Categories
ଧର୍ମ ବିଶେଷ ଖବର ରାଜ୍ୟ ଖବର

ମହାଶିବରାତ୍ରି ପାଇଁ ସଜେଇ ହୋଇଛି ପ୍ରଭୃ ଲିଙ୍ଗରାଜଙ୍କ ମନ୍ଦିର, ରାତି ୧୦ଟାରେ ମହାଦୀପ

ଭୁବନେଶ୍ବର: ଆଜି ହେଉଛି ପବିତ୍ର ମହାଶିବରାତ୍ରି। ଏହି ଉପଲକ୍ଷେ ଆଜି ସମସ୍ତ ଶିବ ମନ୍ଦିରରେ ଭକ୍ତଙ୍କର ଭିଡ ପରିଲକ୍ଷିତ ହୋଇଛି। ସେହିପରି ଓଡିଶାର ପ୍ରସିଦ୍ଧ ଶୈବପିଠ ପ୍ରଭୃ ଲିଙ୍ଗରାଜଙ୍କ ମନ୍ଦିରରେ ମଧ୍ୟ ଭିଡ ପରିଲକ୍ଷିତ ହୋଇଛି। ଭକ୍ତମାନେ ଧାଡିବାନ୍ଧି ମନ୍ଦିରରେ ପ୍ରଭୃଙ୍କ ଦର୍ଶନ କରିବାରେ ଲାଗିଛନ୍ତି।

ତେବେ ଶିବରାତ୍ରିକୁ ଦୃଷ୍ଟିରେ ରଖି ପ୍ରଭୃ ଲିଙ୍ଗରାଜ ମନ୍ଦିରକୁ ବିଭିନ୍ନ ଫୁଲରେ ସଜା ଯାଇଛି। ସେହିପରି ମନ୍ଦିର ବାହାରେ ମଧ୍ୟ ବିଭିନ୍ନ ରଂଗବେରଂଗର ଝୋଟି ଚିତା ଅଙ୍କନ କରାଯାଇଛି। ଫଳରେ ଯେଉଁ ଭକ୍ତ ମନ୍ଦିର ଆସୁଛନ୍ତି ସେମାନଙ୍କ ପାଇଁ ଏହା ବେଶ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି।

ଏଥର ୧୦ଟାରେ ଉଠିବ ମହାଦ୍ବୀପ। ଆଜି ଭୋର ୩ ଟାରୁ ଦିନ ୧୧ ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ କରାଯାଇଥିଲା। ଏହାପରେ ବିଭିନ୍ନ ନୀତିକାନ୍ତି କରାଯାଇଥିଲା। ସେହିପରି ରାତିରେ ମହାଦ୍ବୀପ ଉଠି ସାରିବା ପରେ ଭୋର ୩ ଟା ୪୫ ରେ ହରିହର ଭେଟ କାର୍ଯ୍ୟକ୍ରମ ରହିଛି।

ସେହିପରି ଭକ୍ତମାନେ ଶାନ୍ତି ଶୃଙ୍ଖଳାରେ ପ୍ରଭୃଙ୍କ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ତଥା ପୋଲିସ ପ୍ରଶାସନ ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ସେଠାରେ ୩୨ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ସେହିପରି ଯେଉଁମାନେ ଗାଡି ନେଇ ଆସିବେ ସେମାନଙ୍କ ପାଇଁ ୧୩ଟି ପାର୍କିଂ ସ୍ଥାନ ଚିହ୍ନଟ କରାଯାଇଛି।

Categories
ଧର୍ମ ବିଶେଷ ଖବର

ମଙ୍ଗଳମୟ ଶିବ

  

ଡକ୍ଟର ଫକୀର ମୋହନ ନାହାକ

 

“ବନ୍ଦେ ଦେବମୁମାପତିଂ ସୁରଗୁରୁଂ ବନ୍ଦେ ଜଗତ୍ କାରଣମ୍। ବନ୍ଦେ ପନ୍ନଗଭୂଷଣଂ ମୃଗଧରଂ ବନ୍ଦେ ପଶୁନାଂପତିମ୍।। ବନ୍ଦେ ସୂର୍ଯ୍ୟ ଶଶାଙ୍କ ବହ୍ନି ନୟନଂ ବନ୍ଦେ ମୁକୁନ୍ଦପ୍ରିୟମ୍। ବନ୍ଦେ ଭକ୍ତଜନାଶ୍ରୟଂଚ ବରଦଂ ବନ୍ଦେ ଶିବଂଶଙ୍କରମ୍।।”

