Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଦୁଇ ଜଣ ଓଡ଼ିଆଙ୍କ ସମେତ ୩୮ ଶିକ୍ଷକଙ୍କୁ ଦିଆଗଲା ‘ସିବିଏସଇ ଶିକ୍ଷକ ପୁରସ୍କାର’

ନୂଆଦିଲ୍ଲୀ, ଆଜି ସିବିଏସଇ ଅଧୀନରେ ପରିଚାଳିତ ବିଦ୍ୟାଳୟଗୁଡ଼ିକର ୩୮ ଜଣ ଶିକ୍ଷକଙ୍କୁ ‘ସିବିଏସଇ ଶିକ୍ଷକ ପୁରସ୍କାର’ରେ ସମ୍ମାନିତ କରାଯାଇଛି। ନୂଆଦିଲ୍ଲୀରେ ଆୟୋଜିତ ଭିଡିଓ କଂନଫ୍ରେସିଂ ମାଧ୍ୟମରେ ଏହି ପୁରସ୍କାର ପ୍ରଦାନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ‘ନିଶଙ୍କ’। ଏମାନଙ୍କ ମଧ୍ୟରେ ରହିଛନ୍ତି ଓଡ଼ିଶାର ଦୁଇ ଜଣ ଶିକ୍ଷକ। ସେମାନେ ହେଲେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଗୋଷାଣୀ ନୂଆଗାଁ ସଦାନନ୍ଦ ବିହାର ଡିଏଭି ପବ୍ଲିକ ସ୍କୁଲର ଟିଜିଟି ସାମାଜିକ ବିଜ୍ଞାନ ଶିକ୍ଷୟିତ୍ରୀ ସ୍ୱପ୍ନାରାଣୀ ପାଣିଗ୍ରାହୀ ଓ ଜଗତସିଂହପୁର ଜିଲ୍ଲା ପାରାଦୀପସ୍ଥିତ ପାରାଦୀପ ରିଫାଇନାରୀ ସ୍କୁଲର ଅଧ୍ୟକ୍ଷ ଧନଞ୍ଜୟ ପାନ।

ଏହି ଅବସରରେ କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ସଞ୍ଜୟ ଧୋତ୍ରେ, ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ସଚିବ ଶ୍ରୀମତୀ ଅନୀତା କରୱାଲ ଏବଂ ସିବିଏସଇ ଅଧ୍ୟକ୍ଷ ଶ୍ରୀ ମନୋଜ ଆହୁଜା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଶିକ୍ଷା ମନ୍ତ୍ରଣାଳୟ, ଏନଭିଏସ, କେଭିଏସ, ସିବିଏସଇର ବହୁ ଅଧିକାରୀ, ଅଧ୍ୟକ୍ଷ, ଶିକ୍ଷକ, ଛାତ୍ରଛାତ୍ରୀ ଓ ଅଭିଭାବକ କାର୍ଯ୍ୟକ୍ରମରେ ଅନଲାଇନ ମାଧ୍ୟମରେ ଯୋଡ଼ି ହୋଇଥିଲେ। ବିଦ୍ୟାଳୟ ଶିକ୍ଷା, ନବୋନ୍ମେଷ ଓ ସମର୍ପଣ କ୍ଷେତ୍ରରେ ଯୋଗଦାନ ଲାଗି ପ୍ରତ୍ୟେକ ଦୁଇ ବର୍ଷରେ ଥିରେ ଶିକ୍ଷକ ଓ ଅଧ୍ୟକ୍ଷମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ୨୦୧୯-୨୦ ବର୍ଷ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି।