Categories
ଆଜିର ଖବର ରାଜ୍ୟ ଖବର

ବିଜେପି ନେତାଙ୍କ କଥା ରଖିଲେ ରେଳ ମନ୍ତ୍ରୀ: କାଳୁପଡ଼ା ଘାଟ ରେଳ ଷ୍ଟେସନରେ ରହଣି କରିବ ଏହି ଟ୍ରେନ୍

ସୀତାରାମ ଅଗ୍ରୱାଲ

କାଳୁପଡ଼ା: ଖୋର୍ଦ୍ଧା ରୋଡ ରେଳ ଡିଭିଜନ ଅନ୍ତର୍ଗତ କାଳୁପଡ଼ା ଘାଟ ରେଳ ଷ୍ଟେସନରେ ଖୁବ ଶୀଘ୍ର ରହିବ ପ୍ରଶାନ୍ତି ଏକ୍ସପ୍ରେସ। ଏ ନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ଵୀରାଜ ହରିଚନ୍ଦନ।

ସୂଚନା ମୁତାବକ ଚିଲିକା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କାଳୁପଡ଼ା ଘାଟ ରେଳ ଷ୍ଟେସନରେ ପ୍ରଶାନ୍ତି ଏକ୍ସପ୍ରେସ ରହଣି ପାଇଁ ଦୀର୍ଘ ଦିନ ହେଲା ଦାବି ହୋଇଆସୁଥିଲା। ତେବେ ଏହାକୁ ଗୁରୁତ୍ୱ ଦେଇ ନିକଟରେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଡ଼ା ସମ୍ବିତ ପାତ୍ର ଏବଂ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ଵୀରାଜ ହରିଚନ୍ଦନ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟି କାଳୁପଡ଼ା ଘାଟ ରେଳ ଷ୍ଟେସନରେ ପ୍ରଶାନ୍ତି ଏକ୍ସପ୍ରେସ ରହଣି ପାଇଁ ଅନୁରୋଧ କରିଥିଲେ। ଯାହା ଫଳରେ ମନ୍ତ୍ରୀଙ୍କ ନିର୍ଦେଶକ୍ରମେ ରେଳବାଇ ବୋର୍ଡ ଉକ୍ତ ଅନୁରୋଧକୁ ମାନି ନେଇଛି ଏବଂ ଖୁବ କମ ଦିନ ମଧ୍ୟରେ କାଳୁପଡ଼ା ଘାଟ ରେଳ ଷ୍ଟେସନରେ ପ୍ରଶାନ୍ତି ଏକ୍ସପ୍ରେସ ରହିବ ବୋଲି ସୂଚନା ଦେଇଛନ୍ତି ବିଜେପି ନେତା ଶ୍ରୀ ହରିଚନ୍ଦନ।

ଏଥି ନିମନ୍ତେ ଉଭୟ ବିଜେପି ନେତା ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ପ୍ରଶାନ୍ତି ଏକ୍ସପ୍ରେସ କାଳୁପଡ଼ା ଘାଟ ରେଳ ଷ୍ଟେସନ ରେ ରହିବା ଦ୍ୱାରା ଚିଲିକା, ରଣପୁର ଏବଂ ଖୋର୍ଦ୍ଧା ନିର୍ବାଚନମଣ୍ଡଳି ର ବହୁ ଜନସାଧାରଣ ଉପକୃତ ହେବେ ବୋଲି ବୁଦ୍ଧିଜୀବୀ ମାନେ କହିଛନ୍ତି l

Categories
ଆଞ୍ଚଳିକ

ହନୁମାନ ଜୟନ୍ତୀରେ ବଜରଙ୍ଗ ଦଳର ବିଶାଳ ରାଲି: ଜୟ ଶ୍ରୀରାମ ଧ୍ୱନିରେ ପ୍ରକମ୍ପିତ ହେଲା ବାଣପୁର-ବାଲୁଗାଁ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ-ବାଣପୁର ସହରରେ ଆଜି ଅନୁଷ୍ଠିତ ହୋଇଯାଇଛି ବିଶାଳ ବାଇକ ରାଲି। ହନୁମାନ ଜୟନ୍ତୀ ଉପଲକ୍ଷେ ବଜରଙ୍ଗ ଦଳ ପକ୍ଷରୁ ଅନୁଷ୍ଠିତ ହୋଇଥିଲା ଉକ୍ତ ରାଲି। ବଜରଙ୍ଗ ଦଳ ଚିଲିକା ପ୍ରଖଣ୍ଡର ଆହ୍ଵାନକ୍ରମେ ଉକ୍ତ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ହଜାର ହଜାର ରାମ ଭକ୍ତ। ଶୋଭାଯାତ୍ରାଟି ଅପରାହ୍ନରେ ବାଲୁଗାଁ ମାମୁଁ ଭଣଜା ପାହାଡ଼ ନିକଟରୁ ବାହାରି ସାରା ବାଲୁଗାଁ ସହର ପରିକ୍ରମା କରିଥିଲା ଏବଂ ଏହାପରେ ବାଣପୁର ସହର ପରିକ୍ରମା କରି ପରିଶେଷରେ ପଲଟନ ପଡିଆ ନିକଟରେ ସମାପ୍ତ ହୋଇଥିଲା।

ଶୋଭାଯାତ୍ରା ସମୟରେ ଉଭୟ ସହର ‘ଜୟ ଶ୍ରୀରାମ’, ‘ଭାରତ ମାତାକି ଜୟ’ ଆଦି ଧ୍ୱନିରେ ପ୍ରକମ୍ପିତ ହୋଇଉଠିଥିଲା। ତେବେ ଗତବର୍ଷ ପରି ଚଳିତ ଥର ମଧ୍ୟ ହନୁମାନ ଜୟନ୍ତୀରେ ଏପରି ଦୃଶ୍ୟ ଦେଖିଲେ ବାଣପୁର-ବାଲୁଗାଁବାସୀ। ବିରାଟକାୟ ହନୁମାନଙ୍କ ପତାକା ଧରି, ଜିସିବି ଏବଂ ଗାଡ଼ିରେ ରାମଭକ୍ତ ମାନେ ନାଚି ନାଚି ସହର ପରିକ୍ରମା କରିଥିଲେ। ଉଭୟ ବାଣପୁର ଏବଂ ବାଲୁଗାଁ ପୋଲିସର କଡ଼ା ସୁରକ୍ଷା ମଧ୍ୟରେ ଉକ୍ତ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ, ଶୋଭାଯାତ୍ରାରେ ଏତେ ସଂଖ୍ୟକ ରାମଭକ୍ତଙ୍କ ଯୋଗଦାନ ଫଳରେ ଉଭୟ ସହରର ଟ୍ରାଫିକ ଏକ ରକମର ଠପ ହୋଇଯାଇଥିଲା।

ଅନୁରୂପ ଭାବେ ଶୋଭାଯାତ୍ରା ଯେତେ ଆଗକୁ ଆଗକୁ ଅଗ୍ରସର ହେଉଥିଲା ସେତେ ଅଧିକ ପରିମାଣରେ ରାମ ଭକ୍ତ ମାନେ ଶୋଭାଯାତ୍ରାରେ ସାମିଲ ହେଉଥିବାର ଦେଖିବାକୁ ମିଳିଥିଲା। ଉକ୍ତ ରାଲିରେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଡ଼ା ସମ୍ବିତ ପାତ୍ର ଏବଂ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ଵୀରାଜ ହରିଚନ୍ଦନ ମଧ୍ୟ ଯୋଗ ଦେଇଥିଲେ। ବାଲୁଗାଁ ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ରଙ୍କ ତତ୍ୱାବଧାନ ରେ ବାଣପୁର, ବାଲୁଗାଁ ଓ ନାଚୁଣୀ ଆଇଆଇସି ଙ୍କ ସମେତ ଦୁଇ ପ୍ଲାଟୁନ ଫୋର୍ସ ମୁତୟନ ଥିଲେ।

