Categories
ଆଜିର ଖବର ରାଜ୍ୟ ଖବର

ମିଲେଟ ମିଶନର “ମାଣ୍ଡିଆ ଖାଦ୍ୟ ପ୍ରସ୍ତୁତି ପ୍ରତିଯୋଗିତା” ଉଦଘାଟିତ

କନ୍ଦର୍ପ ବେହେରା

ରେଢାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ କୃଷି କାର୍ଯ୍ୟାଳୟ, ସମ୍ମିଳନୀ କକ୍ଷ ଠାରେ ଓଡ଼ିଶା ମିଲେଟ୍ ମିଶନର ମାଣ୍ଡିଆ ଖାଦ୍ୟ ପ୍ରସ୍ତୁତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ଏଥିରେ ରେଢ଼ାଖୋଲ ଉପଖଣ୍ଡର ଉପ-ଜିଲ୍ଲାପାଳ ପବିତ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଜିଲ୍ଲା କୃଷି ଅଧିକାରୀ ପ୍ରଦୀପ କୁମାର ନନ୍ଦ, ବ୍ଲକ କୃଷି ଅଧିକାରୀ ଅମିତ୍ ପଟେଲ,  ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ସୁଷମା ପାଢ଼ୀ, ପୋଷଣ ର ବ୍ଲକ ସଂଯୋଜକ ପଙ୍କଜ ପ୍ରଧାନ ଉକ୍ତ କାର୍ଯ୍ୟକ୍ରମରେ ମଞ୍ଚାସୀନ ଥିଲେ। ଓଡ଼ିଶା ମିଲେଟ୍ ମିଶନର ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶ୍ରୀଯୁକ୍ତ ସୁଧାଂଶୁ ରାୟଗୁରୁ ଅତିଥି ପରିଚୟ ଓ ସ୍ବାଗତ ଭାଷଣ ଦେଇଥିଲେ।

ଉପ ଜିଲ୍ଲାପାଳ ଶ୍ରୀ ବେହେରା ମାଣ୍ଡିଆ ହେଉଛି ବହୁବିଧ ପୋଷକ ତତ୍ତ୍ଵ ଏବଂ ଉତ୍ତମ ସ୍ୱାସ୍ଥ୍ୟର ସର୍ବୋତ୍ତମ ବିକଳ୍ପ ବୋଲି ମତ ବ୍ୟକ୍ତ କରିଥିଲେ। ଜିଲ୍ଲା କୃଷି ଅଧିକାରୀ ଶ୍ରୀଯୁକ୍ତ ନନ୍ଦ ସାମ୍ପ୍ରତିକ ପରିସ୍ଥିତିରେ କ୍ଷୁଦ୍ର ଶସ୍ୟ ମାଣ୍ଡିଆ ଚାଷ କରି ଅନ୍ୟ ଏକ ସବୁଜ ବିପ୍ଳବର ଆହ୍ବାନ ଦେବା ସହିତ ମାଣ୍ଡିଆ କୁ “ଶୁଷ୍କ ମାଟିର ସୁନା”ବୋଲି ଅଭିହିତ କରିଥିଲେ। ନିତିଦିନିଆ ଖାଦ୍ୟ ଥାଳିରେ ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟ ଗ୍ରହଣରେ ଏହି ପ୍ରତିଯୋଗିତା ବିଶେଷ ସହାୟକ ହେବ ବୋଲି ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ମତ ବ୍ୟକ୍ତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ସ୍ଵୟଂ ସହାୟକ ଗୋଷ୍ଠୀର ମା ମାନେ ମାଣ୍ଡିଆ ପ୍ରସ୍ତୁତ ବିଭିନ୍ନ ପ୍ରକାରର ରୁଚିକର ଖାଦ୍ୟ ପରଷି ସମସ୍ତଙ୍କୁ ପାରିବାରିକ ବନ୍ଧନରେ ବାନ୍ଧିବାର ସହଜ ଓ ଉତ୍କୃଷ୍ଟ ଉପାୟ ବୋଲି ମତ ବ୍ୟକ୍ତ କରିଥିଲେ। ଏହି ଅବସରରେ ମାଣ୍ଡିଆ ପ୍ରସ୍ତୁତ ଲଡ଼ୁ,ପକୁଡ଼ି,ସୁପ୍ ,ମାଲପୁଆ, କାକରା, ଆରିସା,ସେକ୍, କେକ, ବରା,ସର୍ବତ, ହାଲୁଆ, କ୍ଷୀରି,ଉପମା ଇତ୍ୟାଦି ପ୍ରସ୍ତୁତ କରିଥିଲେ। ସେମାନଙ୍କ ମଧ୍ୟରୁ ତିନି ଜଣଙ୍କୁ ମିଲେଟ୍ ଖାଦ୍ୟ ପ୍ରସ୍ତୁତି ପାଇଁ ପୁରସ୍କୃତ କରାଯାଇଥିବା ବେଳେ ସମସ୍ତ ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।

