Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲା ରାଜ୍ୟ ବିଜେପି 

ଭୁବନେଶ୍ୱର : ବିଶିଷ୍ଟ ରାଜନୈତିଜ୍ଞ, ପ୍ରବାଦ ପୁରୁଷ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀ ଏକ ମହାନ ବ୍ୟକ୍ତିତ୍ୱ ଏବଂ କୋଟି କୋଟି କାର୍ଯ୍ୟକର୍ତାଙ୍କ ପ୍ରେରଣାର ସ୍ରୋତ ଥିଲେ। ୧୯୯୯ ମସିହା ମହାବାତ୍ୟା ପରେ ଓଡିଶାକୁ ପୁଣି ଥରେ ଗଢି ତୋଳିବା ପାଇଁ ସ୍ୱର୍ଗତଃ ବାଜପେୟୀଙ୍କ ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲା ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି।

ପରବର୍ତୀ ସମୟରେ ପାରାଦୀପ ରିଫାଇନାରୀ, ଇଷ୍ଟକୋଷ୍ଟ ରେଲୱେ ଜୋନ୍‌, ଏମ୍ସ ମେଡିକାଲର ପ୍ରତିଷ୍ଠା, ସ୍ୱର୍ଣ୍ଣ ଚର୍ତୁଭୂଜ, ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ଗ୍ରାମାଚଂଳର ଚେହେରା ବଦଳାଇବାରେ ସ୍ୱର୍ଗତଃ ବାଜପେୟୀଙ୍କ ବହୁତ ବଡ ଭୂମିକା ଥିଲା । ଓଡିଶା ବିକାଶରେ ଅଟଳଜୀଙ୍କ ଅବଦାନ ଅତୁଳନୀୟ ବୋଲି ଶ୍ରୀ ମହାନ୍ତି କହିବା ସହ ତାଙ୍କର ସ୍ମୃତି ଚାରଣ କରିଥିଲେ।

ବିଶିଷ୍ଟ ରାଷ୍ଟ୍ରବାଦୀ କବି, ବ୍ୟଙ୍ଗ ଲେଖକ ତଥା କାର୍ଟୁନିଷ୍ଟ ଯୋଗେଶ ଚନ୍ଦ୍ର ଦାସଙ୍କୁ “ଅଟଳ କବିତା ସମ୍ମାନ -୨୦୨୨”ରେ ସମ୍ମାନୀତ କରାଯାଇଛି । ଓଡ଼ିଆ ଭାଷାରେ ୧୯୭୭ ମସିହାରୁ ଆରମ୍ଭ କରି ଆଜିସୁଦ୍ଧା ନିରନ୍ତର କଲମ ଚାଳନା କରି ଆମ ଭାଷା ସାହିତ୍ୟର ଭଣ୍ଡାରକୁ ଶ୍ରୀ ଦାସ ଋଦ୍ଧିମନ୍ତ କରିଛନ୍ତି। ତାଙ୍କ ଦ୍ୱାରା ଲିଖିତ କବିତାମାନଙ୍କର ୨ଟି ସଂକଳନ “ପୃଥିବୀ ତିନୋଟି ସକାଳର” ଏବଂ “ଏକଲା ଏକଲା ପାନିପଥ“ ଓଡ଼ିଆ ପାଠକ ସମାଜରେ ଜାଗରଣ ସୃଷ୍ଟି କରିବାରେ ସକ୍ଷମ ହୋଇପାରିଛି।

ସେହିପରି ବରିଷ୍ଠ ସମାଜସେବୀ, ସଂଗଠକ, ସମବାୟବିତ୍ ଏବଂ ଦୁଃଖୀ ଜନତାଙ୍କ ବନ୍ଧୁ ଶ୍ରୀ ପରମେଶ୍ୱର ଦାସଙ୍କୁ “ଅଟଳ ସମାଜସେବୀ ସମ୍ମାନ -୨୦୨୨” ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ‘ଅଟଳ ସମ୍ମାନ-୨୦୨୨’ କାର୍ଯ୍ୟକ୍ରମରେ ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ରାଜ୍ୟ ସାଧାରଣ ସଂପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର, ବିଜେପି ବାର୍ତା ସଂପାଦକ ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ତଥା ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ୍‌, ବରିଷ୍ଠ ନେତା ମହେଶ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ, ମନୋରଂଜନ ଦ୍ୟାନସାମନ୍ତରାୟ, ଅଶ୍ରୁମୋଚନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ଏହି କାର୍ଯ୍ୟକ୍ରମକୁ ବିଜେପି ସାଂସ୍କୃତିକ ପ୍ରକୋଷ୍ଟ ରାଜ୍ୟ ସଂଯୋଜକ ବିଶିଷ୍ଟ ଗୀତିକାର ପଂଚାନନ ନାୟକ ସଂଚାଳନା କରିଥିଲେ ଏବଂ ଅର୍ଚ୍ଚନା ପଲେଇ, କୃତିବାସ ରଥ, ରଶ୍ମୀରଂଜନ କାନୁନଗୋ, ଗୈାରିଶଂକର ସିଂହ ପ୍ରମୁଖ ସହଯୋଗ କରିଥିଲେ ।