Categories
ବିଶେଷ ଖବର

ସାଂସଦ ପଦରେ ପୁନଃ ଅବସ୍ଥାପିତ ହେଲେ ରାହୁଲ: ୧୩୬ ଦିନ ପରେ ସଂସଦକୁ ଫେରିବାକୁ ଅନୁମତି, ଜାରି ହେଲା ବିଜ୍ଞପ୍ତି

ନୂଆଦିଲ୍ଲୀ: ରାହୁଲ ଗାନ୍ଧିଙ୍କ ଲୋକସଭା ସଦସ୍ୟତା ପୁନରୁଦ୍ଧାର କରାଯାଇଛି। ଲୋକସଭା ସଚିବାଳୟ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ସେ କେରଳର ୱାୟନାଡରୁ ସାଂସଦ ଅଛନ୍ତି। ରାହୁଲ ଆଜି ସଂସଦରେ ପହଞ୍ଚି ଲୋକସଭା କାର୍ଯ୍ୟରେ ଯୋଗ ଦେବେ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ଏହି ନିଷ୍ପତ୍ତି ପରେ କଂଗ୍ରେସ କର୍ମୀମାନେ ଉତ୍ସବ ପାଳନ କରିଛନ୍ତି।

ମାନହାନି ମାମଲାରେ ଗତ ମାର୍ଚ୍ଚ ୨୩ ତାରିଖରେ ନିମ୍ନ ଅଦାଲତ ରାହୁଲ ଗାନ୍ଧିଙ୍କୁ ୨ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ। ୨୪ ଘଣ୍ଟା ମଧ୍ୟରେ ସାଂସଦ ମାର୍ଚ୍ଚ ୨୪ତାରିଖରେ ବାହାରି ଯାଇଥିଲେ। ଏହାପରେ ଗୁଜରାଟ ହାଇକୋର୍ଟ ମଧ୍ୟ ଏହି ଦଣ୍ଡାଦେଶକୁ ବଜାୟ ରଖିଥିଲେ। ଏହା ବିରୋଧରେ ରାହୁଲ ସୁପ୍ରିମକୋର୍ଟରେ ପିଟିସନ୍ ଦାଖଲ କରିଥିଲେ। ଏହାର ୧୩୪ ଦିନ ପରେ ଅଗଷ୍ଟ ୪ତାରିଖରେ କୋର୍ଟ ଏହି ମାମଲାରେ ରାହୁଲଙ୍କ ଦଣ୍ଡାଦେଶ ଉପରେ ରୋକ୍ ଲଗାଇଥିଲେ।

ବଦଳିବ ସଂସଦରେ ବଦଳିବ ଦୃଶ୍ୟ !

ରାହୁଲଙ୍କ ସଦସ୍ୟତା ପୁନରୁଦ୍ଧାର ହେବା ପରେ ଆଜିଠାରୁ ସଂସଦର ଦୃଶ୍ୟ ବଦଳିବ। ଏବେ ବିରୋଧୀମାନେ ଅଧିକ ଆକ୍ରମଣାତ୍ମକ ହୋଇ ଶାସକ ଦଳ ଉପରେ ଆକ୍ରମଣ କରିବେ ବୋଲି ଅନୁମାନ କରାଯାଉଛି। ସେପଟେ ଏହି ନିଷ୍ପତି ପରେ କଂଗ୍ରେସରେ ଖୁସିର ବାତାବରଣ ଖେଳିଯାଇଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ବିରୋଧୀ ଦଳ ନେତାଙ୍କୁ ମିଠା ଖାଇବାକୁ ଦେଉଥିବା ଦେଖିବାକୁ ମିଳିଥିଲା।

ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ରାୟ ଲୋକସଭା ବାଚସ୍ପତିଙ୍କ ନିକଟରେ ପହଞ୍ଚିବାମାତ୍ରେ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ପୁନରୁଦ୍ଧାର କରାଯାଇଛି। ନିୟମ ଅନୁଯାୟୀ ନିଷ୍ପତ୍ତି ନିଆଯାଇଛି ବୋଲି ପ୍ରହ୍ଲାଦ ଯୋଶୀ କହିଛନ୍ତି। ସୁପ୍ରିମକୋର୍ଟଙ୍କ ରାୟ ପରେ ଶନିବାର ଓ ରବିବାର ଥିଲା ବୋଲି ସେ କହିଛନ୍ତି। ଏହି ଆଦେଶ ଲୋକସଭାରେ ପହଞ୍ଚିବାମାତ୍ରେ ରାହୁଲ ଗାନ୍ଧିଙ୍କ ସଦସ୍ୟତା ତୁରନ୍ତ ପୁନରୁଦ୍ଧାର କରାଯାଇଥିଲା।

Categories
ବିଶେଷ ଖବର ରାଜ୍ୟ ଖବର

ସମସ୍ତ ପୁନରୁଦ୍ଧାର ଓ ପୁନର୍ଗଠନ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ କରିବାକୁ ନିର୍ଦ୍ଦେଶ: ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ବାତ୍ୟା ୟାସର ପରବର୍ତ୍ତୀ ପୁନର୍ଗଠନ ଓ ପୁନରୁଦ୍ଧାର କାର୍ଯ୍ୟ ସଂପର୍କରେ ସମୀକ୍ଷା କରି ୭ ଦିନ ମଧ୍ୟରେ ପ୍ରଭାବିତ ଜିଲ୍ଲା ଗୁଡିକରେ ଭାଙ୍ଗି ଯାଇଥିବା ଘର ଗୁଡିକ ସଂପର୍କରେ ଆକଳନ କରି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନ ରିଲିଫ, ପୁନର୍ଗଠନ ଓ ପୁନରୁଦ୍ଧାର ପ୍ରକ୍ରିୟା ଉପରେ ସମସ୍ତ ଧ୍ୟାନ କେନ୍ଦ୍ରୀତ କରିବାକୁ ପଡିବ। କ୍ଷତିଗ୍ରସ୍ତ ଜଳମଗ୍ନ ଅଞ୍ଚଳରେ ୭ ଦିନ ପାଇଁ ରିଲିଫ ଘୋଷଣା କରାଯାଇଛି ବୋଲି ପ୍ରକାଶ କରି ସମସ୍ତ ମରାମତି ଓ ପୁନରୁଦ୍ଧାର କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ପାନୀୟ ଜଳ ଓ ବିଦ୍ୟୁତ ଯୋଗାଣ ପ୍ରକ୍ରିୟା ଖୁବଶୀଘ୍ର ସ୍ବଭାବିକ କରିବା ପାଇଁ ପରାମର୍ଶ ଦେଇ ଆଜି ସଂଧ୍ୟା ସୁଦ୍ଧା ସମସ୍ତ ମୁଖ୍ୟ ସଡକ ଗୁଡିକ ଯାନବାହାନ ଚଳାଚଳ ପାଇଁ ଅବରୋଧମୁକ୍ତ ହେବ ବୋଲି ସେ ଆଶାପ୍ରକାଶ କରିଥିଲେ।

ସେହିପରି ବୈତରଣୀ ନଦୀର ତଳ ଅଞ୍ଚଳରେ ବନ୍ୟା ଆସିବାର ସମ୍ଭାବନା ଥିବାରୁ ପ୍ରଶାସନ ସତର୍କ ଦୃଷ୍ଟି ରଖିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି।

