ଜୟନାରାୟଣ ପୋଲିସକୁ ଧକ୍କା ମାରିବା ପ୍ରସଂଗରେ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କଲେ ପ୍ରଣବ ଦାସ

Published: Feb 15, 2023, 11:08 pm IST
pranab

ଭୁବନେଶ୍ବର: ବିଜେପି ବିଧାୟକ ତଥା ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର ଆଜି ଜଣେ ମହିଳା ଥାନା ଅଧିକାରୀଙ୍କୁ ଧକ୍କା ମାରିଛନ୍ତି। ଏହାକୁ ନେଇ ବର୍ତ୍ତମାନ ଓଡିଶା ରାଜନୀତି ସରଗରମ ହୋଇଯାଇଛି।

ସାମାଜିକ ଗଣମାଧ୍ୟମରେ ଏହାକୁ ନେଇ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ଏହାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ନେତା ତଥା ଦଳର ସଂଗଠାନିକ ସଂପାଦକ ପ୍ରଣବ ଦାସ।

ପ୍ରଣବ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟ୍ୟାଗ କରି ଏକ ଟୁଇଟ କରି କହିଛନ୍ତି ଯେ, ଭାଇ, ଓଡ଼ିଶା ବିଜେପି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଯେଉଁଭଳି ଭାବେ ଜଣେ କର୍ତ୍ତବ୍ୟରତ ମହିଳା ପୋଲିସ ଅଧିକାରୀଙ୍କ ଉପରେ ବର୍ବରୋଚିତ ଶାରୀରିକ ଆକ୍ରମଣ କରିଛନ୍ତି, ଆପଣ ନିଶ୍ଚିତ ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଓଡ଼ିଶାବାସୀ ଏହା ଆପଣଙ୍କଠୁ ଆଶା ରଖୁଛନ୍ତି।

ଆଉ ଏକ ଟୁଇଟ ସହ ଜୟନାରାୟଣ ଧକ୍କା ମାରୁଥିବାରୁ ଭିଡିଓ ଅପଲୋଡ କରି ପ୍ରଣବ କହିଛନ୍ତି ଯେ, ଜଣେ କର୍ତ୍ତବ୍ୟରତ ମହିଳା ପୋଲିସ ଅଧିକାରୀଙ୍କ ପ୍ରତି ଏଭଳି ଅଶାଳୀନ ବ୍ୟବହାର ଏବଂ ବର୍ବରୋଚିତ ଶାରୀରିକ ଆକ୍ରମଣ ଅତ୍ୟନ୍ତ ନିନ୍ଦନୀୟ। ଜଣେ ନାରୀ ପ୍ରତି ଜୟନାରାୟଣଙ୍କ ଏଭଳି ଆକ୍ରମଣ ଅତ୍ୟନ୍ତ ଲଜ୍ୟାଜନକ। ଓଡ଼ିଶାବାସୀ ଏହାକୁ କଦାପି ଗ୍ରହଣ କରିବେ ନାହିଁ।

ସେହିପରି ଓଡିଶାର ଜନ ସାଧାରଣଙ୍କୁ ସମ୍ବୋଧନ କରି ପ୍ରଣବ ପ୍ରକାଶ ଦାସ କହିଛନ୍ତି ଯେ, ଓଡ଼ିଶାବାସୀ ଦୟାକରି ଦେଖନ୍ତୁ, ଓଡ଼ିଶା ବିଜେପିର ଅସଲ ଚେହେରା। ନାରୀ ସୁରକ୍ଷା ଓ ସଶକ୍ତିକରଣ ନେଇ ଓଡ଼ିଶା ବିଜେପି ଡିଣ୍ଡିମ ପିଟୁଥିବା ବେଳେ ବିଧାନସଭାର ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ଜୟନାରାୟଣ ମିଶ୍ରଙ୍କ ଏ ହେଉଛି ନାରୀଙ୍କ ପ୍ରତି ସମ୍ମାନ।

ଏହି ଟୁଇଟ ପରେ ପ୍ରଣବଙ୍କୁ ବହୁ ଲୋକ ସମର୍ଥନ କରିଥିବା ବେଳେ କେତେକ ସମାଲୋଚନା ମଧ୍ୟ କରିଛନ୍ତି। ତେବେ ଜଣେ ୟୁଜର ନିଜକୁ ବିଜେପି ସମର୍ଥକ ବୋଲି ଘୋଷଣା କରି ଜୟନାରାୟଣଙ୍କ ଏହି ହିଂସାତ୍ମକ କାର୍ଯ୍ୟକୁ ନିନ୍ଦା କରିଛନ୍ତି।

Related posts