ପୁର୍ବତନ ସରପଞ୍ଚ ହତ୍ୟାକାଣ୍ଡ ମାମଲା: ଅଭିଯୁକ୍ତ ରାମକୃଷ୍ଣ ମିଶ୍ର ଗିରଫ

Published: Jul 2, 2023, 11:47 am IST

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: କେ ନୁଆ ଗାଁ ଥାନା ଅନ୍ତର୍ଗତ ଖମାରିଗାଁର ପୁର୍ବତନ ସରପଞ୍ଚ ତଥା ବରିଷ୍ଠ ସମାଜସେବୀ ଲଳିତ ମହାପାତ୍ର ହତ୍ୟାକାଣ୍ଡର ମୁଖ୍ୟ ଆସାମୀ ରାମକୃଷ୍ଣ ମିଶ୍ରଙ୍କୁ ଗିରଫ କରାଯାଇଛି। ତାଙ୍କୁ ବ୍ରଜରାଜନଗର ରେଳ ଷ୍ଟେସନରୁ ପୋଲିସ ଗିରଫ କରିଛି। ଏହାପରେ ଅଭିଯୁକ୍ତ ରାମକୃଷ୍ଣଙ୍କୁ ଦିଗପହଣ୍ଡି ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ କୋର୍ଟରେ ହାଜର କରାଇ ବ୍ରହ୍ମପୁର ବିଚାର ବିଭାଗୀୟ ହାଜତକୁ ପୋଲିସ ପଠାଇଛି।

ପ୍ରକାଶ ଥାଉକି ରାଜନୈତିକ ବିବାଦକୁ ନେଇ ଗତ ଜୁନ ୨୦ ତାରିଖରେ ନିକଟସ୍ଥ ଶଙ୍କରାଖାଲି ଗ୍ରାମରେ ଲଳିତ ମହାପାତ୍ର ଓ ରାମକୃଷ୍ଣ ମିଶ୍ରଙ୍କ ମଧ୍ୟରେ କଥା କଟାକଟି ଓ ମାଡଗୋଳ ହୋଇଥିଲା। କିନ୍ତୁ ଉପସ୍ଥିତ ଲୋକଙ୍କ ମଧ୍ୟସ୍ଥତାରେ ଗଣ୍ଡଗୋଳ ଶାନ୍ତ ହୋଇଥିଲା ଓ ଲଳିତ ନିଜ ବୁଲେଟ୍ ମୋଟରସାଇକେଲରେ ନିଜ ଘର ଖମାରିଗାଁକୁ ବାହାରି ଥିଲେ।

ତତକ୍ଷଣାତ୍ ରାମକୃଷ୍ଣ ନିଜ କାର୍ ଲଳିତଙ୍କ ପଛରେ ଯାଇଥିଲା ଏବଂ ଗାଁ ନିକଟ ହାଇସ୍କୁଲ ଓ ପଞ୍ଚାୟତ କାର୍ଯ୍ୟାଳୟ ମଝିରେ ଲଳିତଙ୍କ ବୁଲେଟ୍ କୁ ପଛପଟେ ଜୋରରେ ଧକ୍କା ଦେଇଥିଲା। ଯାହା ଫଳରେ ଲଳିତ ନିକଟରେ ଥିବା ଏକ ବଡ଼ ଗଛରେ ଧକ୍କା ହୋଇ ରାସ୍ତା କଡ଼ରେ ଛିଟିକି ପଡ଼ିଯାଇଥିଲେ।

ରାମକୃଷ୍ଣ ଲଳିତଙ୍କୁ ଗୁରୁତର ଅବସ୍ଥାରେ ଉଠାଇ ନିଜ କାର୍ ରେ ଡାକ୍ତରଖାନାକୁ ନେଇ ଥିଲେ। ଡାକ୍ତର ସେଠାରେ ଲଳିତଙ୍କୁ ମୃତ ଘୋଷଣା କରିଥିଲେ।

ଏହି ଭଳି ପରିସ୍ଥିତିରେ ରାମକୃଷ୍ଣ ସେଠାରେ ମୃତ ଦେହ କୁ ଛାଡି ସିଧା ବ୍ରହ୍ମପୁର ଆସି ରେଳ ଷ୍ଟେସନ ରେ କାର୍ କୁ ରଖି ତୀର୍ଥ କରିବା ପାଇଁ ହରିଦ୍ଵାର ଚାଲିଯାଇଥିଲେ। ମୃତ ଲଳିତଙ୍କ ଭାଇ ରଜତ କୁମାର ମହାପାତ୍ରଙ୍କ ଏତଲା ଅନୁଯାୟୀ କେ ନୁଆ ଗାଁ ପୋଲିସ କେଶ୍ ନଂ ୨୩୧/୨୩ ପ୍ରକାରେ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ ଚଳାଇ ଗତ ଜୁନ ୨୬ ରେ ରାମକୃଷ୍ଣଙ୍କ କାର୍ କୁ ବ୍ରହ୍ମପୁର ରେଳଷ୍ଟେସନରୁ ଜବତ୍ କରିବା ପରେ ରାମକୃଷ୍ଣଙ୍କ ମୋବାଇଲ୍ ଫୋନ୍ କୁ ଟ୍ରାକିଂ କରିବା ପରେ ସେ ଉତ୍ତରାଖଣ୍ଡ ଥିବା ଜାଣିବାକୁ ପାଇଥିଲା।

ପରେ ପିଛା କରି ସେ ହରିଦ୍ଵାର ପୁରୀ କଳିଙ୍ଗ ଉତ୍କଳ ଏକ୍ସପ୍ରେସ ଟ୍ରେନରେ ଆସୁଥିବା ଜାଣି ତାଙ୍କୁ ବ୍ରଜରାଜନଗର ରେଳ ଷ୍ଟେସନରୁ ଉଠାଇ ଆଣି ପ୍ରଥମେ ସେଠିକାର ଅଦାଲତରେ ହାଜର କରାଇ ଦିଗପହଣ୍ଡି ଅଦାଲତରେ ହାଜର କରାଯାଇଥିଲା ଓ ଜେରା କରାଯିବା ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା।

ଏତଦବ୍ୟତୀତ ଘଟଣାର ଅଧିକ ତଦନ୍ତ ଚାଲିଛି ବୋଲି ବ୍ରହ୍ମପୁର ଏସ୍ ପି ଡ଼ଃ ସର୍ବଣା ବିବେକ ଏମ୍ ପ୍ରେସ୍ ବିବ୍ରୁତ୍ତିରେ ଜଣାଇଛନ୍ତି।

Related posts