Categories
ବିଶେଷ ଖବର

ସବୁଥର ପରି ଏଥର ମଧ୍ୟ ବିଜୟ ମହାପାତ୍ର ନିଜ ଯୁଦ୍ଧରେ ଏକାକୀ ଓ ଅସହାୟ

କେଦାର ମିଶ୍ର 

ସବୁଥର ପରି ଏଥର ମଧ୍ୟ ବିଜୟ ମହାପାତ୍ର ନିଜ ଯୁଦ୍ଧ ଏକୁଟିଆ ହିଁ ଲଢୁଛନ୍ତି। ତାଙ୍କ ସହିତ ତାଙ୍କୁ ଟିକଟ ଦେଇଥିବା ଦଳ ନାହିଁ କିମ୍ବା ନିର୍ବାଚନ ଜିଣିବା ଲାଗି ଯେଉଁ ଶକ୍ତି ଓ ସମ୍ବଳ ଲୋଡା, ତାହା ବି ନାହିଁ। ବିଜେପି ପ୍ରାର୍ଥୀ ଭାବରେ ସେ ପାଟକୁରା ନିର୍ବାଚନ ଲଢୁଥିଲେ ମଧ୍ୟ ତାଙ୍କୁ ଜିତାଇ ଆଣିବାକୁ ତାଙ୍କ ଦଳର ଏକ ପ୍ରଭାବଶାଳୀ ଗୋଷ୍ଠୀ ଚାହୁଁନାହାନ୍ତି। କେବଳ ନିଜସ୍ଵ ସଂଗଠନ ଓ ଲୋକପ୍ରିୟତା ଆଧାରରେ ବିଜୟ ମହାପାତ୍ର ଯାହା ଭୋଟ ପାଇବେ, ତାଠୁ ଅଧିକ କିଛି ହେବାର ସମ୍ଭାବନା ଆଉ ନାହିଁ। ଗତ ଏପ୍ରିଲ ମାସରେ ନିର୍ବାଚନ ହୋଇଥିଲେ ବିଜୟ ମହାପାତ୍ର ବିଜେଡି ପ୍ରାର୍ଥୀଙ୍କୁ କଡା ଟକ୍କର ଅବଶ୍ୟ ଦେଇଥାନ୍ତେ। ଯଦିଓ ପାଟକୁରା ଜିତିବା ବିଜୟଙ୍କ ଲାଗି ଏତେ ସହଜ ନୁହେଁ, ତଥାପି ତାଙ୍କ ସପକ୍ଷରେ କିଛିଟା ସହାନୁଭୁତି ସେତେବେଳେ ରହିଥିଲା। ପାଟକୁରାର ବିଧାୟକ ବେଦପ୍ରକାଶ ଅଗ୍ରୱାଲାଙ୍କ ମୃତ୍ୟୁ ଓ ତା ପରବର୍ତ୍ତୀ ଘଟଣାକ୍ରମ ବିଜୟଙ୍କ ରାଜନୈତିକ ସ୍ଥିତିକୁ ଅଧିକ ଦୁର୍ବଳ କରିଦେଇଛି। ସେତେବେଳେ ବିଜେପି ଓ ବିଜେଡି ଭିତରେ ପ୍ରବଳ ମୁକାବିଲାମୂଳକ ପରିସ୍ଥିତି ରହିଥିଲା। ଆଜି କେନ୍ଦ୍ର ଓ ରାଜ୍ୟରେ ବିଜେପି ବିଜେଡି ସରକାର ହୋଇ ସାରିଲା ପରେ ଏବେ ଦୁଇ ଦଳ ମଧ୍ୟରେ ବୁଝାମଣା ହେଲା ଭଳି ଲାଗୁଛି। ରାଜ୍ୟସଭାରେ ବିଜେଡି ବିଜେପିକୁ ଗୋଟେ ଆସନ ବିନା କାରଣରୁ ଛାଡିଦେବା ପରେ ଉଭୟ ଦଳ ଯେ ପରଷ୍ପରର ସହଯୋଗୀ ଭାବରେ କାମ କରୁଛନ୍ତି, ଏକଥା ଅବୁଝା ହୋଇ ରହିନାହିଁ।