ବାତ୍ୟା ୟଶର ପରିଚାଳନାରେ ଉଲ୍ଲେଖନୀୟ ସଫଳତା ପାଇଁ ପ୍ରଶାସନିକ ଅଧିକାରୀମାନଙ୍କୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସମସ୍ତ ବିଷୟକୁ ଦୃଷ୍ଟିରେ ରଖି ବିଧିବଦ୍ଧ ଯୋଜନା ଏବଂ ତ୍ରୁଟିଶୂନ୍ୟ ପରିଚାଳନା ଯୋଗୁ ବାତ୍ୟା ୟଶର ସଫଳ ମୁକାବିଲା କରାଯାଇପାରିଛି। ସେ କହିଥିଲେ ଯେ ଜନସାଧାରଣଙ୍କ ସହଯୋଗ ରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ଅତ୍ୟନ୍ତ ସଫଳ ଓ ପ୍ରଭାବୀ ବୋଲି ପୁଣି ଥରେ ପ୍ରମାଣିତ କରିପାରିଛି।

ବାତ୍ୟା ପ୍ରଭାବିତ ଜିଲ୍ଲାଗୁଡିକର ସମସ୍ତ ଜନସାଧାରଣ, ନାଗରିକ ସଂଗଠନ ମାନଙ୍କୁ ରିଲିଫ ଓ ସ୍ଥାନାନ୍ତର କାର୍ଯ୍ୟରେ ସେମାନଙ୍କ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଥିଲେ।

କେନ୍ଦ୍ର ସରକାର ଏବଂ ବିଭିନ୍ନ କେନ୍ଦ୍ରୀୟ ସଂସ୍ଥା ଯଥା NDRF, IMD ଓ ଅନ୍ୟାନ୍ୟ କେନ୍ଦ୍ରୀୟ ସଂସ୍ଥାକୁ ସେମାନଙ୍କ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଥିଲେ।

ପରିଶେଷରେ ମୁଖ୍ୟମନ୍ତ୍ରୀ ପୁନରୁଦ୍ଧାର ଓ ପୁନର୍ବାସ କାର୍ଯ୍ୟରେ ଏହିଭଳି ଦକ୍ଷତାର ସହ କାର୍ଯ୍ୟ ଜାରି ରଖିବାକୁ ପରାମର୍ଶ ଦେଇଥିଲେ।

ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ହେଲିକପ୍ଟର ଯୋଗେ ଆକାଶମାର୍ଗରୁ ବାତ୍ୟା ଷୟଷତି ଆକଳନ କରିଥିଲେ।

ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ଭଦ୍ରକ ଓ ବାଲେଶ୍ବର ଜିଲ୍ଲା ସର୍ବାଧିକ ପ୍ରଭାବିତ ହୋଇଛି। ବିଦ୍ୟୁତ ଯୋଗାଯୋଗ ପ୍ରକ୍ରିୟା ୭୫ ରୁ ୮୦ ପ୍ରତିଶତ ସ୍ବଭାବିକ ହୋଇଛି ବୋଲି ପ୍ରକାଶ କରି ସେ କହିଲେ ଯେ ଜଳମଗ୍ନ ଅଞ୍ଚଳ ବ୍ୟତୀତ ଅନ୍ୟ ସମସ୍ତ ସ୍ଥାନରେ ବିଦ୍ୟୁତ ଯୋଗାଯୋଗ ସ୍ବଭାବିକ ହୋଇଛି। ପାନୀୟ ଜଳ ପାଇଁ ଡିଜି ସେଟ୍‌, ଟ୍ୟାଙ୍କର ଜରିଆରେ ବ୍ୟବସ୍ଥା କରାଯାଉଛି ବୋଲି ସେ ସୂଚନା ଦେଇଥିଲେ ।

