Categories
ଆଜିର ଖବର ରାଜ୍ୟ ଖବର

ଠିକାଦାର ସଂଘ ପକ୍ଷରୁ ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କୁ ଦାବିପତ୍ର

ଭୁବନେଶ୍ଵର: ଦେବଗଡ଼ ଜିଲ୍ଲା ଏ ଓ ବି କ୍ଲାସ ଠିକାଦାର ସଂଘ ପକ୍ଷରୁ ଦେବଗଡ଼ ଆର ଏଣ୍ଡ ବି ବିଭାଗରେ ହେଉଥିବା ଠିକାଦାର ମାନଙ୍କ ପ୍ରତି ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ ଓଡିଶା ସରକାର ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଏଗ୍ରିମେଣ୍ଟ ରେଗୁଲାରଇଜେସନ, ବିଲ ପେମେଣ୍ଟ, ଅନୈତିକ ପେନାଲଟି, ସିକ୍ୟୁରିଟି ରିଫଣ୍ଡ , ଛୋଟ-ଛୋଟ ଜବୱାର୍କ କୁ ବାହାର ଠିକାଦାର କୁ ଦେବା ଇତ୍ୟାଦି ପ୍ରସଙ୍ଗ ସବୁକୁ ନେଇ ଏହି ଦାବିପତ୍ର ମାଧ୍ୟମରେ ଏହାର ତ୍ୱରିତ ସମାଧାନ ବାଟ ଖୋଜି ବାହାର କରିବା ପାଇଁ ଓଡିଶା ସରକାର ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ହସ୍ତକ୍ଷେପ ଲୋଡ଼ା ଯାଇଛି।

ଦେବଗଡ଼ ଏକ ଆର୍ଥିକ ଭାବେ ପଛୁଆ ଜିଲ୍ଲା ହୋଇଥିବା ବେଳେ ଜିଲ୍ଲା ଭିତରେ ଅନେକ ଠିକାଦାର ବର୍ଷ ବର୍ଷ ଧରି କୌଣସି କାମ ନପାଇ ଆର୍ଥିକ ଅଭାବ ଅନାଟନ ଦେଇ ଗତି କରୁଥିବାବେଳେ ବିଭିନ୍ନ ବିଭାଗରେ ଛୋଟ ରୁ ବଡ ପ୍ରାୟ ସମସ୍ତ ନିର୍ମାଣ କାର୍ଯ୍ୟସବୁ ଜିଲ୍ଲା ବାହାର ଠିକାଦାର ମାନେ ଠିକାକାର୍ଯ୍ୟ କରୁଥିବା ବେଳେ, ଏହାର ସମାଧାନ ନିମନ୍ତେ ସଂଘ ପକ୍ଷ ରୁ ବାହାର ଜିଲ୍ଲା ଠିକାଦାରଙ୍କୁ ୬ କୋଟି ଟଙ୍କା ମୂଲ୍ୟ ପର୍ଯ୍ୟନ୍ତ କାର୍ଯ୍ୟରେ ଭାଗ ନ ନେବାକୁ ଅନୁରୋଧ କରାଯାଇଛି। ଦାବିପତ୍ରକୁ ଗ୍ରହଣ କରି ଓଡିଶା ସରକାର ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଦେବଗଡ ଠିକାଦାର ସଂଘ କୁ ସଂପୂର୍ଣ୍ଣ ସହଯୋଗ କରିବା ପ୍ରତିଶୁତି ଦେଇଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ହାଇକୋର୍ଟ ନ୍ୟାୟିକ ଅଭିଲେଖାଗାରକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

କଟକ: ଓଡ଼ିଶା ଉଚ୍ଚ ନ୍ୟାୟାଳୟର ନ୍ୟାୟିକ ଅଭିଲେଖାଗାର ନ୍ୟାୟପାଳିକାର ପ୍ରଗତିଶୀଳ ଦୃଷ୍ଟିକୋଣର ପ୍ରତିଫଳନ। ଏହା ନ୍ୟାୟ ପ୍ରଶାସନଠାରୁ ଆଗକୁ ଯାଇ ଇତିହାସ, ସଂସ୍କୃତି ଓ ଶିକ୍ଷାର ପରିସରକୁ ବ୍ୟାପକ କରିବ। ନ୍ୟାୟିକ ଦସ୍ତାବିଜ, ରେକର୍ଡ ଏବଂ କଳାକୃତିର ସଂରକ୍ଷଣ ଦିଗରେ ଏହା ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ। ଏହା ଯୁଗ ଯୁଗ ଧରି ଆଇନ ଗବେଷକ, ଛାତ୍ର ଏବଂ ଐତିହାସିକମାନଙ୍କ ପାଇଁ ଏକ ଅମୂଲ୍ୟ ସମ୍ପଦ ହୋଇରହିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି।