ବିଜୟଙ୍କ ଲାଗି ଏବେ ଅସଲ ଆହ୍ଵାନ ବିଜେଡି ତରଫରୁ ଆସୁନାହିଁ। ବିଜେଡି ପାଖରେ ନିଜକୁ ସହଯୋଗୀ ଭାବରେ ପରିଚିତ କରାଇବାକୁ ବ୍ୟାକୁଳ ବିଜେପି ହିଁ ବିଜୟଙ୍କର ଅସଲ ସମସ୍ୟା। ଦିଲ୍ଲୀ ଓ ଭୁବନେଶ୍ବରରେ କୋଳାକୋଳି ହେଉଥିବା ବିଜେଡି-ବିଜେପି ପାଟକୁରାରେ କେବଳ ନାମକୁ ମାତ୍ର ପରଷ୍ପର ବିରୋଧରେ ଲଢିବେ। ପାଟକୁରା ବିଧାନସଭା ଉପ ନିର୍ବାଚନରେ ବିଜେଡି କୁ ସୁହାଇଲା ଭଳି ନୀରବତା ବିଜେପି ଅବଲମ୍ବନ କରିବ। ହେଲେ ବିଜୟଙ୍କର ମୂଳ ପରିଚୟ ହେଉଛି ସେ ନବୀନ ବିରୋଧୀ। ବିଜେପି ବିଜେଡି ସହିତ ବୁଝାମଣା କାଲେ ମଧ୍ୟ ବିଜୟଙ୍କୁ ବିଜେଡି ବିରୋଧରେ ଲଢିବାକୁ ପଡିବ। ତେବେ ସେ କାହା ଭରସାରେ ଏ ଲଢେଇ ଲଢିବେ? ଗତ ୨୦ ବର୍ଷ ଧରି ରାଜନୀତିରେ ସେ ପରାସ୍ତ ହୋଇ ଆସୁଛନ୍ତି। ଯେଉଁମାନେ ତାଙ୍କର ବିଶ୍ଵସ୍ତ ଥିଲେ ସେମାନେ ତାଙ୍କୁ ଛାଡି ଯାଇ ସାରିଲେଣି। ନିର୍ବାଚନର ୮ ମାସ ଆଗରୁ ସେ ଯେତେବେଳେ ବିଜେପି ରୁ ଇସ୍ତଫା ଦେଲେ ସେତେବେଳେ ବିଜେପି କହିଥିଲା- ବିଜୟଙ୍କ ଡିଏନଏ ରେ ଗୋଷ୍ଠିକନ୍ଦଳର ପ୍ରବୃତ୍ତି ରହିଛି। ବିଜେଡି କିମ୍ବା ବିଜେପି କେହି ତାଙ୍କୁ ନିଜ ଶିବିରକୁ ନେବାଲାଗି ସେତେବେଳେ ପ୍ରସ୍ତୁତ ନଥିଲେ।

ତେବେ ବୈଜୟନ୍ତ ପଣ୍ଡା ବିଜେପିରେ ଯୋଗଦେବା ପରେ  ନିଜ ଲାଭକୁ ଆଖି ଆଗରେ ରଖି ସେ ବିଜୟ ମହାପାତ୍ରଙ୍କୁ ପୁଣିଥରେ ବିଜେପିକୁ ଫେରାଇ ଆଣିଥିଲେ। ବିଜୟଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନ ତୁଳନାରେ ବୈଜୟନ୍ତଙ୍କ ନିଜ ହିସାବ ସେ ନିଷ୍ପତ୍ତିରେ ବେଶି କାମ କରିଥିଲା। ଲୋକସଭା ନିର୍ବାଚନରେ ପାଟକୁରାରୁ ବିଜେପିକୁ ଆଗ ତୁଳନାରେ କିଛିଟା ଅଧିକ ଲାଭ ମିଳିଥିଲା। ତଥାପି ସେଠାରେ ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତି ବୈଜୟନ୍ତଙ୍କଠାରୁ ୬୦୦୦ ରୁ ଅଧିକ ଭୋଟରେ ଆଗୁଆ ରହିଥିଲେ। ଏହି ପୃଷ୍ଠଭୂମିରେ ଆଜି ମଧ୍ୟ ପାଟକୁରାରେ ବିଜେଡି ହାରିବା ଭଳି ସ୍ଥିତି ନାହିଁ। ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲାଙ୍କ ପ୍ରତି ସ୍ଵାଭାବିକ ଭାବରେ କିଛିଟା ସହାନୁଭୁତି ରହିଛି। ୧୧୨ ଆସନ ପାଇ ରାଜ୍ୟରେ ବିଜେଡି ସରକାର ପୁନଃ ସ୍ଥାପିତ ହୋଇଥିବାରୁ ଏହାର ପ୍ରଭାବ ପାଟକୁରା ରେ ନିଶ୍ଚୟ ପଡିବ। ବିଜୟ ଜିତିଲେ, ତାଙ୍କୁ ବିଜେପି ଭିତରେ ସେମିତି କିଛି ସମ୍ମାନଜନକ ସ୍ଥାନ ମିଳିବାର ନାହିଁ। ସବୁଠୁ ବଡ କଥା ହେଉଛି, ବିଜେଡି ବିଜେପି ପରଷ୍ପରର ସହଯୋଗୀ ହୋଇଥିବାରୁ ବିଜୟଙ୍କୁ ଆଉ ବିରୋଧୀ ବୋଲି ବିଧାନସଭାକୁ ପଠାଇବାର ଆଉ କୌଣସି କାରଣ ଭୋଟରଙ୍କ ପାଖରେ ନାହିଁ।

ନିର୍ବାଚନୀ ଗଣିତ ଦୃଷ୍ଟିରୁ ମଧ୍ୟ ବିଜୟଙ୍କ ସପକ୍ଷରେ ପାଟକୁରା ନାହିଁ। ଗତ ଚାରୋଟି ଯାକ ସାଧାରଣ ନିର୍ବାଚନରେ ପାଟକୁରାରୁ ବିଜେଡି ପ୍ରାର୍ଥୀମାନେ ପ୍ରାୟ 50% ଭୋଟ ପାଇ ଜିତି ଆସୁଛନ୍ତି। ବିଜେଡ଼ିର ବିଜୟ ବ୍ଯବଧାନ ମଧ୍ୟ ବହୁତ ବେଶି। ଗରଦପୁର ଅଞ୍ଚଳରେ ବିଜୟ ମହାପାତ୍ରଙ୍କ ଭଲ ପ୍ରଭାବ ରହିଥିବା ବେଳେ ଡେରାବିଶ ଓ ମାର୍ଶାଘାଇ ରେ ବିଜେଡି ପ୍ରଭାବ ଅଧିକ। ବର୍ତ୍ତମାନ ସ୍ଥିତିରେ ବିଜୟଙ୍କ ତ୍ରିଶଙ୍କୁ ଅବସ୍ଥା। ଆସନ୍ତା ୨୦ ତାରିଖରେ ନିର୍ବାଚନ ହେବାକୁ ଥିବା ବେଳେ ତାଙ୍କୁ ବିଜେପିର ନୈତିକ ସମର୍ଥନ ବ୍ୟତୀତ ଅଧିକ କିଛି ମିଳିବାର ନାହିଁ। ବିଜେପି ଭିତରେ ରହିଥିବା ଧର୍ମେନ୍ଦ୍ର ପ୍ରଧାନ ବିରୋଧୀ କିଛି ନେତା କେବଳ ବିଜୟଙ୍କ ପାଇଁ ପ୍ରଚାର କରିବେ। ଏପରିକି ପାଟକୁରାର ବିଜେପି ନେତା ଓ କର୍ମୀମାନେ ମଧ୍ୟ ବିଜୟଙ୍କ ସପକ୍ଷରେ ଆନ୍ତରିକତାର ସହିତ ଛିଡା ହେବାକୁ ନାରାଜ।

