Categories
ଆଜିର ଖବର ରାଜ୍ୟ ଖବର ସିନେମା

ପୂର୍ବତନ ସରପଞ୍ଚ ଆରତୀ ଦେବୀଙ୍କ ଉପରେ ଅନୁପ୍ରାଣିତ ବହୁଭାଷୀ ଚଳଚ୍ଚିତ୍ର “ସାର ମାଡାମ ସରପଞ୍ଚ”

ଭୁବନେଶ୍ଵର: ପୁଣି ଚର୍ଚ୍ଚାରେ ଗଂଜାମ ଜିଲ୍ଲାର ଆରତୀ ଦେବୀ। ଜଣେ ଉଚ୍ଚ ଶିକ୍ଷିତା ଓ ସ୍ୱଚ୍ଛଳ ବ୍ୟାଙ୍କ ଚାକିରି ଛାଡି ରାଜନୀତିରେ ପ୍ରବେଶ କରି ୨୦୧୨ ମସିହାରେ ଦେଶର ସର୍ବକନିଷ୍ଠ ମହିଳା ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ।

ମହିଳା ସରପଞ୍ଚ ଆରତୀ ଦେବୀଙ୍କର “ଟିପ ଚିହ୍ନ ନୁହେଁ ଦସ୍ତଖତ ଦିଅ” ସ୍ଲୋଗାନ ଥିଲା। ନାରୀ ଶିକ୍ଷା ଓ ମହିଳା ଗ୍ରାମସଭା ଭଳି କାର୍ଯ୍ୟ ହାତକୁ ନେଇ ସବୁବେଳେ ଚର୍ଚ୍ଚାରେ ଥିଲେ। ବର୍ତ୍ତମାନ ଦୀର୍ଘ ବର୍ଷ ପରେ ଆରତୀ ଦେବୀଙ୍କ ଆଦର୍ଶ ଓ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଏକ ବହୁଭାଷୀ ଚଳଚ୍ଚିତ୍ର “ସାର ମ୍ୟାଡ଼ମ ସରପଞ୍ଚ” ମୁକ୍ତିଲାଭ କରିଛି। ପ୍ରବୀନ ମୋର୍ଚ୍ଚଲେଙ୍କ ନିର୍ଦ୍ଦେଶନା ରେ ପ୍ରସ୍ତୁତ ଏହି ଚଳଚିତ୍ରରେ ଆରତୀ ଦେବୀଙ୍କ ଚରିତ୍ରକୁ ହଲିଉଡ଼ ଷ୍ଟାର ଆରର୍ୟାନା ସଜନାନୀ ନିଖୁଣ ଭାବରେ ଚିତ୍ରଣ କରିଛନ୍ତି ଓ ସୀମା ବିଶ୍ୱାସଙ୍କ ଭଳି ଜଣେ ଉଚ୍ଚକୋଟୀର ଅଭିନେତ୍ରୀଙ୍କ ଅଭିନୟ ମଧ୍ୟ ଚଳଚ୍ଚିତ୍ର କୁ ଆହୁରି ଦର୍ଶନୀୟ କରିଛି।

ଏହି ଚଳଚ୍ଚିତ୍ର ୪ ଟି ଭାଷାରେ ନିର୍ମାଣ ହୋଇ ସର୍ବ ଭାରତୀୟ ସ୍ତରରେ ମୁକ୍ତିଲାଭ କରିଥିବା ବେଳେ ଓଡ଼ିଆ ଭାଷାରେ ଖୁବଶୀଘ୍ର ମୁକ୍ତିଲାଭ ହେବାକୁ ଯାଉଛି। ଆରତୀ ଦେବୀ ଯାହାଙ୍କ କାର୍ଯ୍ୟକାରିତାକୁ ନେଇ ଫିଲ୍ମ “ସାର ମ୍ୟାଡାମ ସରପଞ୍ଚ” ନିର୍ମାଣ ହୋଇଛି କହିଛନ୍ତି ଯେ; ନାରୀ ମାନେ ସବୁ କରିପାରିବେ କେବଳ ମନରେ ଦୃଢ ଇଚ୍ଛାଶକ୍ତି ଆବଶ୍ୟକ ଓ ଏହି ଚଳଚ୍ଚିତ୍ର ଆପଣଙ୍କ ତାର ଏକ ଦିଗଦର୍ଶନ ଦେବ।

