Categories
RathJatra ଜାତୀୟ ଖବର ଧର୍ମ ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ଚଳିତ ବର୍ଷ ପୁରୀ ଗଜପତି ମହାରାଜା କଲେ ଏକ ନୂଆ ରେକର୍ଡ, ଛେରା ପହଁରା କରିବାରେ ପୁରିଲା ୫୦ ବର୍ଷ

ପୁରୀ, ଚଳିତ ବର୍ଷ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ଏକ ନୂଆ ରେକର୍ଡ କରିଛନ୍ତି। ତାହା ହେଲା ସେ ଶ୍ରୀଜିୟୁଙ୍କ ସେବା କରିବାରେ ୫୦ ବର୍ଷ ପୁରଣ କରିଛନ୍ତି। ସେ ୧୯୭୧ ମସିହାରୁ ଠାକୁରଙ୍କ ଏହି ସେବା କରି ଆସୁଛନ୍ତି।

କେବଳ ୧୯୭୬ ମସିହା ରଥଯାତ୍ରା ବେଳେ ସେ ପରୀକ୍ଷା ଦେବା ପାଇଁ ବିଦେଶରେ ଥିବାରୁ ଆସିପାରି ନ ଥିଲେ। ହେଲେ ପ୍ରତିବର୍ଷ ସେ ଏହି ବିରଳ ସେବାରେ ନିଜକୁ ନିୟୋଦିତ ରଖିଛନ୍ତି। ସୂଚନା ଅନୁସାରେ ତିନି ଶହ ବର୍ଷ ତଳେ ଜଣେ ଗଜପତି ୫୦ ବର୍ଷ ସେବା କରିଥିଲେ। ହେଲେ ଏ ନେଇ କୌଣସି ରେକର୍ଡ ନାହିଁ।

୬୮ ବର୍ଷୀୟ ବର୍ତ୍ତମାନର ଗଜପତି ଦିବ୍ୟସିଂହ ଦେବ ୧୯୭୦ ମସିହାରେ ଗଜପତି ବୀର କିଶୋର ଦେବ, ତୃତୀୟଙ୍କ ଦେହାନ୍ତ ପରେ ରାଜାଭିଷେକ ହୋଇଥିଲେ। ଗତ ବର୍ଷ ତାଙ୍କ ରାଜାଭିଷେକକୁ ମଧ୍ୟ ୫୦ ବର୍ଷ ପୁରଣ ହୋଇଛି। ଏହା ପୂର୍ବରୁ ପୁରୀରେ କୌଣସି ଗଜପତି ଏତେ ବର୍ଷ ଧରି ରାଜଗାଦିରେ ବସି ଥିବାର ମଧ୍ୟ ରେକର୍ଡ ନାହିଁ।

ଗଜପତି ଦିବ୍ୟସିଂହ ଦେବ ପାଠ ପଢୁଥିବା ବେଳେ ରାଜାଭିଷେକ ହୋଇଥିଲେ। ସେ ରାୟପୁର ରାଜକୁମାର କଲେଜରୁ ଆଇଏସସି ପାସ୍ କରିଥିଲେ। ଏହାପରେ ୧୯୭୨ ମସିହାରେ ସେଣ୍ଟ ଷ୍ଟିଫେନ୍ସ କଲେଜରୁ ଇତିହାସ ସମ୍ମାନରେ ବିଏ ପାସ୍ କରିଥିଲେ। ଏହା ପରେ ୧୯୭୫ ମସିହାରେ ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ଏଲଏଲ୍ ବି ଶିକ୍ଷା ଲାଭ କରିଥିଲେ।

