Categories
ଆଜିର ଖବର ରାଜ୍ୟ ଖବର

ବାଣପୁର ହିଂସାରେ ଆହତ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟବସ୍ଥା ବୁଝିଲେ ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର

ସୀତାରାମ ଅଗ୍ରୱାଲ

ବାଣପୁର: ଗତକାଲି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ସମ୍ମୁଖରେ ଘଟିଥିବା ହିଂସା ଘଟଣାରେ ଏକାଧିକ ଜନସାଧାରଣ, ବାଣପୁର ଆଇଆଇସି, ପୋଲିସ କର୍ମୀ ଓ ୨ ସାମ୍ବାଦିକ ଆହତ ହୋଇଥିଲେ। ଗୁରୁତର ଆହତମାନେ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ଆଉ କେତେକ ଆହତ ବ୍ୟକ୍ତିମାନଙ୍କ ଆଶୁ ଚିକିତ୍ସା କରାଯାଇ ନିଜ ନିଜ ଘରେ ଚିକିତ୍ସିତ ହେଉଛନ୍ତି।

ତେବେ ଉକ୍ତ ଘଟଣାରେ ମର୍ମାହତ ହୋଇ ଆଜି ସକାଳେ ଦିଲ୍ଲୀରୁ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଡ଼ା ସମ୍ବିତ ପାତ୍ର ଭୁବନେଶ୍ୱର ଆସି ସିଧାସଳଖ ଏମ୍ସ ହସ୍ପିଟାଲ ଯାଇଥିଲେ। ସେଠାରେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବା ଦୁଇ ଜଣ ମହିଳାଙ୍କୁ ଭେଟିବା ସହ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ। ଏହାପରେ ଡ଼ା ପାତ୍ର ବାଣପୁର ଗସ୍ତ କରି ଭେଟେଶ୍ୱର ଏବଂ ନୀଳାଦ୍ରି ପ୍ରସାଦ ପଞ୍ଚାୟତକୁ ଯାଇ ସେଠାରେ ଏକାଧିକ ଆହତଙ୍କୁ ଭେଟିବାସହ ସେମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରିଥିଲେ। ଅନୁରୂପ ଭାବେ ଡା. ପାତ୍ର ଆହତ ହୋଇଥିବା ସାମ୍ବାଦିକଙ୍କ ସହ ଟେଲିଫୋନ ଯୋଗେ ଯୋଗାଯୋଗ କରି ସେମାନଙ୍କର ସ୍ୱାସ୍ଥବ୍ୟସ୍ଥା ପଚାରି ବୁଝିଥିଲେ।

ଉକ୍ତ ଘଟଣାରେ ରାଜ୍ୟ ସରକାରଙ୍କୁ ଡା. ପାତ୍ର ସମାଲୋଚନା କରିବା ସହ ଏଭଳି ବର୍ବର କାଣ୍ଡ ଭିଆଇଥିବା ମୁଖ୍ୟ ଅଭିଯୁକ୍ତ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ କେବେ ନିଆଯିବ ବୋଲି ପ୍ରଶ୍ନ କରିଥିଲେ। ସେହିପରି ଭାବେ ଶ୍ରୀ ଜଗଦ୍ଦେବଙ୍କୁ ନିଲମ୍ବନ କରିବା ବିଜେଡିର ଏକ ନାଟକ ବୋଲି ଡା. ପାତ୍ର କହିଛନ୍ତି। ତତସହିତ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଦଳ କେବେ ବହିଷ୍କାର କରିବ ବୋଲି ସେ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି।

ଉକ୍ତ ଗସ୍ତରେ ଶ୍ରୀ ପାତ୍ରଙ୍କ ସମେତ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ଵୀରାଜ ହରିଚନ୍ଦନ, ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ବିଜେପି ବିରଜାଇ ମଣ୍ଡଳ ସଭାପତି ଜିତେନ୍ଦ୍ର ଭୋଳ, ଜିତେନ୍ଦ୍ର ସାମନ୍ତରାୟ ଆଦି ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପିପିଲି ନିର୍ବାଚନୀ ହିଂସା ଘଟଣା: ଡିଜିପି ଅଭୟ କରୁଛନ୍ତି ସମୀକ୍ଷା, ବିଜେପି କଲା ଟାର୍ଗେଟ

ଭୁବନେଶ୍ବର: ନିର୍ବାଚନୀ ହିଂସା ପରେ ପୋଲିସ ଡିଜିପି ଅଭୟଙ୍କ ସମେତ ବହୁ ପୋଲିସ ଅଧିକାରୀ ଆଜି ପିପିଲିରେ ପହଞ୍ଚିଛନ୍ତି। ପିପିଲିରେ ବଢୁଥିବା ନିର୍ବାଚନୀ ହିଂସାକୁ ନେଇ ସମୀକ୍ଷା କରୁଛନ୍ତି। ପିପିଲି ଥାନାରେ ଡିଜିପି ଏବଂ ବହୁ ବରିଷ୍ଠ ଅଧିକାରୀ ସ୍ଥିତି ସମୀକ୍ଷା କରୁଛନ୍ତି। ଗୋଇନ୍ଦା ବିଭାଗ ନିର୍ଦ୍ଦେଶକ ଏବଂ ଇଡ଼ିଆଇଜି ଆଇନ ଶ୍ରୁଙ୍ଖଳା ଏଥିରେ ମଧ୍ୟ ସାମିଲ ଅଛନ୍ତି।

