Categories
ବିଶେଷ ଖବର ରାଜ୍ୟ ଖବର

ଶିକ୍ଷକ ନିଯୁକ୍ତି ନେଇ ବିଜେଡି ବିଜେପି ମୁହାଁମୁହିଁ, ଧର୍ମେନ୍ଦ୍ରଙ୍କୁ କଡା ଜବାବ ଦେଲେ ପ୍ରଣବ ଦାସ

ଭୁବନେଶ୍ୱର: ନିଜ ମନ୍ତ୍ରଣାଳୟ ଅଧିନରେ ଥିବା ମିନି ରତ୍ନ ସଂସ୍ଥା ଇଡିସିଆଏଲ୍‍କୁ ନେଇ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ମିଛ କହୁଛନ୍ତି। ଏଭଳି ସଂସ୍ଥାକୁ କଳା ତାଲିକାଭୁକ୍ତ କରିବା ବଦଳରେ ତାହାପାଇଁ ଓକିଲାତି କରିବା ଦୁର୍ଭାଗ୍ୟଜନକ ବୋଲି ଟୁଇଟ୍‍ କରି କହିଛନ୍ତି ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ।

ଶ୍ରୀ ଦାସ ଟୁଇଟ୍‍ ଜରିଆରେ ସିଧାସଳଖ ଭାବେ ଧର୍ମେନ୍ଦ୍ରଙ୍କୁ ପ୍ରଶ୍ନ କରିଛନ୍ତି ଯେ ଇଡିସିଆଇଏଲ୍‍ ସଂସ୍ଥା ଆପଣଙ୍କ ଅଧିନରେ ଆସୁଛି ନା ନାହିଁ ? ଏହି କେନ୍ଦ୍ରୀୟ ସଂସ୍ଥା ଭୁବନେଶ୍ୱର ଏମସ୍‍, ଭାରତୀୟ ସେନା, କୋଲ୍‍ ଇଣ୍ଡିଆ, ଏୟାରପୋର୍ଟ ଅଥରିଟୀ ଅଫ୍‍ ଇଣ୍ଡିଆ, ଗୁଇନ୍ଦା ବ୍ୟୁରୋ, କେନ୍ଦ୍ରୀୟ ବିଦ୍ୟାଳୟ, ଜବାହାର ନବୋଦୟ ବିଦ୍ୟାଳୟ ଆଦି ସଂସ୍ଥା ପାଇଁ ପରୀକ୍ଷା କରିଛି କି ନାହିଁ ? ଯଦି ଇଡିସିଆଇଏଲ୍‍ ଭୁଲ୍‍ କରିଥିଲା, ତେବେ ଆପଣ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ? ଏପରିକି ଏହି ସଂସ୍ଥାକୁ କାହିଁକି କଳା ତାଲିକାଭୁକ୍ତ କରାଯାଇ ନାହିଁ ବୋଲି ପ୍ରଣବ ସିଧାସଳଖ ପଚାରିଛନ୍ତି।

ଟୁଇଟ୍‍ ଜରିଆରେ ଶ୍ରୀ ଦାସ ଆହୁରି କହିଛନ୍ତି ଯେ ଇଡିସିଆଇଏଲ୍‍ ଭାରତୀୟ ସେନା ଏବଂ ଅଗ୍ନିବୀରଙ୍କ ପାଇଁ ନିଯୁକ୍ତି ପରୀକ୍ଷା କରିଛି। ଏହି ସଂସ୍ଥା ଜରିଆରେ ହଜାର ହଜାର ସଂଖ୍ୟାରେ ଜବାନ ନିଯୁକ୍ତି ପାଇଛନ୍ତି ଓ ଦେଶର ସୁରକ୍ଷାରେ ନିୟୋଜିତ ହୋଇଛନ୍ତି। ହେଲେ ନିଜ ରାଜନୈତିକ ସ୍ୱାର୍ଥ ପାଇଁ ଆଜି ଆପଣ କେବଳ ନିଜ ସଂସ୍ଥାର ସ୍ୱଚ୍ଛତା ଏବଂ ଦକ୍ଷତା ଉପରେ ପ୍ରଶ୍ନଚିହ୍ନ ସୃଷ୍ଟି କରିନାହାନ୍ତି ବରଂ ଦେଶର ସୁରକ୍ଷାକୁ ମଧ୍ୟ କାଠଗଡାରେ ଛିଡା କରାଇ ଦେଇଛନ୍ତି।

ନେସନାଲ ଟେଷ୍ଟି ଏଜେନ୍ସି କ’ଣ କରେ ତାହା ଗୋଟେ ଛୋଟ ପିଲାକୁ ପଚାରିଲେ ବି ସେ କହିଦେବ। ଏହି ସଂସ୍ଥା କେବଳ ନିଯୁକ୍ତି ପରୀକ୍ଷା କରେନାହିଁ, ଏଣ୍ଟ୍ରାନ୍ସ ପରିଚାଳନା କରିଥାଏ।ଦେଶର ଶିକ୍ଷାମନ୍ତ୍ରୀ ଥାଇ ମଧ୍ୟ ଆପଣ ଏକଥା ଜାଣିନାହାନ୍ତି। ଏହା ଠାରୁ ବଳି ଦୁର୍ଭାଗ୍ୟଜନକ କଥା ଆଉ କ’ଣ ହୋଇପାରେ।

ନିଜର ବ୍ୟକ୍ତିଗତ ରାଜନୈତିକ ସ୍ୱାର୍ଥ ପାଇଁ ଆପଣ ମିଛ କହି ଅତୀତରେ ଅନେକ ବାର ଧରାପଡିଛନ୍ତି। ଏବେ ପୁଣି ଡାହା ମିଛ କହି ଓଡିଶାର ଯୁବପୀଢିର ଭବିଷ୍ୟତ ସହ ଖେଳୁଛନ୍ତି ଆଉ ସେମାନଙ୍କୁ ରାଜନୀତିର ମୋହରା ବନାଇବାକୁ ଚେଷ୍ଟା କରୁଛନ୍ତି। ଆଇନା ଆଗରେ ନିଜ ମୁହଁ ଦେଖିଲାବେଳେ ଆପଣଙ୍କୁ କିଭଳି ଲଜ୍ଜା ଲାଗୁନାହିଁ ବୋଲି ଶ୍ରୀ ଦାସ ପ୍ରଶ୍ନ କରିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ବିଜେଡିରେ ସାମିଲ ହେଲେ ପୂର୍ବତନ ବିଜେପି ଯୁବମୋର୍ଚ୍ଚା ଉପସଭାପତି ସହ ବ୍ରହ୍ମଗିରିର ବହୁ କର୍ମି

ଭୁବନେଶ୍ୱର: କୃଷ୍ଣପ୍ରସାଦ, ପୁରୀ ସଦର ଓ ବ୍ରହ୍ମଗିରି ବ୍ଲକର ଶତାଧିକ ବିଜେପି କର୍ମୀ ଆଜି ଶଙ୍ଖ ଭବନରେ ବିଜେଡିରେ ଯୋଗ ଦେଇଛନ୍ତି। ବିଜେପିର ପୂର୍ବତନ ଯୁବ ମୋର୍ଚ୍ଚା ଉପସଭାପତି ଜୟନ୍ତ କୁମାର ମହାନ୍ତିଙ୍କ ନେତୃତ୍ୱରେ ବହୁ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି। ଦଳରେ ସାମିଲ୍ ହୋଇଥିବା ଶ୍ରୀ ମହାନ୍ତି ଏବଂ ତାଙ୍କର ସଂଖ୍ୟାଧିକ ସମର୍ଥକଙ୍କୁ ଉପଢୌକନ ଦେଇ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ସାଧାରଣ ସମ୍ପାଦକ ସଂଜୟ ଦାସବର୍ମା ସ୍ୱାଗତ କରିଥିଲେ।

ବିଜୁ ଜନତା ଦଳରେ ତାଙ୍କ ଯୋଗଦାନ ଫଳରେ ବିଶେଷ କରି ବ୍ରହ୍ମଗିରି, ପୁରୀ ସଦର ଓ କୃଷ୍ଣପ୍ରସାଦ ଅଞ୍ଚଳରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ। ବିଜେଡି ଏକ ଶୃଙ୍ଖଳିତ ଦଳ ଏବଂ ଏଠାରେ ଯୋଗ ଦେଉଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଉପଯୁକ୍ତ ସମ୍ମାନ ମିଳିବ ବୋଲି ସାଂଗଠନିକ ସମ୍ପାଦକ ଶ୍ରୀ ଦାସ କହିଥିଲେ।

ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ପୂର୍ବତନ ବିଜେପି ଯୁବମୋର୍ଚ୍ଚା ଉପସଭାପତି ଜୟନ୍ତ କୁମାର ମହାନ୍ତି ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକଳାପ ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗଦେଲି । ଆଗକୁ ଜିଲ୍ଲାରେ ଦଳ କିଭଳି ଭଲ ପ୍ରଦର୍ଶନ କରିବ ସେ ନେଇ କାମ କରିବି । ଦଳରେ ମୋତେ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସାଧାରଣ ସମ୍ପାଦକ ସଂଜୟ ଦାସବର୍ମା ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛି।

ଏହି ମିଶ୍ରଣ ପର୍ବରେ ଯୁବ ସମାଜସେବୀ ତଥା ପୂର୍ବତନ ବିଜେପି ଯୁବ ମୋର୍ଚ୍ଚା ବ୍ଲକ ଉପସଭାପତି ଜ୍ଞାନ ରଂଜନ ମହାପାତ୍ର, ଅଲରାନାଥ ଧନ୍ଦାମୂଳକ ମହାବିଦ୍ୟାଳୟର ପୂର୍ବତନ ଛାତ୍ର ସଂସଦ ସଭାପତି ସୌମ୍ୟ ରଂଜନ ସାହୁ, ପ୍ରତିଷ୍ଠିତ ଯୁବ ବ୍ୟବସାୟୀ ସତ୍ୟ ନାରାୟଣ ସାହୁ, ପୂର୍ବତନ ବିଜେପି ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଯଶୋବନ୍ତ ବରାଳ, କୃଷ୍ଣପ୍ରସାଦର ପୂର୍ବତନ ବିଜେପି ଉପସଭାପତି ଗୁରୁଚରଣ ବିଶ୍ୱାଳ, ପୁରୀ ସଦରର ବିଜେପି ଉପସଭାପତି ମୋହନ କୁମାର ଦାସ, ଗୁଲାମଣି ଦଳବେହେରା, ସନ୍ତୋଷ କୁମାର ସାମନ୍ତସିଂହାର, ବିଜୟ ବିଶ୍ୱାଳ ଓ ଦିଲ୍ଲୀପ ପ୍ରଧାନ ପ୍ରମୁଖ ବିଜେପି କର୍ମୀ ବିଜେଡିରେ ଯୋଗ ଦେଇଥିଲେ।

ଏହି ମିଶ୍ରଣ ପର୍ବରେ ବ୍ରହ୍ମଗିରି ବ୍ଲକ ବିଜେଡି ସଭାପତି ବିଦ୍ୟାଧର ସ୍ୱାଇଁ, ପୁରୀ ସଦର ବ୍ଲକର ଅଧ୍ୟକ୍ଷ ଦିବାକର ପାତ୍ର ଓ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ଯୁବ ବିଜେଡି ସଭାପତି ଦିଲ୍ଲୀପ ରଣସିଂହ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଚିଲିକାର ବିଜେଡି ରାଜନୀତିରେ ଯଦି ନୋ ରଘୁନାଥ, ନୋ ଜଗଦ୍ଦେବ, ତେବେ ଆଉ କିଏ ???

ସୀତାରାମ ଅଗ୍ରୱାଲ

ବାଣପୁର: ଚିଲିକାର ବିଜେଡି ରାଜନୀତିରେ ବର୍ତ୍ତମାନ ଘଡିକେ ଘୋଡା ଛୁଟୁଛି। କିଏ ସେ ବିଜେଡିର ନେତୃତ୍ବ ନେବ ତାହା ବର୍ତ୍ତମାନ କାହା ପାଖରେ ଖବର ନାହିଁ। ଏପରିକି ଚିଲିକା ଗସ୍ତରେ ଆସିଥିବା ବିଜେଡିର ମଙ୍ଗୁଆଳମାନେ ମଧ୍ୟ ଏ କଥାକୁ ସ୍ପଷ୍ଟ କଲେ ନାହିଁ। ଫଳରେ କର୍ମି ଆଗରୁ ଯେପରି ହତାସ ଥିଲେ ତାହା ପୁଣି ବୃଦ୍ଧି ପାଇଛି।

