Categories
ଆଜିର ଖବର ରାଜ୍ୟ ଖବର

ରେଳ ମନ୍ତ୍ରୀଙ୍କ ଦ୍ୱାରା ଭୁବନେଶ୍ୱର ଏବଂ କଟକ ରେଲୱେ ଷ୍ଟେସନ୍ ପୁନର୍ବିକାଶର ପ୍ରଗତି ସମୀକ୍ଷା

ଭୁବନେଶ୍ୱର: ରେଳ, ଯୋଗାଯୋଗ ଏବଂ ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଭଦ୍ରକ-ଭୁବନେଶ୍ୱର ରେଳ ସେକ୍ସନ ନିରୀକ୍ଷଣ କରି ନିରାପତ୍ତା, ଟ୍ରାଫିକ ସୁବିଧା ସମୀକ୍ଷା କରିବା ସହିତ ରେଳ ସେକ୍ସନରେ ଚାଲିଥିବା ଭିତ୍ତିଭୂମି କାର୍ଯ୍ୟ ସମ୍ପର୍କରେ ପଚାରି ବୁଝିଛନ୍ତି । ନିରୀକ୍ଷଣ ସମୟରେ ସେ ରେଳ ଅଧିକାରୀଙ୍କୁ ଭିତ୍ତିଭୂମି ସମ୍ବନ୍ଧୀୟ ପ୍ରକଳ୍ପ ଏବଂ ଯାତ୍ରୀଙ୍କ ସୁବିଧା କାର୍ଯ୍ୟ ଠିକ୍ ସମୟରେ ସମ୍ପୂର୍ଣ୍ଣ କରିବାକୁ ପରାମର୍ଶ ଦେଇଛନ୍ତି।

ପରେ, ଶ୍ରୀ ବୈଷ୍ଣବ କଟକ ଏବଂ ଭୁବନେଶ୍ୱର ରେଳ ଷ୍ଟେସନ ପରିଦର୍ଶନ କରି ବିଶ୍ୱ ସ୍ତରୀୟ ଷ୍ଟେସନ ଭାବରେ ଏହି ଷ୍ଟେସନଗୁଡିକର ପୁନର୍ବିକାଶ ସମ୍ବନ୍ଧୀୟ ନିର୍ମାଣ ପାଇଁ ଚାଲିଥିବା ଭିତ୍ତିଭୂମି କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ। ନିର୍ମାଣ କାର୍ଯ୍ୟର ଅଗ୍ରଗତି ନେଇ ଶ୍ରୀ ବୈଷ୍ଣବ ଖୁସି ବ୍ୟକ୍ତ କରିଛନ୍ତି।

ମାଣିଆବନ୍ଧ ହସ୍ତଶିଳ୍ପ:

ଶ୍ରୀ ବୈଷ୍ଣବ କଟକ ରେଳ ଷ୍ଟେସନ ଗସ୍ତ ସମୟରେ ମାଣିଆବନ୍ଧ ହସ୍ତାଶିଳ୍ପ ସାମଗ୍ରୀ ଷ୍ଟଲ୍ ପରିଦର୍ଶନ କରିଥିଲେ। କଟକ ରେଳ ଷ୍ଟେସନରେ ଥିବା ଏକ ଷ୍ଟେସନ୍ ୱାନ୍ ପ୍ରଡକ୍ଟ ଷ୍ଟଲ୍ କଟକ ଜିଲ୍ଲାର ମାଣିଆବନ୍ଧ ଗ୍ରାମର ହ୍ୟାଣ୍ଡଲୁମ୍ ଉତ୍ପାଦ ସହିତ ପ୍ରଦର୍ଶିତ ଓ ବିକ୍ରି ପ୍ରାରମ୍ଭ ହୋଇଛି। ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ନିକଟରେ ଓଡ଼ିଶା ଗସ୍ତ ସମୟରେ ଶ୍ରୀ ବୈଷ୍ଣବ ସ୍ଥାନୀୟ ବୁଣାକାରମାନଙ୍କୁ “ୱାନ ଷ୍ଟେସନ ୱାନ ପ୍ରଡକ୍ଟ” ପଦକ୍ଷେପ ଅନ୍ତର୍ଗତ କଟକ ଷ୍ଟେସନରେ ମାଣିଆବନ୍ଧ ଷ୍ଟଲ ଖୋଲିବାକୁ ଆଶ୍ୱାସନା ଦେଇଥିଲେ।

