Categories
ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ଲୋକକଳାକାରଙ୍କ ପାଇଁ ଖୁସି ଖବର, ବିଭିନ୍ନ ସରକାରୀ ଯୋଜନାର ପ୍ରସାର ପାଇଁ ହେବେ ସାମିଲ

ଭୁବନେଶ୍ବର: ବିଭିନ୍ନ ସରକାରୀ ଯୋଜନା ସଂପର୍କରେ ଜନସାଧାରଣରେ ସଚେତନତା ସୃଷ୍ଟି କରାଯିବ। ୫-ଟି ଉପକ୍ରମରେ ସରକାରଙ୍କ ପକ୍ଷରୁ ଜାରି ବିକାଶ ପ୍ରକ୍ରିୟାରେ ସମସ୍ତଙ୍କୁ ସାମିଲ କରିବା ଏବଂ କୌଣସି ଯୋଜନାରୁ ଯେପରି ଯୋଗ୍ୟବ୍ୟକ୍ତି ବାଦ ନପଡନ୍ତି ଏ ସଂପର୍କରେ ଲୋକକଳା ମାଧ୍ୟମରେ ବ୍ୟାପକ ସଚେତନତା ସୃଷ୍ଟି କରାଯିବ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁଯାୟୀ ଗାଁରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ପାଲା, ଦାସକାଠିଆ, ଘୋଡାନାଚ ଏବଂ ସଂପୃକ୍ତ ଜିଲ୍ଲାର ଲୋକପ୍ରିୟ ଲୋକକଳା ମାଧ୍ୟମରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ।

ଏ ସଂପର୍କରେ ସୂଚନା ଓ ଲୋକ ସଂପର୍କ ବିଭାଗ ନିର୍ଦ୍ଦେଶକ ସରୋଜ କୁମାର ସାମଲ ଏବଂ ସଂସ୍କୃତି ନିର୍ଦ୍ଦେଶକ ଦିଲୀପ ରାଉତରାଏଙ୍କ ମିଳିତ ଉପସ୍ଥିତିରେ ଭର୍ଚ୍ୟୁଆଲ ମାଧ୍ୟମରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ସମସ୍ତ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଏବଂ ଜିଲ୍ଲା ସଂସ୍କୃତି ଅଧିକାରୀମାନେ ଯୋଗ ଦେଇଥିଲେ।

ସେହିଭଳି ଗତକାଲି ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଆଭାସୀ ମାଧ୍ୟମରେ ଏକ ବୈଠକ ଅନୁଷ୍ଠିତ ହୋଇଛି।ଏଥିରେ ସୂଚନା ଓ ଲୋକ ସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ, ଉଭୟ ବିଭାଗର ନିର୍ଦ୍ଦେଶକ ଏବଂ ଜିଲ୍ଲାପାଳମାନେ ଯୋଗ ଦେଇଥିଲେ।

ଉକ୍ତ କାର୍ଯ୍ୟକ୍ରମ ସଂପର୍କରେ ବିଶଦ ଭାବେ ଆଲୋଚନା କରାଯାଇଛି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଆବଶ୍ୟକୀୟ ପାଣ୍ଠି ଯୋଗାଇ ଦିଆଯିବ ଏବଂ ସଂସ୍କୃତି ବିଭାଗ ପକ୍ଷରୁ ସମସ୍ତ ସହାୟତା ପ୍ରଦାନ କରାଯିବା ନେଇ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ଆସନ୍ତା ସେପ୍ଟେମ୍ବର ମାସ ୧୫ ତାରିଖରୁ ଏହି ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହେବ। ଏହାପୂର୍ବରୁ ରାଜ୍ୟ, ଜିଲ୍ଲା ଓ ବ୍ଲକ ସ୍ତରରେ କଳା ମାନଙ୍କୁ ନେଇ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯିବ। ଏଥିରେ ବ୍ଲକ ଓ ଜିଲ୍ଲା କଳା ସାଂସ୍କୃତିକ ସଂଘକୁ ସାମିଲ କରାଯିବାକୁ ନିଷ୍ପତ୍ତି ହୋଇଛି।

ସୂଚନାଯୋଗ୍ୟ ନିକଟରେ ଲୋକକଳା କଳାକାର ମାନଙ୍କ ପରିବେଷଣ ଜନିତ ପାରିଶ୍ରମିକ ରାଜ୍ୟ ସରକାର ବୃଦ୍ଧି କରିଥିବାରୁ ସେମାନେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ସହ କୃତଜ୍ଞତା ଜ୍ଞାପନ କରିଥିଲେ।

Categories
ଆଜିର ଖବର ସଂସ୍କୃତି

ସଂସ୍କୃତି ବିଭାଗ ତରଫରୁ ଆୟୋଜିତ ହେଲା ପାଲା ଓ ଦାସକାଠିଆ ଉତ୍ସବ

ଭୁବନେଶ୍ବର: ଓଡିଶାର ପାରଂପାରିକ କଳାର ଲୋକପ୍ରିୟ କରାଇବା ପାଇଁ ରାଜ୍ୟ ସଂସ୍କୃତି ବିଭାଗ ତରଫରୁ ଚାଲିଛି ପ୍ରୟାସ। ସେହିକ୍ରମରେ ଗତକାଲି ଭୁବନେଶ୍ବରର ଭଂଜକଳା ମଣ୍ଡପରେ ଆୟୋଜିତ ହୋଇଛି ଦୁଇ ଦିନିଆ ରାଜ୍ୟ ସ୍ତରୀୟ ଦାସକାଠିଆ ଓ ପାଲା ଉତ୍ସବ। ଏଥିରେ ବିରଞ୍ଚିନାରାୟଣ ତ୍ରିପାଠୀ, ରବିନାରାୟଣ ବେହେରା, ପ୍ରଜ୍ଞା ରାଉତ ଓ ମିନତି ସ୍ବାଇଁ ପ୍ରମୁଖ ଦାସକାଠିଆ ଓ ପାଲା ପରିବେଷଣ କରିଥିଲେ।

ଓଡିଶା ସଂଗୀତ ନାଟକ ଏକାଡେମୀ ଦ୍ବାରା ଆୟୋଜିତ ଏହି ଉତ୍ସବରେ ଓଡିଶାର ଆଠ ଜଣ ଲୋକ କଳାକାରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେମାନଙ୍କୁ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏ ସମ୍ବର୍ଦ୍ଧନା କରିଥିଲେ। ଏଥିରେ ଏକାଡେମୀ ଉପସଭାପତି ଡ. ମନ୍ନଥ ଶତପଥୀ ଏବଂ ସଚିବ ପ୍ରବୋଧ ରଥ ଯୋଗଦେଇଥିଲେ।