Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତ ନେଇ ବିଜେପି ସଭାପତି ମନମୋହନ ସାମଲ କହିଲେ ଏପରି କଥା

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମାଦି ଆଜି ଅପରାହ୍ନ ୨ଟା ୪୦ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବେ। ସେଠାରୁ ହେଲିକପ୍ଟର ଯୋଗେ ସିଧା ଚଣ୍ଡିଖୋଲର ବେଣାପୁର ସଭାସ୍ଥଳକୁ ଯିବେ। ଅପରାହ୍ନ ୩ଟା ୧୫ରେ ଲୋକାର୍ପଣ ଓ ଶିଳାନ୍ୟାସର ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହାପରେ ୩.୩୦ମିନିଟ୍‌ରେ ପାଖ ପଡିଆରେ ଆୟୋଜିତ “ମୋଦି ଗ୍ୟାରେଂଟି” ବିଶାଳ ସଭାରେ “ବିକଶିତ ଓଡ଼ିଶା-ବିକଶିତ ଭାରତ” ଯୋଦ୍ଧାମାନଙ୍କୁ ସମ୍ବୋଧିତ କରିବେ।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସାମଲ କହିଛନ୍ତି ଯେ, ମୋଦିଜୀ ଚଣ୍ଡିଖୋଲରେ ୧୯ହଜାର ୬ଶହ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚରେ ଏକାଧିକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ। ଓଡିଶାର ପ୍ରାଚୀନ ସଂସ୍କୃତି, ଗାରିମାମୟ ଇତିହାସ, ବୈଭବଶାଳୀ ପରମ୍ପରା, ପ୍ରାଚୁର୍ଯ୍ୟମୟ ଐତିହ୍ୟ ଓ କଳା, ଖାଦ୍ୟପେୟ, ବେଶଭୂଷାକୁ ବିଶ୍ୱଦରବାରରେ ପଂହଚାଇଛନ୍ତି। ମୋଦିଜୀ ୨୦୧୯ ମସିହାରେ ଓଡ଼ିଶାବାସୀଙ୍କୁ କହିଥିଲେ “ ମୁଁ ଆପଣଙ୍କ ଭଲ ପାଇବାକୁ ସୁଧ ସହିତ ଫେରେଇବି”। ବିଗତ ୧୦ବର୍ଷ ଭିତରେ ମୋଦି ସରକାର “ଓଡ଼ିଶାର ବିକାଶ ପାଇଁ ୧୮.୮୩ଲକ୍ଷ କୋଟି ଟଙ୍କା ଦେଲେ ଓ ଓଡିଆଙ୍କୁ ଅଗ୍ରାଧିକାର ଓ ଉପଯୁକ୍ତ ମର୍ଯ୍ୟାଦା ଦେଲେ”।

ଓଡିଆଙ୍କ ପାଇଁ ମୋଦିଜୀଙ୍କ ମର୍ଯ୍ୟାଦାକୁ ୨୦୨୪ ସାଧାରଣ ନିର୍ବାଚନରେ ଓଡିଶାବାସୀ ଲୋକସଭା ଓ ବିଧାନସଭା ଆସନରେ ଆଶୀର୍ବାଦ ଦେଇ ତୃତୀୟଥର ପ୍ରଧାନମନ୍ତ୍ରୀଭାବେ ବିଜୟ ମୁକଟ ପିନ୍ଧାଇ ସ୍ୱାଗତ କରିବେ। ମୋଦି ଯାହା କହନ୍ତି ତାହା କରନ୍ତି, ଏହା ହିଁ ମୋଦି ଗ୍ୟାରେଂଟି ଅଟେ। ଏହାର ପ୍ରତିଫଳନ ଜି-୨୦ ସମ୍ମିଳନୀ ସମୟରେ ଓଡ଼ିଶାର କଳା, ସଂସ୍କୃତି ଓ ଐତିହ୍ୟ କୋଣାର୍କ ଚକ୍ରକୁ ବିଶ୍ୱ ଦରବାରରେ ପୁନଃଉପସ୍ଥାପିତ କରିଥିଲେ ମୋଦି।

ସେହିପରି ମୋଦିଜୀ ଓଡ଼ିଆ ମହିଳାଙ୍କୁ ସର୍ବୋଚ୍ଚ ଆସନରେ ବସାଛନ୍ତି । ମୋଦିଜୀଙ୍କ ଓଡ଼ିଆ ପ୍ରୀତି ଓ ଓଡ଼ିଶାର ବିକାଶ ପାଇଁ ପ୍ରତିବଦ୍ଧତା ପୁଣି ତାଙ୍କୁ ଓଡ଼ିଶାମାଟିକୁ ଟାଣିଆଣିଛି । ଚଣ୍ଡିଖୋଲ ଜନସଭାରେ ମୋଦିଜୀଙ୍କ ଉଦ୍‌ବୋଧନ କାର୍ଯ୍ୟକର୍ତାଙ୍କୁ ନୂତନ ଉର୍ଜ୍ଜା ଯୋଗାଇବ ବୋଲି ଶ୍ରୀ ସାମଲ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ସଜ୍ଜନ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ ।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ, ରାଜ୍ୟ ସରକାରଙ୍କ ବିରୋଧରେ କିଛି କହିବେ ବୋଲି ଆଶା ରଖିଛିନ୍ତି ବିଜେପି ନେତା

ଭୁବନେଶ୍ବର: ଆସନ୍ତାକାଲି ପୁଣି ଥରେ ଓଡିଶା ଆସୁଛନ୍ତି ପ୍ରଧାନମନ୍ତୀ ନରେନ୍ଦ୍ର ମୋଦି। ଗତ ଫେବୃୟାରୀରେ ସେ ସମ୍ବଲପୁର ଆସିଥିଲେ। ସେଠାରେ ସରକାରୀ କାର୍ଯ୍ୟକ୍ରମ ସହିତ ଦଳିୟ କାର୍ଯ୍ୟକ୍ରମ ମଧ୍ୟ ଥିଲା। ହେଲେ ସେତେବେଳେ ସେ ନବୀନ ସରକାରଙ୍କ ବିରୋଧରେ ପଦେ ହେଲେ କିଛି କହି ନ ଥିଲେ। ଯାହାକୁ ନେଇ ଓଡିଶା ରାଜନୀତିରେ ବେଶ ଚର୍ଚ୍ଚା ହୋଇଥିଲା।

ବର୍ତ୍ତମାନ ପୁଣି ଆସନ୍ତାକାଲି 5 ତାରିଖରେ ମୋଦି ଓଡିଶା ଆସୁଛନ୍ତି। ସେ ଚଣ୍ଡିଖୋଲରେ ସେହିପରି ସରକାରୀ କାର୍ଯ୍ୟକ୍ରମ ସହିତ ଦଳିୟ ସଭା ମଧ୍ୟ ରହିଛି। ବର୍ତ୍ତମାନ ନିର୍ବାଚନ ମାତ୍ର ଆଉ କେତେ ସପ୍ତାହ ରହିଥିବାରୁ ଏଥର ମୋଦି ନବୀନ ସରକାରଙ୍କୁ ପଦେ ଶୁଣେଇବେ ବୋଲି ଆଶା କରିଛନ୍ତି ଓଡିଶା ବିଜେପି ନେତା। ହେଲେ ତାହା ସମ୍ଭବ ହେବ କି ନାହିଁ  ଜଣାପଡି ନାହିଁ।

ବର୍ତ୍ତମାନ ପରିସ୍ଥିତିରେ ମୋଦି ଯେତେବେଳେ ଓଡିଶାରେ ନବୀନ ସରକାରଙ୍କୁ ସାଥୀରେ ନେଇ ଯାଉଛନ୍ତି ସେତେବେଳେ ଓଡିଶା ବିଜେପି କର୍ମି କାହିଁକି ଏପରି ଆଶା କରୁଛନ୍ତି ତାହା ପ୍ରଶ୍ନ ସୃଷ୍ଟି କରିଛି। ବିଜେଡି ସବୁବେଳେ କେନ୍ଦ୍ରର ମୋଦି ସରକାରଙ୍କୁ ସହଯୋଗ କରି ଆସିଛି। ସେପରି କ୍ଷେତ୍ରରେ ରାଜ୍ୟ ବିଜେପି ନେତା ଏପରି ଆଶା କରିବା ଭୁଲ ବୋଲି କୁହାଯାଇପାରିବ।

