ବାଣପୁରରେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର: ଆବାସ ଯୋଜନାରେ ସରକାରଙ୍କୁ ଘେରିଲେ

Published: Jan 14, 2021, 9:12 pm IST

ସୀତାରାମ ଅଗ୍ରୱାଲ
ବାଣପୁର: ଆଜି ପୁରୀ ଲୋକସଭା ସାଂସଦ ପ୍ରାର୍ଥୀ ତଥା ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ଡ଼ା. ସମ୍ବିତ ପାତ୍ର ବାଣପୁର ଗସ୍ତରେ ଆସିଛନ୍ତି। ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଦୁଇ ଗୋଟି ଆଦିବାସୀ ଅଧ୍ୟୁଷିତ ପଞ୍ଚାୟତ ନୀଳାଦ୍ରି ପ୍ରସାଦ ପଞ୍ଚାୟତ ଏବଂ ଦାମିଆ ବରାବରା ପଞ୍ଚାୟତର ଅନେକ ଗ୍ରାମକୁ ଡ. ପାତ୍ର ଗସ୍ତ କରିଥିଲେ। ସାଥିରେ ଚିଲିକା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ତଥା ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ମଧ୍ୟ ଗସ୍ତ କରିଥିଲେ।

ଏହି ଅବସରରେ ଡ. ପାତ୍ର ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଏବଂ ମୌଳିକ ସମସ୍ୟାକୁ ନେଇ ଚିନ୍ତା ପ୍ରକଟ କରିଥିଲେ। ସେ କହିଥିଲେ ଯେ, ରାଜ୍ୟ ସରକାର ଆବାସ ଯୋଜନାକୁ ହାଇଜାକ କରୁଛନ୍ତି। ରାଜ୍ୟ ସରକାର ସାବତ ମା’ ସାଜି କେନ୍ଦ୍ର ସରକାରଙ୍କ ଯୋଜନାକୁ ନିଜ ନାମରେ କରିବାକୁ ଚେଷ୍ଟା କରୁଛନ୍ତି। ଏବଂ ଏହି ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦିଆଯାଇ ଦଳୀୟ ଆଧାରରେ ଲୋକଙ୍କୁ ସାମିଲ କରୁଛନ୍ତି। ତେଣୁ ଏହାକୁ ନେଇ ଆମେ ରାଜ୍ୟ ସରକାର ବିରୋଧରେ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ବରେ ଆଜି ରାଜ୍ୟପାଳଙ୍କୁ ଭେଟିଥିଲୁ। ତାଙ୍କୁ ଏନେଇ ସବୁ ଅବଗତ କରାଇଛୁ।

ଶେଷରେ ପୃର୍ଥ୍ବୀରାଜ ହରିଚନ୍ଦନ କହିଥିଲେ ଯେ, ଯେପର୍ଯ୍ୟନ୍ତ ଶେଷ ଯୋଗ୍ୟ ହିତାଧିକାରୀ ଏହି ଯୋଜନାରେ ସାମିଲ ନ ହୋଇଛି, ସେ ପର୍ଯ୍ୟନ୍ତ ଆମର ଲଢେଇ ଜାରି ରହିବ। ଏପର୍ଯ୍ୟନ୍ତ ଆହୁରି ୩୦ ରୁ ୩୫ ପ୍ରତିଶତ ଲୋକଙ୍କୁ ଏହି ଯୋଜନାରୁ ବଞ୍ଚିତ ରଖାଯାଇଛି। ଏବଂ ପ୍ରଧାନମନ୍ତ୍ରୀଙ୍କ ଲକ୍ଷ ଅନୁଯାୟୀ ୨୦୨୨ ସୁଦ୍ଧା ସମସ୍ତଙ୍କ ପାଇଁ ଛାତ ଘରର ସ୍ଵପ୍ନକୁ ପୂରଣ କରିବା ଲାଗି ଭାରତୀୟ ଜନତା ପାର୍ଟି ସଂଘର୍ଷ ଜାରି ରଖିବ।

Related posts