Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ତିନୋଟି ଲୋକସଭା କ୍ଷେତ୍ରରେ ପ୍ରଚାର ସାରି ଫେରିଲେ ରାଜନାଥ ସିଂ, ହେଲେ ନବୀନଙ୍କ ବିରୋଧରେ ଚୁପ୍

ଭୁବନେଶ୍ବର: ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓଡିଶାର ତିନୋଟି ଲୋକସଭା କ୍ଷେତ୍ରରେ ପ୍ରଚାର କରି ନୂଆଦିଲ୍ଲୀ ଫେରିଯାଇଛନ୍ତି। ସେ ନବରଙ୍ଗପୁର, ବ୍ରହ୍ମପୁର ଓ ମୟୁରଭଞ୍ଜ ରେ ଜନସମାବେଶକୁ ଉଦବୋଧନ ଦେଇଛନ୍ତି। ଏହାକୁ ନେଇ ରାଜ୍ୟ ବିଜେପି ଶିବିର ବେଶ ଉତ୍ସାହିତ ହୋଇପଡିଛି।

ହେଲେ ଦୁଃଖର କଥା ରାଜନାଥ କୌଣସି ସଭାରେ ନବୀନ ପଟ୍ଟନାୟକଙ୍କୁ ବିରୋଧ କିଛି କହିଲେ ନାହିଁ। ଏପରିକି ରାଜ୍ୟର ବିଜେଡି ସରକାରକୁ ମଧ୍ୟ ସମାଲୋଚନା କଲେ ନାହିଁ। କେବଳ ଏତିକି କହିଲେ ଯେ, ଓଡିଶାରେ ଡବଲ ଇଂଜିନି ସରକାର ହେବ। ଓଡିଶାର ବିକାଶ ହେବ। ହେଲେ ରାଜ୍ୟ ବିଜେପି ନେତା ଯେଉଁ ଆଶା ବାନ୍ଧି ବସିଥିଲେ ତାହା ଫସର ଫାଟିଗଲା।

ରାଜନାଥ ସବୁ ସଭାରେ କେବଳ ମୋଦି ସରକାର କଣ କରିଛନ୍ତି ତାହାର ହିସାବ ଲୋକଙ୍କ ଆଗରେ ଉପସ୍ଥାପିତ କଲେ। ମୋଦି ଗ୍ୟାରେଣ୍ଟି ଆଜି କିପରି ଘରେ ଘରେ ପହଞ୍ଚି ପାରିଛି ତାହାର ବର୍ଣ୍ଣନା କରିଥିଲେ। ମୋଦିଙ୍କ ଶାସନ କାଳରେ ସାରା ବିଶ୍ବରେ ଭାରତ କିପରି ଭଲ ସ୍ଥିତିକୁ ଆସି ପାରିଛି ତାହା ଲୋକଙ୍କୁ କହିଥିଲେ। ପୁଣି ଥରେ ମୋଦିଙ୍କୁ ପ୍ରଧାନମନ୍ତ୍ରୀ କରିବା ପାଇଁ ସେ ଜନସାମଗମକୁ ଆହ୍ବାନ ଦେଇଥିଲେ।

ତେବେ ଏହି ସଭାରେ ସ୍ଥାନୀୟ ନେତାମାନେ ନବୀନ ସରକାରଙ୍କୁ ଗାଳି କରିଥିଲେ। ରାଜନାଥ ଓଡିଆ ଜାଣି ପାରୁ ନ ଥିବାରୁ ବହୁ ନେତା ତାଙ୍କ ହୃଦୟରେ ଥିବା ରାଗକୁ ପ୍ରକାଶ କରିଥିଲେ। ସଭାପତି ମନମୋହନ ସାମଲ, ଅପରାଜିତା ଷଡଙ୍ଗୀଙ୍କ ପରି ବହୁ ନେତା ରାଜ୍ୟ ସରକାରଙ୍କ ବିଫଳତାକୁ ପ୍ରକାଶ କରିଥିଲେ। ଏହାକୁ ନେଇ ଲୋକେ ଉତ୍ସାହିତ ହୋଇଥିଲେ ସତ ହେଲେ ରାଜନାଥ ପଦେ ନ କହିବା ସେମାନଙ୍କୁ ନିରୁତ୍ସାହ କରିଥିଲା।

ପୂର୍ବରୁ ସମ୍ବଲପୁର ଗସ୍ତରେ ଆସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେଠାରେ ଏକ ସରକାରୀ ସଭା ସହ ଦଳୀୟ ସଭା କରାଯାଇଥିଲା। ସେହି ସଭାରେ ମୋଦି ନିଜର ସଫଳତା ଉପରେ କହିଥିଲେ ମଧ୍ୟ ନବୀନ ବା ବିଜେଡି ସରକାରଙ୍କ ବିରୋଧରେ କିଛି କହି ନ ଥିଲେ। ଯାହାକୁ ନେଇ ରାଜ୍ୟ ବିଜେପି ମଧ୍ୟରେ ନିରୁତ୍ସାହ ପରିଲକ୍ଷିତ ହୋଇଥିଲା।

ବର୍ତ୍ତମାନ ରାଜନାଥ ମଧ୍ୟ ସେହିପରି କିଛି ନ କହିବା ବିଜେପି ନେତାଙ୍କ ମୁଣ୍ଡ ବୁଲାଇ ହୋଇଯାଇଛି। ଆଗକୁ ନିର୍ବାଚନ, ଏହିପରି ବହୁ କେନ୍ଦ୍ରୀୟ ନେତା ଓଡିଶା ପ୍ରଚାରରେ ଆସିବେ। ଯଦି ସେମାନେ କେହି କିଛି ନବୀନଙ୍କ ବିରୋଧରେ କହିବେ ନାହିଁ, ତେବେ କେମିତି ବିଜେପି ନେତା ଲୋକଙ୍କୁ ସାମନା କରିବେ ତାହାକୁ ନେଇ ଚିନ୍ତା ପ୍ରକଟ କଲେଣି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ବ୍ରହ୍ମପୁରକୁ ଆସୁଛନ୍ତି ରାଜନାଥ ସିଂ, ବିଜେପିରେ ସାମିଲ ହେବେ କି ପ୍ରଦୀପ ପାଣିଗ୍ରାହୀ ?

ଭୁବନେଶ୍ବର: ପ୍ରତିରକ୍ଷା ମନ୍ତ୍ରୀ ରଜାନଥ ସିଂ ଓଡିଶା ଆସୁଛନ୍ତି। ଆସନ୍ତା ୨୨ ତାରିଖରେ ସେ ଓଡିଶାରେ ପହଞ୍ଚିବେ। ସେ ୩ ଟି ଜିଲ୍ଲା ନବରଙ୍ଗପୁର, ଗଂଜାମ ଓ ମୟୂରଭଂଜରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ। ନବରଙ୍ଗପୁର ଓ ମୟୂରଭଂଜରେ କୋର କମିଟି ବୈଠକରେ ଯୋଗ ଦେବେ।

ସେହିପରି ବ୍ରହ୍ମପୁରରେ ଆୟୋଜିତ କର୍ମୀ ସମ୍ମିଳନୀରେ ସାମିଲ ହୋଇ ୨୦୨୪ ନିର୍ବାଚନ ରଣନୀତି ବାବଦରେ ସମ୍ବୋଧନ କରିବେ। ଏ ନେଇ ରାଜ୍ୟ ବିଜେପି ବେଶ ଚଳଚଞ୍ଚଳ ହୋଇ ଉଠିଛି। ତେବେ ଏହି ସମାବଶରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜେପିରେ ସାମିଲ ହେବେ ବୋଲି ଚର୍ଚ୍ଚା ଚାଲିଛି।

ନିକଟରେ ପ୍ରଦୀପ ପାଣିଗ୍ରାହୀଙ୍କୁ ତାଙ୍କ ଭୁବନେଶ୍ବର ବାସଭବନରେ ସାକ୍ଷାତ କରିଥିଲେ ବିଜେପି ସଭାପତି ମନମୋହନ ସାମଲ। ସେତେବେଳେ ମଧ୍ୟ ପ୍ରଦୀପ ବିଜେପିରେ ମିଶିବେ ବୋଲି ଇସାରା ଦେଇଥିଲେ। ସେ କହିଥିଲେ ଯେ, ବର୍ତ୍ତମାନ ଓଡିଶାବାସୀ ଶାଗୁଆ ଦେଖି ସାରିଲେଣି, ଆଗରୁ ଧଳା ଦେଖିଥିଲେ। ଏବେ ଗେରୁଆ ଦେଖିବେ।

ତେବେ ପ୍ରଦୀପ ବିଜେପିରେ ମିଶିବେ ବୋଲି ବହୁ ପୂର୍ବରୁ ଚର୍ଚ୍ଚା ଚାଲିଛି। ଏପରିକି ସେ ମିଶିବା ପାଇଁ ଦିନ ମଧ୍ୟ ଧ୍ୟାର୍ଯ୍ୟ ହୋଇଥିଲା। ହେଲେ ଶେଷ ମୂର୍ହୁତରେ ତାହାକୁ ବାତିଲ କରାଯାଇଥିଲା। ହେଲେ ବର୍ତ୍ତମାନ ବ୍ରହ୍ମପୁରରେ ରାଜନାଥ ସିଂ ସଭା କରୁଥିବାରୁ ସେହିଠାରେ ସେ ମିଶିବେ ବୋଲି ଗଂଜାମରେ ବେଶ ଚର୍ଚ୍ଚା ଚାଲିଛି।

Categories
ବିଶେଷ ଖବର

ବିହାର ସିଏମ ନୀତୀଶ କୁମାରଙ୍କ ସହ ଫୋନରେ କଥା ହେଲେ ରାଜନାଥ ସିଂ, ଜାଣନ୍ତୁ ଏହାର ଅର୍ଥ କ’ଣ?

