Categories
ବିଶେଷ ଖବର ବ୍ୟବସାୟ

ସିଙ୍ଗିଲ ୱିଣ୍ଡୋ ମାଧ୍ୟମରେ ୧୨ଟି ପ୍ରକଳ୍ପ ଅନୁମୋଦିତ, ୨୦୭୧ କୋଟି ଟଙ୍କା ବିନିଯୋଗ

ଭୁବନେଶ୍ୱର: ସୋମବାର ଦିନ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ଏକକ ବାତାୟନ(ସିଙ୍ଗିଲ୍ ୱିଣ୍ଡୋ) କମିଟି ବୈଠକରେ ୧୨ ଟି ନୂତନ ପୁଞ୍ଜିନିବେଶ ପ୍ରକଳ୍ପକୁ ନୀତିଗତ ଅନୁମୋଦନ ଦିଆଯାଇଛି । ଏହି ସବୁ ପ୍ରକଳ୍ପ ମାଧ୍ୟମରେ ୨୦୭୧ କୋଟି ଟଙ୍କାର ନୂଆ ପୁଞ୍ଜିନିବେଶ ହେବା ସହ ୩,୫୩୫ ଜଣଙ୍କ ନିମନ୍ତେ ନିଯୁକ୍ତି ସୁଯୋଗ ସୃଷ୍ଟିହେବ ।

ଗତ ୧୧୦ ଦିନ ମଧ୍ୟରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକକ ବାତାୟନ କମିଟି ୪୦ ଟି ପୁଞ୍ଜିନିବେଶ ପ୍ରକଳ୍ପ ଅନୁମୋଦନ କରିଛନ୍ତି । ଫଳରେ ରାଜ୍ୟରେ ୫୮୪୧.୪୦ କୋଟି ଟଙ୍କାର ପୁଞ୍ଜିନିବେଶ ସହ ପ୍ରାୟ ୨୦,୩୮୦ ଲୋକଙ୍କ ପାଇଁ ନୁତନ ନିଯୁକ୍ତି ସୁଯୋଗ ସୃଷ୍ଟି ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଛି ।

ରାଜ୍ୟ ଲୋକସେବା ଭବନରୁ ଡ଼ିଜିଟାଲ ମୋଡ୍ ରେ ଅନୁଷ୍ଠିତ ଏହି ବୈଠକରେ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ କୁମାର ଶର୍ମା ପ୍ରକଳ୍ପ ଗୁଡିକର ବୈଷୟିକ, ଆର୍ଥିକ ଏବଂ ଭିତ୍ତିଭୂମି ସଂପର୍କିତ ବିଷୟ ଉପସ୍ଥାପନ ପୂର୍ବକ କହିଥିଲେ ଯେ ପ୍ରକଳ୍ପ ଗୁଡିକ ମୁଖ୍ୟତଃ ପର‌୍ୟ୍ୟଟନ, ଆତିଥ୍ୟ, ଖାଦ୍ୟ ପ୍ରକ୍ରିୟାକରଣ, ପଶୁପାଳନ, ପଶୁଖାଦ୍ୟ ଉତ୍ପାଦନ, ଲଜିଷ୍ଟିକ୍ ପାର୍କ ଏବଂ ମାନୁଫାକ୍ଚରିଂ ସେକ୍ଟର ଅନ୍ତର୍ଭୁକ୍ତ । ଏସବୁ ପ୍ରକଳ୍ପ ରାଜ୍ୟର ବିଭିନ୍ନ ଅଂଚଳରେ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ଆର୍ଥିକ କାର‌୍ୟ୍ୟକଳାପ ବୃଦ୍ଧିରେ ସହାୟକ ହେବ ।

ପ୍ରକଳ୍ପ ଗୁଡିକୁ ନୀତିଗତ ଅନୁମୋଦନ ଦେଇ ସେଗୁଡିକର ତ୍ୱରିତ କ୍ଷେତ୍ରାନ୍ୱୟନ ଉପରେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଗୁରୁତ୍ୱ ଆରୋପ କରିଥିଲେ । ଏଥି ପାଇଁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବା ପାଇଁ ଶ୍ରୀ ମହାପାତ୍ର ସଂପୃକ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ପୂର୍ବରୁ ଅନୁମୋଦିତ ପ୍ରକଳ୍ପ ଗୁଡ଼ିକର ସମୟାନୁବନ୍ଧିତ ନିର୍ମାଣ ଏବଂ ଉତ୍ପାଦନ ଆରମ୍ଭ ଉପରେ ଗୁରୁତ୍ୱ ଆରୋପ କରି ଏହା ଉପରେ ଦୃଷ୍ଟି ରଖିବା ପାଇଁ ମୁଖ୍ୟ ଶାସନ ସଚିବ ଇପିକଲ୍ଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସବୁ ଶିଳ୍ପାନୁଷ୍ଠାନରେ ଓଡ଼ିଶାରୁ କୌଶଳ ପ୍ରାପ୍ତ(ସ୍କିଲ୍ଡ୍ ଇନ୍ ଓଡିଶା) ଯୁବକଯୁବତୀମାନଙ୍କର ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ । ନିର୍ଦ୍ଧାରିତ ମାନକ ଅନୁସାରେ ଶିଳ୍ପ ପାଇଁ ଆବଶ୍ୟକ ଜମି ଓ ଜଳର ବାସ୍ତବ ଅନୁଶୀଳନ କରିବାକୁ ମଧ୍ୟ ଶ୍ରୀ ମହାପାତ୍ର ଇପିକଲକୁ ନିର୍ଦ୍ଦେଶ ଦେଇଥିଲେ ।

ଉନ୍ନୟନ କମିଶନର ଶ୍ରୀ ପ୍ରଦୀପ କୁମାର ଜେନା, ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ଼ଃ ମୋନା ଶର୍ମା, ରାଜସ୍ୱ ଓ ବିପର‌୍ୟ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ କୁମାର ଶର୍ମା, ଇସ୍ପାତ ଓ ଖଣି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଦେଓ ରଂଜନ କୁମାର ସିଂ, ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ, ପଂଚାୟତିରାଜ ଓ ପାନୀୟ ଜଳ ଯୋଗାଣ ପ୍ରମୁଖ ଶାସନ ସଚିବ ଶ୍ରୀ ଅଶୋକ କୁମାର ମୀନା, ଇପିକଲ୍ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଭୁପିନ୍ଦର ସିଂ ପୁନିଆଙ୍କ ସମେତ ସଂପୃକ୍ତ ବିଭାଗର ପ୍ରମୁଖ ଶାସନ ସଚିବ, ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ରାଜ୍ୟରେ ୧୨୧୪ କୋଟି ଟଙ୍କାର ୮ଟି ପ୍ରକଳ୍ପକୁ ମିଳିଲା ଅନୁମୋଦନ, ୨୪୨୭ ଜଣଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି

ଭୁବନେଶ୍ୱର: ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ସିଙ୍ଗଲ୍ ୱିଣ୍ଡୋ କମିଟି ବୈଠକରେ ୮ଟି ପ୍ରକଳ୍ପକୁ ଅନୁମୋଦନ କରାଯାଇଛି । ଭର୍ଚୁଆଲ୍ ବୈଠକରେ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ପ୍ରକଳ୍ପଗୁଡ଼ିକର ବୈଷୟିକ, ଆର୍ଥିକ ଏବଂ ଭିତ୍ତିଭୂମି ସମ୍ପର୍କିତ ବିଷୟ ଆଲୋଚନା କରିଥିଲେ ।

ଅନୁମୋଦିତ ୮ଟି ପ୍ରକଳ୍ପରେ ୧୨୧୪ କୋଟି ଟଙ୍କା ବିନିଯୋଗ ହେବ । ପ୍ରକଳ୍ପରେ ୨୪୨୭ ଜଣଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ମିଳିବ । ପ୍ରକଳ୍ପ ତ୍ୱରିତ କାର୍ଯ୍ୟକ୍ଷମ ପାଇଁ ସମସ୍ତ ସହଯୋଗ ଯୋଗାଇ ଦେବାକୁ ମୁଖ୍ୟ ଶାସନ ସଚିବ ସମ୍ପୃକ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଶିଳ୍ପମାନଙ୍କ ପାଇଁ ଆବଶ୍ୟକ ଜମି ଓ ଜଳର ସଠିକ୍ ଆକଳନ କରିବା ସହ ଅଧିକ ନିଯୁକ୍ତି ଭିତ୍ତିକ ଶିଳ୍ପଗୁଡ଼ିକୁ ଅଗ୍ରାଧିକାର ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।

ଯେଉଁ ଆଠଟି ପ୍ରକଳ୍ପକୁ ଅନୁମୋଦ ଦିଆଯାଇଛି ସେଗୁଡିକ ହେଲା..

1- ମୟୂରଭଞ୍ଜ ରାଇରଙ୍ଗପୁରରେ ଏନର୍ଜି ମିନେରାଲ୍ସ ଲୁହା ପଥର ବେନିଫିକେସନ୍ ଓ ପେଲେଟ୍ ପ୍ଲାଣ୍ଟ ନିର୍ମାଣ କରିବ। ସେଥିପାଇଁ୨୫୬ କୋଟି ବିନିଯୋଗ ହେବ । ଏଥିରେ ୨୭୪ ଜଣଙ୍କୁ ନିଯୁକ୍ତି ମିଳିବ ।

2-  ଆଇଟିସି ଲିମିଟେଡ୍ ଭୁବନେଶ୍ୱର ଡୁମଡୁମାରେ ପଞ୍ଚ ତାରକା ହୋଟେଲ୍ ନିର୍ମାଣ କରିବ। ଏଥିରେ ୧୪୧.୧୪ କୋଟି ବିନଯୋଗ ହେବାକୁ ଥିବାବେଳେ ୧୨୦ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ ।

3- ଫାଲକନ୍ ରିଅଲ୍ ଇଷ୍ଟେଟ୍ ପ୍ରାଇଭେଟ୍ ଲି. ଖୋର୍ଦ୍ଧାରେ ୧୨୦.୨୬ କୋଟି ଟଙ୍କା ବିନିଯୋଗରେ ପଞ୍ଚ ତାରକା ହୋଟେଲ ନିର୍ମାଣ କରିବ । ଯେଉଁଥିରେ ୯୦୦ ଜଣ ନିଯୁକ୍ତି ପାଇବେ।

4- ବ୍ରିଟାନିକା ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଖୋର୍ଦ୍ଧାରେ ଥିବା ତାହାର ବିସ୍କୁଟ୍ ଓ କେକ ପ୍ରକଳ୍ପର ସମ୍ପ୍ରସାରଣ କରିବ  । ଏଥିରେ ୯୩.୬୦ କୋଟି ଟଙ୍କା ପୁଂଜି ନିବେଶ ହେବାକୁ ଥିବାବେଳେ ୩୫୦ ଜଣଙ୍କୁ ନିଯୁକ୍ତି ମିଳିବ।

5- ଦେବଗଡ଼ରେ ଇନ୍ଦାଲକ୍ ସ୍ୱିରିଟ୍ ପ୍ରାଇଭେଟ୍ ଲିମିଟେଡ୍ ୨୦୪.୬୦ କୋଟି ବିନିଯୋଗରେ ନିର୍ମାଣ କରିବ ଶସ୍ୟ ଭିତ୍ତିକ ଡିଷ୍ଟିଲେରୀ ପ୍ଲାଣ୍ଟ । ଏଥିରେ ୧୮୫ ଜଣ ନିଯୁକ୍ତି ପାଇବେ ।

6- ଝାରସୁଗୁଡ଼ାରେ ମାସ୍ ସ୍ପିରିଟସ୍ ଡିଷ୍ଟିଲେରୀ ଏବଂ ବଟଲିଂ କାରଖାନା  ନିର୍ମାଣ କରିବ। ଏଥିରେ ୨୦୪.୬୦ କୋଟି ବିନିଯୋଗ ହେବ।୧୮୫ ଜଣଙ୍କୁ ନିଯୁକ୍ତି ମିଳିବ।

7- ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡାରେ ଥିବା ସର୍ବେଶ ରିପ୍ରାକ୍ଟୋରିଜ୍ ପ୍ରାଇଭେଟ୍ ଲିମିଟେଡ୍ ରିଫ୍ରାକ୍ଟୋରୀ କାରଖାନାର ସମ୍ପ୍ରସାରଣ ହେବ। ଏଥିରେ ୧୨୩.୨୫ କୋଟି ଟଙ୍କା ନିବେଶ ହେବ । ଏହାଦ୍ୱାରା ୨୯୯ ଜଣ କର୍ମ ନିଯୁକ୍ତି ପାଇବେ ।

8- ପୁରବ୍ ପ୍ୟାକେଜିଂ ପ୍ରାଇଭେଟ୍ ଲିମିଟେଡ୍ ପାରାଦୀପ ପ୍ଲାଷ୍ଟିକ ପାର୍କରେ ପଲି ପ୍ରପଲିନ୍ କାରଖାନା କରିବ। ୬୦ କୋଟି ଟଙ୍କା ବିନିଯୋଗରେ ହେବାକୁ ଥିବା ଏହି ପ୍ରକଳ୍ପରେ ୬୦ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ।