Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଅଧୀନରେ ୨୬ କୋଟି ଆୟୁଷ୍ମାନ କାର୍ଡ ସୃଷ୍ଟି

ନୂଆଦିଲ୍ଲୀ: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ – ଜନ ଆରୋଗ୍ୟ ଯୋଜନା (ଏବି ପିଏମ-ଜେଏୱାଇ) ୧୯ ଅକ୍ଟୋବର ୨୦୨୩ରେ ସମଗ୍ର ଦେଶରେ ୨୬ କୋଟି ଆୟୁଷ୍ମାନ କାର୍ଡର ମାଇଲଖୁଣ୍ଟ ଅତିକ୍ରମ କରିଛି। ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ (ଏନ୍ଏଚ୍ଏ) ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଏହି ଯୋଜନାରେ ୧୨ କୋଟି ହିତାଧିକାରୀ ପରିବାରକୁ ଦ୍ବିତୀୟ ଓ ତୃତୀୟ ସ୍ତରୀୟ ଚିକିତ୍ସା ନିମନ୍ତେ ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ପ୍ରଦାନ କରାଯାଉଛି।

ଆୟୁଷ୍ମାନ ଭାରତ ପିଏମ- ଜେଏୱାଇ ଅଧୀନରେ ଆୟୁଷ୍ମାନ କାର୍ଡ ସୃଷ୍ଟିହେଉଛି ସବୁଠାରୁ ମୌଳିକ କାର୍ଯ୍ୟକଳାପ ଏବଂ ଏହି ଯୋଜନା ଅନ୍ତର୍ଗତପ୍ରତ୍ୟେକ ହିତାଧିକାରୀଙ୍କୁ ଆୟୁଷ୍ମାନ କାର୍ଡ ଥିବା ସୁନିଶ୍ଚିତ କରିବା ପାଇଁନିରନ୍ତର ପ୍ରୟାସ ଜାରି ରହିଛି। ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଯୋଜନାରେପରିପୂର୍ଣ୍ଣତାକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଆୟୁଷ୍ମାନ ଭବ ଅଭିଯାନଅଧୀନରେ ଏହା ଏକ ପ୍ରମୁଖ କାର୍ଯ୍ୟକଳାପ।୧୩ ସେପ୍ଟେମ୍ବର ୨୦୨୩ ରେଅଭିଯାନ ଆରମ୍ଭ ହେବା ପରଠାରୁ, ଏନଏଚଏ ର ଆଇଟି ପ୍ଲାଟଫର୍ମରେ୧.୫ କୋଟିରୁ 1.5 କୋଟିରୁ ଅଧିକ ଆୟୁଷ୍ମାନ କାର୍ଡ ଅନୁରୋଧସଫଳତାର ସହ ଗ୍ରହଣ କରାଯାଇଛି। ଅକ୍ଟୋବର 23 ମାସରେ, ୧୯ଅକ୍ଟୋବର ୨୦୨୩ ପର୍ଯ୍ୟନ୍ତ ୮୬ ଲକ୍ଷ ଆୟୁଷ୍ମାନ କାର୍ଡ ସୃଷ୍ଟିକରାଯାଇଛି।

ଭାରତର ଦୁର୍ଗମ ଅଞ୍ଚଳରେ ପହଞ୍ଚିବା ପାଇଁ ଏନଏଚଏ ଆୟୁଷ୍ମାନ କାର୍ଡ ନିର୍ମାଣ ପାଇଁ ‘ଆୟୁଷ୍ମାନ ଆପ୍’ ଶୁଭାରମ୍ଭ କରିଛି। ଏହି ଆପରେ ସେଲ୍ଫ ଭେରିଫିକେସନର ଏକ ନିଆରା ଫିଚର ରହିଛି। ସରଳ ୪ ଟି ପର୍ଯ୍ୟାୟରେ ଏହି ଫିଚର ଦ୍ୱାରା ୟୁଜର୍ସ କୌଣସି କାର୍ଡ କ୍ରିଏସନ୍ ସେଣ୍ଟରକୁ ନଯାଇ ଆୟୁଷ୍ମାନ କାର୍ଡ ତିଆରି କରିପାରିବେ। ଏହାବ୍ୟତୀତ ଯେ କୌଣସି ବ୍ୟକ୍ତି ଆୟୁଷ୍ମାନ କାର୍ଡ ତିଆରି କରିବାରେ ହିତାଧିକାରୀଙ୍କୁ ସାହାଯ୍ୟ କରିପାରିବେ। ତେଣୁ ଆୟୁଷ୍ମାନ ଆପ୍ ଜନଭାଗିଦାରୀକୁ ସକ୍ଷମ କରିଥାଏ। ୧୩ ସେପ୍ଟେମ୍ବର, ୨୦୨୩ରେ ଏହି ଆପ୍ ଲଞ୍ଚ ହେବା ପରଠାରୁ ଏହି ଆପକୁ ୨୬ ଲକ୍ଷରୁ ଅଧିକ ଥର ଡାଉନଲୋଡ୍ କରାଯାଇଥିବାରୁ ଏହି ଆପ୍ଲିକେସନ୍ ର ସଫଳତାକୁ ଜଣା ଯାଇପାରୁଛି।

ଆଜି ଆୟୁଷ୍ମାନ କାର୍ଡ ସମାନତା, ଅଧିକାର ଏବଂ ସଶକ୍ତୀକରଣର ପ୍ରତୀକ ପାଲଟିଛି। ଏହା ଗରିବ ଓ ବଞ୍ଚିତ ପରିବାରକୁ ଆଶ୍ୱାସନା ଦେଇଥାଏ ଯେ ସେମାନେ ରୋଗର ଏହି ଜଟିଳ ପରିସ୍ଥିତିରେ ଏବଂ ଏହାର ଚିକିତ୍ସା ପାଇଁ ହୋଇଥିବା ବିପର୍ଯ୍ୟୟଜନକ ଖର୍ଚ୍ଚର ପ୍ରଭାବରୁ ରକ୍ଷା ପାଇବେ। ଏହି ତଥ୍ୟକୁ ଦୃଷ୍ଟିରେ ରଖି ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ଯେପରି ଆୟୁଷ୍ମାନ କାର୍ଡ ରହିବ ସେଥିପାଇଁ ସରକାର ସମସ୍ତ ପ୍ରକାର ପ୍ରୟାସ କରୁଛନ୍ତି।

