Categories
ଆଜିର ଖବର ରାଜ୍ୟ ଖବର

ଓଡିଶାର ପ୍ରଖ୍ୟାତ ପ୍ରତ୍ନତତ୍ବବିତ୍ ବିଜୟ କୁମାର ରଥଙ୍କର କରୋନାରେ ପରଲୋକ

ଭୁବନେଶ୍ବର, ଓଡିଶାର ଜଣେ ପରିଚିତ ପ୍ରତ୍ନତତ୍ବବିତ୍ ଡ. ବିଜୟ କୁମାର ରଥଙ୍କର କରୋନାରେ ପରଲୋକ ଘଟିଛି। ସେ କରୋନାରେ ପିଡିତ ହୋଇ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ। ହେଲେ ଆଜି ସଂଧ୍ୟା 6 ଟା 10 ମିନଟରେ 74 ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି।

ସେ ଓଡିଶାର ପ୍ରତ୍ନତତ୍ବ ବିଭାଗର ଅଧୀକ୍ଷକ ଭାବେ କାର୍ଯ୍ୟ କରୁଥିଲେ। 2007 ମସିହାରେ ଅବସର ପରେ ଓଡିଶାର ପ୍ରତ୍ନତତ୍ବ ଉପରେ ସେ ଗବେଷଣା ଜାରୀ ରଖିଥିଲେ। ତାଙ୍କର ଚାକିରୀ କାଳ ମଧ୍ୟରେ ସେ ଓଡିଶାର ପ୍ରାୟ 9 ଶହ ପ୍ରାଚୀନ ମନ୍ଦିର ଓ ସ୍ଥାପତ୍ୟର ପୁନଃଉଦ୍ଧାର କାର୍ଯ୍ୟ କରିଥିଲେ। ତାହା ଥିଲା ଓଡିଶା ପ୍ରାଚୀନ ଐତିହ୍ୟ ସଂରକ୍ଷଣରେ ଏକ ବଡ ପଦକ୍ଷେପ।

ଜଗନ୍ନାଥ ମନ୍ଦିର, ଗୁଣ୍ଡିଚା ମନ୍ଦିର, କୋଣାର୍କ ମନ୍ଦିର ଏବଂ ଲିଙ୍ଗରାଜ ମନ୍ଦିର ସଂରକ୍ଷଣ କମିଟର ସେ ହେଉଛନ୍ତି ଜଣେ ସଦସ୍ୟ। ଅବସର ପରେ ଭାରତୀୟ ପ୍ରତ୍ନତତ୍ବ ଉପରେ ସେ ବିଭିନ୍ନ ବିଶ୍ବବିଦ୍ୟାଳୟର ଭିଜିଟିଂ ପ୍ରଫେସର ଭାବେ କାର୍ଯ୍ୟ କରୁଥିଲେ। ତାଙ୍କର ପ୍ରତ୍ନତତ୍ବ ଉପରେ ବିଭିନ୍ନ ଗବେଷଣାତ୍ମକ ଲେଖା ଓଡିଆ, ଇଂରାଜୀ, ହିନ୍ଦି ଏବଂ ତେଲୁଗୁ ଭାଷାରେ ପ୍ରକାଶିତ ହୋଇଛି। ତାଙ୍କର ପରଲୋକରେ ଓଡିଶା ସଂସ୍କୃତି ତଥା ଐତିହ୍ୟ ଜଗତରେ ଶୋକର ଛାୟା ଖେଳିଯାଇଛି।