ଦେବ ଦେବ ମହାଦେବ ସେ। ମଙ୍ଗଳମୟ ଶିବ। ଶିବ ଶବ୍ଦର ଅର୍ଥ ହିଁ ମଙ୍ଗଳ। ତେଣୁ ଏ ସମଗ୍ର ସଂସାରର ମଙ୍ଗଳକାରୀ ହେଉଛନ୍ତି ମହାଦେବ ଶିବ। ସମସ୍ତ ଦେବତାଙ୍କ ମଧ୍ୟରେ ଶ୍ରେଷ୍ଠ। ତେଣୁ ସେ ମହାଦେବ। ଦେବତା, ଦାନବ, ମାନବ, ଗନ୍ଧର୍ବ, ଯକ୍ଷ, କିନ୍ନର ସମସ୍ତଙ୍କ ସେ ଆରାଧ୍ୟ। ମହାଦେବ ସ୍ୱୟଂ ଆଶୁତୋଷ। ଅଳ୍ପରେ ସନ୍ତୁଷ୍ଟ ହେବା କେହି ତାଙ୍କଠାରୁ ହିଁ ଶିଖେ। ଅଳ୍ପରେ ସନ୍ତୁଷ୍ଟ ବୋଲି, ଯେତେବେଳେ ସମୁଦ୍ର ମନ୍ଥନରୁ ଏତେ ଧନ ରତ୍ନ, ଅମୃତ କଳସ, ଉଚ୍ଚୈଶ୍ରବା ଅଶ୍ୱ, ଐରାବତ ହସ୍ତୀକୁ ଦେବତାମାନେ ନିଜ ନିଜର କରିନେଲେ, ସେତେବେଳେ ମହାଦେବଙ୍କର କୌଣସି ଅଭିଯୋଗ ନଥିଲା। ବରଂ ସଂସାରକୁ ଭସ୍ମୀଭୂତ କରିଦେବା ଭଳି ହଳାହଳ ବିଷକୁ ସେ ନିଜର କରିନେଲେ।

ସଂସାରର ମଙ୍ଗଳ ପାଇଁ ସମଗ୍ର ବିଷକୁ ପାନକରି ସେ ପାଲଟିଗଲେ ଶ୍ୱେତଗଳରୁ ନୀଳକଣ୍ଠ। ହଳାହଳର ଜ୍ୱାଳାକୁ ପ୍ରଶମିତ କରିବା ପାଇଁ ମସ୍ତକରେ ଧାରଣ କଲେ ଗଙ୍ଗା, କଣ୍ଠଦେଶରେ ଭୁଜଙ୍ଗ, ଶରୀରରେ ଭସ୍ମ। ସେ ଯୋଗୀଶ୍ୱର। ତ୍ରିଭୁବନ ତାଙ୍କରି ନିବାସ। ସେ ସର୍ବତ୍ୟାଗୀ ଶଙ୍କର। ତେଣୁ ଶ୍ମଶାନରେ ବି ସୁଖ ନିଦ୍ରାରେ ଶୟନ କରିପାରନ୍ତି ମହାଦେବ।

ସଂସାର କଲ୍ୟାଣ ପାଇଁ ସ୍ୱୟଂ ଦେବାଧିଦେବ ତ୍ରିଲୋଚନ ପାନ କରନ୍ତି ହଳାହଳ। ସେହି ହଳାହଳ ପାନ କରିବା ପରେ ତାକୁ ଯଦି ସେ ନିଜ ଉଦରକୁ ନିଅନ୍ତି, ତାହେଲେ ସମଗ୍ର ଜଳଭାଗ ସପ୍ତସମୁଦ୍ର ବିଷାକ୍ତ ହୋଇଯିବାର ଭୟ ଅଛି। ତାକୁ ଯଦି ସେ ନିଜ ମସ୍ତକକୁ ନିଅନ୍ତି, ତାହେଲେ ସମଗ୍ର ଖଗୋଳମଣ୍ଡଳ ଧ୍ୱଂସ ହେବାର ଆଶଙ୍କା। ତେଣୁ ସେହି ହଳାହଳକୁ ନିଜ କଣ୍ଠରେ ହିଁ ଧାରଣ କରିଛନ୍ତି ମହାଦେବ। କାଳେ ଏହି ବିଷଜନିତ ଜ୍ୱାଳାରେ ଦେବାଧିଦେବଙ୍କ କିଛି ଅନିଷ୍ଟ ଘଟିବ, ସେ ଆଶଙ୍କାରେ ଶିବଗଣଙ୍କଠାରୁ ଆରମ୍ଭ କରି ବ୍ରହ୍ମା, ବିଷ୍ଣୁ, ଇନ୍ଦ୍ର, ବରୁଣ, କୁବେର ଯାଏଁ ସମସ୍ତ ଦେବତା, ଦାନବ, ମାନବ ସଚରାଚର ବ୍ରହ୍ମାଣ୍ଡ ସାରାରାତି ଉଜାଗର ରହି, ଦୀପଜାଳି, ପଞ୍ଚାମୃତରେ ମହାଲିଙ୍ଗକୁ ଅଭିଷେକ କରିଥିଲେ। ଆଉ ସେହି ରାତି ଥିଲା ମହାଶିବରାତ୍ରୀ ।

ଫାଲଗୁନ କୃଷ୍ଣ ଚତୁର୍ଦ୍ଦଶୀ ରାତ୍ରୀରେ ମହାଶିବରାତ୍ରୀ ପାଳନ ପଛରେ ରହିଛି ଆଉ ଏକ ପୌରାଣିକ କାହାଣୀ। ଏକଦା ସ୍ୱୟଂ ସୃଷ୍ଟିକର୍ତ୍ତା ବ୍ରହ୍ମା ଏବଂ ପାଳନକର୍ତ୍ତା ବିଷ୍ଣୁଙ୍କ ମଧ୍ୟରେ ଆଦର୍ଶଗତ ବିବାଦ ସୃଷ୍ଟି ହେଲା। ଉଭୟେ ଉଭୟଙ୍କଠାରୁ ଶ୍ରେଷ୍ଠ ବୋଲି ପ୍ରତିପାଦିତ କରିବାକୁ ଚାହିଁଲେ। ଯାହାଫଳରେ ମୁଣ୍ଡଟେକିଲା ଏକ ବିରାଟ ସଂଘର୍ଷ। ବ୍ରହ୍ମା ପାଶୁପତ ଅସ୍ତ୍ର ଓ ବିଷ୍ଣୁ ମାହେଶ୍ୱର ଅସ୍ତ୍ର ନେଇ ପରସ୍ପର ଉପରେ ପ୍ରହାର କରିବାରେ ଲାଗିଲେ। ଏହି ଦୁଇ ଅମୋଘ ଅସ୍ତ୍ର ପରସ୍ପର ସହିତ ସମ୍ମୁଖୀନ ହେଲେ ସମଗ୍ର ସୃଷ୍ଟି ଧ୍ୱଂସହେବା ସୁନିଶ୍ଚିତ ଥିଲା। ଏଭଳି ସ୍ଥଳେ ଭୀତତ୍ରସ୍ତ ଦେବତାମାନେ ଦୌଡ଼ିଲେ ଦେବ ଦେବ ମହାଦେବଙ୍କ ନିକଟକୁ। ମହାଦେବ ନିଜ ଆଜ୍ଞାନେତ୍ରରେ ଦେଖି ସାରିଥିଲେ ଏହି ସଂଘର୍ଷର ଦୃଶ୍ୟ।

ଦୁଇ ଦେବଙ୍କୁ ଶାନ୍ତ କରିବାର କ୍ଷମତା କେବଳ ମହାଦେବଙ୍କର ଥିଲା। ତେଣୁ ସଙ୍ଗେ ସଙ୍ଗେ ଏକ ବିଶାଳ ସମ୍ଭାକୃତିର ଜ୍ୟୋତିଷ୍ମାନ ମହାଲିଙ୍ଗ ରୂପରେ ଉଭୟ ପାଶୁପତ ଏବଂ ମାହେଶ୍ୱର ଅସ୍ତ୍ରର ମଧ୍ୟ ଭାଗରେ ଆବିର୍ଭାବ ହେଲେ। ସେ ମହାଲିଙ୍ଗର ଜ୍ୟୋତି ସହସ୍ର ସୂର୍ଯ୍ୟଙ୍କ ସମାନ ତେଜୋଦୀପ୍ତ ଥିଲା। ଆଉ ତାର ବ୍ୟାପ୍ତିଥିଲା ଭୂମିରୁ ଭୂମା ଯାଏଁ। ଉଭୟ ପାଶୁପତ ଏବଂ ମାହେଶ୍ୱର ତତକ୍ଷଣାତ୍ ମହାଲିଙ୍ଗରେ ବିଲୀନ ହୋଇ ନିଷ୍କ୍ରିୟ ହୋଇଗଲେ। ସେତେବେଳେ ବିଷ୍ଣୁ ଓ ବ୍ରହ୍ମା ଉଭୟେ ବୁଝିପାରିଲେ ନିଜର ଭୁଲ୍। ଉଭୟେ ମହାଦେବଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କରିବା ସହ କରିଥିଲେ କ୍ଷମାଯାଚନା।

ପିତାମହ ବ୍ରହ୍ମା ମହାଦେବଙ୍କ ଉଦ୍ଦେଶ୍ୟରେ ପ୍ରାର୍ଥନା କରି କହିଲେ, ପ୍ରଭୁ .. ଆପଣଙ୍କ ଏ ଦିଗନ୍ତବିସ୍ତାରୀ ଅକଳ୍ପନୀୟ ପ୍ରତିମାକୁ ଯେତେବେଳେ ଦେବତାମାନେ ଦେଖିବାରେ ଅକ୍ଷମ, ସେତେବେଳେ ଧରାପୃଷ୍ଠରେ ମାନବ କେମିତି ଆପଣଙ୍କ ପୂଜା କରିବାରେ ସକ୍ଷମ ହେବ? ମହାଦେବ ସେହି ମୁହୂର୍ତ୍ତରେ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗରେ ପରିଣତ ହେଲେ। ତାସହ ମଣିଷର ଆରାଧନା ପାଇଁ ପ୍ରକଟିତ ହେଲେ। ସେହି ଦିନଟି ଥିଲା ଫାଲଗୁନ କୃଷ୍ଣ ଚତୁର୍ଦ୍ଦଶୀ ବା ଶିବଚତୁର୍ଦ୍ଦଶୀ- ମହାଶିବରାତ୍ରୀ।

ଈଶାନ ସଂହିତାରେ ବର୍ଣ୍ଣନା ରହିଛି ଯେ, ମହାଶିବରାତ୍ରୀ ଦିନ କୌଣସି ପୂଜାର୍ଚ୍ଚନା ନକରି କେବଳ ମହାଦେବଙ୍କ ଉଦ୍ଦେଶ୍ୟରେ ଉପବାସ ରଖିଲେ, ଦେବାଧିଦେବ ସନ୍ତୁଷ୍ଟ ହୁଅନ୍ତି। ଏହି ଉପବାସ ସମୟରେ ଶିବ ପଞ୍ଚାକ୍ଷର ମନ୍ତ୍ର- ଓଁ ନମଃ ଶିବାୟ ପାଠ କରିବା ଆବଶ୍ୟକ। ମହାଶିବରାତ୍ରୀରେ କୋଟି ସୂର୍ଯ୍ୟସମ ଶିବଙ୍କୁ ଆରାଧନା କଲେ ସମଗ୍ର ଜୀବନର କଷାୟ କଳ୍ମଷ ଦୂରୀଭୂତ ହୁଏ।

“ଫାଲଗୁନ କୃଷ୍ଣ ଚତୁର୍ଦ୍ଦଶ୍ୟାଂ ଆଦିଦେବୋ ମହାନିଶି। ଶିବଲିଙ୍ଗତୟୋଦ୍ଭୂତଃ କୋଟିସୂର୍ଯ୍ୟସମପ୍ରଭଃ।।”

ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ବ୍ୟତିରେକ ସମଗ୍ର ଭାରତୀୟ ଭୂଖଣ୍ଡରେ ଲିଙ୍ଗଶ୍ରେଷ୍ଠ ଲିଙ୍ଗରାଜ ପୂଜିତ ଉତ୍କଳର ଏକାମ୍ର କ୍ଷେତ୍ରରେ। ଗୋଟିଏ ପଟେ ସ୍ୱୟଂ ଶ୍ରୀଜଗନ୍ନାଥ ଏବଂ ଅନ୍ୟପଟେ ମହାଦେବ ଲିଙ୍ଗରାଜ ଭୋଳାନାଥ। ହରିହରଙ୍କ ଏ ଅପୂର୍ବ ଉତ୍କଳୀୟ ଭୂଖଣ୍ଡରେ ସ୍ୱୟଂ ଶ୍ରୀଜଗନ୍ନାଥ ବି ମହାଦେବ ଭୈରବ ରୂପରେ ପୂଜା ପାଇବା ପରମ୍ପରା ସମଗ୍ର ଭାରତବର୍ଷରେ ବିରଳ। ଦେଶର ସମସ୍ତ ଶକ୍ତିପୀଠରେ ଭୈରବ ରୂପରେ ମହାଦେବ ଅଧିଷ୍ଠିତ ହୋଇଥିଲା ବେଳେ, ଶ୍ରୀକ୍ଷେତ୍ରରେ ମାଆ ବିମଳାଙ୍କ ଭୈରବ ସ୍ୱୟଂ ଶ୍ରୀଜଗନ୍ନାଥ।

“ବିମଳା ଭୈରବୀ ଯତ୍ର ଜଗନ୍ନାଥସ୍ତୁ ଭୈରବ।”

