Categories
ଆଞ୍ଚଳିକ

ବାଲୁଗାଁ ମହାବିଦ୍ୟାଳୟର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ରାଜ୍ୟ ସରକାରଙ୍କ ଶୈକ୍ଷିକ ସାରଣୀ ଅନୁଯାୟୀ ଚଳିତ ବର୍ଷ ବାଲୁଗାଁ ମହାବିଦ୍ୟାଳୟରେ ବିଭିନ୍ନ ସାଂସ୍କୃତିକ, ବୌଦ୍ଧିକ ଓ ସର୍ଜନାତ୍ମକ କାର୍ଯ୍ୟକ୍ରମ କରାଯିବା ସହିତ ଆଜି ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମହାବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର କଳ୍ପନା ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ସାଂସ୍କୃତିକ ପରିଷଦର ଉପଦେଷ୍ଟା ଡକ୍ଟର କୈଳାସ ଚନ୍ଦ୍ର ମହାରଣା ସଂଯୋଜନା କରିଥିଲେ।

ଅତିଥିମାନେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଏହି ୪୩ ତମ ସମାରୋହକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିବା ପରେ ଛାତ୍ରୀମାନେ ଉଦବୋଧନୀ ସଂଗୀତ ଗାନ କରି ଅତିଥି ମାନଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ସାଂସ୍କୃତିକ ପରିଷଦର ବରିଷ୍ଠ ଉପଦେଷ୍ଟା ଅଧ୍ୟାପକ ସୁବାସ ଚନ୍ଦ୍ର ଶ୍ରୀଚନ୍ଦନ ଅନୁଷ୍ଠାନିକ ଅତିଥି ପରିଚୟ ପ୍ରଦାନ କରିଥିଲେ।

ଉତ୍ସବର ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ ପରିବେଶବିତ ତଥା ତାମିଲନାଡୁ ସରକାରଙ୍କ ପ୍ରାକ୍ତନ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଡକ୍ଟର ଆଶୁତୋଷ ସାମନ୍ତସିଂହାର ସାମ୍ପ୍ରତିକ ସମୟର ଜ୍ଞାନ ବିଜ୍ଞାନ ପ୍ରୟୋଗ କରି ନିଜ ନିଜର ଆନ୍ତର୍ନିହିତ ପ୍ରତିଭା ଓ ବ୍ୟକ୍ତିତ୍ୱ ବିକାଶ କରିବାକୁ ପରାମର୍ଶ ଦେଇଥିଲେ। ମୁଖ୍ୟ ବକ୍ତାଭାବେ ଯୋଗ ଦେଇ ବାଲୁଗାଁ ଉପଖଣ୍ଡ ପୋଲିସ ଅଧିକାରୀ ଶୁଭ୍ରାଂଶୁ ଶେଖର ମିଶ୍ର ସାମ୍ପ୍ରତିକ ସାଇବର ଅପରାଧ ର ବିଭିନ୍ନ ଦିଗ ଉପରେ ଆଲୋଚନା କରିବା ସହ ସଚେତନତା ସୃଷ୍ଟି କରିଥିଲେ।

ବାଲୁଗାଁ ଥାନା ପୋଲିସ ଅଧିକାରୀ ଜୟ ପ୍ରକାଶ ପରିଡ଼ା, ପ୍ରାଧ୍ୟାପକ ଡଃ ଲକ୍ଷ୍ମୀଧର ସୁବୁଦ୍ଧି, ଅଧ୍ୟାପକ ବିଦ୍ୟାଧର ଜୁଝାରସିଂହ ଓ ସୁବ୍ରତ କୁମାର ତ୍ରିପାଠୀ ମଧ୍ୟ ସେମାନଙ୍କର ବକ୍ତବ୍ୟ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କର ବ୍ୟକ୍ତିତ୍ୱ ବିକାଶର ବିଭିନ୍ନ ମାଧ୍ୟମ ସମ୍ପର୍କରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ।

ସଭାପତି ତଥା ଅଧ୍ୟକ୍ଷା ଡକ୍ଟର କଳ୍ପନା ଦାଶ ଅତିଥିମାନଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରି ନିଜର ସଭାପତୀୟ ଅଭିଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ମହାବିଦ୍ୟାଳୟରେ ନିରବଛିନ୍ନ ଭାବେ ପଚିଶ ବର୍ଷ ଶିକ୍ଷାଦାନ କରିଥିବା ଅଧ୍ୟାପିକା ଡକ୍ଟର ମୋନାଲିସା ମାନସିଂଙ୍କୁ ମୁଖ୍ୟ ଅତିଥି ଉତ୍ତରୀୟ ଓ ପ୍ରଶସ୍ତିପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ।