୪ କୋଟି ଆୟୁଷ୍ମାନ କାର୍ଡ ସହ ଉତ୍ତରପ୍ରଦେଶ ସର୍ବାଧିକ ଆୟୁଷ୍ମାନ କାର୍ଡ ଥିବା ରାଜ୍ୟ ତାଲିକାର ଶୀର୍ଷରେ ରହିଛି । ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ ଯଥାକ୍ରମେ ୩.୬୯ କୋଟି ଏବଂ ୨.୦୪ କୋଟି ଆୟୁଷ୍ମାନ କାର୍ଡ ସହ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ଅଛନ୍ତି। ଏହା ବ୍ୟତୀତ ୪୯ ପ୍ରତିଶତ ଆୟୁଷ୍ମାନ କାର୍ଡ ମହିଳା ହିତାଧିକାରୀଙ୍କ ପାଖରେ ରହିବା ଅତ୍ୟନ୍ତ ସନ୍ତୋଷର ବିଷୟ।

ଆୟୁଷ୍ମାନ ଭାରତ ପିଏମ-ଜେଏୱାଇ ୭୦,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୫.୭ କୋଟି ଲୋକଙ୍କର ଡାକ୍ତରଖାନାରେ ସଫଳତାର ସହ ଭର୍ତ୍ତି କରାଇଛି। ଫଳରେ ଗରିବ ଓ ବଞ୍ଚିତ ପରିବାରର ପକେଟ୍ ଖର୍ଚ୍ଚରୁ ୧ ଲକ୍ଷ କୋଟିରୁ ଅଧିକ ଟଙ୍କା ସଞ୍ଚୟ ହୋଇପାରିଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ପାଞ୍ଚ କୋଟି ହସ୍‌ପିଟାଲ ଆଡ୍‌ମିଶନକୁ ଅନୁମୋଦନ

ନୂଆଦିଲ୍ଲୀ: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବି ପିଏମ୍‌ଜେଏୱାଇ) ଏକ ନୂଆ ମାଇଲଖୁଣ୍ଟ ହାସଲ କରିଛି। ଏହି ଯୋଜନାରେ ଦେଶର ପାଞ୍ଚ କୋଟି ଗରିବ ହିତାଧିକାରୀଙ୍କୁ ଦେଶ ଆଗଧାଡିର ହସ୍‌ପିଟାଲରେ ମାଗଣାରେ ୬୧,୫୦୧ କୋଟି ଟଙ୍କାର ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଛି। ଭାରତ ସରକାରଙ୍କ ଏହି ଅତି ଗୁରୁତ୍ୱପୂର୍ଣ୍ଣ ଯୋଜନାଟି ଜାତୀୟ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ବା ଏନ୍‌ଏଚ୍‌ଏ ଦ୍ୱାରା କାର୍ଯ୍ୟକାରୀ ହେଉଛି।

ଏହି ଯୋଜନାରେ ଜାତୀୟ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ପ୍ରତ୍ୟେକ ହିତାଧିକାରୀ ପରିବାରକୁ ବାର୍ଷିକ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ବିନା ମୂଲ୍ୟରେ ଯୋଗାଇ ଦେଇଛନ୍ତି। ପଞ୍ଜୀକୃତ ହୋଇଥିବା ୨୮, ୩୫୧ଟି ଦ୍ୱିତୀୟକ ଓ ତୃତୀୟକ ବର୍ଗର ହସ୍‌ପିଟାଲରେ ଏହି ମାଗଣା ଚିକିତ୍ସା ସୁବିଧା ଯୋଗାଣର ବ୍ୟବସ୍ଥା କରାଯାଇଛି। ହିତାଧିକାରୀ ନିଜର ସ୍ୱାସ୍ଥ୍ୟବୀମା କାର୍ଡ ଦେଖାଇ ଚିକିତ୍ସା ସୁôବିଧା ପାଇବାର ବନ୍ଦୋବସ୍ତ ହୋଇଛି। ଚିକିତ୍ସା  ବାବଦ ଖର୍ଚ୍ଚ ହସ୍‌ପିଟାଲ କର୍ତ୍ତୃପକ୍ଷ ସରକାରଙ୍କ ଠାରୁ ପାଉଛନ୍ତି। ଏହି ଯୋଜନାରେ ଦେଶର ୧୨କୋଟି ଗରିବ ପରିବାର ଅନ୍ତର୍ଭୁକ୍ତ ହୋଇଛନ୍ତି।

