Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଚିଲିକା: ପ୍ରଶାସନ ନିଷ୍କ୍ରିୟ, ଚୋରାମଦ ବିକ୍ରିକୁ ବିରୋଧ କରି ଘର ଭାଙ୍ଗିଲେ ଶତାଧିକ ମହିଳା

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ବାଣପୁର-ବାଲୁଗାଁ ଅଞ୍ଚଳରେ ବେଆଇନ ମଦର ଅବାଧ ବିକ୍ରି ତଥା ଚୋର ମଦ କାରବାର ଶୀର୍ଷରେ ପହଞ୍ଚିଥିବାବେଳେ ଏହାର କରୁଣ ପ୍ରଭାବ ଗାଁ ଗାଁ ରେ ଦେଖିବାକୁ ମିଳୁଛି। ବେଆଇନ ମଦ ବିକ୍ରି ରୋକିବାରେ ଅବକାରୀ ଓ ପୋଲିସ ଏକ ରକମର ଫେଲ ମାରିଥିବା ଚର୍ଚ୍ଚା ହେଉଥିବା ବେଳେ ଗତକାଲି ବାଲୁଗାଁ ଥାନା ଅନ୍ତର୍ଗତ ସରନଇ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଚୋରାମଦ ବିକ୍ରିକୁ ବିରୋଧ କରି ଶତାଧିକ ମହିଳା ତୁମୁଳ କାଣ୍ଡ ଘଟାଇଥିବା ଜଣାପଡିଛି।

ପ୍ରାପ୍ତ ଖବର ମୁତାବକ ସରନଇ ଗ୍ରାମ ଛକର ଏକ ଘରେ ଦୈନନ୍ଦିନ ଅବାଧ ଚୋରା ମଦ ବିକ୍ରି କରାଯାଉଥିଲା। ଯାହାଫଳରେ ସେଠାରେ ମଦ୍ୟପ ଗୋଷ୍ଠୀ ମାତାଲ ହୋଇ ଅନେକ ସମୟରେ ନାନାଦିପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରୁଥିବାର ଅଭିଯୋଗ ହୋଇଆସୁଛି। ସମ୍ପୃକ୍ତି ଅଞ୍ଚଳରେ ଦିନକୁଦିନ ମଦ ମାଫିଆଙ୍କ ପ୍ରାଦୁର୍ଭାବ ବଢିବା ଫଳରେ ଗ୍ରାମରେ ଝିଅ ବୋହୁ ମାନେ ଦାଣ୍ଡକୁ ବାହାରିବା ଦୂରର କଥା ଦିନ ଦ୍ବିପ୍ରହରରେ ସେମାନଙ୍କ ଯାଆସ କରିବା ଅସହ୍ୟ ହୋଇପଡୁଛି। ଏପରିକି ଘରେ ଘରେ କଳି ଝଗଡା ଲାଗିରହୁଥିଲା। ଏନେଇ ଯିଏ ବି ବିରୋଧ କରୁଛି ସେ ଆକ୍ରୋଶର ଶିକାର ହେଉଥିବା ଗ୍ରାମବାସୀ କହିଛନ୍ତି।

ତେବେ ଏ ନେଇ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କଲେ ସୁଦ୍ଧା କିଛି ଫରକ ନପଡିବାରୁ ଗତକାଲି ସରନଇ ଓ ନିମିକ୍ଷେତା ଗ୍ରାମର ଶତାଧିକ ମହିଳା ସମ୍ପୃକ୍ତ ସ୍ଥାନରେ ଏକତ୍ରିତ ହୋଇ ଏହାର ଦୃଢ ପ୍ରତିବାଦ କରିବା ସହ ଗଚ୍ଛିତ ମଦକୁ ନଷ୍ଟ କରିଥିଲେ ଏବଂ ଉକ୍ତ ଘରକୁ ଭାଙ୍ଗି ଦେଇଥିଲେ। ବାରମ୍ବାର ଅବକାରୀ ଓ ପୋଲିସକୁ ଏନେଇ ଖବର ଦେଲେ ସୁଦ୍ଧା କୌଣସି ସୁଫଳ ମିଳୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ତେବେ ଏ ଘଟଣା ନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ବାଲୁଗାଁ ଥାନାଧିକାରୀ ରଶ୍ମିରଞ୍ଜନ ଦାସ ସୂଚନା ଦେଇଛନ୍ତି।

ସେହିଭଳି ଏ ନେଇ ନନ୍ଦପୁର ପଞ୍ଚାୟତ ସରପଞ୍ଚ ପୁଷ୍ପମିତ୍ର ଖୁଣ୍ଟିଆଙ୍କୁ ପଚାରିବାରୁ ଉକ୍ତ ଗ୍ରାମରେ ଚୋରା ମଦ ବିକ୍ରି ହେଉଥିବା ଅଭିଯୋଗକୁ ସ୍ୱୀକାର କରିଛନ୍ତି। ଏବଂ ଏ ନେଇ ତାଙ୍କୁ ମହିଳା ମାନେ ଜଣାଇଥିବା କହିଛନ୍ତି। ତେବେ ପୋଲିସ ଓ ଅବକାରୀ ଉକ୍ତ ଗ୍ରାମକୁ ମଦମୁକ୍ତ କରିବା ଦିଗରେ ପଦକ୍ଷେପ ନେବା ପାଇଁ ଅନୁରୋଧ କରିଛନ୍ତି ସରପଞ୍ଚ ଶ୍ରୀ ଖୁଣ୍ଟିଆ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ତିର୍ତ୍ତୋଲରେ ଶିରାପ୍ ନିଶାର ବହୁଳ କାରବାର: ପଥଭ୍ରଷ୍ଟ ଯୁବସମାଜ, ପ୍ରଶାସନ ନିଷ୍କ୍ରିୟ

ରମେଶ ମହାନ୍ତି
ଜଗତସିଂହପୁର: ତିର୍ତ୍ତୋଲ ବଜାର ଅଞ୍ଚଳରେ ଦିନକୁ ଦିନ ଶିରାପ୍ ନିଶା କାରବାର ବୃଦ୍ଧି ପାଉଥିବା ବେଳେ ଏହି ନିଶାକୁ ସେବନ କରି ଯୁବସମାଜ ପଥଭ୍ରଷ୍ଟ ହେବା ସହିତ ନିଜର ହିତାହିତ ଜ୍ଞାନ ହରାଇ ବିଭିନ୍ନ ଅପରାଧିକ କାର୍ଯ୍ୟରେ ଲିପ୍ତ ରହୁଛନ୍ତି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। କାଶ ଶିରାପକୁ ବାନ୍ତି ବଟିକାରେ ମିଶ୍ରଣ କରି ନିଶା ଆକାରରେ ବ୍ୟବହାର କରାଯାଉଥିବା କୁହାଯାଉଛି। ଏଭଳି ଏକ ମାରାତ୍ମକ ନିଶାକୁ ତିର୍ତ୍ତୋଲ ଅଞ୍ଚଳର ଅନେକ ଭଦ୍ରମୁଖା ପିନ୍ଧା ବ୍ୟକ୍ତିଙ୍କ ସମେତ ଯୁବଗୋଷ୍ଠୀ ଓ ବିଦ୍ୟାର୍ଥୀ ମାନେ ସେବନ କରି ମୃତ୍ୟୁ ମୁଖକୁ ଠେଲି ହୋଇଯାଉଥିବା ବେଳେ ସ୍ଥାନୀୟ ଅଞ୍ଚଳର କେତେକ ଔଷଧ ଦୋକାନୀ ଏହି ନିଶା ଶିରାପର ବହୁଳ ବିକ୍ରୟ କରି ମାଲେମାଲ୍ ହେଉଥିବା କୁହାଯାଉଛି।

ସୂଚନାନୁଯାୟୀ ଏଭଳି ଏକ ମାରାତ୍ମକ ନିଶା ଆକାରରେ ବ୍ୟବହାର କରାଯାଉଥିବା ଏହି ଶିରାପ୍ ଓ ବଟିକାକୁ ତିର୍ତ୍ତୋଲ ବଜାର ଅଞ୍ଚଳର ଜନୈକ ଭଦ୍ରମୁଖା ପିନ୍ଧା ଔଷଧ ଦୋକାନୀ ନିର୍ଭୟରେ ଖୁଲମ୍ ଖୁଲ୍ଲା ହୋଲସୋଲିଙ୍ଗ୍ କରୁଥିବା କୁହାଯାଉଥିବା ବେଳେ ଏପରି ଏକ ମାରାତ୍ମକ ନିଶାକୁ ସେବନ କରୁଥିବା ଜନୈକ ଇନ୍ସୁରାନ୍ସ୍ ଏଜେଣ୍ଟ ଉକ୍ତ ଔଷଧ ଦୋକାନରେ ରହି ଏହି ନିଶା ବେପାର ବୃଦ୍ଧିରେ଼ ସହଯୋଗ କରୁଥିବା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। କିଛିଦିନ ପୂର୍ବେ ଡ୍ରଗ୍ସ୍ ସ୍କ୍ୱାର୍ଡ ପକ୍ଷରୁ ଉକ୍ତ ଔଷଧ ଦୋକାନୀ ଉପରେ ଚଢାଉ କରାଯାଇଥିବା କୁହାଯାଉଥିବା ବେଳେ ମୋଟା ଅଙ୍କର ହାତଗୁଞ୍ଜା ଦେଇ ଖସିଯିବା ପରେ ଏବେ ପୁଣି ଯୋରଦାର ବେପାର ଚଳାଇଥିବା ଶୁଣିବାକୁ ମିଳୁଛି।

ସ୍ଥାନୀୟ ପ୍ରଶାସନର ନିଷ୍କ୍ରିୟତା ଯୋଗୁଁ ଲକଡାଉନ୍ ଓ ସଟଡାଉନ୍ ବେଳେ ମଧ୍ୟ ଏହି ଶିରାପ୍ ନିଶା ବେପାରୀ ମାନେ ସକ୍ରିୟ ହୋଇ ଉଠିଛନ୍ତି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ଏମିତିକି ଏହି ବଜାରର ବିଭିନ୍ନ ସ୍ଥାନରେ କୁଢ କୁଢ ଶିରାପ୍ ବୋତଲ ଗଦା ହେଇଥିବା ଦେଖିବାକୁ ମିଳିଛି। ତିର୍ତ୍ତୋଲ ଅଞ୍ଚଳର ଯୁବସମାଜଙ୍କ ଜୀବନକୁ ଜଳାଞ୍ଜଳି ଦେଇ ଓ ବିପଥଗାମୀ କରୁଥିବା ଏହି ଭଦ୍ରମୁଖା ପିନ୍ଧା ବହୁଳ ଶିରାପ୍ ବେପାରୀ ଔଷଧ ଦୋକାନୀ ଉପରେ ପ୍ରଶାସନ ପକ୍ଷରୁ ଚଢାଉ କରାଯିବା ସହିତ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।

Categories
ଆଞ୍ଚଳିକ

କୋଲର ବ୍ରିଜ୍ ପାଖ ଘାଟରେ ବାଲିମାଫିଆ ସକ୍ରିୟ, ପ୍ରଶାସନ ନିଷ୍କ୍ରିୟ: ବିପୁଳ ରାଜସ୍ବ ହାନି

ରମେଶ ମହାନ୍ତି
ଜଗତସିଂହପୁର: ତିର୍ତ୍ତୋଲ ତହସିଲ୍ ଅନ୍ତର୍ଗତ କୋଲର ପଞ୍ଚାୟତ ସ୍ଥିତ କୋଲର ବ୍ରିଜ୍ ପାଖ ବାଲିଘାଟରୁ ବିନା ୱାଇ ଫର୍ମରେ ଦୈନିକ ଶତାଧିକ ଟ୍ରିପ୍ ବାଲି ଚୋରା ଚାଲାଣ ହେଉଥିବା ସ୍ଥାନୀୟ ଅଞ୍ଚଳରେ ଡିବିିଡିବି ହେଇ ବାଜୁଥିବା ବେଳେ ପ୍ରଶାସନ ନିଷ୍କ୍ରିୟ ପାଲଟିଥିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନାନୁଯାୟୀ କୋଲର ବ୍ରିଜ୍ ନିକଟରେ ଅରିଲୋ-ଜଇପୁର ଘାଟ ଓ ବିଳାସପୁର ଘାଟ ନାମକ ଦୁଇଟି ବାଲିଘାଟ ତିର୍ତ୍ତୋଲ ତହସିଲ୍ ପକ୍ଷରୁ ନିଲାମ ହୋଇଛି। ତିର୍ତ୍ତୋଲ ତହସିଲ୍ ପକ୍ଷରୁ ଉକ୍ତ ବାଲିଘାଟକୁ ପାଖାପାଖି ୨୫ ଦିନ ପୂର୍ବେ ଗୋଟିଏ ଲେଖାଁଏ ୱାଇଫର୍ମ ବହି ଦିଆଯାଇଥିବା ସୂଚନା ମିଳିଥିବା ବେଳେ ଆଜି ପର୍ଯ୍ୟନ୍ତ ଆଉ ନୂଆ ୱାଇଫର୍ମର ଆବଶ୍ୟକତା ପଡୁନାହିଁ କିପରି ବୋଲି କୁହାଯାଉଛି। ସୂଚନାନୁଯାୟୀ ଯଦି ଗୋଟିଏ ୱାଇଫର୍ମ ବହିରେ ୫୦ଟି ଫର୍ମ ରହୁଛି ଓ ଗୋଟିଏ ଫର୍ମରେ ଗୋଟିଏ ଗାଡି ଗୋଟିଏ ଥର ବାଲି ଉଠାଇ ପାରିବ ତେବେ ଦୈନିକ ହାଇୱା ଗାଡିରେ ଶତାଧିକ ଟ୍ରିପ୍ ବାଲି ଚାଲାଣ ହେଉଛି କିପରି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଏମିତିକି ଉକ୍ତ ଘାଟରେ ହାଇୱା ଗାଡି ଗୁଡିକୁ ଲୋଡ୍ ଦେବା ପାଇଁ ଦୁଇଟି ମେସିନ୍ ଦିନଠୁ ରାତି ଯାଏ ପଡି ରହିଥିବା ବେଳେ ସଂନ୍ଧ୍ୟା ପରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ହାଇୱା ଗାଡିରେ ଶତାଧିକ ଟ୍ରିପ୍ ବାଲି ବାହାରକୁ ଚାଲାଣ ହେଉଥିବା ସ୍ଥାନୀୟ ଅଞ୍ଚଳରେ କୁହାଯାଉଛି। ଏଥିସହିତ ଉକ୍ତ ବାଲିଘାଟ ନିଲାମଧାରୀ ମାନେ ଗୋଟିଏ ସ୍ଥାନରୁ ବାଲି ଉଠାଇବା ପାଇଁ ନିଲାମ ନେଇ ଅନ୍ଯ ସ୍ଥାନରୁ ବାଲି ଉଠାଉଛନ୍ତି ବୋଲି ଶୁଣିବାକୁ ମିଳୁଥିବା ବେଳେ ଏନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଥିବା ଜଣାପଡିଛି।

