Categories
ଆଜିର ଖବର ରାଜ୍ୟ ଖବର

ନୀଳଗିରି ଧୋବଶିଳାରେ ‘ଏକ ଭାରତ ଶ୍ରେଷ୍ଠ ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଲେଶ୍ୱର: ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଉପଲକ୍ଷେ ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ କ୍ଷେତ୍ର ଜନ ସମ୍ପର୍କ କାର୍ଯ୍ୟାଳୟ, ବାଲେଶ୍ୱର ଆନୁକୂଲ୍ୟରେ ନୀଳଗିରି ବ୍ଲକ୍ ଧୋବଶିଳା ଉଡ଼ା ପଡ଼ିଆ ଠାରେ “ଏକ ଭାରତ ଶ୍ରେଷ୍ଠ ଭାରତ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଦୁଇ ଦିନିଆ କାର୍ଯ୍ୟକ୍ରମର ପ୍ରଥମ ଦିନରେ ଆୟୋଜିତ କର୍ମଶାଳାକୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଉଦଘାଟନ କରିଥିଲେ।

ସମ୍ମାନିତ ଅତିଥି ଭାବେ ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ, ଭୁବନେଶ୍ୱରସ୍ଥିତ ପତ୍ର ସୂଚନା କାର୍ଯ୍ୟାଳୟ ଏବଂ ଆଞ୍ଚଳିକ ଜନ ସମ୍ପର୍କ କାର୍ଯ୍ୟାଳୟର ଅତିରିକ୍ତ ମହାନିର୍ଦ୍ଦେଶକ ରାଜିନ୍ଦର ଚୌଧୁରୀ, ସ୍ଥାନୀୟ ସରପଞ୍ଚ ମାଳତୀ ସିଂ, ପଞ୍ଚାୟତ ସମିତି ସଭ୍ୟା ଜୟନ୍ତୀ ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ। ଅତିଥି ବକ୍ତା ଭାବେ ନୀଳଗିରି ମହାବିଦ୍ୟାଳୟର ଇତିହାସ ଅଧ୍ୟାପିକା ମନ୍ଦାକିନୀ ଧଳ ଏବଂ ଜିଲ୍ଲା ପରିମଳ ପରାମର୍ଶଦାତା ପ୍ରଶାନ୍ତ କୁମାର ସାହୁ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅତିଥିମାନେ ମୁଖ୍ୟତଃ ‘ଏକ ଭାରତ ଶ୍ରେଷ୍ଠ ଭାରତ’ କାର୍ଯ୍ୟକ୍ରମର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ। ରାଜ୍ୟ-ରାଜ୍ୟ ମଧ୍ୟରେ ସୁସମ୍ପର୍କ, ଆପୋସ ଭାଇଚାରା ବଜାୟ ରଖିବା, ସାଂସ୍କୃତିକ ବିନିମୟ ଆଦି ଉପରେ ଅତିଥି ଓ ବକ୍ତାମାନେ ମତ ରଖିଥିଲେ। ଏହାବ୍ୟତୀତ ସ୍ୱଚ୍ଛ ଭାରତ ଅଭିଯାନ ସମ୍ପର୍କରେ ମଧ୍ୟ ଲୋକମାନଙ୍କୁ ସୂଚନା ଦିଆଯାଇଥିଲା।

ପ୍ରାରମ୍ଭରେ ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଏବଂ ଗ୍ରାମବାସୀମାନଙ୍କୁ ନେଇ ଏକତା ଗଣଦୌଡ଼ କାର୍ଯ୍ୟକ୍ରମ ଗୋପିନାଥପୁର ଛକରୁ ଆରମ୍ଭ କରାଯାଇଥିଲା। ଏହି ଏକତା ଦୌଡ଼କୁ ମୁଖ୍ୟ ଅତିଥି ବାଲେଶ୍ୱର ସାଂସଦ ଶ୍ରୀ ଷଡ଼ଙ୍ଗୀ ଏବଂ ବିଧାୟକ ଶ୍ରୀ ନାୟକ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଏଡିଜି ଶ୍ରୀ ଚୌଧୁରୀ ଏବଂ ଅନ୍ୟ ମାନ୍ୟଗଣ୍ୟ ଅତିଥିମାନେ ମଧ୍ୟ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମ ଅବସରରେ ଏକ ପ୍ରଶ୍ନୋତ୍ତର ପ୍ରତିଯୋଗିତା ମଧ୍ୟ ଆୟୋଜନ କରାଯାଇଥିଲା। ଏଥିରେ କୃତକାର୍ଯ୍ୟ ହୋଇଥିବା ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ସେହିପରି ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଅଭିଯାନ ସମ୍ପର୍କରେ ଏକ ଫଟୋଚିତ୍ର ପ୍ରଦର୍ଶନୀ ମଧ୍ୟ ଆୟୋଜନ କରାଯାଇଥିଲା। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
କ୍ଷେତ୍ର ପ୍ରଚାର ଅଧିକାରୀ ନିର୍ମାଲ୍ୟ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଜୀବନ କୁମାର ସାମନ୍ତସିଂହାର ଧନ୍ୟବାଦ ଅର୍ପଣ କରିଥିଲେ। କ୍ଷେତ୍ର ଜନସମ୍ପର୍କ କାର୍ଯ୍ୟାଳୟର ଖଗେଶ ବାଇପାଇ, ମୁକନ୍ଦ ଦତ୍ତ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଆସନ୍ତାକାଲି ମଧ୍ୟ ଚିତ୍ରକଳା ପ୍ରଦର୍ଶନୀ, ବିଭିନ୍ନ ପ୍ରତିଯୋଗିତା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ।

Categories
ଆଞ୍ଚଳିକ

ପ୍ରାଣୀ ଚିକିତ୍ସାଳୟ ପ୍ରତିଷ୍ଠା ଲାଗି ପିପୁଲ୍ ଫର ପବ୍ଲିକ ତରଫରୁ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ଦାବି ପତ୍ର ପ୍ରଦାନ

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର: ସମ୍ପ୍ରତି ପ୍ରାଣୀ ମାନଙ୍କର ସୁରକ୍ଷା, ଚିକିତ୍ସା ଓ ଲାଳନ ପାଳନ ପାଇଁ କେନ୍ଦ୍ର ସରକାରଙ୍କ ବିଭିନ୍ନ ସ୍କିମ ଥିଲେ ମଧ୍ୟ ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ତାହା କାର୍ଯ୍ୟକାରୀ ଏ ପର୍ଯ୍ୟନ୍ତ ହୋଇପାରିନାହିଁ। ବର୍ତ୍ତମାନ ବ୍ରହ୍ମପୁରଠାରେ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ କାର୍ଯ୍ୟ କରୁଥିବା ବେଳେ ମୌଳିକ ସେବା ମାନ ବନ୍ଦ ରହିଛି। ଯାଦ୍ବାରା ବ୍ରହ୍ମପୁରର ଜନସାଧାରଣ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି।

ଯେଉଁମାନେ ଗୃହପାଳିତ ପଶୁ ରଖିଛନ୍ତି, ସେହି ପଶୁମାନଙ୍କ ରୋଗ ବ୍ୟାଧି ହେଲେ କିମ୍ବା ରାତିରେ କୌଣସି ଅସୁବିଧାର ସମ୍ମୁଖୀନ ହେଲେ ରେଗୁଲାର ପ୍ରାଣୀ ଚିକିତ୍ସକ ଓ ଆବଶ୍ୟକତା ଅନୁଯାୟୀ କର୍ମଚାରୀ ପୋଷ୍ଟିଂ ହୋଇନାହାନ୍ତି। ସେପରି ରାଜରାସ୍ତାରେ ବୁଲି ଜୀବନ ବିତାଉଥିବା ପ୍ରାଣୀମାନଙ୍କର ସମ ଦଶା ହେଉଛି। ପ୍ରାଣୀ ଚିକିତ୍ସା ପାଇଁ ହେଲ୍ପଲାଇନ ରାଜ୍ୟ ସରକାର ୨୦୧୭-୧୮ ରେ ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ଲାଗୁ କରିଥିଲେ ମଧ୍ୟ ସନ୍ଧ୍ୟା ଛଅଟା ପରେ ତାହା କାର୍ଯ୍ୟକାରୀ ହୋଇପାରୁନାହିଁ। ଯାହାଦ୍ଵାରା ପ୍ରାଣୀ ମାନେ ଦୁର୍ଘଟଣା କିମ୍ବା ବିପଦପୂର୍ଣ୍ଣ ପରିସ୍ଥିତିରେ ପଡିଲେ ଅଗ୍ନି ସେବା ବିଭାଗର ସାହାଯ୍ୟ ଲୋଡିବାକୁ ପଡୁଛି। ଯାହା ନିୟମ ବର୍ହିଭୂତ ଅଟେ।

ସେପରି ଦୁର୍ଘଟଣା କିମ୍ବା କୌଣସି ରୋଗରେ ପ୍ରାଣୀମାନେ ଆକ୍ରାନ୍ତ ହେଲେ, ସେମାନଙ୍କ ରେଗୁଲାର ଚିକିତ୍ସା କରିବା ପାଇଁ କୌଣସି ଇଣ୍ଡୋର ଚିକିତ୍ସାଳୟର ସୁବିଧା ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ନାହିଁ। ତେଣୁ ତୁରନ୍ତ ପ୍ରାଣୀ ଚିକିତ୍ସାଳୟ ପ୍ରତିଷ୍ଠା, ରେଗୁଲାର ପ୍ରାଣୀ ଚିକିତ୍ସକ ନିଯୁକ୍ତି ଓ ଚବିଶି ଘଣ୍ଟିଆ ଟୋଲ ଫ୍ରି ହେଲ୍ପଲାଇନ ସହ ଆବଶ୍ୟକ ଭିତ୍ତିଭୂମି ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ସୃଷ୍ଟି କରିବା ପାଇଁ ପିପୁଲ୍ ଫର ପବ୍ଲିକ ତରଫରୁ ପଶୁପାଳନ ଓ ଡାୟରୀ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି।

ଏହି ଦାବି ପତ୍ର ପିପୁଲ ଫର ଦି ପବ୍ଲିକ୍ ର ସଭାପତି ଡ଼ଃ ସୁବ୍ରତ ସାହୁ, ସମ୍ପାଦକ ସତୀଶ୍ ପାଣିଗ୍ରାହୀ, ମୁଖ୍ୟ ପୃଷ୍ଠପୋଷକ ହେମାଙ୍ଗ ରାଉଳ, ଉପଦେଷ୍ଟା ଶିଶିର ପାଣିଗ୍ରାହୀ, ମିଡ଼ିଆ କୋଡିନେଟର ବିଶ୍ବନାଥ ମହାରଣା, ଯୁବ କୋଡିନେଟର ଦିନେଶ ପଟ୍ଟନାୟକ, ଅଞ୍ଜଳି ମହାନ୍ତି, ଓ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।