Categories
ଆଜିର ଖବର ରାଜ୍ୟ ଖବର

‘ସରକାରୀ ଯୋଜନା ସମ୍ପର୍କରେ ଜାଣିବା ଉଚିତ’: ଓଡ଼ିଶା ପ୍ରଶାସନିକ ସେବାର ଅଫିସର ଟ୍ରେନିଙ୍କୁ ରାଜ୍ୟପାଳଙ୍କ ପରାମର୍ଶ

ଭୁବନେଶ୍ୱର: ଜନସାଧାରଙ୍କ ଆବଶ୍ୟକତାକୁ ଲକ୍ଷ୍ୟ ରଖି ତଥା ସେମାନଙ୍କର ହିତ ଉଦ୍ଦେଶ୍ୟରେ ସରକାର ବିଭିନ୍ନ ସମୟରେ ବିଭିନ୍ନ ଯୋଜନା ପ୍ରଣୟନ ସହିତ କାର୍ଯ୍ୟକ୍ରମମାନ ଆରମ୍ଭ କରିଥାନ୍ତି। ଏହାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ କିପରି ସାଧିତ ହୋଇପାରିବ ତାହା ସୁନିଶ୍ଚିତ କରିବାର ଦାୟିତ୍ୱ ତୃଣମୂଳସ୍ତରରେ କାର୍ଯ୍ୟ କରୁଥିବା ପ୍ରଶାସନିକ ଅଧିକାରୀମାନଙ୍କର। କିନ୍ତୁ ପ୍ରଶାସନିକ ଅଧିକାରୀଭାବେ ପ୍ରଥମେ ସେହି ଯୋଜନା ଯାହା ସାମାଜିକ ସୁରକ୍ଷା, ଜନକଲ୍ୟାଣ କିମ୍ବା ବିକାଶମୂଳକ ତାହା ସଂପର୍କରେ ଅଧିକ ଜାଣିବା, ବୁଝିବା ଦ୍ୱାରା ତାହାର ସୁଫଳ ସଂପର୍କରେ ସେମାନେ ସଠିକ୍ ଭାବେ ଜନସାଧାରଣଙ୍କୁ ବୁଝାଇବାରେ ସକ୍ଷମ ହୋଇପାରିବେ ବୋଲି ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମ୍‌ପାଟି ଓଡ଼ିଶା ପ୍ରଶାସନିକ ସେବାର ପ୍ରଶିକ୍ଷଣ ଗ୍ରହଣ କରୁଥିବା ଅଫିସର ଟ୍ରେନିମାନଙ୍କୁ ପରାମର୍ଶ ଦେଇଛନ୍ତି।

ଆଜି ରାଜ ଭବନର ନ୍ୟୁ ଅଭିଷେକ ହଲ୍‌ଠାରେ ଓଡ଼ିଶା ରାଜସ୍ୱ ସେବାରୁ ଓଡ଼ିଶା ପ୍ରଶାସନିକ ସେବାକୁ ପଦୋନ୍ନତି ପ୍ରାପ୍ତ ୭୧ ଅଫିସର ଟ୍ରେନି ଓ ପ୍ରତ୍ୟକ୍ଷଭାବେ ନିଯୁକ୍ତ ଓଡ଼ିଶା ପ୍ରଶାସନିକ ସେବା – ୨୦୨୨ ବ୍ୟାଚ୍‌ର ୭୮ ଅଫିସର ଟ୍ରେନି ରାଜ୍ୟପାଳଙ୍କୁ ସାକ୍ଷାତ କରିଥିଲେ। ରାଜ୍ୟପାଳ ପ୍ରଶିକ୍ଷଣ ଗ୍ରହଣ କରୁଥିବା ଅଧିକାରୀମାନଙ୍କୁ ଉଦ୍‌ବୋଧନ ଦେବା ଅବସରରେ ସେମାନଙ୍କୁ ନିଜ ମଧ୍ୟରେ ଶିଖିବାର ପ୍ରବୃତ୍ତିକୁ ଜାରି ରଖି ଜ୍ଞାନର ପରିଧିକୁ ବ୍ୟାପକ କରି ଦୃଢ଼ ଆତ୍ମ ବିଶ୍ୱାସର ସହ ଜନସାଧାରଣଙ୍କୁ ସେବା ପ୍ରଦାନ କରିବାକୁ କହିଥିଲେ।

କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଜୀବନ ସୁରକ୍ଷା ବୀମା ଯୋଜନା, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ପରି ସାମାଜିକ ସୁରକ୍ଷା ଯୋଜନାର ଉପକାରିତା ଓ ଉପଯୋଗିତା, ସୌର ଶକ୍ତିର ବ୍ୟାପକ ବ୍ୟବହାର ନିମନ୍ତେ କାର୍ଯ୍ୟକାରୀ କରାଯାଉଥିବା ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନା ଦ୍ୱାରା ଶକ୍ତି ସଂରକ୍ଷଣ, ଇଲେକ୍ଟ୍ରିକ୍ ଯାନର ବ୍ୟବହାର ନିମନ୍ତେ ସରକାରୀ ପ୍ରୋତ୍ସାହନ ଯାହା ଦ୍ୱାରା ପେଟ୍ରୋଲ ଆଦି ଇନ୍ଧନର ଆମଦାନୀ ରାଶି ହ୍ରାସ କରାଯାଇପାରିବ ଓଏଲ୍ ପାମ୍ ମିଶନ ଦ୍ୱାରା ଖାଇବା ତେଲ ଉତ୍ପାଦନ ବୃଦ୍ଧି ସହିତ ଆତ୍ମ ନିର୍ଭର ହେବା ଉପରେ ଜୋର୍ ଦିଆଯାଇଛି ଓ ଏ ଦିଗରେ ପ୍ରଶାସନିକ ଅଧିକାରୀଭାବେ ନିଜେ ବିଶଦ ଭାବେ ଜାଣିବା ସହିତ ଜନସାଧାରଣ ଯେପରି ଏହାର ସୁଫଳ ପାଇପାରିବେ ସେଥିପାଇଁ ଯତ୍ନଶୀଳ ହେବା ଉଚିତ୍ ବୋଲି ରାଜ୍ୟପାଳ କହିଥିଲେ।

ସେହିପରି ରାଜ୍ୟ ସରକାରଙ୍କ ଯୋଜନା ସଂପର୍କରେ ଜାଣିବା ପାଇଁ ବିଭିନ୍ନ ବିଭାଗର କାର୍ଯ୍ୟଧାରା ସଂପର୍କରେ ଅବଗତ ହେବାକୁ ସେ ଅଧିକାରୀମାନଙ୍କୁ କହିଥିଲେ। ବିଭିନ୍ନ ଅଂଚଳର ବିଶେଷତ୍ୱ, ଅଭିନବ ପ୍ରୟାସ, ଜୀବନ-ଜୀବିକା ସଂପର୍କରେ ସର୍ବଦା ଅପ୍‌ଡେଟ ରହିବା ପାଇଁ ଦୈନିକ ସମ୍ବାଦପତ୍ର, ନ୍ୟୁଜ୍ ଚ୍ୟାନେଲର ବ୍ୟବହାର ସହିତ ପଢ଼ିବାର ଆଗ୍ରହକୁ ଜାଗ୍ରତ ରଖିବା ପାଇଁ ରାଜ୍ୟପାଳ ସେମାନଙ୍କୁ ପରାମର୍ଶ ଦେଇଥିଲେ। ରାଜ୍ୟପାଳ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀ ପକ୍ଷରୁ ଭାରତ ସରକାରଙ୍କ ଦ୍ୱାରା ପ୍ରଣିତ ବିଭିନ୍ନ ଯୋଜନା, କାର୍ଯ୍ୟକ୍ରମ ଓ ସଫଳତା ସହିତ ଆହ୍ୱାନ ସଂପର୍କିତ ଏକ ବୁକ୍‌ଲେଟ୍ ପ୍ରକାଶନ କରି ତାହା ପ୍ରଶିକ୍ଷଣ ଗ୍ରହଣ କରୁଥିବା ପ୍ରଶାସନିକ ଅଧିକାରୀଙ୍କୁ ଉପଲବ୍ଧ କରିବାକୁ କହିଥିଲେ। ଏହି ଅବସରରେ ରାଜ୍ୟପାଳ ଅଧିକାରୀମାନଙ୍କ ସଫଳ ଭବିଷ୍ୟତ କାମନା କରିଥିଲେ।