ସେମାନେ ଜାଣି ରଖିବା ଦରକାର ଯେ, ବିଭିନ୍ନ ରାଜ୍ୟରେ ବିଜେପି ଆଞ୍ଚଳିକ ଦଳ ସହିତ ମେଣ୍ଟ କରିବା ଉଦ୍ୟମ ଜାରି ରଖିଛନ୍ତି। ଓଡିଶାରେ ମଧ୍ୟ ବିଜେପି ବିଜେଡି ମେଣ୍ଟ ହେବ ବୋଲି ବେଶ ଚର୍ଚ୍ଚା ଚାଲିଛି। ଓଡିଶା ବିଜେପି ଏ ସବୁ ଜାଣିବା ପରେ ମଧ୍ୟ ନ ଜାଣିବା ପରି ହେଉଛନ୍ତି। କେନ୍ଦ୍ର ବିଜେପି ଜାଣି ସାରିଲାଣି ଯେ, ଓଡିଶାରେ ବିଜେପି କିଛି କରିପାରିବ ନାହିଁ। ସେଥିପାଇଁ ସେମାନେ ଯେତେବେଳେ ନବୀନଙ୍କ ହାତ ଧରି ଚାଲୁଛନ୍ତି, ସେତେବେଳେ ମୋଦି କାହିଁକି ନବୀନଙ୍କ ବିରୋଧରେ କିଛି କହିବେ?

ଏ ସବୁ ସମୀକରଣରୁ ସ୍ପଷ୍ଟ ହୋଇଛି ଯେ ମୋଦି ଯେବେ ବି ଓଡିଶା ଆସିବେ ସେ କେବେ ନବୀନ ସରକାରଙ୍କ ବିରୋଧରେ ପଦେ ହେଲେ ମଧ୍ୟ କହିବେ ନାହିଁ। ଏ ସବୁ ଜାଣିବା ପରେ ତଥାପି ବିଜେପି ନେତା ଚଣ୍ଡିଖୋଲ ସଭାକୁ ଅପେକ୍ଷା କରି ରହିଛନ୍ତି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଆସିଲା ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମର ସୂଚନା, ପ୍ରଶାସନ ସ୍ତରରେ ସମୀକ୍ଷା ବୈଠକ 

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ  ନରେନ୍ଦ୍ର ମୋଦୀଙ୍କର ଆାଗାମୀ ମାର୍ଚ୍ଚ ୫ ତାରିଖରେ ଓଡିଶା ଗସ୍ତ କାର୍ଯ୍ୟକ୍ରମ ରହିଛି । ସେଦିନ ପ୍ରଧାନମନ୍ତ୍ରୀ ତେଲେଙ୍ଗାନା ରାଜ୍ୟରୁ କାର୍ଯ୍ୟକ୍ରମ ସାରି ସ୍ୱତନ୍ତ୍ର ବାୟୁସେନା ବିମାନ ଯୋଗେ ଅପରାହ୍ଣରେ ଭୁବନେଶ୍ୱର ବିମାନ ବନ୍ଦରରେ ଅବତରଣ କରିବେ।

ସେଠାରୁ ସେ ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଯାତ୍ରା କରି ଏକ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ/ଲୋକାର୍ପଣ କରିବା ସହ ପରେ ପରେ ଏକ ସାଧାରଣ ସଭାରେ ଯୋଗଦେବେ। ସେଠାରୁ କାର୍ଯ୍ୟକ୍ରମ ସରିବା ପରେ ସେ ସଂଧ୍ୟାରେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରି ବିମାନ ଯୋଗେ  କୋଲକାତା ଅଭିମୁଖେ ଯାତ୍ରା କରିବେ।

ପ୍ରଧାନମନ୍ତ୍ରୀ ଭୁବନେଶ୍ୱରରେ ପହଞ୍ଚି ଚଣ୍ଡିଖୋଲ ଯିବା ଓ ସେଠାରୁ କାର୍ଯ୍ୟକ୍ରମ ସାରି କୋଲକାତା ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିବା ପର୍ଯ୍ୟନ୍ତ ଆନୁଷଙ୍ଗିକ ପ୍ରଶାସନିକ ପ୍ରସ୍ତୁତି ଓ ସୁରକ୍ଷା ସଂପର୍କିତ ପ୍ରଶାସନିକ ତଦାରଖ ବ୍ୟବସ୍ଥା ସଂପର୍କରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ଆଜି ଲୋକସେବା ଭବନରେ ରାଜ୍ୟ ପ୍ରଶାସନ ତଥା ପୁଲିସ୍ ପ୍ରଶାସନର ବରିଷ୍ଠ ପଦାଧିକାରୀଙ୍କ ସହିତ ସବିଶେଷ ସମୀକ୍ଷା କରିଛନ୍ତି।