ମାଣିଆବନ୍ଧ ଗ୍ରାମ ପରିଦର୍ଶନ ସମୟରେ ଏହାରୀ ବୈଷ୍ଣବ ହୃଦୟଙ୍ଗମ କରିଥିଲେ ଯେ 10 ଟି ପରିବାର ଯିଏକି ଲୁଗାବୁଣା କାର୍ଯ୍ୟରେ ସୁତା କାଟିବା, ରଙ୍ଗଦେବା ଓ ବୁଣିବା ଭଳି ବିଭିନ୍ନ କାର୍ଯ୍ୟରେ ନିୟୋଜିତ ହୋଇ ଲୁଗାବୁଣି ସ୍ୱଳ୍ପ ପଇସାରେ ମଧ୍ୟମ ବ୍ୟକ୍ତି ମାଧ୍ୟମରେ ବିକ୍ରି କରୁଥିଲେ ଯାହାକି ପରିଶ୍ରମର ସିଂହଭାଗ ମଧ୍ୟମ ବ୍ୟକ୍ତି ନେଉଥିବାବେଳେ ଏମାନଙ୍କୁ ସ୍ୱଳ୍ପ ଅର୍ଥରାଶି ମିଳୁଥିଲା। ସେଥିପାଇଁ ଶ୍ରୀ ବୈଷ୍ଣବ ଏହି 10ଟି ପରିବାରର ସାମଗ୍ରୀ ବିକ୍ରିପାଇଁ କଟକ ଷ୍ଟେସନ ଠାରେ ଗୋଟିଏ ଷ୍ଟେସନ ଗୋଟିଏ ଦ୍ରବ୍ୟ / ପ୍ରଡକ୍ଟ ସ୍ଟଲ ଯୋଗାଇ ଦେବାପାଇଁ ମାଣିଆବନ୍ଧ ଗ୍ରାମର ଏହି ବୁଣାକାର ମାନଙ୍କୁ ଗତ ସପ୍ତାହରେ ପ୍ରତିଶ୍ରୁତି ଦେଇଥିଲେ। ଶ୍ରୀ ବୈଷ୍ଣବ ଦେଇଥିବା ପ୍ରତିଶୃତିକୁ ମାତ୍ର ଏକ ସପ୍ତାହ ମଧ୍ୟରେ କାର୍ଯ୍ୟକାରୀ କରାଯାଇଅଛି। ଏବେ ଏହି ବୁଣାକାର ମାନେ ସିଧାସଳଖ ଭାବେ ସେମାନଙ୍କର ସାମଗ୍ରୀ ବିକ୍ରିକରି ନିଜ ପରିଶ୍ରମର ଉଚିତ ପାଉଣା ପାଇପାରିବେ।

Categories
ଆଜିର ଖବର ଜାତୀୟ ଖବର

ପାଂଚ ବର୍ଷରେ ବହୁମୁଖୀ ଦାରିଦ୍ର୍ୟରୁ ରକ୍ଷା ପାଇଛନ୍ତି ୧୩.୫ କୋଟି ଭାରତୀୟ: ନୀତି ଆୟୋଗ

ନୂଆଦିଲ୍ଲୀ: ନୀତି ଆୟୋଗଙ୍କ ରିପୋର୍ଟ ‘ଜାତୀୟ ବହୁମୁଖୀ ଦାରିଦ୍ର‌୍ୟ ସୂଚକାଙ୍କ: ଏକ ପ୍ରଗତି ସମୀକ୍ଷା ୨୦୨୩’ ଅନୁଯାୟୀ ୨୦୧୫-୧୬ ରୁ ୨୦୧୯-୨୧ ମଧ୍ୟରେ ରେକର୍ଡ ପରିମାଣରେ ୧୩.୫ କୋଟି ଲୋକ ବହୁମୁଖୀ ଦାରିଦ୍ର‌୍ୟରୁ ବାହାର ପାରିିଛନ୍ତି। ସୋମବାର ଦିନ ନୀତି ଆୟୋଗର ଉପାଧ୍ୟକ୍ଷ ସୁମନ ବେରୀ, ନୀତି ଆୟୋଗ ସଦସ୍ୟ ଡକ୍ଟର ଭି କେ ପଲ୍ ଏବଂ ଡକ୍ଟର ଅରବିନ୍ଦ ବୀରମଣି ଏବଂ ନୀତି ଆୟୋଗ ସିଇଓ ବି ଭି ଆର ସୁବ୍ରମଣ୍ୟମଙ୍କ ଉପସ୍ଥିତିରେ ଏହି ରିପୋର୍ଟ ପ୍ରକାଶ କରିଛନ୍ତି।

ସର୍ବଶେଷ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ଏନ୍‌ଏଫ୍‌ଏଚ୍‌ଏସ୍ -୫ (୨୦୧୯-୨୧), ଉପରେ ଆଧାର କରି, ଜାତୀୟ ବହୁମୁଖୀ ଦାରିଦ୍ର‌୍ୟ ସୂଚକାଙ୍କ (ଏମ୍‌ପିଆଇ) ର ଏହି ଦ୍ୱିତୀୟ ସଂସ୍କରଣ, ଏନ୍‌ଏଫ୍‌ଏଚ୍‌ଏସ୍ -୪ (୨୦୧୫-୧୬) ଏବଂ ଏନ୍‌ଏଫ୍‌ଏଚ୍‌ଏସ୍ -୫ (୨୦୧୯-୨୧) ମଧ୍ୟରେ ବହୁମୁଖୀ ଦାରିଦ୍ର‌୍ୟ ହ୍ରାସ କରିବାରେ ଭାରତର ଅଗ୍ରଗତିକୁ ଉପସ୍ଥାପିତ କରେ। ନଭେମ୍ବର ୨୦୨୧ ରେ ଆରମ୍ଭ ହୋଇଥିବା ଭାରତର ଜାତୀୟ ଏମ୍‌ପିଆଇର ବେସଲାଇନ୍ ରିପୋର୍ଟ ଉପରେ ଏହା ଆଧାରିତ। ଗ୍ରହଣ କରାଯାଇଥିବା ବ୍ୟାପକ କାର୍ଯ୍ୟପ୍ରଣାଳୀ ବୈଶ୍ୱିକ ପଦ୍ଧତି ଅନୁସାରେ ରହିଛି।

ଜାତୀୟ ଏମ୍‌ପିଆଇ ସ୍ୱାସ୍ଥ୍ୟ, ଶିକ୍ଷା, ଏବଂ ଜୀବନଧାରଣର ତିନୋଟି ସମାନ ରୂପ ବିଶିଷ୍ଟ ଏକା ସହିତ ଅଭାବକୁ ମାପ କରିଛି ଯାହାକି ୧୨ ଏସ୍‌ଡିଜି- ସଂରେଖିତ ସୂଚକ ଗୁଡିକ ଦ୍ୱାରା ଦର୍ଶା ଯାଇଛି। ଏଥି ମଧ୍ୟରେ ପୁଷ୍ଟିକର ଖାଦ୍ୟ, ଶିଶୁ ଏବଂ କିଶୋର ମୃତ୍ୟୁ, ମାତୃ ସ୍ୱାସ୍ଥ୍ୟ, ବିଦ୍ୟାଳୟର ବର୍ଷ, ବିଦ୍ୟାଳୟରେ ଉପସ୍ଥାନ, ରନ୍ଧନ ନିମନ୍ତେ ଆବଶ୍ୟକ ଇନ୍ଧନ, ସ୍ୱଚ୍ଛତା, ପାନୀୟ ଜଳ, ବିଦ୍ୟୁତ୍ ଶକ୍ତି, ଗୃହ, ସମ୍ପତ୍ତି ଏବଂ ବ୍ୟାଙ୍କ ଆକାଉଣ୍ଟ ଗୁଡ଼ିକ ଅନ୍ତର୍ଭୁକ୍ତ । ସମସ୍ତ ୧୨ ସୂଚକାଙ୍କରେ ଉଲ୍ଲେଖନୀୟ ଉନ୍ନତି ଦେଖାଯାଇଛି।

ରିପୋର୍ଟ ଅନୁଯାୟୀ, ଭାରତର ବହୁମୁଖୀ ଗରିବଙ୍କ ସଂଖ୍ୟାରେ ୯.୮୯ ପ୍ରତିଶତ ଉଲ୍ଲେଖନୀୟ ହ୍ରାସ ପଞ୍ଜିକୃତ ହୋଇଛି, ଯାହା ୨୦୧୫-୧୬ରେ ୨୪.୮୫% ଥିବାବେଳେ ୨୦୧୯-୨୦୨୧ ରେ ୧୪.୯୬% ହୋଇଛି। ଗ୍ରାମାଞ୍ଚଳରେ ଦାରିଦ୍ର‌୍ୟ କ୍ଷେତ୍ରରେ ଦ୍ରୁତତମ ହ୍ରାସ ୩୨.୫୯% ରୁ ୧୯.୨୮% ହୋଇଛି। ସମାନ ଅବଧିରେ, ସହରାଞ୍ଚଳରେ ଦାରିଦ୍ର‌୍ୟ ପରିମାଣ ୮.୬୫% ରୁ ୫.୨୭% କୁ ହ୍ରାସ ପାଇଥିଲା। ଉତ୍ତରପ୍ରଦେଶରେ ଗରିବଙ୍କ ସଂଖ୍ୟାରେ ସର୍ବାଧିକ ହ୍ରାସ ଘଟିଛି ଏବଂ ୩.୪୩ କୋଟି ଲୋକ ବହୁମୁଖୀ ଦାରିଦ୍ର‌୍ୟରୁ ରକ୍ଷା ପାଇ ପାରିଛନ୍ତି। ୩୬ ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ତଥା ୭୦୭ ଟି ପ୍ରଶାସନିକ ଜିଲ୍ଲା ପାଇଁ ବହୁମୁଖୀ ଦାରିଦ୍ର‌୍ୟ ଆକଳନ ପ୍ରଦାନ କରି, ରିପୋର୍ଟରେ ଦର୍ଶାଯାଇଛି ଯେ ଉତ୍ତରପ୍ରଦେଶ, ବିହାର, ମଧ୍ୟପ୍ରଦେଶ, ଓଡିଶା ଏବଂ ରାଜସ୍ଥାନରେ ବହୁମୁଖୀ ଗରିବଙ୍କ ଅନୁପାତରେ ଦ୍ରୁତତମ ହ୍ରାସ ଘଟିଛି ।

୨୦୧୫-୧୬ ରୁ ୨୦୧୯-୨୧ ମଧ୍ୟରେ, ଏମ୍‌ପିଆଇ ମୂଲ୍ୟ ୦.୧୧୭ ରୁ ପ୍ରାୟ ଅଧା ୦.୦୬୬ କୁ ହ୍ରାସ ପାଇଛି ଏବଂ ଦାରିଦ୍ର‌୍ୟର ତୀବ୍ରତା ୪୭% ରୁ ୪୪% କୁ ହ୍ରାସ ପାଇଛି, ଯାହା ଦ୍ୱାରା ୨୦୩୦ ର ନିର୍ଦ୍ଧାରିତ ସମୟ ସୀମା ଠାରୁ ବହୁ ଆଗରୁ ଭାରତକୁ ଏସ୍‌ଡିଜି ଲକ୍ଷ୍ୟ ୧.୨ (ବହୁମୁଖୀ ଦାରିଦ୍ର‌୍ୟ ଅତି କମରେ ଅଧା ହ୍ରାସ କରିବା) ପଥରେ ସ୍ଥିର କର ଯାଇଛି । ଏହା ସ୍ଥାୟୀ ତଥା ସମାନ ବିକାଶକୁ ସୁନିଶ୍ଚିତ କରିଥାଏ ଏବଂ ୨୦୩୦ ସୁଦ୍ଧା ଦାରିଦ୍ର‌୍ୟ ଦୂରୀକରଣ ଉପରେ ସରକାରଙ୍କ ରଣନୀତିକ ଧ୍ୟାନକୁ ପ୍ରଦର୍ଶିତ କରିଥାଏ, ଯାହା ଦ୍ୱାରା ଏସ୍‌ଡିଜି ଗୁଡ଼ିକ ଉଦ୍ଦେଶ୍ୟରେ ପ୍ରତିବଦ୍ଧତା ପାଳନ କରାଯାଇଛି ।