ଓଡ଼ିଆ ଭାଷାରେ ଖୁବ ଶୀଘ୍ର ନିର୍ମାଣ ହେବାକୁ ଯାଉଥିବା “ସାର ମ୍ୟାଡାମ ସରପଞ୍ଚ” ଖବରକୁ ନେଇ ଭୁବନେଶ୍ୱର ସ୍ଥିତ ପ୍ରେସ୍ କ୍ଲବ୍ ଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ସମାଜସେବୀ ନମ୍ରତା ଚଢ଼ା, ସିନେ ପ୍ରଯୋଜକ ସଚ୍ଚିକାନ୍ତ ଜେନା, ମିଡ଼ିଆ ପ୍ଲାନର ମୁଖ୍ୟ ପ୍ରଣୟ ଜେଠୀଙ୍କ ସହିତ ପୂର୍ବତନ ସର୍ବ କନିଷ୍ଠା ସରପଞ୍ଚ ଆରତୀ ଦେବୀ ଉପସ୍ଥିତ ଥିଲେ। ଓଡ଼ିଶାରେ ପୂର୍ବରୁ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ଗୁଡିକୁ ଯେପରି ଲୋକ ପସନ୍ଦ କରିଥିଲେ ଏବଂ ଆମ ରାଜ୍ୟ ସରକାର ପ୍ରମୋଦ କର ଛାଡ଼ କରିଥିଲେ ସେହିପରି ଏହି ଚଳଚ୍ଚିତ୍ର ଟିକୁ ମଧ୍ୟ ଦୃଷ୍ଟି ଦେବେ ବୋଲି ଆଶା ପ୍ରକଟ କରିଛନ୍ତି।

Categories
ଆଞ୍ଚଳିକ

ଚିଲିକା: ପଦ୍ମ ଛାଡି ଶଙ୍ଖ ଧରିଲେ ନିମିକ୍ଷେତା ପଞ୍ଚାୟତର ପୂର୍ବତନ ସରପଞ୍ଚ, କହିଲେ ଦଳ ଛାଡିବାର କାରଣ

ସୀତାରାମ ଅଗ୍ରୱାଲ

ଚିଲିକା: ଚିଲିକା ବ୍ଲକର ଟାଣୁଆ ବିଜେପି ନେତ୍ରୀ ତଥା ତିନି ତିନି ଥର ବିଜେପି ସମର୍ଥିତ ନିମିକ୍ଷେତା ସରପଞ୍ଚ ଅଞ୍ଜଳି ସ୍ୱାଇଁ ପଦ୍ମ ଛାଡି ଶଙ୍ଖ ଧରିଛନ୍ତି। ସେ ଗତକାଲି ବିଧିବଦ୍ଧ ଭାବେ ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟଙ୍କ ପ୍ରତିନିଧିଙ୍କ ଉପସ୍ଥିତିରେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି।

