Categories
ଆଞ୍ଚଳିକ

ରଣପୁର: ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ

ରଣପୁର: ଆଜି ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବଜ୍ରକୋଟ ସରପଞ୍ଚ ବନିତା ବଳିଆରସିଂ, ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ ଲକ୍ଷ୍ମୀଧର ସାହୁ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ବସନ୍ତ କୁମାର ରାଉତ, ସି.ଆର.ସି.ସି. ସୁଧାକର ମିଶ୍ର, ପୂର୍ବତନ ସି.ଆର.ସି.ସିତଥା ଗୌରାଙ୍ଗପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ମିଶ୍ର, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅବକାଶ ସ୍ୱାଇଁ, ମୋ ସ୍କୁଲ ସଭାପତି ଗଣେଶ୍ୱର ପ୍ରଧାନ, ୱାର୍ଡମେମ୍ବର ସରୋଜିନୀ ପ୍ରଧାନ, ଆଶାକର୍ମୀ ଚନ୍ଦ୍ରକାନ୍ତି ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ। ଏହି ସଭାକାର୍ଯ୍ୟକୁ ବରିଷ୍ଠ ଶିକ୍ଷକ ସନ୍ତୋଷ କୁମାର ମିଶ୍ର ପରିଚାଳନା କରିଥିଲେ।

ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶୀଲ କୁମାର ରଣା ଅତିଥି ପରିଚୟ ପ୍ରଦାନ କରିଥିଲେ।  ଏଥିରେ ୫୭ ଜଣ ଛାତ୍ରଛାତ୍ରୀଙ୍କୁ ପୋଷାକ ବିତରଣ କରାଯାଇଛି। ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ଦୁଇ ହଳ ପୋଷାକ, ଏକ ହଳ ଜୋତା, ଦୁଇ ହଳ ମୋଜା, ଗୋଟିଏ ଟ୍ରାକ ପ୍ୟାଣ୍ଟ, ଗୋଟିଏ ଟି-ସାର୍ଟ, ଗୋଟିଏ ଟୋପି ପ୍ରଦାନ କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଚନ୍ଦ୍ରକାନ୍ତ ମଙ୍ଗରାଜ, କାଶୀନାଥ ଜୟସିଂହ, ବିନାୟକ ପ୍ରଧାନ, ରବୀନ୍ଦ୍ର ସଂଗ୍ରାମସିଂହ, ପ୍ରଦୀପ ମାନସିଂହ, ଅଙ୍ଗନବାଡି କର୍ମୀ ପୁଷ୍ପଲତା ଦେଇ, କାନନବାଳା ସାହୁଙ୍କ ସହ ସମସ୍ତ ପରିଚାଳନା କମିଟି ସଭ୍ୟସଭ୍ୟା ଓ ଗ୍ରାମବାସୀ ଉପସ୍ଥିତ ରହି ସହଯୋଗ କରିଥିଲେ। ଶିକ୍ଷୟତ୍ରୀ ପଦ୍ମାବତୀ ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ।

Categories
ଆଞ୍ଚଳିକ

ଗ୍ରାମବାସୀଙ୍କ ଦାବୀକୁ ମାନିଲା ପ୍ରଶାସନ: ବଦଳିଲେ ଶିକ୍ଷୟତ୍ରୀ, ୭ ଦିନ ପରେ ବିଦ୍ୟାଳୟରୁ ଖୋଲିଲେ ତାଲା

କନ୍ଦର୍ପ ବେହେରା
ରେଢ଼ାଖୋଲ: ନାକଟିଦେଉଳ ବ୍ଲକ ଘୋଷରାମାଳ ପଞ୍ଚାୟତ ଅନ୍ତର୍ଗତ ବ୍ରାହ୍ମଣୀ ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷୟତ୍ରୀ ଶୈଳେନ୍ଦ୍ରୀ ପ୍ରଧାନ ଉକ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ପାଠ ପଢାଇବାରେ ଅବହେଳା ଓ ଦୁର୍ନୀତିରେ ଜଡିତ ଥିବା ନେଇ ଗ୍ରାମବାସୀ, ଅବିଭାବକମାନେ ଅଭିଯୋଗ କରି ଓ ଶିକ୍ଷୟତ୍ରୀଙ୍କୁ ଅନ୍ୟତ୍ର ବିଦ୍ୟାଳୟକୁ ବଦଳି ଦାବି ନେଇ ଗତ ଫେବୃଆରୀ ୧ ତାରିଖ ଠାରୁ ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇ ଧାରଣା ଦେଇ ଥିଲେ। ହେଲେ ବିଦ୍ୟାଳୟରେ ତାଲା ପଡିବା ଖବର ପାଇ ନାକଟିଦେଉଳ ବିଇଓ ବିଜୟ କୁମାର ପାତ୍ର ପ୍ରମୂଖ ବିଦ୍ୟାଳୟକୁ ଆସି ଘଟଣାର ତଦନ୍ତ କରିଥିଲେ।

ବିଇଓ ତଦନ୍ତ ବେଳେ ଗ୍ରାମବାସୀ ଓ ଅବିଭାବକ ମାନଙ୍କ ଅଭିଯୋଗ ଅନୁଯାୟୀ ମତ ନେଇ ପରେ ବ୍ରାହ୍ମଣୀ ବିଦ୍ୟାଳୟର ଶିକ୍ଷୟିତ୍ରୀ ଶୈଳେନ୍ଦ୍ରୀ ପ୍ରଧାନଙ୍କୁ ଅନ୍ୟତ୍ର ବଦଳି କରିବାକୁ ନେଇ ଗ୍ରାମବାସୀଙ୍କ ଆଗରେ ପ୍ରକାଶ କରିଥିଲେ। ଏ ନେଇ ନାକଟିଦେଉଳ ବ୍ଲକ ଶିକ୍ଷା ବିଭାଗର ଅଧିକାରୀଙ୍କ ପତ୍ର ସଂଖ୍ୟା ୧୭୦ ରେ ଗତ ୪ ତା ରିଖ ରେ ଚିଠି କରି ବ୍ରାହ୍ମଣୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ଶୈଳେନ୍ଦ୍ରୀ ପ୍ରଧାନଙ୍କୁ ଲୁସୁରା ପ୍ରାଥମିକ ବିଦ୍ୟାଳୟକୁ ଡେପୁଟେସନରେ ବଦଳି କରା ଯାଇ ଥିବା ବେଳେ ଲୁସୁରା ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଥିବା ଶିକ୍ଷୟତ୍ରୀ ମଞ୍ଜୁଳା କୁଜୁରଙ୍କୁ ବ୍ରାହ୍ମଣୀ ବିଦ୍ୟାଳୟ ଡେପୁଟେସନ ବଦଳି ହୋଇଛି।

ହେଲେ ଡେପୁଟେସନ ବଦଳି ଚିଠି ହେବା ପରେ ବ୍ରାହ୍ମଣୀ ବିଦ୍ୟାଳୟକୁ ଡେପୁଟେସନ ବଦଳିରେ ଆସି ଥିବା ଶିକ୍ଷୟତ୍ରୀ ମଙ୍ଗଳବାର ବ୍ରାହ୍ମଣୀ ବିଦ୍ୟାଳୟରେ କାର୍ଯ୍ୟରେ ଯୋଗ ଦେଇଛନ୍ତି। ଶିକ୍ଷୟତ୍ରୀ ମଞ୍ଜୁଳା କୁଜୁର ବିଦ୍ୟାଳୟରେ କାର୍ଯ୍ୟରେ ଯୋଗ ଦେବା ପରେ ଗ୍ରାମବାସୀ ଓ ଅବିଭାବକ ମାନେ ବିଦ୍ୟାଳୟ ମୁଖ୍ୟ ଫାଟକରୁ ୭ ଦିନରେ ତାଲା ଖୋଲିଛନ୍ତି। ଏହାକୁ ନେଇ ଗ୍ରାମବାସୀ, ଅବିଭାବକ ଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳି ଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଦୀପାବଳି ପରେ ଖୋଲିବ ପ୍ରଥମରୁ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ!