ସ୍ୱଚ୍ଛତା, ପୁଷ୍ଟିକର ଖାଦ୍ୟ, ରନ୍ଧନ ପାଇଁ ଆବଶ୍ୟକ ଇନ୍ଧନ, ଆର୍ôଥକ ଅନ୍ତର୍ଭୁକ୍ତୀକରଣ, ପାନୀୟ ଜଳ ଏବଂ ବିଦ୍ୟୁତ୍ ସୁବିଧା ଉପରେ ସରକାରଙ୍କ ଉତ୍ସର୍ଗୀକୃତ ଧ୍ୟାନ ଏହି କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି କରାଇ ପାରିଛି । ଏମ୍‌ପିଆଇର ସମସ୍ତ ୧୨ଟି ଯାକ ମାନଦଣ୍ଡ ଉଲ୍ଲେଖନୀୟ ଉନ୍ନତି ପ୍ରଦର୍ଶନ କରିଛି । ପୋଷଣ ଅଭିଯାନ ଏବଂ ରକ୍ତହୀନତା ମୁକ୍ତ ଭାରତ ଭଳି ପ୍ରମୁଖ କାର୍ଯ୍ୟକ୍ରମ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅଭାବ ହ୍ରାସ କରିବାରେ ଅବଦାନ ରଖିଛି । ସ୍ୱଚ୍ଛ ଭାରତ ମିଶନ (ଏସବିଏମ) ଏବଂ ଜଳ ଜୀବନ ମିଶନ (ଜେଜେଏମ) ଭଳି ପଦକ୍ଷେପ ସମଗ୍ର ଦେଶରେ ପରିମଳ ବ୍ୟବସ୍ଥାରେ ଉନ୍ନତି ଆଣିଛି । ପରିମଳ ବ୍ୟବସ୍ଥାର ଅଭାବ କ୍ଷେତ୍ରରେ ୨୧.୮ ପ୍ରତିଶତ ପଏଣ୍ଟର ଉନ୍ନତିରେ ଏହି ପ୍ରୟାସର ପ୍ରଭାବ ସ୍ପଷ୍ଟ ହୋଇଛି ।

ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା (ପିଏମ୍‌ୟୁୱାଇ) ମାଧ୍ୟମରେ ରିହାତିିଯୁକ୍ତ ରନ୍ଧନ ପାଇଁ ଆବଶ୍ୟକ ଇନ୍ଧନର ଯୋଗାଣ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିଛି ଏବଂ ରନ୍ଧନ ଇନ୍ଧନର ଅଭାବକୁ ହ୍ରାସ କରିବା କ୍ଷେତ୍ରରେ ୧୪.୬ ପ୍ରତିଶତ ପଏଣ୍ଟ ଉନ୍ନତି ହୋଇଛି । ଦେଶରେ ବହୁମୁଖୀ ଦାରିଦ୍ର‌୍ୟକୁ ହ୍ରାସ କରିବାରେ ସୌଭାଗ୍ୟ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍‌ଏୱାଇ), ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା (ପିଏମ୍‌ଜେଡିୱାଇ) ଏବଂ ସମଗ୍ର ଶିକ୍ଷା ଭଳି ପଦକ୍ଷେପ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଛି । ବିଶେଷ କରି ବିଦ୍ୟୁତ୍‌, ବ୍ୟାଙ୍କ ଆକାଉଣ୍ଟ ଖୋଲିବା ଏବଂ ପାନୀୟ ଜଳ ପାଇଁ ଅତ୍ୟଧିକ ନିମ୍ନ ଅଭାବ ହାରରେ ହାସଲ ହୋଇଥିବା ଉଲ୍ଲେଖନୀୟ ଅଗ୍ରଗତି, ନାଗରିକ ମାନଙ୍କର ଜୀବନରେ ଉନ୍ନତି ଆଣିବା ଏବଂ ସମସ୍ତଙ୍କ ପାଇଁ ଉଜ୍ଜ୍ୱଳ ଭବିଷ୍ୟତ ସୃଷ୍ଟି କରିବା ପାଇଁ ସରକାରଙ୍କ ଅଦମ୍ୟ ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଛି । ବିଭିନ୍ନ ପ୍ରକାରର କ।।ର୍ଯ୍ୟକ୍ରମ ଏବଂ ପଦକ୍ଷେପ ଗୁଡ଼ିକର କ୍ରମାଗତ କାର୍ଯ୍ୟକାରିତା, ଯେଉଁ ଗୁଡ଼ିକର ବଳିଷ୍ଠ ଆଭ୍ୟନ୍ତରୀଣ ସଂଯୋଗ ରହିଛି, ତାହା ଏକାଧିକ ସୂଚକାଙ୍କରେ ବଞ୍ଚିତତାକୁ ହ୍ରାସ କରିବା ଦିଗରେ ପଥ କଢ଼ାଇ ନେଇଛି ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ନୂଆ ମେଡିକାଲ କଲେଜ ସବୁକୁ କାର୍ଯ୍ୟକ୍ଷମ କରିବା କାମର ପ୍ରଗତି ସମୀକ୍ଷା

ନୂଆଦିଲ୍ଲୀ: ଦେଶର ୧୪ଟି ରାଜ୍ୟରେ ବର୍ତ୍ତମାନର ସଦର ମହକୁମା ହସ୍‌ପିଟାଲ ସହିତ ସମ୍ପୃକ୍ତ ନୂଆ ମେଡିକାଲ କଲେଜଗୁଡିକୁ ଯଥାଶୀଘ୍ର  କାର୍ଯ୍ୟକ୍ଷମ କରିବାକୁ କେନ୍ଦ୍ର ସରକାର ସମ୍ପୃକ୍ତ ରାଜ୍ୟ ସରକାରମାନଙ୍କୁ ପରାମର୍ଶ ଦେଇଛନ୍ତି। ଏସବୁ ନୂଆ ମେଡିକାଲ  କଲେଜ ସ୍ଥାପନ ପାଇଁ କେନ୍ଦ୍ର ସରକାର କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନାରେ ଅର୍ଥ ଯୋଗାଇ ଦେଉଛନ୍ତି। ସମ୍ପୃକ୍ତ ପାଣ୍ଠିକୁ ତୁରନ୍ତ ବିନିଯୋଗ କରି ସେସବୁ ମେଡିକାଲ କଲେଜଗୁଡିକରେ ସ୍ନାତକ ପାଠ୍ୟକ୍ରମ ଯଥାଶୀଘ୍ର ଆରମ୍ଭ କରିବାକୁ  କୁହାଯାଇଛି।

ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ  ଉଚ୍ଚସ୍ତରୀୟ ବୈଠକରେ ଏହି ନୂଆ ମେଡିକାଲ କଲେଜଗୁଡିକର ପ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ଏହି ମେଡିକାଲ କଲେଜଗୁଡିକର ପ୍ରଗତି ଅତ୍ୟନ୍ତ ମନ୍ଥର ଥିବାରୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଉଦ୍‌ବେଗ ପ୍ରକାଶ କରିଥିଲେ।

ଭିଡିଓ କନ୍‌ଫରେନ୍ସି ବ୍ୟବସ୍ଥାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ସମ୍ପୃକ୍ତ ୧୪ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସ୍ୱାସ୍ଥ୍ୟ ସଚିବ  ଓ ଡାକ୍ତରୀ ଶିକ୍ଷା ନିର୍ଦ୍ଦେଶକମାନେ ଯୋଗଦେଇଥିଲେ।

ଏହି କେନ୍ଦ୍ରୀୟ ଯୋଜନାରେ ଦେଶରେ ୧୫୭ ନୂଆ ମେଡିକାଲ କଲେଜ ସ୍ଥାପନ କରିବାକୁ ୨୦୧୪ରୁ ନିଷ୍ପତ୍ତି ଗ୍ରହଣ କରାଯାଇ ତିନିଟି ପର୍ଯ୍ୟାୟରେ ଏହାକୁ କାର୍ଯ୍ୟକାରୀ କରାଯାଉଛି। ଆଜିର ବୈଠକରେ ଅରୁଣାଚଳ ପ୍ରଦେଶ, ଆସାମ, ବିହାର, ଛତିଶଗଡ, ହିମାଚଳପ୍ରଦେଶ, ହରିୟାଣା, ଝାଡଖଣ୍ଡ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ମେଘାଳୟ, ମିଜୋରାମ, ଓଡିଶା, ନାଗାଲାଣ୍ଡ, ପଞ୍ଜାବ, ଜାମ୍ମୁ ଓ କାଶ୍ମୀର ଏବଂ ଆଣ୍ଡାମାନ ନିକୋବରର ସ୍ୱାସ୍ଥ୍ୟ ସଚିବ ଏବଂ ଡିଏମ୍‌ଇଟିମାନେ ଯୋଗଦେଇଥିଲେ।

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଏସବୁ ରାଜ୍ୟର ମେଡିକାଲ କଲେଜର ମନ୍ଥର ପ୍ରଗତି ଘେନି ଉଦ୍‌ବେଗ ପ୍ରକାଶ କରିବା ସହିତ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଯଥାଶୀଘ୍ର ଶେଷ କରି ୨୦୨୩-୨୪ ଶିକ୍ଷାବର୍ଷରୁ ମେଡିକାଲ ୟୁଜି ଶିକ୍ଷା ଆରମ୍ଭ କରିବାକୁ ଗୁରୁତ୍ୱ ଦେଇଥିଲେ। ସେ ଆହୁରି କହିଥିଲେ ଯେ ଏହି ଯୋଜନାକୁ ୨୦୨୪ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ତେଣୁ ଏହି ସମୟ ସୀମା ସୁଦ୍ଧା ନୂଆ ମେଡିକାଲ କଲେଜ ସବୁର ନିର୍ମାଣ କାର୍ଯ୍ୟ ଶେଷ ହୋଇ ପାଠପଢା ଆରମ୍ଭ ହେବା ଜରୁରୀ।

ବୈଠକର ସୂଚନା ଅନୁସାରେ ଏହି ଯୋଜନାରେ ସମ୍ପୃକ୍ତ ୧୪ ରାଜ୍ୟ ଓ ଦୁଇ କେନ୍ଦ୍ରଶାସିତ ଅଞ୍ଚଳକୁ କେନ୍ଦ୍ର ସରକାର ୭୫୦୦କୋଟି ଟଙ୍କା ଯୋଗାଣ ବ୍ୟବସ୍ଥା କରିଛନ୍ତି। ୨୦୨୨-୨୩ ଆର୍ଥିକ ବର୍ଷରେ ସ୍ୱାସ୍ଥ୍ୟସେବା ପାଇଁ ମାନବ ସମ୍ବଳ ଯୋଜନା ଓ ମେଡିକାଲ ଶିକ୍ଷା ବାବଦରେ ଏହି ଅର୍ଥ ପ୍ରଦାନ ବ୍ୟବସ୍ଥା କରାଯାଇଛି। ତେବେ ସମ୍ପୃକ୍ତ ନୂଆ ମେଡିକାଲ କଲେଜଗୁଡିକର ନିର୍ମାଣ କାର୍ଯ୍ୟରେ ମନ୍ଥରତା ଯୋଗୁଁ ରାଜ୍ୟ ସରକାରମାନେ ସେ ବାବଦ ଅର୍ଥ କେନ୍ଦ୍ର ସରକାରଙ୍କଠାରୁ ନେଉନାହାନ୍ତି। ସମ୍ପୃକ୍ତ ରାଜ୍ୟମାନଙ୍କର ବରାଦ ବିନା ଏହି ଅର୍ଥ କେନ୍ଦ୍ର ସରକାର ଯେଗାଇବାରେ ଅସୁବିଧା ସୃଷ୍ଟି ହେଉଛି। ତେଣୁ ସମ୍ପୃକ୍ତ ରାଜ୍ୟ ସରକାରମାନେ ନୂଆ ମେଡିକାଲ କଲେଜ ନିର୍ମାଣ ବାବଦ ଖର୍ଚ୍ଚର ବିନିଯୋଗ ପ୍ରମାଣପତ୍ର ତୁରନ୍ତ ଦାଖଲ କରି କେନ୍ଦ୍ର ନିକଟରୁ ଟଙ୍କା ନେବାକୁ ପରାମର୍ଶ ଦିଆଯାଇଛି। ଯେତେଶୀଘ୍ର ବିନିଯୋଗ ପ୍ରମାଣପତ୍ର ସମ୍ପୃକ୍ତ ରାଜ୍ୟମାନେ ଦେବେ କେନ୍ଦ୍ର ସରକାର ସେତେ ଶୀଘ୍ର ଅର୍ଥ ଯୋଗାଇ ଦେବେ।