ଏହାପରେ ଚଳିତବର୍ଷ ବିଭିନ୍ନ ବିଭାଗର ଶ୍ରେଷ୍ଠ ସ୍ନାତକ,ମହାବିଦ୍ୟାଳୟର କଳା ଓ ବିଜ୍ଞାନବିଭାଗର ଶ୍ରେଷ୍ଠ ସ୍ନାତକ,ଯୁକ୍ତ ଦୁଇ କଳା ଓ ବିଜ୍ଞାନର ଶ୍ରେଷ୍ଠ ଛାତ୍ର ଛାତ୍ରୀଙ୍କ ସମେତ ଶ୍ରେଷ୍ଠ ଏନସିସି,ଏନଏସଏସ ଓ ଯୁବ ରେଡ଼କ୍ରସ ସ୍ବେଛାସେବୀ ମାନଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ। ଏଥିସହ ଅଧ୍ୟାପିକା ରୀନା ରାଉତ, ମନସ୍ବିନୀ ପଟ୍ଟନାୟକ, କୀର୍ତ୍ତିମୟୀ ବାରିକ, ଶୁଚିସ୍ମିତା ମହାପାତ୍ର, ବିଷ୍ନୁପ୍ରିୟା ସ୍ୱାଇଁ, ଅମ୍ରିତା ନନ୍ଦଙ୍କ ସଂଯୋଜନାରେ ସାଂସ୍କୃତିକ ପରିଷଦ, ନାଟ୍ୟପରିଷଦ ଓ ବିଜ୍ଞାନ ପରିଷଦର କୃତୀ ଛାତ୍ର ଛାତ୍ରୀଙ୍କ ସମେତ ଲିଟେରାରୀ ଚାମ୍ପିୟନ ସ୍ମୃତିଶିଖା ସାମନ୍ତସିଂହାର ଓ ପ୍ରଜ୍ଞାସ୍ମିତା ସାହୁଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଧନ୍ୟବାଦ ଅର୍ପଣ କରିଥିଲେ ଅଧ୍ୟାପିକା ମନସ୍ବିନୀ ପଟ୍ଟନାୟକ।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର ସିନେମା

ଅଷ୍ଟମ ରାଜ୍ୟ ଓଡିଆ ଟେଲି ପୁରସ୍କାର ବିତରଣ ଉତ୍ସବରେ ଅକ୍ଷୟ ପରିଜା ପ୍ରଡକ୍ସନ୍ ପୁଣି ବାଜିମାତ୍

ଭୁବନେଶ୍ବର: ନୂଆ କିଛି କରିବାର ଆଭିମୁଖ୍ୟ ନେଇ ଓଡ଼ିଆ ଚଳଚ୍ଚିତ୍ର ତଥା ଧାରାବାହିକ ଦୁନିଆରେ ପାଦ ରଖିଥିଲା ଅକ୍ଷୟ ପରିଜା ପ୍ରଡକ୍ସନ୍। ଏହି ପ୍ରଡକ୍ସନ ନିବେଦିତ ଧାରାବାହିକ ଗୁଡିକ ସବୁବେଳେ ଟିଆରପି ରେଟିଂରେ ଆଗରେ ରହିବା ସହିତ ଦର୍ଶକଙ୍କ ବିପୁଳ ସମର୍ଥନ ଲାଭ କରି ଓଡ଼ିଆ ଟେଲିଭିଜନ ଜଗତରେ ଆଲୋଡନ ସୃଷ୍ଟି କରିଥାଏ ସେଥିପାଇଁ ଅଷ୍ଟମ ରାଜ୍ୟ ଓଡିଆ ଟେଲି ପୁରସ୍କାର ବିତରଣ ଉତ୍ସବରେ ଅକ୍ଷୟ ପରିଜା ପ୍ରଡକ୍ସନ୍ ପୁଣି ବାଜି ମାତ୍ କରିଛି। ୫ ଟି ବର୍ଗରେ ପୁରସ୍କାର ଜିତି ରାଜ୍ୟରେ ଏକ ନମ୍ବର ପ୍ରଡକ୍ସନ୍ ହାଉସ, ଓଡ଼ିଶା ତଥା ରାଜ୍ୟ ବାହାରର ଦର୍ଶକଙ୍କୁ ଧନ୍ୟବାଦ ଦେଇଛନ୍ତି ସଂସ୍ଥାର ମୁଖ୍ୟ ଅକ୍ଷୟ ପରିଜା।

