Categories
ଜାତୀୟ ଖବର ବିଶେଷ ଖବର

ପେଗାସସ୍ ଗୁପ୍ତଚର ମାମଲାରେ ସୁପ୍ରିମକୋର୍ଟଙ୍କର ବଡ ରାୟ, ତଦନ୍ତ ପାଇଁ ଗଠନ କଲେ ଏକ କମିଟ୍

ନୂଆଦିଲ୍ଲୀ: ପେଗାସସ୍ ଗୁପ୍ତଚର ମାମଲାରେ ସୁପ୍ରିମକୋର୍ଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଏହି ରାୟ ଅନୁସାରେ କୋର୍ଟ ଏହି ଘଟଣାର ତଦନ୍ତ ପାଇଁ ତିନି ଜଣିଆ ବିଶେଷଜ୍ଞ କମିଟି ଗଠନ କରିଛନ୍ତି। ଅବସରପ୍ରାପ୍ତ ଜଷ୍ଟିସ ଆର.ଭି ରାଭେନ୍ଦ୍ରନଙ୍କ ନେତୃତ୍ୱରେ ଏହି କମିଟି ଗଠନ କରାଯାଇଛି । ଏଥିରେ ଆଲୋକ ଜୋଶୀ ଏବଂ ସନ୍ଦୀପ ଓବରୋଇ ସଦସ୍ୟ ରହିଛନ୍ତି।

ପେଗାସସ୍ ମାମଲାରେ ସୁପ୍ରିମକୋର୍ଟରେ ଅନେକ ପିଟିସନ ଦାଖଲ କରାଯାଇଛି। ଆଜି ସୁପ୍ରିମକୋର୍ଟ ତିନିଜଣିଆ ଖଣ୍ଡପିଠ ଏହି ମାମଲାର ଶୁଣାଣି କରିଥିଲେ। ଏଥିରେ ଖୋଦ୍ ମୁଖ୍ୟ ବିଚାରପତି ଏନ.ଭି ରାମନା, ଜଷ୍ଟିସ ସୂର୍ଯ୍ୟ କାନ୍ତ ଏବଂ ଜଷ୍ଟିସ ହିମା କୋହଲିଙ୍କ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି।

କୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି ଯେ କୌଣସି ପ୍ରକାରର ବ୍ୟକ୍ତିଗତ ଗୁପ୍ତଚରକୁ ଆଦୌ ଗ୍ରହଣୀୟ ନୁହେଁ। ଅଦାଲତ ତାଙ୍କ ନିଷ୍ପତ୍ତିରେ କହିଛନ୍ତି ଯେ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ କୌଣସି ସ୍ପଷ୍ଟ ଆଭିମୁଖ୍ୟ ନାହିଁ। କୌଣସି ପ୍ରକାରର ଗୋପନୀୟତା ଉଲ୍ଲଂଘନ ହେଲେ ସେହି ଘଟଣାର ତଦନ୍ତ କରିବାର ଆବଶ୍ୟକତା ରହିଛି ବୋଲି କୋର୍ଟ କହିଛନ୍ତି।

23 ସେପ୍ଟେମ୍ବରରେ ଏକ ମାମଲାର ଶୁଣାଣି ସମୟରେ ପ୍ରଧାନ ବିଚାରପତି ଏନ.ଭି ରାମନା କହିଥିଲେ ଯେ ସେ ଏକ କମିଟି ଗଠନ କରିବାକୁ ଚାହୁଁଛନ୍ତି। କିଛି ବିଶେଷଜ୍ଞ ବ୍ୟକ୍ତିଗତ କାରଣରୁ ଏହି କମିଟିରେ ଯୋଗଦେବାକୁ ସେମାନଙ୍କର ଅକ୍ଷମତା ପ୍ରକାଶ କରିଛନ୍ତି। ଏହି କାରଣରୁ ଏହି ରାୟ ପ୍ରଦାନରେ ବିଳମ୍ବ ହୋଇଥିଲା।

ପେଗାସସ୍ ମାମଲାର ନିରପେକ୍ଷ ତଦନ୍ତ ପାଇଁ ସୁପ୍ରିମକୋର୍ଟରେ 15 ଟି ଆବେଦନ ବିଚାରାଧୀନ ଅଛି। ବରିଷ୍ଠ ସାମ୍ବାଦିକ ଏନ ରାମ, ରାଜ୍ୟସଭା ସାଂସଦ ଜନ୍ ବ୍ରିଟାସ୍, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଯଶବନ୍ତ ସିହ୍ନାଙ୍କ ସମେତ ଅନେକ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଏହି ଆବେଦନ କରିଛନ୍ତି।

ଏହି ପିଟିସନରେ କେନ୍ଦ୍ର ସରକାର ବହୁ ରାଜନେତା , ସାମ୍ବାଦିକ, ପୂର୍ବତନ ବିଚାରପତି ଏବଂ ସାଧାରଣ ନାଗରିକଙ୍କୁ ଗୁପ୍ତଚର ମାଧ୍ୟମରେ ଟ୍ରାକ କରାଯାଉଥିବାର ଅଭିଯୋଗ କରାଯାଇଛି। ସେପ୍ଟେମ୍ବର 13 ରେ ସୁପ୍ରିମକୋର୍ଟ ଏହି ମାମଲାର ତଦନ୍ତ ରାୟକୁ ସଂରକ୍ଷିତ ରଖିଥିଲେ। ଯାହା ଆଜି ରାୟ୍ ପ୍ରକାଶ କରିଛନ୍ତି।

ଏହି ମାମଲାର ଶୁଣାଣି ସମୟରେ କେନ୍ଦ୍ର ସରକାର ନିଜ ଆଡୁ ଏକ ବିଶେଷଜ୍ଞ କମିଟି ଗଠନ କରିବାକୁ ପ୍ରସ୍ତାବ ଦେଇଥିଲେ ଯେଉଁଥିରେ ସରକାରଙ୍କର କୈଣସି ବ୍ୟକ୍ତି ରହିବେ ନାହିଁ। ଏହି କମିଟି କୋର୍ଟଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟ କରିବ ଏବଂ କୋର୍ଟକୁ ରିପୋର୍ଟ ଦେବେ ବୋଲି କୋର୍ଟକୁ ଜଣାଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ଯୁବ କଂଗ୍ରେସର ପ୍ରଦର୍ଶନରେ ପହଞ୍ଚିଲେ ରାହୁଲ ଗାନ୍ଧୀ: ରୋଜଗାର ପ୍ରସଙ୍ଗରେ କେନ୍ଦ୍ରକୁ କଲେ ଟାର୍ଗେଟ

ନୂଆଦିଲ୍ଲୀ: ତୈଳ ଦର ବୃଦ୍ଧି ଏବଂ ପେଗାସସ୍ ଗୁପ୍ତଚର ବିରୋଧରେ ଭାରତୀୟ ଯୁବ କଂଗ୍ରେସ ଆଜି ବିରୋଧ ପ୍ରଦର୍ଶନ କରିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଏହି ପ୍ରଦର୍ଶନରେ ଅଂଶଗ୍ରହଣ କରିଥିଲେ ଏବଂ କେନ୍ଦ୍ର ସରକାରଙ୍କୁ କଡ଼ା ଆକ୍ରମଣ କରିଥିଲେ। ରାହୁଲ ଗାନ୍ଧୀ କହିଛନ୍ତି ଯେ, ଦେଶର ସବୁଠାରୁ ବଡ ପ୍ରସଙ୍ଗ ହେଉଛି ରୋଜଗାର କିନ୍ତୁ ପିଏମ ମୋଦୀ ରୋଜଗାର ପ୍ରସଙ୍ଗରେ କିଛି କହୁ ନାହାଁନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀ ପ୍ରତିବର୍ଷ ୨ କୋଟି ଚାକିରୀ ଯୋଗାଇଦେବାକୁ ପ୍ରତିଶୃତି ଦେଇଥିଲେ। କିନ୍ତୁ ଚାକିରୀ ଦେବା ବଦଳରେ ଲକ୍ଷ ଲକ୍ଷ ଯୁବକଙ୍କ ଚାକିରୀ ଚାଲିଯାଇଛି।

ରାହୁଲ ଗାନ୍ଧୀ କହିଛନ୍ତି ଯେ, ‘ନରେନ୍ଦ୍ର ମୋଦୀଙ୍କ କାମ ହେଉଛି ଭାରତର ସତ୍ୟକୁ ଦମନ କରିବା। ସେ ଏହି କାମ ଭାରତର ଦୁଇ-ତିନି ଶିଳ୍ପପତିଙ୍କ ପାଇଁ କରନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ‘ଭାରତ ସରକାର ରୋଜଗାର ବିଷୟ ଆଲୋଚନାକୁ ଅନୁମତି ଦିଅନ୍ତି କି? ଭାରତ ସରକାର ଚାଷୀଙ୍କ ବିଷୟରେ କଥାବାର୍ତ୍ତା କରନ୍ତି କି? ବର୍ତ୍ତମାନ ଦିଲ୍ଲୀରେ ଏକ ଛୋଟ ଝିଅକୁ ଦୁଷ୍କର୍ମ କରାଯାଇ ହତ୍ୟା କରାଯାଇଥିଲା। କିନ୍ତୁ ଏହି ଖବର କୌଣସି ଗଣମାଧ୍ୟମରେ ଦେଖିଛନ୍ତି କି? ମୋଦୀଙ୍କ ଲକ୍ଷ୍ୟ ହେଉଛି ଭାରତର ଯୁବକଙ୍କ ସ୍ୱରକୁ ଦମନ କରିବା। କାରଣ ସେମାନେ ଜାଣନ୍ତି ଯେ ଯେଉଁ ଦିନ ଭାରତର ଯୁବକମାନେ ସତ୍ୟ କହିବା ଆରମ୍ଭ କରିବେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଶେଷ ହୋଇଯିବ।