ଆଜି କଟକଠାରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ନ୍ୟାୟିକ ଅଭିଲେଖାଗାକୁ ଉଦ୍ଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଏହା ଆମ ନ୍ୟାୟପାଳିକାର ସମୃଦ୍ଧ ପରମ୍ପରାକୁ ଆଗାମୀ ପିଢ଼ି ନିମନ୍ତେ ସଂରକ୍ଷିତ ରଖିବାର ସାମୂହିକ ପ୍ରତିବଦ୍ଧତାକୁ ପ୍ରଦର୍ଶିତ କରେ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଆଜି ନ୍ୟାୟ ଦେବୀଙ୍କ ଚକ୍ଷୁରୁ ଅନ୍ଧପୁଟୁଳି ହଟିଯାଇଛି। ଆଜି ନ୍ୟାୟଦେବୀ ଉନ୍ମୁକ୍ତ ନୟନରେ ଗୋଟିଏ ହାତରେ ସମ୍ବିଧାନ ଏବଂ ଅନ୍ୟହାତରେ ନ୍ୟାୟର ତରାଜୁ ଧରି ଉଭୟ ପକ୍ଷଙ୍କୁ ଶୁଣି ସମ୍ବିଧାନର ବିଧି ବ୍ୟବସ୍ଥା ଅନୁଯାୟୀ ନ୍ୟାୟ ପ୍ରଦାନ କରୁଛନ୍ତି। ଭାରତୀୟ ନ୍ୟାୟ ବ୍ୟବସ୍ଥା ସାରା ବିଶ୍ଵରେ ଅନନ୍ୟ। ଏଥିପାଇଁ ସାରା ଦେଶ ଆଜି ଗର୍ବିତ।

ଆଜିର ଏହି ନ୍ୟାୟିକ ଅଭିଲେଖାଗାର ଉଦ୍ଘାଟନୀ ଆମ ଆଇନଗତ ବ୍ୟବସ୍ଥାର ଏକ ସମୃଦ୍ଧ ଐତିହ୍ୟର ଭଣ୍ଡାର ଭାବରେ କାର୍ଯ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି। ଏହା ଆଇନଗତ ଇତିହାସ, ଐତିହାସିକ ମାମଲା ଏବଂ ଅମୂଲ୍ୟ ଉଦାହରଣର ଭଣ୍ଡାର ହେବ । ଏହା ଓଡ଼ିଶା ଏବଂ ଆମ ଦେଶର ଆଇନଗତ ଦୃଶ୍ୟପଟ୍ଟକୁ ଚିରସ୍ଥାୟୀ କରିପାରିବ।
ଏହି ପରିକଳ୍ପନାକୁ ବାସ୍ତବ ରୂପ ଦେବାରେ ମୁଖ୍ୟ ବିଚାରପତି ଏବଂ ଓଡ଼ିଶା ହାଇକୋର୍ଟର ବିଚାରପତିମାନେ ଅକ୍ଳାନ୍ତ ପ୍ରୟାସ କରିଥିବାରୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ୍ ଅର୍ପଣ କରିଛନ୍ତି।

ରାଜ୍ୟ ସରକାର ନ୍ୟାୟପାଳିକାର ସଂସ୍କାର ଓ ଉନ୍ନତି ପାଇଁ ପ୍ରତିଶୃତିବଦ୍ଧ । ନ୍ୟାୟିକ ଭିତ୍ତିଭୂମିକୁ ସୁଦୃଢ଼ କରିବା, ଆଇନ ବ୍ୟବସ୍ଥାରେ ବୈଷୟିକ ଜ୍ଞାନକୌଶଳ କାର୍ଯ୍ୟକାରୀ କରିବା ଏବଂ ସମସ୍ତଙ୍କ ନିକଟରେ ନ୍ୟାୟ ପହଞ୍ଚାଇବା ଦିଗରେ ସରକାର କାର୍ଯ୍ୟ ଜାରି ରଖିବେ। ଓଡିଶାରେ ଦଣ୍ଡହାର ବୃଦ୍ଧି କରିବା ପାଇଁ ସରକାର ପଦେକ୍ଷେପ ନେଉଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।

ମହିଳା ହିଂସା ବିରୁଦ୍ଧରେ ଦଣ୍ଡ ବିଧାନ କରିବା ପାଇଁ ଚାରିଗୋଟି ଜିଲ୍ଲାରେ ମହିଳା କୋର୍ଟ ପ୍ରତିଷ୍ଠା ପାଇଁ ସରକାର ନୀତିଗତ ନିଷ୍ପତ୍ତି ନେଇଛନ୍ତି। ଆଗାମୀ ଦିନରେ ଏପରି ଅଧିକ ସ୍ଵତନ୍ତ୍ର ବିଚାରଳୟ ମାନ୍ୟବର ଉଚ୍ଚନ୍ୟାୟାଳୟଙ୍କ ଦିଶା ନିର୍ଦ୍ଦେଶରେ ପ୍ରତିଷ୍ଠା କରାଯିବା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ସେଣ୍ଟର ଫର ଜୁଡିସିଆଲ ଆର୍କାଇଭ୍ସ ସମଗ୍ର ଦେଶରେ ଜ୍ଞାନର ଆଲୋକ ଏବଂ ନ୍ୟାୟିକ ଶିକ୍ଷା ପାଇଁ ଏକ ପ୍ରେରଣା ହେବ ।

ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଶ୍ରୀ ଚକ୍ରଧାରୀ ଶରଣ ସିଂ ଓଡ଼ିଶାର ବିଭିନ୍ନ କୋର୍ଟରେ ଥିବା ନଥିପତ୍ରଗୁଡିକୁ ସଂରକ୍ଷଣ କରି ରଖିବା ଉପରେ ଗୁରୁତ୍ବ ଦେଇଥିଲେ। ସେ କହିଥିଲେ ନ୍ୟାୟିକ ଅଭିଲେଖାଗାର ଉଦ୍ଘାଟିତ ହେବା ସମଗ୍ର ରାଜ୍ୟ ପାଇଁ ଏକ ଗୌରବର ବିଷୟ ଏବଂ ଏହା ରାଜ୍ୟର ନ୍ୟାୟିକ ରାଜଧାନୀ କଟକ ପାଇଁ ଏକ ଅନନ୍ୟ ଉପହାର। ଏହା ଆଇନଗତ ପ୍ରଶାସନ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ।

ରାଜ୍ୟ ଆଇନ ମନ୍ତ୍ରୀ ଶ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏହି ଅବସରରେ ଉଦବୋଧନ ଦେଇ ରାଜ୍ୟ ସରକାର ତ୍ଵରିତ ନ୍ୟାୟ ଓ ସମସ୍ତଙ୍କ ନିକଟରେ ନ୍ୟାୟ ବ୍ୟବସ୍ଥା ପହଞ୍ଚାଇବା ଦିଗରେ କାର୍ଯ୍ୟ କରୁଥିବା କହିଥିଲେ। ନ୍ୟାୟ ବ୍ୟବସ୍ଥାରେ ବୈଷୟିକ ସଂସ୍କାର ଆଣିବା ସହ ଏହାକୁ ଅଧୁନାତନ କରି ସରକାର ନ୍ୟାୟ ବ୍ୟବସ୍ଥାକୁ ଦକ୍ଷ, ସ୍ବଚ୍ଛ ଏବଂ ସମସ୍ତଙ୍କ ନିକଟରେ ଉପଲବ୍ଧ କରାଇବା ଦିଗରେ କାର୍ଯ୍ୟ କରୁଛନ୍ତି। ନ୍ୟାୟିକ ଅଭିଲେଖାଗାର ଏ ଦିଗରେ ଆଉ ଏକ ପଦକ୍ଷେପ।

ଆଜିର ଏହି କାର୍ଯ୍ୟକ୍ରମରେ ହାଇକୋର୍ଟର ବିଚାରପତିଗଣ, ଆଡଭୋକେଟ ଜେନେରାଲ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବିମ୍ବାଧର ମୁଦୁଲି ସ୍ବାଧୀନତା ସଂଗ୍ରାମୀ ସମିତି ସଭାପତି ନିର୍ବାଚିତ, ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ

ଭୁବନେଶ୍ବର: ଓଡ଼ିଶା ରାଜ୍ୟ ସ୍ବାଧୀନତା ସଂଗ୍ରାମୀର ସଭାପତି ଭାବରେ କେନ୍ଦ୍ରାପଡା ଜିଲ୍ଲାର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବିମ୍ବାଧର ମୁଦୁଲି ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଛନ୍ତି। ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କ ଦେହାନ୍ତ ପରେ ରାଜ୍ୟ ସଭାପତି ପଦ ଖାଲି ରହିଥ୍ଖଲା।

ଅଖିଳ ଭାରତୀୟ ସ୍ବାଧୀନତା ସଂଗ୍ରାମୀ ସମିତି ପକ୍ଷରୁ ରାଷ୍ଟ୍ରୀୟ ଯୁବ ସାମ୍ମୁଖ୍ୟ ଅଧ୍ୟକ୍ଷ ସାଂସଦ ଭର୍ତ୍ତୃହରି ମହତାବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଶ୍ରୀ ମୁଦୁଲିଙ୍କୁ ସଭାପତି ଭାବରେ ନିର୍ବାଚିତ କରାଯାଇଛି। ଶ୍ରୀ ମୁଦୁଲି ବର୍ତ୍ତମାନ କେନ୍ଦ୍ରାପଡା ଜିଲ୍ଲା ସ୍ବାଧୀନତା ସଂଗ୍ରାମୀ ସମିତିର ସଭାପତି ଭାବରେ କାର‌୍ୟ୍ୟ କରୁଛନ୍ତି। ତାଙ୍କୁ ୯୯ ବର୍ଷ ବୟସ।

ରାଜ୍ୟ ସ୍ବାଧୀନତା ସଂଗ୍ରାମୀ ସମିତିର ସଭାପତି ଭାବରେ ପୂର୍ବରୁ ବିଶ୍ବମ୍ବର ପରିଡା, ପ୍ରହ୍ଲାଦ ରାୟଲାଠ, ଶ୍ରୀଧର ଦାସ, ପୁରୁଷୋତ୍ତମ ନାୟକ, ଭବାନୀ ଚରଣ ପଟ୍ଟନାୟକ ଓ ନୀଳମଣି ସାମଲ କାର୍ଯ୍ୟ କରିଛନ୍ତି। ବିଦାୟୀ ସଭାପତି ନୀଳମଣି ସାମଲଙ୍କର ଗତ ଜାନୁଆରୀ ମାସ ୨୭ ତାରିଖରେ ପରଲୋକ ଘଟିଥିଲା। ସେବେଠାରୁ ସଭାପତି ପଦବୀ ଖାଲି ପଡିଥ୍ଖଲା୤ ସ୍ବର୍ଗତ ସାମଲ ଯାଜପୁର ଜିଲ୍ଲା ବଡଚଣା ନିର୍ବାଚନ ମଣ୍ଡଳୀର ଥିଲେ।

