ମହାରାଷ୍ଟ୍ରର ମରାଠା ସଂରକ୍ଷଣ ଉପରେ ଭୀଷଣ ହଙ୍ଗମା, ୪୨ ପୋଲିସ କର୍ମୀ ଆହତ, ଦୁଇଟି ବସ୍ ରେ ନିଆଁ

Published: Sep 1, 2023, 11:56 pm IST

ମୁମ୍ବାଇ: ମହାରାଷ୍ଟ୍ରର ଜାଲନା ଜିଲ୍ଲାର ମରାଠା କୋଟା ଆନ୍ଦୋଳନ ଶୁକ୍ରବାର ଦିନ ହିଂସାତ୍ମକ ରୂପ ନେଇଛି ଏବଂ ଏଥିରେ ଅତି କମରେ ୪୨ ଜଣ ପୋଲିସ କର୍ମୀ ଆହତ ହୋଇଛନ୍ତି। ଅଧିକାରୀ କହିଛନ୍ତି ଯେ ଅମ୍ବାଡ ତହସିଲର ଧୁଲେ-ସୋଲାପୁର ରାସ୍ତାରେ ଥିବା ଅନ୍ତରୱାଲୀ ସାରଥୀ ଗ୍ରାମରେ ହିଂସାତ୍ମକ ଭିଡକୁ ରୋକିବା ପାଇଁ ପୋଲିସ ଲାଠି ଚାର୍ଜ କରି ଲୁହବୁହା ଗ୍ୟାସ ଗୁଳି ଚଳାଇଥିଲା।

ମନୋଜ ଜାରେଙ୍ଗେଙ୍କ ନେତୃତ୍ୱରେ ବିକ୍ଷୋଭକାରୀମାନେ ମଙ୍ଗଳବାର ଠାରୁ ମରାଠା ସମ୍ପ୍ରଦାୟ ପାଇଁ ସଂରକ୍ଷଣ ଦାବି କରି ଗ୍ରାମରେ ଆମରଣ ଅନଶନରେ ଥିଲେ।

ରାଜନୈତିକ ଭାବେ ପ୍ରଭାବଶାଳୀ ମରାଠା ସମ୍ପ୍ରଦାୟ ପାଇଁ ରାଜ୍ୟ ସରକାର ପ୍ରଦାନ କରିଥିବା ସଂରକ୍ଷଣକୁ ସୁପ୍ରିମକୋର୍ଟ ରଦ୍ଦ କରିଛନ୍ତି। ଶାନ୍ତି ପାଇଁ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ନିବେଦନ କରିଥିଲେ ଏବଂ ହିଂସାକୁ ଉଚ୍ଚ ସ୍ତରରେ ଯାଞ୍ଚ କରିବା ପାଇଁ ଏକ କମିଟି ଗଠନ କରାଯିବ ବୋଲି ଘୋଷଣା କରିଥିଲେ। ଏଥି ସହ ଉପମୁଖ୍ୟମନ୍ତ୍ରୀ ତଥା ଗୃହମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଦାବି କରିଛନ୍ତି ଯେ, ପଥର ଫିଙ୍ଗିବା କାରଣରୁ ପୋଲିସ ଲାଠିଚାର୍ଜ କରିବାକୁ ବାଧ୍ୟ ହୋଇଛି।

ପୋଲିସ କହିଛି ଯେ, ଏହି ଆନ୍ଦୋଳନ ଶୁକ୍ରବାର ଦିନ ହିଂସାତ୍ମକ ରୂପ ନେଇଛି ଏବଂ କିଛି ଲୋକ ରାଜ୍ୟ ପରିବହନ ବସ୍ ଏବଂ ଘରୋଇ ଯାନକୁ ଟାର୍ଗେଟ କରିଛନ୍ତି।

ଅଧିକାରୀ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ବୁଧବାର ବିକ୍ଷୋଭକାରୀଙ୍କ ସହ କଥା ହୋଇଥିଲେ ଏବଂ ଆମରଣ ଅନଶନ ବନ୍ଦ କରିବାକୁ ଅନୁରୋଧ କରିଥିଲେ ମଧ୍ୟ ସେମାନେ ପଛକୁ ଫେରିବାକୁ ମନା କରିଦେଇଥିଲେ। ଜାଲନାକୁ ଅତିରିକ୍ତ ପୋଲିସ ଫୋର୍ସ ପଠାଯାଇଛି।

Related posts