Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପୁର୍ବତନ ସରପଞ୍ଚଙ୍କୁ ଆକ୍ରମଣ, ଡାକ୍ତରଖାନାରେ ଭର୍ତ୍ତି

କୈଳାଶ ଚନ୍ଦ୍ର ବେହେରା

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା କୁକଡାଖଣ୍ଡି ବ୍ଳକ ବନ୍ଥପଲୀ ଗ୍ରାମ ପଞ୍ଚାୟତର ପୁର୍ବତନ ସରପଞ୍ଚ ପ୍ରଶାନ୍ତ କୁମାର ସ୍ବାଇଁଙ୍କୁ ନନ୍ଦନ ବେହେରା ସମେତ ଅନ୍ୟ କିଛି ଯୁବକ ଆକ୍ରମଣ କରିଛନ୍ତି ବୋଲି ଦିଗପହଣ୍ଡି ଥାନାରେ ଅଭିଯୋଗ ହୋଇଛି।

ସୂଚନାଯୋଗ୍ୟ ଯେ, ପ୍ରଶାନ୍ତ ଏକ କ୍ରିକେଟ ଟୁର୍ଣ୍ଣାମେଣ୍ଟ କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜ ଗ୍ରାମ ଚାଞ୍ଚଡାପଲି ଫେରୁଥିବା ବେଳେ ଗାଁ ର ଠାକୁରାଣୀ ମନ୍ଦିର ପଛପଟରେ ଛକି ବସିଥିବା କିଛି ଯୁବକ ତାଙ୍କୁ ଅତର୍କିତ ଭାବେ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଯାହା ଫଳରେ ତାଙ୍କର ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ହୋଇଛି ଓ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ପ୍ରକାଶ ଥାଉକି ପ୍ରଶାନ୍ତ ସରପଞ୍ଚ ଥିବା ବେଳେ ଗାଁ ରେ ବଚନ ସ୍ବାଇଁ ନାମକ ଜଣେ ଯୁବକକୁ ହତ୍ୟା କରାଯାଇଥିଲା। ସେହି ମକଦ୍ଦମାରେ ପ୍ରଶାନ୍ତ ସାକ୍ଷୀ ରହି ଶୁଣାଣି ବେଳେ ସାକ୍ଷୀ କାଟିଦେବାରୁ ଆକ୍ରମଣକାରୀ ଯୁବକ ମାନେ ପ୍ରଥମେ ପଚାରିଥିଲେ ଓ ପରେ ଆକ୍ରମଣ କରିଥିଲେ। ଆହତ ପ୍ରଶାନ୍ତ ଦିଗପହଣ୍ଡି ଥାନାରେ ଅଭିଯୋଗ କରିଛନ୍ତି ଓ ଅଭିଯୋଗକୁ ଭିତ୍ତି କରି ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପୁର୍ବତନ ସରପଞ୍ଚ ହତ୍ୟାକାଣ୍ଡ ମାମଲା: ଅଭିଯୁକ୍ତ ରାମକୃଷ୍ଣ ମିଶ୍ର ଗିରଫ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: କେ ନୁଆ ଗାଁ ଥାନା ଅନ୍ତର୍ଗତ ଖମାରିଗାଁର ପୁର୍ବତନ ସରପଞ୍ଚ ତଥା ବରିଷ୍ଠ ସମାଜସେବୀ ଲଳିତ ମହାପାତ୍ର ହତ୍ୟାକାଣ୍ଡର ମୁଖ୍ୟ ଆସାମୀ ରାମକୃଷ୍ଣ ମିଶ୍ରଙ୍କୁ ଗିରଫ କରାଯାଇଛି। ତାଙ୍କୁ ବ୍ରଜରାଜନଗର ରେଳ ଷ୍ଟେସନରୁ ପୋଲିସ ଗିରଫ କରିଛି। ଏହାପରେ ଅଭିଯୁକ୍ତ ରାମକୃଷ୍ଣଙ୍କୁ ଦିଗପହଣ୍ଡି ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ କୋର୍ଟରେ ହାଜର କରାଇ ବ୍ରହ୍ମପୁର ବିଚାର ବିଭାଗୀୟ ହାଜତକୁ ପୋଲିସ ପଠାଇଛି।