ମହାଶକ୍ତି ଫାଉଣ୍ଡେସନର ରେଢ଼ାଖୋଲ ବ୍ଲକ ମିଲେଟ୍ ମିଶନ ବ୍ଲକ୍ ସଂଯୋଜକ ଆକାଶ ସାହୁ କାର୍ଯକ୍ରମରେ ସହଯୋଗ କରିଥିଲେ ।ଶେଷରେ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରାଯାଇଥିଲା।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଜୀ-ସାର୍ଥକରେ “ଦେଖିବା ନିତି, ହେବା ଲକ୍ଷପତି”: ମେଗା ବିଜେତା ହେଲେ କାବେରୀ ନାୟକ

ଭୁବନେଶ୍ଵର: ଲୋକପ୍ରିୟ ଓଡିଆ ମନୋରଞ୍ଜନ ଚ୍ୟାନେଲ ଜୀ-ସାର୍ଥକରେ ଏପ୍ରିଲ ୩ରୁ ଆରମ୍ଭ ହୋଇ ମେ ୨୭ ପର୍ଯନ୍ତ ଚାଲିଥିବା ମେଗା ପ୍ରତିଯୋଗିତା “ଦେଖିବା ନିତି ହେବା ଲକ୍ଷପତି” ର ମେଗା ବିଜେତା ଘୋଷଣା ହୋଇଛି। ନିୟମ ମୁତାବକ ପ୍ରତିଦିନ ସନ୍ଧ୍ୟା ୭ ଟା ରୁ ରାତି ୯:୩୦ ମଧ୍ୟରେ ପ୍ରସାରିତ ହେଉଥିବା ଧାରାବାହିକରେ କିଛି ସରଳ ପ୍ରଶ୍ନର ଉତ୍ତର ମିସକଲ୍ ମାଧ୍ୟମରେ ଦେଇ ଏହି ପ୍ରତିଯୋଗିତାରେ ରାଜ୍ୟ ତଥା ରାଜ୍ୟ ବାହାରୁ ଓଡିଆ ଦର୍ଶକ ଭାଗନେଇଥିଲେ ଯେଉଁଠାରେ ବମ୍ପର ପୁରସ୍କାର ରାଶି ୧ଲକ୍ଷ ଟଙ୍କା ରଖାଯାଇଥିଲା।

ଓଡ଼ିଶାର ଲୋକପ୍ରିୟ ସ୍ଵର୍ଣ ଅଳଙ୍କାର ବିକ୍ରେତା, ଲାଲଚାନ୍ଦ ପ୍ରଯୋଜିତ ଏହି ମେଗା ପ୍ରତିଯୋଗୀତା ଆଇପିଏଲ୍ ସମୟରେ ପୁରା ୪୫ ଦିନ ଧରି ଜୀ-ସାର୍ଥକରେ ଚାଲିଥିଲା।