ଏହି ସାକ୍ଷାତ କାର୍ଯ୍ୟକ୍ରମର ପ୍ରାରମ୍ଭରେ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ଅତିରିକ୍ତ ନିର୍ଦ୍ଦେଶକ ଡ଼କ୍ଟର ମୋନାଲିସା ଲେଙ୍କା ଏକାଡ଼େମୀ ଦ୍ୱାରା ପ୍ରଦାନ କରାଯାଉଥିବା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଓ ଅଫିସର୍ସଟ୍ରେନିଙ୍କ ସଂପର୍କରେ ସୂଚନା ପ୍ରଦାନ କରିଥିଲେ। ଅଫିସର୍ସଟ୍ରେନିଙ୍କ ପକ୍ଷରୁ ବିକାଶ କୁମାର ସାହୁ, ସାୟେଦା ନାୟେଲା, ଦିବ୍ୟ ରଂଜନ ବିଶ୍ୱାଳ ଓ ମଧୁସ୍ମିତା ବିଶି ସେମାନଙ୍କର ଅଭିଜ୍ଞତା ବର୍ଣ୍ଣନା କରିଥିଲେ।

ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଏନବିଏସ ରାଜପୁତ ଉପସ୍ଥିତ ଥିଲେ। ଶେଷରେ ଅଫିସସର୍ସ ଟ୍ରେନିଙ୍କ ପକ୍ଷରୁ ଆକାଂକ୍ଷା ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ। ରାଜଭବନର ବରିଷ୍ଠ ଅଧିକାରୀମାନଙ୍କ ସହିତ ଏକାଡେମୀର ଅଧିକାରୀମାନେ ମଧ୍ୟ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ନାକଟିଦେଉଳର ବିଡ଼ିଓ ଭାବରେ ଯୋଗଦେଲେ କବି କ୍ଷମାନିଧି ଭୋଇ

ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକର ବିଡ଼ିଓ ଭାବରେ ଯୋଗଦେଲେ କବି ତଥା ପ୍ରଶାସନିକ ଅଧିକାରୀ କ୍ଷମାନିଧି ଭୋଇ। ସେ ପୂର୍ବରୁ ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକରେ ବିଡ଼ିଓ ଭାବରେ ଅବସ୍ଥାପିତ ଥିଲେ। ଏଠାରେ ଥିବା ଦନେଇ ଚରଣ ଟୁଡୁ ମୟୁରଭଞ୍ଜ ଜିଲ୍ଲା ଯଶିପୁର ପୁରକୁ ବଦଳି ହୋଇ ଯାଇଛନ୍ତି।

Categories
ବିଶେଷ ଖବର ବ୍ୟକ୍ତିତ୍ୱ ରାଜ୍ୟ ଖବର

ପ୍ରଶାସନିକ ସେବା ଅଧିକାରୀଙ୍କ ସହିତ କାହିଁକି ଆଲୋଚନା କଲେ ଉଚ୍ଚ ମାଧ୍ୟମିକ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଓ ୟୁନିସେଫର ମିଳିତ ପ୍ରୟାସରେ ଉଚ୍ଚ ମାଧ୍ୟମିକ ଛାତ୍ରଛାତ୍ରୀଙ୍କ ପାଇଁ ବିଭିନ୍ନ ପ୍ରସଙ୍ଗରେ ୱେବିନାର ସିରିଜ ଗତ ସେପେଫମ୍ବର ମାସଠାରୁ ଆଭାସୀ ମାଧ୍ୟମରେ ଆୟୋଜନ କରାଯାଉଅଛି।

