Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ନୟାଗଡ଼ରେ ଆଜ୍ଞାମାଳ ଧରି ପହଞ୍ଚିଲେ ପୁରୀରୁ ଆସିଥିବା ପ୍ରତିନିଧି ମଣ୍ଡଳୀ

ଭୁବନେଶ୍ଵର: ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ରଥକାଠ ଅନୁକୂଳ ପୂଜାର୍ଚ୍ଚନା ଅନୁଷ୍ଠିତ ହେବ। ନୟାଗଡ଼ ଜ଼ିଲ୍ଲା ଗଣିଆ ବ୍ଲକ ବଡମୂଳ ଗ୍ରାମରେ ଥିବା ମା ବଡରାଉଳଙ୍କ ପୀଠରେ ଏହି ପୂଜାର୍ଚ୍ଚନା କରାଯିବ। ଏଥିପାଇଁ ଏକ ପ୍ରତିନିଧି ମଣ୍ଡଳୀ ପୁରୀରୁ ମହାପ୍ରଭୁଙ୍କ ଲାଗି ମାଳ ମହାର୍ଦ୍ଧ, ଖଣ୍ଡୁଆ, ଧୂପ, ଦୀପ, ନଡ଼ିଆ ଆଦି ଧରି ଆଜି ରାତିରେ ନୟାଗଡ଼ରେ ପହଞ୍ଚିଛନ୍ତି। ଏହି ପ୍ରତିନିଧି ମଣ୍ଡଳୀରେ ବରିଷ୍ଠ ରଥ ତତ୍ତ୍ବାବଧାରକ ସୁଦର୍ଶନ ମେକାପ, ରଥ ଅମିନ ଲକ୍ଷ୍ମଣ ମହାପାତ୍ର, ଭୋଇ ସର୍ଦ୍ଦାର ରବି ଭୋଇ ପ୍ରମୁଖ ଉପସ୍ଥିତ ଅଛନ୍ତିIନୟାଗଡ଼ ଡିଏଫ୍‌ଓ କ୍ଷମା ଷଡ଼ଙ୍ଗୀ ସେମାନଙ୍କୁ ଭବ୍ୟ ସ୍ବାଗତ ସମ୍ବଦ୍ଧନା ଜ୍ଞାପନ କରିବା ପରେ ସେମାନଙ୍କ ଠାରୁ ଆଜ୍ଞାମାଳ ଗ୍ରହଣ କରିଛନ୍ତି।

ଆଜି ପୂର୍ବାହ୍ନରେ ବଡମୂଳ ଗ୍ରାମରେ ଥିବା ମା ବଡରାଉଳଙ୍କ ପୀଠରେ ରଥକାଠ ଅନୁକୂଳ ପୂଜାର୍ଚ୍ଚନା କରାଯିବ। ତେବେ ଆସନ୍ତା କାଲି ବଡରାଉଳ ଠାକୁରାଣୀଙ୍କ ନିକଟରେ ପୂଜାର୍ଚ୍ଚନା କରାଯିବା ପରେ ତିନି ରଥ ପାଇଁ ତିନୋଟି କାଠ ଚିହ୍ନଟ କରାଯିବ।ଏହା ପରେ ପରମ୍ପରା ଅନୁସାରେ ଚି଼ହ୍ନଟ ହୋଇଥିବା ରଥକାଠ କଟାଯିବା ସହ କାଠକୁ ଶ୍ରୀପଞ୍ଚମୀ ପୂର୍ବରୁ ଶ୍ରୀକ୍ଷେତ୍ର କୁ ପଠାଯିବ।ପରେ ଵିଧି ଅନୁସାରେ ଶ୍ରୀ ପଞ୍ଚମୀ ଦିନ ରଥ କାଠ ପୂଜା ଅନୁଷ୍ଠିତ ହେବ। ତିନି ରଥ ନିର୍ମାଣରେ ଫାସୀ, ଅସନ, ଧଉରା ଆଦି କାଠ ବ୍ୟବହାରର ନଜରରେ ରଖି ରଥ କାଠ ପ୍ରତିବର୍ଷ ସଂଗ୍ରହ କରାଯାଇଥାଏ।

ତେବେ ଗତବର୍ଷ ଆସିଥିବା ରଥ କାଠ ମଧ୍ୟରୁ ୫୧ ଖଣ୍ଡ ବଳକା କାଠ ମହଜୁଦ ରହିଥିବା ବେଳେ ଆଗାମୀ ବର୍ଷ ରଥନିର୍ମାଣ ପାଇଁ ୮୧୪ ଖଣ୍ଡ କାଠର ଆବଶ୍ୟକତା ରହିଅଛି।

Categories
ଆଜିର ଖବର ରାଜ୍ୟ ଖବର

ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ପୁରୀ: ପୁରୀ ଜିଲ୍ଲା ନିମାପଡା ସ୍ଥିତ ଟାଉନ ହଲ ପରିସରରେ ମଣ୍ଡଳ ସ୍ଥରୀୟ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମୁଖ୍ୟ ଅତିଥି ଭାବେ ଯୋଗ ଦାନ କରି କାର୍ଯ୍ୟକ୍ରମ ର ଉଦଘାଟନ କରିଥିଲେ।

ନିମାପଡା ବ୍ଲକର ୨ ଶହରୁ ଉର୍ଦ୍ଧ୍ବ ସ୍କୁଲର ୧୨ ଟି ବିଭାଗରେ ସିନିୟର୍, ଜୁନିୟର ଓ ସବଜୁନିୟରର ୭୦୮ ଜଣ ଛାତ୍ର ଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ। ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଡିବେଟ, କୁଇଜି, ସୁଜନଶୀଳ ଲିଖନ, ଗୀତ ଓ ଚିତ୍ରଙ୍କନ ପ୍ରତିଯୋଗିତା କରାଯାଇଥିଲା। ପରେ କୃତି ପ୍ରତିଭା ମାନଙ୍କୁ ପ୍ରମାଣପତ୍ର ପଦାନ ପୂର୍ବକ ସମ୍ନାନିତ କରାଯାଇଥିଲା।

ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିବାବେଳେ ,ଅଭିଭାବକ ଓ ଛାତ୍ର ଛାତ୍ରୀ ମାନେ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ମାଧବ ଚନ୍ଦ୍ର ବିଶ୍ୱାଳ ସଭାପତିତ୍ୱ କରିଥିବା ବେଳେ ତ୍ରିଲୋଚନ କର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପୁରୀ ଜିଲ୍ଲା ସ୍କୁଲ ଠାରେ ହକି ହାଇ ପରଫରମାନ୍ସ କେନ୍ଦ୍ରର ବ୍ୟବସ୍ଥା

ପୁରୀ: ପୁରୀ ଜିଲ୍ଲା ସ୍କୁଲ ଠାରେ ହକି ହାଇ ପରଫରମାନ୍ସ କେନ୍ଦ୍ରର ବ୍ୟବସ୍ଥା ହୋଇଛି। ଏଥିରେ ୮୦ ଜଣ ପ୍ରଶିକ୍ଷାର୍ଥି ପ୍ରଶିକ୍ଷଣ ନେଉଛନ୍ତି। ସେମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ସହ ଉପକରଣ ପ୍ରଦାନର ବ୍ୟବସ୍ଥା କରାଯାଇଛି। ଏହାର ଦାୟିତ୍ୱ ନେଇଛି ଓଡିଶା ନାଭାଲ ଟାଟା ହକି। ଏହି ନୂଆ ତୃଣମୂଳ ପ୍ରଶିକ୍ଷଣ ବା ନିଉ ଗ୍ରାସରୁଟ ସେଣ୍ଟରକୁ ଆଜି ପୂର୍ବାହ୍ନରେ ଆଭାସି ମାଧ୍ୟମରେ ଉଦଘାଟନ କରିଥିଲେ ହକି ଇଣ୍ଡିଆର ସଭାପତି ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ଓ ଡେପୁଟି ଡାଇରେକ୍ଟର ତଥା ଗ୍ରାସରୁଟ କେନ୍ଦ୍ରର ମୁଖ୍ୟ କୋଚ ଲାଜରୁସ ଵାର୍ଲା।

ପୁରୀ ଏନଆଇସିରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ,ଏନ ଆଇ ସି ର ଡିଆଇଓ ବିଶ୍ବନାଥ ପଣ୍ଡା,ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ହିମାଂଶୁ ସମରଥ,ଜିଲ୍ଲା ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଜ୍ୟୋତିର୍ମୟୀ ମିଶ୍ର, ଶିକ୍ଷା କାର୍ଯ୍ୟାଳୟର ଆଇପିଇ ମହେନ୍ଦ୍ର କୁମାର ବିଶ୍ବାଳ, ଜିଲ୍ଲା ପାଇଁ ନିଯୁକ୍ତ ଗ୍ରାସରୁଟ ବରିଷ୍ଠ କୋଚ ଶେଖର ଚନ୍ଦ୍ର ବେହେରା, ଜିଲ୍ଲା ସ୍କୁଲ ପିଇଟି ରଞ୍ଜନ କୁମାର ରେଡି ପ୍ରମୁଖ ଉପସ୍ଥିତ ରହି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ।ପ୍ରତ୍ୟେକ ଦିନ ପୂର୍ବାହ୍ନ ଓ ଅପରାହ୍ନରେ ଏହି ୪୦ ଜଣ ଲେଖାଏଁ ବାଳକ ଓ ବାଳିକା ହକି ଖେଳାଳି ଙ୍କୁ ପ୍ରଶିକ୍ଷଣ ଦିଆଯିବ। ସେମାନଙ୍କ ଦକ୍ଷତା କୁ ମ୍ୟାଚ ମାଧ୍ୟମରେ ଅନୁଧ୍ୟାନ କରାଯିବାର ବ୍ୟବସ୍ଥା କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ପୁରୀର ଗୌରବିହାର ଆଶ୍ରମଠାରେ ବ୍ୟଞ୍ଜନ ଦ୍ୱାଦଶୀ ପାଳନ 

ପୁରୀ: ପବିତ୍ର ମାର୍ଗଶୀର ମାସ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥିରେ ଯଶୋଦା ମା’ ତାଙ୍କ ପୁତ୍ର ଶ୍ରୀକୃଷ୍ଣଙ୍କ ଉଦ୍ଦେଶ୍ୟରେ ନାନାଦି ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରି ଖାଇବାକୁ ଦେଇଥିବାର କିମ୍ବଦନ୍ତୀ ଅଛି। ଏହି ଅବସରରେ ଆଜିର ଦିନରେ ପୁରୀର ଗୌରବିହାର ଆଶ୍ରମଠାରେ ବ୍ୟଞ୍ଜନ ଦ୍ୱାଦଶୀ ପାଳନ କରାଯାଇଛି। ରାଧାକୃଷ୍ଣଙ୍କ ପାଖରେ ପ୍ରାୟ ୮୫୧ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥିଲା। ଏତେ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରିବାରେ ପୁରୀର ଏହି ଆଶ୍ରମର ବିଶେଷ ଖ୍ୟାତି ରହିଛି।

