା ପଡ଼ୋଶୀରେ ଥିବା ସମସ୍ତ ବୟୋଜ୍ୟେଷ୍ଠ ମାନଙ୍କୁ ଭେଟି ପ୍ରଣାମ କରିଥାନ୍ତି ।

ଏହି ସମୟରେ ଗ୍ରାମ ବା ପଡ଼ାର ଲୋକ ମାନେ ନିଜ ଭିତରେ ପୂର୍ବରୁ ଥିବା ଭେଦ ଭାବ ଭୁଲି ଯାଆନ୍ତି । ପରିବାର ମଧ୍ୟରେ ଥିବା ମତଭେଦ ମଧ୍ୟ ଏହି ସମୟରେ ସମାଧାନ ହୋଇଥାଏ। ସମସ୍ତେ ପୁଣି ଏକଜୁଟ ହୋଇ ରହନ୍ତି । ଏହା ନୂଆଖାଇ ପର୍ବର ଏକ ବିଶେଷତା । ସେଥିପାଇଁ ନୂଆଖାଇ ହେଉଛି ଏପରି ଏକ ପର୍ବ ଯେଉଁଠି ଯୋଡି ହୋଇ ରହିଛି ଧର୍ମ ସହିତ କୃଷି ଓ ସାମାଜିକ ବନ୍ଧନ।

Categories
ବିଶେଷ ଖବର ରାଜ୍ୟ ଖବର

ଉତ୍କୃଷ୍ଟ କୋଭିଡ୍‌ ପରିଚାଳନା ନିମନ୍ତେ ପଶ୍ଚିମ ଓଡ଼ିଶାର ୧୧ଟି ଜିଲ୍ଲାକୁ ଆର୍ଥିକ ସହାୟତା ଘୋଷଣା

ଭୁବନେଶ୍ୱର, ପଶ୍ଚିମ ଓଡ଼ିଶାର ୧୧ଟି ଜିଲ୍ଲାରେ ଉତ୍କୃଷ୍ଟ କୋଭିଡ୍‌ ପରିଚାଳନା ନିମନ୍ତେ ଆବଶ୍ୟକ ଡାକ୍ତରୀ ସରଞ୍ଜାମ ଓ ଉପକରଣ ଓଡ଼ିଶା ଔଷଧ ନିଗମ ଯୋଗାଇବ । ଏ ନେଇ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ତରଫରୁ ନୀତିଗତ ନିଷ୍ପତ୍ତି ନିଆଯାଇଛି ।

ଯେହେତୁ ରାଜ୍ୟ ସରକାରଙ୍କ ତରଫରୁ ଏହି ନିଗମ ଡାକ୍ତରୀ ସରଞ୍ଜାମ ଓ ଉପକରଣ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସଂଗ୍ରହ କରିବା ପାଇଁ ଆବଶ୍ୟକୀୟ ବୈଷୟକ ଯୋଗ୍ୟତା, ଅନୁଭୂତି ରହିଛି, ତେଣୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପରାମର୍ଶ କ୍ରମେ ସମସ୍ତ ଜିଲ୍ଲାପାଳଙ୍କୁ ଏସବୁ ସାମଗ୍ରୀ ନିଗମ ମାଧ୍ୟମରେ ଯୋଗାଇ ଦେବା ପାଇଁ ଜଣାଇ ଦିଆଯାଇଛି।

ଏହା ବ୍ୟତୀତ ଆବଶ୍ୟକୀୟ ସିଭିଲ୍‌ ଓ ବିଦ୍ୟୁତିକରଣ କାମ, ଆଇସିୟୁ ଶଯ୍ୟା, ଅମ୍ଳଜାନ ପାଇପଲାଇନ୍‌, ଡିଜି ସେଟ୍‌ ଇତ୍ୟାଦି ଡାକ୍ତରୀ ଓ ଅଣଡାକ୍ତରୀ ସରଞ୍ଜାମ ପାଇଁ ଜିଲ୍ଲାପାଳମାନେ ସିଧାସଳଖ ସ୍ଥାନୀୟ ବ୍ୟବସ୍ଥା ଅନୁସାରେ କ୍ରୟ ଓ ଯୋଗାଡ଼ କରିବେ ।

ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଉପଯୁକ୍ତ କୋଭିଡ୍‌ ପରିଚାଳନା ନିମନ୍ତେ ଆବଶ୍ୟକୀୟ ଜରୁରୀ ସରଞ୍ଜାମ ସଂଗ୍ରହ ଏବଂ ଭିତ୍ତିଭୂମି ନିର୍ମାଣ ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ କିଛିଦିନ ପୂର୍ବରୁ ୨୫ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଥିଲା ।

ଜିଲ୍ଲାଗୁଡ଼ିକ ତରଫରୁ ଏଥିପାଇଁ ଯଥାଶୀଘ୍ର ପ୍ରସ୍ତାବ ଦେବାକୁ କୁହାଯାଇଥିଲା । ଏଥି ପାଇଁ ଜିଲ୍ଲାପାଳମାନଙ୍କ ସହ ପରାମର୍ଶ କରାଯାଇଥିଲା । ପଶ୍ଚିିମ ଓଡ଼ିଶା ବିକାଶ ପରିଷଦ ତରଫରୁ ଏହି ପ୍ରସ୍ତାବଗୁଡ଼ିକ ହସ୍ତଗତ ହେବା ପରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସହ ବ୍ୟାପକ ବିଚାରବିମର୍ଶ ପରେ ପ୍ରସ୍ତାବଗୁଡ଼ିକୁ ଅନୁମୋଦନ କରିବା ସହ ଜରୁରୀ ସାମଗ୍ରୀ ସଂଗ୍ରହ ପାଇଁ ସବୁଜ ସଂକେତ ପ୍ରଦାନ କରାଯାଇଛି ।

Categories
ବିଶେଷ ଖବର ସଂସ୍କୃତି

କରୋନା ସମୟର ନୂଆଖାଇ ଜୁହାର, ଇତିହାସରେ ଇଏ ବି ଗୋଟେ ସ୍ମରଣୀୟ ଅଧ୍ୟାୟ

କେଦାର ମିଶ୍ର

ଭାଦ୍ରବ ମାସ ଆରମ୍ଭରୁ ପଶ୍ଚିମ ଓଡିଶାର ଘରେ ଘରେ ଆରମ୍ଭ ହୋଇ ଯାଏ ପ୍ରସ୍ତୁତି। ଲୋକେ ଘର ଲିପା ପୋଛା ଆରମ୍ଭ କରନ୍ତି। ନୁଆ ଓ ଚକ୍ ଚକ୍ ଦିଶେ ଘର ଦୁଆର। ହାଟରୁ କିଣା ହୋଇ ଆସେ ନୁଆ ହାଣ୍ଡି ଓ  ଟୋକେଇ। ଘରକୁ ଆସେ ନୁଆ ଲୁଗା, ନୁଆ ନୁଆ ଖାଦ୍ୟ ପଦାର୍ଥ, ପୂଜା ସାମଗ୍ରୀ ଇତ୍ୟାଦି। ସବୁଠୁ ବଡ କଥା ହେଲା, ପରିବାରର ଯିଏ ଯେଉଁଠି ଥାଆନ୍ତୁ, ଘରକୁ ଫେରିବା ଆରମ୍ଭ କରନ୍ତି। ଏତେ ସବୁ ଆୟୋଜନ ଓ ପ୍ରାୟୋଜନ ର ଏକମାତ୍ର ଉଦ୍ଦେଶ୍ୟ ହେଉଛି ନୁଆଁଖାଇ, ପଶ୍ଚିମ ଓଡିଶାର ସବୁଠୁ ବଡ ପର୍ବ। ଏହା କେବଳ ବଡ ପର୍ବ ନୁହଁ , ଏହା ହେଉଛି ଏକ ଗଣ ପର୍ବ। କୁରେ ପତ୍ର, କରଡି, ନୁଆଁ ଧାନ, ନୁଆଁ ଚୁଡା ସଂଗ୍ରହ କରାଯାଏ। ବନ୍ଧୁ ବାନ୍ଧବ ଘରକୁ ଉପହାର ପଠାଯାଏ। ନୁଆଁ ଖାଇ ସକାଳୁ କ୍ଷେତ ରେ ପୂଜା କରାଯାଏ, ଘରେ ଲକ୍ଷ୍ମୀ ପୂଜା ହୁଏ, ଗ୍ରାମ ଦେବୀ ଓ ଇଷ୍ଟ ଦେବୀଂକ  ପାଖକୁ ଉପହାର ନେଇ ଶୋଭାଯାତ୍ରାରେ ଯିବାକୁ ହୁଏ। ପୂଜା ପରେ ଘରର ସମସ୍ତ ସଦସ୍ୟ ଏକାଠି ବସନ୍ତି ଓ ଘରର ମୁଖିଆ ସମସ୍ତଂକ ହାତରେ ନୁଆଁ ଅନ୍ନ ପ୍ରସାଦ ଦେଇଥାନ୍ତି। ଏହାକୁ ସେବନ କଲା ପରେ ମାନ୍ୟ ଅନୁସାରେ ଘରର ସମସ୍ତେ ପରସ୍ପରକୁ ଜୁହାର ଭେଟ ହୁଅନ୍ତି। ପରିବାର, ପରିଜନ ଓ ଗାଁ ଲୋକଂକୁ ସମସ୍ତେ ଜୁହାର ଭେଟ ହୁଅନ୍ତି। ଜୁହାର ଭେଟ ମାଧ୍ୟମରେ ଶତ୍ରୁତା ମିତ୍ରତା ରେ ପରିଣତ ହୁଏ।