ପ୍ରତିଯୋଗିତାରେ ଭାଗ ନେଇଥିବା ପ୍ରତିଯୋଗୀମାନେ ଧାରାବାହିକ ଦେଖୁଥିବା ସମୟରେ ଟିଭି ସ୍କ୍ରିନରେ ଦିଆ ଯାଇଥିବା ନମ୍ବରରେ ମିସଡ କଲ ଦେଇଥିଲେ ଓ ପ୍ରତିଦିନ ସଠିକ୍ ଉତ୍ତର ଦେଇଥିବା ୨୪୦ ଜଣ ଜଣ ଭାଗ୍ୟଶାଳୀ ବିଜେତାଙ୍କୁ ୧୦୦୦ଟଙ୍କାର ଭାଉଚର ମିଳିଥିଲା।

ତେବେ ପୁରା ପ୍ରତିଯୋଗୀତାରେ ସର୍ବାଧିକ ସଠିକ ଉତ୍ତର ଦେଇଥବା ଜଣେ ମେଗା ବିଜେତାଙ୍କୁ ୧ଲକ୍ଷ ଟଙ୍କା ନଗଦ ଧନରାଶି ମିଳିବ ବୋଲି ମୂଳରୁ କୁହାଯାଇଥିଲା ଯାହାର ବିଜେତା ହୋଇଛନ୍ତି କାବେରୀ ନାୟକ।

ଆଜି ଏକ ବର୍ଣ୍ଣାଢ୍ୟ ପରିବେଶରେ ହୋଟେଲ ନିଉ ମାରୀୟନରେ ଲାଲଚାନ୍ଦର ପ୍ରତିଷ୍ଠାତା ଓ ଅଧ୍ୟକ୍ଷ ସଞ୍ଜୟ ହଂସ ମେଗା ବିଜେତାଙ୍କୁ ୧ଲକ୍ଷ ଟଙ୍କାର ଧନରାଶି ପ୍ରଦାନ କରିଥିଲେ। ବହୁ ସଂଖ୍ୟାରେ ଏହି ପ୍ରତିଯୋଗିତାରେ ଭାଗ ନେଇଥିବାରୁ ଜୀ-ସାର୍ଥକର ଚିଫ ଚ୍ୟାନେଲ ଅଫିସର ପ୍ରତୀକ ସିଲ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ରଜପର୍ବ ଉପଲକ୍ଷେ ସୋଆ ପକ୍ଷରୁ ରଜ ପିଠା ପ୍ରତିଯୋଗିତା ଆୟୋଜିତ

ଭୁବନେଶ୍ୱର: ଓଡ଼ିଶାର ଗଣପର୍ବ ରଜ ଉପଲକ୍ଷେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟ (ଏସ୍‌ଏଚ୍‌ଏମ୍‌) ପକ୍ଷରୁ ରଜ ପିଠା ପ୍ରତିଯୋଗିତା ସୋମବାର ଆୟୋଜିତ ହୋଇଯାଇଛି।

ଏହି ପ୍ରତିଯୋଗିତାରେ ମହିଳାମାନେ ବିଭିନ୍ନ ପିଠା ପ୍ରସ୍ତୁତ କରିବା ନିମନ୍ତେ ଏସ୍‌ଏଚ୍‌ଏମ୍‌ରେ ସୋମବାର ସକାଳେ ପହଂଚି ପିଠା ପ୍ରସ୍ତୁତ ଆରମ୍ଭ କରିଥିଲେ। ଅନ୍ୟ ପିଠା ପ୍ରତିଯୋଗିତା ଭଳି ଘରୁ ପ୍ରସ୍ତୁତ କରିଥିବା ପିଠା ନ ଆଣି ଏଠାରେ ହିଁ ନିଜର ରୋଷେଇ କଳା ଦେଖାଇଥିଲେ ମହିଳାମାନେ। ମୋଟ ୧୬ ଜଣ ମହିଳା ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ବେଳେ ୮ଟି ଗ୍ରୁପ୍ ମାଧ୍ୟମରେ ସେମାନେ ବିଭିନ୍ନ ପ୍ରକାର ପିଠା ପ୍ରସ୍ତୁତ କରିଥିଲେ।