ବୈଠକରେ ଭୁବନେଶ୍ୱର ବିମାନ ବନ୍ଦରଠାରେ, ଚଣ୍ଡିଖୋଲ  ହେଲିପ୍ୟାଡ୍ ଏବଂ  କାର୍ଯ୍ୟକ୍ରମ ସ୍ଥଳକୁ  ପ୍ରଧାନମନ୍ତ୍ରୀଙ୍କୁ ପାଛୋଟି ନେବା ଓ ମେଲାଣି ଦେବା ସମୟରେ ସୁରକ୍ଷା ଓ ଆନୁଷଙ୍ଗିକ  ବ୍ୟବସ୍ଥା ସଂପର୍କରେ ଆଲୋଚନା କରାଯାଇଥିଲା।

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ତାଙ୍କର ଜରୁରୀକାଳୀନ ସାମୟିକ ରହଣି ବ୍ୟବସ୍ଥା,  ପ୍ରସ୍ତୁତ ହେବାକୁ ଥିବା ମଞ୍ଚର ସୁରକ୍ଷା ଯାଂଚ, କାରକେଡ୍ ବ୍ୟବସ୍ଥା, ଭିଭିଆଇପି ଯାତ୍ରା ସମୟରେ ବିଭିନ୍ନ ସେବା ପାଇଁ ଆବଶ୍ୟକ ଯାନ ବ୍ୟବସ୍ଥା, ବ୍ୟବହୃତ ହେବାକୁ ଥିବା ହେଲିକପ୍ଟରର  ନିରାପତ୍ତା, ଚିକିତ୍ସା ବ୍ୟବସ୍ଥା ପାଇଁ ଆମ୍ବୁଲାନ୍ସ ପ୍ରସ୍ତୁତି, କାର୍ଯ୍ୟକ୍ରମ ସ୍ଥଳ ନିକଟସ୍ଥ ଡାକ୍ତରଖାନାକୁ  ସ୍ୱତନ୍ତ୍ର ବ୍ୟବସ୍ଥା ସହ ପୂର୍ଣ୍ଣ ପ୍ରସ୍ତୁତି ରଖାଯିବା, ଭିଭିଆଇପିଙ୍କ ଦ୍ୱାରା ବ୍ୟବହୃତ ହେବାକୁ ଥିବା ସଡ଼କର ଆବଶ୍ୟକ ମରାମତି ଓ  ରକ୍ଷଣାବେକ୍ଷଣ, ପରିମଳ ବ୍ୟବସ୍ଥା, କାର୍ଯ୍ୟକ୍ରମ ସ୍ଥଳରେ ନିରବଚ୍ଛିନ୍ନ ବିଦ୍ୟୁତ ସରବରାହକୁ ନିଶ୍ଚିତ କରାଯିବା ସଂପର୍କରେ ବୈଠକରେ ବିଶଦ୍ ଭାବେ ଆଲୋଚନା କରାଯାଇଥିଲା।