ଏମିତି ପରିସ୍ଥିତିରେ ସବୁଥର  ପରି ଏଥର ମଧ୍ୟ ବିଜୟ ମହାପାତ୍ର ନିଜ ଲଢେଇ ଏକୁଟିଆ ହିଁ ଲଢିବେ।

 

Categories
ଆଜିର ଖବର

ଜୁଲାଇ ୨୦ରେ ପାଟକୁରା ବିଧାନସଭା ନିର୍ବାଚନ, ଜୁଲାଇ ଚବିଶ ତାରିଖରେ ହେବ ଭୋଟ ଗଣତି

ଜୁଲାଇ ୨୦ରେ ପାଟକୁରା ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ପାଟକୁରା ନିର୍ବାଚନ ନେଇ ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରଓ୍ବାଲଙ୍କ ମୃତ୍ୟୁ ପାଇଁ ପାଟକୁରାରେ ନିର୍ବାଚନ ଘୁଞ୍ଚିଥିଲା। ପରେ ପରେ ବାତ୍ୟା ଫନି ପାଇଁ ନିର୍ବାଚନ ତାରିଖକୁ ଘୁଞ୍ଚାଯାଇଥିଲା। ତେବେ ନୂତନ ନିର୍ବାଚନ ବିଜ୍ଞପ୍ତି ଜାରି କରାଯିବା ସହିତ କେନ୍ଦ୍ରାପଡ଼ା ଜିଲ୍ଲାରେ ଆଦର୍ଶ ଆଚରଣ ବିଧି ଲାଗୁ କରାଯାଇଛି। ଜୁଲାଇ ୨୦ରେ ଭୋଟ ଗ୍ରହଣ ଓ ଜୁଲାଇ ୨୪ରେ ଭୋଟ୍‌ଗଣତି ଅନୁଷ୍ଠିତ ହେବ। ବର୍ତ୍ତମାନ ପାଟକୁରା ପାଇଁ ବିଜେଡି ତରଫରୁ ସ୍ବର୍ଗତ ବେଦପ୍ରକାଶ ଅଗ୍ରୱାଲାଙ୍କ ଧର୍ମପତ୍ନୀ ସାବିତ୍ରୀ ଅଗ୍ରୱାଲା ପ୍ରାର୍ଥୀ ହୋଇଥିବା ବେଳେ ବିଜେପି ତରଫରୁ ବରିଷ୍ଠ ନେତା ବିଜୟ ମହାପାତ୍ର ପ୍ରାର୍ଥୀ ହୋଇଛନ୍ତି। ତାରିଖ ଘୋଷଣା ପୂର୍ବରୁ ଏହି ନିର୍ବାଚନ ପାଇଁ ବିଜେଡି ଓ ବିଜେପି ତରଫରୁ ପ୍ରସ୍ତୁତି ଆରମ୍ଭ କରିଦିଆଯାଇଛି। ବିଜୟ ମହାପାତ୍ର ଭୁବନେଶ୍ବର ଏମପି ଅପରାଜିତା ଷଡଙ୍ଗୀଙ୍କୁ ନେଇ ବିଭିନ୍ନ ସ୍ଥାନରେ ପ୍ରଚାର ଆରମ୍ଭ କରିଦେଇଛନ୍ତି। ସେହିପରି ବିଜେଡିର ଅନେକ ମନ୍ତ୍ରୀ ଓ ବିଧାୟକ ସେଠାରେ ବହୁଦିନ ଧରି ପ୍ରଚାର ଆରମ୍ଭ କରିଦେଇଛନ୍ତି।