ବିଭିନ୍ନ ପ୍ରକାରର ପୋଡପିଠା ଯେପରିକି ଚାଉଳ ପୋଡପିଠା, ଖିର ପୋଡପିଠା, ବିରି ପୋଡପିଠା, ତ୍ରିରଙ୍ଗା ପୋଡ ପିଠା, ମହୁଲ ପୋଡ ପିଠା, ଚନ୍ଦ୍ରକାନ୍ତି, ସୁଜି ସିଝା ମଣ୍ଡା ପିଠା, ପୁରଦିଆ ମଣ୍ଡା, ସୁଜି କାକରା, ଗୁଡ଼ ଓ ଚିନି ଆରିଷା, ପାଳୁଅ ମଣ୍ଡା ପିଠା, ତ୍ରିରଙ୍ଗା ପୋଡ ପିଠା, ଭୋଗେଇ ଭଳି ୨୪ ପ୍ରକାର ପିଠା ମହିଳାମାନେ ପ୍ରସ୍ତୁତ କରିଥିଲେ।

ଏହି ମହିଳାମାନଙ୍କର ରୋଷେଇ ଦକ୍ଷତାକୁ ପରଖିବା ପାଇଁ ବିଚାରକ ଭାବେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟର ପୂର୍ବତନ ଅଧ୍ୟକ୍ଷା ଆର୍ଯ୍ୟା କୁମାରୀ ପାଣିଗ୍ରାହୀ, ସ୍ୱାମୀ ବିବେକାନନ୍ଦ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟର ଅଧ୍ୟକ୍ଷ ପିତାମ୍ବର ବିଶ୍ୱାଳ ଓ ରୋଜିସ୍ କିଚେନ୍‌ର ପରିଚାଳନା ନିର୍ଦ୍ଦେଶିକା ସରୋଜା ଚୌଧୁରୀ ବିଚାରକ ଭାବେ ଯୋଗ ଦେଇ ଖାଦ୍ୟ ପରୀକ୍ଷା କରିଥିଲେ।

ପ୍ରତିଯୋଗୀମାନଙ୍କ ମଧ୍ୟରୁ ଜ୍ୟୋସ୍ନା ମିଶ୍ର ଓ ମୀନା ପାଣିଗ୍ରାହୀ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ନିହାରିକା ତ୍ରିପାଠୀ ଓ ମାନସୀ ବରାଳ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ସେହିପରି ଶୁଭଶ୍ରୀ ପଟ୍ଟନାୟକ ଓ ମାନସୀ ଓଝା ତୃତୀୟ ସ୍ଥାନ ଗ୍ରହଣ କରିଥିଲେ।
ପ୍ରିତଯୋଗିତାରେ ଭାଗ ନେଇଥିବା ସମସ୍ତ ପ୍ରତିଯୋଗୀମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା।

ଏହି ଅବସରରେ ବିଚାରକମାନେ ପ୍ରତିଯୋଗୀମାନଙ୍କୁ ସେମାନଙ୍କ ପ୍ରଚେଷ୍ଟା ନିମନ୍ତେ ପ୍ରଶଂସା କରିଥିଲେ। ଏସ୍‌ଏଚ୍‌ଏମ୍‌ର ଡିନ୍ ପ୍ରଫେସର ଅନୁପ କୁମାର ସାମନ୍ତରାୟ ପିଠା ପ୍ରତିଯୋଗିତା ଭଳି ଆଗାମୀ ଦିନରେ ମିଠା ପ୍ରତିଯୋଗିତା ମଧ୍ୟ ଆୟୋଜନ କରାଯିବ ବୋଲି ସୂଚନା ଦେଇଥିଲେ। ଶେଷରେ ଏସ୍‌ଏଚ୍‌ଏମ୍ ପକ୍ଷରୁ ପ୍ରଫେସର ସୁଶାନ୍ତ କୁମାର ଚଇନି ଧନ୍ୟବାଦ ଅର୍ପଣ କରିଥିଲେ।

ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ଏସ୍‌ଏଚ୍‌ଏମ୍ ପକ୍ଷରୁ ରଜ ପିଠା ବିକ୍ରୀ ହେବାର ଯୋଜନା ରହିଛି।

Categories
ଆଜିର ଖବର ଖେଳ ଜାତୀୟ ଖବର

ଆଜି ଚାରୋଟି ବଡ ମାଇଲଖୁଣ୍ଟ ହାସଲ କରିବେ ରୋହିତ!, ବୁମରା-ଚହଲ ମଧ୍ୟରେ ହେବ ପ୍ରତିଯୋଗିତା

ନୂଆଦିଲ୍ଲୀ: ଆଜି ଭାରତ-ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ। ଏହି ମ୍ୟାଚରେ ଅଧିନାୟକ ରୋହିତ ଶର୍ମା ଟି-୨୦ ଆନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ରନ୍ ସ୍କୋରର୍ ହୋଇପାରନ୍ତି। ଏହା ବ୍ୟତୀତ ସେ ଟି-୨୦ କ୍ରିକେଟ୍ ର ତିନୋଟି ବଡ ମାଇଲଖୁଣ୍ଟ ମଧ୍ୟ ହାସଲ କରିପାରନ୍ତି। ଏହି ମ୍ୟାଚରେ ଏକ ସ୍ୱତନ୍ତ୍ର ରେକର୍ଡ ସୃଷ୍ଟି କରିବାକୁ ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା ଏବଂ ସ୍ପିନର ୟୁଜଭେନ୍ଦ୍ର ଚହଲଙ୍କ ମଧ୍ୟରେ ଏକ ପ୍ରତିଯୋଗିତା ମଧ୍ୟ ହେବ।

ଟାର୍ଗେଟରେ ରୋହିତ ଶର୍ମାଙ୍କ ଚାରିଟି ରେକର୍ଡ:

– ଯଦି ଆଜିର ଟି-୨୦ ମ୍ୟାଚରେ ରୋହିତ ୩୭ ରନ୍ ସ୍କୋର କରନ୍ତି, ତେବେ ସେ ଟି-୨୦ ଇଣ୍ଟରନ୍ୟାସନାଲରେ ଟପ୍ ରନ୍ ସ୍କୋରର ହେବେ। ସମ୍ପ୍ରତି ନ୍ୟୁଜିଲ୍ୟାଣ୍ଡର ମାର୍ଟିନ୍ ଗୁପିଟିଲ୍ (୩,୨୯୯) ଶୀର୍ଷରେ ଅଛନ୍ତି। ରୋହିତ ଶର୍ମା ତୃତୀୟ ସ୍ଥାନରେ ଅଛନ୍ତି।

– ଯଦି ରୋହିତ ଶର୍ମା ଏହି ମ୍ୟାଚରେ ୩୭ ରନ ସ୍କୋର କରନ୍ତି, ତେବେ ସେ ଟି-୨୦ ଇଣ୍ଟରନ୍ୟାସନାଲରେ ଭାରତ ପାଇଁ ସର୍ବାଧିକ ରନ୍ ସ୍କୋରର୍ ହେବେ। ଏହି ପରିପ୍ରେକ୍ଷୀରେ ବିରାଟ କୋହଲି (୩,୨୯୬) ବର୍ତ୍ତମାନ ଏକ ନମ୍ବରରେ ଅଛନ୍ତି।

– ଯଦି ରୋହିତ ଏହି ମ୍ୟାଚରେ ୧୨ ଟି ଛକା ମାରନ୍ତି, ତେବେ ସେ ଟି-ଟ୍ୱେଣ୍ଟି ଇଣ୍ଟରନ୍ୟାସନାଲରେ ସର୍ବାଧିକ ଛକା ମାରିବା ବ୍ୟାଟ୍ସମ୍ୟାନ୍ ହେବେ। ବର୍ତ୍ତମାନ ମାର୍ଟିନ ଗୁପଟିଲ (୧୬୫ ଛକା) ଶୀର୍ଷରେ ଅଛନ୍ତି।

