ମିଲେଟ ମିଶନର “ମାଣ୍ଡିଆ ଖାଦ୍ୟ ପ୍ରସ୍ତୁତି ପ୍ରତିଯୋଗିତା” ଉଦଘାଟିତ

Published: Oct 7, 2023, 9:26 am IST

କନ୍ଦର୍ପ ବେହେରା

ରେଢାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ କୃଷି କାର୍ଯ୍ୟାଳୟ, ସମ୍ମିଳନୀ କକ୍ଷ ଠାରେ ଓଡ଼ିଶା ମିଲେଟ୍ ମିଶନର ମାଣ୍ଡିଆ ଖାଦ୍ୟ ପ୍ରସ୍ତୁତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ଏଥିରେ ରେଢ଼ାଖୋଲ ଉପଖଣ୍ଡର ଉପ-ଜିଲ୍ଲାପାଳ ପବିତ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଜିଲ୍ଲା କୃଷି ଅଧିକାରୀ ପ୍ରଦୀପ କୁମାର ନନ୍ଦ, ବ୍ଲକ କୃଷି ଅଧିକାରୀ ଅମିତ୍ ପଟେଲ,  ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ସୁଷମା ପାଢ଼ୀ, ପୋଷଣ ର ବ୍ଲକ ସଂଯୋଜକ ପଙ୍କଜ ପ୍ରଧାନ ଉକ୍ତ କାର୍ଯ୍ୟକ୍ରମରେ ମଞ୍ଚାସୀନ ଥିଲେ। ଓଡ଼ିଶା ମିଲେଟ୍ ମିଶନର ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶ୍ରୀଯୁକ୍ତ ସୁଧାଂଶୁ ରାୟଗୁରୁ ଅତିଥି ପରିଚୟ ଓ ସ୍ବାଗତ ଭାଷଣ ଦେଇଥିଲେ।

ଉପ ଜିଲ୍ଲାପାଳ ଶ୍ରୀ ବେହେରା ମାଣ୍ଡିଆ ହେଉଛି ବହୁବିଧ ପୋଷକ ତତ୍ତ୍ଵ ଏବଂ ଉତ୍ତମ ସ୍ୱାସ୍ଥ୍ୟର ସର୍ବୋତ୍ତମ ବିକଳ୍ପ ବୋଲି ମତ ବ୍ୟକ୍ତ କରିଥିଲେ। ଜିଲ୍ଲା କୃଷି ଅଧିକାରୀ ଶ୍ରୀଯୁକ୍ତ ନନ୍ଦ ସାମ୍ପ୍ରତିକ ପରିସ୍ଥିତିରେ କ୍ଷୁଦ୍ର ଶସ୍ୟ ମାଣ୍ଡିଆ ଚାଷ କରି ଅନ୍ୟ ଏକ ସବୁଜ ବିପ୍ଳବର ଆହ୍ବାନ ଦେବା ସହିତ ମାଣ୍ଡିଆ କୁ “ଶୁଷ୍କ ମାଟିର ସୁନା”ବୋଲି ଅଭିହିତ କରିଥିଲେ। ନିତିଦିନିଆ ଖାଦ୍ୟ ଥାଳିରେ ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟ ଗ୍ରହଣରେ ଏହି ପ୍ରତିଯୋଗିତା ବିଶେଷ ସହାୟକ ହେବ ବୋଲି ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ମତ ବ୍ୟକ୍ତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ସ୍ଵୟଂ ସହାୟକ ଗୋଷ୍ଠୀର ମା ମାନେ ମାଣ୍ଡିଆ ପ୍ରସ୍ତୁତ ବିଭିନ୍ନ ପ୍ରକାରର ରୁଚିକର ଖାଦ୍ୟ ପରଷି ସମସ୍ତଙ୍କୁ ପାରିବାରିକ ବନ୍ଧନରେ ବାନ୍ଧିବାର ସହଜ ଓ ଉତ୍କୃଷ୍ଟ ଉପାୟ ବୋଲି ମତ ବ୍ୟକ୍ତ କରିଥିଲେ। ଏହି ଅବସରରେ ମାଣ୍ଡିଆ ପ୍ରସ୍ତୁତ ଲଡ଼ୁ,ପକୁଡ଼ି,ସୁପ୍ ,ମାଲପୁଆ, କାକରା, ଆରିସା,ସେକ୍, କେକ, ବରା,ସର୍ବତ, ହାଲୁଆ, କ୍ଷୀରି,ଉପମା ଇତ୍ୟାଦି ପ୍ରସ୍ତୁତ କରିଥିଲେ। ସେମାନଙ୍କ ମଧ୍ୟରୁ ତିନି ଜଣଙ୍କୁ ମିଲେଟ୍ ଖାଦ୍ୟ ପ୍ରସ୍ତୁତି ପାଇଁ ପୁରସ୍କୃତ କରାଯାଇଥିବା ବେଳେ ସମସ୍ତ ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।

ମହାଶକ୍ତି ଫାଉଣ୍ଡେସନର ରେଢ଼ାଖୋଲ ବ୍ଲକ ମିଲେଟ୍ ମିଶନ ବ୍ଲକ୍ ସଂଯୋଜକ ଆକାଶ ସାହୁ କାର୍ଯକ୍ରମରେ ସହଯୋଗ କରିଥିଲେ ।ଶେଷରେ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରାଯାଇଥିଲା।

Related posts