ନୂଆ ମେଡିକାଲ କଲେଜଗୁଡିକର ନିର୍ମାଣ କାର୍ଯ୍ୟର ବାସ୍ତବ ସ୍ଥିତି, ପ୍ରଗତି ଓ ଆର୍ଥିକ  ସ୍ଥିତି ସମ୍ପର୍କରେ ତୁରନ୍ତ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପୋର୍ଟାଲରେ ତଥ୍ୟ ଉପସ୍ଥାପନ କରିବାକୁ ସମ୍ପୃକ୍ତ ରାଜ୍ୟ ସରକାରମାନଙ୍କୁ କୁହାଯାଇଛି।

ସମୀକ୍ଷା ବୈଠକ ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ନୂଆ ମେଡିକାଲ କଲେଜଗୁଡିକର କୋଠାବାଡି ନିର୍ମାଣ କାର୍ଯ୍ୟରେ ନୂତନ ଟେକ୍‌ନୋଲୋଜି ଓ ସାମଗ୍ରୀ ବ୍ୟବହାର କରିବା ଉପରେ ଗୁରୁତ୍ୱ ଦେଇଛନ୍ତି। ଇସ୍ପାତ ଢାଞ୍ଚା ବ୍ୟବହାର କରିବା ସହିତ ନୂଆ ଟେକ୍‌ନୋଲୋଜିର ଉପଯୋଗ କରି ସମ୍ପୃକ୍ତ କୋଠାଗୁଡିକର ଊର୍ଜା ସଂରକ୍ଷଣ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ସେ ପରାମର୍ଶ ଦେଇଛନ୍ତି। ପାରମ୍ପରିକ ଟେକ୍ନୋଲୋଜି ପରିବର୍ତ୍ତେ ନୂଆ ପ୍ରଯୁକ୍ତି ବିଦ୍ୟାର ଉପଯୋଗ କଲେ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ହେବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ କହିଛନ୍ତି।

ଆହୁରି ମଧ୍ୟ ଭବନ ନିର୍ମାଣ କାର୍ଯ୍ୟରେ ସ୍ଥାନୀୟ ଭାବେ ଉପଲବ୍ଧ ଗ୍ରୀନ୍ ଟେକ୍ନୋଲୋଜି ବ୍ୟବହାର କରିବାକୁ ସମ୍ପୃକ୍ତ ରାଜ୍ୟମାନଙ୍କୁ ପରାମର୍ଶ ଦିଆଯାଇଛି।

ଅନେକ ନିର୍ମାଣକାରୀ କମ୍ପାନୀଙ୍କର ହସ୍‌ପିଟାଲ ଓ ମେଡିକାଲ କଲେଜ ନିର୍ମାଣ କ୍ଷେତ୍ରରେ ଅଭିଜ୍ଞତା ନ ଥିବାରୁ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ମନ୍ଥର  ହୋଇଥିବା ଏହି ସମୀକ୍ଷା ବୈଠକରୁ ଜଣାପଡିଛି। ଅତଏବ ଏହି ନିର୍ମାଣ କାର୍ଯ୍ୟରେ କେବଳ ଅଭିଜ୍ଞତା ଥିବା ନିର୍ମାଣକାରୀ ସଂସ୍ଥାଙ୍କୁ ନିୟୋଜିତ କରିବାକୁ ରାଜ୍ୟମାନଙ୍କୁ ପରାମର୍ଶ ଦିଆଯାଇଛି।

ସୂଚନାଯୋଗ୍ୟ ଯେ ୨୦୧୪ରେ କେନ୍ଦ୍ର ସରକାର ଦେଶର ବିଭିନ୍ନ ଜିଲ୍ଲା ସଦର ମହକୁମା ହସ୍‌ପିଟାଲଗୁଡିକୁ ମେଡିକାଲ କଲେଜରେ ପରିଣତ କରିବାକୁ ଏହି ଯୋଜନା ଆରମ୍ଭ କରିଥିଲେ। ଏହି କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନାରେ ଜିଲ୍ଲା ସଦର ମହକୁମା ହସ୍‌ପିଟାଲ ସହିତ ରେଫରାଲ ହସ୍‌ପିଟାଲଗୁଡିକୁ ମଧ୍ୟ ସାମିଲ କରାଯାଇଥିଲା। ଏଥିପାଇଁ କେନ୍ଦ୍ର ସରକାର ୬୦ଭାଗ ଓ ରାଜ୍ୟ ସରକାରଙ୍କୁ ୪୦ଭାଗ ଅର୍ଥ ଯୋଗାଇ ଦେବାର ବ୍ୟବସ୍ଥା ହୋଇଥିଲା। ତେବେ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଓ ସ୍ୱତନ୍ତ୍ର ଶ୍ରେଣୀର ରାଜ୍ୟଗୁଡିକ ପାଇଁ ଏହି ଅନୁପାତ ଥିଲା ୯୦:୧୦ ଭାଗ।