କାର୍ଯ୍ୟକ୍ରମ ସ୍ଥଳରେ ଆବଶ୍ୟକ ଜେନେରେଟର ସୁବିଧା ସହ ୨ ଟି ଅତିରିକ୍ତ ଜେନେରେଟରର ସୁବିଧା କରିବା ଓ ପ୍ରତ୍ୟେକ ସ୍ଥାନରେ ଏହାକୁ ପରିଚାଳନା କରିବା ପାଇଁ ୨ ଜଣ ଅପରେଟର ମୁତୟନ  ନିଶ୍ଚିତ କରିବାକୁ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେଇଛନ୍ତି । କାର୍ଯ୍ୟକ୍ରମ ସ୍ଥଳରେ ନିରବଚ୍ଛିନ୍ନ ପାନୀୟ ଜଳ ଯୋଗାଣ, ବେରିକେଡିଂ ବ୍ୟବସ୍ଥା,  ଆବଶ୍ୟକ ପାସ୍ ବ୍ୟବସ୍ଥା, ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ସୂଚନା ସରବରାହ ବ୍ୟବସ୍ଥା, ଅଗ୍ନିଶମ ସେବା ବ୍ୟବସ୍ଥା ଓ କେନ୍ଦ୍ର ସରକାରଙ୍କ ସ୍ୱରାଷ୍ଟ୍ର ବିଭାଗ ଏବଂ  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିୟମାବଳୀ ଅନୁସାରେ କୋଭିଡ୍ ଗାଇଡଲାଇନକୁ ଅନୁପାଳନ କରିବା ସଂପର୍କରେ ବୈଠକରେ ଆଲୋଚନା କରାଯାଇ ତଦନୁସାରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଭାବେ କରାଯିବା ପାଇଁ ରାଜ୍ୟ ଗୃହ ବିଭାଗ ତରଫରୁ ଏକ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକରିବ। ଆୟୋଜନ ତଥା ସୁରକ୍ଷା ଦୃଷ୍ଟିରୁ କାର୍ଯ୍ୟକ୍ରମ ତଥା ହେଲିପ୍ୟାଡ୍ ସ୍ଥଳକୁ ପୁର୍ବରୁ ଭଲଭାବେ ଯାଂଚ ଓ ଅନୁଧ୍ୟାନ କରିବାକୁ ସଂପୃକ୍ତ ପଦାଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଅନୁଷ୍ଠିତ ଏହି  ଉଚ୍ଚସ୍ତରୀୟ  ବୈଠକରେ ଅନ୍ୟମାନଙ୍କ ମଧ୍ୟରେ  ରାଜ୍ୟ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଂଜନ କୁମାର ସିଂ,  ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବୀର ବିକ୍ରମ ଯାଦବ, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ  ବିଶାଳ କୁମାର ଦେବ, ବାଣିଜ୍ୟ ଓ ପରିବହନ ତଥା ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ  ଊଷା ପାଢୀ,  ସୂଚନା ଓ ଲୋକ ସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ, ସ୍ୱାସ୍ଥ୍ୟ ବିଭାଗ କମିଶନର ତଥା ଶାସନ ସଚିବ ଶାଳିନୀ ପଣ୍ଡିତ, ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ଅରୁଣ କୁମାର ଷଡ଼ଙ୍ଗୀ, ଭୁବନେଶ୍ୱର-କଟକ ପୁଲିସ କମିଶନର ଶ୍ରୀ ସଂଜୀବ କୁମାର ପଣ୍ଡା, ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ

ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସମେତ ସଂପୃକ୍ତ ଅନ୍ୟ ବିଭାଗର ସଚିବ ଓ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ। ରାଜ୍ୟ ସ୍ୱରାଷ୍ଟ୍ର ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଡଃ. ସନ୍ତୋଷ ବାଲା ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ଓ ପ୍ରସ୍ତୁତି ସଂପର୍କରେ ବିଶଦ୍ ସୂଚନା ପ୍ରଦାନ କରିଥିଲେ। ଯାଜପୁର ଜିଲ୍ଲାପାଳ ଓ ଯାଜପୁର ଆରକ୍ଷୀ ଅଧିକ୍ଷକଙ୍କ ସମେତ ଜିଲ୍ଲା ପ୍ରଶାସନର ଅନ୍ୟ ବରିଷ୍ଠ ପଦାଧିକାରୀମାନେ ଆଭାସୀ ମାଧ୍ୟମରେ ବୈଠକରେ ଯୋଗଦେଇ ବିଭିନ୍ନ ବ୍ୟବସ୍ଥା ସଂପର୍କରେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

 

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଫେବୃୟାରୀରେ ଦୁଇଥର ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଜ୍ୟ ବିଜେପି ବେଶ ଉତ୍ସାହିତ

ଭୁବନେଶ୍ବର: ଓଡିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିର୍ବାଚନ ପାଖେଇ ଆସୁଥିବାରୁ ରାଜ୍ୟ ବିଜେପି ବେଶ ଉତ୍ସାହିତ। କାରଣ ସାରା ଦେଶରେ ଚାଲିଛି ମୋଦି ଲହର। ସେଥିପାଇଁ ତାଙ୍କୁ ଭରସା କରି ଓଡିଶା ନିର୍ବାଚନ ବୈତରଣୀ ପାର ହେବା ପାଇଁ ଚାହୁଛି ରାଜ୍ୟ ବିଜେପି। ପ୍ରଥମ ଗସ୍ତ ପଶ୍ଚିମ ଓଡିଶା ଥିବାରୁ ସେଠାରେ ବିଜେପି ତରଫରୁ ବ୍ୟାପକ ଆୟୋଜନ କରାଯାଉଛି।

