ଯୁବ କଂଗ୍ରେସର ପ୍ରଦର୍ଶନରେ ପହଞ୍ଚିଲେ ରାହୁଲ ଗାନ୍ଧୀ: ରୋଜଗାର ପ୍ରସଙ୍ଗରେ କେନ୍ଦ୍ରକୁ କଲେ ଟାର୍ଗେଟ

Published: Aug 5, 2021, 2:22 pm IST

ନୂଆଦିଲ୍ଲୀ: ତୈଳ ଦର ବୃଦ୍ଧି ଏବଂ ପେଗାସସ୍ ଗୁପ୍ତଚର ବିରୋଧରେ ଭାରତୀୟ ଯୁବ କଂଗ୍ରେସ ଆଜି ବିରୋଧ ପ୍ରଦର୍ଶନ କରିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଏହି ପ୍ରଦର୍ଶନରେ ଅଂଶଗ୍ରହଣ କରିଥିଲେ ଏବଂ କେନ୍ଦ୍ର ସରକାରଙ୍କୁ କଡ଼ା ଆକ୍ରମଣ କରିଥିଲେ। ରାହୁଲ ଗାନ୍ଧୀ କହିଛନ୍ତି ଯେ, ଦେଶର ସବୁଠାରୁ ବଡ ପ୍ରସଙ୍ଗ ହେଉଛି ରୋଜଗାର କିନ୍ତୁ ପିଏମ ମୋଦୀ ରୋଜଗାର ପ୍ରସଙ୍ଗରେ କିଛି କହୁ ନାହାଁନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀ ପ୍ରତିବର୍ଷ ୨ କୋଟି ଚାକିରୀ ଯୋଗାଇଦେବାକୁ ପ୍ରତିଶୃତି ଦେଇଥିଲେ। କିନ୍ତୁ ଚାକିରୀ ଦେବା ବଦଳରେ ଲକ୍ଷ ଲକ୍ଷ ଯୁବକଙ୍କ ଚାକିରୀ ଚାଲିଯାଇଛି।

ରାହୁଲ ଗାନ୍ଧୀ କହିଛନ୍ତି ଯେ, ‘ନରେନ୍ଦ୍ର ମୋଦୀଙ୍କ କାମ ହେଉଛି ଭାରତର ସତ୍ୟକୁ ଦମନ କରିବା। ସେ ଏହି କାମ ଭାରତର ଦୁଇ-ତିନି ଶିଳ୍ପପତିଙ୍କ ପାଇଁ କରନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ‘ଭାରତ ସରକାର ରୋଜଗାର ବିଷୟ ଆଲୋଚନାକୁ ଅନୁମତି ଦିଅନ୍ତି କି? ଭାରତ ସରକାର ଚାଷୀଙ୍କ ବିଷୟରେ କଥାବାର୍ତ୍ତା କରନ୍ତି କି? ବର୍ତ୍ତମାନ ଦିଲ୍ଲୀରେ ଏକ ଛୋଟ ଝିଅକୁ ଦୁଷ୍କର୍ମ କରାଯାଇ ହତ୍ୟା କରାଯାଇଥିଲା। କିନ୍ତୁ ଏହି ଖବର କୌଣସି ଗଣମାଧ୍ୟମରେ ଦେଖିଛନ୍ତି କି? ମୋଦୀଙ୍କ ଲକ୍ଷ୍ୟ ହେଉଛି ଭାରତର ଯୁବକଙ୍କ ସ୍ୱରକୁ ଦମନ କରିବା। କାରଣ ସେମାନେ ଜାଣନ୍ତି ଯେ ଯେଉଁ ଦିନ ଭାରତର ଯୁବକମାନେ ସତ୍ୟ କହିବା ଆରମ୍ଭ କରିବେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଶେଷ ହୋଇଯିବ।

Related posts