ମୋଟ ତିନିଟି ପର୍ଯ୍ୟାୟରେ ଏହି କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା କାର୍ଯ୍ୟକାରୀ ହେଉଛି। ଏଥିରେ ପ୍ରଥମ ପର୍ଯ୍ୟାୟରେ (୨୦୧୪ ) ଦେଶର ୧୩ଟି ଆକାଂକ୍ଷୀ ଜିଲ୍ଳାରେ ୫୮ଟି ମେଡିକାଲ କଲେଜ ନିର୍ମାଣ କାର୍ଯ୍ୟ ହାତକୁ ନିଆଯାଇଥିଲା।

ଦ୍ୱିତୀୟ ପର୍ଯ୍ୟାୟରେ (୨୦୧୮) ଦେଶର ୬ଟି ଆକାଂକ୍ଷୀ ଜିଲ୍ଳାରେ ଆଉ ୨୪ଟି ନୂଆ ମେଡିକାଲ କଲେଜ ନିର୍ମାଣ କାର୍ଯ୍ୟ ହାତକୁ ନିଆଯାଇଥିଲାବେଳେ ତୃତୀୟ ପର୍ଯ୍ୟାୟରେ (୨୦୧୯) ୨୦ ଆକାଂକ୍ଷୀ ଜିଲ୍ଲାରେ ୭୫ ନୂଆ ମେଡିକାଲ କଲେଜ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା।

ପ୍ରଥମ ପର୍ଯ୍ୟାୟ ଯୋଜନାରେ ସମ୍ପୃକ୍ତ ମେଡିକାଲ କଲେଜଗୁଡିକର ନିର୍ମାଣ କାର୍ଯ୍ୟ୨୦୧୯-୨୦ ସୁଦ୍ଧା ଶେଷ କରିବାର ଲକ୍ଷ୍ୟ  ରଖାଯାଇଥିଲା। ଏହି ପର୍ଯ୍ୟାୟରେ କେନ୍ଦ୍ର ତାହାର ଅଂଶ ବାବଦରେ ସମ୍ପୃକ୍ତ ରାଜ୍ୟମାନଙ୍କୁ କଲେଜ ପିଛା ୧୮୯ କୋଟି ଟଙ୍କା ଯୋଗାଇ ଦେଇଛି। ମୋଟ ୫୮ଟି ନୂଆ ମେଡିକାଲ କଲେଜ ପାଇଁ ୭୫୪୧କୋଟି ୧୦ଲକ୍ଷ ଟଙ୍କା କେନ୍ଦ୍ର ସରକାର ଦେଇଛନ୍ତି। ମୋଟ ୫୮ଟି ମଧ୍ୟରୁ ୫୩ଟି କାର୍ଯ୍ୟକ୍ଷମ ହୋଇଛି ଓ ଅବଶିଷ୍ଟ ଆଠଟି ଏଯାଏ ସମ୍ପୂର୍ଣ୍ଣ ହୋଇନାହିଁ।

ସେହିଭଳି ଦ୍ୱିତୀୟ ପର୍ଯ୍ୟାୟ ଯୋଜନା ୨୦୧୮ରେ ଅନୁମୋଦିତ ହୋଇଥିଲା ଏବଂ ୨୦୨୧-୨୨ ମଧ୍ୟରେ ଦେଶରେ ପ୍ରତି ତିନିଟି ଲୋକସଭା ନିର୍ବାଚନମଣ୍ଡଳୀର ଅଞ୍ଚଳ ମଧ୍ୟରେ ଅତିକମ୍‌ରେ ଗୋଟିଏ ମେଡିକାଲ କଲେଜ ସ୍ଥାପନର ଲକ୍ଷ୍ୟ ରଖା ଯାଇଥିଲା। ଏଥିରେ ପ୍ରତ୍ୟେକ ମେଡିକାଲ କଲେଜ ନିର୍ମାଣ ପାଇଁ ୨୫୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଏହି ପର୍ଯ୍ୟାୟରେ ରାଜ୍ୟମାନଙ୍କୁ ମୋଟ ୩୬୭୫କୋଟି ଟଙ୍କା ଦେଇଛନ୍ତି ଏବଂ ଆଠଟି ମେଡିକାଲ କଲେଜ କାର୍ଯ୍ୟ ଆରମ୍ଭ କରିଛି।

ତୃତୀୟ ପର୍ଯ୍ୟାୟ, ଯାହା ୨୦୧୯ରେ ଆରମ୍ଭ ହୋଇଥିଲା ସେଥିରେ ୨୦୨୩-୨୪ ସୁଦ୍ଧା ଅବଶିଷ୍ଟ ନୂଆ ମେଡିକାଲ କଲେଜଗୁଡିକୁ କାର୍ଯ୍ୟକ୍ଷମ କରିବାର ଲକ୍ଷ୍ୟ ରଖାଯାଇଥିଲା। ଏହି ପର୍ଯ୍ୟାୟରେ ପ୍ରତ୍ୟେକ ମେଡିକାଲ କଲେଜ ପାଇଁ ୩୨୫କୋଟି ଟଙ୍କା ଲେଖାଏଁ ଯୋଗାଣର ବ୍ୟବସ୍ଥା କେନ୍ଦ୍ର କରିଥିଲା। ଏ ବାବଦରେ ମୋଟ କେନ୍ଦ୍ରୀୟ ଅଂଶ ୧୫୪୯୯.୪୭କୋଟି ଟଙ୍କା ମଧ୍ୟରୁ ରାଜ୍ୟମାନଙ୍କୁ ଏ ଯାଏ ୯୩୨୪.୧୧ କୋଟି ଟଙ୍କା ଯୋଗାଇ ଦିଆଯାଇଛି। ଏହି ପର୍ଯ୍ୟାୟରେ ଏବେ ସୁଦ୍ଧା ୧୪ଟି ମେଡିକାଲ କଲେଜ କାର୍ଯ୍ୟକ୍ଷମ ହୋଇଛି।