ତେବେ ଏ ନେଇ ଶ୍ରୀମତୀ ସ୍ୱାଇଁଙ୍କୁ ପଚାରିବାରୁ ସେ ଦଳୀୟ ନେତୃତ୍ଵ ଉପରେ ଗୁରୁତର ଅଭିଯୋଗ ଆଣିଥିଲେ। ଶ୍ରୀମତୀ ସ୍ୱାଇଁଙ୍କ ଅଭିଯୋଗ ମୁତାବକ, ସେ ଦୀର୍ଘ ବର୍ଷ ଧରି ଭାରତୀୟ ଜନତା ପାର୍ଟିର ସକ୍ରିୟ ସଦସ୍ୟ ଥିଲେ ଏବଂ ଦଳର ସମର୍ଥନରେ ସେ ନିମିକ୍ଷେତା ଗ୍ରାମ ପଞ୍ଚାୟତର ଲଗାତର ୩ ଥର ସରପଞ୍ଚ ଭାବେ ନିର୍ବାଚିତ ହୋଇ ଜନସେବା ଜାରି ରଖିଥିଲେ। କିନ୍ତୁ ଚଳିତ ପଞ୍ଚାୟତ ନିର୍ବାଚନରେ ମଧ୍ୟ ସେ ନିମିକ୍ଷେତା ପଞ୍ଚାୟତ ନିମନ୍ତେ ବିଜେପି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ହେବାର ଆଶା ରଖି ନିର୍ବାଚନ ମୈଦାନକୁ ଓହ୍ଲାଇଥିଲେ। ଏବଂ ସେ ଦଳୀୟ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଧ୍ୟ କରୁଥିଲେ। ହେଲେ ଦଳୀୟ ନେତୃବୃନ୍ଦ ତାଙ୍କୁ ଟିକେଟ ଦେବେ ବୋଲି ପ୍ରତିଶୃତି ଦେଇ ଶେଷ ମୁହୂର୍ତ୍ତରେ ଅନ୍ୟ ଜଣେ ପ୍ରାର୍ଥୀଙ୍କୁ ଟିକେଟ ଦେଲେ ଏବଂ ଅଞ୍ଜଳି ଅଳ୍ପ ଭୋଟ ବ୍ୟବଧାନରେ ପରାଜୟ ବରଣ କଲେ।

ସେବେଠାରୁ ଅଞ୍ଜଳି ନିରବ ରହିଥିବା ବେଳେ ଅଦ୍ୟାବଧି ତାଙ୍କୁ ବିଜେପି ନେତୃବୃନ୍ଦଙ୍କ ପକ୍ଷରୁ କୌଣସି ସାନ୍ତ୍ୱନା ମିଳୁନାହିଁ କି କୌଣସି ନେତୃବୃନ୍ଦ ତାଙ୍କୁ କୌଣସି ଦଳୀୟ କାର୍ଯ୍ୟକ୍ରମରେ ଡାକୁନାହାନ୍ତି। ତେଣୁ ଜନସେବା ଜାରି ରଖିବା ପାଇଁ ଏକ ରାଜନୈତିକ ଦଳର ସହଯୋଗ ନିହାତି ଦରକାର ବୋଲି ହୃଦୟଙ୍ଗମ କରିବା ସହ ବିଜେଡି ରେ ଯୋଗଦାନ କରିଥିବାର ଶ୍ରୀମତୀ ସ୍ଵାଇଁ କହିଛନ୍ତି।

ତେବେ ଅଞ୍ଜଳିଙ୍କ ଏଭଳି ନିଷ୍ପତ୍ତି ଯୋଗୁଁ ଚିଲିକା ବିଜେପି ପାଇଁ ଏକ ବଡ କ୍ଷତି ହେବ ବୋଲି କୁହାଯାଉଛି। ଯଦି ଦଳୀୟ ନେତୃତ୍ଵ ଏହା ପ୍ରତି ଧ୍ୟାନ ନ ଦିଅନ୍ତି, ତେବେ ଆଗାମୀ ଦିନରେ ବିଜେପିର ଅନେକ ପୁରୁଖା କର୍ମୀମାନେ ଦଳ ଛାଡିବେ ବୋଲି ଅଞ୍ଜଳିଙ୍କ ସମର୍ଥକମାନେ ସତର୍କ କରାଇଦେଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର: ମରାମୋତି ଆଳରେ ପୂର୍ବତନ ସରପଞ୍ଚଙ୍କ ଠାରୁ ସୁନା ଗହଣା ଲୁଟି ନେଲେ ଛତିଶିଗଡି ମହିଳା