ତେବେ ଆଠଶହ ଏକାବନ ପ୍ରକାର ବ୍ୟଞ୍ଜନରେ ମହମହ ମହକିଲା ଶ୍ରୀକ୍ଷେତ୍ରର ଗୁପ୍ତ ବୃନ୍ଦାବନ। ପବିତ୍ର ବ୍ୟଞ୍ଜନ ଦ୍ଵାଦଶୀ ତିଥିରେ ପୁରୀର ଗୌରବିହାର ଆଶ୍ରମରେ ବିଭିନ୍ନ ରକମର ବ୍ୟଞ୍ଜନ ଶ୍ରୀକୃଷ୍ଣଙ୍କ ଉଦ୍ଦେଶ୍ୟରେ ଅର୍ପଣ କରାଯିବା ସହ ଭକ୍ତ ଶ୍ରଦ୍ଧାଳୁଙ୍କୁ ପରସାଯାଇଛି। ବିଭିନ୍ନ ପିଠା, ମିଠା , ଅନ୍ନ, ଶାଗ ମୁଗ, ରସା, ପାମ୍ପଡ, ରାଇତା, ଚଟଣୀ, କ୍ଷୀରି ଆଦି ସୁସ୍ୱାଦୁ ପ୍ରସାଦ ନିଶୁଳ୍କ ସେବନ କରିଛନ୍ତି ଶ୍ରଦ୍ଧାଳୁ।

Categories
ଆଜିର ଖବର ରାଜ୍ୟ ଖବର

ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଛତିଶା ନିଯୋଗ ବୈଠକ ଆରମ୍ଭ

ପୁରୀ: ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଛତିଶା ନିଯୋଗ ବୈଠକ ଆରମ୍ଭ ହୋଇଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ବୈଠକ ଆରମ୍ଭ ହୋଇଛି। ରତ୍ନଭଣ୍ଡାର ମରାମତି କାର୍ଯ୍ୟ କେବେଠାରୁ ଆରମ୍ଭ ହେବ ସେନେଇ ଚାଲିଛି ଆଲୋଚନା। ରତ୍ନଭଣ୍ଡାର ମରାମତି ପାଇଁ ନୀତି ନିର୍ଘଣ୍ଟକୁ ମୋହର ମାରିବ ଛତିଶା ନିଯୋଗ।

ଆଗାମୀ ୧୬ ତାରିଖ ଠାରୁ ପହିଲି ଭୋଗ ଆରମ୍ଭ ହେବାକୁ ଥିବା ବେଳେ ସେହି ଦିନ ଠାରୁ ରାତ୍ର ୨ ଟାରୁ ଦ୍ୱାର ଫିଟା ଯାଇ ଦୈନିକ ନୀତି ସମାପନ କରାଯିବ। ସେହିପରି ଦ୍ଵିତୀୟ ଭୋଗ ମଣ୍ଡପ ନୀତି ପରେ ପ୍ରତ୍ୟେହ ରତ୍ନ ଭଣ୍ଡାର ଘର ମରାମତି କରାଯିବ ନେଇ ପ୍ରସ୍ତାବ ରହିଥିବା ବେଳେ ତାହା ଉପରେ ଆଲୋଚନା ଜାରି ରହିଅଛି।

ସେହିପରି ଆଗାମୀ ଜାନୁଆରୀ ୧୩ ତାରିଖ ଦିନ ଦେବାଭିଷେକ ପୂର୍ଣ୍ଣିମା ଓ ଜାନୁଆରୀ ୧୪ ତାରିଖ ଦିନ ମକର ସଂକ୍ରାନ୍ତି ନୀତି ନିର୍ଘଣ୍ଟ ନେଇ ମଧ୍ୟ ଆଲୋଚନା କରାଯିବ। ବୈଠକରେ ଜିଲ୍ଲାପାଳ, ଏଏସଆଇ ସୁପରିଟେଣ୍ଡେଣ୍ଟଙ୍କ ସମେତ ବିଭିନ୍ନ ସେବାୟତ ନିଯୋଗର ପ୍ରତିନିଧି ଉପସ୍ଥିତ ରହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ପୁରୀରେ ତିନି ଦିନ ବ୍ୟାପି ଅନୁଷ୍ଠିତ ହେଉଅଛି ମହୋଦଧି ଦିବସ 

ପୁରୀ: ସମୁଦ୍ରରୁ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ମୁକ୍ତ କରିବା ତଥା ମହୋଦଧିରେ ସୁରକ୍ଷିତ ସ୍ନାନ ନେଇ ବ୍ୟାପକ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟ ରଖି ପୁରୀରେ ତିନି ଦିନ ବ୍ୟାପି ଅନୁଷ୍ଠିତ ହେଉଅଛି ମହୋଦଧି ଦିବସ। ସ୍ଵର୍ଣ୍ଣାଭ ବେଳାଭୂମିରେ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଜାରି ରହିବାକୁ ଥିବା ଏହି ଉତ୍ସବରେ ପୁରୀକୁ ଆସୁଥିବା ପର୍ଯ୍ୟଟକଙ୍କ ମଧ୍ୟରେ ସାମୁଦ୍ରିକ ଜଳ କ୍ରୀଡାକୁ ନେଇ ରୋମାଞ୍ଚକର ଅନୁଭୂତି ପାଇଥିବା ଲକ୍ଷ କରାଯାଇଅଛି।

ପ୍ରାୟ ୧୦ଟି ଦେଶରୁ ୩୫ ଜଣ ଅନ୍ତର୍ଜାତୀୟ ପ୍ରତିନିଧିଙ୍କ ସମେତ ଦେଶର ବିଭିନ୍ନ ଉପକୂଳବର୍ତ୍ତୀ ରାଜ୍ୟରୁ ମଧ୍ୟ ଏହି ଉତ୍ସବରେ ଭାଗ ନେଇଥିବା ଲକ୍ଷ୍ୟ କରାଯାଇଅଛି। ଆଜି ଠାରୁ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ପୁରୀରେ ଏହି ଅନ୍ତର୍ଜାତୀୟ ମହୋଦଧି ଦିବସ ପ୍ରଥମ ଥର ପାଇଁ ବେଳାଭୂମିରେ ଆୟୋଜିତ କରାଯାଇଛି। ଏହି ୩ ଦିନିଆ କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣ ହେଉଛି ମେରାଇନ୍ ସ୍ପୋଟର୍ସ ଏବଂ ବିଚ୍ ସ୍ପୋଟର୍ସ ମାଧ୍ୟମରେ ସମୁଦ୍ରରେ ହେଉଥିବା ରୋମାଞ୍ଚକର ସାମୁଦ୍ରିକ ଜଳକ୍ରୀଡା।

ପୁରୀରେ ବିଚ୍ ସ୍ପୋର୍ଟର୍ସ ଟୁରିଜିମ୍‌କୁ ଲୋକପ୍ରିୟ କରାଇବା ପାଇଁ ଦି ବେଲ୍ ପକ୍ଷରୁ ଏହି ଆନ୍ତର୍ଜାତିକ କ୍ରୀଡ଼ା ପ୍ରତିଯୋଗୀତା ଆୟୋଜନ କରାଯାଉଛି।‌ ବିଚ୍ ଓ୍ବାଟର ସ୍ପୋର୍ଟସ୍ ପ୍ରତିଯୋଗିତା ସହିତ ଫୁଡ୍ କୋର୍ଟ, ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଅନ୍ୟାନ୍ୟ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ମଧ୍ୟ ଆୟୋଜନ କରାଯାଇଛି।

ଏହି ଅବସରରେ ମୁଖ୍ୟ ଆକର୍ଷଣ ଇଣ୍ଡୋ-ଶ୍ରୀଲଙ୍କା ଲାଇଫ୍ ସେଭିଂ ସ୍ପୋର୍ଟସ ଚାମ୍ପିଅନସିପ୍ ମଧ୍ୟ ଅନୁଷ୍ଠିତ ହୋଇଅଛି। ଓଡ଼ିଶାର ବିସ୍ତୃତ ଉପକୂଳ ବର୍ତ୍ତମାନ କ୍ଷୟ ହେଉଥିବା ଫଳରେ ପ୍ରାକୃତିକ ବିପର୍ଯ୍ୟୟ ସୃଷ୍ଟି ହେଉଅଛି। ଏଣୁ ଅନୁଷ୍ଠାନ ବେଲ୍ ଦ୍ଵାରା ଆରମ୍ଭ କରାଯାଇଥିବା ମହୋଦଧି ଉତ୍ସବ ଲୋକଙ୍କ ମନରେ ସମୁଦ୍ର ଓ ଉପକୂଳ ଅଞ୍ଚଳର ସୁରକ୍ଷା ପ୍ରତି ସଚେତନତା ସୃଷ୍ଟି କରିବାରେ ସହାୟକ ହେବ।

କାର୍ଯ୍ୟକ୍ରମ ଦ୍ୱାରା ଓଡିଶାର ସମୁଦ୍ର ଉପକୂଳ ସୁରକ୍ଷା ଓ ସୌନ୍ଦ୍ରଯ୍ୟ ସହ ସୁରକ୍ଷିତ ସମୁଦ୍ର ସ୍ନାନ ନେଇ ସଚେତନତା ସୃଷ୍ଟି କରାଯାଉଥିବା ବେଳେ ଭିନ୍ନ ଭିନ୍ନ ୧୦ଟି ଦେଶରୁ ପ୍ରତିଯୋଗୀ ମାନେ ଏହି ଉତ୍ସବରେ ଭାଗ ନେଇଛନ୍ତି l ତେବେ ବିଭିନ୍ନ ଦେଶରୁ ଆସିଥିବା କ୍ରୀଡ଼ାବିତ ମାନେ ମଧ୍ୟ ଏହି ପ୍ରତିଯୋଗିତାରେ ଭାଗ ନେଇ ବେଶ ଖୁସି ବ୍ୟକ୍ତ କରିଛନ୍ତି l

Categories
ଆଜିର ଖବର ଖେଳ ବିଶେଷ ଖବର ରାଜ୍ୟ ଖବର

ପୁରୀରେ ଆରମ୍ଭ ହେଲା ତିନିଦିନିଆ ମହୋଦଧି ଦିବସ, ଯୋଗ ଦେଲେ ୧୦ଟି ଦେଶର ପ୍ରତିନିଧି

ପୁରୀ : ସମୁଦ୍ରରୁ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ମୁକ୍ତ କରିବା ତଥା ମହୋଦଧିରେ ସୁରକ୍ଷିତ ସ୍ନାନ ନେଇ ବ୍ୟାପକ ଜନସଚେତନତା ସୃଷ୍ଟି  କରିବା ଉଦ୍ଦେଶ୍ୟ ରଖି ପୁରୀରେ ଆଜିଠାରୁ ତିନି ଦିନ ବ୍ୟାପି ଅନୁଷ୍ଠିତ ହେଉଅଛି ମହୋଦଧି ଦିବସ। ସ୍ଵର୍ଣ୍ଣାଭ ବେଳାଭୂମିରେ  ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଜାରି ରହିବାକୁ ଥିବା ଏହି ଉତ୍ସବରେ ପୁରୀକୁ ଆସୁଥିବା ପର୍ଯ୍ୟଟକଙ୍କ ମଧ୍ୟରେ ସାମୁଦ୍ରିକ ଜଳ କ୍ରୀଡାକୁ ନେଇ ରୋମାଞ୍ଚକର ଅନୁଭୂତି ପାଇଥିବା ଲକ୍ଷ କରାଯାଇଅଛି।

ପ୍ରାୟ ୧୦ଟି ଦେଶରୁ ୩୫ ଜଣ ଅନ୍ତର୍ଜାତୀୟ ପ୍ରତିନିଧିଙ୍କ ସମେତ ଦେଶର ବିଭିନ୍ନ ଉପକୂଳବର୍ତ୍ତୀ ରାଜ୍ୟରୁ ମଧ୍ୟ ଏହି ଉତ୍ସବରେ ଭାଗ ନେଇଥିବା ଲକ୍ଷ୍ୟ କରାଯାଇଅଛି। ଆଜି ଠାରୁ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ପୁରୀରେ ଏହି ଅନ୍ତର୍ଜାତୀୟ ମହୋଦଧି ଦିବସ ପ୍ରଥମ ଥର ପାଇଁ ବେଳାଭୂମିରେ ଆୟୋଜିତ କରାଯାଇଛି।

ଏହି ୩ ଦିନିଆ କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣ ହେଉଛି ମେରାଇନ୍ ସ୍ପୋଟର୍ସ  ଏବଂ ବିଚ୍  ସ୍ପୋଟର୍ସ ମାଧ୍ୟମରେ ସମୁଦ୍ରରେ ହେଉଥିବା ରୋମାଞ୍ଚକର ସାମୁଦ୍ରିକ ଜଳକ୍ରୀଡା। ପୁରୀରେ ବିଚ୍ ସ୍ପୋର୍ଟର୍ସ ଟୁରିଜିମ୍‌କୁ ଲୋକପ୍ରିୟ କରାଇବା ପାଇଁ ଦି ବେଲ୍ ପକ୍ଷରୁ ଏହି ଆନ୍ତର୍ଜାତିକ କ୍ରୀଡ଼ା ପ୍ରତିଯୋଗୀତା ଆୟୋଜନ କରାଯାଉଛି।‌ ବିଚ୍ ଓ୍ବାଟର ସ୍ପୋର୍ଟସ୍ ପ୍ରତିଯୋଗିତା ସହିତ ଫୁଡ୍ କୋର୍ଟ, ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଅନ୍ୟାନ୍ୟ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ମଧ୍ୟ ଆୟୋଜନ କରାଯାଇଛି।

ଏହି ଅବସରରେ ମୁଖ୍ୟ ଆକର୍ଷଣ ଇଣ୍ଡୋ-ଶ୍ରୀଲଙ୍କା ଲାଇଫ୍ ସେଭିଂ ସ୍ପୋର୍ଟସ ଚାମ୍ପିଅନସିପ୍ ମଧ୍ୟ ଅନୁଷ୍ଠିତ ହୋଇଅଛି। ଓଡ଼ିଶାର ବିସ୍ତୃତ ଉପକୂଳ ବର୍ତ୍ତମାନ କ୍ଷୟ ହେଉଥିବା ଫଳରେ ପ୍ରାକୃତିକ ବିପର୍ଯ୍ୟୟ ସୃଷ୍ଟି ହେଉଅଛି। ଏଣୁ ଅନୁଷ୍ଠାନ ବେଲ୍ ଦ୍ଵାରା ଆରମ୍ଭ କରାଯାଇଥିବା ମହୋଦଧି ଉତ୍ସବ ଲୋକଙ୍କ ମନରେ ସମୁଦ୍ର ଓ ଉପକୂଳ ଅଞ୍ଚଳର ସୁରକ୍ଷା ପ୍ରତି ସଚେତନତା ସୃଷ୍ଟି କରିବାରେ ସହାୟକ ହେବ।

ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଓଡିଶାର ସମୁଦ୍ର ଉପକୂଳ ସୁରକ୍ଷା ଓ ସୌନ୍ଦ୍ରଯ୍ୟ ସହ ସୁରକ୍ଷିତ ସମୁଦ୍ର ସ୍ନାନ ନେଇ ସଚେତନତା ସୃଷ୍ଟି କରାଯାଉଥିବା ବେଳେ ଭିନ୍ନ ଭିନ୍ନ ୧୦ଟି ଦେଶରୁ ପ୍ରତିଯୋଗୀ ମାନେ ଏହି ଉତ୍ସବରେ ଭାଗ ନେଇଛନ୍ତି l ତେବେ ବିଭିନ୍ନ ଦେଶରୁ ଆସିଥିବା କ୍ରୀଡ଼ାବିତ ମାନେ ମଧ୍ୟ ଏହି ପ୍ରତିଯୋଗିତାରେ ଭାଗ ନେଇ ବେଶ ଖୁସି ବ୍ୟକ୍ତ କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପୁରୀଠାରେ ନୌସେନା ଦିବସ ସମାରୋହରେ ରାଷ୍ଟ୍ରପତିଙ୍କ ଅଂଶଗ୍ରହଣ

ପୁରୀ: ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ପୁରୀ ବେଳାଭୂମିରେ ନୌସେନା ଦିବସ ସମାରୋହରେ ଯୋଗ ଦେବା ସହିତ ଭାରତୀୟ ନୌସେନା ଦ୍ୱାରା ଆୟୋଜିତ ସମରକୌଶଳ ପ୍ରଦର୍ଶନ ଦେଖିଛନ୍ତି।

ଏହି ଅବସରରେ ଅଭିଭାଷଣ ପ୍ରଦାନ କରି ରାଷ୍ଟ୍ରପତି ନୌସେନା ଦିବସ ଅବସରରେ ଭାରତୀୟ ନୌସେନାର ସମସ୍ତ ଯବାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସେ କହିଥିଲେ, ଆଜି ଡିସେମ୍ବର ୪ ତାରିଖରେ ଆମେ ୧୯୭୧ ଯୁଦ୍ଧରେ ଆମର ଗୌରବମୟ ବିଜୟର ସ୍ମୃତିକୁ ପାଳନ କରୁଛୁ ଏବଂ ମାତୃଭୂମିର ରକ୍ଷା ପାଇଁ ନୌସେନା କର୍ମଚାରୀଙ୍କ ନିଃସ୍ୱାର୍ଥପର ସେବା ଏବଂ ସର୍ବୋଚ୍ଚ ବଳିଦାନକୁ ସ୍ମରଣ କରୁଛୁ।

ଭାରତୀୟ ନୌସେନାର ସମସ୍ତ ଯବାନଙ୍କ ନିକଟରେ ଭାରତ କୃତଜ୍ଞ ଏବଂ ସମ୍ମାନ ଓ ସାହସର ସହ ଦେଶ ସେବା କରିଥିବାରୁ ପ୍ରତ୍ୟେକ ଭାରତୀୟ ସେମାନଙ୍କୁ ଆଜି ଅଭିନନ୍ଦନ ଜଣାଉଛନ୍ତି।

ରାଷ୍ଟ୍ରପତି କହିଥିଲେ ଯେ ଭାରତର ଭୌଗଳିକ ସ୍ଥିତି ଆମକୁ ଏକ ମହାନ ସାମୁଦ୍ରିକ ରାଷ୍ଟ୍ର ହେବା ପାଇଁ ଆବଶ୍ୟକ ସମସ୍ତ ଉପାଦାନ ପ୍ରଦାନ କରିଛି । ସୁଦୀର୍ଘ ସମୁଦ୍ର କୂଳ, ଦ୍ୱୀପାଞ୍ଚଳ, ସମୁଦ୍ରରେ ଯାତ୍ରା କରୁଥିବା ଜନସଂଖ୍ୟା ଏବଂ ବିକଶିତ ସାମୁଦ୍ରିକ ଭିତ୍ତିଭୂମି ୫,୦୦୦ ବର୍ଷ ପୂର୍ବରୁ ଭାରତର ଉପକୂଳ ଏବଂ ସାମୁଦ୍ରିକ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିଥିଲା।

ଏକ ସମୃଦ୍ଧ ସାମୁଦ୍ରିକ ଐତିହ୍ୟ ଓ ଇତିହାସର ସ୍ମୃତିକୁ ବହନ କରିବା ଏବଂ ସମ୍ଭାବନାପୂର୍ଣ୍ଣ ଭବିଷ୍ୟତର ଆଶା ନେଇ ଆଗକୁ ବଢ଼ିବା ସହିତ ଭାରତ ଏକ ଦୃଢ଼ ସାମୁଦ୍ରିକ ରାଷ୍ଟ୍ର ପାଲଟିଛି। ଆମର ସୌଭାଗ୍ୟ, ଗୌରବ ଏବଂ ପରିଚୟ ସାଗର ଦ୍ୱାରା ପରିଭାଷିତ ହୋଇଥାଏ। ୨୦୪୭ ସୁଦ୍ଧା ଆମକୁ ବିକଶିତ ଭାରତରେ ପରିଣତ କରିବା ପାଇଁ ଭାରତୀୟ ନୌସେନା ସାମୁଦ୍ରିକ ନିରାପତ୍ତା ସୁନିଶ୍ଚିତ କରିବା ଜାରି ରଖିବ ବୋଲି ସେ ଦୃଢ଼ ବିଶ୍ୱାସ ବ୍ୟକ୍ତ କରିଥିଲେ।

‘ନାରୀ ଶକ୍ତି’କୁ ଉପଯୁକ୍ତ ଅଭିବୃଦ୍ଧିର ସୁଯୋଗ ପ୍ରଦାନ କରିବାରେ ନୌସେନାର ଅଗ୍ରଣୀ ପ୍ରୟାସକୁ ରାଷ୍ଟ୍ରପତି ପ୍ରଶଂସା କରିଥିଲେ। ସେ କହିଥିଲେ ଯେ ପ୍ରଥମ ସେନା ବିଭାଗ ରୂପେ ନୌସେନା ମହିଳା ଅଗ୍ନିବୀରମାନଙ୍କୁ ସାମିଲ କରିଥିଲା।