ଏହି ଯୋଜନାର ସଫଳତା ସମ୍ପର୍କରେ ସୂଚନା ଦେଇ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ବା ଏନ୍‌ଏଚଏର ମୁଖ୍ୟ କାର୍ଯ୍ୟନିର୍ବାହୀ କହିଛନ୍ତି ଯେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାଟି ସାର୍ବଜନୀନ   ସ୍ୱାସ୍ଥ୍ୟସେବା ଯୋଗାଣ ଲକ୍ଷ୍ୟ ହାସଲ ପାଇଁ ଆରମ୍ଭ କରାଯାଇଥିଲା। ଏହି ଯୋଜନା ଏବେ ପଞ୍ଚମ ବର୍ଷରେ ପହଂଚିଛି। ଏହି ଯୋଜନାରେ କୋଟି କୋଟି ଗରିବ ଓ ଅସହାୟ ଲୋକ ଉପକୃତ ହେଉଛନ୍ତି। ଜଟିଳ ବ୍ୟାଧିର ବ୍ୟୟବହୁଳ ଚିକିତ୍ସା ପାଇଁ ସେମାନଙ୍କୁ ଉନ୍ନତ ହସ୍‌ପିଟାଲରେ ମାଗଣା ସୁବିଧା ମିଳୁଛି। ଏଥିପାଇଁ ହିତାଧିକାରୀଙ୍କୁ ନିଜ ପକେଟରୁ  ପଇସାଟିଏ ଖର୍ଚ୍ଚ କରିବାକୁ ପଡୁନାହିଁ। ଏହି ଯୋଜନାର ନିରନ୍ତର କାର୍ଯ୍ୟକାରିତା ଫଳରେ ଚଳିତବର୍ଷ ଏକାଧିକ ସଫଳତା ମିଳିଛି। ଯୋଜନାର ହିତାଧିକାରୀଙ୍କୁ ୯.୨୮ କୋଟି କାର୍ଡ ପ୍ରଦାନ କରାଯାଇଛି। ସେମାନଙ୍କୁ ଏ ବାବଦ ମଞ୍ଜୁର ଅର୍ଥର ଶତ ପ୍ରତିଶତ ବିନିଯୋଗ କରିବାକୁ ଅନୁମତି ମିଳିଛି।

ସେହିଭଳି ୨୦୨୨-୨୩ ବର୍ଷରେ ଯୋଜନାର ହିତାଧିକାରୀଙ୍କୁ ମଧ୍ୟରୁ ୧. ୬୫ କୋଟିଙ୍କୁ ହସ୍‌ପିଟାଲରେ ଭର୍ତ୍ତି ହେବା (ହସ୍‌ପିଟାଲ ଆଡମିଶନ) ସଂକ୍ରାନ୍ତ ଅନୁମୋଦନ ଦିଆଯାଇଛି। ଏହା ଫଳରେ ସେମାନଙ୍କ ଚିକିତ୍ସା ବାବଦ ଖର୍ଚ୍ଚ ସମ୍ପୃକ୍ତ ହସ୍‌ପିଟାଲ ସବୁକୁ ମିଳିବ। ମୋଟାମୋଟି ଭାବେ ୨୦୨୨-୨୩ ବର୍ଷଟି ଆୟୁଷ୍ମାନ ଭାରତ ଯୋଜନା ପାଇଁ ଅତ୍ୟନ୍ତ ସଫଳତାର ବର୍ଷ।

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଦେଶର ୩୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ  କାର୍ଯ୍ୟକାରୀ ହେଉଛି। ତେବେ ଓଡିଶା, ପଶ୍ଚିମବଙ୍ଗ ଓ ଦିଲ୍ଲୀ ସରକାର ଏହି ଯୋଜନାକୁ  କାର୍ଯ୍ୟକାରୀ କରୁନାହାନ୍ତି। ଏଯାବତ୍ ଏହି ଯୋଜନାରେ ୨୩. ୩୯କୋଟି ହିତାଧିକାରୀଙ୍କ ଯୋଗ୍ୟତା ଓ ବୈଧତାକୁ ପରଖି କର୍ତ୍ତୃପକ୍ଷ ସେମାନଙ୍କୁ ଆୟୁଷ୍ମାନ କାର୍ଡ ପ୍ରଦାନ କରିଛନ୍ତି। ଏହି ବୀମା କାର୍ଡ ଦେଖାଇ ସେମାନେ ପଞ୍ଜୀକୃତ ହସ୍‌ପିଟାଲରେ ମାଗଣରେ ବାର୍ଷିକ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ପାଇବେ। ଏହି ଯୋଜନାରେ ହିତାଧିକାରୀଙ୍କୁ କୋ-ବ୍ରାଣ୍ଡେଡ୍ ପିଭିସି ଆୟୁଷ୍ମାନ କାର୍ଡ ପ୍ରଦାନ କରାଯାଇଛି।

ଆୟୁଷ୍କାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ଦେଶର ୨୮, ୩୫୧ହସ୍‌ପିଟାଲ ପଞ୍ଜୀକୃତ ହୋଇଛି। ସେଥିରେ ୧୨,୮୨୪ ଘରୋଇ ହସ୍‌ପିଟାଲ ଅନ୍ତର୍ଭୁକ୍ତ। ୨୦୨୨-୨୩ବର୍ଷରେ ପ୍ରାୟ ୫୬% ରୋଗୀଙ୍କ ଆଡମିଶନ ଘରୋଇ ହସ୍‌ପିଟାଲ ହୋଇଥିବାବେଳେ ୪୪%ଙ୍କ ଚିକିତ୍ସା ସରକାରୀ ହସ୍‌ପିଟାଲରେ ହୋଇଛି।

ଆୟୁଷ୍ମାନ ଭାରତ ହିତାଧିକାରୀଙ୍କୁ ୨୭ପ୍ରକାର ରୋଗରେ  ମୋଟ ୧୯୪୯ ପଦ୍ଧତିରେ ଚିକିତ୍ସା ସୁବିଧା ମିଳୁଛି। ତୃତୀୟକ ଚିକିତ୍ସା ଓ ଯତ୍ନ ବର୍ଗରେ ହିତାଧିକାରୀଙ୍କୁ କ୍ୟାନସର, ଜରୁରୀ ଚିକିତ୍ସା ଓ ଯତ୍ନ, ଅସ୍ଥିଶଲ୍ୟ, ମୂତ୍ରରୋଗ ଓ ବୃକକ୍ ସଂକ୍ରାନ୍ତ ବ୍ୟାଧିର ଚିକିତ୍ସା ସେବା ମାଗଣାରେ ମିଳୁଛି। ଆହୁରି ମଧ୍ୟ ଏହି ଯୋଜନାରେ ଲିଙ୍ଗଗତ ସମାନତା ରକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି। ଏବେ ଆୟୁଷ୍ମାନ କାର୍ଡଧାରୀଙ୍କ ମଧ୍ୟରେ ୪୯ ପ୍ରତିଶତ ମହିଳା। ସେହିଭଳି ହସ୍‌ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହେବାରେ ମହିଳାଙ୍କ ସଂଖ୍ୟା ୪୮%। ମହିଳାଙ୍କ ପାଇଁ ଏହି ଯୋଜନାରେ ୧୪୧ପ୍ରକାର ଚିକିତ୍ସା ସୁବିଧା ଉପଲବ୍ଧ  ହେଉଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶାରେ ଆୟୁଷ୍ମାନ ଭାରତ ଲାଗୁ ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଭେଟିଲେ ବିଜେପି ସାଂସଦଗଣ