ସୀତାରାମ ଅଗ୍ରୱାଲ

ବାଣପୁର: ସୁଦୂର ଛତିଶଗଡରୁ କେତେଜଣ ମହିଳା ଆସି ଓଡିଶାର ଅନେକ ଅଞ୍ଚଳରୁ ଲୁଟ କରୁଥିବା ଅଭିଯୋଗ ହୋଇଛି। ଓଡିଶାର ଗ୍ରାମାଞ୍ଚଳକୁ ଯାଇ ନିରୀହ ମହିଳାମାନଙ୍କୁ ଧୋକା ଦେଇ ସୁନା ଗହଣା ଲୁଟି ନେଉଛନ୍ତି। ସୁନା ଗହଣା ମରାମୋତି କରିବା ଆଳରେ ଗ୍ରାମାଞ୍ଚଳ ମହିଳାମାନଙ୍କ ଠାରୁ ଚୋରୀ କରିବାରେ ସକ୍ଷମ ହୁଅନ୍ତି। ଏହିଭଳି ଏକ ଘଟଣା ଘଟିଛି ବାଣପୁର ଥାନା ଅନର୍ଗତ ତୁମୁରାପୁଟ ପଂଚାୟତର ବେଙ୍ଗରାଜପଲି ଗ୍ରାମରେ। ଲୁଟର ଶିକାର ହୋଇଛନ୍ତି ଉକ୍ତ ଗ୍ରାମର ପୂର୍ବତନ ସରପଞ୍ଚ ଚନ୍ଦ୍ରକଳା ପ୍ରଧାନ ଏବଂ ତାଙ୍କ ପରିବାର।

ଅଭିଯୋଗ ମୁତାବକ ତିନିଦିନ ତଳେ ୭ ଜଣ ଛତିଶିଗଡି ମହିଳା ବେଙ୍ଗରାଜପଲି ଗ୍ରାମର ଚନ୍ଦ୍ରକଳାଙ୍କ ସୁନାହାର ଗୁନ୍ଥି ଦେବାକୁ କହି ସୁନାହାର ଦେଖି ଚାଲିଯାଇଥିଲେ। ପରେ ସେହିଭଳି ଦେଖାଯାଉଥିବା ଏକ ନକଲି ହାର ଆଣି ଚଞ୍ଚକତା କରି ନକଲି ହାରଟିକୁ ବେକରେ ପିନ୍ଧାଇ ଅସଲି ହାରଟିକୁ ପାଖରେ ରଖିନେଇଥିଲେ। ହେଲେ ଚନ୍ଦ୍ରକଳାଙ୍କ ବୋହୁ ଆଇନାରେ ଦେଖି ଏହା ନକଲି ବୋଲି ଜାଣି ପାରିଥିଲେ। ଏଭଳି ଘଟଣା ଘଟିଥିବାର ଚନ୍ଦ୍ରକଳାଙ୍କ ବୋହୁ ସୂଚନା ଦେବା ପରେ ଉକ୍ତ ମହିଳା ଦଳକୁ ଗ୍ରାମବାସୀମାନେ କାବୁ କରିଥିଲେ। ଏବଂ ବାଣପୁର ପୋଲିସକୁ ଜିମା ଦେଇଥିଲେ।

ପରେ ପୋଲିସ ସେମାନଙ୍କ ଠାରୁ ଚାରି ଗୋଟି ସୁନା ପଦକ ଜବତ କରିଥିଲେ। ସେମାନଙ୍କ ବିରୋଧରେ କେସ ନମ୍ବର ୩୫୦/୨୧ ରେ ମାମଲା ରୁଜୁକରି ସାତଜଣ ମହିଳାଙ୍କୁ ଗିରଫ କରି ଆଜି କୋର୍ଟଚାଲାଣ କରାଯାଇଛି। ସେହିପରି ଭାବେ ଅନ୍ୟ କୌଣସି ସ୍ଥାନରେ ଉକ୍ତ ମହିଳା ଗ୍ୟାଙ୍ଗ ଏହିଭଳି ଠକେଇ କରିଛନ୍ତି କି ନାହିଁ ତାହାର ଅନୁସନ୍ଧାନ ଜାରି ରଖିଛି।