ଆସନ୍ତା ଜାନୁଆରୀ ୨ ତାରିଖରେ ସର୍ବଭାରତୀୟ ସ୍ବାଧୀନତା ସଂଗ୍ରାମୀ ଦିବସ ମହୋତ୍ସବ ଭୁବନେଶ୍ବରରେ ହେବାକୁ ଯାଉଛି। ଏହାର ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ଭାବରେ ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କୁ ସର୍ବସମ୍ମତି କ୍ରମେ ଏହି ବୈଠକରେ ମନୋନୀତ କରାଯାଇଛି।

ଆସନ୍ତା ୨ ତାରିଖରେ ଦିବସ ବ୍ୟାପୀ ଏହି ମହୋତ୍ସବ ଭୁବନେଶ୍ବର ୟୁନିଟ-୯ ସ୍ଥିତ ଶହୀଦ ସ୍ମାରକୀ ସ୍ବାଧୀନତା ସଂଗ୍ରାମୀ ସଦନଠାରେ ଅନୁଷ୍ଠିତ ହେବ। ବିଭିନ୍ନ ରାଜ୍ୟରୁ ସ୍ବାଧୀନତା ସଂଗ୍ରାମୀ ଏବଂ ଉତ୍ତରଦାୟଦମାନେ ଏଥିରେ ଯୋଗ ଦେବେ।

Categories
ଆଜିର ଖବର ରାଜ୍ୟ ଖବର

ଉତ୍କଳ କେଶରୀ ଡକ୍ଚର ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ଉତ୍ସବରେ ଯୋଗ ଦେଲେ ଆଇନ ମନ୍ତ୍ରୀ

ଭୁବନେଶ୍ଵର: କଟକରେ ଉତ୍କଳ କେଶରୀ ଡକ୍ଚର ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ପାଳିତ ହୋଇଛି। ଜିଲ୍ଲା ପ୍ରଶାସନ, ମହାନଗର ନିଗମ ଓ କଟକ ଉନ୍ନୟନ କର୍ତ୍ତୃପକ୍ଷଙ୍କ ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି ଜୟନ୍ତୀ ସମାରୋହରେ ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଯୋଗଦେଇ ମହତାବଙ୍କ ବହୁମୁଖୀ ପ୍ରତିଭାର ଆଲୋଚନା କରିଥିଲେ। ସେ କହିଥିଲେ, ଓଡିଶାର ବିକାଶ, ଅସ୍ମିତା ଓ ଓଡିଆ ଜାତିର ଟେକ ପାଇଁ ସେ ସାରା ଜୀବନ ଲଢେଇ ଜାରି ରଖିଥିଲେ।

ଓଡିଶାର ବିକାଶ କ୍ଷେତ୍ରକୁ ତାଙ୍କ ଅବଦାନ ଅତୁଳନୀୟ। ସମାରୋହରେ କଟକ ମେୟର ସୁବାସ ସିଂ, ବିଧାୟକ ସୌଭିକ ବିଶ୍ବାଳ, ପ୍ରକାଶ ସେଠୀ, ସୋଫିଆ ଫିର୍ଦୋସ, ବରିଷ୍ଠ ନେତା ପ୍ରଭାତ ତ୍ରିପାଠୀ ଓ ନୟନ କିଶୋର ମହାନ୍ତି, କଟକ ଜିଲ୍ଲାପାଳ ଦତାତ୍ରେୟ ଭାଓ ସାହେବ ସିନ୍ଦେ, ସିଏମସି କମିଶନର ଅନାମ ଚନ୍ଦ୍ର ପାତ୍ର ପ୍ରମୁଖ ମହତାବଙ୍କ ସ୍ମୃତିଚାରଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

୧୦ମ ଚିଲିକା ସେଲଡକ ଫୋଳ୍କ କାର୍ନିଭାଲ ଉଦଘାଟିତ

ଚିଲିକା: ଆଜି ଚିଲିକା ବ୍ଲକ ଅନ୍ତର୍ଗତ ବଡ଼କୁଳ ସ୍ଥିତ ଓଡ଼ିଆର୍ଟ ପରିସରରେ ୧୦ମ ଚିଲିକା ସେଲଡକ ଫୋଳ୍କ କାର୍ନିଭାଲ ଉଦଘାଟିତ ହୋଇଯାଇଛି। ଚଳିତ ୯ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୫ ଦିନ ବ୍ୟାପି ମହୋତ୍ସବ ପାଳିତ ହେବାକୁ ଥିବା ବେଳେ ଆଜି ପାରମ୍ପରିକ ଭାବେ ଓଡ଼ିଶା ଆଇନ, ଅବକାରୀ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଉଦଘାଟନ କରିଥିଲେ।