ଭୁବନେଶ୍ବର: ରାଜ୍ୟରେ ପ୍ରଥମରୁ ସପ୍ତମ ଶ୍ରେଣୀ ପିଲାଙ୍କ ସ୍କୁଲ ଖୋଲିବା ନେଇ ଆଲୋଚନା ଆରମ୍ଭ ହୋଇଯାଇଛି। ଦୀପାବଳି ଛୁଟି ପରେ ପ୍ରାଥମିକ ସ୍କୁଲ ଖୋଲିବା ପାଇଁ ଆଲୋଚନା ଆରମ୍ଭ ହୋଇଛି। କରୋନାର ତୃତୀୟ ତରଙ୍ଗର ସମ୍ଭାବନା କମ ଥିବାରୁ ପ୍ରାଥମିକ ବିଦ୍ୟାଳୟ ଖୋଲିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇପାରନ୍ତି। ବିଦ୍ୟାଳୟଗୁଡିକ ପର୍ଯ୍ୟାୟକ୍ରମେ ଖୋଲାଯାଇପାରେ। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା ହେଉଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ସ୍କୁଲ ଖୋଲାଯିବା ନିଷ୍ପତ୍ତି ହେବ। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ବର୍ତ୍ତମାନ ରାଜ୍ୟରେ ଅଷ୍ଟମରୁ ଦ୍ଵାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଖୋଲାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ: ପ୍ରଖ୍ୟାତ ସମାଜସେବୀ ଡାକ୍ତର ରାଧାଚରଣ ପଣ୍ଡାଙ୍କ ନାମରେ ନାମିତ ବିଦ୍ୟାଳୟକୁ ନିଶ୍ଚିହ୍ନ କରିବାକୁ ଷଡଯନ୍ତ୍ର!

ସୀତାରାମ ଅଗ୍ରୱାଲ

ବାଲୁଗାଁ: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ସ୍ୱଳ୍ପ ଉପସ୍ଥାନ ଥିବା ପ୍ରାଥମିକ ବିଦ୍ୟାଳୟଗୁଡ଼ିକୁ ନିକଟସ୍ଥ ସ୍କୁଲ୍ ସହ ମିଶ୍ରଣ କରାଯାଇଛି। ଯାହାଫଳରେ ଗ୍ରାମାଞ୍ଚଳ ତଥା ସହରାଞ୍ଚଳରେ ଅନେକ ସରକାରୀ ବିଦ୍ୟାଳୟ ସତ୍ତା ହରାଇଥିବା ବେଳେ ସମ୍ପୃକ୍ତି ଅଞ୍ଚଳରେ ଦିନକୁ ଦିନ ବେସରକାରୀ ବିଦ୍ୟାଳୟମାନ ଗଢ଼ିଉଠୁଛି। ସରକାରୀ ବିଦ୍ୟାଳୟରେ ବହି, ଖାତାଠାରୁ ଆରମ୍ଭ କରି ପୋଷାକ ଓ ଖାଦ୍ୟ ଯୋଗାଇ ଦିଆଯାଉଥିଲେ ମଧ୍ୟ ଏହାର କୌଣସି ପ୍ରଭାବ ପଡ଼ୁନି। ଛାତ୍ରଛାତ୍ରୀମାନେ ବେସରକାରୀ ବିଦ୍ୟାଳୟ ପ୍ରତି ଆଗ୍ରହ ପ୍ରକାଶ କରୁଥିବା ନଜିର ରହୁଛି।

ରାଜ୍ୟରେ ବରପୁତ୍ରଙ୍କୁ ସମ୍ମାନ ଓ ସ୍ମୃତି ଉଦ୍ଦେଶ୍ୟରେ ବିଭିନ୍ନ ପ୍ରାନ୍ତରେ ଏକାଧିକ ଶିକ୍ଷାନୁଷ୍ଠାନ ସାଙ୍ଗକୁ ବିମାନ ବନ୍ଦର, ଡାକ୍ତରଖାନା ଆଦି ନାମକରଣ କରାଯାଇଛି। ଦେଶ ତଥା ଜାତି ପାଇଁ ଉତ୍ସର୍ଗୀକୃତ ଅବଦାନକୁ ଚିରସ୍ମରଣୀୟ କରିବାକୁ ସରକାରଙ୍କ ଅନୁଦାନକ୍ରମେ ସାରା ରାଜ୍ୟରେ ତଥା ଦେଶରେ ବିଭିନ୍ନ ଅନୁଷ୍ଠାନମାନ ସ୍ଥାପିତ ହୋଇଛି। ସ୍କୁଲ ଓ ଗଣ ଶିକ୍ଷା ବିଭାଗ ବିଦ୍ୟାଳୟମାନଙ୍କ ମିଶ୍ରଣ ଆଳରେ ଅନେକ ନାମୀଦାମୀ ବିଦ୍ୟାଳୟ ବିଲୋପ ହୋଇଯିବା ସାଙ୍ଗକୁ ବିଭିନ୍ନ ବରପୁତ୍ରଙ୍କ ନାମରେ ନାମିତ ବିଦ୍ୟାଳୟଗୁଡ଼ିକ ଧ୍ୱଂସାଭିମୁଖୀ ପାଲଟିଗଲାଣି। ଯାହାକି ବରପୁତ୍ରଙ୍କୁ ଘୋର ଅସମ୍ମାନ ସଦୃଶ।

ଯାହାର ଜ୍ୱଳନ୍ତ ନମୁନା ସ୍ୱରୂପ ଦୀର୍ଘ ୩୧ ବର୍ଷ ଧରି ଆଦର୍ଶ ବିଦ୍ୟାଳୟରେ ପରିମାର୍ଜିତ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ୍ ବାଲୁଗାଁ ଠାରେ ଅବସ୍ଥିତ ଡ. ରାଧାଚରଣ ପ୍ରାଥମିକ ବିଦ୍ୟାଳୟ। ଉକ୍ତ ବିଦ୍ୟାଳୟକୁ ବାଲୁଗାଁ ଉଚ୍ଚବିଦ୍ୟାଳୟ ସହିତ ମିଶ୍ରଣ ଆଳରେ ନିଶ୍ଚିହ୍ନ କରିବାକୁ କିଛି ଅଧିକାରୀ କୁଟ ଚକ୍ରାନ୍ତ ଚଳାଇଛନ୍ତି। ଏପରିକି କରୋନା ସମୟରେ ବିଦ୍ୟାଳୟ ବନ୍ଦ ଥିବା ସୁଯୋଗ ନେଇ ବିଦ୍ୟାଳୟର ନାମକୁ ଲିଭାଇଦେବା ସହ ରାସ୍ତାପାଶ୍ୱର୍ରେ ଥିବା ନାମଫଳକଟିକୁ ଉଭାନ କରିଦେଇଛନ୍ତି। ଏହି ପ୍ରତିବାଦରେ ଶିକ୍ଷାବିତ୍ ତଥା ବିଦ୍ୟାଳୟର ପ୍ରତିଷ୍ଠାତା ସ୍ୱାଧୀନ କୁମାର ପଣ୍ଡା ନିଜ ପିତାଙ୍କ ସ୍ମୃତିରେ ଗଢ଼ି ତୋଳିଥିବା ଆଦର୍ଶ ବିଦ୍ୟାଳୟକୁ ଉଜ୍ଜୀବିତ ରଖିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସମେତ ସ୍କୁଲ ଓ ଗଣଶିକ୍ଷା ବିଭାଗ, ୫-ଟି ସଚିବ, ମୁଖ୍ୟ ଶାସନ ସଚିବ, ଜିଲ୍ଲାପାଳଙ୍କୁ ଚିଠି ଲେଖି ନ୍ୟାୟ ଭିକ୍ଷା କରିଛନ୍ତି।

ସୂଚନା ମୁତାବକ ୧୯୮୯ରେ ବାଲୁଗାଁ ଠାରେ ଗାନ୍ଧୀବାଦୀ ତଥା ସମାଜସେବୀ ଡାକ୍ତର ରାଧାଚରଣ ପଣ୍ଡାଙ୍କ ସ୍ମୃତିରେ ପୁତ୍ର ଶ୍ରୀ ପଣ୍ଡା ନିଜ ବାସଭବନରେ ଅସହାୟ, ନିରାଶ୍ରୟ, ଗରିବ ଛାତ୍ରୀଛାତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। ଦୀର୍ଘ ୧୨ ବର୍ଷ ଧରି ନିଜ ପୃଷ୍ଠପୋଷକତାରେ ଚଳାଇବା ପରେ ତାହା ସରକାରୀ ମାନ୍ୟତା ପାଇଥିଲା। ପ୍ରତିଷ୍ଠାତାଙ୍କ ମନୋବଳ, ଶିକ୍ଷକଙ୍କ ଉତ୍ତମ ଶିକ୍ଷାଦାନ, ଛାତ୍ରଛାତ୍ରୀଙ୍କ ପ୍ରଚେଷ୍ଟାରେ ସମଗ୍ର ଚିଲିକା ବ୍ଲକ୍‌ରେ ଏକ ଆଦର୍ଶ ତଥା ଶେଷ୍ଠ ପ୍ରାଥମିକ ବିଦ୍ୟାଳୟ ଭାବେ ସୁନାମ ଅର୍ଜନ କରିଥିଲା। ଦିନକୁ ଦିନ ଛାତ୍ରଛାତ୍ରୀଙ୍କ ବୃଦ୍ଧିକୁ ନେଇ ବିଦ୍ୟାଳୟର ସ୍ଥାୟୀ ଗୃହ ନିମନ୍ତେ ବାଲୁଗାଁ ହାଇସ୍କୁଲ୍ ନିକଟବର୍ତ୍ତୀ ଏକ ଜମି କିଣି ସେଠାରେ ବିଦ୍ୟାଳୟ ସ୍ଥାପନ କରାଯାଇଥିଲା। ଉକ୍ତ ବିଦ୍ୟାଳୟକୁ ବିଭିନ୍ନ ପର୍ଯ୍ୟାୟରେ ଅନେକ ରାଜନେତା ମଧ୍ୟ ଅନୁଦାନ ରାଶି ପ୍ରଦାନ କରିଥିଲେ। ଉକ୍ତ ବିଦ୍ୟାଳୟଟି ସମଗ୍ର ଅଞ୍ଚଳରେ ଖ୍ୟାତି ଲାଭ କରିଥିବା ବେଳେ ଏହାକୁ ନିଶ୍ଚିହ୍ନ କରିବା ପାଇଁ ଅହରହ ଷଡ଼ଯନ୍ତ୍ର ଜାରି ରହିଛି।

ବାଲୁଗାଁ ଉଚ୍ଚ ବିଦ୍ୟାଳୟ ସହ ମିଶ୍ରଣ ଆଳରେ ଦୀର୍ଘ ୩୧ ବର୍ଷ ସୁନାମ ଅର୍ଜନ କରିଥିବା ବିଦ୍ୟାଳୟ ନାମ, ପରିଚୟ ଓ ଅସ୍ତିତ୍ୱ ବିଲୋପ କରି ଅନୁଷ୍ଠାନକୁ ନିଶ୍ଚିହ୍ନ କରିବା ହାଇସ୍କୁଲ୍‌ର ପ୍ରଧାନଶିକ୍ଷକଙ୍କ ଦ୍ୱାରା ଉଦ୍ୟମ କରାଯାଇଛି ବୋଲି ଶ୍ରୀ ପଣ୍ଡା ଅଭିଯୋଗ କରିଛନ୍ତି।

ଏଥିସହିତ ଉକ୍ତ ବିଦ୍ୟାଳୟର କୋଠା ଓ ଫାଟକ ଉପରେ ଥିବା ବିଦ୍ୟାଳୟର ନାମକୁ ଲିଭାଇ ଦିଆଯିବା ସହ ରାସ୍ତାପାଶ୍ୱର୍ରେ ଥିବା ନାମଫଳକ ଗେଟ୍‌କୁ ଉଭାନ କରିଦିଆଯାଇଛି। ଏପରିକି ବିଦ୍ୟାଳୟର ସମସ୍ତ କାଗଜପତ୍ର ମନଇଚ୍ଛା ହାଇସ୍କୁଲ୍ କାର୍ଯ୍ୟାଳୟକୁ ନିଆଯାଇଥିବା ବେଳେ ଛାତ୍ରଛାତ୍ରୀଙ୍କୁ ବାଲୁଗାଁ ହାଇସ୍କୁଲ୍‌ର ପରିଚୟପତ୍ର ମଧ୍ୟ ଦିଆଯାଇଥିବାର ଅଭିଯୋଗ ହୋଇଛି।

ଏପରି ଉଦ୍ୟମ କରିବା କେତେଦୂର ଯଥାର୍ଥ? ଉକ୍ତ ଘଟଣାକୁ ନେଇ ସମଗ୍ର ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ଘୋର ନିନ୍ଦା କରାଯାଇଥିଲା ବେଳେ ଓଡ଼ିଶାର ବରପୁତ୍ର ଭାବେ ପରିଚିତ ରାଧାଚରଣ ପଣ୍ଡାଙ୍କ ସ୍ମୃତିକୁ ବଜାୟ ରଖି ଗଢ଼ି ଉଠିଥିବା ଅନୁଷ୍ଠାନ ପ୍ରତି ଅନ୍ୟାୟକୁ ସାଧାରଣରେ ପ୍ରତିବାଦ କରିଆସୁଥିଲେ ମଧ୍ୟ ଏଥିପ୍ରତି କେହି କର୍ଣ୍ଣପାତ ନ କରିବା ଅତ୍ୟନ୍ତ ଦୁଖଦାୟକ।

ରାଜ୍ୟରେ ବରପୁତ୍ରଙ୍କ ନାମରେ ଅନେକ ଅନୁଷ୍ଠାନମାନ ରହିଥିଲେ ମଧ୍ୟ ଚିଲିକା ବ୍ଲକ୍ ବାଲୁଗାଁ ଠାରେ ଅବସ୍ଥିତ ଡ. ରାଧାଚରଣ ପ୍ରାଥମିକ ବିଦ୍ୟାଳୟ ବିଲୋପ ହୋଇଯିବା ଓ ଅସ୍ତିତ୍ୱ ବିଲୋପ କରି ଅନୁଷ୍ଠାନକୁ ନିଶ୍ଚିହ୍ନ କରିବା କେତେ ଦୁର ଗ୍ରହଣୀୟ ବୋଲି ପ୍ରତିଷ୍ଠାତା ଶ୍ରୀ ପଣ୍ଡା ମୁଖ୍ୟମନ୍ତ୍ରୀଙ୍କ ସମେତ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ୫-ଟି ସଚିବ, ମୁଖ୍ୟ ଶାସନ ସଚିବ, ଜିଲ୍ଲାପାଳ, ଜନ ପ୍ରତିନିଧି ଏବଂ ଅନ୍ୟାନ୍ୟ ଉଚ୍ଚ ପଦାଧିକାରୀଙ୍କୁ ଚିଠି ଲେଖି ଅଭିଯୋଗ କରିଛନ୍ତି। ଜିଲ୍ଲା ଶିକ୍ଷା ଅଧିକାରିଣୀ ଏ ଦିଗରେ ତୁରନ୍ତ ତଦନ୍ତ କରି ବିହିତ ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବି ହେଉଛି।