ପାଟନା: ରାଷ୍ଟ୍ରପତି ନିର୍ବାଚନ ପାଇଁ ଦିଲ୍ଲୀରୁ ପାଟନା ପର୍ଯ୍ୟନ୍ତ ରାଜନୀତି ଗରମ ହୋଇଛି। ଗୋଟିଏ ପଟେ ବିରୋଧୀ ଶିବିର ଏନଡିଏ ବିରୋଧରେ ସାଧାରଣ ପ୍ରାର୍ଥୀ ଦେବାକୁ ପ୍ରସ୍ତୁତ ହେଉଥିବା ବେଳେ ଅନ୍ୟ ପଟେ ଏନଡିଏରେ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଛି। ବିଜେପି ତାର ସହଯୋଗୀମାନଙ୍କଠାରୁ ମତାମତ ନେଉଛି।

ଆଜି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରାଷ୍ଟ୍ରପତି ନିର୍ବାଚନ ସମ୍ପର୍କରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଡାକିଛନ୍ତି। କେନ୍ଦ୍ରରେ ରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗରେ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ପ୍ରାୟ ପାଞ୍ଚ ମିନିଟ୍ ଧରି ଚାଲିଥିଲା। ସେବେଠାରୁ ବିହାରର ରାଜନୈତିକ କରିଡରରେ ବିଭିନ୍ନ ଆଲୋଚନା ଆରମ୍ଭ ହୋଇଥିଲା।

ବାସ୍ତବରେ ରାଷ୍ଟ୍ରପତି ପଦକୁ ନେଇ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଆଲୋଚନା ଚାଲିଛି। ପ୍ରକାଶ ଥାଉକି, ସୋମବାର, ଜନତା ଦର୍ବାର ପରେ ଗଣମାଧ୍ୟମ ସହିତ କଥାବାର୍ତ୍ତା ବେଳେ ସେ ପରିସ୍ଥିତିକୁ ସ୍ପଷ୍ଟ କରିଥିଲେ। ରାଷ୍ଟ୍ରପତି ପ୍ରାର୍ଥୀତ୍ଵ ଉପରେ ନୀତୀଶ କହିଥିଲେ ଯେ, ଦୁଃଖିତ, କିଏ କ’ଣ କହୁଛନ୍ତି, ମୁଁ ଏହା ବିଷୟରେ ଜାଣି ନାହିଁ। ରାଷ୍ଟ୍ରପତି ହେବାକୁ ମୋର ଇଚ୍ଛା ନାହିଁ। କିଏ ପ୍ରାର୍ଥୀ ହେବେ, କିଛି ଦିନ ପରେ ଏହା ଜଣାପଡିବ। ଏଭଳି ପରିସ୍ଥିତିରେ ଆଜି ପ୍ରତିରକ୍ଷା ମନ୍ତ୍ରୀଙ୍କ ଆହ୍ୱାନ ପରେ ପୁଣିଥରେ ସମସ୍ତ ପ୍ରକାର ଆଲୋଚନା ଆରମ୍ଭ ହୋଇଛି।

Categories
PIB_NEWS ଜାତୀୟ ଖବର ବିଶେଷ ଖବର

୧୯ଟି ଜାତୀୟ ରାଜପଥରେ ହେବ ଯୁଦ୍ଧ ବିମାନର ଜରୁରୀକାଳିନ ଅବତରଣ, ଓଡିଶାରେ ଦୁଇଟି

ନୂଆଦିଲ୍ଲୀ: ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ କହିଛନ୍ତି ଯେ ଦେଶର ସୁରକ୍ଷାକୁ ମଝବୁତ କରିବା ପାଇଁ ଓଡିଶା ସମେତ ଅନ୍ୟ ୧୯ ଟି ସ୍ଥାନରେ ଜରୁରୀକାଳୀନ ଅବତରଣ ସୁବିଧା ବିକାଶ କରାଯିବ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସହ ରାଜସ୍ଥାନର ଜାତୀୟ ରାଜପଥ ୯୨୫ ଏ ରେ ଜରୁରୀକାଳୀନ ଅବତରଣ ସୁବିଧା ଉଦଘାଟନ କରି ସେ କହିଛନ୍ତି ଯେ ଏହି ରାଜପଥ ରନ ୱେ ସୀମା ସୁରକ୍ଷା ସହିତ ଦେଶର ସୁରକ୍ଷାକୁ ଆହୁରି ଦୃଢ କରିବ ଯାହା ରଣନୀତି ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ଗଡକରୀ କହିଛନ୍ତି ଯେ ଦେଶର ଅନ୍ୟ ୧୯ ଟି ସ୍ଥାନ ମଧ୍ୟରେ ପଶ୍ଚିମବଙ୍ଗର ଖଡଗପୁର – ବାଲେଶ୍ୱର ରାସ୍ତା, ଖଡଗପୁର- କେନ୍ଦୁଝର ରାସ୍ତା ରାଜସ୍ଥାନର ଫାଲୋଡି – ଜୈସଲମେର ରାସ୍ତା ଏବଂ ବାରମର – ଜୟସଲମେର ରାସ୍ତା, ତାମିଲନାଡୁ ନିକଟରେ ଏବଂ ପାନଘର, କେକେଡି, ଚେନ୍ନାଇ ନିକଟରେ ପୁଡୁଚେରୀ ରାସ୍ତା, ଆନ୍ଧ୍ରପ୍ରଦେଶରେ ନେଲୋର – ଅନଗୋଲ ରାସ୍ତା ଏବଂ ଅନଗୋଲ – ଚିଲାକାଲୁରିପେଟ ରାସ୍ତା, ହରିୟାଣାରେ ମାଣ୍ଡି ଡାବୱାଲୀରୁ ଓଢନ ରାସ୍ତା, ପଞ୍ଜାବର ସାଙ୍ଗରୁ ନିକଟରେ, ଗୁଜୁରାଟର ଭୁଜ-ନାଲିଆ ରାସ୍ତାରେ ଏବଂ ସୁରଟ-ବରୋଦା ରାସ୍ତାରେ, ଜମ୍ମୁ-କାଶ୍ମୀରରେ ବନିହାଲ ଶ୍ରୀନଗର ରାସ୍ତା, ଆସାମର ଲେହ, ନିଓମା ଅଞ୍ଚଳ ଏବଂ ଶିବସାଗର ନିକଟ ଜୋରହାଟ-ବାରାଘାଟ ରାସ୍ତାରେ, ବାଗଡୋଗ୍ରା-ହାସିମାରା ରାସ୍ତା, ହାସିମାରା-ତେଜପୁର ମାର୍ଗ ଏବଂ ଆସାମର ହାସିମାରା-ଗୌହାଟି ରାସ୍ତାରେ ଜରୁରୀକାଳୀନ ଅବତରଣ ସୁବିଧା ବିକାଶ କରାଯିବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଶ୍ୱ ସ୍ତରୀୟ ଜାତୀୟ ରାଜପଥ ର୍ନିମାଣ ରେକର୍ଡ ଗତିରେ କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି ଯେ ବର୍ତ୍ତମାନ ଆମର ଜାତୀୟ ରାଜପଥ ମଧ୍ୟ ସେନା ପାଇଁ ଉପଯୋଗୀ ହେବ, ଯାହା ଆମ ଦେଶକୁ ଅଧିକ ସୁରକ୍ଷିତ କରିବ ଏବଂ ଜରୁରୀକାଳୀନ ପରିସ୍ଥିତି ପାଇଁ ସର୍ବଦା ପ୍ରସ୍ତୁତ ରଖିବ । ଏହି ଅବସରରେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ, ପ୍ରତିରକ୍ଷା ବାହିନୀ ମୁଖ୍ୟ ଜେନେରାଲ ବିପିନ ରାୱତ ଏବଂ ବାୟୁସେନା ମୁଖ୍ୟ ଆର ଏସ୍ ଭଦୋରିଆ ଏହି ଅବସରରେ ଉପସ୍ଥିତ ଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଆଫଗାନିସ୍ତାନର ପରିସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀଙ୍କ ବୈଠକ: ଯୋଗ ଦେଲେ ଅଜିତ ଡୋଭାଲ ଏବଂ ବିପିନ ରାୱତ

ନୂଆଦିଲ୍ଲୀ: ଆଫଗାନିସ୍ତାନର ପରିସ୍ଥିତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦୀ ଆଜି ଏକ ବୈଠକ କରିଛନ୍ତି। ଏହି ବୈଠକରେ ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏବଂ ସିଡିଏସ ଜେନେରାଲ ବିପିନ ରାୱତ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଏହି ବୈଠକ କରିଛନ୍ତି ଯେଉଁ ସମୟରେ ତାଲିବାନ ଆଜି ପଞ୍ଜଶୀରଙ୍କୁ ମଧ୍ୟ କାବୁ କରିଛି ବୋଲି ଦାବି କରିଛି। ପଞ୍ଜଶୀରରେ ତାଲିବାନର ପ୍ରତିଦ୍ୱନ୍ଦ୍ୱୀ ଅହମ୍ମଦ ଶାହା ମାସୁଦଙ୍କ ପୁଅ ଅହମ୍ମଦ ମାସୁଦ ଏହି ଦାବିକୁ ଖଣ୍ଡନ କରିଛନ୍ତି। ଯୁଦ୍ଧ ଜାରି ରହିଛି ବୋଲି ଅହମ୍ମଦ ମାସୁଦ କହିଛନ୍ତି।