ସ୍ବତନ୍ତ୍ର ରିଲିଫ କମିଶନର ପି.କେ. ଜେନା ଏକ ଉପସ୍ଥାପନା ରଖି କରିଥିଲେ ଯେ ଲୋକଙ୍କ ସୁରକ୍ଷା ପାଇଁ ୧୨ଟି ଜିଲ୍ଲାର ୭ ଲକ୍ଷ ୧୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇ ୮୪୧୦ଟି ଆଶ୍ରୟ ସ୍ଥଳରେ ରଖାଯାଇଥିଲା। ସେ କହିଥିଲେ ଯେ ୨୦୦ଟି ବ୍ଲକ୍‌ରେ ପ୍ରବଳ ବର୍ଷା ହୋଇଥିଲା। ମୟୁରଭଂଜର କୁସୁମୀ ବ୍ଲକ୍‌ରେ ୫୧୫ ମି.ମି ବର୍ଷା ହୋଇଥିବାର ସେ ସୂଚନା ଦେଇଥିଲେ। ସୁବର୍ଣ୍ଣରେଖା ଓ ବୁଢାବଳଙ୍ଗ ନଦୀରେ ବନ୍ୟାଜଳ ବଢୁଥିବା ସତ୍ତ୍ବେ ବନ୍ୟା ଆଶଂକା କମ୍‌ ବୋଲି ପ୍ରକାଶ କରି କହିଥିଲେ ଯେ ବୈତରଣୀ ନଦୀର ନିମ୍ନାଞ୍ଚଳରେ ବନ୍ୟାର ସମ୍ଭାବନା ରହିଛି ଓ ସେଥିପ୍ରତି ସତର୍କ ଦୃଷ୍ଟି ରଖାଯାଇଛି।

ଶକ୍ତି ବିଭାଗ ପକ୍ଷରୁ ସୂଚନା ଦିଆଯାଇ କୁହାଯାଇଥିଲା ଯେ ସମସ୍ତ ୩୩ ଓ ୧୧ କେଭି ଫିଡର ମରାମତି ପ୍ରକ୍ରିୟା ଜାରି ରହିଛି ଏବଂ ଏହା ଖୁବ୍‌ ଶୀଘ୍ର ଶେଷ ହେବ। ୩୦ ଲକ୍ଷ ପ୍ରଭାବିତ ଉପଭୋକ୍ତାଙ୍କ ମଧ୍ୟରୁ ଆଜି ସଂଧ୍ୟା ସୁଦ୍ଧା ୨୩ ଲକ୍ଷ ଉପଭୋକ୍ତାଙ୍କୁ ବିଜୁଳି ଯୋଗାଯୋଗ ସ୍ବଭାବିକ କରାଯିବ।

ସେହିପରି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା ଯେ ସମୁଦାୟ ୬୨ଟି ବ୍ଲକ ପ୍ରଭାବିତ ହୋଇଛି। ସବୁ ପାଇପ ଜଳ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି ବୋଲି ସୂଚନା ଦିଆଯାଇଥିଲା। ୫୭୧ଟି ପାଇପ ଜଳ ପ୍ରକଳ୍ପକୁ ଜେନ୍‌ସେଟ୍‌ ଜରିଆରେ କାର୍ଯ୍ୟକାରୀ କରାଯାଉଛି ଏବଂ ୩୪୬ଟି ଟ୍ୟାଙ୍କର ଜରିଆରେ ଜଳମଗ୍ନ ସ୍ଥାନକୁ ପାନୀୟ ଜଳ ଯୋଗାଇ ଦିଆଯାଉଛି। ବାଲେଶ୍ବର ଓ ଭଦ୍ରକ ଜିଲ୍ଲାକୁ ଅତିରିକ୍ତ ଟ୍ୟାଙ୍କର ପଠାଯାଇଛି । ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା ଯେ ସମସ୍ତ ପୌରାଞ୍ଚଳରେ ପାନୀୟ ଜଳ ଯୋଗାଣ ପ୍ରକ୍ରିୟା ସ୍ବଭାବିକ କରାଯାଇଛି।

ଜଳସଂପଦ ବିଭାଗର ସୂଚନା ଅନୁଯାୟୀ କେନ୍ଦ୍ରାପଡା, ବାଲେଶ୍ବର ଓ ଭଦ୍ରକ ଅଂଚଳରେ କେତେକ ସ୍ଥାନରେ ଘାଇ ସୃଷ୍ଟି ହୋଇଛି ଏବଂ ଜଳମଗ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘାଇର ଆକଳନ କରାଯାଉଛି ଏବଂ ବିଭିନ୍ନ ସ୍ଥାନରେ ମରାମତି କାର୍ଯ୍ୟ ଚାଲିଛି।

ମହିଳା ଓ ଶିଶୁବିକାଶ ବିଭାଗର ସୂଚନା ଅନୁଯାୟୀ ୪୫୦୦ ଗର୍ଭବତୀ ମହିଳାଙ୍କୁ ଚିହ୍ନଟ କରାଯାଇଥିଲା। ସେଥିମଧ୍ୟରୁ ୨୧୦୦ଙ୍କୁ ହସ୍‌ପିଟାଲକୁ ସ୍ଥାନାନ୍ତରୀତ କରାଯାଇଥିଲା। ବାତ୍ୟା ସମୟରେ ୭୫୦ ନବଜାତ ଶିଶୁ ଜନ୍ମ ହୋଇଛନ୍ତି।

ସେହିପରି ପୂର୍ତ୍ତ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା ଯେ ସମସ୍ତ କୋଭିଡ ହସ୍‌ପିଟାଲରେ ଭିତ୍ତିଭୂମି ଠିକ୍‌ ରହିଛି। ଆଜି ସଂଧ୍ୟା ସୁଦ୍ଧା ଗଛ ପଡି ଅବରୋଧ ହୋଇଥିବା ସମସ୍ତ ସଡକ ଗୁଡିକ ଆବରୋଧମୁକ୍ତ କରାଯିବ। ସେହିପରି ଗ୍ରାମ ଉନ୍ନୟନ ବିଭାଗର ୩୫୦ଟି ସଡକ ଅବରୋଧ ହୋଇଥିବା ବେଳେ ଏହିସବୁ ଗୁଡିକ ଆଜି ସଂଧ୍ୟା ସୁଦ୍ଧା ଅବରୋଧମୁକ୍ତ ହେବ।

ବୈଠକରେ ବାଲେଶ୍ବର, ଭଦ୍ରକ, ମୟୁରଭଂଜ ଓ କେନ୍ଦ୍ରାପଡା ଜିଲ୍ଲାର ଜିଲ୍ଲାପାଳମାନେ ଜିଲ୍ଲାରେ ଚାଲିଥିବା ପୁନରୁଦ୍ଧାର କାର୍ଯ୍ୟକ୍ରମ ଗୁଡିକର ସୂଚନା ଦେଇଥିଲେ। ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନର କାର୍ଯ୍ୟକୁ ପ୍ରଶଂସା କରି ଏହିଭଳି କାର୍ଯ୍ୟ ଜାରି ରଖିବାକୁ ପରାମର୍ଶ ଦେଇଥିଲେ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ବୈଠକ ସଂଯୋଜନା କରିଥିଲେ। ସଂପୃକ୍ତ ବିଭାଗର ପ୍ରମୁଖ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ତିର୍ତ୍ତୋଲ ଶାରଳା ସମବାୟ ସୂତାକଳ ପୁନରୁଦ୍ଧାର ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲଠାରେ ଥିବା ଶାରଳା ସମବାୟ ସୂତାକଳ ଆଜିକୁ ଦୀର୍ଘ ୨୦ବର୍ଷ ହେବ ବନ୍ଦହୋଇ ପଡିରହିଥିବା ବେଳେ ଏବେ ଏହି ସୂତାକଳର ପୁନରୁଦ୍ଧାର କରିବା ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଆରମ୍ଭ ହୋଇଛି ଯୋରଦାର ଉଦ୍ୟମ।ଏନେଇ ଅଣ୍ଟା ଭିଡିଛନ୍ତି ତିର୍ତ୍ତୋଲ ଅଞ୍ଚଳର ସମାଜସେବୀ ତଥା ଆବାହକ ପିସିସି ଅନୁସୂଚିତ ଜାତି ଜନଜାତି ବିଭାଗ ଓଡିଶା ଦେବେନ୍ଦ୍ର କୁମାର ମଲ୍ଲିକ।ତାଙ୍କ ନେତୃତ୍ୱରେ ଅଞ୍ଚଳର ବୁଦ୍ଧିଜୀବୀ ମାନଙ୍କର ଦସ୍ତଖତ ସମ୍ବଳିତ ଏକ ଦାବିପତ୍ର ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜଗତସିଂହପୁର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି।