 

Categories
ବିଶେଷ ଖବର

ବାତ୍ୟା ବେଳେ ବି ରାଜନୀତି ଜରୁରୀ ! ବାତ୍ୟା ଆଖିରେ ପାଟକୁରା ଓ ବେଚାରା ନିର୍ବାଚନ ଅଧିକାରୀ

 କେଦାର ମିଶ୍ର

ନିର୍ବାଚନ ସରୁ ସରୁ ଓଡିଶାର ସାମାଜିକ ପରିମଣ୍ଡଳ ଟିକେ ଶାନ୍ତ ରହିବା ବୋଲି ଆମେ ବିଚାର କରୁଥିଲୁ। ହେଲେ ଠିକ ସେଇ ସମୟରେ ଗୋଟେ ଦିଗରୁ ଭୟଙ୍କର ବାତ୍ୟା “ଫନୀ” ଓଡିଶା ଉପକୂଳକୁ ମାଡି ଆସୁଛି ଓ ବାତ୍ୟାକୁ କେନ୍ଦ୍ର କରି ଓଡିଶା ରାଜନୀତିର ଘୂର୍ଣ୍ଣି ଆହୁରି ଭୟଙ୍କର ଲାଗୁଛି। ଆପାତତଃ ଶାନ୍ତିପୂର୍ଣ୍ଣ ଭାବରେ ଓଡିଶାର ଚାରୋଟି ଯାକ ପର୍ୟାୟ ନିର୍ବାଚନ ସମାହିତ କରିଥିବାରୁ ଓଡିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ଧନ୍ୟବାଦ ପାଇବା ପରିବର୍ତ୍ତେ ଭାରତୀୟ ଜନତା ପାର୍ଟି ଓ ଏହାର ସଦା କ୍ରୋଧିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ରୋଶର ଶିକାର ହୋଇଛନ୍ତି। ଓଡିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ଜଣେ ଭ୍ରଷ୍ଟ ଅଧିକାରୀ ବୋଲି ଧର୍ମେନ୍ଦ୍ର ଅଭିଯୋଗ କରିଛନ୍ତି। ଏ ପ୍ରକାର ଅଭିଯୋଗର ଆଧାର କଣ, ସେ କଥା କାହାକୁ ଜଣାନାହିଁ। ଓଡିଶା ଯେତେବେଳେ ଏକ ବିରାଟ ପ୍ରାକୃତିକ ବିପର୍ୟୟକୁ ମୁକାବିଲା କରିବାକୁ ଯାଉଛି ସେତେବେଳେ ଏ ପ୍ରକାର ରାଜନୈତିକ ଆକ୍ଷେପ ପ୍ରତି ଆକ୍ଷେପ ବଡ ଦୁର୍ଭାଗ୍ୟଜନକ। ନିର୍ବାଚନ ଏବେ ସରିଯାଇଛି। ଆସନ୍ତା ୧୯ ତାରିଖରେ ପାଟକୁରା ଉପ ନିର୍ବାଚନ ହେବା କଥା। ତାକୁ ନେଇ ଏ ସବୁ ନାଟକ।

