Categories
ଆଜିର ଖବର ଜାତୀୟ ଖବର

ଆରବିଆଇ @୯୦ର ଉଦଘାଟନୀ ସମାରୋହକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମହାରାଷ୍ଟ୍ରର ମୁମ୍ବାଇଠାରେ ଭାରତୀୟ ରିଜର୍ଭ ବ୍ୟାଙ୍କର ୯୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ଆରବିଆଇ@ ୯୦ ଉଦଘାଟନୀ ସମାରୋହକୁ ସମ୍ବୋଧିତ କରିଛନ୍ତି। ରିଜର୍ଭ ବ୍ୟାଙ୍କର ୯୦ ବର୍ଷ ପୂର୍ତ୍ତି ଅବସରରେ ଶ୍ରୀ ମୋଦୀ ଏକ ସ୍ମାରକୀ ମୁଦ୍ରା ଉନ୍ମୋଚନ କରିଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ୧୯୩୫ ମସିହା ଏପ୍ରିଲ ପହିଲାରୁ ଏହାର କାର୍ଯ୍ୟ ଆରମ୍ଭ କରି ଆଜି ଏହାର ୯୦ତମ ବର୍ଷରେ ପ୍ରବେଶ କରିଛି।

ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତୀୟ ରିଜର୍ଭ ବ୍ୟାଙ୍କ ଆଜି ୯୦ ବର୍ଷ ପୂର୍ତ୍ତି ଅବସରରେ ଏକ ଐତିହାସିକ ସ୍ଥାନରେ ପହଞ୍ଚିଛି। ରିଜର୍ଭ ବ୍ୟାଙ୍କ ଉଭୟ ସ୍ୱାଧୀନତା ପୂର୍ବ ଓ ପରବର୍ତ୍ତୀ ଯୁଗର ସାକ୍ଷୀ ହୋଇଛି ଏବଂ ନିଜର ବୃତ୍ତିଗତ ଆଭିମୁଖ୍ୟ ଓ ପ୍ରତିବଦ୍ଧତା ଆଧାରରେ ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ବୋଲି ସେ ଉଲ୍ଲେଖ କରିଥିଲେ। ଆରବିଆଇର ୯୦ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ସମସ୍ତ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ବର୍ତ୍ତମାନର ଆରବିଆଇ କର୍ମଚାରୀମାନଙ୍କୁ ଭାଗ୍ୟଶାଳୀ ବୋଲି ଅଭିହିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ପ୍ରସ୍ତୁତ କରାଯାଇଥିବା ନୀତିଗୁଡ଼ିକ ଆରବିଆଇର ପରବର୍ତ୍ତୀ ଦଶନ୍ଧିକୁ ଆକାର ଦେବ ଏବଂ ଆଗାମୀ ୧୦ ବର୍ଷ ରିଜର୍ଭ ବ୍ୟାଙ୍କକୁ ଏହାର ଶତବାର୍ଷିକୀ ବର୍ଷକୁ ନେଇଯିବ । ଦ୍ରୁତ ଅଭିବୃଦ୍ଧି, ବିଶ୍ୱାସ ଏବଂ ସ୍ଥିରତା ଉପରେ ଧ୍ୟାନ ଦେବା ଦିଗରେ ରିଜର୍ଭ ବ୍ୟାଙ୍କର ପ୍ରାଥମିକତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ‘‘ଆଗାମୀ ଦଶନ୍ଧି ଏକ ବିକଶିତ ଭାରତର ସଂକଳ୍ପ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।’’ ଏହାର ଲକ୍ଷ୍ୟ ଓ ସଂକଳ୍ପ ପୂରଣ ପାଇଁ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି।

ଦେଶର ଜିଡିପି ଏବଂ ଅର୍ଥନୀତିରେ ମୁଦ୍ରା ଏବଂ ବିତ୍ତୀୟ ନୀତିର ସମନ୍ୱୟ ଉପରେ ଗୁରୁତ୍ୱ ଦେଇ  ପ୍ରଧାନମନ୍ତ୍ରୀ ୨୦୧୪ରେ ଆରବିଆଇର ୮୦ ବର୍ଷ ପୂର୍ତ୍ତି ଉତ୍ସବକୁ ମନେ ପକାଇଥିଲେ ଏବଂ ସେହି ସମୟରେ ଦେଶର ବ୍ୟାଙ୍କିଙ୍ଗ ବ୍ୟବସ୍ଥା ସମ୍ମୁଖୀନ ହୋଇଥିବା ଏନପିଏ ଏବଂ ସ୍ଥିରତା ଭଳି ଆହ୍ୱାନ ଏବଂ ସମସ୍ୟାକୁ ମନେ ପକାଇଥିଲେ । ସେଠାରୁ ଆରମ୍ଭ କରି ଆଜି ଆମେ ଏପରି ଏକ ସ୍ଥିତିରେ ପହଞ୍ଚିଛୁ ଯେଉଁଠାରେ ଭାରତୀୟ ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ବିଶ୍ୱର ଏକ ସୁଦୃଢ଼ ଏବଂ ସ୍ଥାୟୀ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ଭାବରେ ଦେଖାଯାଉଛି କାରଣ ସେହି ସମୟରେ ପ୍ରାୟତଃ ସ୍ଥାଣୁ ପାଲଟି ଯାଇଥିବା ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ଏବେ ଲାଭରେ ଅଛି ଏବଂ ରେକର୍ଡ କ୍ରେଡିଟ୍ ଦେଖାଉଛି।

ଏହି ପରିବର୍ତ୍ତନ ପାଇଁ ପ୍ରଧାନମନ୍ତ୍ରୀ ନୀତି, ଉଦ୍ଦେଶ୍ୟ ଏବଂ ନିଷ୍ପତ୍ତିର ସ୍ପଷ୍ଟତାକୁ ଶ୍ରେୟ ଦେଇଥିଲେ । ଯେଉଁଠି ଉଦ୍ଦେଶ୍ୟ ଠିକ୍, ସେଠାରେ ଫଳାଫଳ ମଧ୍ୟ ଠିକ୍ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସଂସ୍କାରର ବ୍ୟାପକ ପ୍ରକୃତି ଉପରେ ବକ୍ତବ୍ୟ ରଖି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର ସ୍ୱୀକୃତି, ସଂକଳ୍ପ ଏବଂ ପୁନଃପୁଞ୍ଜିକରଣ ରଣନୀତି ଉପରେ କାର୍ଯ୍ୟ କରିଛନ୍ତି। ପ୍ରଶାସନିକ ସମ୍ବନ୍ଧୀୟ ଅନେକ ସଂସ୍କାର ସହିତ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ସାହାଯ୍ୟ କରିବା ପାଇଁ ୩.୫ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ କରାଯାଇଥିଲା। କେବଳ ଦେବାଳିଆ ଓ ଦେବାଳିଆପଣ ସଂହିତା ଦ୍ୱାରା ୩.୨୫ ଲକ୍ଷ ଟଙ୍କାର ଋଣର ସମାଧାନ କରିଛି ବୋଲି ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି। ଆଇବିସି ଅଧୀନରେ ପ୍ରବେଶ ପୂର୍ବରୁ ୯ ଲକ୍ଷ କୋଟି ଟଙ୍କାରୁ ଅଧିକ ଡିଫଲ୍ଟ ଥିବା ୨୭,୦୦୦ରୁ ଅଧିକ ଆବେଦନର ସମାଧାନ କରାଯାଇଥିଲା ବୋଲି ସେ ଦେଶକୁ ସୂଚନା ଦେଇଛନ୍ତି। ୨୦୧୮ରେ ବ୍ୟାଙ୍କଗୁଡ଼ିକର ମୋଟ ଏନପିଏ ୧୧.୨୫ ପ୍ରତିଶତ ଥିବା ବେଳେ ୨୦୨୩ ସେପ୍ଟେମ୍ବର ସୁଦ୍ଧା ଏହା ୩ ପ୍ରତିଶତ ତଳକୁ ଖସି ଆସିଛି। ଟ୍ୱିନ୍ ବାଲାନ୍ସ ସିଟ୍ ସମସ୍ୟାକୁ ଅତୀତର ସମସ୍ୟା ବୋଲି ସେ କହିଛନ୍ତି। ଏହି ପରିବର୍ତ୍ତନରେ ଆରବିଆଇର ଅବଦାନ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଶଂସା କରିଥିଲେ।

ପ୍ରଧାନମନ୍ତ୍ରୀ ମୋଦୀ ଦର୍ଶାଇଛନ୍ତି ଯେ ଯଦିଓ ଆରବିଆଇ ସହ ଜଡିତ ଆଲୋଚନା ପ୍ରାୟତଃ ଆର୍ଥିକ ସଂଜ୍ଞା ଏବଂ ଜଟିଳ ଶବ୍ଦରେ ସୀମିତ ରହିଥାଏ, ତଥାପି ଆରବିଆଇରେ କରାଯାଇଥିବା କାର୍ଯ୍ୟ ସିଧାସଳଖ ସାଧାରଣ ନାଗରିକଙ୍କ ଜୀବନ ଉପରେ ପ୍ରଭାବ ପକାଇଥାଏ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗତ ୧୦ ବର୍ଷ ମଧ୍ୟରେ ସରକାର କେନ୍ଦ୍ରୀୟ ବ୍ୟାଙ୍କ, ବ୍ୟାଙ୍କିଙ୍ଗ ବ୍ୟବସ୍ଥା ଏବଂ ଅନ୍ତିମ ସୋପାନରେ ହିତାଧିକାରୀଙ୍କ ମଧ୍ୟରେ ସଂଯୋଗ ଉପରେ ଜୋର ଦେଇଛନ୍ତି। ସେ ଗରିବଙ୍କ ଆର୍ଥିକ ଅନ୍ତର୍ଭୁକ୍ତୀକରଣର ମଧ୍ୟ ଉଦାହରଣ ଦେଇଥିଲେ। ଦେଶର ୫୨ କୋଟି ଜନଧନ ଆକାଉଣ୍ଟ ମଧ୍ୟରୁ ୫୫ ପ୍ରତିଶତ ମହିଳାଙ୍କର ବୋଲି ସେ ଉଲ୍ଲେଖ କରିଛନ୍ତି। କୃଷି ଏବଂ ମତ୍ସ୍ୟ କ୍ଷେତ୍ରରେ ଆର୍ଥିକ ଅନ୍ତର୍ଭୁକ୍ତୀକରଣର ପ୍ରଭାବ ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ ଯେଉଁଠାରେ ୭ କୋଟିରୁ ଅଧିକ କୃଷକ, ମତ୍ସ୍ୟଜୀବୀ ଏବଂ ଗୋରୁ ମାଲିକମାନେ ପିଏମ କିଷାନ କ୍ରେଡିଟ୍ କାର୍ଡ ଉପଲବ୍ଧ କରାଇଛନ୍ତି ଯାହା ଗ୍ରାମୀଣ ଅର୍ଥବ୍ୟବସ୍ଥାକୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୋତ୍ସାହନ ପ୍ରଦାନ କରୁଛି । ବିଗତ ୧୦ ବର୍ଷ ମଧ୍ୟରେ ସମବାୟ କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ସମବାୟ ବ୍ୟାଙ୍କ ସମ୍ପର୍କରେ ଭାରତୀୟ ରିଜର୍ଭ ବ୍ୟାଙ୍କର ନିୟମାବଳୀର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ସେ ୟୁପିଆଇ ମାଧ୍ୟମରେ ୧୨୦୦ କୋଟିରୁ ଅଧିକ ମାସିକ କାରବାର ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ ଯାହା ଏହାକୁ ବିଶ୍ୱସ୍ତରରେ ସ୍ୱୀକୃତିପ୍ରାପ୍ତ ପ୍ଲାଟଫର୍ମରେ ପରିଣତ କରିଛି। କେନ୍ଦ୍ରୀୟ ବ୍ୟାଙ୍କ ଡିଜିଟାଲ ମୁଦ୍ରା ଉପରେ କରାଯାଉଥିବା କାର୍ଯ୍ୟ ସମ୍ପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀ କହିଥିଲେ। ସେ କହିଥିଲେ ଯେ ଗତ ୧୦ ବର୍ଷର ପରିବର୍ତ୍ତନ ଏକ ନୂତନ ବ୍ୟାଙ୍କିଙ୍ଗ ବ୍ୟବସ୍ଥା, ଅର୍ଥନୀତି ଏବଂ ମୁଦ୍ରା ଅଭିଜ୍ଞତା ସୃଷ୍ଟି କରିବାରେ ସକ୍ଷମ କରିଛି।

ଆଗାମୀ ୧୦ ବର୍ଷର ଲକ୍ଷ୍ୟ ପାଇଁ ସ୍ପଷ୍ଟତାର ଗୁରୁତ୍ୱ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଡିଜିଟାଲ କାରବାରକୁ ପ୍ରୋତ୍ସାହିତ କରିବା ସହିତ କ୍ୟାସଲେସ୍ ଅର୍ଥବ୍ୟବସ୍ଥା ଦ୍ୱାରା ଆସିଥିବା ପରିବର୍ତ୍ତନ ଉପରେ ନଜର ରଖିବାର ଗୁରୁତ୍ୱ ଉପରେ ସେ ଜୋର ଦେଇଥିଲେ। ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଏବଂ ସଶକ୍ତୀକରଣ ପ୍ରକ୍ରିୟାକୁ ଆହୁରି ସୁଦୃଢ଼ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।

ଭାରତ ଭଳି ଏକ ବିଶାଳ ଦେଶର ବିବିଧ ବ୍ୟାଙ୍କିଙ୍ଗ ଆବଶ୍ୟକତା ଉପରେ ଜୋର ଦେଇ ପ୍ରଧାନମନ୍ତ୍ରୀ ‘ଇଜ୍ ଅଫ୍ ଡୁଇଙ୍ଗ୍ ବ୍ୟାଙ୍କିଙ୍ଗ୍’ ବା ବ୍ୟାଙ୍କ କାରବାରକୁ ସହଜ କରିବାରେ ଉନ୍ନତି ଆଣିବା ଏବଂ ନାଗରିକଙ୍କ ଆବଶ୍ୟକତା ଅନୁଯାୟୀ ଉପଯୁକ୍ତ ସେବା ପ୍ରଦାନ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ସେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ମେସିନ୍ ଲର୍ଣ୍ଣିଂର ଭୂମିକା ଉପରେ ଆଲୋକପାତ କରିଥିଲେ।

ଦେଶର ଦ୍ରୁତ ଏବଂ ସ୍ଥାୟୀ ଅଭିବୃଦ୍ଧିରେ ଆରବିଆଇର ଭୂମିକା ଉପରେ ସେ ଆଲୋକପାତ କରିଥିଲେ । ବ୍ୟାଙ୍କିଙ୍ଗ କ୍ଷେତ୍ରରେ ନିୟମ ଭିତ୍ତିକ ଶୃଙ୍ଖଳା ଏବଂ ଆର୍ଥିକ ଦୃଷ୍ଟିରୁ ବିଚକ୍ଷଣ ନୀତି ପ୍ରଣୟନ କରିବାରେ ଆରବିଆଇର ସଫଳତା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ବ୍ୟାଙ୍କଗୁଡ଼ିକୁ ସରକାରଙ୍କ ସହାୟତାର ପ୍ରତିଶ୍ରୁତି ଦେବା ସହିତ ସକ୍ରିୟ ପଦକ୍ଷେପ ଗ୍ରହଣ କରିବା ପାଇଁ ବିଭିନ୍ନ କ୍ଷେତ୍ରର ଆବଶ୍ୟକତାର ଆଗୁଆ ଆକଳନ କରିବାକୁ ମଧ୍ୟ କହିଥିଲେ । ରିଜର୍ଭ ବ୍ୟାଙ୍କକୁ ମୁଦ୍ରାସ୍ଫୀତି ଲକ୍ଷ୍ୟର ଅଧିକାର ଦେବା ଭଳି ମୁଦ୍ରାସ୍ଫୀତି ନିୟନ୍ତ୍ରଣ ପଦକ୍ଷେପ ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଏବଂ ଏ ଦିଗରେ ମୁଦ୍ରାନୀତି କମିଟିର ପ୍ରଦର୍ଶନକୁ ପ୍ରଶଂସା କରିଥିଲେ । ସକ୍ରିୟ ମୂଲ୍ୟ ନିରୀକ୍ଷଣ ଏବଂ ବିତ୍ତୀୟ ସୁଦୃଢ଼ୀକରଣ ଭଳି ପଦକ୍ଷେପ କରୋନାର କଠିନ ସମୟରେ ମଧ୍ୟ ମୁଦ୍ରାସ୍ଫୀତିକୁ ମଧ୍ୟମ ସ୍ତରରେ ରଖିଥିଲା ବୋଲି ସେ କହିଥିଲେ ।

ଯଦି କୌଣସି ଦେଶର ପ୍ରାଥମିକତା ସ୍ପଷ୍ଟ ହୁଏ ତେବେ ତାକୁ କେହି ପ୍ରଗତିରୁ ଅଟକାଇ ପାରିବେ ନାହିଁ ବୋଲି ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ। କରୋନା ମହାମାରୀ ସମୟରେ ସରକାର ଆର୍ଥିକ ସଚେତନତା ପ୍ରତି ଧ୍ୟାନ ଦେବା ସହ ସାଧାରଣ ନାଗରିକଙ୍କ ଜୀବନକୁ ପ୍ରାଥମିକତା ଦେଉଥିବାରୁ ଗରିବ ଓ ମଧ୍ୟବିତ୍ତ ବର୍ଗ ପ୍ରତିକୂଳ ପରିସ୍ଥିତିରୁ ମୁକୁଳି ଆଜି ଦେଶର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିଛନ୍ତି ବୋଲି ସେ ଉଦାହରଣ ଦେଇଥିଲେ। ମହାମାରୀର ଆର୍ଥିକ ଝଟକାରୁ ମୁକୁଳିବା ପାଇଁ ବିଶ୍ୱର ଅନେକ ଦେଶ ଏବେ ବି ପ୍ରୟାସ କରୁଥିବା ବେଳେ ଭାରତୀୟ ଅର୍ଥନୀତି ନୂଆ ରେକର୍ଡ ସୃଷ୍ଟି କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଭାରତର ସଫଳତାକୁ ବିଶ୍ୱସ୍ତରରେ ପହଞ୍ଚାଇବାରେ ଆରବିଆଇର ଭୂମିକା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଯେକୌଣସି ବିକାଶଶୀଳ ଦେଶ ପାଇଁ ମୁଦ୍ରାସ୍ଫୀତି ନିୟନ୍ତ୍ରଣ ଏବଂ ଅଭିବୃଦ୍ଧି ମଧ୍ୟରେ ସନ୍ତୁଳନ ସୃଷ୍ଟି କରିବାର ଗୁରୁତ୍ୱ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ମୋଦୀ ବିଶ୍ୱାସ ବ୍ୟକ୍ତ କରିଥିଲେ ଯେ ଆରବିଆଇ ଏଥିପାଇଁ ଏକ ମଡେଲ ହୋଇପାରିବ ଏବଂ ବିଶ୍ୱରେ ଏକ ନେତୃତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ, ଯାହା ସମଗ୍ର ଗ୍ଲୋବାଲ୍‌ ସାଉଥ ବା ଦକ୍ଷିଣ ବିଶ୍ୱ କ୍ଷେତ୍ରକୁ ସମର୍ଥନ କରିବ।

ଭାରତ ଆଜି ବିଶ୍ୱର ସବୁଠାରୁ ଯୁବ ରାଷ୍ଟ୍ର ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଯୁବବର୍ଗଙ୍କ ଆକାଂକ୍ଷା ପୂରଣ କରିବାରେ ଆରବିଆଇ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା କଥା କହିଥିଲେ। ଦେଶରେ ନୂଆ ନୂଆ କ୍ଷେତ୍ର ଖୋଲିବାରେ ସରକାରଙ୍କ ନୀତିକୁ ସେ ଶ୍ରେୟ ଦେଇଛନ୍ତି ଯାହାଦ୍ୱାରା ଆଜିର ଯୁବପିଢିଙ୍କ ପାଇଁ ଅନେକ ସୁଯୋଗ ସୃଷ୍ଟି ହୋଇଛି। ସେ ସବୁଜ ଶକ୍ତି କ୍ଷେତ୍ରର ସମ୍ପ୍ରସାରଣର ଉଦାହରଣ ଦେବା ସହ ସୌର ଶକ୍ତି, ସବୁଜ ହାଇଡ୍ରୋଜେନ ଏବଂ ଇଥାନଲ ମିଶ୍ରଣ ବିଷୟରେ ଉଲ୍ଲେଖ କରିଥିଲେ। ସେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ୫ଜି ପ୍ରଯୁକ୍ତି ବିଦ୍ୟା ଏବଂ ପ୍ରତିରକ୍ଷା କ୍ଷେତ୍ରରେ ବଢୁଥିବା ରପ୍ତାନି ବିଷୟରେ ମଧ୍ୟ ସ୍ପର୍ଶ କରିଥିଲେ। ଏମ୍ଏସ୍ଏମ୍ଇ ଗୁଡ଼ିକ ଭାରତର ଉତ୍ପାଦନ କ୍ଷେତ୍ରର ମେରୁଦଣ୍ଡ ପାଲଟିବା ବିଷୟରେ ଜୋର ଦେଇ ପ୍ରଧାନମନ୍ତ୍ରୀ କହିଥିଲେ, କୋଭିଡ୍ ମହାମାରୀ ସମୟରେ ଏମ୍ଏସ୍ଏମ୍ଇଗୁଡ଼ିକୁ ସହାୟତା କରିବା ପାଇଁ କ୍ରେଡିଟ୍ ଗ୍ୟାରେଣ୍ଟି ସ୍କିମର କାର୍ଯ୍ୟକାରିତା ଉପରେ ଆଲୋକପାତ କରିଥିଲେ। ନୂଆ କ୍ଷେତ୍ର ସହ ଜଡ଼ିତ ଯୁବକମାନଙ୍କ ପାଇଁ ଋଣ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ରିଜର୍ଭ ବ୍ୟାଙ୍କ ବାହାର ନୀତି ପ୍ରଣୟନ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ଏକବିଂଶ ଶତାବ୍ଦୀରେ ନବସୃଜନର ଗୁରୁତ୍ୱ ଉପରେ ଜୋର ଦେଇ ପ୍ରଧାନମନ୍ତ୍ରୀ ନିଜ ଦଳ ସହିତ ଅତ୍ୟାଧୁନିକ ଜ୍ଞାନକୌଶଳ ଏବଂ ଏହି କାର୍ଯ୍ୟ ପାଇଁ କର୍ମଚାରୀ ଚିହ୍ନଟ ସମ୍ପର୍କରେ ଆସୁଥିବା ପ୍ରସ୍ତାବଗୁଡ଼ିକ ପାଇଁ ପ୍ରସ୍ତୁତ ରହିବାକୁ କହିଥିଲେ। ମହାକାଶ ଏବଂ ପର୍ଯ୍ୟଟନ ଭଳି ନୂତନ ଏବଂ ପାରମ୍ପରିକ କ୍ଷେତ୍ରର ଆବଶ୍ୟକତା ପାଇଁ ପ୍ରସ୍ତୁତ ରହିବାକୁ ସେ ବ୍ୟାଙ୍କର୍‌ ଏବଂ ନିୟାମକମାନଙ୍କୁ କହିଥିଲେ। ଆଗାମୀ ବର୍ଷଗୁଡ଼ିକରେ ଅଯୋଧ୍ୟା ବିଶ୍ୱର ସର୍ବବୃହତ ଧାର୍ମିକ ପର୍ଯ୍ୟଟନ କେନ୍ଦ୍ର ହେବାକୁ ଯାଉଛି ବୋଲି ସେ ବିଶେଷଜ୍ଞଙ୍କ ମତ ଉଲ୍ଲେଖ କରିଥିଲେ।

ପ୍ରଧାନମନ୍ତ୍ରୀ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଏବଂ ଡିଜିଟାଲ ଦେୟ ପାଇଁ ସରକାରଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟକୁ ଶ୍ରେୟ ଦେଇଥିଲେ ଯାହା କ୍ଷୁଦ୍ର ବ୍ୟବସାୟୀ ଏବଂ ଷ୍ଟ୍ରିଟ୍ ଭେଣ୍ଡରଙ୍କ ଆର୍ଥିକ କ୍ଷମତାରେ ସ୍ୱଚ୍ଛତା ସୃଷ୍ଟି କରିଛି । ସେମାନଙ୍କୁ ଆର୍ଥିକ ଭାବେ ସଶକ୍ତ କରିବା ପାଇଁ ଏହି ସୂଚନା ବ୍ୟବହାର କରାଯିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

ଆଗାମୀ ୧୦ ବର୍ଷ ମଧ୍ୟରେ ଭାରତର ଆର୍ଥିକ ଆତ୍ମନିର୍ଭରଶୀଳତା ବୃଦ୍ଧି କରିବା ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ଗୁରୁତ୍ୱାରୋପ କରିଛନ୍ତି। ଆଜି ବିଶ୍ୱ ଜିଡିପି ଅଭିବୃଦ୍ଧିରେ ୧୫ ପ୍ରତିଶତ ଅଂଶ ସହ ଭାରତ ବିଶ୍ୱ ଅଭିବୃଦ୍ଧିର ଇଞ୍ଜିନ୍ ପାଲଟିଛି ବୋଲି ଶ୍ରୀ ମୋଦୀ କହିଥିଲେ। ସମଗ୍ର ବିଶ୍ୱରେ ଟଙ୍କାକୁ ଅଧିକ ସୁଲଭ ଏବଂ ଗ୍ରହଣୀୟ କରିବାର ପ୍ରୟାସ ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଅତ୍ୟଧିକ ଆର୍ଥିକ ସମ୍ପ୍ରସାରଣ ଏବଂ ଋଣର ବଢୁଥିବା ଧାରା ସମ୍ପର୍କରେ ମଧ୍ୟ ସେ ଆଲୋଚନା କରିଥିଲେ। ସେ ଦର୍ଶାଇଥିଲେ ଯେ ଅନେକ ଦେଶର ଘରୋଇ କ୍ଷେତ୍ରର ଋଣ ସେମାନଙ୍କ ଜିଡିପିକୁ ଦ୍ୱିଗୁଣିତ କରିଛନ୍ତି। ଅନେକ ଦେଶର ଋଣ ସ୍ତର ମଧ୍ୟ ବିଶ୍ୱ ଉପରେ ନକାରାତ୍ମକ ପ୍ରଭାବ ପକାଉଛି ବୋଲି ସେ କହିଥିଲେ। ଭାରତର ଅଭିବୃଦ୍ଧି କ୍ଷମତା ଏବଂ ସମ୍ଭାବନାକୁ ଦୃଷ୍ଟିରେ ରଖି ଆରବିଆଇ ଏହା ଉପରେ ଏକ ଅଧ୍ୟୟନ କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ।

ପ୍ରଧାନମନ୍ତ୍ରୀ ମୋଦୀ ଦେଶର ପ୍ରକଳ୍ପଗୁଡ଼ିକୁ ଆବଶ୍ୟକ ପାଣ୍ଠି ଯୋଗାଇବା ପାଇଁ ଏକ ଶକ୍ତିଶାଳୀ ବ୍ୟାଙ୍କିଙ୍ଗ ଶିଳ୍ପର ଆବଶ୍ୟକତା ଉପରେ ଜୋର ଦେଇଥିଲେ। ଏଆଇ ଏବଂ ବ୍ଲକଚେନ୍ ଭଳି ଟେକ୍ନୋଲୋଜି ଦ୍ୱାରା ହୋଇଥିବା ପରିବର୍ତ୍ତନକୁ ସେ ଉଲ୍ଲେଖ କରିଥିଲେ ଏବଂ ବଢୁଥିବା ଡିଜିଟାଲ ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ସାଇବର ସୁରକ୍ଷା ଉପରେ ଗୁରୁତ୍ୱ ଦେଇଥିଲେ। ନୂଆ ଫାଇନାନ୍ସିଂ, ଅପରେଟିଂ ଏବଂ ବିଜନେସ୍ ମଡେଲର ଆବଶ୍ୟକତା ଥିବାରୁ ଫିନଟେକ୍ ଇନୋଭେସନ୍ ପରିପ୍ରେକ୍ଷୀରେ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାର ଢାଞ୍ଚାରେ ଆବଶ୍ୟକ ପରିବର୍ତ୍ତନ ବିଷୟରେ ଚିନ୍ତା କରିବାକୁ ସେ ଦର୍ଶକମାନଙ୍କୁ କହିଥିଲେ। ବିଶ୍ୱ ଚାମ୍ପିଅନଙ୍କ ଠାରୁ ଉଠାଦୋକାନୀଙ୍କ ପର୍ଯ୍ୟନ୍ତ, ଅତ୍ୟାଧୁନିକ କ୍ଷେତ୍ର ଠାରୁ ଆରମ୍ଭ କରି ପାରମ୍ପରିକ କ୍ଷେତ୍ର ପର୍ଯ୍ୟନ୍ତ ଋଣ ଆବଶ୍ୟକତା ପୂରଣ କରିବା ବିକଶିତ ଭାରତ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ସେ କହିଥିଲେ ଯେ, ଆରବିଆଇ ବିକଶିତ ଭାରତର ବ୍ୟାଙ୍କିଙ୍ଗ ଦୃଷ୍ଟିକୋଣର ସାମଗ୍ରିକ ପ୍ରଶଂସା ପାଇଁ ଏକ ଉପଯୁକ୍ତ ସଂସ୍ଥା ଅଟେ।

ଏହି ଅବସରରେ ମହାରାଷ୍ଟ୍ର ରାଜ୍ୟପାଳ ରମେଶ ବୈସ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ ଓ ଅଜିତ ପାୱାର, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଅର୍ଥ ରାଷ୍ଟ୍ରମନ୍ତ୍ରୀ ଭାଗବତ କିଶନରାଓ କରାଡ ଓ ପଙ୍କଜ ଚୌଧୁରୀ, ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର

ଢାକାରେ ଜରୁରୀକାଳୀନ ଅବତରଣ କଲା ମୁମ୍ବାଇରୁ ଗୁଆହାଟି ଅଭିମୁଖେ ଯାଉଥିବା ଇଣ୍ଡିଗୋ ବିମାନ

ନୂଆଦିଲ୍ଲୀ: ମୁମ୍ବାଇରୁ ଗୁଆହାଟି ଅଭିମୁଖେ ଯାଉଥିବା ଇଣ୍ଡିଗୋ ବିମାନ ବାଂଲାଦେଶର ରାଜଧାନୀ ଢକାରେ ଜରୁରୀକାଳୀନ ଅବତରଣ କରିଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ଇଣ୍ଡିଗୋ ବିମାନ ନମ୍ବର 6E 5319 ମୁମ୍ବାଇରୁ ଗୁଆହାଟୀ ଯିବାକୁ ଥିଲା, କିନ୍ତୁ ଗୁଆହାଟୀରେ ଘନ କୁହୁଡି ହେତୁ ବିମାନ ସେଠାରେ ଅବତରଣ କରି ପାରିନଥିଲା। ବିମାନଟି ଢାକା ବିମାନବନ୍ଦରରେ ଅବତରଣ କରିଥିଲା। ବିଶେଷ କଥା ହେଉଛି ଏହି ବିମାନରେ ଥିବା ସମସ୍ତ ଯାତ୍ରୀଙ୍କ ପାଖରେ ପାସପୋର୍ଟ ନାହିଁ। ଏଭଳି ପରିସ୍ଥିତିରେ ଢକା ବିମାନବନ୍ଦରରେ ଠିଆ ହୋଇଥିବା ବିମାନ ଭିତରେ ସମସ୍ତ ଯାତ୍ରୀ ବସିଛନ୍ତି।

ମୁମ୍ବାଇର ଯୁବ କଂଗ୍ରେସର ପୂର୍ବତନ ମୁଖ୍ୟ ସୁରଜ ସିଂ ଠାକୁର ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ପୋଷ୍ଟ କରିଛନ୍ତି ଯେ, ମୁମ୍ବାଇରୁ ଗୁଆହାଟୀ ଅଭିମୁଖେ ଯାଉଥିବା ବିମାନ ବର୍ତ୍ତମାନ ଢକାରେ ଅବତରଣ କରିଛି।

ସେ ଆହୁରି ଲେଖିଛନ୍ତି ଯେ, ମୁଁ ମୁମ୍ବାଇରୁ ଗୁଆହାଟୀ ପର୍ଯ୍ୟନ୍ତ IndiGo6E ବିମାନ ନମ୍ବର 6E 5319 ରେ ଯାତ୍ରା କରିଥିଲି। କିନ୍ତୁ ଘନ କୁହୁଡି ଯୋଗୁଁ ବିମାନଟି ଗୁଆହାଟୀରେ ଅବତରଣ କରିପାରିଲା ନାହିଁ। ଗୁଆହାଟି ବଦଳରେ ଏହାକୁ ଢାକାରେ ଅବତରଣ କରାଯାଇଥିଲା। ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ଏହି ବିମାନରେ ବସିଥିବା ଯାତ୍ରୀମାନଙ୍କ ମଧ୍ୟରୁ କାହାର ପାସପୋର୍ଟ ନାହିଁ। ଏବଂ ସମସ୍ତେ ପାସପୋର୍ଟ ବିନା ଢାକା ବିମାନବନ୍ଦରରେ ଅଛନ୍ତି।

Categories
ଆଜିର ଖବର

ମୁମ୍ବାଇରେ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡ. ପି କେ ମିଶ୍ର ଆଜି ମୁମ୍ବାଇର ପୂର୍ବ ଗୋରେଗାଓଁରେ ଆୟୋଜିତ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଅଂଶଗ୍ରହଣ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ୧୫୦୦ରୁ ଅଧିକ ଲୋକ ଉତ୍ସାହଜନକ ଭାବେ ଅଂଶଗ୍ରହଣ କରିଥିଲେ। ପ୍ରମୁଖ ସଚିବଙ୍କ ସହ ସମସ୍ତ ଅଂଶଗ୍ରହଣକାରୀ ବିକଶିତ ଭାରତ ଗଠନ ପାଇଁ ଶପଥ ନେଇଥିଲେ। ମେରି କାହାନି ମେରି ଜୁବାନି କାର୍ଯ୍ୟକ୍ରମ ଅଧୀନରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ହିତାଧିକାରୀମାନେ ସେମାନଙ୍କ ଅନୁଭୂତି ଏବଂ ସଫଳତାର କାହାଣୀ ବଖାଣିଥିଲେ।

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା ଏବଂ ବିକଶିତ ଭାରତ ସଂକଳ୍ପ ଯାତ୍ରାର ଉଦ୍ଦେଶ୍ୟ ଉପରେ ଚଳଚ୍ଚିତ୍ର ମଧ୍ୟ ପ୍ରଦର୍ଶିତ ହୋଇଥିଲା।

ମୁଦ୍ରା, ପିଏମ୍ ସ୍ୱନିଧି ଭଳି ଯୋଜନାର ହିତାଧିକାରୀଙ୍କୁ ପ୍ରମୁଖ ସଚିବ ସାର୍ଟିଫିକେଟ୍ ଓ ସୁବିଧା ପ୍ରଦାନ କରିଥିଲେ।

ପ୍ରମୁଖ ସଚିବ ସରକାରୀ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ସ୍ଥାପନ ହୋଇଥିବା ମଣ୍ଡପ ପରିଦର୍ଶନ କରି ଏପର୍ଯ୍ୟନ୍ତ ଏହି ଯୋଜନାଗୁଡ଼ିକର ସୁଫଳ ପାଇ ପାରୁନଥିବା ସମସ୍ତ ହିତାଧିକାରୀଙ୍କ ନିକଟରେ ପହଞ୍ଚିଥିଲେ।

ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ମଧ୍ୟ ଅଂଶଗ୍ରହଣକାରୀମାନଙ୍କୁ ସମ୍ବୋଧିତ କରିଥିଲେ। ସେ ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତ ପରିକଳ୍ପନା ବିଷୟରେ କହିଥିଲେ ଏବଂ ନାଗରିକମାନଙ୍କୁ ପୂର୍ଣ୍ଣ ଉତ୍ସାହର ସହ ଯାତ୍ରାରେ ଅଂଶଗ୍ରହଣ କରିବାକୁ ଅନୁରୋଧ କରିଥିଲେ । ସେ ସରକାରୀ ଯୋଜନାଗୁଡିକର କାର୍ଯ୍ୟକାରିତା ଏବଂ ଶେଷ ମାଇଲରେ ସଫଳତାର ସହ ପହଞ୍ଚିବାର ଆଭିମୁଖ୍ୟ ଉପରେ ମଧ୍ୟ ବକ୍ତବ୍ୟ ରଖିଥିଲେ ।