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ରାଜ୍ୟ ବିଜେପିର ଏକ ସାଂସଦ ପ୍ରତିନିଧି ମଣ୍ଡଳୀ ଗୁରୁବାର ନୂଆଦିଲ୍ଲୀରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା. ମନସୁଖ ମାଣ୍ଡଭୀୟଙ୍କୁ ଭେଟି ଓଡ଼ିଶାରେ ଆୟୁଷ୍ମାନ ଭାରତ – ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା(ଏବି-ପିଏମଜେଏଓ୍ୱାଇ) ଲାଗୁ କରିବା ପାଇଁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେବାକୁ ଅନୁରୋଧ କରିଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଏ ସମ୍ପର୍କୀତ ଏକ ପତ୍ର ପ୍ରଦାନ କରିବା ସହ ଆବଶ୍ୟକ ସ୍ୱାସ୍ଥ୍ୟସେବା ଚାହୁଁଥିବା ୪.୫ କୋଟି ଓଡ଼ିଆଙ୍କ ସମେତ ବାହାରେ କାମ କରୁଥିବା ୧ କୋଟି ପ୍ରବାସୀ ଓଡ଼ିଆ ଲୋକଙ୍କ ବୃହତ ହିତ ଦୃଷ୍ଟିରୁ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବା ପାଇଁ ସାଂସଦଗଣ ଦାବୀ କରିଛନ୍ତି । ଏହି ପ୍ରତିନିଧି ମଣ୍ଡଳୀ ମଧ୍ୟରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ରାଷ୍ଟ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ, ସାଂସଦ ଜୁଏଲ ଓରାମ, ପ୍ରତାପ ଷଡଙ୍ଗୀ, ବସନ୍ତ ପଣ୍ଡା, ସୁରେଶ ପୂଜାରୀ, ନିତିଶ ଗଙ୍ଗଦେବ, ଅପରାଜିତା ଷଡଙ୍ଗୀ, ସଙ୍ଗୀତା ସିଙ୍ଗଦେଓ ପ୍ରମୁଖ ଉପସ୍ଥିତ ଥିଲେ ।

ପ୍ରତିନିଧି ମଣ୍ଡଳୀ ପକ୍ଷରୁ ଦିଆଯାଇଥିବା ଦାବୀ ପତ୍ରରେ ଉଲ୍ଲେଖ ରହିଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ୨୦୧୮ ମସିହାରେ ଆରମ୍ଭ ହୋଇଥିବା ଆୟୁଷ୍ମାନ ଭାରତ ଯୋଜନା ଏକ ଐତିହାସିକ ପଦକ୍ଷେପ । ଏହି ଯୋଜନାରେ ପ୍ରତ୍ୟେକ ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଉତ୍ତମ ଚିକିତ୍ସା ସେବାର ଯୋଗାଇ ଦେବାର ବ୍ୟବସ୍ଥା ରହିଛି । ଦେଶର ପ୍ରାୟ ୨୦.୮୭ କୋଟି ପରିବାର ତଥା ୭୫ କୋଟି ହିତାଧିକାରୀ ଏହି ସୁବିଧାର ଲାଭ ନେଉଛନ୍ତି ।

ଦେଶରେ ପ୍ରାୟ ୨୬,୨୬୭ ତାଲିକାଭୂକ୍ତ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ (ଇଏଚସିପି)ର ନେଟଓ୍ୱାର୍କ ମାଧ୍ୟମରେ ୪୮,୯୩୪ କୋଟି ଟଙ୍କା ମୂଲ୍ୟର ସ୍ୱାସ୍ଥ୍ୟସେବା ପ୍ରଦାନ କରାଯାଇଛି, ଯାହା ଏହି ଯୋଜନାର ସଫଳ କାର୍ଯ୍ୟକାରିତାକୁ ଦର୍ଶାଉଛି ।

ଲୋକଙ୍କ କଲ୍ୟାଣ ପାଇଁ ଦେଶର ପ୍ରାୟ ସମସ୍ତ ରାଜ୍ୟ ଗୁଡ଼ିକ ରାଜନୀତିରୁ ଉର୍ଦ୍ଧ୍ୱରେ ରହି କେନ୍ଦ୍ର ସରକାରଙ୍କ ଏହି ସ୍ୱାସ୍ଥ୍ୟ ଯୋଜନାକୁ କାର୍ଯ୍ୟକାରୀ କରୁଥିବା ବେଳେ ଓଡ଼ିଶା ଭଳି ଅଳ୍ପ କିଛି ରାଜ୍ୟ ସର୍ବଭାରତୀୟ ସ୍ୱାସ୍ଥ୍ୟ ଯୋଜନାର ଲାଭରୁ ନାଗରିକଙ୍କୁ ବଞ୍ଚିତ କରୁଛନ୍ତି । ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ ନ ହେବା କାରଣରୁ ସ୍ୱାସ୍ଥ୍ୟକ୍ଷେତ୍ରରେ ଓଡ଼ିଶାରେ ସ୍ଥିତି ବିପର୍ଯ୍ୟସ୍ତ ଆଡକୁ ଗତି କରୁଛି, ଯାହା ରାଜ୍ୟ ଏବଂ ରାଜ୍ୟ ବାହାରେ ବସବାସ କରୁଥିବା ଓଡିଆ ଲୋକଙ୍କ ପାଇଁ ଏକ ଅଭିଶାପ ସାବ୍ୟସ୍ତ ହୋଇଛି ।

୨୦୧୯-୨୦ ଆର୍ଥିକ ବର୍ଷରେ ସାମଗ୍ରିକ ସ୍ୱାସ୍ଥ୍ୟାବସ୍ଥା ପ୍ରଦର୍ଶନ ତୁଳନାରେ ୧୯ଟି ପ୍ରମୁଖ ରାଜ୍ୟ ମଧ୍ୟରେ ଓଡ଼ିଶାର ସ୍ଥାନ ୧୪ତମ ସ୍ଥାନରେ ଥିଲା, ଯାହା ପଡୋଶୀ ଝାଡଖଣ୍ଡ ଏବଂ ଛତିଶଗଡ ରାଜ୍ୟ ଠାରୁ ମଧ୍ୟ କମ୍ । ୨୦୧୪ ପର ଠାରୁ ନବଜାତ ମୃତ୍ୟୁହାର, ୫ ବର୍ଷରୁ କମ୍ ମୃତ୍ୟୁ ହାର, ଶିଶୁ, କିଶୋର,ମହିଳାଙ୍କ ମଧ୍ୟରେ ରକ୍ତହୀନତାରେ ଓଡ଼ିଶାର ପ୍ରଦର୍ଶନ ନୈରାଶଜନକ ।

ଏହାବ୍ୟତିତ ଓଡ଼ିଶାରେ ମେଡିକାଲ ପାଇଁ ଉଯୁପକ୍ତ ସମ୍ବଳ ନଥିବାରୁ ରାଜ୍ୟରେ ସାର୍ବଜନୀନ ସ୍ୱାସ୍ଥ୍ୟାବସ୍ଥା ନାହିଁ । ଗାଁରେ ଦୁର୍ବଳ ସ୍ୱାସ୍ଥ୍ୟସେବା ଭିତ୍ତିଭୂମି, ମେଡିକାଲ ଏବଂ ପାରାମେଡିକ କର୍ମଚାରୀଙ୍କ ମଧ୍ୟରେ ଦୂରତା ସ୍ୱାସ୍ଥ୍ୟସେବା ପ୍ରଦାନ କରିବାର ଏକ ପ୍ରମୁଖ ଆହ୍ୱାନ । ଗ୍ରାମୀଣ ସ୍ୱାସ୍ଥ୍ୟ ପରିସଂଖ୍ୟାନ ୨୦୨୧ ଅନୁସାରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ପଦବୀ ୩୧ ପ୍ରତିଶତ ଖାଲି ପଡିଛି ।

ରାଜ୍ୟରେ ଚିକିତ୍ସା କର୍ମଚାରୀ ଏବଂ ପ୍ରଶାସନିକ ପଦବୀରେ କାର୍ଯ୍ୟରତ ଲୋକଙ୍କ ସଂଖ୍ୟା ମଧ୍ୟ ବହୁତ କମ୍ ଅଛି । ଦେଶରେ ମୁଣ୍ଡ ପିଛା ଡାକ୍ତର ଏବଂ ହସ୍ପିଟାଲ ମଧ୍ୟ ଓଡ଼ିଶାରେ ବହୁତ କମ୍ ରହିଛି । ରାଜ୍ୟ ସରକାରଙ୍କ ନିଜସ୍ୱ ସ୍ୱାସ୍ଥ୍ୟ ଯୋଜନାରେ ସ୍ୱାସ୍ଥାସେବା ମିଳିବା ଅଳ୍ପ କିଛିରେ ସୀମିତ ଅଛି । ରାଜ୍ୟ ସ୍ୱାସ୍ଥ୍ୟ ବୀମା ଯୋଜନା ଥିବା ସତ୍ତ୍ୱେ ମଧ୍ୟ ବେସରକାରୀ ହସ୍ପିଟାଲରେ ଭର୍ତ୍ତି ହେବା ପାଇଁ ହିତାଧିକାରୀମାନେ ଅନିଚ୍ଛା ପ୍ରକାଶ କରୁଛନ୍ତି ।

ରାଜ୍ୟରେ ଥିବା ଚିକିତ୍ସା ସୁବିଧା ଓଡ଼ିଶାର ସାଢେ ଚାରି କୋଟି ଲୋକଙ୍କ ଆବଶ୍ୟକତାକୁ ପୂରଣ କରିବାରେ ଅସମର୍ଥ । କଟକରେ ସରକାରୀ ଏମସିଏଚ୍ ସହ ଭୁବନେଶ୍ୱର ଓ କଟକ ଟ୍ୱିନ ସିଟିରେ ଥିବା କିଛି ହସ୍ପିଟାଲ ବ୍ୟତିତ ଅଧିକାଂଶ ଓଡ଼ିଆ ଲୋକମାନେ ଉତ୍ତମ ସ୍ୱାସ୍ଥ୍ୟସେବା ପାଇଁ କୋଲକାତା, ଭେଲ୍ଲୋର, ମୁମ୍ବାଇ, ଭାଇଜାଗ ଓ ଦିଲ୍ଲୀ ଯାଉଛନ୍ତି ।

ସେହିପରି ଓଡ଼ିଶାରୁ ୩୩.୪୫ ପ୍ରତିଶତ ପରିବାର କାମ ଅନ୍ୱେଷଣରେ ବାହାର ରାଜ୍ୟକୁ ଯାଉଛନ୍ତି । ଓଡ଼ିଶାର ପ୍ରାୟ ୧ କୋଟି ଲୋକମାନେ ଜୀବନଜୀବିକା ପାଇଁ ବାହାରେ କାମ କରୁଥିବା ଆକଳନ କରାଯାଇଛି । ଏହି ପ୍ରବାସୀ ଓଡ଼ିଆ ଲୋକମାନେ ନିଜ ଆୟର ୩୩ ପ୍ରତିଶତ ଖର୍ଚ୍ଚ ନିଜ ପରିବାରର ଚିକିତ୍ସା ପାଇଁ ଖର୍ଚ୍ଚ କରନ୍ତି । ଆୟୁଷ୍ମାନ ଭାରତ ଯୋଜନା କ୍ରିୟାନ୍ୱୟନ ନ ହେବା କାରଣରୁ ଅଧିକାଂଶ ପ୍ରବାସୀ ଓଡ଼ିଆ ଲୋକମାନେ ସ୍ୱାସ୍ଥ୍ୟବୀମାର ଲାଭ ନେବାରୁ ବଞ୍ଚିତ ହେଉଛନ୍ତି ।