ଭୟଙ୍କର ବାତ୍ୟା “ଫନୀ” ଓଡିଶା ଉପକୂଳରେ କେଉଁଠି ସ୍ଥଳଭାଗ ଛୁଇଁବ ସେ କଥା ଏଯାଏ ସ୍ପଷ୍ଟ ହୋଇନି। ତେବେ ପୁରୀରୁ ଦୀଘା ମଝିରେ ଏହା କେଉଁଠି ହେଲେ ସ୍ଥଳଭାଗକୁ ପ୍ରବେଶ କରିପାରେ। ବାତ୍ୟା ମୁକାବିଲା ବର୍ତ୍ତମାନ ସମୟର ସବୁଠୁ ବଡ ଚିନ୍ତା। ସେତେବେଳେ ପାଟକୁରା ନିର୍ବାଚନ ହେବା ନହେବା, ଖୁବ ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା ନୁହେଁ। ତେବେ ପାଟକୁରାକୁ ନେଇ ଗତ ମାସେ ହେଲା ଅନେକ ରୋଚକ ରାଜନୈତିକ ମୋଡ ଆସିଛି। ପ୍ରଥମେ ବିଜୟ ମହାପାତ୍ର ବର୍ଷାଧିକ କାଳ ବିଜେପିଠାରୁ ଅଭିମାନ କରି ଦୂରରେ ରହିଲେ। ତାଙ୍କୁ ବିଜେପି ପୁରୁଣା ଆସବାବ ଭଳି ବ୍ୟବହାର କରୁଛି ବୋଲି କହି ସେ ବିଜେପିରୁ ଇସ୍ତଫା ଦେଇ ଚାଲିଆସିଥିଲେ। ତେବେ ହଠାତ ତାଙ୍କର ମାନଭଞ୍ଜନ ହେଲା। ବୈଜୟନ୍ତ ପଣ୍ଡା ବିଜେପିରେ ଯୋଗଦାନ କରିବା ପରେ ସେ ପ୍ରଥମେ ବିଜୟଙ୍କୁ ନିଜ ପାଖକୁ ନେଇ ଆସିଲେ। ପୁରୁଣା ଆସବାବ ପୁଣି ଥରେ ନିଜ ଜାଗାକୁ ଫେରି ଆସିଲା। ତେବେ ପୁରୁଣା ଜାଗା କହିଲେ, ସେଇ ପାଟକୁରା। ବିଜୟଙ୍କୁ ବିଜେପି ପାଟକୁରାର ପ୍ରାର୍ଥୀ କଲା।

ବିଜୟଙ୍କ ପ୍ରତିଦ୍ବନ୍ଦ୍ବୀ ଭାବରେ ବିଜେଡି ନିଜର ବର୍ଷିୟାନ ନେତା ବେଦପ୍ରକାଶ ଅଗ୍ରୱାଲଙ୍କୁ ପ୍ରାର୍ଥୀ କରିଥିଲା। ତେବେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେଲାପରେ ବେଦୁ ବାବୁଙ୍କ ଦେହାନ୍ତ ହେଲା। ଆମ ଜାଣିବାରେ ବେଦ ପ୍ରକାଶ ଅଗ୍ରୱାଲାଙ୍କ ଦେହାନ୍ତକୁ ଆମେ  ଆମ ସମୟର ସବୁଠୁ ବଡ ରାଜନୈତିକ ମୃତ୍ୟୁ ବୋଲି କହିପାରିବା। ବିଜେପି ଓ ବିଜୟ ଅଭିଯୋଗ କଲେ ଯେ ଜାଣିଶୁଣି ନିର୍ବାଚନ ଘୁଞ୍ଚାଇବାକୁ ଏଠାରେ ବେଦ ପ୍ରକାଶ ଅଗ୍ରୱାଲାଙ୍କୁ ବିଜେଡି ଟିକଟ ଦେଇଥିଲା। ଏହାର ସିଧା ଅର୍ଥ ହେଉଛି, ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ମତେ ବୋଧହୁଏ ଯମରାଜା ବେଦପ୍ରକାଶଙ୍କୁ ଇହ ଧାମରୁ ନେଇଗଲେ! ବିଜୟଙ୍କୁ ହଇରାଣ କରିବା ଲାଗି ଖୋଦ ଯମରାଜ ମଧ୍ୟ ନବୀନଙ୍କ ସହ ଷଡଯନ୍ତ୍ରରେ ସାମିଲ ବୋଲି ଆମେ ମାନିବାକୁ ବାଧ୍ୟ!