ମୁଜାହିଦ୍ କହିଛନ୍ତି, ଆମେ ପଞ୍ଜଶୀରର ବାସିନ୍ଦାଙ୍କୁ ନିଶ୍ଚିତ କରୁଛୁ ଯେ, ସେମାନଙ୍କୁ କୌଣସି ପ୍ରକାରେ ଭେଦଭାବ କରାଯିବ ନାହିଁ। ସମସ୍ତେ ଆମର ଭାଇ ଏବଂ ଆମେ ସମସ୍ତେ ଦେଶର ସେବା ତଥା ସାଧାରଣ ସ୍ୱାର୍ଥ ପାଇଁ କାର୍ଯ୍ୟ କରିବୁ।

ଉଲ୍ଲେଖ ଯୋଗ୍ୟ ଯେ, ଅଗଷ୍ଟ ୧୫ ତାରିଖରେ ତାଲିବାନ ପଞ୍ଜଶୀର ସମେତ ସମଗ୍ର ଆଫଗାନିସ୍ତାନକୁ କାବୁ କରିଥିଲା। ତାଲିବାନ ଯୁଦ୍ଧବିମାନ କାବୁଲ ଆଡକୁ ଯାଉଥିବାର ଦେଖିବା ପରେ ରାଷ୍ଟ୍ରପତି ଆଶରଫ ଘାନି ଦେଶ ଛାଡିଦେଇଥିଲେ।

ଏହା ପରେ ତାଲିବାନ ପଞ୍ଜଶୀର ଆଡକୁ ଗଲା। ତାଲିବାନ ଏବଂ ଅହମ୍ମଦ ମାସୁଦଙ୍କ ନେତୃତ୍ୱରେ ନ୍ୟାସନାଲ ରେଜିଷ୍ଟାନ୍ସ ଫ୍ରଣ୍ଟ ତାଲିବାନ ମଧ୍ୟରେ ବିବାଦ ବଢିଯାଇଥିଲା। ତାଲିବାନର ଅନେକ ପ୍ରତିନିଧି ଦଳ ସେଠାରେ ଥିବା କେତେକ ପ୍ରମୁଖ ନେତାଙ୍କ ସହ କଥାବାର୍ତ୍ତା କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସମସ୍ତ ଉଦ୍ୟମ ବିଫଳ ହୋଇଥିଲା। ତାଲିବାନ ବିରୋଧୀ ଦଳର ମୁଖପାତ୍ର ଫହିମ ଦଶତୀ ମଧ୍ୟ ରବିବାର ଏହି ସଂଘର୍ଷରେ ମୃତ୍ୟୁ ବରଣ କରିଥିଲେ। ପଞ୍ଜଶୀରରେ ତାଲିବାନ ବିରୋଧୀ ସଂଗ୍ରାମୀଙ୍କୁ ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ ମଧ୍ୟ ନେତୃତ୍ୱ ନେଉଛନ୍ତି।

ପଞ୍ଜଶୀରରେ ଦଖଲ ଦାବି ମଧ୍ୟରେ ତାଲିବାନ ମଧ୍ୟ ସରକାର ଗଠନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଏକ ରିପୋର୍ଟରେ କୁହାଯାଇଛି ଯେ, ଆଫଗାନିସ୍ତାନରେ ନୂତନ ସରକାରଙ୍କ ଶପଥ ଗ୍ରହଣ ସମାରୋହରେ ଚୀନ୍, ପାକିସ୍ତାନ, ଋଷ, ତୁର୍କୀ, ଇରାନ ଏବଂ କତାରଙ୍କୁ ନିମନ୍ତ୍ରଣ କରାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟକ୍ତିତ୍ୱ

ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଜନ୍ମଦିନ, ଭାରତୀୟ ରାଜନୀତିରେ ଜଣେ ଜନାଦୃତ ବ୍ୟକ୍ତିତ୍ବ

ନୂଆଦିଲ୍ଲୀ, ଆଜି ଭାରତୀୟ ରାଜନୀତିର ଜଣେ ଓଜନଦାର ନେତା ରାଜନାଥ ସିଂଙ୍କର ଜନ୍ମ ଦିନ । 70 ବର୍ଷ ବୟସରେ ପଦାର୍ପଣ କଲେ ରାଜନାଥ। ଭାରତୀୟ ଜନତା ପାର୍ଟିରେ ରାଜନାଥ ସିଂ ହେଉଛନ୍ତି ଜଣେ ପ୍ରତିଷ୍ଠିତ ତଥା ଜନାଦୃତ ନେତା। ପଦାର୍ଥ ବିଜ୍ଞାନ ଅଧ୍ୟାପକରୁ ରାଜନେତା ହୋଇଥିବା ରାଜନାଥ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟରେ ପ୍ରତିରକ୍ଷା ମନ୍ତ୍ରୀ ଭାବରେ କାର୍ଯ୍ୟ କରୁଛନ୍ତି।

10 ଜୁଲାଇ 1951 ମସିହାରେ ଉତ୍ତର ପ୍ରଦେଶର ଭବହୁରାର ଏକ କୃଷି ପରିବାରରେ ହେଉଛି ତାଙ୍କର ଜନ୍ମ। ରାଜନାଥ ଗୋରଖପୁର ବିଶ୍ୱବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ମାଷ୍ଟର ଡିଗ୍ରୀ ହାସଲ କରି ମିର୍ଜାପୁର କଲେଜରେ ପଦାର୍ଥ ବିଜ୍ଞାନ ଅଧ୍ୟାପକ ଭାବରେ ନିଜର କ୍ୟାରିୟର୍ ଆରମ୍ଭ କରିଥିଲେ।

ରାଜନାଥ 16 ବର୍ଷ ବୟସରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ସହ ଜଡିତ ହୋଇ ରାଜନୀତିରେ ପ୍ରବେଶ କରିଥିଲେ। ପରେ ସେ 1972 ମସିହାରେ ସଂଘର ମିର୍ଜାପୁର ୟୁନିଟର ସଚିବ ଭାବରେ କାର୍ଯ୍ୟ କରିଥିଲେ। ଜାତୀୟ ଜରୁରୀକାଳୀନ ପରିସ୍ଥିତିରେ ସେ ଗିରଫ ହୋଇ ଦୁଇ ବର୍ଷ ଜେଲରେ ଥିଲେ। ତାହା ହିଁ ତାଙ୍କ ପାଇଁ ଲୋକପ୍ରିୟତା ଆଣି ଦେଇଥିଲା। ସେହି ଲୋକପ୍ରିୟତା ଆଧାରରେ ସେ 1980 ରେ ବିଜେପିରେ ଯୋଗ ଦେଇଥିଲେ।

2014 ସାଧାରଣ ନିର୍ବାଚନରେ ​​ଦଳର ଚମତ୍କାର ବିଜୟ ପଛରେ ରାଜନାଥଙ୍କ ଥିଲା ପ୍ରମୁଖ ଭୂମିକା। ସୁଷମା ସ୍ୱରାଜ ଏବଂ ଏଲ.କେ ଆଡଭାନୀଙ୍କ ପରି ବରିଷ୍ଠ ନେତାଙ୍କ କଡ଼ା ସମାଲୋଚନା ସତ୍ତ୍ୱେ ନରେନ୍ଦ୍ର ମୋଦୀଙ୍କୁ ସେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିଥିଲେ । 2014 ରେ ଲୋକସଭା ନିର୍ବାଚନରେ ​​ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଜେପି ବହୁମତ ହାସଲ କରିବା ପରେ ରାଜନାଥଙ୍କୁ ଗୃହ ମନ୍ତ୍ରଣାଳୟ ଦାୟିତ୍ବ ଦିଆଯାଇଥିଲା।

ସେ ଉତ୍ତରପ୍ରଦେଶରେ ପ୍ରଥମ ବିଜେପି ସରକାରରେ ଶିକ୍ଷା ମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି। ସେତେବେଳେ ସେ ଶିକ୍ଷା ବ୍ୟବସ୍ଥାରେ ଅନେକ ପରିବର୍ତ୍ତନ ଆଣିଥିଲେ। ରାଜ୍ୟରେ କପି ବିରୋଧୀ ଆଇନିକୁ ନେଇ ରାଜନାଥ ସିଂ ବିବାଦୀୟ ହୋଇପଡି ଥିଲେ। ସେ ପ୍ରଥମ ଥର ସ୍କୁଲ ପାଠ୍ୟକ୍ରମରେ ବେଦିକ୍ ଗଣିତକୁ ପ୍ରଚଳନ କରିଥିଲେ।

ରାଜନାଥ 2000 ରୁ 2002 ପର୍ଯ୍ୟନ୍ତ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହାପରେ ସେ 2003 ମସିହାରେ କେନ୍ଦ୍ର କୃଷି ମନ୍ତ୍ରୀ ଭାବରେ ନିଯୁକ୍ତ ହୋଇଥିଲେ। ପରବର୍ତ୍ତୀ ସମୟରେ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱରେ ଏନଡିଏ ସରକାରରେ ସେ ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ଥିଲେ। ସେ ଡିସେମ୍ବର 31, 2005 ରୁ ଡିସେମ୍ବର 19, 2009 ପର୍ଯ୍ୟନ୍ତ ବିଜେପି ରାଷ୍ଟ୍ରୀୟ ଅଧକ୍ଷ ହୋଇଥିଲେ। ନୀତିନ ଗଡକରୀ 2013 ମସିହାରେ ଇସ୍ତଫା ଦେବା ପରେ ସେ ପୁନର୍ବାର ଦଳର ସଭାପତି ଭାବରେ ନିର୍ବାଚିତ ହୋଇଥିଲେ।