ତିର୍ତ୍ତୋଲ ସ୍ଥିତ ଏହି ସୂତାକଳ ୧୯୮୨ ମସିହାରେ ୩୦ ଏକରରୁ ଉର୍ଦ୍ଧ ଜମିରେ ଏହାକୁ ପ୍ରତିଷ୍ଠା କରାଯାଇଥିଲା। ଏହି ସୂତାକଳଟି ତତକାଳୀନ ଉପମୁଖ୍ୟମନ୍ତ୍ରୀ ବସନ୍ତ କୁମାର ବିଶ୍ବାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ୩୫କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିଲା। ଯାହା ୧୯୮୪ ମସିହାରେ ଉତ୍ପାଦନ ଆରମ୍ଭ କରିଥିଲା। ଏଠାରୁ ଉନ୍ନତମାନର ସୂତା ବିଦେଶକୁ ରପ୍ତାନି ହେଉଥିଲା। ହାରାହାରି ୨୦୦ରୁ ଅଧିକ ଅଧିକାରୀ ଓ ୧୬୦୦ କର୍ମଚାରୀଙ୍କୁ ନେଇ ଚାଲିଥିବା ସୂତାକଳଟି ସୁରୁଖୁରୁରେ ଚାଲୁଥିବା ବେଳେ ଏହି ଅଞ୍ଚଳର ଅନେକ ପରିବାର ଜୀବନ ଜୀବିକାର ଏକ ପ୍ରମୁଖ ମାଧ୍ୟମ ପାଲଟିଥିଲା। ଏହି ସୂତାକଳକୁ ବଲାଙ୍ଗୀର, କୋରାପୁଟ, ମହାରାଷ୍ଟ୍ର ଏବଂ ବିଦେଶରୁ ମଧ୍ୟ କଞ୍ଚାମାଲ ଆସୁଥିଲା। ସୂତାକଳ ପରିସର ମଧ୍ୟରେ ଷ୍ଟାଫ୍ କ୍ୱାଟର୍ ,ଗେଷ୍ଟହାଉସ୍, ଅଫିସର୍ କ୍ୱାଟର୍ ଆଦିର ସମସ୍ତ ପ୍ରକାର ବ୍ୟବସ୍ଥା ଥିଲା। ୧୯୯୯ ମସିହାର ମହାବାତ୍ୟାରେ ସୂତାକଳଟିର ବହୁତ କ୍ଷୟକ୍ଷତି ହୋଇଥିଲା। ଯାହାକି ଏହାପରଠାରୁ ସୂତାକଳଟିକୁ ଚାଲୁକରିବା ପାଇଁ କେହି ଜନପ୍ରତିନିଧି ମନଧ୍ୟାନ ଦେଇନଥିଲେ ବୋଲି କୁହାଯାଉଛି ।ଫଳରେ ଏହି ସୂତାକଳର ଅବସ୍ଥା ଜରାଜୀର୍ଣ୍ଣ ହୋଇଯାଇଥିଲା। ଏବେ ଏହି ସୂତାକଳ ପରିସର ବଣ ଜଙ୍ଗଲ ଘେରା ପରିବେଶରେ ନିଜର ଅସ୍ତିତ୍ବ ବଞ୍ଚାଇରଖିଛି।

ଦିନଥିଲା ଏହି ଅଞ୍ଚଳକୁ ଚଳଚଞ୍ଚଳ କରି ରଖିଥିବା ଏହି ସୂତାକଳଟିରେ ନିଯୁକ୍ତି ପାଇଥିବା ଶହଶହ ଶ୍ରମିକ ନିଜର ପରିବାର ପତିପୋଷଣ କରୁଥିଲେ।ଏଥିସହିତ ତିର୍ତ୍ତୋଲର ଆଖପାଖ ଅଂଚଳରେ ଥିବା ଛୋଟ ଛୋଟ ବ୍ୟବସାୟୀମାନେ ମଧ୍ୟ ପରୋକ୍ଷରେ ଉପକୃତ ହେଉଥିଲେ।ସୂତାକଳ ବନ୍ଦହେବା ଫଳରେ କର୍ମଚାରୀମାନେ କର୍ମସଂସ୍ଥାନ ହରାଇଲେ। ସରକାର ଏହି ଦୁଃଖ ଦୁର୍ଦ୍ଦଶାରେ ଥିବା ପରିବାରକୁ ଆଡ ଆଖିରେ ମଧ୍ୟ ଅନାଇନାହାଁନ୍ତି ବୋଲି ଅଭିଯୋଗ ହୋଇଛି। ଏପରିକି ଏହି ସୂତାକଳର ପୁନରୁଦ୍ଧାର ନିମନ୍ତେ ବହୁ ଆନ୍ଦୋଳନ ହୋଇସାରିଛି। ରାଜନୈତିକ ଦଳ ନିଜ ନିଜର ଇସ୍ତାହାରରେ ଏହି ସୂତାକଳର ପୁନରୁଦ୍ଧାର ପ୍ରସଙ୍ଗ ହୋଇଛି। ସବୁ ପ୍ରତିଶ୍ରୁତି ପରିକ୍ଷାର ସୀମା ସରହଦ ଲମ୍ବି ଲମ୍ବି ଯାଇଛି।

ଏବେ ଜଗତସିଂହପୁର ଜିଲ୍ଲାର ବହୁ କୁଶଳୀ ପ୍ରବାସୀ ଓଡିଆ କରୋନା ମହାମାରୀ ପ୍ରକୋପରେ ଗୁଜୁରାଟ, ଅହମଦାବାଦ,ମହାରାଷ୍ଟ୍ର ପରି ବିଭିନ୍ନ ବାହାର ରାଜ୍ୟ ଛାଡ଼ି ନିଜ ଜିଲ୍ଲାକୁ ଘରମୁହାଁ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ସରକାର ଉପରୋକ୍ତ ସୂତାକଳକୁ ପୁନରୁଦ୍ଧାର କରି ବେକାର ଯୁବକଯୁବତୀ ଓ କୁଶଳୀ ଅଣକୁଶଳୀ କର୍ମଚାରୀଙ୍କୁ ନୂତନ ନିଯୁକ୍ତି ପ୍ରଦାନ କରାଗଲେ ବେକାରୀ ସମସ୍ୟାର ସମାଧାନ ହେବା ସହିତ ଆଉ ବାହାର ରାଜ୍ୟକୁ କାମ କରିବା ପାଇଁ ଯିବାକୁ ପଡନ୍ତାନି । ଅନ୍ୟମାନଙ୍କ ମଧ୍ୟରେ ପୁର୍ବତନ ବିଧାୟକ ଲଲାଟେନ୍ଦୁ ମହାପାତ୍ର, ବିପ୍ଳବ ଚୌଧୁରୀ ପୂର୍ବତନ ଅଧ୍ୟକ୍ଷ ଜଗତସିଂହପୁର ପୌରପରିଷଦ, ନଟବର ବାରିକ ଜିଲ୍ଲା କଂଗ୍ରେସ ସଭାପତି ଜଗତସିଂହପୁର, ପ୍ରତିମା ମଲ୍ଲିକ, ଦେବୀ ମଲ୍ଲିକ, ବରଦା ପ୍ରସନ୍ନ ରାଉତ, ତରଜଙ୍ଗା ସରପଞ୍ଚ ବସନ୍ତ ସେଠୀ, ବିଷ୍ଣୁ ଚରଣ ବାରିକ ପ୍ରମୁଖ ଦାବୀପତ୍ର ଦିଆଯିବା ବେଳେ ଉପସ୍ଥିତ ଥିଲେ ।