ତେବେ ଯମରାଜା ତାଙ୍କ କାମ କରିବା ପରେ ଏବେ ଇନ୍ଦ୍ର ମଧ୍ୟ ନବୀନଙ୍କ ସହ ମିଶି ବିଜୟ ଓ ବିଜେପି ବିରୋଧରେ ଷଡଯନ୍ତ୍ର ଆରମ୍ଭ କରିଛନ୍ତି। ପାଟକୁରା ନିର୍ବାଚନ ଆସନ୍ତା ମେ ୧୯ ରେ ହେବା ପୂର୍ବରୁ ଏବେ ବାତ୍ୟା “ଫନୀ” ଆସି ପହଞ୍ଚି ଯାଇଛି। ବାତ୍ୟାକୁ ଆଳ କରି ପାଟକୁରା ନିର୍ବାଚନ ଘୁଞ୍ଚାଇବାକୁ ବିଜେଡି ଦରଖାସ୍ତ କରିଛି ଓ ଏହା ବିରୋଧରେ ବିଜେପି ଠିଆ ହୋଇଛି। ଶେଷ ନିଷ୍ପତ୍ତି ନିର୍ବାଚନ କମିଶନ ନେବେ। ହେଲେ ସାଧାରଣ ଓଡିଆ ଭାବରେ ଆମର ପ୍ରଶ୍ନ ହେଲା, ଆଜ୍ଞାମାନେ! ୧୪୬ ଟି ବିଧାନସଭା ନିର୍ବାଚନ ସରି ତ ଗଲାଣି। ବାତ୍ୟାର କ୍ଷୟକ୍ଷତି ଭିତରେ ଆଉ ଗୋଟେ ବିଧାନସଭା ନିର୍ବାଚନ ଯଦି କିଛି ଦିନ ଘୁଞ୍ଚିଯାଏ, ତାହେଲେ କଣ ବା ଅସୁବିଧା ହେବ କି ? ହୁଏତ ଏଥିଲାଗି ଶାସକ ଦଳ ଟିକେ ଅଧିକ ସମୟ ପାଇଯିବ। ତେବେ ମେ ୨୩ ପରେ ବିଜେଡି କଣ ଶାସକ ଦଳ ହୋଇ ରହିବ ବୋଲି ବିଜେପି ମାନି ନେଇ ସାରିଛି ?

ଅସଲ କଥା ହେଉଛି, ଏ ସମ୍ପର୍କିତ ଚୂଡାନ୍ତ ନିଷ୍ପତ୍ତି ନିର୍ବାଚନ କମିଶନ ନେବେ। ତା ପୂର୍ବରୁ ପୂର୍ବରୁ ବିଜେପିର ବିଳିବିଳା ବଡ ଅରୁଚିକର ଲାଗୁଛି। ନିର୍ବାଚନ କମିଶନଙ୍କୁ ଭେଟି ଧର୍ମେନ୍ଦ୍ର କହିଛନ୍ତି- “ସମ୍ଭାବ୍ୟ ବାତ୍ୟା ପରିପ୍ରେକ୍ଷୀରେ ରାଜ୍ୟରେ ନିର୍ବାଚନ ଆଚରଣ ବିଧି କଟକଣା ହଟାଇବା ନେଇ ମୁଖ୍ୟଶାସନ ସଚିବଙ୍କ ସ୍କ୍ରିନିଂ କମିଟି ତରଫରୁ ଅନୁରୋଧ କରାଯାଇଥିଲା। ଯାହାକୁ କମିଶନ ଗ୍ରହଣ କରି ନିର୍ବାଚନ ଆଚରଣ ବିଧି କୋହଳ କରିଛନ୍ତି। ସମ୍ଭାବ୍ୟ ପ୍ରାକୃତିକ ଦୁର୍ବିପାକ ପରିପ୍ରେକ୍ଷୀରେ କେବଳ ବାତ୍ୟା ମୁକାବିଲା ଜନିତ ଆବଶ୍ୟକୀୟ ପଦକ୍ଷେପ ପାଇଁ ନିର୍ବାଚନ ଆଚରଣ ବିଧିକୁ କୋହଳ କରାଯାଇଥିବା ମୁଖ୍ୟ ନିର୍ବାଚନ କମିଶନ ସ୍ପଷ୍ଟ କରିଛନ୍ତି। କିନ୍ତୁ ଆଚରଣ ବିଧି ହଟିବା ଆଳରେ ରାଜ୍ୟର ବିଜେଡି ସରକାର ୧୦୦୦ କୋଟି ଟଙ୍କାର ମିଛ ବିଲ୍ ଅନୁମୋଦନ କରି ଦଳୀୟ କର୍ମୀଙ୍କୁ ମାଲେମାଲ୍ କରିବା ପାଇଁ ଷଡ଼ଯନ୍ତ୍ର କରୁଥିବା ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି। ରାଜ୍ୟରେ ନିର୍ବାଚନ ସରିଛି। ଜନାଦେଶ ବିଜେପି ସପକ୍ଷରେ ଯାଇ ସାରିଛି। ନବୀନବାବୁ ଦୀର୍ଘ ୧୯ ବର୍ଷ ଧରି ଓଡି଼ଶାକୁ ଲୁଟ୍ କରିଛନ୍ତି, ଆଉ ଓଡ଼ିଶା ଲୋକଙ୍କ ଝାଳବୁହା ଅର୍ଥକୁ ତାଙ୍କୁ ଲୁଟ୍ କରିବାକୁ ଦିଆଯାଇ ପାରିବ ନାହିଁ।