ସମସ୍ତଙ୍କୁ ସେବା ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ଭାରତ ସରକାର ନିକଟରେ ଘୋଷଣା କରିଛନ୍ତି ଯେ, ରାଜ୍ୟ ସରକାରଙ୍କ ନିଜସ୍ୱ ସ୍ୱାସ୍ଥ୍ୟବୀମା ଯୋଜନା ସମେତ ଆୟୁଷ୍ମାନ ଭାରତ ଯୋଜନା ମଧ୍ୟ ଲାଗୁ କରିପାରିବେ । ଆୟୁଷ୍ମାନ ଭାରତର ସଂଶୋଧିତ ବ୍ୟବସ୍ଥା ଅନୁସାରେ ହିତାଧିକାରୀମାନେ ଆୟୁଷ୍ମାନ ଭାରତର କାର୍ଡକୁ ଆୟୁଷ୍ମାନ ଭାରତ ଏବଂ ରାଜ୍ୟ ଯୋଜନାରେ ବି ବ୍ୟବହାର କରିପାରିବେ । କାର୍ଯ୍ୟକାରୀ ଯୋଜନା ଅନ୍ତର୍ଗତ ଯଦି ରାଜ୍ୟ ସରକାରମାନେ ୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ସୁବିଧା ପ୍ରଦାନ କରିବା ପାଇଁ ଚାହାନ୍ତି ତେବେ କେନ୍ଦ୍ର ସରକାର ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହଯୋଗ ପ୍ରଦାନ କରିବେ । ଯଦି ୨୦୧୧ ସାମାଜିକ, ଆର୍ଥିକ ଓ ଜାତିଭିତିକ ଗଣନା ବ୍ୟତିତ ଅତିରିକ୍ତ ହିତାଧିକାରୀ ଅଛନ୍ତି, ସେମାନେ ମଧ୍ୟ ଏହି କାର୍ଡର ଉପଯୋଗ କରିପାରିବେ ।

ଭାରତ ସରକାର ସାମାଜିକ, ଆର୍ଥିକ ଓ ଜାତିଭିତ୍ତିକ ଗଣନା ଅନୁସାରେ ଚୟନ ହୋଇଥିବା ହିତାଧିକାରୀଙ୍କୁ ପ୍ରଦାନ କରାଯିବା ପାଇଁ ଥିବା କାର୍ଡ ପାଇଁ ଆର୍ଥିକ ସହାୟତା କେନ୍ଦ୍ର ସରକାର ପ୍ରଦାନ କରିବେ । ଏହାବ୍ୟତିତ ଗଣନା ବାହାରେ କେନ୍ଦ୍ର ଦ୍ୱାରା ଯୋଗ୍ୟ ବିବେଚିତ ହୋଇଥିବା ଥିବା ହିତାଧିକାରୀ ମଧ୍ୟ ଏହି ଯୋଜନାର ଲାଭ ପାଇପାରିବେ । ଦେଶର ୨୦ଟି ରାଜ୍ୟରେ ଆୟୁଷ୍ମାନ ଯୋଜନା ସମେତ ରାଜ୍ୟର ନିଜସ୍ୱ ଯୋଜନା ସମାନ୍ତରାଳ ଭାବେ କାର୍ଯ୍ୟକାରୀ ହେଉଛି ।

ଏହା ଦ୍ୱାରା ଏସଇସିସି ପରିଧି ବାହାରେ ଥିବା ଲୋକମାନେ ସ୍ୱାସ୍ଥ୍ୟବୀମାର ଲାଭ ପାଇପାରିବା ସହ ୫ ଲକ୍ଷରୁ ଅଧିକ ଆର୍ଥିକ ସହାୟତା ପାଇଛନ୍ତି । ଏହି ସବୁ ବ୍ୟବସ୍ଥା ସତ୍ତ୍ୱେ ରାଜନୈତିକ ଅଭିସନ୍ଧି କାରଣରୁ ଓଡ଼ିଶା ସରକାର ରାଜ୍ୟରେ ଆୟୁଷ୍ମାନ ଯୋଜନା ଲାଗୁ କରିବା ପାଇଁ ଇଚ୍ଛାପ୍ରକାଶ କରୁନାହାନ୍ତି, ଯାହା ଓଡ଼ିଆ ଲୋକଙ୍କ ପାଇଁ ବଡ ଚିନ୍ତାର ବିଷୟ ବୋଲି ସାଂସଦମାନେ ପତ୍ରରେ ଉଲ୍ଲେଖ କରିଛନ୍ତି ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ କିନ୍ନରମାନେ ପାଇବେ ପୂର୍ଣ୍ଣାଙ୍ଗ ସ୍ୱାସ୍ଥ୍ୟସେବା

ନୂଆଦିଲ୍ଲୀ: ଏକ ଐତିହାସିକ ନିଷ୍ପତ୍ତିକ୍ରମେ କିନ୍ନର ମାନଙ୍କୁ ପୂର୍ଣ୍ଣାଙ୍ଗ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ଆଜି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅଧୀନ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ (ଏନ.ଏଚ୍.ଏ.) ଓ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି ବୁଝାମଣାପତ୍ର ଫଳରେ ଦେଶର ସମସ୍ତ କିନ୍ନରଙ୍କୁ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ପୂର୍ଣ୍ଣାଙ୍ଗ ସ୍ୱାସ୍ଥ୍ୟ ସେବା ସୁବିଧା ମିଳିବ। ଏହି ବୁଝାମଣାପତ୍ରରେ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣର ସିଇଓ ଡକ୍ଟର ଆର୍ ଆର୍ ଶର୍ମା ଏବଂ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ବିଭାଗର ସଚିବ ଆର. ସୁବ୍ରମଣ୍ୟମ୍ , କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ ଏବଂ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରୀ ଡକ୍ଟର ବୀରେନ୍ଦ୍ର କୁମାରଙ୍କ ଉପସ୍ଥିତିରେ ସ୍ୱାକ୍ଷର କରିଛନ୍ତି।