ଉକ୍ତ ମହୋତ୍ସବରେ ବାଣିଜ୍ୟ, ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ବିଶିଷ୍ଟ ଗବେଷକ, ଶିକ୍ଷାବିତ ପ୍ରଫେସର କିଶୋର ଦାସଙ୍କ ଦିଗଦର୍ଶନରେ ପରିଚାଳିତ ‘ଦି ସୋସାଇଟି ଫର ଡେଭେଲପମେଣ୍ଟ ଅଫ ରୁରାଲ ଲିଟେରଚର’ ପ୍ରଚେଷ୍ଟାରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ସଂଗୃହିତ ଉଚ୍ଚମାନର କଳାକୃତି ନେଇ ୧୬ ଗ୍ୟାଲେରୀ ବିଶିଷ୍ଟ ସଂଗ୍ରହାଳୟ ଓଡ଼ିଆର୍ଟ ସେଣ୍ଟରରେ ୨୦୧୭ ମସିହାରେ ସ୍ଥାପିତ ହୋଇଥିଲା।

ଏହିଅବସରରେ ପ୍ରାଚୀନ କଳା,ସଂସ୍କୃତିର ବିକାଶ ଓ ସଂରକ୍ଷଣ ନିମିତ୍ତ ମନ୍ତ୍ରୀଙ୍କ କରକମଳରେ ଅତିରିକ୍ତ ୬ଟି ନୂତନ ଗ୍ୟାଲେରୀ ଉଦଘାଟିତ ହୋଇଛି। ପୂର୍ବାହ୍ନରେ ଓଡ଼ି ଆର୍ଟ ପରିସରରେ ଛାତ୍ରଛାତ୍ରୀଙ୍କ ନିମିତ୍ତ ଭାରତୀୟ ଓ ଭିଏତନାମ କଳାକୃତି ସମ୍ବନ୍ଧୀୟ କର୍ମଶାଳା ଅନୁଷ୍ଠିତ ହୋଇଥିଲା।

ଦର୍ଶକଙ୍କ ମନ ମୋହିବା ପାଇଁ ଦୀର୍ଘ ପାଞ୍ଚ ଦିନ ବ୍ୟାପି ମହୋତ୍ସବରେ ଦେଶ ବିଦେଶରୁ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବାବେଳେ ପ୍ରଥମ ସାନ୍ଧ୍ୟ ଅଧିବେଶନରେ ଭିଏତନାମା ଡ୍ରମ ବାଦ୍ୟ ନୃତ୍ୟ,ପଶ୍ଚିମବଙ୍ଗ ଶ୍ରୀ ଖୋଲ ନୃତ୍ୟ ପରିବେଷଣ ସାଙ୍ଗକୁ ସ୍ଥାନୀୟ କଳାକାରଙ୍କ କଳାକୃତି ନୃତ୍ୟ ଦର୍ଶକଙ୍କୁ ବିମୋହିତ କରିଥିଲା। ଆଶାତୀତ ଦର୍ଶକଙ୍କୁ ନଜରରେ ରଖି ଓଡ଼ିଆର୍ଟ ଏବଂ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।

ଉକ୍ତ ମହୋତ୍ସବରେ ଓଡ଼ି ଆର୍ଟ ଅଧ୍ୟକ୍ଷ ପି ସି ମହାନ୍ତି, କମିଟି ଅଧ୍ୟକ୍ଷ ସ୍ବଦେଶ ପଟ୍ଟନାୟକ, ପ୍ରତିଷ୍ଠାତା ପ୍ରସନ୍ନ କୁମାର ଦାଶ, ଉପ ସଭାପତି ନିରଞ୍ଜନ ଦାସ ଓ ସୁଧୀର କୁମାର ରାଉତ, ସମ୍ପାଦକ ମାନସ ରଞ୍ଜନ ପଟ୍ଟନାୟକ, ସାଂସ୍କୃତିକ ବିଶେଷଜ୍ଞ ଜିତୁ ମିଶ୍ର, କାର୍ଯ୍ୟ ନିର୍ବାହୀ ଅଧିକାରୀ ରଶ୍ମିରଞ୍ଜନ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ବାଲୁଗାଁ ସରକାରୀ ଉଚ୍ଚ ବିଦ୍ୟାଳୟର ୭୬ ତମ ପ୍ରତିଷ୍ଠା ଦିବସ: ଯୋଗଦେଲେ ଆଇନ ମନ୍ତ୍ରୀ, ପୁରୀ ସାଂସଦ

ବାଲୁଗାଁ: ଆଜି ବାଲୁଗାଁ ସରକାରୀ ଉଚ୍ଚ ବିଦ୍ୟାଳୟର ୭୬ ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ପ୍ରଧାନ ଶିକ୍ଷୟତ୍ରୀ ସ୍ୱାଧିନା ମଞ୍ଜରୀ ବେହେରାଙ୍କ ସଭାପତିତ୍ୱରେ ବିଦ୍ୟାଳୟ ପରିସରରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡିଶା ଆଇନ,ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ସାଂସଦ ଡାଃ ସମ୍ବିତ ପାତ୍ର, ଏନଏସି ଅଧ୍ୟକ୍ଷା ସୁକାନ୍ତି ପାଇକରାୟ, ଚିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋଷ୍ଣା ବେହେରା, ପଞ୍ଚସଖା ଶିକ୍ଷା ସେତୁ ସଭାପତି ବିଜୟ କୁମାର ନାୟକ ଓ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବିଘ୍ନେଶ୍ବର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ।