ଶ୍ରେଷ୍ଠ ଧାରାବାହିକ (ସରଗମ୍) , ଶ୍ରେଷ୍ଠ ନିର୍ଦେଶକ, ଶ୍ରେଷ୍ଠ ସହ ଅଭିନେତା, ଶ୍ରେଷ୍ଠ ସଂଳାପ ଓ ଶ୍ରେଷ୍ଠ ସାଉଣ୍ଡ ପାଇଁ ଆୱାର୍ଡ ପାଇଛି ଅକ୍ଷୟ ପରିଜା ପ୍ରଡକ୍ସନ୍। ଏକ ଘରୋଇ ଟେଲିଭିଜନ ଚ୍ଯାନେଲ ରେ ପ୍ରସାରିତ ‘ସରଗମ୍’ ଆମ ରାଜ୍ୟ ଓଡ଼ିଶାର ଏକ ସଂଗୀତ ଭିତ୍ତିକ ପ୍ରେମ କାହାଣୀକୁ ନେଇ ଧାରାବାହିକ। ଏକ ସଂଗୀତକାରର ସଫଳତା, ଖ୍ୟାତି ଓ ପ୍ରତିଷ୍ଠା ପଛରେ କିପରି ରାଜନୀତି, ଘୃଣା ଏବଂ ଚଞ୍ଚକତା ଥାଏ ତାହା ହେଉଛି ‘ସରଗମ୍’ ଧାରାବାହିକର ମୂଳ ବିଷୟ ବସ୍ତୁ।

ଚଳଚ୍ଚିତ୍ର ଓ ଧାରାବାହିକ କ୍ଷେତ୍ରରେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ମୂଲ୍ୟବୋଧକୁ ବଜାୟ ରଖିବା ଦିଗରେ ଅକ୍ଷୟ ପରିଜା ପ୍ରଡକ୍ସନ୍ ନିରନ୍ତର ପ୍ରଚେଷ୍ଟା ଜାରି ରଖିଛି। ସେହି ଆଭିମୁଖ୍ୟକୁ ଅବ୍ୟାହତ ରଖି ମନୋରଞ୍ଜନ ଦୁନିଆରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଥିବା ଓଡ଼ିଶାର ନିୟମିତ ତଥା ନିର୍ଭରଯୋଗ୍ୟ ଏହି ନମ୍ବର ୱାନ ପ୍ରଯୋଜନା ସଂସ୍ଥା, ‘ଅକ୍ଷୟ ପରିଜା ପ୍ରଡକ୍ସନ୍’ ବ୍ୟାନରରେ ପ୍ରସ୍ତୁତ ଆଗାମୀ ଧାରାବାହିକ ଗୁଡିକ ନିଶ୍ଚିତ ଭାବେ ଓଡ଼ିଆ ଟେଲିଭିଜନ ଦର୍ଶକଙ୍କୁ ଏକ ନୂତନ ସ୍ୱାଦ ଦେବ ବୋଲି ପ୍ରଯୋଜନା ସଂସ୍ଥାର ମୁଖ୍ୟ ଅକ୍ଷୟ ପରିଜା କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ରେଳ ସପ୍ତାହ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ: ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳକୁ ସାମଗ୍ରିକ ଦକ୍ଷତା ସିଲଡ଼

ଭୁବନେଶ୍ବର: ପୂର୍ବତଟ ରେଳପଥ ପକ୍ଷରୁ ଆଜି ଭୁବନେଶ୍ୱରସ୍ଥ ରେଳବାଇ ଅଡିଟୋରିୟମ ଠାରେ ୬୬ତମ ରେଳସପ୍ତାହ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ପାଳିତ ହୋଇଯାଇଅଛି।  ଏହି ସମାରୋହ ରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟା ଭୂଷଣ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ସମସ୍ତ କୃତି କର୍ମଚାରୀ ଓ ଅଧିକାରୀ ମାନଙ୍କୁ ସେମାନଙ୍କର କାର୍ଯ୍ୟ ଦକ୍ଷତା ପାଇଁ ପୁରସ୍କୃତ କରିଛନ୍ତି। ଏଥିରେ ପୂର୍ବତଟ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ସୁଧୀର କୁମାର ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ।