ଦୁଇ ଜଣ ମହିଳା ନୌସେନା ଅଧିକାରୀ ଲେଫ୍ଟନାଣ୍ଟ କମାଣ୍ଡର ଦିଲନା କେ ଏବଂ ଲେଫ୍ଟନାଣ୍ଟ କମାଣ୍ଡର ରୂପା ‘ନାଭିକ ସାଗର ପରିକ୍ରମା-୨’ର ଅଂଶବିଶେଷ ଭାବରେ ଆଇଏନଏସଭି ତାରିଣୀରେ ବିଶ୍ୱ ପରିକ୍ରମା କରି ଏହି ନୂଆ ପରିବର୍ତ୍ତିତ ଧାରାର ସର୍ବୋତ୍ତମ ଉଦାହରଣ ପ୍ରଦାନ କରିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ: ନୌସେନା ଦିବସର ପରାକ୍ରମ ପ୍ରଦର୍ଶନ ଉତ୍ସବରେ ଦେବେ ଯୋଗ

ଭୁବନେଶ୍ଵର: ରାଷ୍ଟ୍ରପତି ଆଜି ପୁରୀ ଯାଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ୭୫ ତମ ବାର୍ଷିକ ଉତ୍ସବରେ ଯୋଗଦେବେ। ପୁରୀର ବ୍ଲୁ ଫ୍ଲାଗ ବିଚରେ ଅନୁଷ୍ଠିତ ହେବାକୁ ଥିବା ନୌସେନା ଦିବସର ପରାକ୍ରମ ପ୍ରଦର୍ଶନ ଉତ୍ସବରେ ଯୋଗଦେବେ।

ଆସନ୍ତା ଡିସେମ୍ବର ୫ ତାରିଖରେ ରାଷ୍ଟ୍ରପତି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱରର ୪୦ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ସେହିଦିନ ସେ ଭୁବନେଶ୍ୱରରେ ନ୍ୟାୟିକ ଅଦାଲତର ନୂଆ ଅଟ୍ଟାଳିକାକୁ ଉଦଘାଟନ କରିବେ।

ଡିସେମ୍ବର ୬ ତାରିଖରେ ରାଷ୍ଟ୍ରପତି ଉପରବେଡାଠାରେ ଛାତ୍ରଛାତ୍ରୀ ଓ ଗ୍ରାମବାସୀଙ୍କ ସହ ମତବିନିମୟ କରିବେ। ସେହିଦିନ ରାଇରଙ୍ଗପୁରଠାରେ ସେ ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷୟିତ୍ରୀମାନଙ୍କ ସହ କଥା ହେବେ।

ଡିସେମ୍ବର ୭ ତାରିଖରେ ରାଷ୍ଟ୍ରପତି ବାଙ୍ଗିରିପୋଷି-ଗୋରୁମହିଷାଣୀ, ବୁରମରା-ଚକୁଳିଆ; ଏବଂ ବାଦାମପାହାଡ଼-କେନ୍ଦୁଝରଗଡ଼ ରେଳ ଲାଇନ୍; ଆଦିବାସୀ ଗବେଷଣା ଓ ବିକାଶ କେନ୍ଦ୍ର, ରାଇରଙ୍ଗପୁର; ଦାଣ୍ଡବୋଷ ବିମାନ ବନ୍ଦର, ରାଇରଙ୍ଗପୁର ଏବଂ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ସମେତ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ/ଉଦଘାଟନ କରିବେ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତ: ଜାଣନ୍ତୁ କାର୍ଯ୍ୟକ୍ରମ

ଭୁବନେଶ୍ଵର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠୁ ୭ ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ ଓଡ଼ିଶା ଗସ୍ତରେ ଆସିବେ।

ଆଜି ରାଷ୍ଟ୍ରପତିଙ୍କ ଦ୍ୱାରା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ନୂଆ ପ୍ରତିମୂର୍ତ୍ତି ଅନାବରଣ କରାଯିବ। ଏଥିସହିତ ସେ ଭୁବନେଶ୍ୱରରେ ଆଦିମ ଓୱାର ଜାର୍ପା ଜାହେର ପରିଦର୍ଶନ କରିବେ।

ଡିସେମ୍ବର ୪ ତାରିଖରେ ରାଷ୍ଟ୍ରପତି ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ଦର୍ଶନ ଓ ପୂଜାର୍ଚ୍ଚନା କରିବେ। ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ୭୫ତମ ବାର୍ଷିକ ଉତ୍ସବରେ ମଧ୍ୟ ସେ ଯୋଗଦେବେ। ସେହିଦିନ ସେ ପୁରୀ ବ୍ଲୁ ଫ୍ଲାଗ ବେଳାଭୂମିରେ ନୌସେନା ଦିବସ ସମାରୋହ ଓ ସମର କୌଶଳ ପ୍ରଦର୍ଶନରେ ଯୋଗଦେବେ।

ଆସନ୍ତା ଡିସେମ୍ବର ୫ ତାରିଖରେ ରାଷ୍ଟ୍ରପତି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱରର ୪୦ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ସେହିଦିନ ସେ ଭୁବନେଶ୍ୱରରେ ନ୍ୟାୟିକ ଅଦାଲତର ନୂଆ ଅଟ୍ଟାଳିକାକୁ ଉଦଘାଟନ କରିବେ।

ଡିସେମ୍ବର ୬ ତାରିଖରେ ରାଷ୍ଟ୍ରପତି ଉପରବେଡାଠାରେ ଛାତ୍ରଛାତ୍ରୀ ଓ ଗ୍ରାମବାସୀଙ୍କ ସହ ମତବିନିମୟ କରିବେ। ସେହିଦିନ ରାଇରଙ୍ଗପୁରଠାରେ ସେ ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷୟିତ୍ରୀମାନଙ୍କ ସହ କଥା ହେବେ।

ଡିସେମ୍ବର ୭ ତାରିଖରେ ରାଷ୍ଟ୍ରପତି ବାଙ୍ଗିରିପୋଷି-ଗୋରୁମହିଷାଣୀ, ବୁରମରା-ଚକୁଳିଆ; ଏବଂ ବାଦାମପାହାଡ଼-କେନ୍ଦୁଝରଗଡ଼ ରେଳ ଲାଇନ୍; ଆଦିବାସୀ ଗବେଷଣା ଓ ବିକାଶ କେନ୍ଦ୍ର, ରାଇରଙ୍ଗପୁର; ଦାଣ୍ଡବୋଷ ବିମାନ ବନ୍ଦର, ରାଇରଙ୍ଗପୁର ଏବଂ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ସମେତ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ/ଉଦଘାଟନ କରିବେ।

Categories
ଆଜିର ଖବର ରାଜ୍ୟ ଖବର

ଗୋପାଳପୁର, ବଡ଼କୁଳ, ସାତପଡ଼ା ଓ ତାମ୍ପଡ଼ା ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ଅର୍ଥ ମଞ୍ଜୁର କଲା କେନ୍ଦ୍ର

ଭୁବନେଶ୍ଵର: କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ ସ୍ୱଦେଶ ଦର୍ଶନ ଯୋଜନାରେ ୨୦୧୫-୧୬ ଆର୍ଥିକ ବର୍ଷରେ ଓଡ଼ିଶାର ଗୋପାଳପୁର, ବଡ଼କୁଳ, ସାତପଡ଼ା ଓ ତାମ୍ପଡ଼ା ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ୭୦ କୋଟି ୮୨ ଲକ୍ଷ ଟଙ୍କା ମଞ୍ଜୁର କରିଛି। ସେହିପରି ପ୍ରସାଦ ଯୋଜନାରେ ପୁରୀରେ ଭିତ୍ତିଭୂମି ବିକାଶ ପାଇଁ ୫୦ କୋଟି ଟଙ୍କା ମଞ୍ଜୁର କରିଥିଲା। ପର୍ଯ୍ୟଟନ ମନ୍ତ୍ରଣାଳୟ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶ ପ୍ରଶାସନକୁ ଧାର୍ମିକ, ଆଧ୍ୟାତ୍ମିକ, ପ୍ରାକୃତିକ ଗୁରୁତ୍ୱ ବହନ କରୁଥିବା ପର୍ଯ୍ୟଟନ ସ୍ଥଳୀରେ ଭିତ୍ତିଭୂମି ବିକାଶ ଲାଗି କେନ୍ଦ୍ରୀୟ କ୍ଷେତ୍ର ଯୋଜନା ସ୍ୱଦେଶ ଦର୍ଶନ ଏବଂ ପ୍ରସାଦ ଜରିଆରେ ସହାୟତା ଯୋଗାଇ ଦେଇଥାଏ।

ପର୍ଯ୍ୟଟନ ମନ୍ତ୍ରଣାଳୟ ଦୀର୍ଘସ୍ଥାୟୀ ପର୍ଯ୍ୟଟନସ୍ଥଳୀ ବିକାଶ ଲକ୍ଷ୍ୟରେ ସ୍ୱଦେଶ ଦର୍ଶନ ଯୋଜନାର ସମ୍ପ୍ରସାରଣ କରି ସ୍ୱଦେଶ ଦର୍ଶନ ୨.୦ କାର୍ଯ୍ୟକାରୀ କରୁଛି। ଏହି ଯୋଜନା ଅନ୍ତର୍ଗତ କୋରାପୁଟ ଓ ଦେବ୍ରିଗଡ଼ ସମେତ ସ୍ୱତନ୍ତ୍ର ଆକର୍ଷଣ ଭାବେ ଖିଣ୍ଡା ଗ୍ରାମକୁ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଭାବେ ବିକଶିତ କରିବାକୁ ଲକ୍ଷ୍ୟ ରଖାଯାଇଛି।

କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ୍‌ ଆଜି ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ପୁରୀରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ

ଭୁବନେଶ୍ଵର: ଆସନ୍ତା ଡିସେମ୍ବର ୪ ତାରିଖ ଦିନ ପୁରୀ ବ୍ଲୁ ଫ୍ଲାଗ ବିଚରେ ଭାରତୀୟ ନୌସେନା ପକ୍ଷରୁ ନୌସେନା ଦିବସ ପାଳନ କରାଯିବ। ଯେଉଁଥିରେ ରାଷ୍ଟ୍ରପତି ଙ୍କ ସମେତ ଅନେକ ଭିଭିଆଇପି ଯୋଗ ଦେବାର କାର୍ଯ୍ୟକ୍ରମ ଥିବା ବେଳେ ସେମାନଙ୍କ ଆଗମନ କୁ ନଜରରେ ରଖି ପୋଲିସ ପକ୍ଷରୁ ସମୀକ୍ଷା କରାଯାଇଅଛି। ରାଷ୍ଟ୍ରପତିଙ୍କ ଶ୍ରୀମନ୍ଦିର ଗସ୍ତ ସହ ମହାପ୍ରଭୁଙ୍କ ଦର୍ଶନ ଓ ପରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ହୀରକ ଜୟନ୍ତୀ ଉତ୍ସବରେ ଯୋଗ ଦାନ କାର୍ଯ୍ୟକ୍ରମ ରହିଅଛି।ପରେ ରାଷ୍ଟ୍ରପତି ନୌ ସେନା ଦିବସ ପାଳନ କାର୍ଯ୍ୟକ୍ରମରେ ଯୋଗଦାନ କୁ ନେଇ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ।ନୌସେନା ପକ୍ଷରୁ ଯୁଦ୍ଧ ଜାହାଜ ସମେତ ଏୟାରକ୍ରାଫ୍ଟ ସୋ ଓ କମାଣ୍ଡୋ ଅପରେସନର ପରାକ୍ରମ ପ୍ରଦର୍ଶିତ ହେବ।

