Categories
ଆଜିର ଖବର ଜାତୀୟ ଖବର

ମହାରାଷ୍ଟ୍ରର ମରାଠା ସଂରକ୍ଷଣ ଉପରେ ଭୀଷଣ ହଙ୍ଗମା, ୪୨ ପୋଲିସ କର୍ମୀ ଆହତ, ଦୁଇଟି ବସ୍ ରେ ନିଆଁ

ମୁମ୍ବାଇ: ମହାରାଷ୍ଟ୍ରର ଜାଲନା ଜିଲ୍ଲାର ମରାଠା କୋଟା ଆନ୍ଦୋଳନ ଶୁକ୍ରବାର ଦିନ ହିଂସାତ୍ମକ ରୂପ ନେଇଛି ଏବଂ ଏଥିରେ ଅତି କମରେ ୪୨ ଜଣ ପୋଲିସ କର୍ମୀ ଆହତ ହୋଇଛନ୍ତି। ଅଧିକାରୀ କହିଛନ୍ତି ଯେ ଅମ୍ବାଡ ତହସିଲର ଧୁଲେ-ସୋଲାପୁର ରାସ୍ତାରେ ଥିବା ଅନ୍ତରୱାଲୀ ସାରଥୀ ଗ୍ରାମରେ ହିଂସାତ୍ମକ ଭିଡକୁ ରୋକିବା ପାଇଁ ପୋଲିସ ଲାଠି ଚାର୍ଜ କରି ଲୁହବୁହା ଗ୍ୟାସ ଗୁଳି ଚଳାଇଥିଲା।

ମନୋଜ ଜାରେଙ୍ଗେଙ୍କ ନେତୃତ୍ୱରେ ବିକ୍ଷୋଭକାରୀମାନେ ମଙ୍ଗଳବାର ଠାରୁ ମରାଠା ସମ୍ପ୍ରଦାୟ ପାଇଁ ସଂରକ୍ଷଣ ଦାବି କରି ଗ୍ରାମରେ ଆମରଣ ଅନଶନରେ ଥିଲେ।

ରାଜନୈତିକ ଭାବେ ପ୍ରଭାବଶାଳୀ ମରାଠା ସମ୍ପ୍ରଦାୟ ପାଇଁ ରାଜ୍ୟ ସରକାର ପ୍ରଦାନ କରିଥିବା ସଂରକ୍ଷଣକୁ ସୁପ୍ରିମକୋର୍ଟ ରଦ୍ଦ କରିଛନ୍ତି। ଶାନ୍ତି ପାଇଁ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ନିବେଦନ କରିଥିଲେ ଏବଂ ହିଂସାକୁ ଉଚ୍ଚ ସ୍ତରରେ ଯାଞ୍ଚ କରିବା ପାଇଁ ଏକ କମିଟି ଗଠନ କରାଯିବ ବୋଲି ଘୋଷଣା କରିଥିଲେ। ଏଥି ସହ ଉପମୁଖ୍ୟମନ୍ତ୍ରୀ ତଥା ଗୃହମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଦାବି କରିଛନ୍ତି ଯେ, ପଥର ଫିଙ୍ଗିବା କାରଣରୁ ପୋଲିସ ଲାଠିଚାର୍ଜ କରିବାକୁ ବାଧ୍ୟ ହୋଇଛି।

ପୋଲିସ କହିଛି ଯେ, ଏହି ଆନ୍ଦୋଳନ ଶୁକ୍ରବାର ଦିନ ହିଂସାତ୍ମକ ରୂପ ନେଇଛି ଏବଂ କିଛି ଲୋକ ରାଜ୍ୟ ପରିବହନ ବସ୍ ଏବଂ ଘରୋଇ ଯାନକୁ ଟାର୍ଗେଟ କରିଛନ୍ତି।

ଅଧିକାରୀ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ବୁଧବାର ବିକ୍ଷୋଭକାରୀଙ୍କ ସହ କଥା ହୋଇଥିଲେ ଏବଂ ଆମରଣ ଅନଶନ ବନ୍ଦ କରିବାକୁ ଅନୁରୋଧ କରିଥିଲେ ମଧ୍ୟ ସେମାନେ ପଛକୁ ଫେରିବାକୁ ମନା କରିଦେଇଥିଲେ। ଜାଲନାକୁ ଅତିରିକ୍ତ ପୋଲିସ ଫୋର୍ସ ପଠାଯାଇଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଅମିତ ଶାହାଙ୍କ ମଣିପୁର ଗସ୍ତ ପୂର୍ବରୁ ରାଜ୍ୟରେ ପୁଣି ହିଂସା, ଜଣେ ପୋଲିସ କର୍ମୀଙ୍କ ସମେତ ୫ ମୃତ

ନୂଆଦିଲ୍ଲୀ: ମଣିପୁରରେ ହିଂସା ବନ୍ଦ ହେବାର ନାମ ନେଉନାହିଁ। ଗୋଟିଏ ପଟେ ଆଜି ଗୃହମନ୍ତ୍ରୀ ଅମିତ ଶାହା ରାଜ୍ୟ ଗସ୍ତରେ ଯାଉଥିବାବେଳେ ରବିବାର ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ପୁଣି ଥରେ ହିଂସା ଦେଖାଦେଇଛି। ଏହି ହିଂସାରେ ଜଣେ ପୋଲିସ କର୍ମୀଙ୍କ ସମେତ ଅତି କମରେ ୫ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୨ ଜଣ ଆହତ ହୋଇଛନ୍ତି।

ଗତ ମାସରେ ଜାତିଗତ ହିଂସାରେ ଅତି କମରେ ୮୦ ଜଣଙ୍କର ମୃତ୍ୟୁ ଘଟିଥିଲା। ରବିବାର ଦିନ ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ହିଂସା ସମୟରେ ୪୦ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ଆତଙ୍କବାଦୀମାନେ ସାଧାରଣ ନାଗରିକଙ୍କ ବିରୋଧରେ ଏମ-୧୬ ଏବଂ ଏକେ-୪୭ ଆକ୍ରମଣକାରୀ ରାଇଫଲ ଏବଂ ସ୍ନାଇପର ବନ୍ଧୁକ ବ୍ୟବହାର କରୁଥିଲେ। ସେମାନେ ଅନେକ ଗାଁରେ ଘର ଜାଳିବାକୁ ଆସିଥିଲେ। ସେନା ତଥା ଅନ୍ୟ ସୁରକ୍ଷା ବାହିନୀ ସହାୟତାରେ ସେମାନଙ୍କ ବିରୋଧରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା, ଯେଉଁଥିରେ ପ୍ରାୟ ୪୦ ଆତଙ୍କବାଦୀ ନିହତ ହୋଇଥିଲେ।

ଗୃହମନ୍ତ୍ରୀ ଅମିତ ଶାହା ଆଜି ମଣିପୁରରେ ପହଞ୍ଚିବେ। ଏହି ପରିପ୍ରେକ୍ଷୀରେ ଶାନ୍ତି ବଜାୟ ରଖିବା ଏବଂ ସ୍ୱାଭାବିକ ସ୍ଥିତି ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ଉଭୟ କୁକି ଜନଜାତି ମେତେଇ ସମ୍ପ୍ରଦାୟକୁ ନିବେଦନ କରିଛନ୍ତି। ଏହାପୂର୍ବରୁ ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଶନିବାର ଦିନ ମଣିପୁର ଯାଇ ଆଇନ ଶୃଙ୍ଖଳା ପରିସ୍ଥିତି ସମୀକ୍ଷା କରିଛନ୍ତି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ମହିଳାଙ୍କ ଶାଢୀ ଟାଣିବା ଅଭିଯୋଗରେ ୬ ପୋଲିସ କର୍ମୀ ନିଲମ୍ବିତ: ଦୁଇ ବିଜେପି କାର୍ଯ୍ୟକର୍ତ୍ତାଙ୍କ ନାମରେ ଥାନାରେ ଏତଲା

ନୂଆଦିଲ୍ଲୀ: ଜଣେ ମହିଳାଙ୍କୁ ଶାଢୀ ଟାଣିବା ଅଭିଯୋଗରେ ୬ ଜଣ ପୋଲିସ କର୍ମୀଙ୍କୁ ନିଲମ୍ବିତ କରାଯାଇଛି। ଉତ୍ତରପ୍ରଦେଶର ଲଖୀମପୁରୀ ଖିରୀରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି। ନିଲମ୍ବନ ହୋଇଥିବା ୬ ଜଣ ପୋଲିସ କର୍ମୀଙ୍କ ମଧ୍ୟରୁ ଜଣେ ସିଓ, ଦୁଇ ଜଣ ଇନିସପେକ୍ଟର ଏବଂ ତିନି ଜଣ ସବ-ଇନିସପେକ୍ଟର ସାମିଲ ଅଛନ୍ତି। ଏହି ମାମଲାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଅଛନ୍ତି। ଯାହାକୁ ଖୋଜିବାରେ ୪ ଟି ଟିମକୁ ଲଗାଯାଇଛି।

ତେବେ ଭାଇରାଲ ହେଉଥିବା ଭିଡିଓରେ ବିଜେପି ସାଂସଦ ଏବଂ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ରେଖା ବର୍ମାଙ୍କ ପ୍ରତିନିଧି ନଜର ଆସୁଛନ୍ତି। ଭାଇରାଲ ଭିଡିଓରୁ ପୋଲିସ ତାଙ୍କୁ ଚିହ୍ନି ପାରିଛି। ପୀଡ଼ିତା ମହିଳା ଜଣଙ୍କ ସମାଜବାଦୀ ପାର୍ଟିର ଜଣେ କାର୍ଯ୍ୟକର୍ତ୍ତା ବୋଲି ଜଣା ପଡିଛି। ଏହି ଘଟଣାରେ ପାସଗାଁ ଥାନାରେ ଏତଲା ଦିଆଯାଇଛି। ଏଥିରେ ଦୁଇ ଜଣ ବିଜେପି କର୍ମୀଙ୍କ ସମେତ ଅନେକ ଅଜ୍ଞାତ ଲୋକଙ୍କ ନାମରେ କେସ ରୁଜୁ କରାଯାଇଛି।