ପ୍ରକୃତରେ ଚିଲିକାରେ ବିଜେଡିରୁ କିଏ ଟିକେଟ ପାଇବ ତାହା ଏବେ କେହି କହିପାରିବେ ନାହିଁ। ହେଲେ ବିଜେଡିର କିଏ ମଙ୍ଗ ଧରିବା ତାହାକୁ ସ୍ପଷ୍ଟ କରିବାରେ ବଡବଡିଆ ନେତାଙ୍କର କିଛି ଅସୁବିଧା ନାହିଁ। ହେଲେ ସେ କଥା ମଧ୍ୟ କେହି କହୁ ନାହାଁନ୍ତି। ଖାଲି ଏତିକି କହିଲେ ଯେ ଚିଲିକାରେ ନେତା କେହି ନାହଁନ୍ତି। ଆମର ଜଣେ ନେତା ସେ ହେଉଛନ୍ତି ନବୀନ ପଟ୍ଟନାୟକ। ଏହି କଥାଟି ଏକ ଭିନ୍ନ ପ୍ରକାରର ଇଙ୍ଗିତ କରିଛି। କାରଣ ଆମର କେବଳ ଜଣେ ନେତା ବୋଲି କହିବା ଠିକ୍, ହେଲେ ଚିଲିକାରେ କେହି ନେତା ନାହାଁନ୍ତି କହିବା କଥାଟିକୁ ନେଇ ଚର୍ଚ୍ଚା ଚାଲିଛି।

ଚିଲିକାକୁ ଗତ ଅଠର ତାରିଖରେ ରାଜ୍ୟର ବରିଷ୍ଠ ନେତାମାନେ ଆସିଲେ। ଜିଲ୍ଲା ସଭାପତି, ଜିଲ୍ଲା ପର୍ଯ୍ୟବେକ୍ଷକ, ବେଗୁନିଆ ବିଧାୟକ ଏବଂ ରାଜ୍ୟସଭା ସାଂସଦ ଆସି ବୈଠକ କଲେ। ହେଲେ ଆଶ୍ଚର୍ଯ୍ୟର କଥା କଣ ହେଲା କେଜାଣି ସେହି ବୈଠକରେ ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କୁ ଡକାଗଲା ନାହିଁ। ସେହିପରି ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ପତ୍ନୀ ସ୍ବାଗତିକାଙ୍କୁ ମଧ୍ୟ ଡକାଗଲା ନାହିଁ। ତେଣୁ ଚିଲିକାରେ କେହି ନେତା ନାହିଁନ୍ତି ବୋଲି ଏହି ବୈଠକ ହିଁ ପ୍ରମାଣିତ କରିଛି।

ଏହାର କିଛିଦିନ ପୂର୍ବରୁ ଭୁବନେଶ୍ବରର ଶଙ୍ଖ ଭବନରେ ଯେଉଁ ଖୋର୍ଦ୍ଧା ଜିଲ୍ଲା ବୈଠକ ଥିଲା ସେଥିରେ ଉଭୟ ରଘୁନାଥ ଏବଂ ସ୍ବାଗତିକା ଯୋଗ ଦେଇଥିଲେ। ସେହି ବୈଠକ ଦେଖି ଚିଲିକା କର୍ମି ଭାବିଲେ କଣ ଗୋଟିଏ ବୁଝାମଣା ହୋଇଛି। ହେଲେ ତାହାର କିଛି ଦିନ ପରେ ଚିଲିକା ବୈଠକରେ ଉଭୟଙ୍କୁ ଡକା ନ ଯିବାକୁ ନେଇ ସେହି ବୁଝାମଣା ଅବୁଝାମଣା ବୋଲି ସ୍ପଷ୍ଟ ହେଲା।

