ଦେବସ୍ନାନ ପୂର୍ଣ୍ଣିମା: ପୁରୀରେ ଲାଗିବ 144 ଧାରା, ଏଥର ମଧ୍ୟ ପୁରୀ ଗଜପତି କରିବେନି ଛେରା ପହଁରା

Published: Jun 23, 2021, 7:27 pm IST

ପୁରୀ, ଆସନ୍ତାକାଲି ପୁରୀରେ ଅନୁଷ୍ଠିତ ହେବ ସ୍ନାନଯାତ୍ରା। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ। ଏଥର ମଧ୍ୟ କରୋନା ପାଇଁ ଭକ୍ତମାନେ ପୁରୀରେ ଏକାଠି ହୋଇପାରିବେ ନାହିଁ। ସେଥିପାଇଁ ଆଜି ରାତିରୁ ପୁରୀରେ ଲାଗୁ ହେବ ୧୪୪ ଧାରା। ଆଜି ରାତି ୧୦ଟାରୁ ଆସନ୍ତା ୨୫ ତାରିଖ ସକାଳ ପର୍ଯ୍ୟନ୍ତ ଏହି୧୪୪ ଧାରା ଲାଗୁ କରାଯିବ। ଭକ୍ତମାନେ ନ ଥିଲେ ମଧ୍ୟ ସୁରକ୍ଷା ଦୃଷ୍ଟିରୁ ମୁତୟନ ହେବେ ୩୫ ପ୍ଲାଟୁନ ଫୋର୍ସ।

ସ୍ନାନଯାତ୍ରାରେ ସୁରକ୍ଷା ବ୍ୟବସ୍ଥାରେ ୫ଜଣ ଅତିରିକ୍ତ ଏସପି, ୨୩ ଜଣ ଡ଼ିଏସପି, ୪୧ ଜଣ ଇନ୍ସପେକ୍ଟର, ୧୫୦ ଜଣ ଅନ୍ୟ ଅଫିସର ମୁତୟନ ରହିବେ । କେବଳ ନୀତି ସହିତ ସମ୍ପୃକ୍ତ ସେବାୟତ ତଥା ପ୍ରଶାସନ ପକ୍ଷରୁ ଅନୁମତି ଦିଆଯାଇ ଥିବା ସେବାୟତଙ୍କୁ ଶ୍ରୀମନ୍ଦିର ଭିତରକୁ ଛଡାଯିବ । ଏହାସହ ସହରର ୧୫ଟି ସ୍ଥାନରେ ଲାଗିଛି ସିସିଟିଭି ।

ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ସ୍ନାନଯାତ୍ରାରେ ଛେରା ପହଁରା କରିବେନି ଗଜପତି ମହାରାଜା ଦିବ୍ୟସିଂହ ଦେବ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ନାନ ଯାତ୍ରାରେ ଛେରା ପହଁରା କରିବେ ନାହିଁ ବୋଲି ଗଜପତିଙ୍କ କାର୍ଯ୍ୟାଳୟରୁ ଅବଗତ କରାଯାଇଛି। ତେବେ ଗଜପତିଙ୍କ ଅନୁପସ୍ଥିତିରେ ସ୍ନାନ ଯାତ୍ରାରେ ତାଙ୍କ ମୁଦିରସ୍ତ ଛେରା ପହଁରା କରିବେ। ଗତ ବର୍ଷ ମଧ୍ୟ ସେହି ମୁଦିରସ୍ତ କରିଥିଲେ।

ଚଳିତ ବର୍ଷ ବିଳମ୍ବିତ ରାତ୍ରୀରୁ ପ୍ରଭୃଙ୍କ ନିତିକାନ୍ତି ଆରମ୍ଭ ହେବ। ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ତରଫରୁ ଜାରୀ କରାଯାଇଛି ସମୟ ନିର୍ଘଣ୍ଟ। ସେହି ଅନୁସାରେ ପହଣ୍ଡି ବିଜେ- ରାତ୍ରୀ ୧ଟାରୁ ଭୋର ୪ଟା ପର୍ଯ୍ୟନ୍ତ କରାଯିବ। ମଙ୍ଗଳା ଆରତି- ଭୋର ୪ଟା ୩୦, ଜଳ ବିଜେ- ସକାଳ ୭ଟା ୩୦ ରୁ ୯ ଟା ୩୦, ନୂଆଲୁଗା ଲାଗି- ୧୦ଟା, ଛେରାପହଁରା- ୧୦ଟା ୩୦ , ହାତୀ ବେଶ- ୧୧ଟାରୁ ୧୨ ଟା ପଯ୍ୟନ୍ତ।

ହାତୀ ବେଶ ପରେ ସାହାଣ ମେଲା ବା ସାଧାରଣ ଦର୍ଶନ କରାଯାଇଥାଏ। ହେଲେ ଚଳିତ ବର୍ଷ କରୋନା ପାଇଁ ସାହଣମେଲା ବନ୍ଦ କରାଯାଇଛି। ବାହୁଡା ପହଁଣ୍ଡି- ଅପରାହ୍ନ ୫ଟାରୁ ରାତି ୮ଟା ପର୍ଯ୍ୟନ୍ତ ଚାଲିବ ବୋଲି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ନିଷ୍ପତି କରିଛି।

Related posts