ବର୍ତ୍ତମାନ ସେ ମୋଦି ସରକାରରେ ପ୍ରତିରକ୍ଷା ମନ୍ତ୍ରୀ ଭାବେ ନିଜର ପରାକାଷ୍ଠା ପ୍ରତିପାଦନ କରାଇ ପାରିଛନ୍ତି। ବିଜେପିର ହାତ ଗଣତି ଯେଉଁ କେତେଜଣ ଲୋକପ୍ରିୟ ନେତା ଅଛନ୍ତି ସେମାନଙ୍କ ମଧ୍ୟରୁ ରାଜନାଥ ସିଂ ସର୍ବାଗ୍ରେ ରହିବେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଆଜିଠାରୁ ତିନିଦିନଆ ଲଦାଖ ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ନୂଆଦିଲ୍ଲୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜିଠାରୁ ତିନି ଦିନିଆ ଲଦାଖ ଗସ୍ତରେ ଯିବେ। ସେନା ମୁଖ୍ୟ ଜେନେରାଲ୍ ଏମ୍ ଏମ ନରେବନ ମଧ୍ୟ ତାଙ୍କ ସହିତ ଯିବେ। ଲଦାଖରେ ସୀମାନ୍ତ ସଡକ ସଂଗଠନ ଦ୍ୱାରା ନିର୍ମିତ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକୁ ରାଜନାଥ ସିଂ ଉଦଘାଟନ କରିବେ। ସେ ସେଠାରେ ଅବସ୍ଥାପିତ ସୈନିକମାନଙ୍କ ସହ ମଧ୍ୟ ଯୋଗାଯୋଗ କରିବେ।

ତାଙ୍କର ତିନି ଦିନିଆ ଗସ୍ତରେ ରାଜନାଥ ସିଂ ଲେହରୁ ଦେଶରେ ନିର୍ମିତ ଅନେକ ସୀମା ସଡ଼କ ସଂଗଠନ ପ୍ରକଳ୍ପର ଉଦଘାଟନ କରିବେ। 14 କୋର ମୁଖ୍ୟାଳୟରେ, ପ୍ରତିରକ୍ଷା ମନ୍ତ୍ରୀଙ୍କୁ ପୂର୍ବ ଲଦାଖର ସାମଗ୍ରିକ ସ୍ଥିତି ସମ୍ପର୍କରେ ସୂଚନା ଦିଆଯିବ। ସେ କମାଣ୍ଡୋମାନଙ୍କ ସହିତ ସମୀକ୍ଷା କରିବେ।

Categories
ଜାତୀୟ ଖବର ବିଶେଷ ଖବର

କୋଭିଡ ପାଇଁ ସେନାବାହିନୀକୁ ଜରୁରିକାଳୀନ ଆର୍ଥିକ କ୍ଷମତା ପ୍ରଦାନ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ନୂଆଦିଲ୍ଲୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ୩୦ ଏପ୍ରିଲ ୨୦୨୧ରେ ସ୍ବତନ୍ତ୍ର ବ୍ୟବସ୍ଥାର ଉପଯୋଗ କରି ସେନାବାହିନୀକୁ ଜରୁରିକାଳୀନ ଆର୍ଥିକ କ୍ଷମତା ପ୍ରଦାନ କରିଛନ୍ତି। ଯାହାଫଳରେ ବର୍ତ୍ତମାନ ଦେଶରେ ଦେଖାଦେଇଥିବା କୋଭିଡ-୧୯ ମହାମାରୀ ମୁକାବିଲା ଲାଗି ସେନାବାହିନୀ ଅଧିକ ସଶକ୍ତ ହୋଇପାରିବ।

ଏହି କ୍ଷମତା ଫର୍ମେସନ କମାଣ୍ଡରମାନଙ୍କୁ ମହାମାରୀ ବିରୋଧରେ ଜାରି ରହିଥିବା ପ୍ରୟାସ ନିମନ୍ତେ ବିଭିନ୍ନ ସେବା ଓ କାର‌୍ୟ୍ୟ ବ୍ୟବସ୍ଥା ଅତିରିକ୍ତ କ୍ବାରେଣ୍ଟାଇନ ସୁବିଧା କିମ୍ବା ଡାକ୍ତରଖାନା ପ୍ରତିଷ୍ଠା ଓ ପରିଚାଳନା କରିବା, ଉପକରଣ,ସାମଗ୍ରୀ, ଷ୍ଟୋର କ୍ରୟ ଏବଂ ଉପକରଣ ମରାମତି କାର୍ଯ୍ୟ ସମ୍ବନ୍ଧୀୟ ଗତିବିଧିରେ ସହାୟକ ହେବ।

ଚିଫ ଅଫ ଇଣ୍ଟିଗ୍ରେଟେଡ ଡିଫେନ୍ସ ଷ୍ଟାଫ ଟୁ ଦ ଚେୟାରମ୍ୟାନ ଚିଫ୍ସ ଅଫ ଷ୍ଟାଫ କମିଟି (ସିଆଇଏସସି), ଜେନେରାଲ ଅଫିସର କମାଣ୍ଡିଂ ଇନ ଚିଫ୍ସ ଓ ତିନୋଟି ସେନାବାହିନୀର ସମକକ୍ଷ ପଦବୀଧାରୀ ଆଦି ସେନାବାହିନୀର ଉପମୁଖ୍ୟମାନଙ୍କୁ ସମ୍ପୂର୍ଣ୍ଣ ଭାବେ ଏହି କ୍ଷମତା ପ୍ରଦାନ କରାଯାଇଛି। ସେହିପରି କୋର କମାଣ୍ଡର,ଏରିଆ କମାଣ୍ଡରମାନଙ୍କୁ ପ୍ରତି ମାମଲାରେ ୫୦ ଲକ୍ଷ ଟଙ୍କା ଏବଂ ଡିଭିଜନ କମାଣ୍ଡର, ସବ ଏରିଆ କମାଣ୍ଡର ଏବଂ ସେମାନଙ୍କ ସମକକ୍ଷମାନଙ୍କୁ ପ୍ରତି ମାମଲାରେ ୨୦ ଲକ୍ଷ ଟଙ୍କା ପର‌୍ୟ୍ୟନ୍ତ ଅଧିକାର ପ୍ରଦାନ କରାଯାଇଛି।

ଏହି କ୍ଷମତା ପ୍ରାରମ୍ଭିକ ପର୍ଯ୍ୟାୟରେ ୧ ମଇ ଠାରୁ ୩୧ ଜୁଲାଇ ୨୦୨୧ ପର୍ଯ୍ୟନ୍ତ ତିନି ମାସର ଅବଧି ନିମନ୍ତେ ପ୍ରଦାନ କରାଯାଇଛି। ବିଗତ ସପ୍ତାହରେ ସେନାବାହିନୀର ଚିକିତ୍ସା ଅଧିକାରୀମାନଙ୍କୁ ଦିଆଯାଇଥିବା ଦାୟିତ୍ବ ଅତିରିକ୍ତ ଏହି କ୍ଷମତା ପ୍ରଦାନ କରାଯାଇଛି।
ବିଗତ ବର୍ଷ କୋଭିଡ-୧୯ ମହାମାରୀ ଆସିବା ସମୟରେ ମଧ୍ୟ ସେନାବାହିନୀକୁ ଜରୁରିକାଳୀନ କ୍ଷମତା ପ୍ରଦାନ କରାଯାଇଥିଲା। ଏହା ସେନାବାହିନୀରକୁ ଦ୍ରୁତ ଓ ପ୍ରଭାବୀ ଢଙ୍ଗରେ ସ୍ଥିତିର ମୁକାବିଲା କରିବାରେ ସହାୟତା କରିଥିଲା।

Categories
ଜାତୀୟ ଖବର ବିଶେଷ ଖବର

ଭାରତର ସାର୍ବମୌମତ୍ୱକୁ ଚାଲେଞ୍ଜ କରୁଥିବା ଶକ୍ତିଙ୍କ ପାଇଁ ଏକ ଦୃଢ଼ ବାର୍ତ୍ତା ହେବ ରାଫେଲ

ହରିୟାନା, ଅମ୍ବାଲାସ୍ଥିତ ବାୟୁସେନା ଘାଟି ଠାରେ ଆଜି ଆୟୋଜିତ ଏକ ସମାରୋହରେ ଭାରତୀୟ ବାୟୁସେନାରେ ଆନୁଷ୍ଠାନିକ ଭାବେ ଅତ୍ୟାଧୁନିକ ଲଢ଼ୁଆ ବିମାନ ରାଫେଲକୁ ସାମିଲ କରାଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ, ଫ୍ରାନ୍ସର ସଶସ୍ତ୍ର ସେନା ବିଭାଗ ମନ୍ତ୍ରୀ ସୁଶ୍ରୀ ଫ୍ଲୋରେନ୍ସ ପାର୍ଲେ ପ୍ରମୁଖ ଉପସ୍ଥିତ ଥିଲେ ।

ଏହି କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ କହିଲେ ଯେ ଅତ୍ୟାଧୁନିକ ଲଢ଼ୁଆ ରାଫେଲ ବିମାନ ଭାରତୀୟ ବାୟୁସେନାରେ ସାମିଲ ହେବା ଏକ ଐତିହାସିକ ମୁହୂର୍ତ୍ତ ଏବଂ ଭାରତୀୟ ବାୟୁସେନା (ଆଇଏଏଫ) ଇତିହାସରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସଦୃଶ ।