ଏହାକୁ ଏକ ଐତିହାସିକ ଦିବସ ଭାବେ ବର୍ଣ୍ଣନା କରି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ କହିଛନ୍ତି ଯେ ଆଜିର ବୁଝାମଣାପତ୍ର ଦେଶର କିନ୍ନର ସମୁଦାୟଙ୍କୁ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ପୂର୍ଣ୍ଣାଙ୍ଗ ସ୍ୱାସ୍ଥ୍ୟସେବା ଯୋଗାଣରେ ସହାୟକ ହେବ। ଏହା ଦ୍ୱାରା ସେମାନେ ସମାଜରେ ଉପଯୁକ୍ତ ମର୍ଯ୍ୟାଦାଜନକ ସ୍ଥାନ ପାଇପାରିବେ। ଆଜିର ଦିନଟି ମୌଳିକ ସାମାଜିକ ପରିବର୍ତ୍ତନ ପାଇଁ ସରକାରଙ୍କ ନିର୍ଣ୍ଣାୟକ ନିଷ୍ପତ୍ତିର ଏକ ସ୍ମରଣୀୟ ଦିବସ ହୋଇ ରହିବ। ଏହା ମଧ୍ୟ ସମାଜରେ ଏକ ଐତିହାସିକ ପରିବର୍ତ୍ତନ ନିମନ୍ତେ ଆଧାରଶୀଳା ଭାବେ କାର୍ଯ୍ୟ କରିବ। ଏହି ଚୁକ୍ତି ଫଳରେ କିନ୍ନରମାନେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କେବଳ ସମାନ ଅଧିକାର ପାଇବେ ନାହିଁ; ଏହା ମଧ୍ୟ ଏକାଧିକ କ୍ଷେତ୍ରରେ ସଫଳତାର ବାଟ ଦେଖାଇବ।

ଏହି ବୁଝାମଣାପତ୍ର ମାଧ୍ୟମରେ ଦେଶର ସମଗ୍ର କିନ୍ନର ସମୁଦାୟ ସ୍ୱତନ୍ତ୍ର ସ୍ୱାସ୍ଥ୍ୟସେବା ଲାଭ ପାଇ ଉପକୃତ ହେବେ । ସେ ଆହୁରି କହିଛନ୍ତି ଯେ ସରକାର ଓ ସମାଜର ସହଯୋଗରେ ଦୁର୍ଦ୍ଦଶା ଓ ଅସୁବିଧାରେ ଥିବା ସମୁଦାୟ ମର୍ଯ୍ୟାଦାର ସହିତ ଆତ୍ମନିର୍ଭର ହୋଇପାରିବେ। କିନ୍ନରନମାନଙ୍କ ପ୍ରତି ଏକ ଭିନ୍ନ ମନୋଭାବ ସମାଜରେ ରହିଛି ଏବଂ ସେମାନେ ମୁଖ୍ୟଧାରାରୁ ଅଲଗା ହୋଇ ରହିଛନ୍ତି। ଅତଏବ ଏହି ବୁଝାମଣାପତ୍ର ଦ୍ୱାରା ସେମାନେ ପୂର୍ଣ୍ଣାଙ୍ଗ ସ୍ୱାସ୍ଥ୍ୟସେବା ସୁବିଧା ପାଇ ଅନ୍ୟମାନଙ୍କ ସହିତ ସମାନ ଅଧିକାର ଓ ସୁଯୋଗ ଉପଭୋଗ କରିବ ଏବଂ ସାମାଜିକ ପରିବର୍ତ୍ତନ ପାଇଁ ଏହି ଚୁକ୍ତି ଏକ ଆଧାରଶୀଳା ପାଲଟିବ। ଏକ ସମାବେଶୀ ସମାଜ ଗଠନ ଦିଗରେ ଏହା ଏକ ଉଲ୍ଲେଖନୀୟ ପଦକ୍ଷେପ। ଏହି ବୁଝାମଣାପତ୍ର ନୂଆଦିଲ୍ଳୀର ଡକ୍ଟର ଆମ୍ବେଦକର ଇଣ୍ଟର ନ୍ୟାଶନାଲ ସେଣ୍ଟରରେ ସ୍ୱାକ୍ଷରିତ ହେବା ଏକ ବିରଳ ସଂଯୋଗ; କାରଣ ବାବାସାହେବ ଏକ ଶ୍ରେଣୀହୀନ ସମତା ଭିତ୍ତିକ ସମାଜ ଗଠନର ପ୍ରମୁଖ ସମର୍ଥକ ଥିଲେ ବୋଲି ଡଃ ମାଣ୍ଡବୀୟ କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସରକାର ଅନ୍ତ୍ୟୋଦୟ ମାଧ୍ୟମରେ ସୁବିଧା ସୁଯୋଗରୁ ବଂଚିତ ଶେଷତମ ନାଗରିକର କଲ୍ୟାଣ ପାଇଁ ଅଭିପ୍ରେତ ହୋଇ କାର୍ଯ୍ୟ କରୁଛନ୍ତି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଥିଲେ। କିନ୍ନର ସମୁଦାୟଙ୍କୁ ସମସ୍ତ ପ୍ରକାର ଅଧିକାର ପ୍ରଦାନ ସହିତ ସେମାନଙ୍କ କଲ୍ୟାଣ ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା ସେ ଉଲ୍ଲେଖ କରିଥିଲେ। ଏହି ସମୁଦାୟ ପାଇଁ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟ ନାନାବିଧ ପଦକ୍ଷେପ ନେଉଥିବାରୁ ସ୍ୱାସ୍ଥ୍ୟମନ୍ତ୍ରୀ ତାହାକୁ ସ୍ୱାଗତ କରି ମନ୍ତ୍ରଣାଳୟକୁ ଅଭିନନ୍ଦନ ଜଣାଇଥିଲେ।

ସେ କହିଥିଲେ ଯେ କିନ୍ନର ସୁରକ୍ଷା ଓ ଅଧିକାର ଆଇନ ୨୦୧୯, ଗରିମା ଗୃହ, ପିଏମ୍ ଦକ୍ଷ ଭଳି ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ଆଦି ସମ୍ପୃକ୍ତ ସମୁଦାୟର କଲ୍ୟାଣ ପାଇଁ ଉଦ୍ଦିଷ୍ଟ। ପ୍ରଧାନମନ୍ତ୍ରୀଙ୍କ ‘ନୂଆ ଭାରତ’ ଲକ୍ଷ୍ୟ ହାସଲରେ ଏକ ସମାବେଶୀ ସମାଜ ଗଠନ ଗୁରୁତ୍ୱ ପାଇଛି। ତାହାକୁ ସାକାର କରିବାକୁ ସମାଜର ସବୁ ବର୍ଗ ସାହାଯ୍ୟ ସହଯୋଗ କରିବାକୁ ସେ ଆହ୍ୱାନ ଜଣାଇଥିଲେ। ସେ କହିଥିଲେ ଯେ ସରକାର ଓ ସମାଜର ମିଳିତ ସହଯୋଗରେ ଦୁର୍ଦ୍ଦଶାଗ୍ରସ୍ତ ଓ ଅସୁବିଧାରେ ଥିବା ସମୁଦାୟ ମର୍ଯ୍ୟାଦାର ସହିତ ଆତ୍ମନିର୍ଭରଶୀଳ ହୋଇପାରିବେ।

ଯେଉଁମାନେ ତୃତୀୟଲିଙ୍ଗ ବା କିନ୍ନର ସାର୍ଟିଫିକେଟ ପାଇଛନ୍ତି ସେମାନେ ଆଜିର ବୁଝାମଣାପତ୍ରର ଲାଭ ସ୍ୱରୂପ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ଲାଭ ପାଇପାରିବେ। କିନ୍ନର ପ୍ରମାଣପତ୍ର ଏଥିପାଇଁ ଉଦ୍ଦିଷ୍ଟ ଜାତୀୟ ପୋର୍ଟାଲରୁ ଉପଲବ୍ଧ ହେଉଛି। ପ୍ରତ୍ୟେକ ସାର୍ଟିଫିକେଟଧାରୀ ଅନ୍ୟାନ୍ୟ ଉଦ୍ଦିଷ୍ଟବର୍ଗଙ୍କ ଭଳି ଉନ୍ନତ ହସ୍ପିଟାଲରେ ପାଂଚଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ପାଇପାରିବେ। ଏହାଛଡା ସେମାନଙ୍କୁ ସେକ୍ସ ରିଆସାଇନମେଣ୍ଟ ସର୍ଜରୀ ପାଇଁ ମଧ୍ୟ ଏହି ଯୋଜନାର ଲାଭ ମିଳିବ। ଏହାଛଡା ସେମାନେ ଅନ୍ୟାନ୍ୟ କେନ୍ଦ୍ର ଓ ରାଜ୍ୟ ପ୍ରାୟୋଜିତ ଯୋଜନାର ଲାଭ ମଧ୍ୟ ଉଠାଇପାରିବେ।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରୀ ଡକ୍ଟର ବୀରେନ୍ଦ୍ର କୁମାର କହିଥିଲେ ଯେ ଦୃଢ ରାଜନୀତିକ ଇଚ୍ଛାଶକ୍ତି ଯୋଗୁଁ ଦେଶରେ ଉଲ୍ଲେଖନୀୟ ପରିବର୍ତ୍ତନ ବିଭିନ୍ନ କ୍ଷେତ୍ରରେ ହୋଇଛି। ତାଙ୍କ ମନ୍ତ୍ରଣାଳୟ ଶିକ୍ଷା, ମର୍ଯ୍ୟାଦାବନ୍ତ ଜୀବନ, ସ୍ୱାସ୍ଥ୍ୟସେବା ସହାୟତା, ଜୀବିକାର୍ଜନ ପାଇଁ ସମସ୍ତଙ୍କୁ ସୁଯୋଗ ପ୍ରଦାନ ଓ ଦକ୍ଷତାବିକାଶ ଏହି ପାଞ୍ଚଟି କ୍ଷେତ୍ରରେ ସମର୍ପିତ ସେବା ଯୋଗାଇ ସମାଜରେ ପରିବର୍ତ୍ତନ ଆଣିବାକୁ କାର୍ଯ୍ୟ କରୁଛି। ଏହା ମାଧ୍ୟମରେ ସମାଜରେ ପରିବର୍ତ୍ତନ ଆଣିବାକୁ ସରାକର ଉତ୍ସର୍ଗୀକୃତ ଭାବେ କାମ କରୁଛନ୍ତି।

ଏସବୁ ପଦକ୍ଷେପ ଦ୍ୱାରା ସାମାଜିକ ଦୃଷ୍ଟିରୁ ଉପେକ୍ଷିତ ଓ ବଞ୍ଚିତତ ବର୍ଗର ଲୋକମାନେ ମର୍ଯ୍ୟାଦାର ସହ ବଞ୍ଚିବାର ସୁଯୋଗ ସୁବିଧା ପାଇବେ ବୋଲି ସେ କହିଛନ୍ତି
ଦୁଇ ମନ୍ତ୍ରଣାଳୟର ଅନେକ ବରିଷ୍ଠ ଅଧିକାରୀ ଓ କିନ୍ନର ସମୁଦାୟର ସମସ୍ୟାଗଣ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। (ପିଆଇବି)