ପୁରୀ ଲୋକସଭା ଆସନରୁ ପୁଣି ଛିଡା ହେବେ ତ ପିନାକୀ ମିଶ୍ର ? ଦ୍ବନ୍ଦରେ ବିଜେଡି କର୍ମି

Published: Feb 25, 2023, 6:37 pm IST
PinakiMishra

ଭୁବନେଶ୍ବର: ପୁରୀ ସାଂସଦ ପିନାକୀ ମିଶ୍ରଙ୍କ ପରବର୍ତ୍ତି ରାଜନୈତିକ ଭବିଷ୍ୟତ ନେଇ ବର୍ତ୍ତମାନ କିଛି ଆକଳନ କରାଯାଇ ପାରୁ ନାହିଁ। କାରଣ ତାଙ୍କର କାର୍ଯ୍ୟକଳାପ ଯେପରି ନିଷ୍କ୍ରିୟ ହୋଇପଡିଛି ସେଥିରୁ ଅନୁମାନ କରାଯାଉଛି ଯେ , ସେ ବୋଧହୁଏ ଆଉ ଛିଡା ହେବେ ନାହିଁ। ଫଳରେ ପୁରୀ ଲୋକସଭାର ବିଜେଡି କର୍ମିମାନେ ଦ୍ବନ୍ଦରେ ରହିଛନ୍ତି। ସେମାନଙ୍କ ମନରେ ଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ଯେ ପିନାକୀ କଣ ଆଉ ନବୀନଙ୍କ ଗୁଡ ବୁକରେ ନାହାଁନ୍ତି କି ?

ପିନାକୀଙ୍କୁ ନେଇ ଏହି ସନ୍ଦେହ ଗତ ପଞ୍ଚାୟତ ତଥା ପୌର ନିର୍ବାଚନରୁ ଜୋର ଧରିଲା। ତାପୂର୍ବରୁ ପିନାକୀଙ୍କ ନିଷ୍କ୍ରିୟତା ନେଇ ପୁରୀ ସଂସଦୀୟ କ୍ଷେତ୍ରର ସମସ୍ତ ବିଧାନସଭା ଅଞ୍ଚଳରେ ସନ୍ଦେହ ସୃଷ୍ଟି ହୋଇଥିଲା। ହେଲେ ପଞ୍ଚାୟତ ତଥା ପୌର ନିର୍ବାଚନରେ କର୍ମିମାନେ ନିଶ୍ଚିତ ହେଲେ ଯେ, ପିନାକୀ ଆଉ ଲୋସସଭା ଲଢିବେ ନାହିଁ। କାରଣ ଏହି ନିର୍ବାଚନ ବେଳେ ପିନାକୀ ବିଲକୁଲ ପ୍ରଚାରକୁ ଓହ୍ଲାଇଲେ ନାହିଁ। କର୍ମିଙ୍କୁ ସାଥ୍ ଦେଲେ ନାହିଁ।

ତେବେ ପଞ୍ଚାୟତ ନିର୍ବାଚନ ଏବଂ ପୌର ନିର୍ବାଚନ ପରେ ଆଉ ଏକ ବଡ ଘଟଣା ଘଟିଥିଲା ଯାହାକୁ ନେଇ ସାରା ରାଜ୍ୟ ରାଜନୀତି ପିନାକୀଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖିଲା। ତାହା ହେଲା ଗତ ବର୍ଷ ଡିସେମ୍ବରରେ ପୁରୀ ଆୟୋଜିତ ହୋଇଥିଲା ବିଜେଡି ପ୍ରତିଷ୍ଠା ଦିବସ। ଏଥିରେ ଯୋଗଦେବାକୁ ସବୁ ନେତା କର୍ମି ପିନାକୀଙ୍କ ଘର ଆଗେର ଏକଜୁଟ ହୋଇ ଶଙ୍ଖନାଦ କରିଥିଲେ। ହେଲେ ବିଜେଡିର ପୁରୀ ପିଠାଧିଶ ପିନାକୀବାବୁ ଅର୍ନ୍ତଧ୍ୟାନ।

ସେ ହିସମୟରେ ପିନାକଙ୍କ ସ୍ବାସ୍ଥ୍ୟ ଖରାପ ଥିଲା ବୋଲି ଦଳ ତରଫରୁ କୁହାଗଲା। ହେଲେ ଦେହ ଖରାପକୁ ନେଇ ସେତେବେଳେ ସାଂସଦ ଭର୍ତ୍ତୁହରି ମହତାବ ସନ୍ଦେହ ପ୍ରକଟ କରି ବିବୃତି ଦେଇଥିଲେ। ଏସବୁ ଘଟଣା ଭିତରେ ପିନାକୀଙ୍କ ରାଜନୈତିକ ଭବିଷ୍ୟତ ନେଇ ଧିରେ ଧିରେ ସନ୍ଦେହ ବଢୁଥିବା ବେଳେ ସେ ହଠାତ ଗୋପବନ୍ଧୁ ଦାସ ଜନ୍ମପିଠ ନବୀକରଣ ସମାରୋହରେ ପିନାକୀଙ୍କ ଆର୍ବିଭାବ ହେଲା। ହେଲେ ପୂର୍ବରୁ ମାସ ମାସ ଧରି ଯିଏ ନିର୍ବାଚନ ମଣ୍ଡଳୀରୁ ଦୂରେଇ ଯାଇଥିଲା ଏହି ଗୋଟିଏ ଦିନର ଉପସ୍ଥିତି ସେପରି ଭଲ ହାୱା ପ୍ରବାହିତ କଲା ନାହିଁ।

ତେବେ ପିନାକୀଙ୍କ ନିର୍ବାଚନ ମଣ୍ଡଳୀ ନ ଆସିବାକୁ ଦେଖି କର୍ମିମାନେ ତାଙ୍କୁ ଦେଖି କରିବାକୁ ଅବହେଲା କରନ୍ତି ନାହିଁ। ସେ ଯେତେବେଳେ ପୁରୀ କିମ୍ବା ଭୁବନେଶ୍ବର ଆସନ୍ତି ତାଙ୍କୁ କର୍ମିମାନେ ସମସ୍ୟା ନେଇ ସାକ୍ଷାତ କରିବାକୁ ଯାଆନ୍ତି। ହେଲେ କର୍ମିମାନେ ମଧ୍ୟ ପିନାକୀଙ୍କଠାରୁ କୌଣସି ଭଲ ପ୍ରତିକ୍ରିୟା ପାଆନ୍ତି ନାହିଁ। ଅନେକଙ୍କୁ ପିନାକୀ ଦେଖା ମଧ୍ୟ ଦିଅନ୍ତି ନାହିଁ। ଏପରିକି କେତେକ କର୍ମିଙ୍କ ଆଗରେ ପିନାକୀ କୁଆଡେ ଘୋଷଣା କରିସାରିଲେଣି ଯେ ସେ ଆଉ ନିର୍ବାଚନ ଲଢିବେ ନାହିଁ।

ପିନାକୀଙ୍କ ଏପରି ଖୋଲମଖୁଲା ପ୍ରତିକ୍ରିୟା ଦେଖି ବିଜେଡି କର୍ମିମାନେ ପ୍ରମାଦ ଗଣିଲେଣି। ବିଶେଷ କରି ଚିଲିକା ନିର୍ବାଚନ ମଣ୍ଡଳୀରେ କର୍ମିମାନେ ବେଶୀ ଅସୁବିଧାର ସମ୍ମୁଖୀନ ହେବାରେ ଲାଗିଛନ୍ତି। କାରଣ କୋର୍ଟ କଟକଣା ଯୋଗୁଁ ଏହି ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ସେଠାକୁ ଯାଉ ନ ଥିବା ବେଳେ ଏପଟେ ସାଂସଦଙ୍କର ମଧ୍ୟ ନିର୍ବାଚନ ମଣ୍ଡଳୀରେ ଦର୍ଶନ ମିଳୁ ନାହିଁ। ଫଳରେ ସେମାନେ ବର୍ତ୍ତମାନ ନେତୃତ୍ବ ଛେଉଣ୍ଡ ହୋଇ ବୁଲୁଛନ୍ତି।

ତେବେ ପିନାକୀଙ୍କ ନିଷ୍କ୍ରୟତା ପରେ ବର୍ତ୍ତମାନ ସାଧାରଣରେ ପ୍ରଶ୍ନ ଉଠୁଛି ଯେ, ବର୍ତ୍ତମାନ ପୁରୀ ଲୋକସଭା ଆସନରୁ ବିଜେଡିରୁ କିଏ ଛିଡା ହେବ। ଏହି ପ୍ରଶ୍ନ ଉଠିବା ସ୍ବାଭାବିକ। କାରଣ ପୁରୀ ଲୋକସଭା ପାଇଁ ବିଜେପିରୁ ସମ୍ବିତ ପାତ୍ର ଯେପରି ପରିଶ୍ରମ କରିବାରେ ଲାଗିଲେଣି, ଘରଘର ବୁଲିଲେଣୀ, ସେଥିରେ ବିଜେଡି କର୍ମୀ ଭୟଭୀତ ହୋଇପଡିଲେଣି।

Related posts