ଦିନେ ଏମିତି ବି ସମୟ ଆସିବ ଯେ, ନୂଆଖାଇ ଭଳି ପାର୍ବଣ ବି ଫିକା ପଡିଯିବ, ଏକଥା କେହି କେବେ ସ୍ଵପ୍ନରେ ବି ଚିନ୍ତା କରିନଥିବେ। ନୂଆଖାଇ ସହିତ ସବୁଠୁ ବଡ ସମ୍ପର୍କ ହାଟର। ବିନା ହାଟରେ କି ନୂଆଖାଇ? ତିହାର ଆଗରୁ ତାର ସଜବାଜରେ ଦୁଇ ସପ୍ତାହ ବିତିଯାଏ। ହାଟରୁ ଖାଇବା, ପିନ୍ଧିବା, ମଉଜ କରିବାର ସବୁ ସାମାନ କିଣିବା ଲାଗି କେତେ ଯୋଜନା ଚାଲେ। ଏଥରର ନୂଆଖାଇରେ ହାଟ ଆଉ ବସିନାହିଁ। ହାଟରୁ କରଡି କିଣାହୋଇ “ଲେଥା” ( ଆମ୍ବିଳ- ବହୁ ପରିବା ମିଶାମିଶି ଖଟା ଜାତୀୟ ଏକ ବ୍ୟଞ୍ଜନ) ବନାଇବାର ମଜା ଏଥର ଆଉ ନାହିଁ। “ଜୀଇଁ ଜାଗିଥିଲେ ବଚ୍ଛରେ”- ବଞ୍ଚିଥିଲେ ବର୍ଷକ ଥରେ ନୂଆଖାଇରେ ସମସ୍ତଙ୍କର “ଭେଟଘାଟ”- ସେ ବି ହେବାର ସମ୍ଭାବନା ନାହିଁ। ନୂଆଖାଇ ସମୟରେ ପୂରା ପରିବାର ଯିଏ ଯେଉଁଠି ଥିଲେ ଘରକୁ ଫେରନ୍ତି। ଆଜିର “ଲକ ଡାଉନ-ଶଟ ଡାଉନ” ସମୟରେ ସେ ବି ହେବାର ନାହିଁ। ଏମିତି ଗୋଟେ ସର୍ବନାଶୀ ସମୟରେ ନୂଆଖାଇ ପାଳିବାର ଆନନ୍ଦ ଆଜି ନାହିଁ।