Categories
ଆଞ୍ଚଳିକ

ପାହାଡ଼ ନିଲାମୀ ପରବର୍ତ୍ତୀ ସମସ୍ୟା: ବାଣପୁର ତହସିଲଦାରଙ୍କୁ ଭେଟିଲେ ବିଜେପି ନେତା ପୃଥ୍ଵୀରାଜ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅଧିନସ୍ଥ କୁଲେଇ ଗ୍ରାମପଞ୍ଚାୟତର ନୀଳକଣ୍ଠପୁର ମୌଜାରେ ଅଛି ବସବାଗୁଲି ପାହାଡ଼। ସରକାରଙ୍କ ନିର୍ଦ୍ଦେଶ ମୁତାବକ ଉକ୍ତ ପାହାଡ଼ରୁ ପଥର ନେବାପାଇଁ ଜନୈକ ନିଲାମଧାରୀ ଲିଜ ଗ୍ରହଣ କରିଛନ୍ତି। ପଥର ଫଟାଇବା ପରେ ସ୍ଥାନୀୟ ଅଧିବାସୀ ଉକ୍ତ ନୀଲାମକୁ ବିରୋଧ କରିଛନ୍ତି। ଗ୍ରାମବାସୀ ଜିଲ୍ଲାପାଳ ଓ ତହସିଲଦାରଙ୍କୁ ପୂର୍ବରୁ ଅଭିଯୋଗ ପ୍ରଦାନ କରାଯାଇଥିବା ବେଳେ ବୁଧବାର ଅପରାହ୍ନରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ, ବ୍ଲକ ଅଧକ୍ଷ ଅମରେନ୍ଦ୍ର ରଣସିଂହ, ବହୁ ବିଜେପି ସମର୍ଥିତ ସରପଞ୍ଚ, ସମିତି ସଭ୍ୟ ଓ ୧୪ ନମ୍ବର ଜୋନ ଜିଲ୍ଲାପରିଷଦ ସଭ୍ୟ ତହସିଲଦାରଙ୍କୁ ଭେଟି ଉକ୍ତ ଲିଜ ଉପରେ ରୋକ ଲଗାଇବା ନିମନ୍ତେ ଆଲୋଚନା କରିଥିଲେ।

ଜିଲ୍ଲାପାଳଙ୍କୁ ଗ୍ରାମବାସୀମାନ କରିଥିବା ଅଭିଯୋଗ ଅନୁଯାୟୀ ଉକ୍ତ ପାହାଡରେ ବିଭିନ୍ନ ପ୍ରକାର ଔଷଧ ଜାତୀୟ ବୃକ୍ଷ ଏବଂ ନାନା ପ୍ରଜାତିର ବନ୍ୟ ଜୀବଜନ୍ତୁ ବାସକରନ୍ତି। ୫୦ ହେକ୍ଟର ପାହାଡ଼ ଜାଗାରେ ଟାଙ୍ଗୀ ଓ ଖୋର୍ଦ୍ଧା ବନାଞ୍ଚଳ ଅଧିକାରୀଙ୍କ ତରଫରୁ ବୃକ୍ଷ ରୋପଣ କରାଯାଇଥିବା ବେଳେ ଗ୍ରାମବାସୀଙ୍କୁ ପ୍ରକୃତିମିତ୍ରର ଉପାଧି ମଧ୍ୟ ମିଳିଛି। ଅଂଚଳର ମାଟି କଳାମାଟି ହୋଇଥିବାରୁ ପଥର ଫଟାଇବା ଦ୍ୱାରା ଘର ଗୁଡିକ ଉପରେ ବିପଦ ସୃଷ୍ଟି କରିବ।

ପାହାଡ଼ର ଚାରିପଟେ କୁଲେଇ, ଗୋତପଲି, ଗମେଇ, ଦୀନବନ୍ଧୁପୁର, ମନେଇ ମାନସିଂହପୁର ଗ୍ରାମର ପ୍ରାୟ ୨୦୦୦ ରୁ ଅଧିକ ଜନବସତି ବାସ କରନ୍ତି। ବହୁ ବୟସ୍କ ବୃଦ୍ଧ ଓ ବୃଦ୍ଧା ତତସହିତ ହୃଦରୋଗୀ ଅଛନ୍ତି। ପାହାଡର ସଂଗୃହିତ ଜଳକୁ ସଂରକ୍ଷିତ ରଖି ଚାଷ କାର୍ଯ୍ୟରେ ବିନିଯୋଗ କରାଯାଏ। ହଜାର ହଜାର ସଂଖ୍ୟରେ ଗାଈଗୋରୁଙ୍କର ଉକ୍ତ ପାହାଡ଼ ଚରାଭୂଇଁ l ସେମାନଙ୍କ ଅବସ୍ଥା କଣ ହେବ।

୧୯୯୭ ମସିହାଠାରୁ ବସୁବାଗୁଲି ପାହାଡକୁ ଜଙ୍ଗଲ କମିଟି ତରଫରୁ ଚାରିଜଣ ଲେଖା ଜଗି ଆସୁଛନ୍ତି। ଉକ୍ତ ପାହାଡ଼ ନୀଲାମ ଜଙ୍ଗଲ ଆଇନର ବିରୁଦ୍ଧଚାରଣ କରିବା ସହ ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ଡବ୍ଲୁପିସି ନମ୍ବର ୨୦୨/୯୫ କୁ ବିରୁଦ୍ଧଚରଣ କରୁଛି। ଏ ନେଇ ବାଣପୁର ତହସିଲଦାର କୁଞ୍ଜବିହାରୀ ବଡ଼ଜେନା ଙ୍କୁ ପଚାରିବାରୁ ଜନୈକ ଲିଜ ଧାରୀ ସମସ୍ତ ସରକାରୀ ପ୍ରକ୍ରିୟାକୁ ପୂରଣ କରି ଲିଜ ନେଇଛନ୍ତି। ତଥାପି ବିଜେପିର ଉକ୍ତ ମୌଖିକ ଅଭିଯୋଗକୁ ସେ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଅବଗତ କରାଇବେ ବୋଲି କହିଛନ୍ତି।

Categories
ଆଞ୍ଚଳିକ

ବାଣପୁରରେ ବିଜେପିର ବିଶାଳ କର୍ମୀ ସମ୍ମିଳନୀ: ଲଢେଇ ଜୋରଦାର ହେବ ବୋଲି କହିଲେ ପୃଥ୍ଵୀରାଜ

ସୀତାରାମ ଅଗ୍ରୱାଲ

ବାଣପୁର: ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ଚିଲିକା ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଦଳର ସେତେ ଚିନ୍ତା ବଢ଼ି ବଢ଼ି ଯାଉଛି। ବିରୋଧୀ ବିଜେପି ଗତଥର ପରାଜୟ ବରଣ କରିଥିବା ବେଳେ ଆଗାମୀ ନିର୍ବାଚନରେ କିପରି ବିଜୟର ସ୍ୱାଦ ଚାଖିବ, ସେଥିଲାଗି ସଂଗଠନ ଜାରି ରଖିଛି। ଗୋଟାଏ ପଟେ ଚିଲିକା ବିଜେଡିରେ ‘ଢୋଲ ଭିତରେ ମୂଷା’ ର ଅଭିଯୋଗ ହେଉଥିବା ବେଳେ ଏପଟେ ବିଜେପି ଏହାର ଫାଇଦା ନେବ ବୋଲି କୁହାଯାଉଛି।

ପଞ୍ଚାୟତ ନିର୍ବାଚନରେ ଦଳ ଉଭୟ ବାଣପୁର ଓ ଚିଲିକା ବ୍ଲକ ଦଖଲ କରିଥିବା ବେଳେ ସାଧାରଣ ନିର୍ବାଚନରେ ବିଜେପି ନେତା ପୃଥ୍ଵୀରାଜ ହରିଚନ୍ଦନ ଚିଲିକା ବିଧାୟକ ହେବା ନେଇ ଆଶା ରଖିଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ବାଣପୁର ବ୍ଲକ ମୋରାମୋରି ପଞ୍ଚାୟତ ବିଜେପିର ବିଶାଳ କର୍ମୀ ସମ୍ମିଳନୀ ସରପଞ୍ଚ ବସନ୍ତ ମାଳିଙ୍କ ସଭାପତିତ୍ୱରେ ଆମ୍ବଝର ଠାରେ ଅନୁଷ୍ଠିତ ହୋଇଯାଇଛି।

ଉକ୍ତ ବୈଠକରେ ଚିଲିକା ପୂର୍ବତନ ବିଧାୟକ ଡ଼ା ବିଭୁତି ଭୂଷଣ ହରିଚନ୍ଦନ, ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ଵୀରାଜ ହରିଚନ୍ଦନ, ପୁରୀ ଲୋକସଭା ବିଜେପି ପ୍ରଭାରୀ ଅମିୟ ଦାସ, ପୁରୀ ଲୋକସଭା ସଂଯୋଜକ ଶଙ୍କର ପରିଡ଼ା, ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ ଆଦି ଯୋଗଦେଇଥିଲେ। ତେବେ ଉକ୍ତ କର୍ମୀ ସମ୍ମିଳନୀରେ ରେକର୍ଡ ସଂଖ୍ୟକ ପୁରୁଷ ଓ ମହିଳା କର୍ମୀମାନେ ଯୋଗଦେଇ ଶାସକ ବିଜେଡି ବିରୋଧରେ ରଣ ହୁଙ୍କାର ଦେଇଥିବା ବିଜେପି ନେତାମାନେ କହିଛନ୍ତି।

ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ଵୀରାଜ ହରିଚନ୍ଦନ କର୍ମୀମାନଙ୍କୁ ଏକମନ ଏକ ପ୍ରାଣ ହୋଇ ଆଗାମୀ ଏକ ବର୍ଷ ପର୍ଯ୍ୟନ୍ତ ଅକ୍ଲାନ୍ତ ପରିଶ୍ରମ ଜାରି ରଖିବା ନେଇ କହିଥିଲେ। ଭ୍ରଷ୍ଟାଚାରୀ ବିଜେଡି ସରକାରକୁ କିପରି ମୁଳୋତ୍ପାଟନ କରାଯିବ ସେ ନେଇ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଥିଲେ।

ଅନୁରୂପ ଭାବେ ଚିଲିକାର ଜନସାଧାରଣ ମାନେ ଯାହାକୁ ବହୁମୂଲ୍ୟ ଭୋଟ ଦେଇ ଗାଦିରେ ବସାଇଥିଲେ ତାଙ୍କ ଲାଗି ଆଜି ସାଧରଣ ନିରୀହ ଭୋଟର ହନ୍ତସନ୍ତ ହେଉଛନ୍ତି। ଚିଲିକାବାସୀ ୨୦୨୪ରେ ସେଇ ଭୁଲ ଆଉ ପୁନଶ୍ଚ କରିବେ ନାହିଁ ବୋଲି ମନସ୍ତ କରିସାରିଥିବା କହିଥିଲେ ହରିଚନ୍ଦନ। ଚିଲିକାରେ ବିଜେଡି ବିରୁଦ୍ଧରେ ଲଢେଇ ଆହୁରି ତୀବ୍ର ହେବ ବୋଲି ଶ୍ରୀ ହରିଚନ୍ଦନ କହିଥିଲେ।

ସେହିପରି ଭାବେ ସରପଞ୍ଚ ବସନ୍ତ ମାଳି ଏଥିନିମନ୍ତେ ପଞ୍ଚାୟତ ବାସୀଙ୍କ ନିକଟରେ ନତମସ୍ତକ ହୋଇ ଉଭୟ ବିଧାୟକ ପ୍ରାର୍ଥୀ ପୃଥ୍ଵୀରାଜ ହରିଚନ୍ଦନ ଏବଂ ସାଂସଦ ପ୍ରାର୍ଥୀ ଡ଼ା ସମ୍ବିତ ପାତ୍ରଙ୍କୁ ଜିତାଇବା ପାଇଁ ଅନୁରୋଧ କରିଥିଲେ।

ସେହିଭଳି ବ୍ଲକ ଅଧ୍ୟକ୍ଷ ଶ୍ରୀ ରଣସିଂହ କର୍ମୀଙ୍କୁ ମନୋବଳ ଆହୁରି ଦୃଢ଼ କରିବା ଲାଗି ପରାମର୍ଶ ଦେଇଥିଲେ। ୨୦୧୯ ରେ ଛୋଟିଆ ଭୁଲ ଲାଗି ବିଜେପିର ଉଭୟ ଯୋଗ୍ୟ ପ୍ରାର୍ଥୀ ବିଧାନସଭା ଓ ସଂସଦ ଯାଇପାରିଲେନାହିଁ ବୋଲି କହିବା ସହ ଦୁଃଖ ପ୍ରକାଶ କରିଥିଲେ।  କିନ୍ତୁ ଚଳିତ ସାଧରଣ ନିର୍ବାଚନରେ ଚିଲିକା ହିଁ ପୁରୀ ଲୋକସଭା ଓ ଓଡ଼ିଶା ବିଧାନସଭାର ପ୍ରବେଶ ପଥ ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ ଶ୍ରୀ ରଣସିଂହ।

ତେବେ ଚିଲିକା ବିଜେପିର ଭବିଷ୍ୟତ କ’ଣ ହେ,ବ ତାହା ଆଗାମୀ ସାଧାରଣ ନିର୍ବାଚନ ହିଁ ଜଣାପଡ଼ିବ।