ତେବେ ଏକ ବିଶେଷ ସୁତ୍ର ଅନୁସାରେ ଖୋର୍ଦ୍ଧା ଜିଲ୍ଲା ବୈଠକ ପରେ ଆଉ ଏକ ବୈଠକ ଭୁବନେଶ୍ବରରେ କରାଯାଇଥିଲା। ସେହି ବୈଠକରେ କୁଆଡେ ରଘୁନାଥ ଏବଂ ବିଭୂତି ବଳବନ୍ତରାୟଙ୍କ ମଧ୍ୟରେ ଝଗଡା ଲାଗିଲା। ଏହାପରେ ସେଠାରେ ଉପସ୍ଥିତ ଥିବା ଚିଲିକା ନେତାମାନେ ଏକାସ୍ବରରେ ରଘୁନାଥଙ୍କୁ ଗାଳି କରିଥିଲେ।

ପୌର ଓ ପଞ୍ଚାୟତ ନିର୍ବାଚନରେ ବିଜେଡି ଆପଣଙ୍କ ପାଇ ହାରିଲା ବୋଲି ରଘୁନାଥଙ୍କ ମୁହଁ ଆଗରେ କହିଲେ। ରଘୁନାଥଙ୍କ ଉପରେ ନେତାମାନଙ୍କ ଅସନ୍ତୋଷ ଦେଖି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ମଧ୍ୟ  ଖପ୍ପା ହେଲେ। ରଘୁନାଥଙ୍କୁ ତୁରନ୍ତ ବୈଠକରୁ ବାହାରି ଯିବା ପାଇଁ ସେ କହିଲେ।

ଏହି ଘଟଣା ଘଟିବା ପରେ ପ୍ରଣବ ପ୍ରକାଶ ଚିଲିକାରେ ବିନା ରଘୁନାଥ ବିନା ସ୍ବାଗତିକାରେ ବୈଠକ କର ବୋଲି ନିର୍ଦ୍ଦେଶ ଦେଲେ। ଫଳର ଜିଲ୍ଲା ସଭାପତି ବିଭୂତି ବଳବନ୍ତରାୟ ଚିଲିକା ନେତାଙ୍କୁ ଡାକି ଜୋନ ୱାରି ବୈଠକ କଲେ। ଆଉ ସେଠାକୁ ଉଭୟଙ୍କୁ ଡାକିଲେ ନାହିଁ। ଏହି କଥା ବର୍ତ୍ତମାନ ଚିଲିକାର କର୍ମି ମହଲରେ କାନକୁ କାନ ଘୁରିବୁଲିବାରେ ଲାଗିଛି।

ପରବର୍ତ୍ତି ସମୟରେ ପ୍ରଣବ ପ୍ରକାଶ ଦାସ ଚିଲିକା ବିଧାୟକଙ୍କ ପତ୍ନୀ ସ୍ବାଗତିକାଙ୍କୁ ଡାକି କିଛି ଆଲୋଚନା କରିଛନ୍ତି। ବର୍ତ୍ତମାନ ପାଇଁ ସେ ପୂର୍ବପରି ଚିଲିକା ଦାୟିତ୍ବରେ କାର୍ଯ୍ୟ କରନ୍ତୁ ବୋଲି କୁଆଡେ ପ୍ରଣବ ପ୍ରକାଶ ଦାସ କହିଥିବାର ଶୁଣାଯାଉଛି। ଏହାପରେ ସେ ଚିଲିକାର ସମସ୍ତ ନେତାଙ୍କୁ ଭେଟି ପୁଣି ଥରେ ସକ୍ରିୟ ହେବେ ବୋଲି ଜଣାପଡିଛି। ହେଲେ ତାହା କେତେଦୂର କାର୍ଯ୍ୟକାରୀ ହେବ ସେ ନେଇ ସନ୍ଦେହ ରହିଛି।

Categories
ବିଶେଷ ଖବର ରାଜ୍ୟ ଖବର

ଜୟନାରାୟଣ ପୋଲିସକୁ ଧକ୍କା ମାରିବା ପ୍ରସଂଗରେ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କଲେ ପ୍ରଣବ ଦାସ