କିଛି ଦୁର୍ନୀତିଖୋର୍ ଲାଞ୍ଚୁଆ ପ୍ରଶାସନିକ କର୍ମଚାରୀଙ୍କୁ ମୋଟା ଅଙ୍କର ମାସିକ ଦେଇ ସେମାନଙ୍କ ଠାରୁ ଅଭୟବର ପାଇ ବାଲି ମାଫିଆ ମାନେ ଏଠାରେ ସକ୍ରିୟ ହୋଇ ଉଠିଛନ୍ତି ବୋଲି ଶୁଣିବାକୁ ମିଳୁଥିବା ବେଳେ ଉକ୍ତ ବାଲି ମାଫିଆଙ୍କ ସହିତ ପ୍ରଶାସନର ଏପରି ମଧୁଚନ୍ଦ୍ରିକା ଯୋଗୁଁ ସରକାରଙ୍କ ବିପୁଳ ରାଜସ୍ବ ହାନି ହେଉଛି ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଏମିତିକି କୋଲର ବ୍ରିଜ୍ ଠାରୁ ତାର୍ତ୍ତୋଲ ପଟ ରାସ୍ତାର ଅବସ୍ଥା ନକହିଲେ ଭଲ।

ଦୈନିକ ଉକ୍ତ ବାଲି ମାଫିଆ ମାନଙ୍କର ଶତାଧିକ ବାଲି ବୋଝେଇ ହାଇୱା ଏହି ରାସ୍ତାରେ ଯାତାୟତ କରିବା ଯୋଗୁଁ ରାସ୍ତାରୁ ପିଚୁ ଉଠି ମେଟାଲ୍ ବାହାରିଯିବା ସହିତ ରାସ୍ତା ସାରା ଖାଲଖମା ସୃଷ୍ଟି ହୋଇଥିବାରୁ ଯାତାୟତରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି।

ବାରମ୍ଵାର ଉକ୍ତ ରାସ୍ତାଟି ମରାମତି ହେଉଥିଲେ ମଧ୍ୟ ଦୈନିକ ଶତାଧିକ ବାଲି ବୋଝେଇ ହାଇୱା ଚାଲିବା ଯୋଗୁଁ ରାସ୍ତାଟି ପୁଣି ଛତୁର୍ଛାଳ ହେଇଯାଉଛି ବୋଲି କୁହାଯାଉଛି। ଏନେଇ ସ୍ଥାନୀୟ ଆର୍.ଆଇ ଏବଂ ତହସିଲ୍ ପ୍ରଶାସନର କାର୍ଯ୍ୟଦକ୍ଷତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଏନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବା ଶୁଣିବାକୁ ମିଳୁଛି।