ମୁମ୍ବାଇ ସହରରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ସଫଳ ଆୟୋଜନ କରିଥିବାରୁ ପ୍ରମୁଖ ସଚିବ ବିଏମସି ପ୍ରଶାସନକୁ ପ୍ରଶଂସା କରିଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଅପରାଧ ଆଜିର ଖବର ଜାତୀୟ ଖବର

ମୁମ୍ବାଇ ଆକ୍ରମଣ ମାଷ୍ଟରମାଇଣ୍ଡ ଆତଙ୍କବାଦୀ ହାଫିଜ ସଇଦଙ୍କୁ ଭାରତ ଅଣାଯିବ!: ଭାରତ କଲା ଏହି ଦାବି

ନୂଆଦିଲ୍ଲୀ: ମୁମ୍ବାଇରେ ୨୬/୧୧ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଲଶ୍କର-ଏ-ତୋଇବା ନେତା ଆତଙ୍କବାଦୀ ହାଫିଜ ସଇଦଙ୍କୁ ଭାରତକୁ ଆଣିବା କଥା। ପାକିସ୍ତାନୀ ଗଣମାଧ୍ୟମରେ ଦାବି କରାଯାଉଛି ଯେ, ଆତଙ୍କବାଦୀ ହାଫିଜ ସଇଦଙ୍କୁ ପାକିସ୍ତାନ ସରକାରଙ୍କଠାରୁ ପ୍ରତ୍ୟର୍ପଣ ପାଇଁ ଭାରତ ଏକ ସରକାରୀ ଦାବି କରିଛି। ଇସଲାମାବାଦ ପୋଷ୍ଟରେ କୁହାଯାଇଛି ଯେ, ହାଫିଜ ସଇଦଙ୍କୁ ହସ୍ତାନ୍ତର ପାଇଁ ଭାରତ ପାକିସ୍ତାନକୁ ଆଇନଗତ ପ୍ରକ୍ରିୟା ଆରମ୍ଭ କରିବାକୁ କହିଛି।

ଆତଙ୍କବାଦୀ ହାଫିଜଙ୍କ ଦଳ ପାକିସ୍ତାନର ସାଧାରଣ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛି

ଆସନ୍ତା ବର୍ଷ ଫେବୃଆରୀରେ ହେବାକୁ ଥିବା ନିର୍ବାଚନରେ ​​ଅଂଶଗ୍ରହଣ କରିବ ବୋଲି ହାଫିଜ ସଇଦଙ୍କ ଦଳ ପାକିସ୍ତାନ ମରକଜି ମୁସଲିମ ଲିଗ (ପିଏମଏମଏଲ) ସୂଚନା ଦେଇଛି। ଏକ ଭିଡିଓରେ PMML ସଭାପତି ଖାଲିଦ ମାସୁଦ ସିନ୍ଧୁ କହିଛନ୍ତି ଯେ, ତାଙ୍କ ଦଳ ଅଧିକାଂଶ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛି। PMML ର ନିର୍ବାଚନ ପ୍ରତୀକ ହେଉଛି ‘ଚେୟାର’।

Categories
ବିଶେଷ ଖବର

ରାହୁଲଙ୍କ ଭାରତ ନ୍ୟାୟ ଯାତ୍ରା: ମଣିପୁରରୁ ମୁମ୍ବାଇ ପର୍ଯ୍ୟନ୍ତ ୧୪ଟି ରାଜ୍ୟ ୬୨୦୦ କିଲୋମିଟର ଯାତ୍ରା

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଭାରତ ନ୍ୟାୟ ଯାତ୍ରା ଆରମ୍ଭ କରିବେ। ଏହା ଜାନୁଆରୀ ୧୪ରୁ ମଣିପୁରରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦ରେ ମୁମ୍ବାଇରେ ଶେଷ ହେବ। ଏହି ଯାତ୍ରା ୧୪ଟି ରାଜ୍ୟ ଓ ୮୫ଟି ଜିଲ୍ଲା ପରିକ୍ରମା କରିବ। ଏହି ସମୟରେ ରାହୁଲ ଗାନ୍ଧି ବସ୍ ଓ ପାଦରେ ୬ ହଜାର ୨୦୦ କିଲୋମିଟରରୁ ଅଧିକ ଯାତ୍ରା କରିବେ।

ଭାରତ ଯୋଡୋ ଯାତ୍ରା ପରେ କଂଗ୍ରେସ ଦଳ ଭାରତ ନ୍ୟାୟ ଯାତ୍ରା ଆୟୋଜନ କରିବ ବୋଲି କଂଗ୍ରେସ ସାଧାରଣ ସମ୍ପାଦକ କେସି ବେଣୁଗୋପାଳ ଏବଂ ଜୟରାମ ରମେଶ ବୁଧବାର ଦଳୀୟ ମୁଖ୍ୟାଳୟରେ ଗଣମାଧ୍ୟମକୁ କହିଛନ୍ତି। ଏହି ଯାତ୍ରା ମଣିପୁରରୁ ଆରମ୍ଭ ହୋଇ ନାଗାଲାଣ୍ଡ, ଆସାମ, ମେଘାଳୟ, ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ, ଓଡ଼ିଶା, ଛତିଶଗଡ଼, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଗୁଜରାଟ ଦେଇ ମହାରାଷ୍ଟ୍ରରେ ଶେଷ ହେବ।

ନ୍ୟାୟ ଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିବେ ମଲ୍ଲିକାର୍ଜୁନ ଖଡଗେ
କଂଗ୍ରେସ ସାଧାରଣ ସମ୍ପାଦକ କେସି ବେଣୁଗୋପାଳ କହିଛନ୍ତି ଯେ ଦଳର ସଭାପତି ମଲ୍ଲିକାର୍ଜୁନ ଖଡଗେ ଏହି ଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିବେ। ଅର୍ଥନୈତିକ, ସାମାଜିକ ଏବଂ ରାଜନୈତିକ ନ୍ୟାୟ ପାଇଁ ଭାରତ ନ୍ୟାୟ ଯାତ୍ରା ଉଦ୍ଦିଷ୍ଟ। ଏହି ଯାତ୍ରାରେ ରାହୁଲ ଯୁବକ, ମହିଳା ଏବଂ ଅବହେଳିତ ଲୋକଙ୍କୁ ଭେଟିବେ। ବସ ଯାତ୍ରାରେ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚିବେ। ଯାତ୍ରାର କିଛି ଛୋଟ ଅଂଶ ମଧ୍ୟ ପାଦରେ ଅଲଗା ଅଲଗା କଭର କରାଯିବ।

ଡିସେମ୍ବର ୨୮ତାରିଖରେ ଦଳର ପ୍ରତିଷ୍ଠା ଦିବସ ଅବସରରେ ନାଗପୁରରେ ଏକ ବିଶାଳ ରାଲି କରାଯିବ। ଏହାର ନାମ ହେଉଛି: ଆମେ ପ୍ରସ୍ତୁତ ଅଛୁ। ଏହି ବିଶାଳ ରାଲି ୨୦୨୪ ଲୋକସଭା ନିର୍ବାଚନର ଶଙ୍ଖନାଦ କରିବ।

୧୪୫ ଦିନ ଧରି ଭାରତ ଯୋଡ଼ୋ ଯାତ୍ରା କରିସାରିଛନ୍ତି ରାହୁଲ ଗାନ୍ଧି

ଏହା ପୂର୍ବରୁ ରାହୁଲ ଗାନ୍ଧି ୭ ସେପ୍ଟେମ୍ବର ୨୦୨୨ରୁ ୩୦ ଜାନୁଆରୀ ୨୦୨୩ ପର୍ଯ୍ୟନ୍ତ ଭାରତ ଯୋଡୋ ଯାତ୍ରା କରିଥିଲେ। ୧୪୫ ଦିନର ଏହି ଯାତ୍ରା ତାମିଲନାଡୁର କନ୍ୟାକୁମାରୀରୁ ଆରମ୍ଭ ହୋଇ ଜମ୍ମୁ-କଶ୍ମୀରରେ ଶେଷ ହୋଇଥିଲା। ଏହାପରେ ରାହୁଲ ୧୨ଟି ରାଜ୍ୟ ଓ ୨ଟି କେନ୍ଦ୍ରଶାସିତ ଅଞ୍ଚଳକୁ ୩୫୭୦ କିଲୋମିଟର ଯାତ୍ରା କରିଥିଲେ।
ଶ୍ରୀନଗରର ଶେର-ଏ-କଶ୍ମୀର କ୍ରିକେଟ୍ ଷ୍ଟାଡିୟମରେ ରାହୁଲ ଗାନ୍ଧୀ କହିଥିଲେ, ମୁଁ ନିଜ ପାଇଁ କିମ୍ବା କଂଗ୍ରେସ ପାଇଁ ନୁହେଁ ବରଂ ଦେଶବାସୀଙ୍କ ପାଇଁ ଏହି ଯାତ୍ରା କରିଛି। ଆମର ଉଦ୍ଦେଶ୍ୟ ହେଉଛି ସେହି ବିଚାରଧାରା ବିରୋଧରେ ଠିଆ ହେବା ଯାହା ଏହି ଦେଶର ଭିତ୍ତିଭୂମିକୁ ନଷ୍ଟ କରିବାକୁ ଚାହୁଁଛି।

ଏହି ଯାତ୍ରା ସମୟରେ ରାହୁଲ ଗାନ୍ଧି ୧୨ଟି ସଭାକୁ ସମ୍ବୋଧିତ କରିବା ସହ ୧୦୦ରୁ ଅଧିକ ସଭା ଓ ୧୩ଟି ସାମ୍ବାଦିକ ସମ୍ମିଳନୀ କରିଥିଲେ। ସେ ଚାଲିବା ସମୟରେ ୨୭୫ରୁ ଅଧିକ ଆଲୋଚନାରେ ଭାଗ ନେଇଥିଲେ, କେଉଁଠି ଅଟକି ପାଖାପାଖି ୧୦୦ ଆଲୋଚନା କରିଥିଲେ।

ରାଜନୈତିକ ଉଦ୍ଦେଶ୍ୟ ଅପେକ୍ଷା ରାହୁଲଙ୍କ ଲୁକ୍ ଓ ଟି-ସାର୍ଟ କୁ ନେଇ ଅଧିକ ଚର୍ଚ୍ଚା ହୋଇଥିଲା

ରାହୁଲଙ୍କ ଏହି ଯାତ୍ରାରେ ତାଙ୍କ ଲୁକ୍ ରାଜନୀତି ଅପେକ୍ଷା ଅଧିକ ଚର୍ଚ୍ଚାରେ ରହିଥିଲା। ସେପ୍ଟେମ୍ବର ୭ରେ କନ୍ୟାକୁମାରୀରେ ଯାତ୍ରା ଆରମ୍ଭ କରିବା ସମୟରେ ରାହୁଲଙ୍କ ମୁହଁରେ ହାଲ୍କା ଦାଢ଼ି ଥିଲା, କିନ୍ତୁ ପାଖାପାଖି ପାଞ୍ଚମାସ ପରେ ତାଙ୍କ ଚେହେରା ସମ୍ପୂର୍ଣ୍ଣ ବଦଳି ଯାଇଥିଲା। ମୁହଁରେ ଘନ ଦାଢ଼ି ଥିବାରୁ ମୁଣ୍ଡର କେଶ ମଧ୍ୟ ବଢ଼ିଥିଲା। ଏଠାରେ ରାହୁଲଙ୍କ ଧଳା ଟି-ସାର୍ଟ ମଧ୍ୟ ଚର୍ଚ୍ଚାରେ ରହିଥିଲା, ଯାହାକୁ ପିନ୍ଧି ସେ କଠିନ ଶୀତରେ ମଧ୍ୟ ବୁଲୁଥିବାର ଦେଖିବାକୁ ମିଳିଥିଲା।

Categories
ଆଜିର ଖବର ଜାତୀୟ ଖବର

ଜିଓ ଓ ଟିଏମ୍ ଫୋରମ୍ ପକ୍ଷରୁ ମୁମ୍ବାଇରେ ପ୍ରଥମ ଇନୋଭେସନ ହବ୍‌‌ର ଶୁଭାରମ୍ଭ

ମୁମ୍ବାଇ: ରିଲାଏନ୍ସ ଜିଓ ଓ ଟିଏମ୍ ଫୋରମ୍‌‌ର ମିଳିତ ସହଯୋଗରେ ନଭି ମୁମ୍ବାଇ ସ୍ଥିତ ରିଲାଏନ୍ସ କର୍ପୋରେଟ୍ ଆଇଟି ପାର୍କଠାରେ ପ୍ରଥମ ଟିଏମ୍ ଫୋରମ୍ ଇନୋଭେସନ୍ ହବ୍‌‌ର ଶୁଭାରମ୍ଭ କରାଯାଇଛି। ଏହି ଶିଳ୍ପର ପ୍ରଥମ ଧରଣର ଏହି ଇନୋଭେସନ ହବ୍ ଜେନେରେଟିଭ୍ ଏଆଇ (ଆର୍ଟିଫିସିଆଲ ଇଂଟେଲିଜେନ୍ସ), ଲାର୍ଜ ଲାଙ୍ଗୁଏଜ୍ ମଡେଲ୍ (ଏଲ୍‌‌ଏଲ୍‌‌ଏମ୍‌‌) ଓ ଓପନ୍ ଡିଜିଟାଲ୍ ଆର୍କିଟେକ୍‌‌ଚର ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱାରୋପ କରିବ ଯାହା ଦ୍ୱାରା ସମଗ୍ର ଶିଳ୍ପ ଜଗତ ଉପକୃତ ହେବ।

ଏହ କାର୍ଯ୍ୟକ୍ରମରେ ଆସେଂଚର, ଡ୍ୟୁସ୍ ଟେଲିକମ୍‌‌, ଗୁଗୁଲ କ୍ଲାଉଡ ଅରେଂଜ୍‌‌, ଟେଲିନର ଓ ଭୋଡାଫୋନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ବିଶ୍ୱସ୍ତରରୀୟ ସଫ୍ଟୱେର ପ୍ରତିଭାଙ୍କ କେନ୍ଦ୍ର ସ୍ଥଳ ହୋଇଥିବାରୁ ପ୍ରଥମ ଇନୋଭେସନ ହବ୍ ଲାଗି ମୁମ୍ବାଇକୁ ଚୟନ କରାଯାଇଥିଲା। ଏହି ହବ୍‌‌ରେ ଟେଲିକମ୍ ଓ ପ୍ରଯୁକ୍ତି ଶିଳ୍ପର ପ୍ରତିଭାମାନେ ହାଇବ୍ରିଡ୍ ଟିମ୍ ଭାବେ କାମ କରି ଶିଳ୍ପର ଏହି ସବୁଠୁ ବଡ଼ ଆହ୍ୱାନ ଲାଗି ଉପାୟ ଓ ସମାଧାନ ବିକାଶ କରିବେ। ଭାରତରେ ଟିଏମ୍ ଫୋରମ୍‌‌ର ୩୭୦୦୦ରୁ ଅଧିକ ସଦସ୍ୟ ରହିଛନ୍ତି।

ଏହି ଇନୋଭେସନ ହବ୍ ଜେନେରେଟିଭ୍ ଏଆଇ ଓ ଲାର୍ଜ ଲାଙ୍ଗୁଏଜ ମଡେଲ୍‌‌କୁ ଟେଲିକମ୍ ଶିଳ୍ପରେ ପ୍ରୟୋଗ ଉପରେ ଗୁରୁତ୍ୱ ପ୍ରଦାନ କରିବା ସହ ନିରାପତ୍ତା, ଗୋପନୀୟତା, ସଠିକତା, ପ୍ରଦର୍ଶନ ଓ ବ୍ୟାପକତା ଉପରେ ଗୁରୁତ୍ୱାରୋପ କରିବ। ଏହା ବ୍ୟତୀତ ଟିଏମ୍ ଫୋରମ୍‌‌ର ଓପନ୍ ଡିଜିଟାଲ ଆର୍କିଟେକ୍‌‌ଚ‌ର୍କୁ ତ୍ୱରାନ୍ୱିତ କରିବା ଏବଂ ବିକାଶ କରିବା ଉପରେ ଏହା ଗୁରୁତ୍ୱାରୋପ କରିବ।

ଏହି ଅବସରରେ ରିଲାଏନ୍ସ ଜିଓ ଇନ୍‌‌ଫୋକମ୍ ଲିମିଟେଡ୍‌‌ର ଅଧ୍ୟକ୍ଷ ଆକାଶ ଅମ୍ବାନି କହିଛନ୍ତି ଯେ, “ଟିଏମ୍ ଫୋରମ୍ ଇନୋଭେସନ ହବ୍ ବାସ୍ତବ ଦୁନିଆର ସମାଧାନ ପ୍ରଦାନ କରିବ ଯାହା ଶିଳ୍ପରେ ବ୍ୟାପକ ପରିବର୍ତନ ଆଣିବ। ଆହ୍ୱାନଗୁଡ଼ିକର ମୁକାବିଲା କରିବା ସହିତ ଭବିଷ୍ୟତର ପ୍ରତିବନ୍ଧକଗୁଡ଼ିକୁ ଅତିକ୍ରମ କରିବା ଲାଗି ଉତ୍ତମ ଉପାୟ ବାହାର କରିବା ପାଇଁ ସମଗ୍ର ଶିଳ୍ପ ଜଗତର ପ୍ରତିଭାମାନଙ୍କୁ ବ୍ୟବହାର କରିବାଠାରୁ ଭଲ ବାଟ ଆଉ କଣ ହୋଇପାରେ। ଆମ ମୁମ୍ବାଇ କ୍ୟାମ୍ପସରେ ପ୍ରଥମ ଇନୋଭେସନ ହବ୍ ଖୋଲାଯାଇଥିବାରୁ ଆମେ ଉଲ୍ଲସିତ କାରଣ ଆମର ବିଶ୍ୱାସ ରହିଛି ଯେ ନବସୃଜନକୁ ସୁଦୃଢ଼ କରିବା ଲାଗି ମୁମ୍ବାଇ ହେଉଛି ଉପଯୁକ୍ତ ସ୍ଥାନ। ଜିଓ, ଟିଏମ୍ ଫୋରମ୍ ଓ ସମଗ୍ର ଟେଲିକମ୍ ଶିଳ୍ପ ପାଇଁ ଏହା ହେଉଛି ଏକ ଆକର୍ଷଣୀୟ ସମୟ ଏବଂ ଏହି ପ୍ରକଳ୍ପର ଏକ ଅଂଶ ହୋଇଥିବାରୁ ଆମେ ବେଶ ଗର୍ବିତ।’’

ପ୍ରଥମ ଇନୋଭେସନ ହବ୍ ଶୁଭାରମ୍ଭକୁ ନେଇ ଟିଏମ୍ ଫୋରମ୍‌‌ର ଅଧ୍ୟକ୍ଷ ଡକ୍ଟର ଷ୍ଟିଫେନ୍ ରୋହେନ ଓ ସିଇଓ ନିକ୍ ୱିଲେଟ୍ ଉତ୍ସାହ ପ୍ରକଟ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଜିଠାରୁ ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜିଠାରୁ ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯିବେ। ସେ ଆଜି ଦିନ 11 ଟା 30 ରେ ସେ ବିମାନରେ ଭୁନେଶ୍ବରରୁ  ମୁମ୍ବାଇ ଯାତ୍ରା କରିବେ। ସେଠାରେ ପ୍ରଖ୍ୟାତ ହୃଦରୋଗ ବିଶେଷଜ୍ଞ ଡାକ୍ତର ତଥା ଏସିଆନ ହାର୍ଟ ଇନଷ୍ଟିଚ୍ୟୁଟର ପ୍ରତିଷ୍ଠାତା ରମାକାନ୍ତ ପଣ୍ଡାଙ୍କ ଏକ କାର୍ଯ୍ୟକ୍ରମରେ ଯୋଗଦେବେ। ଏହି କାର୍ଯ୍ୟକ୍ରମ ଆଜି ସଂଧ୍ୟାରେ ଆୟୋଜିତ ହେବ।

ଏହାପରେ ମୁଖ୍ୟମନ୍ତ୍ରୀ ଆଜି ମୁମ୍ବାଇରେ ରାତ୍ରୀଯାପନ କରି ଆସନ୍ତାକାଲି ଅପରାହ୍ନ 4ଟା 45 ରେ ମୁମ୍ବାଇ ଛାଡିବେ। ମୁଖ୍ୟମନ୍ତ୍ରୀଙ୍କ ସହିତ 5ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନ ମଧ୍ୟ ଗସ୍ତ କରୁଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ନ୍ୟାସନାଲ ହେରାଲ୍ଡ ମାମଲା: ଏଜେଏଲର ୭୫୦ କୋଟି ଟଙ୍କାର ସମ୍ପତ୍ତି ଜବତ କଲା ଇଡି

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମାମଲାରେ ଇଡି କଂଗ୍ରେସ ସହିତ ସମ୍ପୃକ୍ତ ଏଜେଏଲ ଏବଂ ୟଙ୍ଗ ଇଣ୍ଡିଆନର ୭୫୧.୯ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା କହିଛି ଯେ, ଜବତ ସମ୍ପତ୍ତି ମଧ୍ୟରେ ଦିଲ୍ଲୀ, ମୁମ୍ବାଇ ଏବଂ ଲକ୍ଷ୍ନୌ ସମେତ ଅନେକ ସ୍ଥାନରେ ଏଜେଏଲର ସମ୍ପତ୍ତି ରହିଛି। ଏହାର ମୋଟ ମୂଲ୍ୟ ୬୬୧.୬୯ କୋଟି ଟଙ୍କା ରହିଛି।

ଇଡି ସୋସିଆଲ ମିଡ଼ିଆ ଏକ୍ସରେ ଏକ ବିବୃତି ଜାରି କରି କହିଛି ଯେ ୟଙ୍ଗ ଇଣ୍ଡିଆ ସମ୍ପତ୍ତିର ମୂଲ୍ୟ ୯୦.୨୧ କୋଟି ଟଙ୍କା। କଂଗ୍ରେସ ସରକାରଙ୍କୁ ଟାର୍ଗେଟ କରି କହିଛି ଯେ ନିର୍ବାଚନକୁ ଦୃଷ୍ଟିରେ ରଖି ଏପରି କରାଯାଉଛି। ବାସ୍ତବରେ ଏହି କମ୍ପାନୀରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧି ଏବଂ ରାହୁଲ ଗାନ୍ଧିଙ୍କ ଅଂଶଧନ ରହିଛି।

କ’ଣ କହିଲା କଂଗ୍ରେସ?:

ଇଡିର କାର୍ଯ୍ୟାନୁଷ୍ଠାନ ଉପରେ ପ୍ରତିକ୍ରିୟା ପ୍ରକାଶ କରି କଂଗ୍ରେସ ନେତା ଅଭିଷେକ ମନୁ ସିଂଘଭି କହିଛନ୍ତି, ଇଡି ଏଜେଏଲ ସମ୍ପତ୍ତି ଜବତ କରିଥିବା ଖବର ଦର୍ଶାଉଛି ଯେ ରାଜ୍ୟରେ ଚାଲିଥିବା ନିର୍ବାଚନରେ ନିଶ୍ଚିତ ପରାଜୟରୁ ଧ୍ୟାନ ହଟାଇବା ପାଇଁ ସେମାନେ ନିରାଶ ହୋଇଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ବିଜେପିର ମେଣ୍ଟ ସହଯୋଗୀ ସିବିଆଇ, ଇଡି କିମ୍ବା ଆଇଟି ନିର୍ବାଚନରେ ସେମାନଙ୍କ (ବିଜେପି)ର ପରାଜୟକୁ ରୋକିପାରିବେ ନାହିଁ। ପ୍ରତିଦିନ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳମାନେ ମୋଦି ସରକାର କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସିଗୁଡ଼ିକର ଅପବ୍ୟବହାର କରୁଛନ୍ତି ବୋଲି ଅଭିଯୋଗ କରୁଛନ୍ତି। ଏହାକୁ ପ୍ରତ୍ୟାଖ୍ୟାନ କରି ବିଜେପି କହିଛି ଯେ ଏଜେନ୍ସିଗୁଡ଼ିକ ପ୍ରମାଣ ଆଧାରରେ ତଦନ୍ତ କରୁଛନ୍ତି।

ମଧ୍ୟପ୍ରଦେଶ, ଛତିଶଗଡ଼ ଓ ମିଜୋରାମରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଛି। ରାଜସ୍ଥାନ ଓ ତେଲେଙ୍ଗାନାରେ ନିର୍ବାଚନ ହେବାକୁ ଯାଉଛି। ଡିସେମ୍ବର ୩ତାରିଖରେ ୫ଟି ରାଜ୍ୟରେ ହୋଇଥିବା ନିର୍ବାଚନର ଫଳାଫଳ ଆସିବ।

Categories
ଆଜିର ଖବର ଖେଳ ଜାତୀୟ ଖବର

‘ବଡ ଘଟଣା ଘଟିବ’: ମୁମ୍ବାଇର ଭାରତ-ନ୍ୟୁଜିଲ୍ୟାଣ୍ଡ ସେମି-ଫାଇନାଲ ମ୍ୟାଚ୍ ପୂର୍ବରୁ ଧମକ

ନୂଆଦିଲ୍ଲୀ: କ୍ରିକେଟ୍ ୱାର୍ଲ୍ଡ କପ୍ ସେମି-ଫାଇନାଲର ପ୍ରଥମ ମ୍ୟାଚ୍ ଆଜି ମୁମ୍ବାଇର ୱାନଖେଡେ ଷ୍ଟାଡିୟମରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯିବା। ଏହି ମ୍ୟାଚ୍ ସମ୍ବନ୍ଧରେ କ୍ରିକେଟ୍ ପ୍ରଶଂସକଙ୍କ ମଧ୍ୟରେ ବହୁତ ଉତ୍ସାହ ଅଛି ଏବଂ ଏହାକୁ ଦେଖିବା ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। କିନ୍ତୁ ଏହା ପୂର୍ବରୁ ମ୍ୟାଚ୍ କୁ ଟାର୍ଗେଟ୍ କରିବା ପାଇଁ ଧମକ ଦିଆଯାଇଛି।

ବାସ୍ତବରେ, ମୁମ୍ବାଇ ପୋଲିସ ଏକ ଧମକପୂର୍ଣ୍ଣ ବାର୍ତ୍ତା ପାଇଛି, ଯାହା ଏହି ମ୍ୟାଚ୍ ସମୟରେ କିଛି ବଡ ଘଟଣା କରାଯିବ। ଟୁଇଟର ମାଧ୍ୟମରେ ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ମାଧ୍ୟମରେ ମୁମ୍ବାଇ ପୋଲିସକୁ ଏପରି ଧମକ ଦିଆଯାଇଛି। ମାମଲାର ଗମ୍ଭୀରତାକୁ ଦେଖି ୱାନଖେଡେ ଷ୍ଟାଚିୟମ୍ ଏବଂ ଏହାର ଆଖପାଖ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।

ଧମକ ଦେଇଥିବା ବ୍ୟକ୍ତି ମୁମ୍ବାଇ ପୋଲିସକୁ ସୋସିଆଲ ମିଡିଆରେ ଟ୍ୟାଗ କରିଛି, ଯେଉଁଥିରେ ବନ୍ଧୁକ, ହ୍ୟାଣ୍ଡ ଗ୍ରେନେଡ୍ ଏବଂ ବୁଲେଟ୍ ର ଫଟୋ ରହିଛି। ଏହା ସହିତ ଏଥିରେ ଏକ ଫଟୋ ରହିଛି, ଯେଉଁଥିରେ ନିଆଁ ଲଗାଇଦେବୁ ବୋଲି ଲେଖା ଯାଇଛି।

Categories
ଆଜିର ଖବର ଖେଳ ଜାତୀୟ ଖବର

ସେମିଫାଇନାଲ ମ୍ୟାଚ୍ ପାଇଁ ଘୋଷଣା ହେଲା ଅମ୍ପାୟାର, ନ୍ୟୁଜିଲ୍ୟାଣ୍ଡ ସହିତ ମୁମ୍ବାଇରେ ଭେଟିବ ଭାରତ

ନୂଆଦିଲ୍ଲୀ: ODI ବିଶ୍ୱକପ ର ଲିଗ୍ ମ୍ୟାଚ୍ ସମାପ୍ତ ହୋଇଛି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମିଫାଇନାଲ ମ୍ୟାଚ୍ ନଭେମ୍ବର ୧୫ ତାରିଖ ବୁଧବାର ଦିନ ମୁମ୍ବାଇର ୱାନଖେଡେ ଷ୍ଟାଡିୟମରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍ ପାଇଁ ଆଇସିସି ଦ୍ୱାରା ଅମ୍ପାୟର ଘୋଷଣା କରାଯାଇଛି। ରିଚାର୍ଡ ଇଲିଙ୍ଗୱର୍ଥ ଏବଂ ରୋଡ୍ ଟକର୍ ମ୍ୟାଚ୍ ପାଇଁ ଫିଲ୍ଡ ଅମ୍ପାୟର ହେବେ। ତୃତୀୟ ଅମ୍ପାୟାରର ଦାୟିତ୍ ଜୋଏଲ ୱିଲସନଙ୍କୁ ଦିଆଯାଇଛି।

ଟୁର୍ଣ୍ଣାମେଣ୍ଟର ସମସ୍ତ ଲିଗ୍ ମ୍ୟାଚ୍ ରେ ଭାରତୀୟ ଦଳ ଶୀର୍ଷ ସ୍ଥାନ ହାସଲ କରିଛି। ୫ ଟି ବିଜୟ ସହ ନ୍ୟୁଜିଲ୍ୟାଣ୍ଡ ଚତୁର୍ଥ ସ୍ଥାନରେ ରହିଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମିଫାଇନାଲ ପ୍ରଥମ ଏବଂ ଚତୁର୍ଥ ମାନ୍ୟତା ଦଳ ମଧ୍ୟରେ ଖେଳାଯିବ। ଏହା ପରେ ଦ୍ୱିତୀୟ ସେମିଫାଇନାଲ ପାଇଁ ଦୁଇ ନମ୍ବର ଏବଂ ତିନି ନମ୍ବର ଦଳ ମଧ୍ୟରେ ସଂଘର୍ଷ ହେବ। ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ଯଥାକ୍ରମେ ୭-୭ ବିଜୟ ସହ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ଅଛନ୍ତି। ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ସେମିଫାଇନାଲ ଗୁରୁବାର ନଭେମ୍ବର ୧୬ ତାରିଖରେ କୋଲକାତାର ଇଡେନ୍ ଗାର୍ଡେନରେ ଖେଳାଯିବ। ଫାଇନାଲ ମ୍ୟାଚ୍ ନଭେମ୍ବର ୧୯ ତାରିଖ ରବିବାର ଦିନ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ।

ଟୁର୍ଣ୍ଣାମେଣ୍ଟର ଲିଗ୍ ପର୍ଯ୍ୟାୟରେ ଅପରାଜିତ ରହିଥିବା ଏକମାତ୍ର ଦଳ ଥିଲା ଆୟୋଜକ ଭାରତ। ରୋହିତ ଶର୍ମାଙ୍କ ନେତୃତ୍ଵରେ ଭାରତୀୟ ଦଳ ୯ ଟି ମ୍ୟାଚ ମଧ୍ୟରୁ ୯ ଟି ଜିତିଥିଲା। ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ବିପକ୍ଷରେ ଅଭିଯାନ ଆରମ୍ଭ କରିଥିଲା। ଭାରତ କଙ୍ଗାରୁ ଦଳକୁ ୬ ୱିକେଟରେ ପରାସ୍ତ କରିଥିଲା। ଏହା ପରେ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚରେ ରୋହିତ ବ୍ରିଗେଡ ଆଫଗାନିସ୍ତାନକୁ ୮ ୱିକେଟରେ ପରାସ୍ତ କରିଥିଲା।

ତେବେ ତୃତୀୟ ମ୍ୟାଚ୍‌ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ ପାକିସ୍ତାନକୁ ୭ ୱିକେଟରେ ପରାସ୍ତ କରିଥିଲା। ଏହା ପରେ ମେନ ଇନ୍ ବ୍ଲୁ ଚତୁର୍ଥ ମ୍ୟାଚ୍ ରେ ବାଂଲାଦେଶକୁ ୭ ୱିକେଟ୍, ପଞ୍ଚମରେ ନ୍ୟୁଜିଲ୍ୟାଣ୍ଡ ୪ ୱିକେଟ୍, ଷଷ୍ଠରେ ଇଂଲଣ୍ଡ ୧୦୦ ରନ୍, ସପ୍ତମ ମ୍ୟାଚରେ ଶ୍ରୀଲଙ୍କାକୁ ୩୦୨ ରନ୍, ଦକ୍ଷିଣ ଆଫ୍ରିକାକୁ ୨୪୩ ରନ୍ ରେ ପରାସ୍ତ କରିଛି ଏବଂ ଅନ୍ତିମ ଲିଗରେ ନେଦରଲ୍ୟାଣ୍ଡକୁ ୧୬୦ ରନ୍ ରେ ରୋହିତ ବାହିନୀ ପରାସ୍ତ କରିଥିଲା।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ

ଏଗୁଡ଼ିକ ହେଉଛି ଦେଶର ସବୁଠାରୁ ସୁନ୍ଦର ଗ୍ରାମ, ଓଡିଶାର ଏହି ଗାଁକୁ ଗଲେ ଫେରିବାକୁ କରିବନି ମନ

ଭୁବନେଶ୍ଵର: ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ ଭଳି ବଡ଼ ସହରର ଝଲକ ଦ୍ୱାରା ସମସ୍ତେ ଆକର୍ଷିତ ହୁଅନ୍ତି। ସମସ୍ତେ ଏହି ସହରଗୁଡିକ ପରିଦର୍ଶନ କରିବାକୁ ଚାହାଁନ୍ତି। ଭାରତର ସହର ଅପେକ୍ଷା ଅଧିକ ଗାଁ ଅଛି, ଯେଉଁଠାରେ ସେଗୁଡିକର ସୌନ୍ଦର୍ଯ୍ୟ ଦେଖିବା ଯୋଗ୍ୟ ଅଟେ। ଆଜି ଆମେ ଭାରତର ସବୁଠାରୁ ସୁନ୍ଦର ଗାଁ ବିଷୟରେ ଆଲୋଚନା କରିବା, ଏହି ଗ୍ରାମଗୁଡିକର ସୌନ୍ଦର୍ଯ୍ୟ ଏପରି ଯେ ଯଦି ଆପଣ ଥରେ ଏଠାକୁ ଯାଆନ୍ତି, ତେବେ ଆପଣ ସେଠାରେ ରହିଯିବା ପାଇଁ ମନ କରିବେ। ଏହି ସୁନ୍ଦର ଗ୍ରାମଗୁଡ଼ିକୁ ଦେଖିବାକୁ ପୃଥିବୀର ବିଭିନ୍ନ ସ୍ଥାନରୁ ଲୋକମାନେ ଆସନ୍ତି।

ମେଘାଳୟର ମୌଲିଂନୋଙ୍ଗ ଗ୍ରାମ:

ମୌଲିଂନୋଙ୍ଗ ଗ୍ରାମ ଭାରତର ମେଘାଳୟରେ ଅବସ୍ଥିତ। ଏହା ମଧ୍ୟ ଏସିଆର ସବୁଠୁ ସ୍ଵଚ୍ଛ ଗ୍ରାମ ଅଟେ। ଆପଣ ଏହି ଗାଁର ସୌନ୍ଦର୍ଯ୍ୟକୁ ଅନୁମାନ କରିପାରିବେ ଯେ ଏହାର ଅନ୍ୟ ନାମ ହେଉଛି ଇଶ୍ବରଙ୍କ ଉଦ୍ୟାନ। ଏହି ସୁନ୍ଦର ଗାଁର ଲୋକମାନେ ପ୍ଲାଷ୍ଟିକ ବ୍ୟବହାର କରନ୍ତି ନାହିଁ ଏବଂ ବାଉଁଶରେ ନିର୍ମିତ ଡଷ୍ଟବିନ ବ୍ୟବହାର କରନ୍ତି।

ରାଜସ୍ଥାନର ଖିମସର ଗ୍ରାମ:

ଚାରିଆଡ଼େ ବାଲି, ଶୁଦ୍ଧ ପବନ, ଗାଁ ମଝିରେ ଏକ ହ୍ରଦ, ଚାରିପାଖରେ ଖଜୁରୀ ଗଛ ଏବଂ ବୁଦା। ବାସ୍ତବରେ ଏହା ଏକ ଗାଁ ଉପରେ ନିର୍ମିତ ଏକ ରିସୋର୍ଟ।

ପୁୱର ଗ୍ରାମ, କେରଳ:

ଥିରୁବନନ୍ତପୁରମର ଦକ୍ଷିଣ ମୁଣ୍ଡରେ ଅବସ୍ଥିତ ପୁୱର ଗ୍ରାମ ଏହାର ସୌନ୍ଦର୍ଯ୍ୟ ପାଇଁ ବହୁତ ପ୍ରସିଦ୍ଧ। ଏଠାରେ ଥିବା ପରିଷ୍କାର ଏବଂ ସୁନ୍ଦର ବେଳାଭୂମି ପର୍ଯ୍ୟଟକମାନଙ୍କୁ ଏଠାରେ କିଛି ଦିନ ରହିବାକୁ ବାଧ୍ୟ କରିଥାଏ। ଅକ୍ଟୋବରରୁ ଫେବୃଆରୀ ପର୍ଯ୍ୟନ୍ତ ଏଠାରେ ପରିଦର୍ଶନ କରିବାର ସର୍ବୋତ୍ତମ ସମୟ।

କୋଲେଙ୍ଗୋଡେ, କେରଳ;

ଏହି ଗ୍ରାମ ସବୁଜ ଏବଂ ଆମ୍ବ ଚାଷ ପାଇଁ ପ୍ରସିଦ୍ଧ ଏବଂ ବହୁତ ପରିଷ୍କାର ଅଟେ। ଏଠାରେ ନିର୍ମିତ କୋଲେଙ୍ଗୋଡେ ପ୍ୟାଲେସ୍ ହେଉଛି ପ୍ରମୁଖ ଆକର୍ଷଣର କେନ୍ଦ୍ର। ଦୂର ସ୍ଥାନରୁ ଲୋକମାନେ ଏହି ସ୍ଥାନ ପରିଦର୍ଶନ କରିବାକୁ ଆସନ୍ତି।

ଜିରାଙ୍ଗ, ଓଡିଶା:

ଓଡିଶାରେ ଅବସ୍ଥିତ ଚନ୍ଦ୍ରଗିରି ନାମକ ଏହି ଗାଁ ଶୁଦ୍ଧ ଗ୍ରାମୀଣ ଜୀବନ ପାଇଁ ଜଣାଶୁଣା। ଦୂର ଦୂରାନ୍ତର ଲୋକମାନେ ଏହାକୁ ଅନୁଭବ କରିବାକୁ ଏଠାକୁ ଆସନ୍ତି। ଏହା ବହୁତ ପରିଷ୍କାର ଅଟେ। ଏହା ଦେଶର ସର୍ବୋତ୍ତମ ଗ୍ରାମ ମଧ୍ୟରୁ ଗୋଟିଏ।

Categories
ଆଜିର ଖବର ଖେଳ ଜାତୀୟ ଖବର

ଇଂଲଣ୍ଡର ODI କ୍ରିକେଟ୍ ଇତିହାସରେ ସବୁଠୁ ବଡ ପରାଜୟ, ଦକ୍ଷିଣ ଆଫ୍ରିକା ଆଗରେ ମୁଣ୍ଡ ନୁଆଁଇଲା ବିଶ୍ୱ ଚାମ୍ପିଅନ୍

ମୁମ୍ବାଇ: ମୁମ୍ବାଇର ୱାନଖେଡେ ଷ୍ଟାଡିୟମରେ ବିଶ୍ୱ ଚାମ୍ପିୟନ ଇଂଲଣ୍ଡକୁ ପରାସ୍ତ କରି ଦକ୍ଷିଣ ଆଫ୍ରିକା ଇତିହାସ ସୃଷ୍ଟି କରିଛି। ହେନ୍ରିଚ୍ କ୍ଲାସେନ୍ (67 ବଲ, 109 ରନ୍) ଧୂଆଁଧାର ପାଳି ପରେ ଦକ୍ଷିଣ ଆଫ୍ରିକା ବୋଲରଙ୍କ ବିସ୍ଫୋରକ ପ୍ରଦର୍ଶନ ଯୋଗୁଁ ଇଂଲଣ୍ଡକୁ 229 ରନ୍ ରେ ପରାସ୍ତ କରିଥିଲା। ODI କ୍ରିକେଟ୍ ଇତିହାସରେ ଏହା ହେଉଛି ଇଂଲଣ୍ଡର ସବୁଠାରୁ ବଡ ପରାଜୟ।

ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା 50 ଓଭରରେ 7 ୱିକେଟ୍ ପାଇଁ 399 ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ଇଂଲଣ୍ଡ ଦଳ ମାତ୍ର 170 ରନ୍ ସ୍କୋର କରିପାରିଥିଲା। ଇଂଲଣ୍ଡ ମାତ୍ର 100 ରନ୍ ପାଇଁ 8 ୱିକେଟ୍ ହରାଇଥିଲା। ଏହା ପରେ ମାର୍କ ଉଡ୍ ଅପରାଜିତା 43 ଏବଂ ଗୁସ୍ ଏଟକିନ୍ସନ୍ ଙ୍କ 35 ରନ ଯୋଗୁଁ ପରାଜୟର ବ୍ୟବଧାନ କମିଥିଳା। ଏହି ବିଶ୍ୱକପରେ ଡିଫେଣ୍ଡିଂ ଚାମ୍ପିଅନ୍ ଇଂଲଣ୍ଡର ଏହା ହେଉଛି ତୃତୀୟ ପରାଜୟ।

ଇଂଲଣ୍ଡର ସମସ୍ତ ବ୍ୟାଟ୍ସମ୍ୟାନ୍ ଫ୍ଲପ୍ ହୋଇଥିଲେ:

ଦକ୍ଷିଣ ଆଫ୍ରିକା ଦେଇଥିବା 400 ରନ୍‌ର ଟାର୍ଗେଟକୁ ପିଛା କରି ଇଂଲଣ୍ଡର ସମସ୍ତ ବ୍ୟାଟ୍ସମ୍ୟାନ୍ ଫ୍ଲପ୍ ହୋଇଥିଲେ। କୌଣସି ଇଂରାଜୀ ବ୍ୟାଟ୍ସମ୍ୟାନ୍ ଲଢୁଥିବାର ଦେଖାଯାଉ ନଥିଲେ। ପ୍ରଥମେ ଜନି ବେୟାରଷ୍ଟୋ 10 ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ। ଏହା ପରେ ଜୋ ରୁଟ୍ 02 ରନ୍ ସ୍କୋର କରିବା ପରେ ଏବଂ 06 ରନ୍ ସ୍କୋର କରିବା ପରେ ଡେଭିଡ ମାଲାନ ପାଭିଲିୟନକୁ ଫେରିଥିଲେ।

24 ରନ୍ ରେ ତିନୋଟି ୱିକେଟ୍ ର ପତନ ପରେ ସମସ୍ତ ଆଖି ବେନ୍ ଷ୍ଟୋକ୍ସଙ୍କ ଉପରେ ଥିଲା, କିନ୍ତୁ ସେ ମଧ୍ୟ ଆଫ୍ରିକୀୟ ବୋଲରଙ୍କୁ ଅଧିକ ସମୟ ସାମ୍ନା କରିପାରି ନଥିଲେ। ପାଞ୍ଚ ରନ୍ ସ୍କୋର କରିବା ପରେ ଷ୍ଟୋକ୍ସ ରାବାଡାଙ୍କ ବୋଲିଂରେ ଆଉଟ୍ ହୋଇଥିଲେ। ଏହା ପରେ ଜୋସ୍ ବଟଲର୍ ଏବଂ ହ୍ୟାରି ବ୍ରୁକ୍ ବଡ଼ ସଟ୍ ଖେଳିଥିଲେ, କିନ୍ତୁ ଏହି ଦୁଇ ଖେଳାଳି ଅଧିକ ସମୟ କ୍ରିଜରେ ରହିପାରିନଥିଲେ।

ଏହା ପରେ ଡେଭିଡ ୱିଲି 12 ରନ୍ ସ୍କୋର କରିବା ପରେ ଏବଂ ଆଦିଲ ରସିଦ 10 ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ। ଏହିପରି ଇଂଲଣ୍ଡ ମାତ୍ର 100 ରନ୍ ରେ ଆଠଟି ୱିକେଟ୍ ହରାଇଥିଲା।

ରିସ୍ ଟୋପଲି ଆହତ ହୋଇଥିଲେ ତେଣୁ ଦକ୍ଷିଣ ଆଫ୍ରିକାକୁ ଜିତିବା ପାଇଁ ମାତ୍ର 9 ଟି ୱିକେଟ୍ ଆଉଟ କରିବାରଥିଲା। ତେବେ ମାର୍କ ଉଡ 17 ଟି ବଲରେ ଅପରାଜିତ 43 ରନ୍ ସ୍କୋର କରି 2 ଚୌକା ଓ 5 ଛକା ସହାୟତାରେ ଏବଂ ଗୁସ୍ ଏଟକିନ୍ସନ୍ ସାତୋଟି ଚୌକା ସହାୟତାରେ 21 ବଲରେ 35 ରନ୍ ସ୍କୋର କରିଥିଲେ।

ଦକ୍ଷିଣ ଆଫ୍ରିକା ପାଇଁ ଲୁଙ୍ଗି ନଗିଡି ପାଞ୍ଚ ଓଭରରେ ଗୋଟିଏ ମେଡେନ ସହିତ 26 ରନ୍ ରେ ଦୁଇଟି ୱିକେଟ୍ ନେଇଥିଲେ। ମାର୍କୋ ୟାନସେନ୍ 35 ରନ୍ ଦେଇ ଦୁଇଟି ୱିକେଟ୍ ନେଇଥିଲେ। ଏହା ବ୍ୟତୀତ ଜେରାଲ୍ଡ କୋଏଟଜୀଙ୍କୁ ତିନୋଟି ସଫଳତା ମିଳିଥିଲା। ସେ ଚାରି ଓଭରରେ 35 ରନ୍ ଦେଇଥିଲେ।

ଏହାପୂର୍ବରୁ ବ୍ୟାଟିଂ କରୁଥିବାବେଳେ ହେନ୍ରିଚ୍ କ୍ଲାସେନ୍ ଦକ୍ଷିଣ ଆଫ୍ରିକା ପାଇଁ 109 ରନ୍ ସଂଗ୍ରହ କରିଥିଲେ। ରେଜା ହେଣ୍ଡ୍ରିକ୍ସ 85 ରନ୍ ସଂଗ୍ରହ କରିଥିବାବେଳେ ୱାନ୍ ଡେର୍ ଡୁସେନ୍ 60 ରନ୍ ଏବଂ ମାର୍କୋ ଜାନସେନ୍ 75 ରନ୍ ଅପରାଜିତ ଇନିଂସ ଖେଳିଥିଲେ।

Categories
ଆଜିର ଖବର ଖେଳ ଜାତୀୟ ଖବର

ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟିର ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ମାନଙ୍କୁ ଭେଟିଲେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ

ନୂଆଦିଲ୍ଲୀ: ମୁମ୍ବାଇ ଠାରେ ଆଇଓସିର ୧୪୧ତମ ଅଧିବେଶନ ପୂର୍ବରୁ ବିଶ୍ୱର ବିଭିନ୍ନ କ୍ରୀଡ଼ା ସଂଗଠନରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଥିବା ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି)ର ଅନେକ ସଦସ୍ୟ ମାନଙ୍କ ସହ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ଗତ ସପ୍ତାହରେ (ଅକ୍ଟୋବର ୧୩  ଓ ୧୪, ୨୦୨୩) ଦୁଇ ଦିନ ଧରି ବୈଠକ କରିଥିଲେ। ଅକ୍ଟୋବର ୧୫ ରୁ ୧୭, ୨୦୨୩ ପର୍ଯ୍ୟନ୍ତ ମୁମ୍ବାଇ ଠାରେ ଆଇଓସି ଅଧିବେଶନ ଚାଲିଛି।

ଦୁଇ ଦିନିଆ ଆଇଓସି ବୈଠକ ଆରମ୍ଭ ହେବା ପୂର୍ବରୁ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଶନିବାର (ଅକ୍ଟୋବର ୧୪, ୨୦୨୩) ଦିନ କହିଛନ୍ତି ଯେ ଭାରତରେ ଆଇଓସି ଅଧିବେଶନ ଆୟୋଜନ ହେବା ଏକ ଗୁରୁତ୍ୱପୂର୍ଣ୍ଣ ସୁଯୋଗ। “ମୁଁ କମିଟିର ସମସ୍ତ ସଦସ୍ୟ ମାନଙ୍କୁ ସ୍ୱାଗତ କରୁଛି ଏବଂ ଆଶା କରୁଛି ଯେ ଅଧିବେଶନ ସଫଳ ହେବ ଏବଂ ଅଲିମ୍ପିକ୍ସ କ୍ରୀଡ଼ାରେ ନୂତନ ସଂଯୋଜନ ପାଇଁ ଘୋଷଣା ହେବ” ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି।

ବିଭିନ୍ନ ଅନ୍ତର୍ଜାତୀୟ ସ୍ତରର କ୍ରୀଡ଼ା ମହାସଂଘର ସଦସ୍ୟ ଏବଂ ଆଇଓସିର କର୍ମକର୍ତ୍ତା ମାନଙ୍କ ସହ ଅନୁଷ୍ଠିତ ଦ୍ୱିପାକ୍ଷିକ ବୈଠକ ଶୃଙ୍ଖଳାରେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂହ ଠାକୁର କ୍ରୀଡ଼ା, ବିଜ୍ଞାନ ଓ ଔଷଧ କ୍ଷେତ୍ରରେ ଜ୍ଞାନର ଆଦାନପ୍ରଦାନ ବିଷୟରେ କହିଥିଲେ। ଏହି ସହଯୋଗରେ ପ୍ରଶିକ୍ଷଣ ପଦ୍ଧତି, ଉପକରଣ ଏବଂ କ୍ରୀଡ଼ା ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ କ୍ଷେତ୍ରରେ ଡିଜିଟାଲ ପ୍ରଶିକ୍ଷଣ ଏବଂ ପ୍ରଶିକ୍ଷଣର କାର୍ଯ୍ୟକାରିତାରେ ଅଭିନବତାକୁ ପ୍ରୋତ୍ସାହିତ କରିବା ପାଇଁ ଗବେଷଣା ଉଦ୍ୟୋଗର ଅନୁସନ୍ଧାନ ଅନ୍ତର୍ଭୁକ୍ତ ଥିଲା।

ଶୁକ୍ରବାର ଦିନ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ମନ୍ତ୍ରୀ ମୁମ୍ବାଇ ଠାରେ ଅନ୍ତର୍ଜାତୀୟ ଆଥଲେଟିକ୍ସ ମହାସଂଘର ସଭାପତି ଲର୍ଡ ସେବାଷ୍ଟିଆନ କୋଏ  ଏବଂ ବିଶ୍ୱ ରୋଇଂ ଫେଡେରେସନର ସଭାପତି ଜିନ୍ – କ୍ରିଷ୍ଟୋଫ ରୋଲାଣ୍ଡଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଥିଲେ।

କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଶନିବାର ଆଇଓସି ସଭାପତି ଥୋମାସ ବାକ୍‌, ଆଇଓସି ଉପାଧ୍ୟକ୍ଷ ଜୁଆନ୍ ଆଣ୍ଟୋନିଓ, ଆଇଓସି କାର୍ଯ୍ୟନିର୍ବାହୀ ବୋର୍ଡ ସଦସ୍ୟ ତଥା ୟୁଡବ୍ଲ୍ୟୁଡବ୍ଲ୍ୟୁ ରେସଲିଂର ସଭାପତି ନେନାଦ ଲେଲୋଭିକ୍‌, ଅନ୍ତର୍ଜାତୀୟ ପାରାଲିମ୍ପିକ୍ କମିଟିର ସଭାପତି ଆଣ୍ଡ୍ର‌୍ୟୁ ପାର୍ସନ, ଜାତୀୟ ଅଲିମ୍ପିକ୍ କମିଟି ସଂଘର ମହାସଚିବ ଗୁନିଲା ଲିଣ୍ଡବର୍ଗ, ଆଇଓସି ସଦସ୍ୟ ତଥା ଭବିଷ୍ୟତ କ୍ରୀଡ଼ା ଆୟୋଗର ଅଧ୍ୟକ୍ଷ କୋଲିଣ୍ଡା ଗ୍ରାବର – କିତାରୋଭିକ୍‌, ଅନ୍ତର୍ଜାତୀୟ ହକି ମହାସଂଘର ସଭାପତି ତୈୟାବ ଇକ୍ରାମ୍‌, ଅନ୍ତର୍ଜାତୀୟ ସାଇକ୍ଲିଂ ମହାସଂଘର ସଭାପତି ଡେଭିଡ୍ ଲାପର୍ଟେଣ୍ଟ ଏବଂ ବିଶ୍ୱ ଡୋପିଂ ନିରୋଧୀ ଏଜେନ୍ସିର ସଭାପତି ୱିଟୋଲ୍ଡ ବାଙ୍କ ଙ୍କୁ ଭେଟିଛନ୍ତି। ରାଜ୍ୟସଭା ସାଂସଦ, ପୂର୍ବତନ ଅଲିମ୍ପିଆନ୍ ଏବଂ ଟ୍ରାକ୍ ଆଣ୍ଡ ଫିଲ୍ଡ ଆଥଲେଟ୍ ଏବଂ ଭାରତୀୟ ଅଲିମ୍ପିକ୍ ସଂଘର ସଭାପତି ପି. ଟି. ଉଷା ମଧ୍ୟ ଦ୍ୱିପାକ୍ଷିକ ବୈଠକରେ ଉପସ୍ଥିତ ଥିଲେ।

 

 

ଅଲିମ୍ପିକ୍ସରେ କ୍ରିକେଟକୁ ଅନ୍ତର୍ଭୁକ୍ତ କରିବାକୁ ପରାମର୍ଶ ଦେଇ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ କହିଛନ୍ତି, ଯଦି କ୍ରିକେଟ୍ ଖେଳକୁ ଅଲିମ୍ପିକ୍ସରେ ଅନ୍ତର୍ଭୁକ୍ତ କରାଯାଏ, ତେବେ ଏହି ଖେଳ ପାଇଁ ବଜେଟ୍ ଆବଣ୍ଟନ କରିବା ସାରା ବିଶ୍ୱର ସରକାରଙ୍କ ପାଇଁ ସହଜ ହେବ। ତେଣୁ ଏଭଳି ନିଷ୍ପତ୍ତି କ୍ରିକେଟ୍ ପାଇଁ କ୍ରୀଡ଼ା ଭିତ୍ତିଭୂମି ସୃଷ୍ଟି କରିବାରେ ସହାୟକ ହେବ। ଭାରତକୁ କ୍ରୀଡ଼ା ମହାଶକ୍ତିରେ ପରିଣତ କରିବା ହେଉଛି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲକ୍ଷ୍ୟ। ଦେଶରେ କ୍ରୀଡ଼ା ଭିତ୍ତିଭୂମିର ଉନ୍ନତି ପାଇଁ ୩୦୦୦ କୋଟି ଟଙ୍କାର ପ୍ରକଳ୍ପ ଚାଲିଛି। ଖେଲୋ ଇଣ୍ଡିଆ ଯୋଜନା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଅଧୀନରେ କ୍ରୀଡ଼ାବିତ୍ ମାନଙ୍କୁ ଉନ୍ନତ ପ୍ରଦର୍ଶନ ନିମନ୍ତେ ସରକାର ସର୍ବୋତ୍ତମ ସୁବିଧା ଯୋଗାଇ ଦେଉଛନ୍ତି ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ମୁମ୍ବାଇ ଠାରେ ୧୪୧ତମ ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଅଧିବେଶନକୁ ଉଦଘାଟନ କରିଛନ୍ତି। ଏହି ଅଧିବେଶନରେ କ୍ରୀଡ଼ା ସମ୍ବନ୍ଧୀୟ ବିଭିନ୍ନ ଅଂଶୀଦାରଙ୍କ ମଧ୍ୟରେ ବାର୍ତ୍ତାଳାପ ଏବଂ ଜ୍ଞାନ ଆଦାନପ୍ରଦାନର ସୁଯୋଗ ପ୍ରଦାନ କରାଯାଇଥାଏ।୧୪୧ତମ ଆଇଓସି ଅଧିବେଶନରେ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି ସଭାପତି ଥୋମାସ୍ ବାକ୍‌ଙ୍କ ସମେତ ଆଇଓସିର ଅନ୍ୟାନ୍ୟ ସଦସ୍ୟ, ବିଶିଷ୍ଟ ଭାରତୀୟ କ୍ରୀଡ଼ା ବ୍ୟକ୍ତିତ୍ୱ ଏବଂ ଭାରତୀୟ ଅଲିମ୍ପିକ୍ ସଂଘ ସମେତ ବିଭିନ୍ନ କ୍ରୀଡ଼ା ମହାସଂଘର ପ୍ରତିନିଧିମାନେ ଯୋଗ ଦେଉଛନ୍ତି।

ଆଇଓସି ସଦସ୍ୟ ମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ, ଆଇଓସି ଅଧିବେଶନରେ ଅଲିମ୍ପିକ୍ କ୍ରୀଡ଼ାର ଭବିଷ୍ୟତ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆ ଯାଇଥାଏ। ଭାରତରେ ଆୟୋଜିତ ହେଉଥିବା ୧୪୧ତମ ଆଇଓସି ଅଧିବେଶନ ବିଶ୍ୱସ୍ତରୀୟ ସହଯୋଗକୁ ପ୍ରୋତ୍ସାହିତ କରିବା, କ୍ରୀଡ଼ା ସଫଳତାକୁ ସମ୍ମାନ ଦେବା ଏବଂ ବନ୍ଧୁତା, ସମ୍ମାନ ଏବଂ ଉତ୍କର୍ଷତାର ଅଲିମ୍ପିକ୍ ନୀତିକୁ ଆଗକୁ ବଢ଼ାଇବା ପାଇଁ ଦେଶର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ଏହି କାର୍ଯ୍ୟକ୍ରମ କ୍ରୀଡ଼ା କ୍ଷେତ୍ରର ବିଭିନ୍ନ ଅଂଶୀଦାର ମାନଙ୍କ ମଧ୍ୟରେ ବାର୍ତ୍ତାଳାପ ଏବଂ ଜ୍ଞାନର ଆଦାନପ୍ରଦାନକୁ ସୁଗମ କରିଥାଏ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ପାଲେଷ୍ଟାଇନକୁ ସମର୍ଥନ କଲେ ଏନସିପି ମୁଖ୍ୟ ଶରଦ ପାୱାର: କହିଲେ, ଇସ୍ରାଏଲ ଜବରଦଖଲ କରିଛି

ମୁମ୍ବାଇ: ରବିବାର ମୁମ୍ବାଇର ଆଞ୍ଚଳିକ କାର୍ଯ୍ୟାଳୟରେ ପଦାଧିକାରୀଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ସମୟରେ ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ଚାଲିଥିବା ଯୁଦ୍ଧ ଉପରେ ଏନସିପି ସଭାପତି ଶରଦ ପାୱାର ନିଜର ପ୍ରତିକ୍ରିୟା ଦେଇଛନ୍ତି।

ଏହି ସଭାରେ ସେ ପାଲେଷ୍ଟାଇନ ପ୍ରତି ନିଜର ସମର୍ଥନ ପ୍ରଦର୍ଶନ କରିଥିଲେ। ସେ କହିଛନ୍ତି ଯେ, “ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ ବିଶ୍ୱ ଶାନ୍ତି ପାଇଁ ବିପଦ। ସେଠାକାର ଜମି ଏବଂ ଘର ପାଲେଷ୍ଟାଇନର ଥିଲା, ଇସ୍ରାଏଲ ସେମାନଙ୍କ ଅଧୀନରେ ରହିଥିଲା। ”

ଟାର୍ଗେଟରେ ପିଏମ ମୋଦୀ:

ଏନସିପି ସଭାପତି ଆହୁରି ମଧ୍ୟ କହିଛନ୍ତି ଯେ, ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ, ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ ଏବଂ ଅଟଳ ବିହାରୀ ବାଜପେୟୀଙ୍କ ଭୂମିକା ପାଲେଷ୍ଟାଇନକୁ ସାହାଯ୍ୟ କରିବା ଥିଲା। ଭାରତ କେବେବି କାହାକୁ ସାହାଯ୍ୟ କରିନାହିଁ, କିନ୍ତୁ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଦୁର୍ଭାଗ୍ୟବଶତ ଇସ୍ରାଏଲକୁ ସମର୍ଥନ କରି ମୂଳ ମାଲିକମାନଙ୍କୁ ବିରୋଧ କରିଛନ୍ତି। ଏନସିପିର ଭୂମିକା ସ୍ପଷ୍ଟ ଯେ, ଏହା ମୂଳ ମାଲିକ ଏବଂ କାର୍ଯ୍ୟରତ ଲୋକଙ୍କ ସପକ୍ଷରେ ଅଛି।

ଇସ୍ରାଏଲ-ହମାସ ଯୁଦ୍ଧ ଉପରେ ଦେଶରେ ରାଜନୀତି:

ଇସ୍ରାଏଲ-ହମାସ ଯୁଦ୍ଧକୁ ନେଇ ଦେଶରେ ଅନେକ ରାଜନୀତି ଚାଲିଛି। ଏହି ପରିପ୍ରେକ୍ଷୀରେ ପାଲେଷ୍ଟାଇନକୁ ସମର୍ଥନ କରୁଥିବା କଂଗ୍ରେସ ଏକ ସଂକଳ୍ପ ପାରିତ କରିଥିଲା, ଏହା ପରେ ବିଜେପି ନେତାମାନେ କଂଗ୍ରେସ ଉପରେ ଆକ୍ରମଣ କରିଥିଲେ। ଆସାମ ମୁଖ୍ୟମନ୍ତ୍ରୀ ଏବଂ ବିଜେପି ନେତା ହିମନ୍ତ ବିଶ୍ୱ ସର୍ମା ମଧ୍ୟ କଂଗ୍ରେସ ଦଳକୁ ପାକିସ୍ତାନ ସହ ତୁଳନା କରିଥିଲେ।

ହମାସ ଆକ୍ରମଣ ପରେ ଇସ୍ରାଏଲ୍ ଗାଜାରେ ଏୟାର ଷ୍ଟ୍ରାଇକ୍ କରୁଛି। ଏହି ସମୟରେ, ଇସ୍ରାଏଲ ଉତ୍ତର ଗାଜାର ନାଗରିକମାନଙ୍କୁ ଦକ୍ଷିଣ ଦିଗକୁ ଯିବାକୁ ଚେତାବନୀ ଦେଇଛି ଯାହା ଦ୍ଵାରା ଏହା ଗ୍ରାଉଣ୍ଡ ଆକ୍ରମଣ କରିପାରିବ।

Categories
ଆଜିର ଖବର ଜାତୀୟ ଖବର

ଆଇଓସି ର 141ତମ ଅଧିବେଶନର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 14 ଅକ୍ଟୋବର 2023 ରେ ମୁମ୍ବାଇର ଜିଓ ୱାର୍ଲ୍ଡ ସେଣ୍ଟରରେ 141 ତମ ଆନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି) ଅଧିବେଶନର ଉଦଘାଟନ କରିବେ।

ଆଇଓସି ଅଧିବେଶନ ଆନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି) ର ସଦସ୍ୟମାନଙ୍କର ଏକ ପ୍ରମୁଖ ବୈଠକ ଭାବରେ କାର୍ଯ୍ୟ କରେ। ଅଲିମ୍ପିକ୍ ଖେଳର ଭବିଷ୍ୟତ ବିଷୟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଆଇଓସି ଅଧିବେଶନରେ ନିଆଯାଏ। ଭାରତ ଦ୍ୱିତୀୟ ଥର ପାଇଁ ଏବଂ ପ୍ରାୟ 40 ବର୍ଷର ବ୍ୟବଧାନ ପରେ ଆଇଓସି ଅଧିବେଶନ ଆୟୋଜନ କରୁଛି। 1983 ରେ ନୂଆଦିଲ୍ଲୀରେ ଆଇଓସି ର 86ତମ ଅଧିବେଶନ ଅନୁଷ୍ଠିତ ହୋଇଥିଲା।

ଭାରତରେ ଅନୁଷ୍ଠିତ 141ତମ ଆଇଓସି ଅଧିବେଶନରେ ବିଶ୍ବର ସହଯୋଗ ବୃଦ୍ଧି, କ୍ରୀଡ଼ାର ଉତ୍କର୍ଷତା ତଥା ବନ୍ଧୁତା, ସମ୍ମାନ ଏବଂ ଉତ୍କର୍ଷର ଅଲିମ୍ପିକ୍ ଆଦର୍ଶକୁ ଆଗକୁ ବଢ଼ାଇବା ପାଇଁ ଦେଶର ଉତ୍ସର୍ଗୀକୃତ ହୋଇଛି। ବିଭିନ୍ନ କ୍ରୀଡା ସମ୍ବନ୍ଧୀୟ ହିତାଧିକାରୀଙ୍କ ମଧ୍ୟରେ ପାରସ୍ପରିକ କ୍ରିୟା ଏବଂ ଜ୍ଞାନର ଆଦାନ ପ୍ରଦାନ ପାଇଁ ଏହା ଏକ ସୁଯୋଗ ପ୍ରଦାନ କରେ।

ଏହି ଅଧିବେଶନରେ ଆନ୍ତର୍ଜାତୀୟ ଅଲିମ୍ପିକ୍ କମିଟିର ସଭାପତି ଶ୍ରୀ ଥୋମାସ୍ ବାଚ୍ ଏବଂ ଆଇଓସିର ଅନ୍ୟ ସଦସ୍ୟମାନେ, ଭାରତୀୟ କ୍ରୀଡ଼ା ବ୍ୟକ୍ତିତ୍ୱ ତଥା ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ ସମେତ ବିଭିନ୍ନ କ୍ରୀଡା ଫେଡେରେଶନର ପ୍ରତିନିଧୀମାନେ ଯୋଗଦେବେ।

Categories
ଆଜିର ଖବର ଜାତୀୟ ଖବର

ସାତ ମହଲା କୋଠାରେ ଅଗ୍ନିକାଣ୍ଡ: ୭ ମୃତ, ୪୦ ରୁ ଉର୍ଦ୍ଧ୍ଵ ଉଦ୍ଧାର

ମୁମ୍ବାଇ: ମୁମ୍ବାଇର ଗୋରେଗାଓଁ ୱେଷ୍ଟର MG ରୋଡରେ ଅବସ୍ଥିତ ସାତ ମହଲା ବିଶିଷ୍ଟ ଜୟ ଭବାନୀ ବିଲଡିଂରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ବୁଧବାର ଏବଂ ଗୁରୁବାର ମଧ୍ୟରାତ୍ରିରେ ରାତି ପ୍ରାୟ ୩ ଟା ସମୟରେ ଏହି ବିରାଟ ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିଶମ ବାହିନୀ ଏହି ନିଆଁକୁ ସ୍ତର ଦୁଇ ବୋଲି ଘୋଷଣା କରିଥିଲେ। ନିଆଁ ଏକ ବିରାଟ ରୂପ ନେଇଥିଲା ଏବଂ ସୂଚନା ଅନୁଯାୟୀ ୭ ଜଣ ପ୍ରାଣ ହରାଇଥିଲେ। ଏଥି ସହିତ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ୩୫ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ଏବଂ ୪ ଜଣଙ୍କୁ ଡିସଚାର୍ଜ କରାଯାଇଛି।

ପ୍ରାୟ ଦଶରୁ ବାର ଅଗ୍ନିଶମ ବାହିନୀ ଗାଡି ଘଟଣାସ୍ଥଳରେ ପହଞ୍ଚି ୩୧ ଜଣଙ୍କୁ ନିରାପଦରେ ସ୍ଥାନାନ୍ତର କରିଥିବାବେଳେ ୧୪ ଜଣ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଯାଇଥିଲା। ବର୍ତ୍ତମାନ ନିଆଁକୁ ନିୟନ୍ତ୍ରଣକୁ ନିଆଯାଇଛି।

Categories
ଆଜିର ଖବର ଜାତୀୟ ଖବର

ବିଜେପି ନେତା ଶାହନାୱାଜ ହୁସେନ୍‌ ହୃଦଘାତରେ ପୀଡିତ: ମୁମ୍ବାଇ ଡାକ୍ତରଖାନାରେ ଭର୍ତ୍ତି

ମୁମ୍ବାଇ: ଆଜି ବିଜେପି ନେତା ଶାହନାୱାଜ ହୁସେନ୍‌ ହୃଦଘାତରେ ପୀଡିତ ହୋଇଥିବା ଖବର ହସ୍ତଗତ ହୋଇଛି। ଶାହନାୱାଜ ହୁସେନ୍‌ କୁ ତୁରନ୍ତ ମୁମ୍ବାଇସ୍ଥିତ ଲୀଳାବତୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ରହିଛି। ତାଙ୍କୁ ସନ୍ଧ୍ୟା ୪.୩୦ ମିନିଟରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଲିଲାବତୀ ହସ୍ପିଟାଲର ଡାକ୍ତର ଜଲିଲ ପାରକର କହିଛନ୍ତି ଯେ, ହୃଦଘାତ କାରଣରୁ ଶାହନାୱାଜ ହୁସେନଙ୍କୁ ଭର୍ତ୍ତି କରାଯାଇଛି। ତାଙ୍କର ଆଞ୍ଜିଓପ୍ଲାଷ୍ଟି କରାଯାଇଛି।

Categories
ଆଜିର ଖବର ଖେଳ ଜାତୀୟ ଖବର

ଟିମ୍ ଇଣ୍ଡିଆକୁ ବଡ଼ ଝଟକା: ହଠାତ୍ ମୁମ୍ବାଇ ଫେରିଲେ ଜସପ୍ରୀତ ବୁମ୍ରା, ଖେଳିପାରିବେନି ଏସିଆ କପ୍

ନୂଆଦିଲ୍ଲୀ: ଏସିଆ କପ୍ ଖେଳୁଥିବା ଟିମ୍ ଇଣ୍ଡିଆ ପାଇଁ ବଡ଼ ଝଟକା ଲାଗିଛି। ବାସ୍ତବରେ ଭାରତୀୟ ଦଳର ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା କଲମ୍ବୋରୁ ମୁମ୍ବାଇ ଆସିଛନ୍ତି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଜସପ୍ରୀତ ବୁମ୍ରା ବ୍ୟକ୍ତିଗତ କାରଣରୁ ଭାରତ ଫେରିଛନ୍ତି। ଯଦିଓ, ଜସପ୍ରୀତ ବୁମ୍ରାଙ୍କ କଲମ୍ବୋରୁ ମୁମ୍ବାଇକୁ ହଠାତ୍ ଫେରିବା ପଛର କାରଣ କ’ଣ ତାହା ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ କୁହାଯାଇ ନାହିଁ, କିନ୍ତୁ ଏହି ଦ୍ରୁତ ବୋଲରଙ୍କ ଭାରତକୁ ଫେରିବା ପ୍ରଶଂସକଙ୍କ ପାଇଁ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ପାଇଁ ଏକ ବଡ଼ ଝଟକା ବୋଲି ବିବେଚନା କରାଯାଇଛି।

ଶନିବାର ଦିନ ଏସିଆ କପରେ ଭାରତ ଏବଂ ପାକିସ୍ତାନର ଦଳ ମୁହାଁମୁହିଁ ହୋଇଥିଲେ। ଜସପ୍ରୀତ ବୁମ୍ରା ପାକିସ୍ତାନ ବିପକ୍ଷରେ ବ୍ୟାଟିଂ କରିବାକୁ ଆସିଥିଲେ। ତେବେ ବର୍ଷା ହେତୁ ଜସପ୍ରୀତ ବୁମରା ବୋଲିଂ କରିବାର ସୁଯୋଗ ପାଇ ନଥିଲେ। ଭାରତୀୟ ଦଳ ସୋମବାର ନେପାଳ ବିପକ୍ଷରେ ଖେଳିବ। ଏଥି ସହିତ, ଏହା ପରେ ସୁପର-୪ ରାଉଣ୍ଡ ମ୍ୟାଚ୍ ଖେଳାଯିବ। ସେପ୍ଟେମ୍ବର ୬ ତାରିଖରୁ ଏସିଆ କପ୍ ସୁପର- ୪ ରାଉଣ୍ଡ ମ୍ୟାଚ୍ ଖେଳାଯିବ।

ନିକଟରେ ଜସପ୍ରୀତ ବୁମ୍ରା ଆୟର୍ଲାଣ୍ଡ ବିପକ୍ଷ ସିରିଜରୁ ଫେରିଥିଲେ। ଏହି ସିରିଜରେ ଜସପ୍ରୀତ ବୁମ୍ରା ଟିମ୍ ଇଣ୍ଡିଆର ଅଧିନାୟକ ଥିଲେ। ଏହାପୂର୍ବରୁ ଜସପ୍ରୀତ ବୁମ୍ରା ଆହତ କାରଣରୁ ପଡ଼ିଆରୁ ଦୂରେଇ ଯାଇଥିଲେ। ଏହି କାରଣରୁ ସେ ଆଇପିଏଲ-୨୦୨୩ ର ଅଂଶ ନଥିଲେ। ଭାରତୀୟ ଦଳରେ ଜସପ୍ରୀତ ବୁମ୍ରାଙ୍କ ପ୍ରତ୍ୟାବର୍ତ୍ତନ ପରେ ପ୍ରଶଂସକମାନେ ବହୁତ ଉତ୍ସାହିତ ଥିଲେ, କିନ୍ତୁ ବର୍ତ୍ତମାନ ପ୍ରଶଂସକଙ୍କୁ ନିରାଶ କରୁଥିବା ଖବର ସାମ୍ନାକୁ ଆସୁଛି। ବାସ୍ତବରେ, ଜସପ୍ରୀତ ବୁମ୍ରାଙ୍କ ନେତୃତ୍ୱରେ ଭାରତୀୟ ବୋଲିଂ ଆକ୍ରମଣକୁ ବହୁତ ଶକ୍ତିଶାଳୀ ବିବେଚନା କରାଯାଉଥିଲା, କିନ୍ତୁ ବର୍ତ୍ତମାନ ଟିମ୍ ଇଣ୍ଡିଆକୁ ଜସପ୍ରୀତ ବୁମ୍ରା ବିନା ଖେଳିବାକୁ ପଡିବ।

Categories
ଆଜିର ଖବର ଜାତୀୟ ଖବର

ମହାରାଷ୍ଟ୍ରର ମରାଠା ସଂରକ୍ଷଣ ଉପରେ ଭୀଷଣ ହଙ୍ଗମା, ୪୨ ପୋଲିସ କର୍ମୀ ଆହତ, ଦୁଇଟି ବସ୍ ରେ ନିଆଁ

ମୁମ୍ବାଇ: ମହାରାଷ୍ଟ୍ରର ଜାଲନା ଜିଲ୍ଲାର ମରାଠା କୋଟା ଆନ୍ଦୋଳନ ଶୁକ୍ରବାର ଦିନ ହିଂସାତ୍ମକ ରୂପ ନେଇଛି ଏବଂ ଏଥିରେ ଅତି କମରେ ୪୨ ଜଣ ପୋଲିସ କର୍ମୀ ଆହତ ହୋଇଛନ୍ତି। ଅଧିକାରୀ କହିଛନ୍ତି ଯେ ଅମ୍ବାଡ ତହସିଲର ଧୁଲେ-ସୋଲାପୁର ରାସ୍ତାରେ ଥିବା ଅନ୍ତରୱାଲୀ ସାରଥୀ ଗ୍ରାମରେ ହିଂସାତ୍ମକ ଭିଡକୁ ରୋକିବା ପାଇଁ ପୋଲିସ ଲାଠି ଚାର୍ଜ କରି ଲୁହବୁହା ଗ୍ୟାସ ଗୁଳି ଚଳାଇଥିଲା।

ମନୋଜ ଜାରେଙ୍ଗେଙ୍କ ନେତୃତ୍ୱରେ ବିକ୍ଷୋଭକାରୀମାନେ ମଙ୍ଗଳବାର ଠାରୁ ମରାଠା ସମ୍ପ୍ରଦାୟ ପାଇଁ ସଂରକ୍ଷଣ ଦାବି କରି ଗ୍ରାମରେ ଆମରଣ ଅନଶନରେ ଥିଲେ।

ରାଜନୈତିକ ଭାବେ ପ୍ରଭାବଶାଳୀ ମରାଠା ସମ୍ପ୍ରଦାୟ ପାଇଁ ରାଜ୍ୟ ସରକାର ପ୍ରଦାନ କରିଥିବା ସଂରକ୍ଷଣକୁ ସୁପ୍ରିମକୋର୍ଟ ରଦ୍ଦ କରିଛନ୍ତି। ଶାନ୍ତି ପାଇଁ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ନିବେଦନ କରିଥିଲେ ଏବଂ ହିଂସାକୁ ଉଚ୍ଚ ସ୍ତରରେ ଯାଞ୍ଚ କରିବା ପାଇଁ ଏକ କମିଟି ଗଠନ କରାଯିବ ବୋଲି ଘୋଷଣା କରିଥିଲେ। ଏଥି ସହ ଉପମୁଖ୍ୟମନ୍ତ୍ରୀ ତଥା ଗୃହମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଦାବି କରିଛନ୍ତି ଯେ, ପଥର ଫିଙ୍ଗିବା କାରଣରୁ ପୋଲିସ ଲାଠିଚାର୍ଜ କରିବାକୁ ବାଧ୍ୟ ହୋଇଛି।

ପୋଲିସ କହିଛି ଯେ, ଏହି ଆନ୍ଦୋଳନ ଶୁକ୍ରବାର ଦିନ ହିଂସାତ୍ମକ ରୂପ ନେଇଛି ଏବଂ କିଛି ଲୋକ ରାଜ୍ୟ ପରିବହନ ବସ୍ ଏବଂ ଘରୋଇ ଯାନକୁ ଟାର୍ଗେଟ କରିଛନ୍ତି।

ଅଧିକାରୀ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ବୁଧବାର ବିକ୍ଷୋଭକାରୀଙ୍କ ସହ କଥା ହୋଇଥିଲେ ଏବଂ ଆମରଣ ଅନଶନ ବନ୍ଦ କରିବାକୁ ଅନୁରୋଧ କରିଥିଲେ ମଧ୍ୟ ସେମାନେ ପଛକୁ ଫେରିବାକୁ ମନା କରିଦେଇଥିଲେ। ଜାଲନାକୁ ଅତିରିକ୍ତ ପୋଲିସ ଫୋର୍ସ ପଠାଯାଇଛି।

Categories
ବିଶେଷ ଖବର

ମୁମ୍ବାଇରେ ଇଣ୍ଡିଆର ତୃତୀୟ ବୈଠକ: ଆବାହକ ଓ ଆସନ ବଣ୍ଟନ ନେଇ ହୋଇପାରେ ଆଲୋଚନା

ମୁମ୍ବାଇ: ବିରୋଧୀ ଦଳର ମେଣ୍ଟ ଇଣ୍ଡିଆ ନ୍ୟାସନାଲ ଡେଭଲପମେଣ୍ଟ ଇନକ୍ଲୁସିଭ୍ ଆଲାଏନ୍ସ (ଇଣ୍ଡିଆ)ର ତୃତୀୟ ବୈଠକ ଆଜିଠାରୁ ମୁମ୍ବାଇରେ ଆରମ୍ଭ ହୋଇଛି। ଏହି ବୈଠକ ଦୁଇ ଦିନ (୩୧ ଅଗଷ୍ଟ-ସେପ୍ଟେମ୍ବର ୧) ଧରି ଚାଲିବ। ଶରଦ ପାୱାର କହିଛନ୍ତି ଯେ ଏହି ବୈଠକରେ ୨୮ଟି ଦଳର ପ୍ରାୟ ୬୩ ଜଣ ନେତା ଯୋଗ ଦେବେ।

ସେପ୍ଟେମ୍ବର ୧ ତାରିଖ ପୂର୍ବାହ୍ନ ୧୦ଟାରୁ ସରକାରୀ ବୈଠକ ଆରମ୍ଭ ହେବ। ଏଥିରେ ମେଣ୍ଟର ଲୋଗୋ ଏବଂ ଆବାହକ (ଆବାହକ)ଙ୍କ ନାମ ପ୍ରକାଶ ପାଇବ।

ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ, ତାଙ୍କ ପୁଅ ତେଜସ୍ୱୀ ଯାଦବ ଅଗଷ୍ଟ ୨୯ରେ ମୁମ୍ବାଇରେ ପହଞ୍ଚିଥିବାବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଗଷ୍ଟ ୩୦ରେ ମୁମ୍ବାଇରେ ପହଞ୍ଚିଥିଲେ। ମମତା ଅମିତାଭ ବଚ୍ଚନ ଓ ତାଙ୍କ ପରିବାରକୁ ଭେଟିଥିଲେ। ଏହାପରେ ସେ ଉଦ୍ଧବ ଠାକରେଙ୍କୁ ରାକ୍ଷୀ ବାନ୍ଧିଥିଲେ। ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଏବଂ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ମୁମ୍ବାଇ ଅଭିମୁଖେ ଯାତ୍ରା କରିଛନ୍ତି।

ବୈଠକ ସହ ଜଡିତ ବଡ଼ ଅପଡେଟ…

ବିଜେପି ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି, ଆଜି ମୁମ୍ବାଇରେ ‘ଘମଣ୍ଡିଆ ମେଣ୍ଟ’ର ଏକ ବୈଠକ ହେବାକୁ ଯାଉଛି। ଏହି ଦଳଗୁଡ଼ିକ ୨୦ ହଜାର କୋଟି ଟଙ୍କାର ଦୁର୍ନୀତି କରିଛନ୍ତି। ଏହା ଏକ ସ୍ୱାର୍ଥପର ମେଣ୍ଟ। ଦୁର୍ନୀତିରୁ ସର୍ବାଧିକ ଫାଇଦା ଉଠାଇବା ସେମାନଙ୍କ ଏଜେଣ୍ଡା।

ଆପ୍ ସାଂସଦ ରାଘବ ଚଢ଼ା କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ପଦ ପାଇଁ ଆମେ ଏହି ମେଣ୍ଟ ସହ ଜଡ଼ିତ ନୁହଁ। ଅରବିନ୍ଦ କେଜ୍ରିଓ୍ଵାଲ ପ୍ରଧାନମନ୍ତ୍ରୀ ହେବା ଦୌଡ଼ରେ ନାହାନ୍ତି। ଆମେ ଏହି ମେଣ୍ଟ ସହିତ ଜଡିତ ଅଛୁ ଯାହାଦ୍ୱାରା ଏକ ଉନ୍ନତ ଇଣ୍ଡିଆର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇପାରିବ। ଯଦି କୌଣସି ଦଳ କହୁଛି ଯେ ଆମେ ପ୍ରଧାନମନ୍ତ୍ରୀ ପଦ ପାଇଁ ଇଣ୍ଡିଆ ଆଲାଏନ୍ସରେ ଯୋଗ ଦେଇଛୁ, ତେବେ ଏହାର ଅର୍ଥ ହେଉଛି ଆମ ପାଖରେ ପ୍ରଧାନମନ୍ତ୍ରୀ ହେବା ପାଇଁ ଅନେକ ଚେହେରା ସକ୍ଷମ ଅଛନ୍ତି।

ବିହାର ଉପମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ତେଜସ୍ୱୀ ଯାଦବ କହିଛନ୍ତି- ସାମ୍ପ୍ରଦାୟିକ ଶକ୍ତିଙ୍କ ବିରୋଧରେ ଲଢ଼ିବା ପାଇଁ ଆମେ ଏକାଠି ହୋଇଛୁ। ଏ ଦେଶର ଜନସାଧାରଣଙ୍କୁ ମେଣ୍ଟର ଆବଶ୍ୟକତା ରହିଛି । ସମସ୍ତେ ଜାଣନ୍ତି ପ୍ରଧାନମନ୍ତ୍ରୀ ଚୟନ କରିବାର ପ୍ରକ୍ରିୟା କ’ଣ। ସାଂସଦମାନେ ମିଶି ନିଜର ପ୍ରଧାନମନ୍ତ୍ରୀ ଚୟନ କରିବେ। ଆମର ଏହି ମେଣ୍ଟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅପେକ୍ଷା ଲୋକଙ୍କ ପ୍ରତି ଅଧିକ ସଚ୍ଚୋଟ ଏବଂ ବିଶ୍ୱସ୍ତ ହେବ।

ତୃତୀୟ ବୈଠକରେ ବିରୋଧୀଙ୍କ ୩ ପ୍ରମୁଖ ଏଜେଣ୍ଡା

ଆସନ ବୁଝାମଣା ନେଇ ଆଲୋଚନା କରିବ ୧୧ ଜଣିଆ ସମନ୍ୱୟ କମିଟି
ମୁମ୍ବାଇରେ ହେବାକୁ ଥିବା ତୃତୀୟ ବୈଠକରେ ଆସନ ବଣ୍ଟନକୁ ନେଇ ଚର୍ଚ୍ଚା ଜୋର ଧରିଛି। ୧୧ ଜଣିଆ ସମନ୍ୱୟ କମିଟି ମଧ୍ୟ ଚୂଡ଼ାନ୍ତ ହେବ। ଏଥିରେ କଂଗ୍ରେସ, ଟିଏମସି, ଡିଏମକେ, ଆପ୍, ଜେଡିୟୁ, ଆରଜେଡି, ଶିବସେନା (ୟୁବିଟି), ଏନସିପି, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା, ସମାଜବାଦୀ ପାର୍ଟି ଏବଂ ସିପିଆଇ(ଏମ)ର ଜଣେ ଲେଖାଏଁ ସଦସ୍ୟ ରହିବେ। ମେଣ୍ଟରେ ଥିବା ଅନ୍ୟ କ୍ଷୁଦ୍ର ଦଳମାନଙ୍କୁ କମିଟିରେ ସ୍ଥାନ ମିଳିବ ନାହିଁ।

ଯୁଗ୍ମ କାର୍ଯ୍ୟାଳୟ ଘୋଷଣା

୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ମିଳିତ ବିକ୍ଷୋଭ ଓ ରାଲି ଆୟୋଜନ ପାଇଁ ଆଉ ଏକ ପ୍ୟାନେଲ ଘୋଷଣା କରିବାର ସମ୍ଭାବନା ରହିଛି। ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବିରୋଧୀ ଦଳମାନଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା ପାଇଁ ଖୁବ୍ ଶୀଘ୍ର ଏକ ଯୁଗ୍ମ କାର୍ଯ୍ୟାଳୟ ମଧ୍ୟ ଘୋଷଣା କରାଯିବ।

ରାଜ୍ୟମାନଙ୍କ ମଧ୍ୟରେ ମତଭେଦ ଦୂର କରିବାକୁ ପଡ଼ିବ

ଏହି ବୈଠକରେ ସବୁ ଦଳ ମଧ୍ୟରେ ଥିବା ମତଭେଦ ଦୂର ହେବ। ବିଶେଷ କରି ଯେଉଁ ରାଜ୍ୟରେ ସେମାନେ ସିଧାସଳଖ ନିର୍ବାଚନୀ ଲଢ଼େଇରେ ଅଛନ୍ତି। କେରଳରେ କଂଗ୍ରେସ ଓ ବାମପନ୍ଥୀ, ପଶ୍ଚିମବଙ୍ଗରେ ବାମପନ୍ଥୀ ଓ ଟିଏମସି, ପଞ୍ଜାବ ଓ ଦିଲ୍ଲୀରେ ଆପ୍ ଓ କଂଗ୍ରେସ, ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି ଓ କଂଗ୍ରେସ ଏବଂ ଜମ୍ମୁ-କଶ୍ମୀରରେ ପିଡିପି ଓ ନ୍ୟାସନାଲ କନଫରେନ୍ସ ପରସ୍ପରର ତୀବ୍ର ବିରୋଧୀ। ଏଭଳି ସ୍ଥିତିରେ ଏସବୁ ସମସ୍ୟାର ସମାଧାନ କରିବାକୁ ପଡ଼ିବ।

ଆଇଏନଡିଏର ୨୬ଟି ଦଳ ମଧ୍ୟରୁ ଗତଥର ୩୨୬ଟି ଆସନରେ ୧୪ଟି ଦଳ ଦ୍ୱିତୀୟ ସ୍ଥାନରେ ରହିଥିଲେ

ବୈଠକରେ ଆସନ ବୁଝାମଣା ଫର୍ମୁଲା ଏକ ପ୍ରମୁଖ ପ୍ରସଙ୍ଗ ହୋଇଛି। ବିଜେପି ବିପକ୍ଷରେ ଜଣେ ଶକ୍ତିଶାଳୀ ପ୍ରାର୍ଥୀ ହେବା ପାଇଁ ସହମତି ପ୍ରକାଶ ପାଇଛି। ୨୦୧୯ରେ ଯେଉଁ ଦଳର ପ୍ରାର୍ଥୀ ଦ୍ୱିତୀୟ ସ୍ଥାନରେ ଥିଲେ, ସେହି ଦଳକୁ ଦୃଢ଼ ପ୍ରତିଦ୍ୱନ୍ଦ୍ୱୀଭାବେ ବିବେଚନା କରାଯିବ। ଗତଥର କଂଗ୍ରେସ ୨୦୯, ଟିଏମସି ୧୯, ଏସ୍ ପି ୩୧, ଆରଜେଡି ୧୯, ଏନସିପି ୧୫ ସମେତ ଇଣ୍ଡିଆର ୨୬ଟି ଦଳ ମଧ୍ୟରୁ ୧୪ଟି ଦଳ ୩୨୬ଟି ଆସନରେ ଦ୍ୱିତୀୟ ସ୍ଥାନରେ ରହିଥିଲେ। ବିଜେଡି, ୱାଇଏସଆରସି, ବିଆରଏସ ଭଳି ଦଳରେ ଯେଉଁମାନେ ଏକାଠି ନୁହଁନ୍ତି, ସେଠାରେ ଏଭଳି ପ୍ରାର୍ଥୀଙ୍କୁ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀଭାବେ ବିବେଚନା କରାଯିବ, ଯାହା ବିଜେପି ପାଇଁ ଲାଭଦାୟକ ନୁହେଁ।

ଇଣ୍ଡିଆର ରାଜନୈତିକ ଗଣିତରେ ଏସସି-ଏସଟି ଓ ଓବିସି କାହିଁକି ଏତେ ଗୁରୁତ୍ୱପୂର୍ଣ୍ଣ
ମଧ୍ୟପ୍ରଦେଶ, ୟୁପି, ରାଜସ୍ଥାନ, ଛତିଶଗଡ଼, ବିହାର, ବେଙ୍ଗଲ, ତାମିଲନାଡୁ, ମହାରାଷ୍ଟ୍ର, କେରଳ ଓ ଝାଡ଼ଖଣ୍ଡରେ ଏସସି-ଏସଟି ୨୬.୮% ଏବଂ ଓବିସି ପ୍ରାୟ ୪୨% ରହିଛି । ଏହି ସବୁ ରାଜ୍ୟରେ ଆଇଏନଡିଆଇଏ ଦଳଗୁଡ଼ିକ ସରକାରରେ ଅଛନ୍ତି କିମ୍ବା ଶକ୍ତିଶାଳୀ ବିରୋଧୀ ଦଳ ଭୂମିକାରେ ଅଛନ୍ତି।

ଯେଉଁ ରାଜ୍ୟରେ କଂଗ୍ରେସ ଲଢ଼େଇରେ ଅଛି, ସେଠାରେ ଏସସି-ଏସଟି ଯୋଡ଼ିବା ପାଇଁ କାମ ଚାଲିଛି

ମାୟାବତୀ ଦୀର୍ଘ ଦିନ ଧରି ଦଳିତ ରାଜନୀତିର ଚେହେରା ହୋଇ ଆସୁଥିଲେ ହେଁ ତାଙ୍କର ହ୍ରାସ ପାଉଥିବା ସମର୍ଥନ ଭିତ୍ତିଭୂମି ସ୍ଥାନ ସୃଷ୍ଟି କରିଛି। ୨୦୧୯ ଲୋକସଭା ନିର୍ବାଚନରେ ସମାଜବାଦୀ ପାର୍ଟି ସହ ପ୍ରତିଦ୍ୱନ୍ଦ୍ୱିତା କରିଥିବା ବିଏସପିକୁ ୧୦ ଟି ଆସନ (୩.୭% ଭୋଟ୍ ) ମିଳିଥିଲା। ୨୦୧୪ରେ ୪.୨% ଭୋଟ ପଡ଼ିଥିଲେ ମଧ୍ୟ ଗୋଟିଏ ବି ଆସନ ନ ଥିଲା। ୨୦୧୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଦଳ ୨୨.୨% ଭୋଟ୍ ସହ ୧୯ଟି ଆସନ ପାଇଥିଲା। ୨୦୨୨ରେ ଭୋଟ୍ ୧୨.୯% କୁ ଖସି ଆସିଥିବାବେଳେ ଏହି ଆସନ ଗୋଟିଏକୁ ଖସି ଆସିଛି।

କର୍ଣ୍ଣାଟକରେ ଜିତିବା ପରେ କଂଗ୍ରେସ ଉପରେ ବିଶ୍ୱାସ ରହିଛି ଯେ ମୂଳ ଭୋଟ୍ ଫେରିବ। କର୍ଣ୍ଣାଟକରେ ୧୭.୧୫% ଦଳିତ ଭୋଟର ଅଛନ୍ତି। ଏଭଳି ସ୍ଥିତିରେ ମାୟାବତୀଙ୍କ ସ୍ଥାନରେ ଦଳିତ ସମ୍ପ୍ରଦାୟର ଖଡଗେଙ୍କୁ ପ୍ରାର୍ଥୀ କରୁଛି କଂଗ୍ରେସ।

ଜାତିଗତ ଜନଗଣନାକୁ ସମର୍ଥନ କରି କଂଗ୍ରେସ ଏହି ବର୍ଗଙ୍କୁ ଟାର୍ଗେଟ କରୁଛି। ଅନ୍ୟପକ୍ଷରେ ବିହାରରେ ଜାତିଗତ ସର୍ଭେକୁ ନେଇ ବିଜେପି କ୍ରମାଗତ ଦ୍ୱନ୍ଦ୍ୱରେ ରହିଛି।

ଏହି ପାର୍ଟିଗୁଡ଼ିକ ଆଇ.ଏନ୍.ଡି.ଆଇ.ଏ.ର ଅଂଶ ବିଶେଷ

ଏହି ମେଣ୍ଟରେ କଂଗ୍ରେସ, ଟିଏମସି, ଡିଏମକେ, ଆପ୍, ଜେଡିୟୁ, ଆରଜେଡି, ଜେଏମଏମ, ଏନସିପି (ଶରଦ ଗୋଷ୍ଠୀ), ଶିବସେନା (ଉଦ୍ଧବ ଗୋଷ୍ଠୀ), ଏସପି, ଏନସି, ପିଡିପି, ସିପିଏମ, ସିପିଆଇ, ଆରଏଲଡି, ଏମଡିଏମକେ, କେଏମଡିକେ, ଭିସିକେ, ଆରଏସପି, ସିପିଆଇ-ଏମଏଲ (ଲିବରେସନ), ଫରୱାର୍ଡ ବ୍ଲକ, ଆଇୟୁଏମଏଲ, କେରଳ କଂଗ୍ରେସ (ଜୋସେଫ), କେରଳ କଂଗ୍ରେସ (ମଣି), ଅପନା ଦଳ (କାମେରାୱାଡ଼ି) ଏବଂ ଏମଏମକେ ଅନ୍ତର୍ଭୁକ୍ତ।

ମୁଁ ଆବାହକ ହେବାକୁ ଚାହୁଁନାହିଁ: ନୀତୀଶ କୁମାର

ବୈଠକ ପୂର୍ବରୁ ବିହାର ମୁଖ୍ୟମନ୍ତ୍ରୀ ଆଇଏନଡିଆଇଏର ଆବାହକ ହେବାକୁ ମନା କରିଦେଇଛନ୍ତି। ଅଗଷ୍ଟ ୨୮ ରେ ସେ କହିଥିଲେ, ‘‘ମୁଁ କିଛି ହେବାକୁ ଚାହୁଁନାହିଁ, ମୁଁ ବାରମ୍ବାର ଏହା କହୁଛି। ମୋର ସେପରି କୌଣସି ଇଚ୍ଛା ନାହିଁ। ମୁଁ କେବଳ ସମସ୍ତଙ୍କୁ ଏକାଠି କରିବାକୁ ଚାହୁଁଛି।’’

ଆପ୍-କଂଗ୍ରେସ ମଧ୍ୟରେ ବିବାଦ ଲାଗି ରହିଛି

ନିକଟରେ କଂଗ୍ରେସ ମୁଖପାତ୍ର ଅଲକା ଲାମ୍ବା କହିଛନ୍ତି ଯେ ଦଳୀୟ ବୈଠକରେ ଦିଲ୍ଲୀର ସମସ୍ତ ସାତଟି ଲୋକସଭା ଆସନ ପାଇଁ ପ୍ରସ୍ତୁତି କରିବାକୁ କୁହାଯାଇଛି। ଅଳକାଙ୍କ ଏହି ବୟାନକୁ ନେଇ ଅନେକ ବିବାଦ ଦେଖାଦେଇଥିଲା। ଅଳକା ଲାମ୍ବାଙ୍କ ବୟାନରୁ ଅନେକ କଂଗ୍ରେସ ନେତା ନିଜକୁ ଦୂରେଇ ରଖିଥିଲେ। ଏହା ଉପରେ ଆପ୍ କହିଛି ଯେ, ଯେତେବେଳେ ଆପଣଙ୍କୁ ଏକାକୀ ନିର୍ବାଚନ ଲଢ଼ିବାକୁ ପଡ଼ିବ, ସେତେବେଳେ ଆଇଏନଡିଆଇଏର ଅର୍ଥ କ’ଣ?

ତେବେ କଂଗ୍ରେସ ନେତା ସନ୍ଦୀପ ଦୀକ୍ଷିତ ଅଳକାଙ୍କୁ ସମର୍ଥନ କରି କହିଛନ୍ତି, ଆମ୍ ଆଦମୀ ପାର୍ଟି ମୂର୍ଖଙ୍କ ସେନା । ପ୍ରସ୍ତୁତିର ଅର୍ଥ କ’ଣ ? ପ୍ରସ୍ତୁତିର ଅର୍ଥ ହେଉଛି, ଆମେ ପ୍ରାର୍ଥୀ ସ୍ଥିର କରିଛୁ କି ? ସେମାନଙ୍କ ସହ ମେଣ୍ଟ ହୋଇଛି ବୋଲି ମୁଁ କହୁନାହିଁ । ସେମାନେ (ଆମ୍ ଆଦମୀ ପାର୍ଟି) ମିଛରେ ରହୁଛନ୍ତି । ମିଛ, ବ୍ଲାକମେଲ୍ ତାହା ହିଁ କରିଥାଏ ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କେଉଁ ଦଳ, କେଉଁଠୁ, କେତେ ଆସନ (ଆସନ ବୁଝାମଣା) ଲଢ଼ିବ ତାହା ସ୍ଥିର କରିବା । ମେଣ୍ଟରେ ଥିବା ଦଳଗୁଡ଼ିକ ଅନେକ ରାଜ୍ୟରେ ପରସ୍ପରକୁ ବିରୋଧ କରୁଛନ୍ତି । ଏହା ପୂର୍ବରୁ କଂଗ୍ରେସ ନେତା ପିଏଲ ପୁନିଆ କହିଥିଲେ ଯେ ଲୋକସଭା ନିର୍ବାଚନରେ ବିଜେପି ମେଣ୍ଟର ବିଜୟ ପରେ ହିଁ ପ୍ରଧାନମନ୍ତ୍ରୀ ପଦ ପାଇଁ ନାମ ସ୍ଥିର ହେବ । କେବଳ ନିର୍ବାଚିତ ସାଂସଦମାନେ ହିଁ ପ୍ରଧାନମନ୍ତ୍ରୀ ଚୟନ କରିବେ ।

Categories
ବିଶେଷ ଖବର

‘ଇଣ୍ଡିଆ’ ବୈଠକ ପୂର୍ବରୁ ଆପ୍‌ର ଚାପ ରାଜନୀତି, ପ୍ରଧାନମନ୍ତ୍ରୀ ପଦ ପାଇଁ ଅରବିନ୍ଦ କେଜ୍ରିୱାଲ ଭଲ ପ୍ରାର୍ଥୀ?

ନୂଆଦିଲ୍ଲୀ: ଅଗଷ୍ଟ ୩୧ରେ ବିରୋଧୀ ଦଳର ମେଣ୍ଟ ‘ଇଣ୍ଡିଆ’ର ଏକ ବୈଠକ ମୁମ୍ବାଇରେ ହେବାକୁ ଯାଉଛି, କିନ୍ତୁ ଏହାର ଠିକ୍ ପୂର୍ବରୁ ଆପ୍ ପକ୍ଷରୁ ଏକ ବଡ଼ ବୟାନ ଆସିଛି। ଆପ୍‌ର ରାଷ୍ଟ୍ରୀୟ ମୁଖପାତ୍ର ପ୍ରିୟଙ୍କା କକ୍କର କହିଛନ୍ତି ଯେ ବର୍ତ୍ତମାନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିପକ୍ଷରେ ବିରୋଧୀଙ୍କଠାରୁ ଭଲ ପ୍ରାର୍ଥୀ ସାବ୍ୟସ୍ତ ହେବେ।

ଅଗଷ୍ଟ ୩୧ରେ ମୁମ୍ବାଇରେ ଇଣ୍ଡିଆ ଆଲାଏନ୍ସର ବୈଠକ ବସି ଭବିଷ୍ୟତ ରଣନୀତି ଉପରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ଏହା ଭିନ୍ନକଥା ଯେ ଚାପ ରାଜନୀତି ମଧ୍ୟ ଦେଖିବାକୁ ମିଳୁଛି। ବୈଠକରେ ଯୋଗ ଦେବା ପାଇଁ ଆମ୍ ଆଦମୀ ପାର୍ଟିକୁ ନିମନ୍ତ୍ରଣ ପଠାଯାଇଥିବାବେଳେ ଏହା ପୂର୍ବରୁ ଆପ୍ ପକ୍ଷରୁ ଦାବି କରାଯାଇଛି। ଅରବିନ୍ଦ କେଜ୍ରିୱାଲଙ୍କୁ ପ୍ରଧାନମନ୍ତ୍ରୀ ଚେହେରା କରିବା ପାଇଁ ଆମ୍ ଆଦମୀ ପାର୍ଟି ମଧ୍ୟ ଯୁକ୍ତି ଉପସ୍ଥାପନ କରିଛି। ଆପଣଙ୍କୁ କହିରଖୁଛୁ ଯେ ନିକଟରେ ଦିଲ୍ଲୀରେ ଲୋକସଭା ଆସନ ବଣ୍ଟନ ପ୍ରସଙ୍ଗରେ ଆପ୍ ଏବଂ କଂଗ୍ରେସ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା।

ଅରବିନ୍ଦ କେଜ୍ରିୱାଲ ହେଉଛନ୍ତି ଶ୍ରେଷ୍ଠ ପ୍ରାର୍ଥୀ

ଆପ୍ ମୁଖପାତ୍ର ପ୍ରିୟଙ୍କା କକ୍କର କହିଛନ୍ତି, ସତକଥା ହେଉଛି ବର୍ତ୍ତମାନ କେବଳ ଅରବିନ୍ଦ କେଜ୍ରିୱାଲ ହିଁ ନରେନ୍ଦ୍ର ମୋଦିଙ୍କୁ ଟକ୍କର ଦେଇପାରିବେ। ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ବିରୋଧୀଙ୍କ ଶ୍ରେଷ୍ଠ ଚେହେରା ସାବ୍ୟସ୍ତ ହେବେ। ମୁଦ୍ରାସ୍ଫୀତିର ଉଦାହରଣ ଦେଇ ସେ କହିଛନ୍ତି ଯେ ଦେଶର ଅନ୍ୟ ରାଜ୍ୟରେ ମୁଦ୍ରାସ୍ଫୀତି ଶୀର୍ଷରେ ଥିବାବେଳେ ଦିଲ୍ଲୀରେ ମୁଦ୍ରାସ୍ଫୀତି ନିୟନ୍ତ୍ରଣରେ ରଖି ଆମେ ସାଧାରଣ ଲୋକଙ୍କୁ ମାଗଣାରେ ପାଣି, ବିଜୁଳି ଦେଉଛୁ, ବୟସ୍କଙ୍କୁ ତୀର୍ଥଯାତ୍ରା କରୁଛୁ। ଖାଲି ସେତିକି ନୁହେଁ ସବୁ ପ୍ରକାର ସମସ୍ୟା ମଧ୍ୟରେ ବଳକା ବଜେଟ୍ ମଧ୍ୟ ଉପସ୍ଥାପନ କରାଯାଇଛି। ଏଥିରୁ ଆପଣ ଅରବିନ୍ଦ କେଜ୍ରିୱାଲ ସରକାରଙ୍କ ଦକ୍ଷତା ଅନୁମାନ କରିପାରିବେ।

ଦିଲ୍ଲୀରେ ଭଲ କାମ ହେଉଛି ସବୁଠାରୁ ବଡ ଉଦାହରଣ

ପ୍ରିୟଙ୍କା କକ୍କର କହିଛନ୍ତି ଯେ ଦିଲ୍ଲୀର ଶିକ୍ଷା ଏବଂ ସ୍ୱାସ୍ଥ୍ୟ ମଡ଼େଲକୁ କେବଳ ଦେଶରେ ନୁହେଁ ବରଂ ବିଶ୍ୱର ବିଭିନ୍ନ ଦେଶରେ ପ୍ରଶଂସା କରାଯାଉଛି। ଆମେ ‘ମେକ୍ ଇନ୍ ଇଣ୍ଡିଆ’ର ଏକ ନମ୍ବର ଭିଜନ ନେଇ ଆଗକୁ ବଢ଼ୁଛୁ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମେ ବାହାରୁ ସାମଗ୍ରୀ କିଣି ମୁଦ୍ରାସ୍ଫୀତି ଆମଦାନୀ କରୁଛୁ, କିନ୍ତୁ ଆମେ ବିଶ୍ୱାସ କରୁ ଯେ ଆମେ ଭାରତକୁ ଏକ ଉତ୍ପାଦନ କେନ୍ଦ୍ରରେ ପରିଣତ କରି ଏଭଳି ସମସ୍ୟାକୁ ଦୂର କରିପାରିବା। କିନ୍ତୁ ପ୍ରଶ୍ନ ଉଠୁଛି ଏଭଳି ବୟାନ ବିରୋଧୀ ଏକତା ମେଣ୍ଟକୁ ମଜବୁତ କରିବ କି?

କ’ଣ କହୁଛନ୍ତି ବିଶେଷଜ୍ଞ

ବିଶେଷଜ୍ଞଙ୍କ ମତରେ ଯେତେବେଳେ କୌଣସି ଦଳ ନିଜେ ବିରୋଧୀ ଭୂମିକା ନିର୍ବାହ କରିବାରେ ସକ୍ଷମ ନୁହଁନ୍ତି, ତାଙ୍କ ଆଗରେ ଏକମାତ୍ର ବିକଳ୍ପ ହେଉଛି ସମାନ ଚିନ୍ତାଧାରାର ଦଳଗୁଡ଼ିକୁ ଗୋଟିଏ ମଞ୍ଚରେ ଆଣିବା। ଏଭଳି ଉଦ୍ୟମର ସଫଳତା ବିରୋଧୀ ଦଳର ନେତାଙ୍କ ବ୍ୟକ୍ତିଗତ ଆକାଂକ୍ଷା ଉପରେ ନିର୍ଭର କରେ, କିନ୍ତୁ ଯେତେବେଳେ ରାଜନୀତିର ମୂଳ ଉଦ୍ଦେଶ୍ୟ ହେଉଛି ସିଂହାସନ ଦଖଲ କରିବା, ସେତେବେଳେ ଏକ ବ୍ୟବହାରିକ ସମସ୍ୟା ସୃଷ୍ଟି ହୋଇଥାଏ। ବର୍ତ୍ତମାନ ବିରୋଧୀ ଦଳମାନେ ଅନୁଭବ କରୁଛନ୍ତି ଯେ ଏନଡିଏକୁ କ୍ଷମତାରୁ ହଟାଇବା ପାଇଁ କେବଳ କାହାପାଖରେ ସାମର୍ଥ୍ୟ ନାହିଁ, ତେଣୁ ପ୍ରଥମ ପ୍ରୟାସ ହେଉଛି ଲୋକଙ୍କ ମଧ୍ୟରେ ଏକତାର ବାର୍ତ୍ତା ଦେବା। ତେଣୁ ବ୍ୟକ୍ତିଗତ ଇଚ୍ଛାଶକ୍ତି ଓ ଅସନ୍ତୁଷ୍ଟ ମେଣ୍ଟ ପରିପ୍ରେକ୍ଷୀରେ ବୟାନ ଓ ଚାପ ମାମଲା ସାମ୍ନାକୁ ଆସୁଛି।