ଗଜପତି ଆମେରିକାର ଚିକାଗୋସ୍ଥିତ ଉତ୍ତର ପଶ୍ଚିମ ବିଶ୍ବବିଦ୍ୟାଳୟରେ ଏଲ୍ଏଲ୍ଏମ୍ ଡିଗ୍ରି ମଧ୍ୟ ହାସଲ କରିଛନ୍ତି। କିଛି ମାସ ଧରି ସେ ଓକିଲାତି ମଧ୍ୟ କରୁ ଥିଲେ।ଏହି ପେଶାରେ ଥିଲେ ମଧ୍ୟ ସେ ରିତମତ ରଥଯାତ୍ରାକୁ ଆସି ପ୍ରଭୃଙ୍କ ସେବାରେ ନିଜକୁ ନିୟୋଜିତ ରଖିଥିଲେ। ପରବର୍ତ୍ତି ସମୟରେ ଶ୍ରୀଜଗନ୍ନାଥଙ୍କ ଆକର୍ଷଣ ତାଙ୍କୁ ଅତିମାତ୍ରାରେ ଟାଣିଆଣିଲା। ଫଳରେ ସେ ଓକିଲାତି ପେଶା ଛାଡି ପୁରା ସମୟ ଶ୍ରୀଜଗନ୍ନାଥଙ୍କ ସେବା ନିଜକୁ ନିୟୋଜିତ କଲେ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ମହାପ୍ରଭୁ ଶ୍ରୀଜଗନ୍ନାଥ କୋଟି ଓଡ଼ିଆର ମଉଡ଼ମଣି: ଆନ୍ଧ୍ର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ

ଭୁବନେଶ୍ୱର: ଓଡ଼ିଶାର ବିଦ୍ୱାନମାନଙ୍କର ଅଗ୍ରଣୀ ଅନୁଷ୍ଠାନ, ଉତ୍କଳ ବିଦ୍ୱତ ପରିଷଦ ତରଫରୁ ଏକ ଦୁଇଦିନିଆ ଆଲୋଚନାଚକ୍ର ଆଜି ସନ୍ଧ୍ୟାରେ ଜୁମ୍ ଭିଡ଼ିଓ ଯୋଗେ ଉଦ୍‌ଘାଟିତ ହୋଇଯାଇଛି। ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ରାଜଭବନରେ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ‘ଇତିହାସ ପୃଷ୍ଠାରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା’ ସମ୍ବନ୍ଧୀୟ ଆଲୋଚନାଚକ୍ରକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ।

ଉଦ୍‌ଘାଟନୀ ଭାଷଣରେ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ନିଜ ବକ୍ତବ୍ୟରେ କହିଲେ ଯେ, ‘ଶ୍ରୀଜଗନ୍ନାଥ ହେଉଛନ୍ତି କୋଟି ଓଡ଼ିଆର ମଉଡ଼ମଣି। ଏ ଜାତିର ପ୍ରାଣ ଓ ପରିଚୟ। ଇତିହାସକୁ ଅବଲୋକନ କଲେ ଜଣାଯାଏ ବହୁ ଘାତ ପ୍ରତିଘାତ ଭିତରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପରମ୍ପରାକୁ ଓଡ଼ିଆମାନେ ରକ୍ଷା କରିବାକୁ ଅନେକ ବଳିଦାନ ଦେଇଛନ୍ତି। ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା ଅତିଶୀଘ୍ର ଏ କରୋନା ମହାମାରୀ ଦୂର ହେଉ ଏବଂ ଜନସାଧାରଣ ପୁନର୍ବାର ଶାନ୍ତି ଓ ମୈତ୍ରୀର ବାତାବରଣରେ ଜୀବନଯାପନ କରନ୍ତୁ।’

ପୁରୀ ଗଜପତି ମହାରାଜା କହିଲେ ଯେ ‘ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ପରମ୍ପରା ଅତ୍ୟନ୍ତ ପ୍ରାଚୀନ। ସ୍କନ୍ଧପୁରାଣ, ପୁରୁଷୋତ୍ତମ କ୍ଷେତ୍ର ମହାତ୍ମ୍ୟରୁ ଜଣାଯାଏ ଯେ ରାଜା ଇନ୍ଦଦ୍ୟୁମ୍ନଙ୍କ ଠାରୁ ଏ ପରମ୍ପରା ଆରମ୍ଭ ହୋଇଛି। ପ୍ରତ୍ୟେକ ଶ୍ରୀଜଗନ୍ନାଥପ୍ରେମୀ ସ୍କନ୍ଧପୁରାଣ ପୁରୁଷୋତ୍ତମ କ୍ଷେତ୍ର ମହାତ୍ମ୍ୟ ପଢି ମହାପ୍ରଭୁଙ୍କ ବିଷୟରେ ଅଧିକରୁ ଅଧିକ ଜାଣିଲେ ଆମ ସଂସ୍କୃତି ଓ ପରମ୍ପରା ରକ୍ଷା ହୋଇପାରିବ।

ବରେଣ୍ୟ ବକ୍ତାମାନଙ୍କ ମଧ୍ୟରେ କିସ୍ ବିଶ୍ୱବିଦ୍ୟାଳୟର ଉପଦେଷ୍ଟା ପ୍ରଫେସର ହରେକୃଷ୍ଣ ଶତପଥୀ, ପଦ୍ମବିଭୂଷଣ ସୁଦର୍ଶନ ସାହୁ, ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ, ଧର୍ମଶାସ୍ତ୍ରବିତ୍ ଡଃ ଅତୁଲ କୁମାର ନନ୍ଦ, ଐତିହ୍ୟ ବିଶାରଦ ଡଃ ସୁରେନ୍ଦ୍ର କୁମାର ମିଶ୍ର ଶ୍ରୀଜଗନ୍ନାଥଙ୍କ ଉପରେ ତଥ୍ୟ ଓ ତତ୍ତ୍ୱଭିତ୍ତିକ ପ୍ରବନ୍ଧମାନ ଉପସ୍ଥାପନ କରିଥିଲେ।

ପ୍ରାରମ୍ଭରେ ସ୍ୱାଗତ ଭାଷଣ ଆନ୍ତରାଷ୍ଟ୍ରୀୟ ହିନ୍ଦୁ ମହାସଭାର ସଭାପତି ଡଃ ବଦ୍ରୀନାଥ ପଟ୍ଟନାୟକ, ଅତିଥି ପରିଚୟ ପ୍ରଦାନ, ଉତ୍କଳ ବିଦ୍ୱତ ପରିଷଦର ଉପଦେଷ୍ଟା ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଓ ଉତ୍କଳ ବିଦ୍ୱତ ପରିଷଦର ଅଧ୍ୟକ୍ଷ ମନୋଜ ରଥ ଆଲୋଚନାଚକ୍ରର ବିଷୟବସ୍ତୁ ସମ୍ବନ୍ଧରେ ପ୍ରାଥମିକ ବକ୍ତବ୍ୟ ପ୍ରଦାନ କରିଥିଲେ। ଐତିହ୍ୟ ସଂରକ୍ଷଣ ପରିଷଦର ସମ୍ପାଦକ ଦେବୀ ପ୍ରସନ୍ନ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।

କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ ବିଜୟଚନ୍ଦ୍ର ବ୍ରହ୍ମା, ପଣ୍ଡିତ କମଳାକାନ୍ତ ଆଚାର୍ଯ୍ୟ ଓ ସୌମ୍ୟାଶ୍ରୀ ଆଶୀର୍ବାଦମ। ଆଜିର କାର୍ଯ୍ୟକ୍ରମରେ ସନ୍ଥ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ, ସ୍ୱାମୀ ଜଗନ୍ନାଥାନନ୍ଦ ସରସ୍ୱତୀ, ପ୍ରଫେସର ବୁଦ୍ଧଦେବ ମିଶ୍ର, ତିରୁପତିରୁ ଡଃ ଜ୍ଞାନ ରଞ୍ଜନ ପଣ୍ଡା, ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା, ପଣ୍ଡିତ ବିନୋଦ ବିହାରୀ ଦାସ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Categories
ଜାତୀୟ ଖବର ଧର୍ମ ବିଶେଷ ଖବର ରାଜ୍ୟ ଖବର

ଦେବସ୍ନାନ ପୂର୍ଣ୍ଣିମା: ପୁରୀରେ ଲାଗିବ 144 ଧାରା, ଏଥର ମଧ୍ୟ ପୁରୀ ଗଜପତି କରିବେନି ଛେରା ପହଁରା

ପୁରୀ, ଆସନ୍ତାକାଲି ପୁରୀରେ ଅନୁଷ୍ଠିତ ହେବ ସ୍ନାନଯାତ୍ରା। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ। ଏଥର ମଧ୍ୟ କରୋନା ପାଇଁ ଭକ୍ତମାନେ ପୁରୀରେ ଏକାଠି ହୋଇପାରିବେ ନାହିଁ। ସେଥିପାଇଁ ଆଜି ରାତିରୁ ପୁରୀରେ ଲାଗୁ ହେବ ୧୪୪ ଧାରା। ଆଜି ରାତି ୧୦ଟାରୁ ଆସନ୍ତା ୨୫ ତାରିଖ ସକାଳ ପର୍ଯ୍ୟନ୍ତ ଏହି୧୪୪ ଧାରା ଲାଗୁ କରାଯିବ। ଭକ୍ତମାନେ ନ ଥିଲେ ମଧ୍ୟ ସୁରକ୍ଷା ଦୃଷ୍ଟିରୁ ମୁତୟନ ହେବେ ୩୫ ପ୍ଲାଟୁନ ଫୋର୍ସ।

ସ୍ନାନଯାତ୍ରାରେ ସୁରକ୍ଷା ବ୍ୟବସ୍ଥାରେ ୫ଜଣ ଅତିରିକ୍ତ ଏସପି, ୨୩ ଜଣ ଡ଼ିଏସପି, ୪୧ ଜଣ ଇନ୍ସପେକ୍ଟର, ୧୫୦ ଜଣ ଅନ୍ୟ ଅଫିସର ମୁତୟନ ରହିବେ । କେବଳ ନୀତି ସହିତ ସମ୍ପୃକ୍ତ ସେବାୟତ ତଥା ପ୍ରଶାସନ ପକ୍ଷରୁ ଅନୁମତି ଦିଆଯାଇ ଥିବା ସେବାୟତଙ୍କୁ ଶ୍ରୀମନ୍ଦିର ଭିତରକୁ ଛଡାଯିବ । ଏହାସହ ସହରର ୧୫ଟି ସ୍ଥାନରେ ଲାଗିଛି ସିସିଟିଭି ।

ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ସ୍ନାନଯାତ୍ରାରେ ଛେରା ପହଁରା କରିବେନି ଗଜପତି ମହାରାଜା ଦିବ୍ୟସିଂହ ଦେବ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ନାନ ଯାତ୍ରାରେ ଛେରା ପହଁରା କରିବେ ନାହିଁ ବୋଲି ଗଜପତିଙ୍କ କାର୍ଯ୍ୟାଳୟରୁ ଅବଗତ କରାଯାଇଛି। ତେବେ ଗଜପତିଙ୍କ ଅନୁପସ୍ଥିତିରେ ସ୍ନାନ ଯାତ୍ରାରେ ତାଙ୍କ ମୁଦିରସ୍ତ ଛେରା ପହଁରା କରିବେ। ଗତ ବର୍ଷ ମଧ୍ୟ ସେହି ମୁଦିରସ୍ତ କରିଥିଲେ।

ଚଳିତ ବର୍ଷ ବିଳମ୍ବିତ ରାତ୍ରୀରୁ ପ୍ରଭୃଙ୍କ ନିତିକାନ୍ତି ଆରମ୍ଭ ହେବ। ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ତରଫରୁ ଜାରୀ କରାଯାଇଛି ସମୟ ନିର୍ଘଣ୍ଟ। ସେହି ଅନୁସାରେ ପହଣ୍ଡି ବିଜେ- ରାତ୍ରୀ ୧ଟାରୁ ଭୋର ୪ଟା ପର୍ଯ୍ୟନ୍ତ କରାଯିବ। ମଙ୍ଗଳା ଆରତି- ଭୋର ୪ଟା ୩୦, ଜଳ ବିଜେ- ସକାଳ ୭ଟା ୩୦ ରୁ ୯ ଟା ୩୦, ନୂଆଲୁଗା ଲାଗି- ୧୦ଟା, ଛେରାପହଁରା- ୧୦ଟା ୩୦ , ହାତୀ ବେଶ- ୧୧ଟାରୁ ୧୨ ଟା ପଯ୍ୟନ୍ତ।

ହାତୀ ବେଶ ପରେ ସାହାଣ ମେଲା ବା ସାଧାରଣ ଦର୍ଶନ କରାଯାଇଥାଏ। ହେଲେ ଚଳିତ ବର୍ଷ କରୋନା ପାଇଁ ସାହଣମେଲା ବନ୍ଦ କରାଯାଇଛି। ବାହୁଡା ପହଁଣ୍ଡି- ଅପରାହ୍ନ ୫ଟାରୁ ରାତି ୮ଟା ପର୍ଯ୍ୟନ୍ତ ଚାଲିବ ବୋଲି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ନିଷ୍ପତି କରିଛି।