ଆଜିର ଏ ଉଜୁଡା ସମୟରେ ନୂଆଖାଇ ଆମ ଜୀବନକୁ ସଜାଡି ପାରିବ କି? ଗତ ସାଢେ ପାଞ୍ଚମାସ ହେଲା, ଭାରତର ସବୁ ପର୍ବ ପର୍ବାଣି ଫିକା ପଡିଯାଇଛି। ଭାରତ ପାର୍ବଣର ଦେଶ। ଭାରତ ଭିତରେ ଓଡିଶା, ବାର ମାସରେ ତେର ପର୍ବ ଲାଗି ପ୍ରସିଦ୍ଧ। ସେଥିରେ ଅଧା ବର୍ଷ ଆମର ବିନା ପାର୍ବଣରେ ଯାଇ ସାରିଛି। କରୋନା ମହାମାରୀ ପରଠୁ ଚନ୍ଦନ ଯାତ୍ରା, ରଜ,ଇଦ, ସାବିତ୍ରୀ, ସ୍ନାନଯାତ୍ରା,  ରଥଯାତ୍ରା, ଝୁଲଣ ଯାତ୍ରା, ଗହ୍ମା ପୂର୍ଣ୍ଣମୀ,  ଗଣେଶ ପୂଜା ଓ ଆଜି ନୂଆଖାଇ- କୌଣସି ପାର୍ବଣ ସାମୁହିକ ଭାବରେ ପାଳିତ ହୋଇ ପାରିନାହିଁ। ସାଢେ ପାଞ୍ଚ ମାସ ପରେ ବି ଆମେ କରୋନା ଭୂତାଣୁକୁ ଆମ ଜଣ ଜୀବନରୁ ମୁକ୍ତ କରିପାରିନାହୁଁ।

ଆଜି ଯେତେବେଳେ ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ କେବଳ ପରିବାର ଭିତରେ ନାମକୁ ମାତ୍ର ପାଳନ ହେଉଛି, ସେତେବେଳେ ଚୀନ ର “ଉହାନ” ସହରରେ ବିନା ମୁଖା ଲଗାଇ ଶହ ଶହ ଲୋକ “ୱାଟର ପାର୍କ” ରେ ଉତ୍ସବ ମନାଉଛନ୍ତି।ଆମେ ଜାଣୁ ଉହାନ ସହର ହେଉଛି କରୋନା ଭୂତାଣୁର ଉତ୍ପତ୍ତି ସ୍ଥଳ।ଆଜି ସେଠାରୁ ଭୂତାଣୁ ବିଦାୟ ନେଇଛି।ଚୀନରେ ପ୍ରଥମ ସୋପାନ ପରେ ଦ୍ଵିତୀୟ ସୋପାନରେ କରୋନା ସଂକ୍ରମଣ ଆସିଛି ଓ ଯାଇଛି।

ଆଜି ଆମ ଲାଗି ନୂଆ କିଛି ଚିନ୍ତା କରିବାର ଆବଶ୍ୟକତା ଆସିଛି। ଜୀବନ ଭୟକୁ ସାଥି କରି ଚାଲି ପାରିବ ନାହିଁ। ବିନା ପାର୍ବଣ ଓ ଉତ୍ସବରେ ଜୀବନ କରୋନା ଜ୍ଵରଠୁ ଅଧିକ ମାରାତ୍ମକ ରୋଗ ପାଲଟିଯିବ।ତେଣୁ ଆମ ଜୀବନରେ ଉତ୍ସବର ପରିବେଶ ଫେରିବା ଜରୁରୀ। ଭୂତାଣୁ ଲାଗି ସତର୍କତା ରହୁ, ହେଲେ ଏହା ଏକ ଚିରସ୍ଥାୟୀ ଭୟ ହୋଇ ଆମ ଜୀବନରେ ନ ରହୁ।

ପଶ୍ଚିମ ଓଡିଶାର ସାମାଜିକ ଜୀବନ ବହୁ ଘାତ ପ୍ରତିଘାତକୁ ସାମ୍ନା କରିଛି। ସବୁ ସଂଘର୍ଷ ଓ ସଙ୍କଟର ମହୌଷଧି ହେଉଛି ନୂଆଖାଇ। ଭୋକ, ଅଭାବ ଓ ଦାରିଦ୍ର୍ୟକୁ ତୁଚ୍ଛ କରି ଆମେ ନୂଆ ଧାନର ଉତ୍ସବ ପାଳି ଆସିଛୁ। ସଙ୍କଟ ଆଗରେ ଆମେ କେବେ ହାର ମାନିନୁ। ଆଜି ବି ମାନିବାର ନାହିଁ।

ମହାମାରୀ ସମୟର ଏ ନୂଆଖାଇ ଆମକୁ ନୂଆ କିଛି ସୁଯୋଗ ଦେବା ନିଶ୍ଚୟ। ସମସ୍ତଙ୍କୁ ନୂଆଖାଇର ଜୁହାର।