ତେଣୁ ଆମେ ସୌଭାଗ୍ୟବାନ୍ ଯେ, ଆମ ମାଟିରେ ଉଭୟ ଶୈବ, ଏବଂ ବୈଷ୍ଣବ ସମସ୍ତଙ୍କ ଆରାଧ୍ୟ ଭାବେ ପୂଜା ପାଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ମହାଦେବ ଲିଙ୍ଗରାଜ। ଏହି ସମନ୍ୱୟର ଭୂଖଣ୍ଡରେ ଶ୍ରୀଗୁଣ୍ଡିଚା ଭଳି ମହାଶିବରାତ୍ରୀ ବି ଅନୁରୂପ ଗୁରୁତ୍ୱ ବହନ କରେ। ତେବେ ଶାସ୍ତ୍ର ଅନୁସାରେ ମହାଶିବରାତ୍ରୀ, ଆମ ଭିତରେ ଥିବା ଅନେକ ଦୁର୍ଗୁଣକୁ ମଙ୍ଗଳମୟ ମହାଦେବଙ୍କ ନିକଟରେ ସମର୍ପଣ କରି ସମସ୍ତ ଦେବୋପମ ସୁଗୁଣକୁ ଧାରଣ କରିବା ଲାଗି ଏକ ପ୍ରକୃଷ୍ଟ ମୁହୂର୍ତ୍ତ।

“ଓଁ ଅମଙ୍ଗଳାନାଂ ଶମନଂ ଶମନଂ ଦୁଷ୍କୃତସ୍ୟ ଚ। ଦୁଃସ୍ୱପ୍ନନାଶନୟ ଧନ୍ୟଂ ପ୍ରପଦ୍ୟୋଅହଂ ଶିବଂ ଶୁଭମ୍।।”

ହେ ଦେବ ଦେବ ମହାଦେବ, ଆମ ଭିତରେ ଥିବା ସମସ୍ତ ଅମଙ୍ଗଳ, ଦୁଷ୍ପ୍ରବୃତ୍ତି, ଦୁଃସ୍ୱପ୍ନ ଚିରକାଳ ପାଇଁ ନାଶ ହେଉ। ଶୁଦ୍ଧ ଆଚରଣ ଏବଂ ଉଚ୍ଚାରଣର ସଂକଳ୍ପ ସହ ଆମ ଜୀବନ ମଙ୍ଗଳମୟ ହେଉ, ଏହା ହିଁ ଆମର ସଂକଳ୍ପ।

( ବିଭାଗୀୟ ମୁଖ୍ୟ, ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍, ଚଣ୍ଡୀଗଡ଼ ୟୁନିଭରସିଟି, ମୋହାଲି, ପଞ୍ଜାବ, ଫୋନ୍- 9937252464 )

Categories
ଧର୍ମ ବିଶେଷ ଖବର

ଆସନ୍ତାକାଲି ମହାଶିବରାତ୍ରୀ, ଜାଣନ୍ତୁ ମହାଦେବଙ୍କୁ କିପରି ପୂଜା କଲେ ସେ ହୁଅନ୍ତି ସନ୍ତୁଷ୍ଠ

ଭୁବନେଶ୍ବର: ମହା ଶିବରାତ୍ରୀ ହେଉଛି ହିନ୍ଦୁ ଧର୍ମର ଏକ ବିଶେଷ ପର୍ବ। ମୁଖ୍ୟତଃ ଶୈବ୍ୟ ଧର୍ମରେ ପ୍ରତ୍ୟେକ ସୋମବାର, ପ୍ରତ୍ୟେକ ଚତୁର୍ଦ୍ଦଶୀ ଭଗବାନ ଶିବଙ୍କ ପାଇଁ। ହେଲେ ଭକ୍ତମାନେ ମହାଶିବରାତ୍ରୀକୁ ସମ୍ପୂର୍ଣ୍ଣ ଅପେକ୍ଷା କରି ରହନ୍ତି।

ଏଥର ମହାଶିବରାତ୍ରୀ ଆସନ୍ତାକାଲି ଅର୍ଥାତ ମାର୍ଚ୍ଚ 1, 2022 ମଙ୍ଗଳବାର ଦିନ ସକାଳ 3.16 ରୁ ଆରମ୍ଭ ହେଉଛି। ଏହି ପବିତ୍ର ଦିନରେ ରୁଦ୍ରାବଭିଷେକ କଲେ ସମସ୍ତ ଇଚ୍ଛା ପୂରଣ ହୁଏ ବୋଲି ବିଶ୍ବାସ ରହିଛି। ଭଗବାନ ଶିବ ଯାହା ଯାହା ମାଗନ୍ତି ତାହା ଆନ୍ତରିକତାର ସହିତ ଦିଅନ୍ତି । ଏହା ସହିତ, ଶିବଲିଙ୍ଗ ଉପରେ ବିଶେଷ ଜିନିଷ ପ୍ରଦାନ କଲେ ବିଭିନ୍ନ ପ୍ରକାରର ରୋଗ ଭଲ ହୋଇଥାଏ ବୋଲି ବିଶ୍ବାସ ରହିଛି।