ସେ କହିଲେ ଯେ ଫ୍ରାନ୍ସ ସହ ରାଫେଲ ବିମାନ କ୍ରୟ ସଂକ୍ରାନ୍ତ ରାଜିନାମା ଭାରତର ଜାତୀୟ ନିରାପତ୍ତା ପାଇଁ ଏକ ପଟ୍ଟ ପରିବର୍ତ୍ତନକାରୀ ଘଟଣା ଭାବେ ସାବ୍ୟସ୍ତ ହୋଇଛି । ଏଭଳି ଅତ୍ୟାଧୁନିକ ଲଢ଼ୁଆ ଯୁଦ୍ଧ ବିମାନ ଭାରତୀୟ ବାୟୁସେନାରେ ସାମିଲ ହେବା ଦ୍ୱାରା ଏହା ସମଗ୍ର ବିଶ୍ୱକୁ ଏକ ଦୃଢ଼ ବାର୍ତ୍ତା ପହଞ୍ଚାଇଛି ।

ବିଶେଷ କରି ଯେଉଁମାନେ ଭାରତର ସାର୍ବଭୌମତ୍ୱ ପ୍ରତି ଚାଲେଞ୍ଜ କରୁଛନ୍ତି ସେମାନଙ୍କ ପାଇଁ ଏହା ଏକ ଚରମ ବାର୍ତ୍ତ ଭଳି। ମନ୍ତ୍ରୀ ଶ୍ରୀ ସିଂହ ଦୃଢ଼ୋକ୍ତି ବ୍ୟକ୍ତ କରି କହିଲେ ଯେ ଭାରତର ସାର୍ବଭୌମତ୍ୱ ଏବଂ ଭୌଗୋଳିକ ଅଖଣ୍ଡତା ରକ୍ଷା ଦିଗରେ କୌଣସି ସାଲିସ କରାଯିବ ନାହିଁ । ଏହା ଭାରତର ପ୍ରତିବଦ୍ଧତା ଏବଂ ଦେଶ ଏଥିପାଇଁ ସକଳ ପ୍ରକାର ସମ୍ଭାବ୍ୟ ପ୍ରସ୍ତୁତି କରିବାକୁ ସଂକଳ୍ପବଦ୍ଧ।

“ଭାରତୀୟ ସଶସ୍ତ୍ର ସେନା ସଦାବେଳେ ସୁଦୃଢ଼ ରହିଆସିଛି” ବୋଲି ଦୃଢ଼ ମତ ପୋଷଣ କରି ପ୍ରତିରକ୍ଷା ମନ୍ତ୍ରୀ କହିଲେ ଯେ “ଆମର ପ୍ରତିରକ୍ଷା ଶକ୍ତିକୁ ଅଧିକ ସୁଦୃଢ଼ କରିବାର ମୂଳ ଲକ୍ଷ୍ୟ ହେଲା ଆନ୍ତର୍ଜାତିକ ସ୍ତରରେ ଶାନ୍ତି ଓ ସ୍ଥିରତା ରକ୍ଷା ଏବଂ ଆମେ ଏଭଳି କୌଣସି ପଦକ୍ଷେପ ନେବାକୁ ଚାହୁଁନା ଯଦ୍ଦ୍ୱାରା ଅନ୍ତରାଷ୍ଟ୍ରୀୟ ଶାନ୍ତି  ବ୍ୟାହତ ହେବ । ତେବେ ଆମେ ମଧ୍ୟ ଆମର ପ୍ରତିବେଶୀ ରାଷ୍ଟ୍ର ତଥା ବିଶ୍ୱର ଅନ୍ୟାନ୍ୟ ରାଷ୍ଟ୍ରଙ୍କ ଠାରୁ ସମାନ ମନୋଭାବର ପ୍ରତ୍ୟାଶା ରଖୁ।”

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରାଥମିକତା ପ୍ରସଙ୍ଗରେ ଅବତାରଣା କରି ଶ୍ରୀ ସିଂହ କହିଲେ ଯେ ଜାତୀୟ ନିରାପତ୍ତା ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିରେ ସଦାବେଳେ ଅଗ୍ରାଧିକାର ବହନ କରିଆସିଛି । ଏବଂ ତାଙ୍କରି ଦୂରଦୃଷ୍ଟିର ପରିକଳ୍ପନା ସ୍ୱରୂପ ଆଜି ଆମେ ତାହା ସ୍ୱଚକ୍ଷୁରେ ଦେଖିପାରୁଛୁ, ଅବଶ୍ୟ ସେଥିପାଇଁ ଆମକୁ ଏହି ମାର୍ଗରେ ଅନେକ ପ୍ରତିବନ୍ଧକର ସମ୍ମୁଖୀନ ହେବାକୁ ପଡ଼ିଥିଲା ବୋଲି ସେ ସୂଚାଇଥିଲେ।

ରାଫେଲ ଲଢ଼ୁଆ ବିମାନର ଭାରତୀୟ ବାୟୁସେନାରେ ସାମିଲ କରାଯିବା ଘଟଣାକୁ ଭାରତ- ଫ୍ରାନ୍ସ ଘନିଷ୍ଠ ରଣନୀତିକ ସଂପର୍କର ପ୍ରତିଫଳତ ରୂବେ ଅଭିହିତ କରି ଶ୍ରୀ ସିଂହ କହିଲେ ଯେ “ଆମେ ଆମର ପ୍ରତିରକ୍ଷା ସହଯୋଗକୁ ସଂପ୍ରସାରିତ କରିବା ସକାଶେ ଅନେକ କ୍ଷେତ୍ରରେ ପରସ୍ପରର ଘନିଷ୍ଠ ସହଯୋଗୀ ଭାବେ କାର୍ଯ୍ୟ କରୁଛୁ।

ପ୍ରଯୁକ୍ତି ହସ୍ତାନ୍ତରଣ ରାଜିନାମାର ଅଂଶବିଶେଷ ସ୍ୱରୂପ, 6ଟି ସ୍କର୍ପିନ୍ ସବ୍ମେରିନ୍ ଏବେ ମାଜାଗନ୍ ଡକ୍ସରେ ନିର୍ମାଣାଧୀନ ରହିଛି। ଏହି ସହଭାଗୀତାର ଆଧାରରେ, ପ୍ରଥମ ସବ୍ମେରିନ, ଆଇଏନଏସ କଲଭରୀକୁ 2017 ମସିହାରେ କମିଶନ୍ କରାଯାଇଛି” । ଭାରତ-ଫ୍ରାନ୍ସ ସହଯୋଗୀତା ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ଏବଂ ଆଇଓଆରରେ ସମାନ ସାମୁଦ୍ରିକ ନିରାପତ୍ତା କ୍ଷେତ୍ରରେ ଥିବା ଚାଲେଞ୍ଜର ମୁକାବିଲା କରିଆସୁଛି ବୋଲି ସେ ଉଲ୍ଲେଖ କରିଥିଲେ।

ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂହ କହିଲେ ଯେ ଭାରତର ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଫ୍ରାନ୍ସ ଅଧିକରୁ ଅଧିକ ମାତ୍ରାରେ ନିବେଶ କରିବାର ସୁଯୋଗ ରହିଛି । ସେ କହିଲେ ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ  “ଆତ୍ମନିର୍ଭର ପ୍ରୟାସ” ପାଇଁ ଦେଇଥିବା ଆହ୍ୱାନର ପରିଣାମ ସ୍ୱରୂପ, ଦେଶରେ ନୀତିଗତ କ୍ଷେତ୍ରରେ ଅନେକ ସଂସ୍କାର ଘଟାଯାଇଛି । ସେଥି ମଧ୍ୟରେ ପ୍ରତିରକ୍ଷା ଉପକରଣ ଉତ୍ପାଦନ ଯାହାକି ରଣନୀତିକ ସହଭାଗୀତା ମଡ଼େଲରେ କାର୍ଯ୍ୟକାରୀ କରାଯାଇପାରିବ ଏବଂ ଅଟୋମେଟିକ୍ ରୁଟ ଦ୍ୱାର ପ୍ରତକ୍ଷ୍ୟ ବିଦେଶୀ ପୁଞ୍ଜି ନିବେଶର ମାତ୍ରାକୁ 74%କୁ ବୃଦ୍ଧି କରାଯାଇଛି ।”

ସେହିଭଳି ଉତ୍ତର ପ୍ରଦେଶ ଏବଂ ତାମିଲନାଡ଼ୁରେ ଦୁଇଟି ବିରାଟ ପ୍ରତିରକ୍ଷା କରିଡ଼ୋର ସ୍ଥାପନ କରାଯାଉଛି ଏବଂ ଏ ସଂକ୍ରାନ୍ତ ସଂସ୍କାର ବ୍ୟବସ୍ଥା ଆରମ୍ଭ ହୋଇସାରିଛି । ଶ୍ରୀ ସିଂହ ଆହୁରି କହିଲେ ଯେ, “ମୋର ଦୃଢ଼ ବିଶ୍ୱାସ ଯେ ଫ୍ରାନ୍ସର ପ୍ରତିରକ୍ଷା ଶିଳ୍ପ ଉଦ୍ୟୋଗମାନ ଏଭଳି ସଂସ୍କାର ପ୍ରକ୍ରିୟାର ସୁଯୋଗ ନେବ ଫ୍ରାନ୍ସ ଆମର ସ୍ୱଦେଶୀକରଣ ଯାତ୍ରାରେ ଏକ ନିର୍ଭରଯୋଗ୍ୟ ସହଯୋଗୀ ଭାବେ ହାତ ବଢ଼ାଇବ ।”