ଆଦର୍ଶ ଶିକ୍ଷକଙ୍କ ଗୁଣାତ୍ମକ ଶିକ୍ଷା ଶୈକ୍ଷିକ ପରିବେଶକୁ ବିକଶିତ କରିଥାଏ।ଖୋର୍ଦ୍ଧା ଜିଲ୍ଲାରେ ଏହି ବିଦ୍ୟାଳୟ ସର୍ବାଗେ ରହିଥିବା ବେଳେ ଏହି ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ ବହୁ ଉଚ୍ଚ ପଦାଧିକାରୀ ଦେଶ ବିଦେଶରେ ଅନେକ ଖ୍ୟାତି ଅର୍ଜନ କରିପାରିଛନ୍ତି।ଯାହାକି ଉତ୍ତମ ଶିକ୍ଷା,ପରିଶ୍ରମ ହିଁ ପ୍ରତିଟି କ୍ଷେତ୍ରରେ ଆଗକୁ ବଢ଼ିବାରେ ସହାୟକ ହୋଇପାରିବ ବୋଲି ଅତିଥିମାନେ ଛାତ୍ରଛାତ୍ରୀଙ୍କୁ ଦିଗଦର୍ଶନ ଦେଇଥିଲେ।ଅପରାହ୍ନରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟମାନେ ପୂର୍ଣ୍ଣ ସହଯୋଗ କରିଥିବା ବେଳେ ବିଦ୍ୟାଳୟର ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ନିଆଁଖୁଣ୍ଟା ଗୋଦାବରୀଶ ମହାପାତ୍ର ଥିଲେ ତତକାଳୀନ ସମାଜର ଜାଗ୍ରତ ପ୍ରହରୀ: ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

ବାଣପୁର (ସୀତାରାମ ଅଗ୍ରୱାଲ): ସାହିତ୍ୟ ହିଁ ସମାଜର ଦର୍ପଣ। ପରାଧୀନ ଉତ୍କଳର ଶୋଷଣକଷଣ, ଅତ୍ୟାଚାର ଉତ୍ପିଡ଼ନ, କୁସଂସ୍କାର, ଭାଣ୍ଡାମୀ ବିରୁଦ୍ଧରେ କଲମଚ଼ାଳନା କରି ନିଜର ସାହିତ୍ୟ ରଚନା ବଳରେ ଯେଉଁ କେତେକ ସାରସ୍ଵତ ପ୍ରତିଭା ସମାଜକୁ ସୁଧାରୀ ଥିଲେ ତନମଧ୍ୟରୁ ଗୋଦାବରୀଶ ମହାପାତ୍ର ସର୍ବାଗ୍ରେ ପୂଜିତ। ତାଙ୍କ ଗଳ୍ପ କବିତା ଉପନ୍ୟାସ ନାଟକ ଏବଂ ବ୍ୟଙ୍ଗ ପତ୍ରିକା “ନିଆଁଖୁଣ୍ଟା” ରେ ତାହା ହିଁ ପ୍ରତିଫଳିତ ହୋଇଛି।

ଖଲିକୋଟ ରାଜାଙ୍କ ମଟର ଯାନ ଆଗରେ ମାଗୁଣୀର ଶଗଡ ଗାଡ଼ି ନିଷ୍ପ୍ରଭ ହୋଇଯାଇଛି। ସମାଜର ଲୋଲୁପ ଦୃଷ୍ଟି, ଟିକାଟିପଣୀ, ଛି ଛାକରରୁ ରକ୍ଷା ପାଇବାପାଇଁ ବାଲ୍ୟ ବିଧବା ନୀଳମାଷ୍ଟ୍ରାଣୀ ଭଲପାଇ ଅନ୍ୟତ୍ର ବିବାହ କରିଛି। ନାରସେନା ନାଇଡୁ ପେଟ ବିକଳରେ ଛତରରେ ଖାଇ ଜାତି ହରାଇ ଅଜାତିଆ ହୋଇ ସମାଜରୁ ତଡ଼ା ଖାଇବା ପରି ଅନେକ କୁସଂସ୍କାର ଓ ସମସ୍ୟା ବହୁଳ ଗଳ୍ପ ଏବେ ମଧ୍ୟ ସମାଜର ଦିଗ ବାରେଣୀ ହୋଇଏଜାତିକୁ ଦିଗ୍ ଦର୍ଶନ ଦେବା ସହିତ “ଉଠକଙ୍କାଳ,’ପରିକାଳଜୟୀ ଦେଶାତ୍ମୋବୋଧକ କବିତା ଚିର କାଳ ଓଡ଼ିଆ ଜାତିକୁ ଯାଗ୍ରତ କରୁଥିବ ବୋଲି ଅତିଥିମାନେ ନିଜ ନିଜର ବ୍ୟକ୍ତବ୍ୟ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଓଡ଼ିଶା ସାହିତ୍ୟ ଏକାଡ଼େମୀ, ଚିଲିକା ସାହିତ୍ୟ ସମାଜ ଓ ବାଣପୁର ପଞ୍ଚାୟତ ସମିତିଙ୍କ ମିଳିତ ଆନୁକୂଲ୍ୟରେ ସାହିତ୍ୟସମାଜର ସଭାପତି ଶିକ୍ଷାବିତ୍ ବାଳମୁକୁନ୍ଦ ଦାସଙ୍କ ସଭାପତିତ୍ଵରେ ଏବଂ ଶିକ୍ଷାବିତ୍ ଆନନ୍ଦ ଚନ୍ଦ୍ର ସେନାପତିଙ୍କ ବେଦପାଠରେ ଆୟୋଜିତ ଏହି ସମାରୋହରେ ଆଇନ୍‌ ପୂର୍ତ୍ତ ଅବକାରୀ ବିଭାଗ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ମୁଖ୍ୟ ଅତିଥି, ଡ଼ାକ୍ଟର ଉପେନ୍ଦ୍ର ପ୍ରସାଦ ନାୟକ ବିଶିଷ୍ଟ ଅତିଥି, ପ୍ରଫେସର ଆଦିକନ୍ଦ ସାହୁ ମୁଖ୍ୟବକ୍ତା, ସାହିତ୍ୟିକ ଶଶି ଭୂଷଣ ରଥ ସମ୍ମାନୀୟ ବକ୍ତା, ବାଣପୁର ମଣ୍ଡଳ ଅଧିକାରିଣୀ ଶୀତଲ ଅଗ୍ରୱାଲ୍ ଓ ପଞ୍ଚାୟତ ସମିତି ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂ ସମ୍ମାନନୀୟ ଅତିଥି ଭାବରେ ଯୋଗ ଦେଇ କବି ମହାପାତ୍ରଙ୍କ ବହୁ ମୁଖୀ ପ୍ରତିଭାର କଥା ବର୍ଣ୍ଣନା କରି ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଶାଳିଆ ସାଂସ୍କୃତିକ ପରିଷଦର ଚ଼ିରଞ୍ଚି ପରୀଡ଼ା ଓ ସାଥିଙ୍କ ତରଫରୁ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା ବେଳେ ଜାତୀୟ ଖ୍ୟାତି ସଂପର୍ଣ୍ଣ କଣ୍ଠଶିଳ୍ପୀ ବର୍ଣ୍ଣାଳୀ ହୋତା କବିଙ୍କ ରଚନାରୁ ‘ଉଠ କଙ୍କାଳ, ଉଦବୋଧନୀ ସଂଗୀତ ଗାନ କରି ସମାରୋହକୁ ଚମକ୍ତୃତ କରିଦେଇଥିଲେ।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଅତିଥି ବର୍ଗ ଓ ବର୍ଣ୍ଣଳୀଙ୍କୁ ଉପ଼ଢ଼ୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ସାହିତ୍ୟ ଏକାଡ଼େମୀର ସହ ସଚୀବ ସଂଜୟ ଛୁଆଳସିଂ ସ୍ଵାଗତ ଭାଷଣ ଦେଇଥିବାବେଳେ, ଅଧ୍ୟାପକ ସଂଗ୍ରାମ କେଶରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୁଭଦ୍ରା ସଚେତନତା ରଥର ଶୁଭାରମ୍ଭ କଲେ ଆଇନ ମନ୍ତ୍ରୀ: ୬ ଟି ବ୍ଲକ୍ ରେ ପରିକ୍ରମା କରିବ ୩ ରଥ

ଖୋର୍ଦ୍ଧା: ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରୁ ସକାଳ ୧୧ ଘଟିକା ସମୟରେ ୩ ଗୋଟି ସୁଭଦ୍ରା ସଚେତନତା ରଥର ଶୁଭାରମ୍ଭ କରିଛନ୍ତି। ଖୋର୍ଦ୍ଧା ଜିଲ୍ଲାରେ ୬ ଟି ବ୍ଲକ୍ ରେ ଏହି ୩ଟି ରଥ ପରିକ୍ରମା କରିବ। ପରିକ୍ରମା ସମୟରେ ସୁଭଦ୍ରା ସଚେତନତା ସଂଗୀତ ଗାନ ପ୍ରଚାର କରିବ। ପ୍ରତି ୨ ଗୋଟି ବ୍ଲକ୍ କୁ ୧ଟି ରଥ ଉଦ୍ଦିଷ୍ଟ ରହିଛି।

ଏହି କାର୍ଯ୍ୟକ୍ରମରେ ଜୟଦେବ ବିଧାୟକ, ନବକିଶୋର ‌ ମଲିକ, ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ, ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୁପଶ୍ରୀରାଣୀ ଗୁମାନସିଂହ, ପୌର ପରିଷଦ ଅଧ୍ୟକ୍ଷା କନକ ଲକ୍ଷ୍ମୀ ମହାନ୍ତି, ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣା, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ଵ) ସାଫଲ୍ୟ ମଣ୍ଡିତ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ପ୍ରତାପ ଚନ୍ଦ୍ର ବେଉରା, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲା ପରିଷଦ କସ୍ତୁରୀ ଵାଳା ଜେନା, ଉପ-ଜିଲ୍ଲାପାଳ ଦିପ୍ତି ରଞ୍ଜନ ସେଠି, ତହସିଲଦାର, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ କୁସୁମ ପ୍ରହରାଜ, ସ୍ଵୟଂ ସହାୟକ ମହିଳା, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଜ୍ୟୋସ୍ନା ମୟୀ ଆଚାର୍ଯ୍ୟ, ଜିଲ୍ଲାର ବିଭିନ୍ନ ପଦାଧିକାରୀ, ବ୍ଲକ୍ ଫେଡେରାଲ ପ୍ରେସିଡେଣ୍ଟ, ସେକ୍ରେଟାରୀ, ଜନ ସାଧାରଣ ପ୍ରମୁଖ ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ରଥଯାତ୍ରା ସମ୍ପର୍କରେ ଗଜପତି ମହାରାଜାଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ଏବଂ ଆଇନ ମନ୍ତ୍ରୀ