ତେବେ ସୁରକ୍ଷା ଓ ଶୃଙ୍ଖଳିତ ଟ୍ରାଫିକ ବ୍ୟବସ୍ଥା ନେଇ ୮୦ ପ୍ଲାଟୁନ ଫୋର୍ସ ଓ ୩୦୦ ଅଧିକାରୀ ମୁତୟନ ନେଇ ପୋଲିସ ଡିଜି ସୂଚନା ଦେଇଛନ୍ତି। ସେହିପରି ଭୁବନେଶ୍ୱରରୁ ପୁରୀ ମଧ୍ୟରେ ବ୍ୟାପକ ଟ୍ରାଫିକ ଵ୍ୟଵସ୍ଥା ସମେତ ସିସିଟିଭି କ୍ୟାମେରା ଲଗାଯାଇ ବିଭିନ୍ନ ସ୍ଥାନରେ କଣ୍ଟ୍ରୋଲ ରୁମ ଦ୍ୱାରା ଏହାକୁ ନିୟନ୍ତ୍ରଣ କରାଯିବ।ତେବେ ଆଜି ପୋଲିସ ଡିଜି ଶ୍ରୀମନ୍ଦିର ସମେତ ସମଙ୍ଗ ପାର୍କିଙ୍ଗ ଅଂଚଳ ବ୍ଲୁ ଫ୍ଲାଗ ବିଚ ଅଂଚଳକୁ ବରିଷ୍ଠ ଅଧିକାରୀ ଙ୍କ ସହ ବୁଲି ଦେଖିଥିବା ବେଳେ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ଠାରେ ସମୀକ୍ଷା କରିଥିଲେ।

ରାଷ୍ଟ୍ରପତିଙ୍କ ସହ ନୌ ସେନାର ବହୁ ବରିଷ୍ଠ ଅଧିକାରୀ ଓ ବିଭିନ୍ନ ନିମନ୍ତ୍ରିତ ଅତିଥିଙ୍କୁ ମିଶାଇ ୭୫୦୦ ଅତିଥି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଦେଶାତ୍ମବୋଧକ ଚେତନା ଜାଗ୍ରତ କରୁଥିବା ଏହି ବିରଳ ତଥା ଆକର୍ଷଣୀୟ ଦୃଶ୍ୟ ଦେଖିବା ପାଇଁ ଲକ୍ଷାଧିକ ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ସବୁ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଡିସେମ୍ବର ୪ ରେ ପୁରୀ ଆସିବେ ରାଷ୍ଟ୍ରପତି: ଜାଣନ୍ତୁ କ’ଣ ରହିଛି କାର୍ଯ୍ୟକ୍ରମ ଓ କଟକଣା?

ଭୁବନେଶ୍ଵର: ଆସନ୍ତା ଡିସେମ୍ବର ୪ ତାରିଖ ଦିନ ପୁରୀ ରାଜ ଭବନ ନିକଟସ୍ଥ ବ୍ଲୁ ଫ୍ଲାଗ୍‌ ବିଚ୍‌ ବେଳାଭୂମିଠାରେ ନୌସେନା ଦିବସ ପାଳିତ ହେବ। ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଯୋଗଦାନକୁ ନେଇ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଥିରେ ନୌସେନା ପକ୍ଷରୁ ବିବିଧ କାର୍ଯ୍ୟକ୍ରମ ପ୍ରଦର୍ଶନ ସହ ଚିତାକର୍ଷକ ଏୟାର ସୋ ଅନୁଷ୍ଠିତ ହେବ। ଜଳ ଜାହଜ ଏବଂ ଆକାଶ ମାର୍ଗରେ ଦୁଃସାହସିକ ବିମାନ ଉଡାଣ କୌଶଳକୁ ମଧ୍ୟ ପ୍ରଦର୍ଶନ କରାଯିବ।

ବିମାନ ଉଡାଣ ସମୟରେ ଏହି କ୍ଷେତ୍ରରେ ପକ୍ଷୀମାନେ ଉଡିବା ଦ୍ବାରା ବିମାନ ଚାଳନା ପାଇଁ ଅସୁବିଧା ହେବାର ଆଶଙ୍କା ଥିବାରୁ ନଭେମ୍ବର ୨୮ ତାରିଖଠାରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ସାଧାରଣ ଲୋକ, ବ୍ୟାବସାୟିକ ପ୍ରତିଷ୍ଠାନଗୁଡିକୁ ବାହାରେ କୌଣସି ଖାଦ୍ୟ ପଦାର୍ଥ କିମ୍ବା ବର୍ଜ୍ୟବସ୍ତୁ ନ ପକାଇବାକୁ ପରାମର୍ଶ ଦିଆଯାଇଛି।

ସେହିଭଳି ଡିସେମ୍ବର ୧ ରୁ ୪ ତାରିଖ ପର୍ଯ୍ୟନ୍ତ ଡ୍ରୋନ ଉଡାଣ ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି। ଏହି ଚିତାକର୍ଷକ କାର୍ଯ୍ୟକ୍ରମକୁ ପେଣ୍ଠକଟା ସମୁଦ୍ର କୂଳଠାରୁ ଷ୍ଟ୍ରଲିଂ ପର୍ଯ୍ୟନ୍ତ ସାଧାରଣ ଲୋକମାନେ ଉପସ୍ଥିତ ରହି ଉପଭୋଗ କରିପାରିବେ ବୋଲି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ମହାପ୍ରଭୁଙ୍କ ଜମିରୁ ଜବରଦଖଲ ଉଚ୍ଛେଦ ପାଇଁ ଥାନାରେ ଏତଲା ଦେଲେ ଶ୍ରୀମନ୍ଦିର ପ୍ରଶାସନ କତ୍ତୃପକ୍ଷ

ପୁରୀ: ପୁରୀର କେତେକ ଅଂଚଳରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ଥିବା ଜମି ଜବରଦଖଲକାରୀଙ୍କ କବଳରେ ରହିଛି। ମାଟିତୋଟା ମଉଜାରେ ଥିବା ଏହି ଜମିରୁ ଜବରଦଖଲ ଉଚ୍ଛେଦ ପାଇଁ ଶ୍ରୀମନ୍ଦିର ପ୍ରଶାସନ କତ୍ତୃପକ୍ଷ ବାସେଳୀସାହି ଥାନାରେ ଏତଲା ଦେଇଛନ୍ତି। ଏ ଦିଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଶାସନ ପକ୍ଷରୁ ଜିଲାପାଳ ଓ ଏସପିଙ୍କୁ ଅନୁରୋଧ କରାଯାଇଛି।

ମାଟିତୋଟା ୟୁନିଟ ନମ୍ବର-୧, ଖାତା ନମ୍ବର-୩୮ ର ମୋଟ ୧୦୯ଟି ପ୍ଲଟ ଜବରଦଖଲରେ ରହିଛି। ଏ ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ସାମାଜିକ ଗଣମାଧ୍ୟମରେ କହିଛନ୍ତି, ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଭୂ ସମ୍ପତ୍ତିର ସୁରକ୍ଷା ପାଇଁ ପ୍ରଶାସନ ବଦ୍ଧପରିକର। କୌଣସି ଜାଲିଆତି ବା ବେଆଇନ୍ ଉଦ୍ୟମକୁ ବରଦାସ୍ତ କରାଯିବ ନାହିଁ।

Categories
ଆଜିର ଖବର ରାଜ୍ୟ ଖବର

ବେଦାନ୍ତ ଜମି ପ୍ରସଙ୍ଗ: ଜାଣନ୍ତୁ କ’ଣ କହିଲେ ପୁରୀ ଜିଲ୍ଲାପାଳ?

ପୁରୀ: ବେଦାନ୍ତ ଜମି ପ୍ରସଙ୍ଗକୁ ନେଇ ଆଜି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରତିକ୍ରିୟା ରଖିଥିବା ବେଳେ ସମସ୍ତ ସରକାରୀ ଜମି ସରକାରୀ ଖାତାକୁ ଫେରିବା ନେଇ ମତ ରଖିଛନ୍ତି।ସେହିପରି ଚାଷୀ ମାଙ୍କର ଥିବା ବ୍ୟକ୍ତିଗତ ଜମି ସେମାନଙ୍କ ନାମ କୁ ଫେରିବା ନେଇ କୌଣସି ରେଜିଷ୍ଟ୍ରେସନ ଖର୍ଚ୍ଚ ଦେବାକୁ ପଡିବ ନାହିଁ। ପୁରୀରେ ବେଦାନ୍ତ ବିଶ୍ବବିଦ୍ୟାଳୟ ପାଇଁ ଚାଷୀ ମାନଙ୍କ ଠାରୁ ନିଆ ଜାଇଥିବା ଜମି ଫେରିପାଇବେ ଚାଷୀ।

ତେବେ ଜମି ପ୍ରତି ବଦଳରେ ଚାଷୀମାନେ ନେଇଥିବା କ୍ଷତିପୂରଣ ରାଶି ଫେରାଇବେ। ଅଧିଗ୍ରହଣ ହୋଇଥିବା ଜମିର ସତ୍ତ୍ବ ବା ରେକର୍ଡ଼ ସଂଶୋଧନ କରାଯାଇ ଚାଷୀଙ୍କୁ ପଟ୍ଟା ଓ ଜମି ଦଖଲ ଦିଆଯିବ। ସେହିଭଳି ବେଦାନ୍ତକୁ ଲିଜ୍ ଦିଆଯାଇଥିବା ସରକାରୀ ଜମି ସରକାରୀ ଖାତାକୁ ଫେରାଇ ଅଣାଯିବ। ଦିନେ ଦୁଇ ଦିନ ଭିତରେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇବ।

ଅନୀଲ ଅଗ୍ରୱାଲ ଫାଉଣ୍ଡେସନ ପାଇଁ ମୋଟ ୩୩୪୨. ୫୩ ଏକର ଘରୋଇ ଜମି ଅଧିଗ୍ରହଣ କରିଥିଲେ ସରକାର। ଏଥିରେ ପାଖାପାଖି ୬ ହଜାର ଜମିହରା ଚାଷୀଙ୍କୁ ଚିହ୍ନଟ କରି ସେମାନଙ୍କ ଜମି ଫେରସ୍ତ କରାଯିବ।