ପ୍ରକାଶ ଥାଉକି ରାଜନୈତିକ ବିବାଦକୁ ନେଇ ଗତ ଜୁନ ୨୦ ତାରିଖରେ ନିକଟସ୍ଥ ଶଙ୍କରାଖାଲି ଗ୍ରାମରେ ଲଳିତ ମହାପାତ୍ର ଓ ରାମକୃଷ୍ଣ ମିଶ୍ରଙ୍କ ମଧ୍ୟରେ କଥା କଟାକଟି ଓ ମାଡଗୋଳ ହୋଇଥିଲା। କିନ୍ତୁ ଉପସ୍ଥିତ ଲୋକଙ୍କ ମଧ୍ୟସ୍ଥତାରେ ଗଣ୍ଡଗୋଳ ଶାନ୍ତ ହୋଇଥିଲା ଓ ଲଳିତ ନିଜ ବୁଲେଟ୍ ମୋଟରସାଇକେଲରେ ନିଜ ଘର ଖମାରିଗାଁକୁ ବାହାରି ଥିଲେ।

ତତକ୍ଷଣାତ୍ ରାମକୃଷ୍ଣ ନିଜ କାର୍ ଲଳିତଙ୍କ ପଛରେ ଯାଇଥିଲା ଏବଂ ଗାଁ ନିକଟ ହାଇସ୍କୁଲ ଓ ପଞ୍ଚାୟତ କାର୍ଯ୍ୟାଳୟ ମଝିରେ ଲଳିତଙ୍କ ବୁଲେଟ୍ କୁ ପଛପଟେ ଜୋରରେ ଧକ୍କା ଦେଇଥିଲା। ଯାହା ଫଳରେ ଲଳିତ ନିକଟରେ ଥିବା ଏକ ବଡ଼ ଗଛରେ ଧକ୍କା ହୋଇ ରାସ୍ତା କଡ଼ରେ ଛିଟିକି ପଡ଼ିଯାଇଥିଲେ।

ରାମକୃଷ୍ଣ ଲଳିତଙ୍କୁ ଗୁରୁତର ଅବସ୍ଥାରେ ଉଠାଇ ନିଜ କାର୍ ରେ ଡାକ୍ତରଖାନାକୁ ନେଇ ଥିଲେ। ଡାକ୍ତର ସେଠାରେ ଲଳିତଙ୍କୁ ମୃତ ଘୋଷଣା କରିଥିଲେ।

ଏହି ଭଳି ପରିସ୍ଥିତିରେ ରାମକୃଷ୍ଣ ସେଠାରେ ମୃତ ଦେହ କୁ ଛାଡି ସିଧା ବ୍ରହ୍ମପୁର ଆସି ରେଳ ଷ୍ଟେସନ ରେ କାର୍ କୁ ରଖି ତୀର୍ଥ କରିବା ପାଇଁ ହରିଦ୍ଵାର ଚାଲିଯାଇଥିଲେ। ମୃତ ଲଳିତଙ୍କ ଭାଇ ରଜତ କୁମାର ମହାପାତ୍ରଙ୍କ ଏତଲା ଅନୁଯାୟୀ କେ ନୁଆ ଗାଁ ପୋଲିସ କେଶ୍ ନଂ ୨୩୧/୨୩ ପ୍ରକାରେ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ ଚଳାଇ ଗତ ଜୁନ ୨୬ ରେ ରାମକୃଷ୍ଣଙ୍କ କାର୍ କୁ ବ୍ରହ୍ମପୁର ରେଳଷ୍ଟେସନରୁ ଜବତ୍ କରିବା ପରେ ରାମକୃଷ୍ଣଙ୍କ ମୋବାଇଲ୍ ଫୋନ୍ କୁ ଟ୍ରାକିଂ କରିବା ପରେ ସେ ଉତ୍ତରାଖଣ୍ଡ ଥିବା ଜାଣିବାକୁ ପାଇଥିଲା।

ପରେ ପିଛା କରି ସେ ହରିଦ୍ଵାର ପୁରୀ କଳିଙ୍ଗ ଉତ୍କଳ ଏକ୍ସପ୍ରେସ ଟ୍ରେନରେ ଆସୁଥିବା ଜାଣି ତାଙ୍କୁ ବ୍ରଜରାଜନଗର ରେଳ ଷ୍ଟେସନରୁ ଉଠାଇ ଆଣି ପ୍ରଥମେ ସେଠିକାର ଅଦାଲତରେ ହାଜର କରାଇ ଦିଗପହଣ୍ଡି ଅଦାଲତରେ ହାଜର କରାଯାଇଥିଲା ଓ ଜେରା କରାଯିବା ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା।

ଏତଦବ୍ୟତୀତ ଘଟଣାର ଅଧିକ ତଦନ୍ତ ଚାଲିଛି ବୋଲି ବ୍ରହ୍ମପୁର ଏସ୍ ପି ଡ଼ଃ ସର୍ବଣା ବିବେକ ଏମ୍ ପ୍ରେସ୍ ବିବ୍ରୁତ୍ତିରେ ଜଣାଇଛନ୍ତି।