ପ୍ରତିରକ୍ଷା ମନ୍ତ୍ରୀ ଏହି ଅବସରରେ ଭାରତୀୟ ବାୟୁସେନାକୁ ଏଲଏସି ନିକଟରେ ନିକଟରେ ଘଟିଥିବା ଘଟଣାରେ ତକ୍ରାଳ ତଥା ନିର୍ଣ୍ଣାୟକ ପଦକ୍ଷେପ ଗ୍ରହଣ କରିଥିବାରୁ ଅଭିନନ୍ଦନ ଜଣାଇଥିଲେ । ସେ କହିଲେ ଯେ ଆମର ଛାମୁଆ ଘାଟିଗୁଡ଼ିକରେ ତୁରନ୍ତ ଆଇଏଏଫର ଲଢ଼ୁଆ ବିମାନଗୁଡ଼ିକର ମୁତୟନ ବାୟୁସେନା ଉପରେ ଆମର ଦୃଢ଼ ଆସ୍ଥା ସ୍ଥାପନ କରିପାରିଛି ଏବଂ ସେମାନେ ଯେକୌଣସି ପ୍ରକାର ଉତ୍ପନ୍ନ ପରିସ୍ଥିତିର ମୁକାବିଲା କରିବା ସକାଶେ ସଦାସର୍ବଦା ପ୍ରସ୍ତୁତ ରହିଛନ୍ତି । କୋଭିଡ଼-19 ମହାମାରୀ ସମୟରେ ଭାରତୀୟ ବାୟୁସେନା ଦେଶ ପାଇଁ କରିଥିବା ପ୍ରୟାସ ଓ ଅବଦାନ ନିମନ୍ତେ ପ୍ରତିରକ୍ଷା ମନ୍ତ୍ରୀ ଆଇଏଏଫର ଭୂମିକାକୁ ଉଚ୍ଚ ପ୍ରଶଂସା କରିଥିଲେ।

ଫ୍ରାନ୍ସର ସଶସ୍ତ୍ର ସେନା ବିଭାଗ ମନ୍ତ୍ରୀ ସୁଶ୍ରୀ ଫ୍ଲୋରେନ୍ସ ପାର୍ଲେ ଏହି ଅବସରରେ ଉଦବୋଧନ ଦେଇ କହିଲେ ଯେ ଆଜି ଭାରତୀୟ ବାୟୁସେନାରେ ରାଫେଲ ବିମାନକୁ ବିଧିବଦ୍ଧ ଭାବେ ସାମିଲ କରାଯିବା ଦୁଇ ଦେଶ ମଧ୍ୟରେ ଥିବା ଘନିଷ୍ଠ ସୁସମ୍ପର୍କର ସଂକେତ ପ୍ରଦାନ କରେ । ଏହି ସଂପର୍କ ବେଶ୍ ନିବିଡ଼ ଓ ସୁଦୃଢ଼ ଏବଂ ସମୟର କଷଟି ପଥରରେ ପରୀକ୍ଷିତ ।

ସେ କହିଲେ ଯେ ସାମରିକ ପରିଭାଷାରେ ବ୍ୟକ୍ତ କଲେ, ଭାରତ ଏବେ ବିଶ୍ୱସ୍ତରୀୟ କ୍ଷମତାର ଅଧିକାରୀ ହୋଇଛି ଏବଂ ଏହା ନୂଆ ଦିଲ୍ଲୀକୁ ରଣନୀତିକ ଦୃଷ୍ଟିକୋଣରୁ ଅତୁଲ୍ୟ ସାର୍ବଭୌମତ୍ୱ ପ୍ରଦାନ କରିଛି। ଏହା ସମଗ୍ର କ୍ଷେତ୍ରରେ ଭାରତ ନିଜକୁ ପ୍ରତିରକ୍ଷାର ଅସୀମ କ୍ଷମତା ପ୍ରଦାନ କରିଛି ବୋଲି ସେ ସୂଚନା ଦେଇଥିଲେ।

ନିର୍ଭର ପ୍ରତିଶ୍ରୁତି ପ୍ରଦାନ ପୂର୍ବକ ସୁଶ୍ରୀ ପାର୍ଲେ କହିଲେ ଯେ ଅବଶିଷ୍ଟ 31ଟି ରାଫେଲ ବିମାନ ଧାର୍ଯ୍ୟ ସମୟ ସୀମା ଭିତରେ ହିଁ ଭାରତକୁ ଅର୍ପଣ କରାରିବ । ସୁଶ୍ରୀ ଫ୍ଲୋରେନ୍ସ ପାର୍ଲେ କହିଲେ ଯେ  ଭାରତର ମେକ୍ ଇନ୍ ଇଣ୍ଡିଆ ଅଭିଯାନ ସକାଶେ ଫ୍ରାନ୍ସ ପୂର୍ଣ୍ଣ ମାତ୍ରାରେ ପ୍ରତିବଦ୍ଧ ଯାହା ଫରାସୀ ଶିଳ୍ପସଂସ୍ଥାମାନଙ୍କ ସକାଶେ ଢ଼େର୍ ବର୍ଷ ଧରି ଏକ ବାସ୍ତବତା ହୋଇ ରହିଛି । ବିଶେଷ କରି ସବମେରିନ୍ ନିର୍ମାଣ ଭଳି ପ୍ରତିରକ୍ଷା କ୍ଷେତ୍ରରେ ଏହା ପ୍ରମାଣସିଦ୍ଧ ହୋଇସାରିଛି ବୋଲି ସେ ସୂଚନା ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଜେନେରାଲ ବିପିନ ରାୱତ, ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଆର କେ ଏସ ଭଦୌରିଆ, ପ୍ରତିରକ୍ଷା ସଚିବ ଡକ୍ଟର ଅଜୟ କୁମାର, ସଚିବ (ପ୍ରତିରକ୍ଷା ଉତ୍ପାଦନ) ଶ୍ରୀ ରାଜ କୁମାର, ପ୍ରତିରକ୍ଷା ଗବେଷଣା ଓ ବିକାଶ ବିଭାଗ ସଚିବ ତଥା ଡିଆରଡ଼ିଓ ଅଧ୍ୟକ୍ଷ ଡକ୍ଟର ଜି ସତୀଶ ରେଡ୍ଡୀ ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟ ଓ ସଶସ୍ତ୍ର ସେନା ବିଭାଗର ବହୁ ବରିଷ୍ଠ ପଦାଧିକାରୀ ଏହି ଅବସରରେ ଉପସ୍ଥିତ ଥିଲେ।

ସେହିଭଳି ଫ୍ରାନ୍ସ ପ୍ରତିନିଧି ମଣ୍ଡଳରେ ଭାରତରେ ଅବସ୍ଥାପିତ ଫରାସୀ ରାଷ୍ଟ୍ରଦୂତ ଶ୍ରୀ ଇମାନୁଏଲ ଲେନେନ୍, ଫ୍ରାନ୍ସ ବାୟୁସେନାର ଉପ ମୁଖ୍ୟ ଏୟାର ଷ୍ଟାଫ୍ ଏୟାର ଜେନେରାଲ ଏରିକ୍ ଅଟେଲେଟ୍ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଥିଲେ। ଆୟୋଜିତ ସମାରୋହରେ ଫରାସୀ ପ୍ରତିରକ୍ଷା ଶିଳ୍ପର ବରିଷ୍ଠ କର୍ମକର୍ତ୍ତମାନେ ଉପସ୍ଥିତ ଥିଲେ। ସେମାନଙ୍କ ମଧ୍ୟରେ ଡାସଲ୍ଟ ଏଭିଏସନର ଅଧ୍ୟକ୍ଷ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ମିଷ୍ଟର ଏରିକ୍ ଟ୍ରାପିଏର୍, ଏମବିଡ଼ିଏର ସିଇଓ ମିଷ୍ଟର ଏରିକ୍ ବେରାଙ୍ଗର ପ୍ରମୁଖ ଅନ୍ତର୍ଭୁକ୍ତ।

ଫ୍ରାନ୍ସରୁ ଆସି 2020 ଜୁଲାଇ 27ରେ ପାଞ୍ଚଟି ରାଫେଲ ବିମାନ ଅମ୍ବାଲାସ୍ଥିତ ବାୟୁସେନା ଘାଟିଠାରେ ପହଞ୍ଚିଥିଲା। ଏହାକୁ ଆଜି ଭାରତୀୟ ବିମାନ ବାହିନୀର 17ଶ ସ୍କ୍ୱାର୍ଡ଼୍ରନ “ଗୋଲ୍ଡନ ଏରୋ”ର ଅଂଶ ବିଶେଷ ଭାବେ ସାମିଲ କରାଯାଇଛି।

ଋାଫେଲ ଲଢ଼ୁଆ ବିମାନକୁ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରାଯିବା ପୂର୍ବରୁ ପାରମ୍ପରିକ ରୀତିରେ ଏକ “ସର୍ବ ଧର୍ମ ପୂଜନ”ର ଆୟୋଜନ କରାଯାଇଥିଲା। ସେହିଭଳି ଏହି ଅବସରରେ ରାଫେଲ ଏବଂ ତେଜସ ବିମାନର ଏକ ବିମାନ ଉଡାଡ଼ ପ୍ରଦର୍ଶିତ ହୋଇଥିଲା ତଥା “ସାରଙ୍ଗ ଏରୋବାଟିକ୍ ଟିମ୍” ଏଥିରେ ସାମିଲ ହୋଇଥିଲେ। ଏହା ପରେ ରାଫେଲ ବିମାନକୁ ପାରମ୍ପରିକ ଜଳ ତୋପ ସଲାମୀ ପ୍ରଦାନ କରାଯାଇଥିଲା। ଏହି ଭବ୍ୟ ସମାରୋହ ପରେ ଭାରତୀୟ ଓ ଫ୍ରାନ୍ସର ପ୍ରତିନିଧି ମଣ୍ଡଳ ଦ୍ୱିପାକ୍ଷିକ ଆଲୋଚନାରେ ମିଳିତ ହୋଇଥିଲେ।