ସେପଟେ ଏହି ହିଂସା ଲାଗି ପୋଲିସକୁ ଦାୟୀ କରିଛି ବିଜେପି। ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ଡ଼ା. ସମ୍ବିତ ପାତ୍ର ପୋଲିସ ଉପରେ ଅଭିଯୋଗ ଆଣିଛନ୍ତି। ମୁକ୍ତ ଓ ଅବଧ ନିର୍ବାଚନରେ ପୋଲିସ ବାଧକ ସାଜିଛି ବୋଲି ସେ ଅଭିଯୋଗ କରିଛନ୍ତି। ବିଜେଡ଼ି ସହାୟତାରେ ପୋଲିସ ଅବଧ ନିର୍ବାଚନକୁ ଅଟକାଇବା ପାଇଁ ଚେଷ୍ଟା କରୁଛି ବୋଲି ସମ୍ବିତ କହିଛନ୍ତି। ପିପିଲିରେ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି କରିବା ପାଇଁ ପୋଲିସ ଚେଷ୍ଟା କରୁଛି ବୋଲି ଡ଼ା. ପାତ୍ର ଅଭିଯୋଗ କରିଛନ୍ତି।

Categories
ଆଞ୍ଚଳିକ

ବାଣପୁରରେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର: ଆବାସ ଯୋଜନାରେ ସରକାରଙ୍କୁ ଘେରିଲେ

ସୀତାରାମ ଅଗ୍ରୱାଲ
ବାଣପୁର: ଆଜି ପୁରୀ ଲୋକସଭା ସାଂସଦ ପ୍ରାର୍ଥୀ ତଥା ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ଡ଼ା. ସମ୍ବିତ ପାତ୍ର ବାଣପୁର ଗସ୍ତରେ ଆସିଛନ୍ତି। ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଦୁଇ ଗୋଟି ଆଦିବାସୀ ଅଧ୍ୟୁଷିତ ପଞ୍ଚାୟତ ନୀଳାଦ୍ରି ପ୍ରସାଦ ପଞ୍ଚାୟତ ଏବଂ ଦାମିଆ ବରାବରା ପଞ୍ଚାୟତର ଅନେକ ଗ୍ରାମକୁ ଡ. ପାତ୍ର ଗସ୍ତ କରିଥିଲେ। ସାଥିରେ ଚିଲିକା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ତଥା ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ମଧ୍ୟ ଗସ୍ତ କରିଥିଲେ।

ଏହି ଅବସରରେ ଡ. ପାତ୍ର ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଏବଂ ମୌଳିକ ସମସ୍ୟାକୁ ନେଇ ଚିନ୍ତା ପ୍ରକଟ କରିଥିଲେ। ସେ କହିଥିଲେ ଯେ, ରାଜ୍ୟ ସରକାର ଆବାସ ଯୋଜନାକୁ ହାଇଜାକ କରୁଛନ୍ତି। ରାଜ୍ୟ ସରକାର ସାବତ ମା’ ସାଜି କେନ୍ଦ୍ର ସରକାରଙ୍କ ଯୋଜନାକୁ ନିଜ ନାମରେ କରିବାକୁ ଚେଷ୍ଟା କରୁଛନ୍ତି। ଏବଂ ଏହି ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦିଆଯାଇ ଦଳୀୟ ଆଧାରରେ ଲୋକଙ୍କୁ ସାମିଲ କରୁଛନ୍ତି। ତେଣୁ ଏହାକୁ ନେଇ ଆମେ ରାଜ୍ୟ ସରକାର ବିରୋଧରେ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ବରେ ଆଜି ରାଜ୍ୟପାଳଙ୍କୁ ଭେଟିଥିଲୁ। ତାଙ୍କୁ ଏନେଇ ସବୁ ଅବଗତ କରାଇଛୁ।

ଶେଷରେ ପୃର୍ଥ୍ବୀରାଜ ହରିଚନ୍ଦନ କହିଥିଲେ ଯେ, ଯେପର୍ଯ୍ୟନ୍ତ ଶେଷ ଯୋଗ୍ୟ ହିତାଧିକାରୀ ଏହି ଯୋଜନାରେ ସାମିଲ ନ ହୋଇଛି, ସେ ପର୍ଯ୍ୟନ୍ତ ଆମର ଲଢେଇ ଜାରି ରହିବ। ଏପର୍ଯ୍ୟନ୍ତ ଆହୁରି ୩୦ ରୁ ୩୫ ପ୍ରତିଶତ ଲୋକଙ୍କୁ ଏହି ଯୋଜନାରୁ ବଞ୍ଚିତ ରଖାଯାଇଛି। ଏବଂ ପ୍ରଧାନମନ୍ତ୍ରୀଙ୍କ ଲକ୍ଷ ଅନୁଯାୟୀ ୨୦୨୨ ସୁଦ୍ଧା ସମସ୍ତଙ୍କ ପାଇଁ ଛାତ ଘରର ସ୍ଵପ୍ନକୁ ପୂରଣ କରିବା ଲାଗି ଭାରତୀୟ ଜନତା ପାର୍ଟି ସଂଘର୍ଷ ଜାରି ରଖିବ।