ଏହି କାର୍ଯ୍ୟକ୍ରମ ୫୦ଟି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ୨୩୧ଟି ଧନ୍ଦାମୂଳକ ଓ ୧୧୦ଟି ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଏକାଦଶ ଓ ଦ୍ୱାଦଶ ଶ୍ରେଣୀର ସମସ୍ତ ବିଭାଗର ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ। ଏଥିରେ ରାଜ୍ୟ, ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରର ଖ୍ୟାତନାମା ବ୍ୟକ୍ତିବିଶେଷଙ୍କ ଦ୍ୱାରା ଦିଗ୍‌ଦର୍ଶନ ଦିଆଯାଉଛି।

ଏହି ଅଧିବେଶନରେ ନୂତନ ଭାବେ ନିଯୁକ୍ତ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) ଅଧିକାରୀଙ୍କ ସହିତ କଥାବାର୍ତ୍ତା ଶୀର୍ଷକ ଆଲୋଚନା କରାଯାଇଛି। ମୁଖ୍ୟ ଅତିଥି ଭାବରେ ଶ୍ରୀ ସମୀର ଜେନା ଓ ଶ୍ରୀ ସୋମ୍ୟରଞ୍ଜନ ପ୍ରଧାନ – ଦୁଇଜଣ ନବନିଯୁକ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଯୋଗ ଦେଇଥିଲେ।

ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ରଘୁରାମ ଆର୍‌. ଆୟାର ଆମନ୍ତ୍ରିତ ଅତିଥିମାନଙ୍କୁ ସ୍ୱାଗତ ଜଣାଇବା ସହିତ ସେମାନଙ୍କର ପରିଚୟ ପ୍ରଦାନ କରିଥିଲେ ଏବଂ ଛାତ୍ରଛାତ୍ରୀମାନଙ୍କୁ ଆଜିର ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରି ଏହି ବୃତ୍ତି ସମ୍ବନ୍ଧୀୟ ସମସ୍ତ ପ୍ରଶ୍ନର ଉତ୍ତର ଅତିଥିମାନଙ୍କଠାରୁ ବୁଝିବା ପାଇଁ ପରାମର୍ଶ ଦେଇଥିଲେ। ଆଇଡେଣ୍ଟୀଟି ଫାଉଣ୍ଡେସନର ନିର୍ଦ୍ଦେଶକ ଶ୍ରୀ ଯଶୋବନ୍ତ ସିଙ୍ଘଲାଲ ଏହି ଅଧିବେସନକୁ ପରିଚାଳନା କରିଥିଲେ।

ଏହି ଅଧିବେଶନରେ ମୁଖ୍ୟ ଅତିଥିମାନେ ନିଜ ପ୍ରଚେଷ୍ଟା ଓ ଅଭିଜ୍ଞତା ଆଧାରରେ, ଏହି ବୃତ୍ତି ପାଇଁ ଛାତ୍ରଛାତ୍ରୀମାନଙ୍କୁ ଆବଶ୍ୟକ ପରାମର୍ଶ ଦେଇଥିଲେ। ଭାରତୀୟ ପ୍ରଶାସନିକ ସେବା କ୍ଷେତ୍ରରେ ବୃତ୍ତି ପାଇଁ ଇଚ୍ଛୁକ ଛାତ୍ରଛାତ୍ରୀମାନେ କିପରି ପ୍ରସ୍ତୁତି ଆରମ୍ଭ କରିବେ, ଏହାର ସର୍ବୋତ୍ତମ ସମୟ, ପାଠପଢା ମାଧ୍ୟମ, ଅଧ୍ୟୟନ ସାମଗ୍ରୀ, ଆବଶ୍ୟକ କୌଶଳ, ସମୟ ପରିଚାଳନା, କୋଚିଂର ଆବଶ୍ୟକତା, ସାଧାରଣଜ୍ଞାନ ପାଇଁ ପ୍ରସ୍ତୁତି, ପରୀକ୍ଷା ପଦକ୍ଷେପ, ଆବଶ୍ୟକ ମାର୍କ, ସମୟ ଚାପକୁ ନିୟନ୍ତ୍ରଣ କରିବାର ଉପାୟ, ପ୍ରସ୍ତୁତି ସମୟରେ ଆହ୍ୱାନଗୁଡିକ କିପରି ଥାଏ ଓ ସେଗୁଡିକ କିପରି ଦୂରୀଭୂତ କରିବେ ସେ ନେଇ ଟିପ୍ସ ପ୍ରଦାନ କରିଥିଲେ।