ଏ କଥାର କିଛି ଅର୍ଥ ସତରେ ଅଛି କି ? ବାତ୍ୟା ସମୟରେ ୧୧ ଟି ଜିଲ୍ଲାରୁ ନିର୍ବାଚନ କମିଶନ ଆଦର୍ଶ ଆଚରଣ ବିଧି ହଟାଇ ଦେଇଛନ୍ତି। ବାତ୍ୟା ସହାୟତା ଓ ରିଲିଫ କାମ ଲାଗି ତାହା ଜରୁରୀ। ତେବେ ଏଥିରୁ ହଜାରେ କୋଟି ବିଜେଡି ସରକାର କେମିତି ଓ କେଉଁ ବାଗରେ ହଡପ କରିବେ, ଆମେ ତାହା ବୁଝି ପାରୁନାହୁଁ ? ତା ପରେ ମନ୍ତ୍ରୀଙ୍କ କଥା ମୁତାବକ ଯଦି ତାଙ୍କ ସରକାର ଆସୁଛି, ତାହେଲେ ଏ ସରକାର ଯଦି କିଛି ଗଫଲତି କରେ, ତାର ବିଲ ଅଟକା ଯାଇପାରିବ ଓ ଦୋଷୀମାନଙ୍କୁ ବନ୍ଧା ଯାଇପାରିବ।

ଦୁର୍ଦ୍ଦିନ ସମୟରେ ସବୁ ରାଜନୈତିକ ଦଳ ହାତକୁ ହାତ ମିଳାଇ ଏବେ ଲୋକଙ୍କ ସେବା କରିବାର ସମୟ ଆସିଛି। ନିର୍ବାଚନ ସରିଗଲାଣି। ଭାଷଣ ଓ ବୟାନବାଜିରେ ଜନମତ ଆଉ ପ୍ରଭାବିତ ହେବାର ନାହିଁ। ଏବେ ଅନ୍ତତଃ ରାଜନୀତିରେ ମଣିଷପଣିଆ କିଛି ତ ରହୁ !

( ଆଶ୍ଚର୍ଯ୍ୟ, ମୋବାଇଲ ସ୍କ୍ରିନକୁ ଘଷି ଚାଲିଲେ ବାହାରୁଛି ଖବର ପରେ ଖବର, ଜାଣିବା ପାଇଁ ଡାଉନଲୋଡ କରନ୍ତୁ SANKHIPTA ଆପ୍ )