ସେହିପରି ବେଦାନ୍ତକୁ ଲିଜ ଦିଆଯାଇଥିବା ୪୯୪.୯୮ ଏକର ସରକାରୀ ଜମି ପୁଣି ସରକାରୀ ଖାତାକୁ ଫେରାଇ ଆଣିବେ ସରକାର।

Categories
ଆଜିର ଖବର ରାଜ୍ୟ ଖବର

ଶ୍ରୀଜଗନ୍ନାଥ ମନ୍ଦିର ଠାରେ ୧୦ଟି ବ୍ୟାଟେରୀ ଚାଳିତ ଗାଡ଼ିକୁ ପତାକା ଦେଖାଇ ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ପୁରୀ: କେନ୍ଦ୍ର ନୂତନ ଓ ଅକ୍ଷୟ ଶକ୍ତି, ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଆଜି ପୁରୀସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରରେ ୧୦ ଟି ବ୍ୟାଟେରୀ ଚାଳିତ ଯାନକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଭାରତୀୟ ଅକ୍ଷୟ ଶକ୍ତି ବିକାଶ ସଂସ୍ଥା ଲିଃ. (ଆଇଆରଇଡିଏ)ର ସିଏସଆର୍ କାର୍ଯ୍ୟକ୍ରମ ଅଧୀନରେ ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ପରିବେଶ ଅନୁକୂଳ ଗମନାଗମନକୁ ପ୍ରୋତ୍ସାହିତ କରିବା ଏବଂ ପବିତ୍ର ତୀର୍ଥସ୍ଥାନକୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କ ସୁଗମ୍ୟତାରେ ଉନ୍ନତି ଆଣିବା, ବିଶେଷ କରି ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗମାନଙ୍କୁ ସମ୍ମାନ ଓ ଐତିହ୍ୟ ସ୍ଥଳରେ ସହାୟତା ଯୋଗାଇଦେବା।

ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକଙ୍କୁ ବ୍ୟାଟେରୀ ଚାଳିତ ଯାନର ଚାବି ହସ୍ତାନ୍ତର କରିବା ସମୟରେ ସାଂସ୍କୃତିକ ସ୍ଥଳଗୁଡ଼ିକରେ ଦୀର୍ଘସ୍ଥାୟୀ ସମାଧାନ ଉପରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଯୋଶୀ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ, ଏହି ଐତିହାସିକ ମନ୍ଦିରରେ ବ୍ୟାଟେରୀ ଚାଳିତ ଯାନଗୁଡ଼ିକର ମୁତୟନ ସବୁଜ ଶକ୍ତି ପ୍ରତି ଆମର ପ୍ରତିବଦ୍ଧତାକୁ ଦର୍ଶାଉଛି। ଏଗୁଡ଼ିକ ପର୍ଯ୍ୟଟକମାନଙ୍କୁ ଏକ ସୁଲଭ ଏବଂ ପରିବେଶ ଅନୁକୂଳ ପରିବହନ ବିକଳ୍ପ ପ୍ରଦାନ କରିବ। ଏହିପରି ସ୍ଥାୟୀ ସିଏସଆର ପ୍ରକଳ୍ପଗୁଡ଼ିକୁ ସମର୍ଥନ କରିବାରେ ଆଇଆରଇଡିଏର ପ୍ରୟାସ ଦେଶର ସବୁଜ ମିଶନ ପ୍ରତି ସେମାନଙ୍କର ଅତୁଟ ସମର୍ପଣ ଏବଂ ଗୁରୁତ୍ୱପୂର୍ଣ୍ଣ ଐତିହ୍ୟ ସ୍ଥଳରେ ପର୍ଯ୍ୟଟକଙ୍କ ଅଭିଜ୍ଞତାରେ ସୁଧାର ଆଣିବାର ପ୍ରୟାସକୁ ପ୍ରତିଫଳିତ କରେ ବୋଲି ଶ୍ରୀ ଯୋଶୀ କହିଥିଲେ।

ଆଇଆରଇଡିଏର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ କୁମାର ଦାସ ଦୀର୍ଘସ୍ଥାୟୀତ୍ୱ ପ୍ରତି କମ୍ପାନୀର ସମର୍ପଣ ଉପରେ ଆଲୋକପାତ କରି କହିଥିଲେ, ‘‘ଆମର ସିଏସଆର ପଦକ୍ଷେପ ମାଧ୍ୟମରେ ଐତିହ୍ୟ ସ୍ଥଳକୁ ୧୦ ଟି ପରିବେଶ ଅନୁକୂଳ ଯାନ ଯୋଗାଇ ଦେବା ଆଇଆରଇଡିଏ ପାଇଁ ସମ୍ମାନର ବିଷୟ। ଏହି ପ୍ରକଳ୍ପ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଦୀର୍ଘସ୍ଥାୟୀ ଓ ନବୀକରଣଯୋଗ୍ୟ ଶକ୍ତି ସମାଧାନ ଚଳାଇବା ପାଇଁ ଆମର ଲକ୍ଷ୍ୟ ସହିତ ମେଳ ଖାଉଛି ଏବଂ ପରିଦର୍ଶକମାନଙ୍କ ପାଇଁ ପରିବେଶ ଅନୁକୂଳ ପରିବହନ ସୁବିଧା ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି।’’

ଆଇଆରଇଡିଏ ନିର୍ଦ୍ଦେଶକ (ଅର୍ଥ) ଡ. ବି.କେ. ମହାନ୍ତିଙ୍କ ସମେତ ନୂତନ ଏବଂ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ (ଏମଏନଆରଇ), ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ଏବଂ ଆଇଆରଇଡିଏର ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଏହି ସମାରୋହରେ ଯୋଗ ଦେଇଥିଲେ। କେନ୍ଦ୍ର ମନ୍ତ୍ରୀ, ଆଇଆରଇଡିଏର ସିଏମଡି ଏବଂ ଏମଏନଆରଇ ଏବଂ ଆଇଆରଇଡିଏର ଅନ୍ୟ ଅଧିକାରୀମାନେ ଭଗବାନ ଜଗନ୍ନାଥ ମନ୍ଦିରରେ ଦର୍ଶନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ପୁରୀ ଠାରେ ମଧୁମେହ ସଚେତନତା ପଦଯାତ୍ରା ଅନୁଷ୍ଠିତ 

ପୁରୀ: ପୁରୀ ଠାରେ ଶ୍ରୀ ଜଗନ୍ନାଥ ହାର୍ଟଫାଉଣ୍ଡେସନ ଏବଂ କୋରୋନା ରିମେଡିଜର ମିଳିତ ଆନୁକୂଲ୍ୟରେ ଆଜି ମଧୁମେହ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ପଦଯାତ୍ରା ଶ୍ରୀ ଜଗନ୍ନାଥ ମନ୍ଦିର ସମ୍ମୁଖରୁ ବାହାରି ଗୁଣ୍ଡିଚା ମନ୍ଦିର ଯାଏ ଅନୁଷ୍ଠିତ ହୋଇଥିବା ବେଳେ ପରେ ଗୁଣ୍ଡିଚା ମନ୍ଦିର ଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା।

ଯେଉଁଠି ବହୁ ବରିଷ୍ଠ ବିଶେଷଜ୍ଞ ଡାକ୍ତର ଙ୍କ ସହ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷ ଓ ବୁଦ୍ଧିଜୀବୀ ମାନେ ଯୋଗଦେଇ ମଧୁମେହ ଭୟାବହତା ଉପରେ ଆଲୋକପାତ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସଂସ୍କୃତି

ପିପିଲି ଚାନ୍ଦୁଆ ଶିଳ୍ପର ସଂରକ୍ଷଣ ପାଇଁ କେନ୍ଦ୍ର ସରକାରଙ୍କ ଐତିହାସିକ ପଦକ୍ଷେପ: ପୁରୀ ସାଂସଦ ଡାଃ ସମ୍ବିତ ପାତ୍ର

ପୁରୀ: ପୁରୀର ଐତିହ୍ୟ ପିପିଲି ଚାନ୍ଦୁଆ ଶିଳ୍ପର ପୁନରୁଦ୍ଧାର ଏବଂ ସଂରକ୍ଷଣ ପାଇଁ କେନ୍ଦ୍ର ସରକାର ଏକ ବ୍ୟାପକ ପଦକ୍ଷେପ ଘୋଷଣା କରିଛନ୍ତି। ପୁରୀ ଲୋକସଭା ସାଂସଦ ଡାଃ ସମ୍ବିତ ପାତ୍ରଙ୍କ ଦ୍ୱାରା ଲୋକସଭାରେ ଉଠାଯାଇଥିବା ପ୍ରଶ୍ନର ଉତ୍ତରରେ କେନ୍ଦ୍ରୀୟ ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ସେଖାୱତ ଏହି ଘୋଷଣା କରିଛନ୍ତି।

ଏହି ପଦକ୍ଷେପ ଅନ୍ତର୍ଗତ:

– ସମସ୍ତ ସାତଟି ଆଞ୍ଚଳିକ ସାଂସ୍କୃତିକ କେନ୍ଦ୍ର (ZCC) ଚାନ୍ଦୁଆ ଶିଳ୍ପର ସଂରକ୍ଷଣରେ ସକ୍ରିୟ ଭୂମିକା ନେବେ

– ରାଷ୍ଟ୍ରୀୟ ସାଂସ୍କୃତିକ ମହୋତ୍ସବ (RSM)ରେ ଚାନ୍ଦୁଆ ଶିଳ୍ପୀମାନଙ୍କୁ ବିଶେଷ ସ୍ଥାନ

– ଶିଳ୍ପୀମାନଙ୍କୁ ଆର୍ଥିକ ସହାୟତା

– ନୂତନ ବଜାର ସୁଯୋଗ ସୃଷ୍ଟି

– ଯୁବ ପିଢ଼ିଙ୍କୁ ଏହି ପାରମ୍ପରିକ ଶିଳ୍ପରେ ତାଲିମ ଓ ନିଯୁକ୍ତି

୧୨ ଶତାବ୍ଦୀରୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସଂସ୍କୃତି ସହ ଜଡ଼ିତ ଏହି ଐତିହାସିକ ଶିଳ୍ପକଳା ତା’ର ସୂକ୍ଷ୍ମ କାରୁକାର୍ଯ୍ୟ ଏବଂ ଜୀବନ୍ତ ରଙ୍ଗ ପାଇଁ ବିଶ୍ୱ ପ୍ରସିଦ୍ଧ। ବାର୍ଷିକ ରଥଯାତ୍ରା ସମେତ ବିଭିନ୍ନ ଧାର୍ମିକ ଉତ୍ସବରେ ଏହି ଶିଳ୍ପର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଆସିଛି।