ସେହିପରି ସାକ୍ଷାତକାର ଯୋଗ୍ୟତାଗୁଡିକ କ’ଣ ଏବଂ ପ୍ରତିଯୋଗିତାରେ ବିଫଳତାର ଭୟକୁ କିପରି ମୁକାବିଲା କରିବେ, ବିଭିନ୍ନ ବର୍ଗର ପ୍ରାର୍ଥୀଙ୍କପାଇଁ ପରୀକ୍ଷା ପ୍ରୟାସ ସଂଖ୍ୟା (attempt for civil services exam) ଏବଂ ବୟସ ସୀମା, ସାମ୍ପ୍ରତିକ ଘଟଣାବଳୀ ସମ୍ବନ୍ଧୀୟ ତଥ୍ୟ କିପରି ପାଇବେ, କେତେ ଘଣ୍ଟାର ଅଧ୍ୟୟନ ଆବଶ୍ୟକ, ସାକ୍ଷାତକାରକୁ କିପରି ସଫଳ କରିବେ, ଜଣେ ପ୍ରଶାସନିକ ସେବା ଅଧିକାରୀଙ୍କ ଦାୟିତ୍ୱଗୁଡିକ କ’ଣ ହୋଇଥାଏ ଇତ୍ୟାଦି ବିଷୟରେ ବିସ୍ତୃତ ଭାବରେ ଆଲୋଚନା ହୋଇଥିଲା।

ପରିଶେଷରେ ଏହି ଅତିଥିଦ୍ୱୟ ଛାତ୍ରଛାତ୍ରୀଙ୍କ ନିମନ୍ତେ କେତୋଟି ସଫଳତାର ସୂତ୍ର କହିଥିଲେ ଯେ, ପିତାମାତାଙ୍କ ସମର୍ଥନ, ଦୃଢ ଇଚ୍ଛାଶକ୍ତି, ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ଧୈର୍ଯ୍ୟ, ଅଧ୍ୟୟନରେ ସ୍ଥିରତା ଇତ୍ୟାଦି। ଏହିଗୁଡିକ ଛାତ୍ରଛାତ୍ରୀମାନଙ୍କର ସ୍ୱପ୍ନର କ୍ୟାରିୟରକୁ ବାସ୍ତବରେ ପରିଣତ କରିବା ପାଇଁ ନିଶ୍ଚୟ ସହାୟକ ହେବ।

ଶ୍ରୀମତୀ ରଞ୍ଜିତା ମେରୀ ନାୟକ, ଉପ ଶାସନ ସଚିବ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଏହି କାର୍ଯ୍ୟକ୍ରମରେ ଆମନ୍ତ୍ରିତ ଅତିଥି, ୟୁନିସେଫ, ଆଇଡେଣ୍ଟୀଟି ଫାଉଣ୍ଡେସନ, ଶିକ୍ଷକଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ତରଫରୁ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ମେଣ୍ଢରାଜପୁର ବସ୍ ଟ୍ରାଜେଡ଼ି ଘଟଣାକୁ ବର୍ଷେ ପୁରିଲା: ଶ୍ରଦ୍ଧାଞ୍ଜଳି ଦେଲେ ଏସ୍‌ପି ଏବଂ ପ୍ରଶାସନିକ ଅଧିକାରୀ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗତବର୍ଷ ମେଣ୍ଢରାଜପୁର ଗ୍ରାମରେ ଘଟିଥିବା ବସ୍ ଟ୍ରାଜେଡ଼ି ଘଟଣାରେ ଗତକାଲିକୁ ବର୍ଷେ ପୁରିଛି। ଏହି ଅବସରରେ ଆଜି ଅନୁଷ୍ଠିତ ବାର୍ଷିକ ଶୋକସଭାରେ ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ରଙ୍କ ସମେତ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀମାନେ ଗ୍ରାମରେ ପହଞ୍ଚି ଉକ୍ତ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ଫଟୋଚିତ୍ରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଘଟଣା ଦିନ ଏକ ସାମାଜିକ କାର୍ଯ୍ୟରେ ଯୋଗ ଦେବାକୁ ଯାଉଥିବା ଏକ ବସ୍ ତଳେ ଓହଳି ରହିଥିବା ୧୧ କେ.ଭି. ବିଦ୍ୟୁତ ସଂସ୍ପର୍ଶରେ ଆସିଯିବାରୁ ଘଟଣାସ୍ଥଳରେ ୬ ଜଣ ଜୀଅନ୍ତା ପୋଡ଼ି ମୃତ୍ୟୁ ବରଣ କରିଥିବାବେଳେ ୩ ଜଣ ବ୍ରହ୍ମପୁର ଏମ୍‌କେସିଜିରେ ମୃତ୍ୟୁବରଣ କରିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ଆହୁରି ଅନେକ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ।

ରଙ୍ଗେଇଲୁଣ୍ଡା ବ୍ଲକ୍ ଡ଼ଙ୍କଲପାଟୁ ଗ୍ରାମର ୪୦ ଜଣ ପରିବାରବର୍ଗ ସିଲ୍ ସିଟି ନାମକ ଏକ ବସ୍‌ରେ ଏକ ନିବର୍ନ୍ଧ କାର୍ଯ୍ୟରେ ଯୋଗ ଦେବାକୁ ଘରୁ ହସ ଖୁସିରେ ବାହାରିଥିଲେ। କିଛି ଘଣ୍ଟା ପରେ ଗନ୍ତବ୍ୟସ୍ଥଳ ଚିକରଡ଼ାରେ ପହଞ୍ଚିଥାନ୍ତେ। ହୋଇଥାନ୍ତା ନିବର୍ନ୍ଧ, କିନ୍ତୁ ବାଟରେ ଛକି ରହିଥିଲା ମୃତ୍ୟୁ। ମେଣ୍ଡରାଜପୁର ଗାଁ ରାସ୍ତାରେ ମେଲକାତୁର ଗ୍ରାମ ନିକଟରେ ରାସ୍ତା ଉପରେ ଯାଇଥିବା ଅତି କମ୍ ଉଚ୍ଚତାରେ ଥିବା ଏକ ହାଇଭୋଲ୍‌ଟେଜ୍ ୧୧କେ.ଭି. ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବସ୍‌ଟି ଜଳିଯାଇଥିଲା।

ଗତକାଲି ମୃତକ ଡ଼ଙ୍କଲପାଡ଼ୁ ଗ୍ରାମର ବି. ରମା ଇରାମା ରେଡୀ, ସ୍ୱାମୀ ଚିନ୍ମୟା ରେଡୀ, ବି. ଅଚିମ୍ମା, କେ. ସନ୍ଧ୍ୟା, କାମରାଜୁ ରେଡ୍ଡୀ, ବି. ମୋହିନା, ବି. ରମେୟା ତୁଳସି ଆମ୍ମା, ୧୫ ବର୍ଷୀୟ ଛାତ୍ରୀ ସନ୍ତୋଷିନୀ ସାହୁ, ତରନ୍ୟା ରେଡ୍ଡୀ ପ୍ରମୁଖଙ୍କ ସହ ଅନ୍ୟାନ୍ୟ ମୃତକଙ୍କ ଫଟୋଚିତ୍ରରେ ଏସ୍‌ପି ଶ୍ରୀ ମିଶ୍ର ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଆଜିର ଏହି ଶ୍ରଦ୍ଧାଞ୍ଜଳି ସମାରୋହ ପରେ ଗ୍ରାମରେ ପୁଣିଥରେ ଉକ୍ତ ଦିନର ଘଟଣାମାନର ସ୍ମୃତିକୁ ରୋମନ୍ଥନ କରିଛି।