ବେଗୁସରାଇ: ବିହାରର ବେଗୁସରାଇ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ ଜଣ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ବିହାରର ବେଗୁସରାଇ ଜିଲ୍ଲାର ସାହେବପୁର କମଲ ଥାନା ଅଞ୍ଚଳ ଅନ୍ତର୍ଗତ NH-31 ର ବଖାଡା ଧଳା ନିକଟରେ ଦୁର୍ଘଟଣା ଘଟିଛି । ତାଲିମ କାର୍ଯ୍ୟକ୍ରମରୁ ଫେରୁଥିବା ବେଳେ ସେମାନଙ୍କ କାର ରାସ୍ତାକଡ଼ରେ ଠିଆ ଥିବା ଏକ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା।
ସୂଚନା ଅନୁଯାୟୀ, ବାଖଦା ଢାଳ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ଧକ୍କା ଏତେ ଭୟାବହ ଥିଲା ଯେ କାରଟି ଟ୍ରକର ପଛ ଭାଗରେ ଫସି ଯାଇଥିଲା ଏବଂ ଗାଡ଼ିଟି ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିଲା।
ଦୁର୍ଘଟଣାରେ ୩ ଜଣ ସବ୍-ଇନ୍ସପେକ୍ଟରଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ଆଉ ଜଣେ ଆହତ ଅବସ୍ଥାରେ ହସ୍ପିଟାଲକୁ ନେବା ପରେ ପ୍ରାଣ ହରାଇଥିଲେ। ଏହା ସହିତ ମୃତକଙ୍କ ସଂଖ୍ୟା ୪ରେ ପହଞ୍ଚିଛି। ମୃତକଙ୍କ ମଧ୍ୟରେ ରତୱାରା ଥାନା ଅଧିକାରୀ ସଜନ କୁମାର ପାସୱାନ, ଆରାର ଥାନା ଅଧିକାରୀ ଜ୍ଞାନେନ୍ଦ୍ର ଅମରେନ୍ଦ୍ର ଏବଂ ବେଲାରୀ ଥାନା ଅଧିକାରୀ ନୀରଜ କୁମାର ଓ ଡ୍ରାଇଭର ଜଣକ ମାଧେପୁରା ଜିଲ୍ଲାର ଉଡାକିଶୁଙ୍ଗଞ୍ଜର ବାସିନ୍ଦା ଥିଲେ ବୋଲି ଜଣାପଡିଛି ।
ଘଟଣାର ସୂଚନା ପାଇବା ପରେ ସ୍ଥାନୀୟ ପୁଲିସ ଓ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଥିଲେ। ମୃତଦେହଗୁଡ଼ିକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଥିବାବେଳେ ଦୁର୍ଘଟଣାର ସଠିକ୍ କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ କରାଯାଇଛି।
ଏହି ଦୁର୍ଘଟଣା ପରେ ପୁଲିସ ବିଭାଗ ଓ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।