ଭୁବନେଶ୍ଵର: ରଥଯାତ୍ରାର ସୂଚାରୁ ପରିଚାଳନା ନେଇ ରାଜ୍ୟ ଅତିଥିଭବନ ଠାରେ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ମଧ୍ୟରେ ଆଲୋଚନା ହୋଇଛି। ଭକ୍ତମାନେ କିପରି ସୁବିଧାରେ ରଥ ଟାଣିବେ ଏବଂ ସମସ୍ତ ନୀତି ନିର୍ଦ୍ଧାରିତ ସମୟରେ ସମ୍ପନ୍ନ ହେବ ଏହି ବୈଠକର ମୁଖ୍ୟ ବିଷୟ ଥିଲା।

Categories
ଆଞ୍ଚଳିକ

ବାଣପୁରରେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର: ଆବାସ ଯୋଜନାରେ ସରକାରଙ୍କୁ ଘେରିଲେ

ସୀତାରାମ ଅଗ୍ରୱାଲ
ବାଣପୁର: ଆଜି ପୁରୀ ଲୋକସଭା ସାଂସଦ ପ୍ରାର୍ଥୀ ତଥା ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ଡ଼ା. ସମ୍ବିତ ପାତ୍ର ବାଣପୁର ଗସ୍ତରେ ଆସିଛନ୍ତି। ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଦୁଇ ଗୋଟି ଆଦିବାସୀ ଅଧ୍ୟୁଷିତ ପଞ୍ଚାୟତ ନୀଳାଦ୍ରି ପ୍ରସାଦ ପଞ୍ଚାୟତ ଏବଂ ଦାମିଆ ବରାବରା ପଞ୍ଚାୟତର ଅନେକ ଗ୍ରାମକୁ ଡ. ପାତ୍ର ଗସ୍ତ କରିଥିଲେ। ସାଥିରେ ଚିଲିକା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ତଥା ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ମଧ୍ୟ ଗସ୍ତ କରିଥିଲେ।

ଏହି ଅବସରରେ ଡ. ପାତ୍ର ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଏବଂ ମୌଳିକ ସମସ୍ୟାକୁ ନେଇ ଚିନ୍ତା ପ୍ରକଟ କରିଥିଲେ। ସେ କହିଥିଲେ ଯେ, ରାଜ୍ୟ ସରକାର ଆବାସ ଯୋଜନାକୁ ହାଇଜାକ କରୁଛନ୍ତି। ରାଜ୍ୟ ସରକାର ସାବତ ମା’ ସାଜି କେନ୍ଦ୍ର ସରକାରଙ୍କ ଯୋଜନାକୁ ନିଜ ନାମରେ କରିବାକୁ ଚେଷ୍ଟା କରୁଛନ୍ତି। ଏବଂ ଏହି ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦିଆଯାଇ ଦଳୀୟ ଆଧାରରେ ଲୋକଙ୍କୁ ସାମିଲ କରୁଛନ୍ତି। ତେଣୁ ଏହାକୁ ନେଇ ଆମେ ରାଜ୍ୟ ସରକାର ବିରୋଧରେ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ବରେ ଆଜି ରାଜ୍ୟପାଳଙ୍କୁ ଭେଟିଥିଲୁ। ତାଙ୍କୁ ଏନେଇ ସବୁ ଅବଗତ କରାଇଛୁ।

ଶେଷରେ ପୃର୍ଥ୍ବୀରାଜ ହରିଚନ୍ଦନ କହିଥିଲେ ଯେ, ଯେପର୍ଯ୍ୟନ୍ତ ଶେଷ ଯୋଗ୍ୟ ହିତାଧିକାରୀ ଏହି ଯୋଜନାରେ ସାମିଲ ନ ହୋଇଛି, ସେ ପର୍ଯ୍ୟନ୍ତ ଆମର ଲଢେଇ ଜାରି ରହିବ। ଏପର୍ଯ୍ୟନ୍ତ ଆହୁରି ୩୦ ରୁ ୩୫ ପ୍ରତିଶତ ଲୋକଙ୍କୁ ଏହି ଯୋଜନାରୁ ବଞ୍ଚିତ ରଖାଯାଇଛି। ଏବଂ ପ୍ରଧାନମନ୍ତ୍ରୀଙ୍କ ଲକ୍ଷ ଅନୁଯାୟୀ ୨୦୨୨ ସୁଦ୍ଧା ସମସ୍ତଙ୍କ ପାଇଁ ଛାତ ଘରର ସ୍ଵପ୍ନକୁ ପୂରଣ କରିବା ଲାଗି ଭାରତୀୟ ଜନତା ପାର୍ଟି ସଂଘର୍ଷ ଜାରି ରଖିବ।