ପୂର୍ବରୁ ଆଜି ସକାଳେ ଫ୍ରାନ୍ସର ସଶସ୍ତ୍ର ସେନା ବିଭାଗ ମନ୍ତ୍ରୀ ସୁଶ୍ରୀ ଫ୍ଲୋରେନ୍ସ ପାର୍ଲେ ଦିଲ୍ଲୀରେ ପହଞ୍ଚିବା ପରେ ତାଙ୍କ ଆନୁଷ୍ଠାନିକ ଭାବେ ଗାର୍ଡ଼ ଅଫ୍ ଅନର ପ୍ରଦାନ କରାଯାଇଥିଲା।

Categories
ଫଟୋ ଖବର

ରୁଷ ଗସ୍ତ ଅବସରରେ ଭାରତୀୟ ଦୂତାବାସରେ ଥିବା ବାପୁଜୀଙ୍କ ପ୍ରତିମୂର୍ତ୍ତିରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ମାଲ୍ୟାର୍ପଣ

Defence Minister Rajnath Singh paid floral tributes to Mahatma Gandhi at Indian Embassy in Moscow, Russia today.

Categories
ଅନ୍ତରାଷ୍ଟ୍ରୀୟ ବିଶେଷ ଖବର ବ୍ୟବସାୟ

ଖୁବ ଶିଘ୍ର ଭାରତ କିଣିବ 8 ହଜାର 7ଶହ 22 କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର, ଜାଣନ୍ତୁ କଣ ସେହି ସାମରିକ ଉପକରଣ

ନୂଆଦିଲ୍ଲୀ, ଦେଶୀ କାରିଗରୀ ଜ୍ଞାନକୌଶଳରେ ସାମରିକ ଉପକରଣ ଓ ଅସ୍ତ୍ରଶସ୍ତ୍ର ନିର୍ମାଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରି ଆତ୍ମନିର୍ଭର ଭାରତ ଲକ୍ଷ୍ୟ ପୂରଣ କରିବାକୁ ଭାରତୀୟ ସେନା ଗୁରୁତ୍ୱ ଦେଉଛି। ଏହି ଅନୁସାରେ ନୂଆ ବ୍ୟବସ୍ଥା ଲାଗୁ ହେବା ପୂର୍ବରୁ ଆଜି 8ହଜାର 7ଶହ 22 କୋଟି 38 ଲକ୍ଷ ଟଙ୍କା ମୂଲ୍ୟର ଦେଶୀ ସାମରିକ ଉପକରଣ ଓ ଅସ୍ତ୍ରଶସ୍ତ୍ର କ୍ରୟ ସଂକ୍ରାନ୍ତ ଏକ ପ୍ରସ୍ତାବକୁ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ (ଡିଏସ୍‌ଇ) ଅନୁମୋଦନ କରିଛି।

ଏଥିରେ ବାୟୁସେନା ପାଇଁ 106ଟି ମୌଳିକ ତାଲିମ ପ୍ରଦାନକାରୀ ବିମାନ ବା ବେସିକ୍‌ ଟ୍ରେନର ଏୟାରକ୍ରାଫ୍ଟ ଅନ୍ତର୍ଭୁକ୍ତ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ପରିଷଦର ବୈଠକରେ ଏସବୁ କ୍ରୟ ପାଇଁ ଅନୁମୋଦନ ପ୍ରଦାନ କରାଯାଇଛି । ଇତିମଧ୍ୟରେ ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡ (ହାଲ୍‌) ଏଚ୍‌ଟିଟି-04 ଶ୍ରେଣୀର ମୌଳିକ ତାଲିମ ପ୍ରଦାନକାରୀ ବିମାନର ପ୍ରତିରୂପ ବିକଶିତ କରିଛି।

ଖୁବ୍‌ଶୀଘ୍ର ଏଥିପାଇଁ ହାଲ୍‌ ଏ ସଂକ୍ରାନ୍ତ ପ୍ରମାଣପତ୍ର ହାସଲ କରିବ। ଏହି ଶ୍ରେଣୀର 106ଟି ବିମାନ ହାଲ୍‌ଠାରୁ କିଣିବାକୁ ଆଜି ପରିଷଦ ଅନୁମତି ପ୍ରଦାନ କରିଛି। ପ୍ରାରମ୍ଭିକ ଅବସ୍ଥାରେ 70ଟି ଏଭଳି ବିମାନ କ୍ରୟ କରାଯିବ। ପରେ ଅବଶିଷ୍ଟ 36ଟିକୁ ବାୟୁସେନାରେ ସାମିଲ କରିବାର ଲକ୍ଷ୍ୟ ରଖାଯାଇଛି।

ଭାରତୀୟ ନୌବାହିନୀର ଶକ୍ତି ବୃଦ୍ଧି ପାଇଁ ପରିଷଦ ଉନ୍ନତ ମାନର ସୁପର ରାପିଡ୍‌ ଗନ୍‌ ମାଉଣ୍ଟ ବା ଏସ୍‌ଆରଜିଏମ୍‌ କିଣିବ। ଏହା ନୌବାହିନୀ ଏବଂ ଭାରତୀୟ ତଟରକ୍ଷୀ ବାହିନୀର ମୁଖ୍ୟ ଯୁଦ୍ଧ ଜାହାଜରେ ମୁତୟନ ହେବ। ଏହି ଏସ୍‌ଆରଜିଏମ୍‌ ଭାରତ ହେଭି ଇଲେକ୍‌ଟ୍ରିକାଲ ବା ଭେଲରୁ କିଣାଯିବ। ଏସ୍‌ଆରଜିଏମ୍‌ ଶତ୍ରୁପକ୍ଷର କ୍ଷେପଣାସ୍ତ୍ର ଓ ଦ୍ରୁତଗାମୀ ଯୁଦ୍ଧ ବିମାନର ଗତିପଥ ତୁରନ୍ତ ଠାବ କରି ନିମିଷକେ ତାର ପ୍ରତିରୋଧ କରିବାକୁ ସକ୍ଷମ। ଏଥିପାଇଁ ମଧ୍ୟ ଡିଏସ୍‌ଇର ଅନୁମୋଦନ ମିଳିଛି।

ଭାରତରେ ଏବେ ଗୁଳିଗୋଳା ଓ ଅସ୍ତ୍ରଶସ୍ତ୍ର ଉତ୍ପାଦନ ପ୍ରତିରକ୍ଷା ବାହିନୀର ଆବଶ୍ୟକତା ପୂରଣ କରିବାକୁ ସକ୍ଷମ। ଏଥିପାଇଁ ମଧ୍ୟ ଆବଶ୍ୟକ ଟେକ୍‌ନୋଲଜି ଭାରତରେ ରହିଛି। ତାହାକୁ ଦୃଷ୍ଟିରେ ରଖି ଡିଏସ୍‌ଇ 125 ଏମ୍‌ଏମ୍‌ ଆର୍ମର ପିୟରସିଂ ଫିନ୍‌ ଷ୍ଟାବିଲାଇଜଡ ଡିସ୍‌କାର୍ଡିଂ ସାବର୍ଟ ଗୋଳା ଭାରତୀୟ ସେନା ପାଇଁ କିଣିବାକୁ ଡିଏସ୍‌ଇ ଅନୁମୋଦନ ଦେଇଛି। ଏଥିରେ ପ୍ରାୟ 70 ଭାଗ ଦେଶୀ କାରଗରୀ ଜ୍ଞାନକୌଶଳ ନିୟୋଜିତ କରାଯାଇଛି।

ସେହିଭଳି ଏକେ-203 ଏବଂ ମାନବ ବିହୀନ ଆକାଶ ଯାନ କ୍ରୟ କରିବା ସଂକ୍ରାନ୍ତ ଏକ ପ୍ରସ୍ତାବ ଡିଏସଇର ଅନୁମୋଦନ ଲାଭ କରିଛି ।

Categories
ଜାତୀୟ ଖବର ବିଶେଷ ଖବର

ଉପରାଷ୍ଟ୍ରପତିଙ୍କ ତିନିବର୍ଷର କାର୍ଯ୍ୟ ଉପରେ ଇ-ପୁସ୍ତକ ‘କନେକ୍ଟିଙ୍ଗ, କମ୍ୟୁନିକେଟିଙ୍ଗ, ଚେଞ୍ଜିଙ୍ଗ’ ଉନ୍ମୋଚିତ

ନୂଆଦିଲ୍ଲୀ, କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଉପରାଷ୍ଟ୍ରପତି ଶ୍ରୀ ଏମ. ଭେଙ୍କେୟା ନାଇଡୁଙ୍କ ତିନି ବର୍ଷର କାର୍ଯ୍ୟକାଳ ଉପରେ ଆଧାରିତ ପୁସ୍ତକର ଇ-ଭର୍ସନକୁ ଆଜି ନୂଆଦିଲ୍ଲୀଠାରେ ଉନ୍ମୋଚନ କରିଛନ୍ତି। ଏହା ସହିତ ଅନ୍ୟ ଏକ ପୁସ୍ତକ ମଧ୍ୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଦ୍ଵାରା ଉନ୍ମୋଚିତ ହୋଇଛି । ନୂଆଦିଲ୍ଲୀର ଉପରାଷ୍ଟ୍ରପତି ଭବନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