“ଆମର ଏହି ଅମୂଲ୍ୟ ଐତିହ୍ୟକୁ ସଂରକ୍ଷଣ କରିବା ପାଇଁ କେନ୍ଦ୍ର ସରକାରଙ୍କର ଏହି ପଦକ୍ଷେପ ଯୁଗାନ୍ତକାରୀ,” ବୋଲି ଡାଃ ପାତ୍ର ମତ ପ୍ରକାଶ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ସଂସ୍କୃତି

ତୁଳସୀକ୍ଷେତ୍ର ଶ୍ରୀ ବଳଦେବଜୀଉଙ୍କ ପ୍ରଳମ୍ବାସୁର ସଂହାର ବେଶ ପାଇଁ ପୁରୀରୁ ସାନଭାଇ ପଠାଇଲେ ପାଟବସ୍ତ୍ର

କେନ୍ଦ୍ରାପଡା: ତୁଳସୀକ୍ଷେତ୍ର କେନ୍ଦ୍ରାପଡା ସହ ଶ୍ରୀକ୍ଷେତ୍ର ପୁରୀର ଆଧ୍ୟତ୍ମିକ ସଂପର୍କ ବେଶ ନିବିଡ। ପାରମ୍ପରିକ ତଥା ପୌରାଣିକ ଢଂଗରେ କୋଟି ଓଡିଆଙ୍କ ଆରାଧ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଶ୍ରୀବଳଦେବଙ୍କ ସାନଭାଇ। ଏଥିପାଇଁ ଶ୍ରୀମନ୍ଦିର ନିତିକାନ୍ତି ସହ ଅନେକ ସାମଞ୍ଜସ୍ୟ ଏବଂ ସ୍ୱତନ୍ତ୍ରତା ପରିଲକ୍ଷିତ ହୋଇଥାଏ ତୁଳସୀକ୍ଷେତ୍ରର ଆରାଧ୍ୟଦେବତା ଶ୍ରୀବଳଦେବଜୀଉ ମନ୍ଦିରରେ। ଅନ୍ୟ ଅର୍ଥରେ କହିବାକୁ ଗଲେ ଶ୍ରୀବଳଦେବଜୀଉଙ୍କ ସହ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରର ଦୃଢ ସଂପର୍କ ରହିଛି।

ଏହି ପରପ୍ରେକ୍ଷୀରେ କାର୍ତିକ ମାସରେ ପଂଚକବ୍ରତ ମଧ୍ୟ ତୁଳସୀକ୍ଷେତ୍ରରେ ପାଳନ କରାଯାଇଥାଏ। ଯେଉଁ ହବିଶ୍ୟାଳୀମାନେ ପୁରୀ ଯିବାକୁ ଅସମର୍ଥ ହୋଇଥାନ୍ତି ସେମାନେ ତୁଳସୀକ୍ଷେତ୍ରରେ ହବିଷ କଲେ ସମାନ ପୁଣ୍ୟଫଳ ପ୍ରାପ୍ତ ହୋଇଥାଏ ବୋଲି ଆଧ୍ୟାତ୍ମିକ ବିଶ୍ୱାସ ରହିଛି। ପଂଚକବ୍ରତ ପାଳନ ସମୟରେ ପଂଚକ ଏକାଦଦଶୀରେ ଶ୍ରୀବଳଦେବଜୀଉଙ୍କ ପ୍ରଳମ୍ବାସୁର ସଂହାର ବେଶ କରାଯାଇଥାଏ।

ଏହିବେଶ ପାଇଁ ପୁରୀ ଜଗନ୍ନାଥଧାମ ଶ୍ରୀକ୍ଷେତ୍ରରୁ ସାନଭାଇ ଶ୍ରୀଜଗନ୍ନାଥ ତୁଳସୀକ୍ଷେତ୍ର ଆରାଧ୍ୟ ଦେବତା ତଥା ବଡଭାଇ ଶ୍ରୀ ବଳଦେବଜୀଉଙ୍କୁ ପାଟବସ୍ତ୍ର ଭେଟିଦେଇଥାନ୍ତି। ଏହି ପରମ୍ପରା ସଂପର୍କରେ ମାଦଳାପାଞ୍ଜିରେ ଉଲେଖ ଥିବା ଗବେଷକ ମାନେ ମତପ୍ରକାଶ କରନ୍ତି।

ତେବେ କୌଣସି କାରଣରୁ ଏହି ପାଟବସ୍ତ୍ର ଭେଟ ନିତୀ ଅତୀତରେ ବନ୍ଦ ହୋଇଯାଇଥିଲା। ତେବେ ୧୦ ବର୍ଷ ଧରି ଅଧ୍ୟାତ୍ମିକ ପ୍ରାମଣିକ ତଥ୍ୟ କୁ ପାଥେୟ କରାଯାଇ ଲୁପ୍ତ ହୋଇଥିବା ପରମ୍ପରାକୁ ଜୀବନ୍ୟାସ ପ୍ରଦାନ କରାଯାଇଛି। ପୁରୀ ଠାକୁର ରାଜା ଦିବ୍ୟସିଂହଦଦେବଙ୍କ ଅନୁଗ୍ରହ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ନିର୍ଦ୍ଦେଶ କ୍ରମରେ ପଂଚକବ୍ରତ ପାଳନ ପୂର୍ବରୁ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ପୁନରାୟ ଏହି ପରମ୍ପରାକୁ ଉଦଜୀବିତ କରାଯାଇଛି।

ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଅଫିସର ଅନ ସ୍ପେଶାଲ ଡ୍ୟୁଟି ସରୋଜ କୁମାର ରାୟଙ୍କ ନେତୃତ୍ୱରେ ଏକ ତିନି ଜଣିଆ ଦଳ ତୁଳସୀକ୍ଷେତ୍ର କେନ୍ଦ୍ରାପଡା ତିଟି ପାଟବସ୍ତ୍ର ଧରି ଆଜି ତୁଳସୀକ୍ଷେତ୍ରରେ ପହଚିଁ ଶ୍ରୀ ବଳଦେବଜୀଉ ଦେବୋତର ସଂସ୍ଥା କାର୍ଯ୍ୟାଳୟ କୁ ହସ୍ତାନ୍ତର କରିଛନ୍ତି। ତୁଳସୀକ୍ଷେତ୍ର ଆରାଧ୍ୟ ଦେବତା ଶ୍ରୀବଳଦେବଜୀଉଙ୍କ ପାଇଁ ନୀଳପାଟ ବସ୍ତ୍ର,ମାସୁଭଦ୍ରାଙ୍କ ପାଇଁ ଲାଲ ପାଟବସ୍ତ୍ର ଏବଂ ଶ୍ରୀ ଜଗନ୍ନାଥଙ୍କ ପାଇଁ ହଳଦୀଆ ପାଟବସ୍ତ୍ରକୁ ହସ୍ତାନ୍ତର କରାଯାଇଛି। ପାଟବସ୍ତ୍ର ହସ୍ତାନ୍ତ୍ରର ସମୟରେ ଶ୍ରୀ ମନ୍ଦିର ପ୍ରଶାସନର ନୀତୀ ବିଭାଗ ସହ ଜଡିତ ପାଟରା ସେବକ ସତ୍ୟନାରାୟଣ ପାତ୍ର, ବରିଷ୍ଠ ସେବାୟତ ଜଗବନ୍ଧୁ ପଣ୍ଡା ଉପସ୍ଥିତ ଥିଲେ।

ଶ୍ରୀବଳଦେବଜୀଉ ଦେବୋତର ସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀବଳଭଦ୍ର ପତ୍ରୀ,ସଂସ୍ଥାର ବରିଷ୍ଠ କାର୍ଯ୍ୟାଳୟ ସହାୟକ ଶରତ ଚନ୍ଦ୍ର ପାତ୍ର ପାଟବସ୍ତ୍ର ଗ୍ରହଣ କରିଥିଲେ। ଆଜି ରାତ୍ରିରେ ଏହି ତିନି ପାଟବସ୍ତ୍ରକୁ ଭଣ୍ଡାରଗୃହ ସେବାୟତଙ୍କୁ ପ୍ରଦାନ କରାଯିବ। ପଂଚକବ୍ରତ ଏକାଦଶୀ ତିଥିରେ ଶ୍ରୀଜୀଉଙ୍କୁ ଏହି ପାଟବସ୍ତ୍ର ଲାଗି କରାଯିବ ବୋଲି ସୂଚନା ମିଳିଛି।

Categories
ଆଜିର ଖବର ରାଜ୍ୟ ଖବର

ପୁରୀ ସହରରେ ଡିଜିଟାଲ ଜୀବନ ପ୍ରମାଣପତ୍ର ଅଭିଯାନ ଅନୁଷ୍ଠିତ

ପୁରୀ: ପେନସନ ଓ ପେନସନଭୋଗୀ କଲ୍ୟାଣ ବିଭାଗ ପକ୍ଷରୁ ପୁରୀ ସ୍ବର୍ଗଦ୍ବାର ବ୍ୟାଙ୍କ ଅଫ୍‌ ବରୋଦା ଶାଖା ଏବଂ କଚେରୀ ଛକ ସ୍ଥିତ ମୁଖ୍ୟ ଡାକଘରେ ଡିଜିଟାଲ ଜୀବନ ପ୍ରମାଣପତ୍ର (ଡିଏଲସି) ଅଭିଯାନ ୩.୦ ଅନୁଷ୍ଠିତ ହୋଇଯାଇଛି। ବିଭାଗର ବରିଷ୍ଠ ନିର୍ଦ୍ଦେଶକ (ଆଇଟି) ଅନୀଲ ବଂଶଲଙ୍କ ସମେତ ବ୍ୟାଙ୍କ ଅଫ୍‌ ବରୋଦା, ଡାକ ବିଭାଗ ଏବଂ ୟୁଆଇଡିଏଆଇର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ପେନସନଭୋଗୀଙ୍କୁ ଡିଏଲସି କରାଇବା ସହିତ ସେମାନଙ୍କୁ ଚେହେରା ପ୍ରମାଣୀକରଣ ପଦ୍ଧତିରେ ଜୀବନ ପ୍ରମାଣପତ୍ର ଦାଖଲ କରିବା ବିଷୟରେ ସଚେତନ କରାଇଥିଲେ। ଏହିସବୁ ଶିବିରରେ ବ୍ୟାପକ ପ୍ରଚାରପ୍ରସାର ଏବଂ ଏହାକୁ ଫଳପ୍ରଦ କରିବା ପାଇଁ ସମସ୍ତ ପ୍ରୟାସ କରାଯାଇଥିଲା।

ସୂଚନାଯୋଗ୍ୟ, ପେନସନ ଓ ପେନସନଭୋଗୀ କଲ୍ୟାଣ ବିଭାଗ ପକ୍ଷରୁ ୧ରୁ ୩୦ ନଭେମ୍ବର ପର୍ଯ୍ୟନ୍ତ ଡିଏଲସି ଅଭିଯାନ ୩.୦ ଅନୁଷ୍ଠିତ ହେଉଛି। ଏହି ଅଭିଯାନ ସାମଗ୍ରିକ ସରକାର ଆଭିମୁଖ୍ୟ ନେଇ ସାରା ଭାରତର ୮୦୦ ସହର/ଜିଲ୍ଲାରେ ଅନୁଷ୍ଠିତ ହେଉଛି ଏବଂ ଏଥିରେ ସବୁ ଅଂଶୀଦାର ଏକାଠି ହୋଇ ସହଯୋଗ କରୁଛନ୍ତି।

କେନ୍ଦ୍ର ସରକାରୀ ପେନସନଭୋଗୀଙ୍କ ସହଜ ଜୀବନଧାରଣ ପାଇଁ ଚେହେରା ପ୍ରମାଣୀକରଣ ବା ଫେସ୍‌ ଅଥେଣ୍ଟିକେସନ୍‌ ପଦ୍ଧତିରେ ଡିଏଲସି ଦାଖଲ ପ୍ରକ୍ରିୟା ୨୦୨୧ରେ ଆରମ୍ଭ ହୋଇଥିଲା। ଏହି ଜ୍ଞାନକୌଶଳ ଦ୍ୱାରା ପେନସନଭୋଗୀମାନେ ଯେକୌଣସି ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ବ୍ୟବହାର କରି ଜୀବନ ପ୍ରମାଣପତ୍ର ଦାଖଲ କରିପାରିବେ। ଏହା ବାହ୍ୟ ବାୟୋମେଟ୍ରିକ୍ ଡିଭାଇସ୍ ର ଆବଶ୍ୟକତା ହ୍ରାସ କରିଥାଏ ଏବଂ ଏହି ପ୍ରକ୍ରିୟାକୁ ଅଧିକ ଶସ୍ତା ଓ ସୁଲଭ କରିଥାଏ।

୨୦୨୨ ଅଭିଯାନରେ ୧.୪୧ କୋଟି ରୁ ଅଧିକ ଡିଏଲସି କରାଯାଇଥିଲା, ଏଥି ମଧ୍ୟରେ କେନ୍ଦ୍ର ସରକାରଙ୍କ ପେନସନଭୋଗୀଙ୍କ ଠାରୁ ୪୨ ଲକ୍ଷ ଦାଖଲ କରାଯାଇଥିଲା। ୨୦୨୩ ରେ ୧୦୦ଟି ସ୍ଥାନରେ ହୋଇଥିବା ଏହି ଅଭିଯାନରେ ୧.୪୭ କୋଟିରୁ ଅଧିକ ଡିଏଲସି ହୋଇଥିବା ବେଳେ କେନ୍ଦ୍ର ସରକାରଙ୍କ ପେନସନଭୋଗୀଙ୍କ ଠାରୁ ୪୫ ଲକ୍ଷ ଟଙ୍କା ମିଳିଥିଲା।

ବିଭିନ୍ନ ବ୍ୟାଙ୍କ, ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ, ପେନସନର୍ସ ଆସୋସିଏସନ, ୟୁଆଇଡିଏଆଇ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରଣାଳୟ, ପ୍ରତିରକ୍ଷା ମନ୍ତ୍ରଣାଳୟ, ରେଳ ମନ୍ତ୍ରଣାଳୟ ଏବଂ ଡିଓଟିର ମିଳିତ ସହଯୋଗରେ ଏହି ଅଭିଯାନ ଆୟୋଜିତ ହେଉଛି। ଏହାର ଲକ୍ଷ୍ୟ ହେଉଛି ପେନସନଭୋଗୀ, ବିଶେଷକରି ଅତିବରିଷ୍ଠ ନାଗରିକ ଏବଂ ଭିନ୍ନକ୍ଷମ ବ୍ୟକ୍ତିମାନେ ସହଜରେ ସେମାନଙ୍କ ଜୀବନ ପ୍ରମାଣପତ୍ର ଦାଖଲ କରିପାରିବେ। ଦେଶବ୍ୟାପୀ ଡିଏଲସି ଶିବିର ପ୍ରତିଷ୍ଠା କରାଯାଇଛି ଏବଂ ସ୍ମାର୍ଟଫୋନ୍ ଧରିଥିବା କର୍ମଚାରୀମାନେ ଶିବିରଗୁଡ଼ିକରେ ପେନସନଭୋଗୀଙ୍କୁ ସାହାଯ୍ୟ କରୁଛନ୍ତି। ଶଯ୍ୟାଶାୟୀ ପେନସନଭୋଗୀଙ୍କ ପାଇଁ ସ୍ୱଗୃହ ପରିଦର୍ଶନ ସୁବିଧା ମିଳୁଛି।

ଏହି ଅଭିଯାନ ସମ୍ପର୍କରେ ସାମାଜିକ ଗଣମାଧ୍ୟମ ଓ ପ୍ରଚାର ବ୍ୟାନର ମାଧ୍ୟମରେ ବ୍ୟାପକ ପ୍ରଚାରପ୍ରସାର କରାଯାଉଛି ଏବଂ ସର୍ବାଧିକ ଅଂଶଗ୍ରହଣକୁ ସୁନିଶ୍ଚିତ କରିବା ଲାଗି ଏହାର ପ୍ରଗତି ଅନୁଧ୍ୟାନ କରାଯାଉଛି।

Categories
ଆଜିର ଖବର ରାଜ୍ୟ ଖବର

ପେନସନ ଉପଭୋକ୍ତାଙ୍କୁ ଲାଇଫ ସାର୍ଟିଫିକେଟ ପ୍ରଦାନ ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

ପୁରୀ: ଏଣିକି ପେନସନ ଉପଭୋକ୍ତାଙ୍କୁ ସେମାନଙ୍କର ଲାଇଫ ସାର୍ଟିଫିକେଟ ପ୍ରଦାନ କରିବା ପାଇଁ ଆଉ ବ୍ୟାଙ୍କ ଦୌଡ଼ିବାକୁ ପଡିବ ନାହିଁ। କେନ୍ଦ୍ର ସରକାରଙ୍କ ପେନସନ ଓ ପେନସନ କଲ୍ୟାଣ ବିଭାଗ ପକ୍ଷରୁ ଲୋକଙ୍କ ସୁବିଧା ଯୋଗାଇ ଦେବା ଲକ୍ଷ୍ୟରେ ସ୍ୱତନ୍ତ୍ର ଭାବେ ଡିଜିଟାଲ ଲାଇଫ ସାର୍ଟିଫିକେଟ ବ୍ୟବସ୍ଥା ଗ୍ରହଣ କରାଯାଇଅଛି। ଯାହା ଦ୍ୱାରା ଘରେ ବସି ଯେକୌଣସି ସ୍ଥାନରୁ ଏଣିକି ପେନସନ ଉପଭୋକ୍ତା ମାନେ ସେମାନଙ୍କର ଲାଇଫ ସାର୍ଟିଫିକେଟ ଅନଲାଇନ ମାଧ୍ୟମରେ ସ୍ୱତନ୍ତ୍ର ଆପରେ ପ୍ରଦାନ କରିପାରିବେ। ଏହି ବିଶେଷ ବ୍ୟବସ୍ଥାରେ ସାଧାରଣ ପେନସନ ଉପଭୋକ୍ତାଙ୍କ ସମେତ ଅସହାୟ, ଭିନ୍ନକ୍ଷମ ତଥା ମେଡିକାଲ ଅସୁବିଧା ଭୋଗୁଥିବା ପେନସନ ଉପଭୋକ୍ତା ମାନେ ବିଶେଷ ସୁବିଧା ପାଇପାରିବେ।

ଆଜି ପୁରୀରେ ଥିବା ବ୍ୟାଙ୍କ ଅଫ ବରୋଦା ଠାରେ ଏନେଇ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ କେନ୍ଦ୍ର ସରକାରଙ୍କ ପେନସନ ଓ ପେନସନ ଭୋଗୀ କଲ୍ୟାଣ ବିଭାଗର ବରିଷ୍ଠ ଅଧିକାରୀ ଅନିଲ ବଂସଲ ଯୋଗଦାନ କରି ସାଧାରଣ ଲୋକଙ୍କୁ ଏହି ନୂତନ ବ୍ୟବସ୍ଥା ସମ୍ପର୍କରେ ସଚେତନ କରାଇବା ସହ ଅନେକ ଉପଭୋକ୍ତାଙ୍କ ଡିଜିଟାଲ ଲାଇଫ ସାର୍ଟିଫିକେଟ ଆପରେ ପଞ୍ଜିକୃତ ମଧ୍ୟ କରାଇଥିଲେ। ସରକାରଙ୍କ ଏହି ବ୍ୟବସ୍ଥା ସ୍ୱତନ୍ତ୍ର ଭାବେ ହୋଇଥିବା ବେଳେ ଏଣିକି ପେନସନ ଭୋଗୀ ମାନେ କଷ୍ଟ ପାଇବେ ନାହିଁ ତଥା ସେମାନଙ୍କର ସଠିକ ପାଞ୍ଜିକରଣ ହୋଇପାରିବ। ସେହିପରି ଆଗାମୀ ଦିନରେ ଏହି ବ୍ୟବସ୍ଥା ସାମଗ୍ରିକ ବ୍ୟବସ୍ଥା ଅଭିବୃଦ୍ଧିରେ ସହାୟକ ହେବାକୁ ଯାଉଥିବା ବେଳେ ଏପରି ବ୍ୟବସ୍ଥାକୁ ନେଇ ସାଧାରଣ ପେନସନ ଉପଭୋକ୍ତା ମାନେ ବେଶ ଖୁସି ପ୍ରକଟ କରିଥିଲେ।

ଲାଇଫ ସାର୍ଟିଫିକେଟ ପ୍ରଦାନ ନେଇ ପେନସନ ଉପଭୋକ୍ତା ମାନେ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ସମସ୍ୟା ର ସମ୍ମୁଖୀନ ହେଉଥିବା କଷ୍ଟରୁ ଏଣିକି ଖ୍ୟାନ୍ତି ମିଳିବା ନେଇ ଉପଭୋକ୍ତା ମାନେ ସରକାରଙ୍କ ଏପରି ବ୍ୟବସ୍ଥା କୁ ସାଧୁବାଦ ଜଣାଇଛନ୍ତି। ଆଜି ଅନୁଷ୍ଠିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରେ ପୂର୍ବତନ ଆମ୍ବାସାଡ଼ର ମଳୟ ମିଶ୍ର ମଧ୍ୟ ଯୋଗଦାନ କରି ନିଜକୁ ଧନ୍ୟ ମନେ କରିବା ସହ ଏପରି ବ୍ୟବସ୍ଥାର ଉଚ୍ଚ ପ୍ରଶଂସା କରିଥିଲେ।