ଆସନ୍ତୁ ଜାଣିବା ମହାଶିବରାତ୍ରୀରେ ଶିବଙ୍କୁ କିପରି ପୂଜା କରାଯାଏ। ଏହି ମହା ଶିବରାତ୍ରୀରେ କ’ଣ କରିବା ଉଚିତ, କଣ କରିବା ଅନୁଚିତ

ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ, ଶିବଲିଙ୍ଗରେ ବେଲପତ୍ର ଚଢାନ୍ତୁ। କେବେବି ତୁଳସୀ ପତ୍ର ଅର୍ପଣ କରାଯିବା ଉଚିତ୍ ନୁହେଁ। ସେହିପରି ଶିବଲିଙ୍ଗରେ ପ୍ୟାକେଟ୍ କ୍ଷୀର ଦିଆଯିବା ଉଚିତ୍ ନୁହେଁ। ଆପଣ କ୍ଷୀର ଖୋଲି କୌଣସି ପାତ୍ରରେ ଭଗବାନଙ୍କୁ ଅର୍ପଣ କରିପାରିବେ। ଭଗବାନ ଶିବଙ୍କୁ କେବଳ ଥଣ୍ଡା କ୍ଷୀର ଅର୍ପଣ କରନ୍ତୁ। ଏହା ସହିତ ଭଗବାନ ଶିବଙ୍କୁ ଭୁଲରେ ସୁଦ୍ଧା ଚମ୍ପା ଫୁଲ ଅର୍ପଣ କରାଯିବା ଉଚିତ୍ ନୁହେଁ।

ସେହିପରି ଭଙ୍ଗା ଚାଉଳ କିମ୍ବା ଛିଣ୍ଡାଯାଇଥିବା କିମ୍ବା ଛିଣ୍ଡା ବେଲ ପତ୍ର ଶିବଲିଙ୍ଗକୁ କେବେବି ଦିଆଯିବା ଉଚିତ୍ ନୁହେଁ। ଶିବଲିଙ୍ଗରେ ସର୍ବଦା ଥଣ୍ଡା ଜିନିଷ ପ୍ରଦାନ କରନ୍ତୁ। ମନେରଖନ୍ତୁ ଯେ ଶିବଲିଙ୍ଗରେ ଗରମ ପାଣି ମଧ୍ୟ କେବେ ଦିଆଯିବା ଉଚିତ୍ ନୁହେଁ। ଭଗବାନ ଶିବଙ୍କୁ ସର୍ବଦା ଥଣ୍ଡା ପାଣି କିମ୍ବା ଥଣ୍ଡା କ୍ଷୀର ପ୍ରଦାନ କରନ୍ତୁ।

କିପରି ଅଭିଷେକ କରିବେ

ଶାସ୍ତ୍ର ଅନୁଯାୟୀ, ଶିବଲିଙ୍ଗ ଉପରେ ପଞ୍ଚାମୃତଙ୍କୁ ପ୍ରଥମେ ଦିଆଯିବା ଉଚିତ। ଏହା ଭଗବାନକୁ ଉତ୍ସର୍ଗ କଲେ ସେ ସନ୍ତୁଷ୍ଟ ହୁଅନ୍ତି । ମହାଶିବରାତ୍ରୀଙ୍କ ଦିନ, ଯିଏ ଚାରି ପ୍ରହର ପୂଜା କରେ, ତା ଉପରେ ମହାଦେବ ସନ୍ତୁଷ୍ଠ ହୋଇଥାନ୍ତି। ପ୍ରଥମ ପ୍ରହର ଭୋଳାନାଥଙ୍କୁ ପାଣିରେ , ଦ୍ୱିତୀୟ ପ୍ରହରରେ ଦହି, ତୃତୀୟ ପ୍ରହରରେ ଘିଅ, ଚତୁର୍ଥ ପ୍ରହରରେ ମହୁ ପ୍ରଦାନ କରାଯାଇଥାଏ। ଯାହାଦ୍ବାରା ଶିବ ସନ୍ତୁଷ୍ଠ ହୋଇଥାନ୍ତି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଆସିଲା ଏକାମ୍ର କ୍ଷେତ୍ର ଯୋଜନା: ଦୁଇ ଲକ୍ଷ ଲୋକ ସମବେତ ହୋଇ ଦେଖିପାରିବେ ଲିଙ୍ଗରାଜଙ୍କ ମହାଶିବରାତ୍ରୀ

ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଆଜି ଏକାମ୍ରକ୍ଷେତ୍ର ଯୋଜନା ସଂପର୍କରେ ଏକ ବିସ୍ତୃତ ଉପସ୍ଥାପନା କରାଯାଇଥିଲା। ଲିଙ୍ଗରାଜ ମନ୍ଦିର ସନ୍ନିକଟ ୬୬ ଏକ ପରିମିତ ଜମି ଉପରେ ଏହି ଯୋଜନା କାର‌୍ୟ୍ୟକାରୀ ହେବାକୁ ଯାଉଛି। ଲିଙ୍ଗରାଜ ମନ୍ଦିର ଚତୁପାର୍ଶ୍ବର ଭବ୍ୟ ବିକାଶ କରାଯାଇ ଏଠାରେ ଏକ ଅଧ୍ୟାତ୍ମିକ, ଶାନ୍ତ ତଥା ଭକ୍ତି ପରିବେଶ ସୃଷ୍ଟି କରାଯାଉଛି। ପୂର୍ବରୁ ୧୦ ରୁ ୧୫ ହଜାର ଲୋକ ମନ୍ଦିର ସମ୍ମୁଖରେ ସମବେତ ହେବାରେ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଏହି ନୂଆ ଯୋଜନା ପରେ ଦୁଇ ଲକ୍ଷରୁ ଅଧିକ ଲୋକ ମନ୍ଦିର ସମ୍ମୁଖରେ ସମବେତ ହୋଇ ମହାପ୍ରଭୁଙ୍କର ଶିବରାତ୍ରୀ ଉତ୍ସବରେ ସାମିଲ ହୋଇ ମହାଦୀପ ଦର୍ଶନର ଆଧ୍ୟାତ୍ମିକ ଅନୁଭବ ଲାଭ କରିପାରିବେ।

ଶିବରାତ୍ରୀ ସହିତ ଅଶୋକାଷ୍ଟମୀ ରଥଯାତ୍ରା ଏବଂ ମହାପ୍ରଭୁଙ୍କର ଅନ୍ୟ ଯାନିଯାତ୍ରା ସମୟରେ ତୀର୍ଥଯାତ୍ରୀ ପରିଚାଳନାରେ ମଧ୍ୟ ଏହା ବିଶେଷ ସହାୟକ ହେବ। ଶ୍ରାବଣ ମାସରେ ଲକ୍ଷ ଲକ୍ଷ ଲୋକ କାଉଡିଆ ଶ୍ରୀ ଲିଙ୍ଗରାଜ ମନ୍ଦିର ଆସିଥାନ୍ତି। ସେମାନେ ଯେପରି ସୁବିଧାରେ ଓ ଶୃଙ୍ଖଳିତ ଭାବରେ ମନ୍ଦିର ଯାଇ ପାଣି ଲାଗି ଓ ପୂଜା କରିପାରିବେ ସେଥିପାଇଁ ଏହି ଯୋଜନାରେ ଦୃଷ୍ଟି ଦିଆଯାଇଛି। ବିନ୍ଦୁସାଗର ସହିତ ରହିଛି ମହାପ୍ରଭୁଙ୍କର ଅନନ୍ୟ ସଂପର୍କ ଏବଂ ଏହା ଶ୍ରୀଲିଙ୍ଗରାଜ ମନ୍ଦିର ପରେ ଏକାମ୍ରକ୍ଷେତ୍ରର ଦ୍ବିତୀୟ ଆକର୍ଷଣ କେନ୍ଦ୍ର। ବିନ୍ଦୁ ବିନ୍ଦୁ ତୀର୍ଥରୁ ସୃଷ୍ଟି ହୋଇଥିବା ଏହି ପବିତ୍ର ପୁଷ୍କରିଣୀ ଏକାମ୍ରକ୍ଷେତ୍ରର ଆଧ୍ୟାତ୍ମିକ ଜୀବନର ଅନନ୍ୟ ଅଙ୍ଗ। ମହାପ୍ରଭୁଙ୍କ ବିଭିନ୍ନ ଯାନିଯାତ୍ରା ସହିତ ଏହାର ମଧ୍ୟ ସଂପର୍କ ରହିଛି ।