250 ପୃଷ୍ଠା ବିଶିଷ୍ଟ ଏହି ପୁସ୍ତକ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅନ୍ତର୍ଗତ ପବ୍ଲିକେଶନ ଡିଭିଜନ ଦ୍ଵାରା ପ୍ରକାଶିତ ହୋଇଛି । ଏଥିରେ ଉପରାଷ୍ଟ୍ରପତିଙ୍କ ଦେଶ ବିଦେଶ ଭ୍ରମଣ କାହାଣୀ ସହ ଅନ୍ୟାନ୍ୟ କାର୍ଯ୍ୟକଳାପ ସମ୍ପର୍କରେ ସଚିତ୍ର ପ୍ରକାଶ କରାଯାଇଛି । ଏଥିରେ ଉପରାଷ୍ଟ୍ରପତିଙ୍କ କୃଷକ, ବୈଜ୍ଞାନିକ, ଡାକ୍ତର ଓ ଯୁବକ, ପ୍ରଶାସକ, ଶିଳ୍ପୋଦ୍ୟୋଗୀ ଓ କଳାକାରମାନଙ୍କ ସହିତ କଥାବାର୍ତ୍ତା ବା ସାକ୍ଷାତର ଝଲକ ମଧ୍ୟ ସ୍ଥାନ ପାଇଛି। ଏଥିରେ ଉପରାଷ୍ଟ୍ରପତିଙ୍କ ବିଦେଶ ଗସ୍ତ ଓ ବିଭିନ୍ନ ନେତାମାନଙ୍କ ସହ ମତ ବିନିମୟ ଓ ବିଭିନ୍ନ ଦେଶରେ ପ୍ରବାସୀ ଭାରତୀୟମାନଙ୍କୁ ଉଦବୋଧନ ଦେଉଥିବାର ବିଷୟ ମଧ୍ୟ ପ୍ରକାଶିତ ହୋଇଛି ।

ପୁସ୍ତକଟିକୁ ଉନ୍ମୋଚନ କରି ଶ୍ରୀ ଜାଭଡେକର କହିଲେ ଯେ, ଭାରତର ପରିବର୍ତ୍ତନ ପାଇଁ ଗଣଯୋଗାଯୋଗ ଦ୍ଵାରା ଜନସାଧାରଣଙ୍କ ସହିତ ସମ୍ପର୍କ ସ୍ଥାପନ ନେଇ ଏଥିରେ ବର୍ଣ୍ଣନା କରାଯାଇଛି। ଉପରାଷ୍ଟ୍ରପତିଙ୍କ ଭାଷଣ ସମ୍ପର୍କରେ ଜାଣିବାକୁ ଇଚ୍ଛୁକ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏହି ପୁସ୍ତକ ଏକ ଅମୂଲ୍ୟ ସମ୍ପଦ ସଦୃଶ୍ୟ। ଏଥିରେ ଉନ୍ନତ ଭାଷା ପ୍ରବାହ ସହ ବୌଦ୍ଧିକ ଚିନ୍ତନ ମଧ୍ୟ ରହିଛି।

ମନ୍ତ୍ରୀ ଏହାର ଇ-ଭର୍ସନ ଓ କପି ଟେବୁଲ ବୁକ ପାଇ ପବ୍ଲିକେଶନ ଡିଭିଜନକୁ ଅଭିନନ୍ଦନ ଜଣାଇଥିଲେ। ଏହି ଅବସରରେ ରକ୍ଷାମନ୍ତ୍ରୀ ଶ୍ରୀ ରାଜନାଥ ସିଂ କହିଲେ ଯେ, ଭାଷଣ ଦେବା ଏକ କଳା ଏବଂ ଉପରାଷ୍ଟ୍ରପତିଙ୍କ ଚିନ୍ତନରେ ଏହା ପ୍ରତିଫଳିତ। ଗୋଟିଏ ଭଲ ବହି ଗୋଟିଏ ପିଢି ନିମନ୍ତେ ଏକ ମହାନ ଉପହାର ଓ ଏହା ପିଢି ପଟେ ପିଢି ଲୋକଙ୍କୁ ଜାଣିବାର ସୁଯୋଗ ଦେଇଥାଏ।

ରାଜନାଥ ସିଂ ସୂଚନା ଓ ପ୍ରସାରଣ ବିଭାଗକୁ ଏହି ପୁସ୍ତକ ସଂକଳନ ପାଇଁ ଧନ୍ୟବାଦ ଦେବା ସହ ଉପରାଷ୍ଟ୍ରପତିଙ୍କ ଦ୍ଵାରା ଅନୁସ୍ତୃତ 3-ସି ଯଥା କନେକ୍ଟିଙ୍ଗ, କମ୍ୟୁନିକେଟିଙ୍ଗ ଓ ଚେଞ୍ଜିଙ୍ଗ ଏଥିରେ ଯଥାର୍ଥ ପ୍ରତିଫଳିତ ହୋଇଛି ବୋଲି କହିଥିଲେ। ଉପରାଷ୍ଟ୍ରପତି ଶ୍ରୀ ଏମ. ଭେଙ୍କେୟା ନାଇଡୁ ଏହି ଅବସରେ ଉଦ୍ବୋଧନ ଦେଇ କହିଥିଲେ ଯେ, ପ୍ରକାଶନରେ ତାଙ୍କର ବିଭିନ୍ନ ଗନ୍ତବ୍ୟସ୍ଥଳ, ଯାତ୍ରା ଓ ଏହାର ଉପଲବ୍ଧି ସମ୍ପର୍କରେ ବର୍ଣ୍ଣନା କରାଯାଇଛି ।

ଗତ ବର୍ଷକ ମଧ୍ୟରେ ତାଙ୍କର କାର୍ଯ୍ୟସୂଚୀ ଯଥେଷ୍ଟ ଅଧିକ ଥିବା ବେଳେ କରୋନା ଯୋଗୁଁ ଏହା ସାମାନ୍ୟ ହ୍ରାସ ପାଇଛି। ପ୍ରଥମ ପର୍ଯ୍ୟାୟରେ ତାଙ୍କର ପ୍ରାୟ ମାସକୁ ପ୍ରାୟ 20ଟି ଗସ୍ତ କାର୍ଯ୍ୟକ୍ରମ ରହୁଥିବା ବେଳେ ସେ 14ଟି ସମାବର୍ତ୍ତନ ଓ 70ଟି ଅନ୍ୟ କାର୍ଯ୍ୟକ୍ରମରେ ଭାଷଣ ଦେଇଛନ୍ତି । ସେ ସାଧାରଣତଃ ଚାଷୀ, ଯୁବଗୋଷ୍ଠୀ, ବୈଜ୍ଞାନିକ, ପ୍ରଶାସକ, ଶିଳ୍ପଦ୍ୟୋଗୀ, ଚିକିତ୍ସକ ଓ ପ୍ରବାସୀ ଭାରତୀୟଙ୍କ ସହ ମତ ବିନିମୟ କରିଥାନ୍ତି।

ଏଥିରେ ଧନ୍ୟବାଦ ଅର୍ପଣ କରି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସଚିବ ଶ୍ରୀ ଅମିତ ଖାରେ କହିଲେ ଯେ, ଏହି ପୁସ୍ତକ ସମାଜର ସବୁ ବର୍ଗର ଲୋକଙ୍କୁ ପ୍ରଭାବିତ କରିବ। ପ୍ରକାଶନ ବିଭାଗ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ସମସ୍ତ ଭାଷଣ ସଂଗ୍ରହ କରି ଏହା ଭବିଷ୍ୟତ ଉତ୍ତର ପିଢିମାନଙ୍କ ପାଇଁ ଅନଲାଇନ ଓ ଅଫଲାଇନ ଜରିଆରେ ଉପଲବ୍ଧ କରାଇବା ପାଇଁ ନିରନ୍ତର ପ୍ରୟାସ ଜାରି ରଖିଛି। କପି ଟେବୁଲ ବୁକର ପ୍ରକାଶନ ପାଇଁ ଶ୍ରୀ ଖାରେ ପ୍ରକାଶନ ବିଭାଗକୁ ଅଭିନନ୍ଦନ ଜଣାଇଥିଲେ।

ଏହି ପୁସ୍ତକ ଉଭୟ ଅନଲାଇନ ଓ ସିଧାସଳଖ କିଣିବା ପାଇଁ ଉପଲବ୍ଧ ହେବ। ଇ-ପୁସ୍ତକର ମୂଲ୍ୟ 1500 ଟଙ୍କା ରଖାଯାଇଥିବା ବେଳେ ଏହା ପ୍ରକାଶନ ବିଭାଗର ବିକ୍ରୟ କେନ୍ଦ୍ର କିମ୍ବା ଏହାର ଅଧିସ୍ଵୀକୃତ ଦେଶର ବିଭିନ୍ନ ସ୍ଥାନରେ ଥିବା ଏଜେଣ୍ଟ ବା ଅନଲାଇନରେ ଭାରତକୋଷ ପୋର୍ଟାଲ ଏବଂ ପ୍ରକାଶନ ବିଭାଗ ୱେବସାଇଟରେ ଉପଲବ୍ଧ ହେଉଛି। ଏହି ଇ-ବୁକ ଶତକଡା 25 ପ୍ରତିଶତ ରିହାତିରେ ଅଗ୍ରଣୀ ଇ-କମର୍ସ ପ୍ଲାଟଫର୍ମ ଯଥା ଆମାଜନ.ଇନ ଏବଂ ଗୁଗୁଲ ପ୍ଲେ ବୁକ୍ସ ଜରିଆରେ ମିଳିପାରିବ।