ଆଜିର ବୈଠକରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଡକ୍ଟର ମନୋହର ଅଗ୍‌ନାନି, ଯୁଗ୍ମ ସଚିବ ହେକାଲୀ ଝିମୋମି ଓ ମନ୍ତ୍ରଣାଳୟର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ପ୍ରଗତି କାର୍ଯ୍ୟକ୍ରମରେ ଓଡ଼ିଶା ସମେତ ୧୨ଟି ରାଜ୍ୟର ପ୍ରକଳ୍ପଗୁଡ଼ିକ ସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ୩୬ତମ ପ୍ରଗତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ୧୦ଟି ପ୍ରସଙ୍ଗର ସମୀକ୍ଷା କରାଯାଇଥିଲା, ଯେଉଁଥିରେ ୮ଟି ପ୍ରକଳ୍ପ ସହିତ ଗୋଟିଏ ଯୋଜନା ଓ ଗୋଟିଏ କାର୍ଯ୍ୟକ୍ରମ ସଂକ୍ରାନ୍ତ ଅଭିଯୋଗ ସାମିଲ ରହିଥିଲା। ଆଠଟି ପ୍ରକଳ୍ପ ମଧ୍ୟରୁ ତିନୋଟି ପ୍ରକଳ୍ପ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଅନ୍ତର୍ଭୂକ୍ତ ଥିବା ବେଳେ ଦୁଇଟି ରେଳ ମନ୍ତ୍ରଣାଳୟର ଥିଲା।

ସେହିପରି ଶକ୍ତି, ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ଏବଂ ଗୃହ ମନ୍ତ୍ରଣାଳୟ ସହ ଜଡ଼ିତ ଗୋଟିଏ ଲେଖାଏଁ ପ୍ରକଳ୍ପ ରହିଥିଲା। ୧୨ଟି ରାଜ୍ୟ ଯଥା- ଓଡ଼ିଶା, ପଶ୍ଚିମବଙ୍ଗ, ଆସାମ, ତାମିଲନାଡ଼ୁ, ଝାଡ଼ଖଣ୍ଡ, ସିକିମ, ଉତ୍ତର ପ୍ରଦେଶ, ମିଜୋରାମ, ଗୁଜରାଟ, ମଧ୍ୟପ୍ରଦେଶ, ବିହାର ଓ ମେଘାଳୟରେ ମୋଟ ପାଖାପାଖି ୪୪୫୪୫ କୋଟି ଟଙ୍କା ବ୍ୟୟରେ ଏସବୁ ପ୍ରକଳ୍ପ କାର‌୍ୟ୍ୟକାରୀ ହେଉଛି।

କେତେକ ପ୍ରକଳ୍ପ କାର‌୍ୟ୍ୟକାରିତାରେ ହେଉଥିବା ବିଳମ୍ବକୁ ନେଇ ପ୍ରଧାନମନ୍ତ୍ରୀ ଚିନ୍ତା ବ୍ୟକ୍ତ କରିଥିଲେ ଏବଂ ବିଳମ୍ବିତ ହୋଇ ପଡ଼ିଥିବା ସମସ୍ତ ସମସ୍ୟାଗୁଡ଼ିକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଏବଂ ସମ୍ଭବ ହେଲେ ମିଶନ ମୋଡରେ ସମାଧାନ କରିବା ଲାଗି ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଏହି ଆଲୋଚନା ସମୟରେ, ପ୍ରଧାନମନ୍ତ୍ରୀ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକକୁ ନିଷିଦ୍ଧ କରିବା ଲାଗି କାର‌୍ୟ୍ୟକ୍ରମର ସମୀକ୍ଷା କରିଥିଲେ। ସେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ସଂକ୍ରାନ୍ତ ଅଭିଯୋଗଗୁଡ଼ିକର ମଧ୍ୟ ସମୀକ୍ଷା କରିଥିଲେ। ଏକ ଉପଯୁକ୍ତ ସଚେତନତା ଅଭିଯାନ ଅନ୍ତର୍ଗତ ଲୋକମାନଙ୍କୁ, ବିଶେଷ କରି ଯୁବକମାନଙ୍କୁ ସମ୍ପୃକ୍ତ କରିବାର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ।

ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଅନ୍ତର୍ଗତ ନିର୍ମାଣ କରାଯାଉଥିବା ରାସ୍ତାଗୁଡ଼ିକର ଉଚ୍ଚ ମାନ ସୁନିଶ୍ଚିତ କରିବା ଦିଗରେ ବିଶେଷ ଧ୍ୟାନ ଦେବା ଲାଗି ସେ ସମସ୍ତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।

ପୂର୍ବରୁ ଅନୁଷ୍ଠିତ ୩୫ଟି ପ୍ରଗତି ବୈଠକରେ, ମୋଟ ୧୩.୬୦ ଲକ୍ଷ କୋଟି ଟଙ୍କାର ୨୯୦ଟି ପ୍ରକଳ୍ପ ସମେତ ୫୧ଟି କାର‌୍ୟ୍ୟକ୍ରମ/ଯୋଜନା ଏବଂ ୧୭ଟି ଭିନ୍ନ ଭିନ୍ନ କ୍ଷେତ୍ରର ଅଭିଯୋଗର ସମୀକ୍ଷା କରାଯାଇସାରିଛି।