ରେଳବାଇ କର୍ମଚାରୀ ମାନଙ୍କୁ ଉଦବୋଧନ ଦେଇ ମହାପ୍ରବନ୍ଧକ ରେଳବାଇ କର୍ମଚାରୀଙ୍କ ପ୍ରଗତିଶୀଳ ଉଦ୍ଦେଶ୍ୟ ଓ କର୍ତ୍ତବ୍ୟ ସମ୍ପାଦନ କରି ରେଳବାଇ କୁ ମୂଲ୍ୟବାନ ଅବଦାନ ପ୍ରଦାନ ସହ ଉତ୍କର୍ଷତା ଆଣିବାରେ ସହାୟକ ହୋଇଥିବାରୁ ସେମାନଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହିତ ଏହି ଉଦ୍ୟମ ଓ ନିଷ୍ଠା ଜାରିରଖିବାକୁ ଆହ୍ୱାନ ଦେଇଛନ୍ତି ଯାହା ଫଳରେ ଏହି ରେଳପଥ ଏକ ଶ୍ରେଷ୍ଠ ରେଳ ଜୋନ ଭାବେ ନିଜକୁ ବଜାୟ ରଖିବ।

ଖୋର୍ଦ୍ଧା ରୋଡ ରେଳ ମଣ୍ଡଳକୁ ସିଭିଲ ଇଂଜିନିୟରିଂ, ଟ୍ରେନ ପରିଚାଳନା ଓ ବାଣିଜ୍ୟ ଦକ୍ଷତା ସୀଲଡ଼ ମିଳିଥିବାବେଳେ ୱାଲଟିୟର ରେଳ ମଣ୍ଡଳକୁ ବିତ୍ତ (ଫାଇନାନ୍ସ), କୋଚିଂ ଡିପୋ ଓ କାର୍ମିକ ବିଭାଗ ଦକ୍ଷତା ସୀଲଡ଼ ଗ୍ରହଣ କରିଛି। ସେହିଭଳି ବିଦ୍ୟୁତ ପରିଚାଳନା ଓ ଯାନ୍ତ୍ରିକ (ମେକାନିକାଲ) ଦକ୍ଷତା ସୀଲଡ଼ ସମ୍ବଲପୁର ରେଳ ମଣ୍ଡଳକୁ ପ୍ରଦାନ କରାଯାଇଅଛି।

ଏହି ଅବସରରେ ସବୁ କ୍ଷେତ୍ରରେ କାର୍ଯ୍ୟ ଦକ୍ଷତା ପାଇଁ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳକୁ ସାମଗ୍ରିକ ଦକ୍ଷତା ସିଲଡ଼, ବ୍ରହ୍ମପୁର ରେଳ ଷ୍ଟେସନ୍କୁ ଉତ୍ତମ ବୃହତ ପରିଚ୍ଛନ୍ନ ଷ୍ଟେସନ ଓ ହଣ୍ଡପା ରେଳଷ୍ଟେସନ୍କୁ ଉତ୍ତମ ଛୋଟ ପରିଚ୍ଛନ୍ନ ଷ୍ଟେସନ ସିଲଡ଼ ପ୍ରଦାନ କରାଯାଇ ଅଛି।  ରେଳପଥର ବରିଷ୍ଠ ଉପମହାପ୍ରବନ୍ଧକ ସଞ୍ଜୟ ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରି ରେଳସପ୍ତାହ ଉପରେ ଆଲୋକପାତ କରିଥିବାବେଳେ ଅତିରିକ୍ତ ମହାପ୍ରବନ୍ଧକ ସୁଧୀର କୁମାର ମଧ୍ୟ ରେଳ କର୍ମଚାରୀ ମାନଙ୍କୁ ଉଦବୋଧନ ଦେଇଥିଲେ। ଉପ ମହାପ୍ରବନ୍ଧକ  ଅଶୋକ କୁମାର ମିଶ୍ର ଏହି ଅବସରରେ ଧନ୍ୟବାଦ ଅର୍ପଣ କରିଥିଲେ।