– ଯଦି ରୋହିତ ୬୩ ରନ୍ କରନ୍ତି, ତା’ହେଲେ ସେ ବିଶ୍ୱର ଦଶମ ଅଧିନାୟକ ଏବଂ ଭାରତର ତୃତୀୟ ଅଧିନାୟକ ହୋଇ ଟି-୨୦ ଇଣ୍ଟରନ୍ୟାସନାଲରେ ଅଧିନାୟକ ଭାବରେ ହଜାରେ ରନ୍ ପୂରଣ କରିବେ।

ବୁମ୍ରା ଏବଂ ଚହଲ ମଧ୍ୟରେ ଏହି ପ୍ରତିଯୋଗିତା ହେବ:

ଟି-୨୦ ଇଣ୍ଟରନ୍ୟାସନାଲରେ ଟିମ୍ ଇଣ୍ଡିଆ ପାଇଁ ସର୍ବାଧିକ ୱିକେଟ୍ ନେଇଥିବା ରେକର୍ଡ ବର୍ତ୍ତମାନ ଜସପ୍ରୀତ ବୁମ୍ରା ଏବଂ ୟୁଜବେନ୍ଦ୍ର ଚହଲଙ୍କ ମିଳିତ ଭାବେ ରହିଛି। ଉଭୟ ଏପର୍ଯ୍ୟନ୍ତ ୬୬-୬୬ ୱିକେଟ୍ ନେଇଛନ୍ତି। ଆଜିର ମ୍ୟାଚରେ ପରସ୍ପରକୁ ପରାସ୍ତ କରିବାକୁ ଏହି ଦୁଇଜଣଙ୍କ ମଧ୍ୟରେ ପ୍ରତିଯୋଗିତା ହେବ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ହେଲା ରାଜ୍ୟସ୍ତରୀୟ କାର୍ତ୍ତିକ ପୂର୍ଣ୍ଣିମା ମହୋତ୍ସଵ ଓ ପ୍ରତିଯୋଗିତା

ଭୁବନେଶ୍ୱର: କାର୍ତ୍ତିକ ପୂର୍ଣ୍ଣିମା ଆମ ଓଡିଶାର ପରମ୍ପରା ଓ ଧର୍ମୀୟ ଭାବନା ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ଉତ୍କଳର ପ୍ରାଚୀନ ଗାରିମାମୟ ନୌବାଣିଜ୍ୟ ଇତିହାସ ଦୃଷ୍ଟିକୋଣରୁ ଏହାର ବୈଶିଷ୍ଟ୍ୟତା ରହିଛି। ଏହାକୁ ସାଧାରଣତଃ ଓଡ଼ିଶାର ପୁରପଲ୍ଲୀରେ ଧର୍ମ ମାସ ହିସାବରେ ବିବେଚନା କରାଯାଏ। ଏହି ପର୍ବ ସହିତ ଓଡ଼ିଶାର ନିଜସ୍ୱ ଚାଲି ଚଳଣୀ ଓ ପାରମ୍ପରିକ ଆଚାର ବିଚାର ଯୋଡି ହୋଇ ରହିଛି ଏହି ପରିପ୍ରେକ୍ଷୀରେ କାର୍ତ୍ତିକ ପୂର୍ଣ୍ଣିମା ସହ ଜଡିତ ପାରମ୍ପରିକ ସଂସ୍କୃତିର ପ୍ରଚାର ପ୍ରସାର ତଥା ଲୋକକଳାକୁ ରୁଦ୍ଧିମନ୍ତ କରିବା ପାଇଁ ଓଡିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସମସ୍ତ ୩୦ ଗୋଟି ଜିଲ୍ଲାରେ ଥିବା ଲୋକକଳା ଗ୍ରାମ ସହିତ ଭୁବନେଶ୍ୱର, ରବୀନ୍ଦ୍ର ମଣ୍ଡପରେ ରାଜ୍ୟସ୍ତରୀୟ ଝୋଟି ଚିତା, ହୁଳହୁଳି, ଡ଼ଙ୍ଗା ଭସାଣି, ଲକ୍ଷ୍ମୀ ପୁରାଣ ଓ ଭାଗବତ ପଠନ ଏବଂ ପିଠାପଣା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା।

ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ରାଜ୍ୟସ୍ତରୀୟ ମହୋତ୍ସଵ ଓ ପ୍ରତିଯୋଗିତାରେ ମହିଳା ମାନେ ଅତି ଉତ୍ସାହର ସହ ଭାଗ ନେଇଥିଲେ। ଝୋଟି ଚିତାରେ ୧୭୩, ପିଠାପଣାରେ ୩୦, ଲକ୍ଷ୍ମୀପୁରାଣ ପଠନରେ ୧୬ ଓ ହୁଳହୁଳି ପ୍ରତିଯୋଗିତାରେ ୪୫ ଜଣ ମହିଳା ଭାଗ ନେଇଥିଲେ। ପୁରସ୍କାର ବିତରଣୀ ଉତ୍ସବରେ ଭିନ୍ନକ୍ଷମ ଆୟୁକ୍ତ ସୁଲୋଚନା ଦାସ, ମହିଳା ଓ ଶିଶୁ ବିକାଶ ବିଭାଗ ପରାମର୍ଶଦାତା ସୁଲତା ଦେଓ, ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ, ସ୍ୱତନ୍ତ୍ର ସଚିବ ରାମକୃଷ୍ଣ ସାହୁ, ରାଜ୍ୟ ପ୍ରକଳ୍ପ ସଂଯୋଜକ ବାସୁଦେବ ମାଳବିଶୋଇ ଓ ରାଜ୍ୟ କଳାକାର ସଂଘ ଉପସଭାପତି ଅବନୀ ମିଶ୍ର ପ୍ରମୁଖ ଅତିଥି ରୂପେ ଯୋଗ ଦେଇଥିଲେ।

ନିଜ ବକ୍ତବ୍ୟରେ ନିର୍ଦ୍ଦେଶକ ଶ୍ରୀ ଦାସ ଓଡ଼ିଆ ପରମ୍ପରାକୁ ଜଜ୍ଜୀବିତ ରଖିବା ଲାଗି ରାଜ୍ୟ ସରକାର ନେଉଥିବା ବିଭିନ୍ନ ଯୁଗାନ୍ତକାରୀ ପଦକ୍ଷେପ ଲାଗି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାଧୁବାଦ ଜଣାଇଥିଲେ। ଓଡ଼ିଆ ଜାତିର ପରିଚାୟକ ବିଭିନ୍ନ ପ୍ରତିଯୋଗିତାରେ ଅତି ଉତ୍ସାହର ସହ ଭାଗ ନେଇଥିବା ସମସ୍ତ ପ୍ରତିଯୋଗୀ ମା’ ଓ ଭଉଣୀ ମାନଙ୍କୁ ଭୁୟସୀ ପ୍ରଶଂସା କରିଥିଲେ। ଏହି କାର୍ଯ୍ୟକ୍ରମ ପ୍ରତିବର୍ଷ ଆୟୋଜନ ହେବା ପାଇଁ ନିଷ୍ପତ୍ତି ନିଆଯାଇଥିବା ସୂଚନା ଦେଇଥିଲେ।

ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିବା ସମସ୍ତ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ କଳାକ୍ଷେତ୍ର ସାଂସ୍କୃତିକ କେନ୍ଦ୍ର ଏବଂ ହେଲ୍ପମେଟ ମହିଳା ସଂଘଙ୍କ ସହଭାଗିତାରେ ଆୟୋଜନ କରାଯାଇଥିଲା। ପରିଶେଷରେ ରାଜ୍ୟ ପ୍ରକଳ୍ପ ସଂଯୋଜକ ବାସୁଦେବ ମାଳବିଶୋଇ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୋଆ ପାଳିଲା ବିଶ୍ଵ ପରିବେଶ ଦିବସ: ପ୍ରତିଯୋଗିତାରେ ଭାଗ ନେଇଥିବା କୃତୀ ଛାତ୍ରଛାତ୍ରୀଙ୍କୁ ମିଳିବ ମାନପତ୍ର

ଭୂବନେଶ୍ଵର: ସୋଆ ଏନଏସଏସ ଓ ସୋଆ ୱେଲନେସ ସେଣ୍ଟର ଆନୁକୂଲ୍ୟରେ ବିଶ୍ଵ ପରିବେଶ ଦିବସ ଅବସରରେ ଏକ ଅନ୍ ଲାଇନ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଓଡ଼ିଆ, ଇଂରାଜୀ, ହିନ୍ଦୀ ଭାଷାରେ ସମାନ୍ତରାଳ ଭାବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ୪୦ ରୁ ଅଧିକ ପ୍ରତିଯୋଗୀ ‘ନବୋଦ୍ୟମ, ସୃଜନା, ସଂରକ୍ଷଣ: ପରିବେଶ ଦିବସର ଗୁରୁତ୍ଵ’ ବିଷୟରେ ମନ୍ତବ୍ୟ ରଖି ଥିଲେ।

କୋଭିଡ -୧୯ ମହାମାରୀ ପରିବେଶ ସୁରକ୍ଷାର ଗୁରୁତ୍ଵକୁ ସାରା ପୃଥିବୀରେ ଆଗ ଅପେକ୍ଷା ବହୁଗୁଣ ବଢାଇ ଦେଇଛି। ଅନେକେ ସେମାନଙ୍କ ବକ୍ତବ୍ୟ ଏଇ ଚେତାବନୀ ସହିତ ସମାପ୍ତ କରିଛନ୍ତି, “ସମସ୍ତେ ଯେହେତୁ ଯୋଡ଼ା, ପ୍ରକୃତି ଓ ପରିବେଶର ଉପେକ୍ଷା ଅର୍ଥାତ୍ ମଣିଷର ସମୂଳ ବିନାଶ”।

ଡ. ଚକ୍ରଧର ପାତ୍ର, ଡ. ଶୁଭପ୍ରଦ ଦାଶ, ଶୁଭମ୍ ଆଚାର୍ଯ୍ୟ, ଅଜୟ କର୍ଣ୍ଣ, ଦିବ୍ୟ ରଞ୍ଜନ ଦଳାଇ, ଡ. ଅଂଶୁମାନ ଜେନା ଓ ସରୋଜ କୁମାର ମହାନ୍ତି ବିଚାରକ ଥିଲେ ଓ ଏନଏସଏସ ଅତିରିକ୍ତ ପ୍ରୋଗ୍ରାମ ସଂଯୋଜକ ଡ଼.ଶୋଭନ ପଟ୍ଟନାୟକ ସଂଯୋଜନା କରିଥିଲେ।

କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ପ୍ରତୀକ ଦାଶ, ଅମିତ ପଣ୍ଡା, ବିଶାନ୍ତ ନାୟକ ଓ ଅମିତ ଅଗସ୍ତି।

ସୋଆ ଛାତ୍ର ମଙ୍ଗଳ ଡିନ ପ୍ରଫେସର ଜ୍ୟୋତିରଞ୍ଜନ ଦାସ ଓ ଏନଏସଏସ ସଂଯୋଜକ ଡ଼ଃ ନଚିକେତା ଶର୍ମା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମ ସଂଗଠିତ ହୋଇଯାଇଛି।

ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ପ୍ରତ୍ୟେକ ବର୍ଗରୁ ତିନି ଜଣ କୃତୀ ଛାତ୍ରଛାତ୍ରୀଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯିବ।