Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପୁରୀ ଲୋକସଭାରୁ ସମ୍ବିତ ପାତ୍ର ଜିତିବା ପାଇଁ କେନ୍ଦ୍ର ବିଜେପିର ଜୋରଦାର ପ୍ରୟାସ, କାରଣ କଣ

ପ୍ରକାଶ ଭୋଳ

ଭୁବନେଶ୍ବର: ପୁରୀ ଲୋକସଭାରୁ ସମ୍ବିତ ପାତ୍ର ଜିତିବା ଦରକାର। ଏହା ଚାହୁଛି ରାଷ୍ଟ୍ରୀୟ ବିଜେପି। ସେତିକି ନୁହେଁ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଚାହୁଛନ୍ତି ଓଡିଶାର କେମିତି ହେଲେ ସମ୍ବିତ ପାତ୍ର ଜିତିବା ଦରକାର। ପ୍ରକୃତ କାରଣ କଣ ଜଣାପଡି ନ ଥିଲେ ମଧ୍ୟ ଓଡିଶାରୁ ସମ୍ବିତ ପାତ୍ର ନେତୃତ୍ବ ନେବାରେ ଉପଯୁକ୍ତ ବୋଲି ଦିଲ୍ଲୀରେ ଦଳ ଚିନ୍ତା କରିଛି।

ସେଥିପାଇଁ ସମ୍ବିତ, ଗଣ୍ଡାଗଣ୍ଡା କେନ୍ଦ୍ରମନ୍ତ୍ରୀଙ୍କୁ ଆଣି ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀରେ ଭର୍ତ୍ତି କରି ସାରିଲେଣି। ନିକଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପୁରୀରେ ବହୁ କାର୍ଯ୍ୟକ୍ରମ କରି ସମ୍ବିତଙ୍କ ଲୋକପ୍ରିୟତାକୁ ବୃଦ୍ଧି କରିଛନ୍ତି। ସେ ପୁରୀ ସହରରେ ବିଭିନ୍ନ କାର୍ଯ୍ୟକ୍ରମ କରିବା ସହିତ ରଘୁରାଜପୁର ଏବଂ ପିପିଲିରେ ମଧ୍ୟ ଛୋଟଛୋଟ କାର୍ଯ୍ୟକ୍ରମ କରିଛନ୍ତି। ସେସବୁ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଯାହା ହେଉ ନା କାହିଁକି ଏହା ଦ୍ବାରା ପୁରୀରେ ସମ୍ବିତ ପାତ୍ରଙ୍କ ପତିୟାରା ବଢିବାରେ ଲାଗିଛି।

ଏହା ପୂର୍ବରୁ ପୁରୀ ଗସ୍ତରେ ଆସିଥିଲେ କେନ୍ଦ୍ର ପରିବେଶ ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ, ଶ୍ରମ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ। ସେ ମଧ୍ୟ ପୁରୀ ଲୋକସଭା କ୍ଷେତ୍ରରେ ବିଭିନ୍ନ କାର୍ଯ୍ୟକ୍ରମ କରିଥିଲେ। ପିପିଲିରେ ସେ ତ୍ରିରଙ୍ଗା ଯାତ୍ରା ମଧ୍ୟ କରି ଏକ ବଡ ଶୋଭାଯାତ୍ରାରେ ସମ୍ବିତ ପାତ୍ରଙ୍କ ସହ ବୁଲିଥିଲେ। ସେହିପରି ପୂର୍ବରୁ ପୁରୀ ସଂସଦୀୟ କ୍ଷେତ୍ରର ଚିଲିକା ନିର୍ବାଚନ ମଣ୍ଡଳୀରେ ଏକ ବଡ ସଭା କରିଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା। ଯାହା ସମ୍ବିତଙ୍କ ପାରିବା ପଣିଆକୁ ପ୍ରତିପାଦନ କରିଛି।

କେବଳ ଯେ କେନ୍ଦ୍ରମନ୍ତ୍ରୀ ଆସୁଛନ୍ତି ତାହା ନୁହେଁ ଖୋଦ ସମ୍ବିତ ମଧ୍ୟ ପୁରୀ ସଂସଦୀୟ କ୍ଷେତ୍ରର ସମସ୍ତ ବିଧାନସଭା ମଣ୍ଡଳୀର ପ୍ରତି ପଞ୍ଚାୟତ ଏକା ଏକା ବୁଲି ସାରିଲେଣି। ବର୍ତ୍ତମାନ ତାଙ୍କ ନିର୍ବାଚନ ମଣ୍ଡଳୀର ଛୋଟବଡ ସମସ୍ତ କାର୍ଯ୍ୟକ୍ରମରେ ସେ ସିଧା ଲୋକଙ୍କ ପାଖରେ ହାଜର ହେଉଛନ୍ତି।  ସାଧାରଣ ନିର୍ବାଚନକୁ ଢେର ଦିନ ବାକିଥିଲେ ମଧ୍ୟ ସମ୍ବିତଙ୍କ ଏପରି ମାରଥନ ଗସ୍ତ ବର୍ତ୍ତମାନ ତାଙ୍କର ଜିତିବା ରାସ୍ତାକୁ ସୁଗମ କରିବାରେ ଲାଗିଛି।

ଅନ୍ୟପଟେ ପୁରୀ ଲୋକସଭା ଆସନରେ ବିଜେଡିର ନିଷ୍କ୍ରିୟତା ସମ୍ବିତଙ୍କ ପାଇଁ ଏକ ବଡ ସୁଯୋଗ ଆଣି ଦେଇଛି। ପୁରୀ ସାଂସଦ ପିନାକୀ ମିଶ୍ର ଦିଲ୍ଲୀରୁ ଆଉ ଓଡିଶା ଆସୁ ନାହାଁନ୍ତି। ଆସିଲେ ମଧ୍ୟ ତାଙ୍କ ନିର୍ବାଚନ ମଣ୍ଡଳିରେ ମୁଣ୍ଡ ପୁରାଉ ନାହାଁନ୍ତି। ସେ କୁଆଡେ ଆଉ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବେ ନାହିଁ ବୋଲି ପିନାକୀ ତାଙ୍କ କର୍ମିମାନଙ୍କୁ କହିସାରିଲେଣି। ଫଳରେ ସମ୍ବିତଙ୍କ ପାଇଁ ବିଲେଇ କପାଳକୁ ଶିକା ଛିଣ୍ଡିବା ପରି ପରିସ୍ଥିତି ସୃଷ୍ଟି ହୋଇଛି।

ତେବେ ସାଧାରଣରେ ଏକ ପ୍ରଶ୍ନ ସୃଷ୍ଟି ହେବା ସ୍ବାଭାବିକ ଯେ, କେନ୍ଦ୍ର ବିଜେପି କଣ ପାଇଁ ସମ୍ବିତଙ୍କ ଜିତିବାକୁ ଗୁରୁତ୍ବ ଦେଉଛି। ଏହାର ଉତ୍ତରରେ ଏତିକି କୁହାଯାଇ ପାରିବ ଯେ, ଭବିଷ୍ୟତରେ ଓଡିଶାରେ ବିଜେପିର ମୁହଁ ହେବେ ସମ୍ବିତ ପାତ୍ର। କାରଣ ପୂର୍ବରୁ ଯେଉଁମାନଙ୍କୁ ଦଳ ଓଡିଶାର ମଙ୍ଗୁଆଳ କରି ଛାଡିଥିଲେ ତାଙ୍କୁ ଲୋକେ ପସନ୍ଦ କରୁ ନାହାଁନ୍ତି। ଫଳରେ ଓଡିଶାରେ ବିଜେପି ଯେପରି ସଫଳତା ପାଇବା କଥା ତାହା ହୋଇପାରୁ ନାହିଁ।

ହେଲେ ସେଥିରୁ ସମ୍ବିତ ସଂପୂର୍ଣ୍ଣ ଅଲଗା। ସେ ଲୋକମାନଙ୍କ ଦ୍ବାରା ସହଜରେ ଗ୍ରହଣୀୟ ହୋଇପାରୁଛନ୍ତି। ସେଥିପାଇଁ ସେ ଚଳିତ ନିର୍ବାଚନରେ ଜିତିବା ପରେ ତାଙ୍କୁ ଶକ୍ତିଶାଳି କରାଯାଇ ଓଡିଶା ବିଜେପିର ମଙ୍ଗ ସମ୍ଭାଳିବା ପାଇଁ ଏକ ଦୀର୍ଘ ମିଆଦି ଯୋଜନା ବିଜେପି କରିଛି। ଏଥିପାଇଁ ସମ୍ବିତଙ୍କ ପାଇଁ ଦିଲ୍ଲୀରୁ ଏକ ଟିମ ଭୁବନେଶ୍ବରରେ ରହି କାର୍ଯ୍ୟ କରୁଛନ୍ତି। ସମ୍ବିତଙ୍କ ନିର୍ବାଚନ ଜିତିବା ପାଇଁ ପୁରା ଟିମ କେନ୍ଦ୍ରର ନିର୍ଦ୍ଦେଶ ଅନୁସାରେ ରଣନୀତି ତିଆରି କରୁଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପୁରୀ ଲୋକସଭା ଆସନରୁ ପୁଣି ଛିଡା ହେବେ ତ ପିନାକୀ ମିଶ୍ର ? ଦ୍ବନ୍ଦରେ ବିଜେଡି କର୍ମି

ଭୁବନେଶ୍ବର: ପୁରୀ ସାଂସଦ ପିନାକୀ ମିଶ୍ରଙ୍କ ପରବର୍ତ୍ତି ରାଜନୈତିକ ଭବିଷ୍ୟତ ନେଇ ବର୍ତ୍ତମାନ କିଛି ଆକଳନ କରାଯାଇ ପାରୁ ନାହିଁ। କାରଣ ତାଙ୍କର କାର୍ଯ୍ୟକଳାପ ଯେପରି ନିଷ୍କ୍ରିୟ ହୋଇପଡିଛି ସେଥିରୁ ଅନୁମାନ କରାଯାଉଛି ଯେ , ସେ ବୋଧହୁଏ ଆଉ ଛିଡା ହେବେ ନାହିଁ। ଫଳରେ ପୁରୀ ଲୋକସଭାର ବିଜେଡି କର୍ମିମାନେ ଦ୍ବନ୍ଦରେ ରହିଛନ୍ତି। ସେମାନଙ୍କ ମନରେ ଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ଯେ ପିନାକୀ କଣ ଆଉ ନବୀନଙ୍କ ଗୁଡ ବୁକରେ ନାହାଁନ୍ତି କି ?

ପିନାକୀଙ୍କୁ ନେଇ ଏହି ସନ୍ଦେହ ଗତ ପଞ୍ଚାୟତ ତଥା ପୌର ନିର୍ବାଚନରୁ ଜୋର ଧରିଲା। ତାପୂର୍ବରୁ ପିନାକୀଙ୍କ ନିଷ୍କ୍ରିୟତା ନେଇ ପୁରୀ ସଂସଦୀୟ କ୍ଷେତ୍ରର ସମସ୍ତ ବିଧାନସଭା ଅଞ୍ଚଳରେ ସନ୍ଦେହ ସୃଷ୍ଟି ହୋଇଥିଲା। ହେଲେ ପଞ୍ଚାୟତ ତଥା ପୌର ନିର୍ବାଚନରେ କର୍ମିମାନେ ନିଶ୍ଚିତ ହେଲେ ଯେ, ପିନାକୀ ଆଉ ଲୋସସଭା ଲଢିବେ ନାହିଁ। କାରଣ ଏହି ନିର୍ବାଚନ ବେଳେ ପିନାକୀ ବିଲକୁଲ ପ୍ରଚାରକୁ ଓହ୍ଲାଇଲେ ନାହିଁ। କର୍ମିଙ୍କୁ ସାଥ୍ ଦେଲେ ନାହିଁ।

ତେବେ ପଞ୍ଚାୟତ ନିର୍ବାଚନ ଏବଂ ପୌର ନିର୍ବାଚନ ପରେ ଆଉ ଏକ ବଡ ଘଟଣା ଘଟିଥିଲା ଯାହାକୁ ନେଇ ସାରା ରାଜ୍ୟ ରାଜନୀତି ପିନାକୀଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖିଲା। ତାହା ହେଲା ଗତ ବର୍ଷ ଡିସେମ୍ବରରେ ପୁରୀ ଆୟୋଜିତ ହୋଇଥିଲା ବିଜେଡି ପ୍ରତିଷ୍ଠା ଦିବସ। ଏଥିରେ ଯୋଗଦେବାକୁ ସବୁ ନେତା କର୍ମି ପିନାକୀଙ୍କ ଘର ଆଗେର ଏକଜୁଟ ହୋଇ ଶଙ୍ଖନାଦ କରିଥିଲେ। ହେଲେ ବିଜେଡିର ପୁରୀ ପିଠାଧିଶ ପିନାକୀବାବୁ ଅର୍ନ୍ତଧ୍ୟାନ।

ସେ ହିସମୟରେ ପିନାକଙ୍କ ସ୍ବାସ୍ଥ୍ୟ ଖରାପ ଥିଲା ବୋଲି ଦଳ ତରଫରୁ କୁହାଗଲା। ହେଲେ ଦେହ ଖରାପକୁ ନେଇ ସେତେବେଳେ ସାଂସଦ ଭର୍ତ୍ତୁହରି ମହତାବ ସନ୍ଦେହ ପ୍ରକଟ କରି ବିବୃତି ଦେଇଥିଲେ। ଏସବୁ ଘଟଣା ଭିତରେ ପିନାକୀଙ୍କ ରାଜନୈତିକ ଭବିଷ୍ୟତ ନେଇ ଧିରେ ଧିରେ ସନ୍ଦେହ ବଢୁଥିବା ବେଳେ ସେ ହଠାତ ଗୋପବନ୍ଧୁ ଦାସ ଜନ୍ମପିଠ ନବୀକରଣ ସମାରୋହରେ ପିନାକୀଙ୍କ ଆର୍ବିଭାବ ହେଲା। ହେଲେ ପୂର୍ବରୁ ମାସ ମାସ ଧରି ଯିଏ ନିର୍ବାଚନ ମଣ୍ଡଳୀରୁ ଦୂରେଇ ଯାଇଥିଲା ଏହି ଗୋଟିଏ ଦିନର ଉପସ୍ଥିତି ସେପରି ଭଲ ହାୱା ପ୍ରବାହିତ କଲା ନାହିଁ।

ତେବେ ପିନାକୀଙ୍କ ନିର୍ବାଚନ ମଣ୍ଡଳୀ ନ ଆସିବାକୁ ଦେଖି କର୍ମିମାନେ ତାଙ୍କୁ ଦେଖି କରିବାକୁ ଅବହେଲା କରନ୍ତି ନାହିଁ। ସେ ଯେତେବେଳେ ପୁରୀ କିମ୍ବା ଭୁବନେଶ୍ବର ଆସନ୍ତି ତାଙ୍କୁ କର୍ମିମାନେ ସମସ୍ୟା ନେଇ ସାକ୍ଷାତ କରିବାକୁ ଯାଆନ୍ତି। ହେଲେ କର୍ମିମାନେ ମଧ୍ୟ ପିନାକୀଙ୍କଠାରୁ କୌଣସି ଭଲ ପ୍ରତିକ୍ରିୟା ପାଆନ୍ତି ନାହିଁ। ଅନେକଙ୍କୁ ପିନାକୀ ଦେଖା ମଧ୍ୟ ଦିଅନ୍ତି ନାହିଁ। ଏପରିକି କେତେକ କର୍ମିଙ୍କ ଆଗରେ ପିନାକୀ କୁଆଡେ ଘୋଷଣା କରିସାରିଲେଣି ଯେ ସେ ଆଉ ନିର୍ବାଚନ ଲଢିବେ ନାହିଁ।

ପିନାକୀଙ୍କ ଏପରି ଖୋଲମଖୁଲା ପ୍ରତିକ୍ରିୟା ଦେଖି ବିଜେଡି କର୍ମିମାନେ ପ୍ରମାଦ ଗଣିଲେଣି। ବିଶେଷ କରି ଚିଲିକା ନିର୍ବାଚନ ମଣ୍ଡଳୀରେ କର୍ମିମାନେ ବେଶୀ ଅସୁବିଧାର ସମ୍ମୁଖୀନ ହେବାରେ ଲାଗିଛନ୍ତି। କାରଣ କୋର୍ଟ କଟକଣା ଯୋଗୁଁ ଏହି ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ସେଠାକୁ ଯାଉ ନ ଥିବା ବେଳେ ଏପଟେ ସାଂସଦଙ୍କର ମଧ୍ୟ ନିର୍ବାଚନ ମଣ୍ଡଳୀରେ ଦର୍ଶନ ମିଳୁ ନାହିଁ। ଫଳରେ ସେମାନେ ବର୍ତ୍ତମାନ ନେତୃତ୍ବ ଛେଉଣ୍ଡ ହୋଇ ବୁଲୁଛନ୍ତି।

ତେବେ ପିନାକୀଙ୍କ ନିଷ୍କ୍ରୟତା ପରେ ବର୍ତ୍ତମାନ ସାଧାରଣରେ ପ୍ରଶ୍ନ ଉଠୁଛି ଯେ, ବର୍ତ୍ତମାନ ପୁରୀ ଲୋକସଭା ଆସନରୁ ବିଜେଡିରୁ କିଏ ଛିଡା ହେବ। ଏହି ପ୍ରଶ୍ନ ଉଠିବା ସ୍ବାଭାବିକ। କାରଣ ପୁରୀ ଲୋକସଭା ପାଇଁ ବିଜେପିରୁ ସମ୍ବିତ ପାତ୍ର ଯେପରି ପରିଶ୍ରମ କରିବାରେ ଲାଗିଲେଣି, ଘରଘର ବୁଲିଲେଣୀ, ସେଥିରେ ବିଜେଡି କର୍ମୀ ଭୟଭୀତ ହୋଇପଡିଲେଣି।

Categories
ଆଞ୍ଚଳିକ

ପୁରୀ ସାଂସଦ ପିନାକୀ ମିଶ୍ରଙ୍କର ଚିଲିକା ନିର୍ବାଚନ ମଣ୍ଡଳୀ ଗସ୍ତ, ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ

ବାଣପୁର, ପୁରୀ ସାଂସଦ ପିନାକୀ ମିଶ୍ର ଆଜି ଚିଲିକା ନିର୍ବାଚନ ମଣ୍ଡଳୀ ଗସ୍ତ କରି ବିଭିନ୍ନ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ସେ ନିର୍ବାଚିତ ହୋଇ ସାରିବା ପରେ ଏହା ଥିଲା ତାଙ୍କର ପ୍ରଥମ ଗସ୍ତ। ଏହି ଗସ୍ତ ସମୟରେ ତାଙ୍କୁ ବାଣପୁର ବିଷରପଟଣା ଛକ ଠାରୁ ତହସିଲ କାର୍ଯ୍ୟାଳୟ ପର୍ଯ୍ୟନ୍ତ  ବିଜେଡି କର୍ମିମାନେ ଏକ ବିଶାଳ ରାଲି କରି ନେଇଥିଲେ। ତାଙ୍କ ସହିତ ଥିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ।

ସାଂସଦ ପିନାକୀ ମିଶ୍ର ବାଣପୁର ରେ ନୂତନ ତହସିଲ ଗୃହ ନିର୍ମାଣ ଏବଂ ବାଲୁଗାଁରେ ନୂତନ ଡାକ ବଙ୍ଗଳା ନିର୍ମାଣର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ। ଏଥିସହିତ ବାଣପୁର ସହିଦ କୃତିବାସ ଭାବନ ଠାରେ ବିଜୁ ଜନତା ଦଳ ର କର୍ମୀ ସମିଳନୀରେ ମଧ୍ୟ ଯୋଗଦେଇଥିଲେ। ଏହି ସଭାରେ ବାଲୁଗାଁ ଏନଏସି ବିଜେଡି ସଭାପତି ଜୟନ୍ତ ଭାଇ, କାର୍ଯ୍ୟକାରୀ ସଭାପତି କୃଷ୍ଣ ବେହେରା, ମୁଖପାତ୍ର ମନୁ ସ୍ୱାଇଁ, ଏମପି ପ୍ରତିନିଧି ପ୍ରକାଶ ପ୍ରଧାନ, ଚିଲିକା ବ୍ଲକ ବିଜେଡି ସଭାପତି ଉତ୍ପଳ ପାଇକରାୟ ଆଦି ଉପସ୍ଥିତ ଥିଲେ।