ଫେବୃୟାରୀ ୩ ରେ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଗସ୍ତ

ଆସନ୍ତା ଫେବୃୟାରୀ ୩ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଗସ୍ତରେ ଆସିବେ। ସେଦିନ ସେ ସମ୍ବଲପୁରର ଗସ୍ତ କରି ସେଠାରେ ଥିବା ଆଇଆଇଏମ ର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ବର୍ତ୍ତମାନ ସମ୍ବଲପୁରରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଛିଡା ହେବାର ସମ୍ଭାବନା ଥିବାରୁ ତାଙ୍କ ଶିବିର ବେଶ ଉତ୍ସାହିତ ହୋଇପଡିଛି।

ସେଦିନ ମୋଦି ଭୁବନେଶ୍ବର ନ ଆସି ସିଧା ସମ୍ବଲପୁର ଗସ୍ତ କରିବାର କାର‌୍ୟ୍ୟକ୍ରମ ରହିଛି। ପ୍ରଥମେ ସେ ଆଇଆଇଏମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ଏହାପରେ ସେ ସମ୍ବଲପୁରରେ ଏକ ଦଳୀୟ କାର‌୍ୟ୍ୟକ୍ରମରେ ଯୋଗ ଦେବାର ଜଣାପଡିଛି। ସେଥିପାଇଁ ରାଜ୍ୟ ବିଜେପି ତରଫରୁ ବ୍ୟାପକ ଆୟୋଜନ କରାଯାଉଛି। ବିଶେଷକରି ଧର୍ମେନ୍ଦ୍ର ପ୍ରଧାନ ପୁରା ଦମରେ ଏହି ଗସ୍ତ ସଫଳ କରାଇବା ପାଇଁ ଉଦ୍ୟମ ଜାରୀ ରଖିଛନ୍ତି।

ଫେବୃୟାରୀ ୧୦ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଦ୍ବିତୀୟ ଗସ୍ତ

ପୁଣି ସାତଦିନ ପରେ ଓଡିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଫେବୃୟାରୀ ୧୦ ତାରିଖରେ ଦ୍ବିତୀୟ ଥର ପାଇଁ ଓଡିଶା ଆସିବେ ବୋଲି ଜଣାପଡିଛି। ସେଦିନ ସେ ଭୁବନେଶ୍ବରରେ ଆୟୋଜିତ ଜାତୀୟ ମହିଳା ସମ୍ମିଳନୀରେ ଯୋଗ ଦେବେ ବୋଲି ଜଣାପଡିଛି। ଏହି ମହିଳା ସମ୍ମିଳନୀରେ ପ୍ରାୟ ୧୧ ଟି ରାଜ୍ୟର ପ୍ରତିନିଧୀ ଯୋଗଦେବେ।

ରାଷ୍ଟ୍ରୀୟ ବିଜେପି ଦେଶରେ ଦୁଇଟି ବିରାଟ ମହିଳା ସମ୍ମିଳନୀ କରିବା ପାଇଁ ଯୋଜନା କରିଛି। ଗୋଟିଏ ମଧ୍ୟପ୍ରଦେଶ ଭୋପାଳ କରାଯିବ। ସେହିପରି ଅନ୍ୟଟି ଭୁବନେଶ୍ବରରେ କରିବା ପାଇଁ ନିଷ୍ପତି ହୋଇଛି। ଏହି ଦୁଇଟି ମହିଳା ସମ୍ମିଳନୀରେ ନିଜେ ପ୍ରଧାନମନ୍ତ୍ରୀ ଉପସ୍ଥିତ ରହି କର୍ମମାନଙ୍କୁ ସମ୍ବୋଧିତ କରିବେ। ଓଡିଶା ସମ୍ମିଳନୀ ପାଇଁ ରାଜ୍ୟ ବିଜେପି ତରଫରୁ ମଧ୍ୟ ବେଶ ବଡ ଧରଣର ଆୟୋଜନ କରାଯିବ।

ନିର୍ବାଚନ ଘୋଷଣା ପୂର୍ବରୁ ପ୍ରଧାନମନ୍ତ୍ରୀ ଓଡିଶାକୁ ଦୁଇଥର ଗସ୍ତରେ ଆସୁଥିବାରୁ ରାଜ୍ୟ ବିଜେପି ଭିତରେ ନାହିଁ ନ ଥିବା ଉତ୍ସାହ ପରିଲକ୍ଷିତ ହୋଇଛି। ତେବେ ମୋଦି ଗ୍ୟାରେଣ୍ଟିକୁ ରାଜ୍ୟ ବିଜେପି କେତେଦୂର କାର‌୍ୟ୍ୟରେ ଲଗାଇପାରିବ ସେ ନେଇ ରହିଛି ସନ୍ଦେହ।