ଭୁବନେଶ୍ବର: ବିଜେପି ବିଧାୟକ ତଥା ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର ଆଜି ଜଣେ ମହିଳା ଥାନା ଅଧିକାରୀଙ୍କୁ ଧକ୍କା ମାରିଛନ୍ତି। ଏହାକୁ ନେଇ ବର୍ତ୍ତମାନ ଓଡିଶା ରାଜନୀତି ସରଗରମ ହୋଇଯାଇଛି।

ସାମାଜିକ ଗଣମାଧ୍ୟମରେ ଏହାକୁ ନେଇ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ଏହାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ନେତା ତଥା ଦଳର ସଂଗଠାନିକ ସଂପାଦକ ପ୍ରଣବ ଦାସ।

ପ୍ରଣବ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟ୍ୟାଗ କରି ଏକ ଟୁଇଟ କରି କହିଛନ୍ତି ଯେ, ଭାଇ, ଓଡ଼ିଶା ବିଜେପି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଯେଉଁଭଳି ଭାବେ ଜଣେ କର୍ତ୍ତବ୍ୟରତ ମହିଳା ପୋଲିସ ଅଧିକାରୀଙ୍କ ଉପରେ ବର୍ବରୋଚିତ ଶାରୀରିକ ଆକ୍ରମଣ କରିଛନ୍ତି, ଆପଣ ନିଶ୍ଚିତ ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଓଡ଼ିଶାବାସୀ ଏହା ଆପଣଙ୍କଠୁ ଆଶା ରଖୁଛନ୍ତି।

ଆଉ ଏକ ଟୁଇଟ ସହ ଜୟନାରାୟଣ ଧକ୍କା ମାରୁଥିବାରୁ ଭିଡିଓ ଅପଲୋଡ କରି ପ୍ରଣବ କହିଛନ୍ତି ଯେ, ଜଣେ କର୍ତ୍ତବ୍ୟରତ ମହିଳା ପୋଲିସ ଅଧିକାରୀଙ୍କ ପ୍ରତି ଏଭଳି ଅଶାଳୀନ ବ୍ୟବହାର ଏବଂ ବର୍ବରୋଚିତ ଶାରୀରିକ ଆକ୍ରମଣ ଅତ୍ୟନ୍ତ ନିନ୍ଦନୀୟ। ଜଣେ ନାରୀ ପ୍ରତି ଜୟନାରାୟଣଙ୍କ ଏଭଳି ଆକ୍ରମଣ ଅତ୍ୟନ୍ତ ଲଜ୍ୟାଜନକ। ଓଡ଼ିଶାବାସୀ ଏହାକୁ କଦାପି ଗ୍ରହଣ କରିବେ ନାହିଁ।

ସେହିପରି ଓଡିଶାର ଜନ ସାଧାରଣଙ୍କୁ ସମ୍ବୋଧନ କରି ପ୍ରଣବ ପ୍ରକାଶ ଦାସ କହିଛନ୍ତି ଯେ, ଓଡ଼ିଶାବାସୀ ଦୟାକରି ଦେଖନ୍ତୁ, ଓଡ଼ିଶା ବିଜେପିର ଅସଲ ଚେହେରା। ନାରୀ ସୁରକ୍ଷା ଓ ସଶକ୍ତିକରଣ ନେଇ ଓଡ଼ିଶା ବିଜେପି ଡିଣ୍ଡିମ ପିଟୁଥିବା ବେଳେ ବିଧାନସଭାର ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ଜୟନାରାୟଣ ମିଶ୍ରଙ୍କ ଏ ହେଉଛି ନାରୀଙ୍କ ପ୍ରତି ସମ୍ମାନ।

ଏହି ଟୁଇଟ ପରେ ପ୍ରଣବଙ୍କୁ ବହୁ ଲୋକ ସମର୍ଥନ କରିଥିବା ବେଳେ କେତେକ ସମାଲୋଚନା ମଧ୍ୟ କରିଛନ୍ତି। ତେବେ ଜଣେ ୟୁଜର ନିଜକୁ ବିଜେପି ସମର୍ଥକ ବୋଲି ଘୋଷଣା କରି ଜୟନାରାୟଣଙ୍କ ଏହି ହିଂସାତ୍ମକ କାର୍ଯ୍ୟକୁ ନିନ୍ଦା କରିଛନ୍ତି।