ଏକାମ୍ରକ୍ଷେତ୍ର ଯୋଜନାରେ ବିନ୍ଦୁସାଗରୁ ଲିଙ୍ଗରାଜ ମନ୍ଦିର ଓ ରଥଗଡା ଠାରୁ ଚଦନ ଯାତ୍ରା ତୀର୍ଥଯାତ୍ରୀ ମାନେ ସିଧା ଦେଖିପାରିବେ। ଲିଙ୍ଗରାଜ ମନ୍ଦିର ଓ ବିନ୍ଦୁସାଗର ମଧ୍ୟରେ ଥିବା ବିନ୍ଧ୍ୟବାସିନୀ, ଭବାନୀଶଙ୍କର, ଶୁକଶାରୀ ଏବଂ ମୋହିନୀ ଆଦି ମନ୍ଦିର ମଧ୍ୟ ଯାତ୍ରୀମାନେ ଦେଖି ପାରିବେ। ଐତିହାସିକ ଦଲିଲରୁ ଜଣାଯାଏ ଯେ ୩୫୦ ବର୍ଷ ପୂର୍ବେ ଲିଙ୍ଗରାଜ ମନ୍ଦିର ରଥଗଡାଠାରୁ ବିନ୍ଦୁସାଗର ପର‌୍ୟ୍ୟନ୍ତ କେବଳ ମନ୍ଦିର ହିଁ ଥିଲା । ଅନ୍ୟ କୌଣସି ସ୍ଥାୟୀ ନିର୍ମାଣ ନ ଥିଲା। ୩୫୦ ବର୍ଷ ପରେ ଲିଙ୍ଗରାଜ ମନ୍ଦିର ଓ ବିନ୍ଦୁସାଗର ନୂଆ ରୂପ ନେବାକୁ ଯାଉଛି।

ଏକାମ୍ର ଯୋଜନାରେ ପର୍ଯ୍ୟଟକ ଓ ତୀର୍ଥଯାତ୍ରୀ ମାନଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗର ବିକାଶ, Orientation Centre, Parking, Food Plaza, ଭଜନ ମଣ୍ଡପ ସହିତ ଐତିହ୍ୟ ପୁଷ୍କରିଣୀର ପୁନରୁଦ୍ଧାର, କେଦାରଗୌରୀ ପୁଷ୍କରିଣୀର ଜଳନିଷ୍କାସନ ବ୍ୟବସ୍ଥା, ଏକାମ୍ରବାସୀଙ୍କର ସୁବିଧା, ପରିବହନ ବ୍ୟବସ୍ଥା, ଜଳ ନଷ୍କାସନ, ବର୍ଜ୍ୟବସ୍ତୁ ନିଷ୍କାସନ ଆଦି ବିଭିନ୍ନ ବିଷୟ ଉପରେ ଧ୍ୟାନ ଦିଆଯାଇ ପ୍ରସ୍ତୁତ କରାଯାଇଛି।

ଅନନ୍ୟ କାରୁକାର‌୍ୟ୍ୟ ସୁଶୋଭିତ ମନ୍ଦିର, ଐତିହ୍ୟ ନଗରୀ ଭୁବନେଶ୍ବରର ଗରିମାକୁ ଆହୁରି ବୃଦ୍ଧି କରିବା ସହିତ UNESCOର ବିଶ୍ବ ଐତିହ୍ୟସ୍ଥଳ ତାଲିକାରେ ଭୁବନେଶ୍ବରକୁ ସ୍ଥାନିତ କରିବା ପାଇଁ ଦାବୀକୁ ଅଧିକ ମଜବୁତ କରିବ ବୋଲି ଆଶା କରାଯାଏ। ପୁରୀ ଶ୍ରୀମନ୍ଦିର ଐତିହ୍ୟ ପ୍ରକଳ୍ପ ପରେ ଏକାମ୍ରକ୍ଷେତ୍ର ଯୋଜନା ହେଉଛି ରାଜ୍ୟ ସରକାରଙ୍କର ୫-ଟି କାର୍ଯ୍ୟକ୍ରମ ଅନ୍ତର୍ଗତ ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ।

ଏକାମ୍ରକ୍ଷେତ୍ରର ସାଂସ୍କୃତିକ ଐତିହ୍ୟର ଅନ୍ୟତମ ଆକର୍ଷଣ, ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ମହାଶିବରାତ୍ରୀ, ଅଶୋକାଷ୍ଟମୀ ରଥଯାତ୍ରା ଓ ଶୀତଳ ଷଷ୍ଠୀକୁ National Calender of Festivals ସ୍ଥାନିତ ପାଇଁ ପଦକ୍ଷେପ ନିଆଯିବ। ଏହି କାଯ୍ୟ ଏକ ବର୍ଷ ମଧ୍ୟରେ ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ବୈଠକରେ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଆଲୋଚନାରେ ଅଂଶଗ୍ରହଣ କରି ସୁଚିନ୍ତିତ ମତାମତ ରଖିଥିଲେ। ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ ତ୍ରିପାଠୀ, ଉନ୍ନୟନ କମିଶନର ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସମେତ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ୍ ଆଲୋଚନାକୁ ସଂଯୋଜନା କରିଥଲେ।